କୃପାସିନ୍ଧୁ ମିଶ୍ର, (୨୭ ଜୁନ ୧୮୮୭ - ୧୨ ଫେବୃଆରୀ ୧୯୨୬) ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ, ଓ ସମାଜସେବୀ ଥିଲେ । ମଣିଷ ତିଆରି କାରଖାନା ଭାବରେ ପରିଚିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ୱ ତାଙ୍କର ଅନ୍ୟ ପରିଚୟ ।
କୃପାସିନ୍ଧୁ ମିଶ୍ର | |
---|---|
ଜନ୍ମ | କୃପାସିନ୍ଧୁ ଦାଶ ୨୭ ଜୁନ ୧୮୮୭ ବୀରହରେକୃଷ୍ଣପୁର, ସାକ୍ଷୀଗୋପାଳ, ପୁରୀ |
ମୃତ୍ୟୁ | ୧୨ ଫେବୃଆରୀ ୧୯୨୬ | (ବୟସ ୩୮)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକ (ଆଇନ) ସ୍ନାତକୋତ୍ତର (ଦର୍ଶନ ଶାସ୍ତ୍ର) |
ଶିକ୍ଷାନୁଷ୍ଠାନ | ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଧ୍ୟାପନା |
ସତ୍ୟବାଦୀ ବନ ବିଦ୍ୟାଳୟ | |
ଉଲ୍ଲେଖନୀୟ କୃତି | କୋଣାର୍କ, ବାରବାଟୀ ଦୁର୍ଗ |
ସମ୍ପର୍କୀୟ | ହରିହର ଦାଶ, କୃଷ୍ଣଚନ୍ଦ୍ର ଦାଶ (ଭାଇ) |
କୃପାସିନ୍ଧୁ, ୧୮୮୭ ମସିହା ଜୁନ ୨୭ ତାରିଖ ଦିନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହରିହର ଓ କୃଷ୍ଣଚନ୍ଦ୍ର ତାଙ୍କର ଅନ୍ୟ ଦୁଇ ଭାଇଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟପୁତ୍ର ହୋଇଯାଇଥିଲେ । ତାଙ୍କ ନିଜ ସାଙ୍ଗିଆ "ଦାଶ" ଥିଲା ଓ ପୋଷ୍ୟପୁତ୍ର ହୋଇଆସିବା ପରେ ତାହା "ମିଶ୍ର"କୁ ପରିବର୍ତ୍ତିତ ହୋଇଥିଲା । ନିଜ ମାଉସୀଙ୍କଦ୍ୱାରା ଉପେକ୍ଷିତ ହୋଇ, ସେ କ୍ରମେ ନିଜ ମାମୁଁ ଘରେ ଆଶ୍ରା ପାଇଥିଲେ । ମାମୁଁ ଘର ଅତ୍ୟନ୍ତ ସ୍ୱଚ୍ଛଳ ନଥିଲେ ମଧ୍ୟ, କୃପାସିନ୍ଧୁଙ୍କ ଶିକ୍ଷାଦିକ୍ଷାରେ କିଛି ଅଭାବ କରିନଥିଲେ । କୃପାସିନ୍ଧୁ ଗାଁ ସ୍କୁଲରୁ ଉତ୍ତୀନ୍ନ ହୋଇ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦଣ୍ଡ ସ୍ୱରୂପ କୃପାସିନ୍ଧୁଙ୍କୁ ଗୋଟିଏ ଦିନ ସମଗ୍ର ସ୍କୁଲ ସମୟ ବେଞ୍ଚରେ ଠିଆ କରେଇ ଦେଇଥିଲେ । ଏହାଦ୍ୱାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ୱରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା । ଏହି ଘଟଣା ପରେ, କୃପାସିନ୍ଧୁ ପୁରୀ ଜିଲ୍ଲା ସ୍କୁଲରୁ ନିଜ ନାମ କଟେଇ, କଟକର ରେଭେନ୍ସା କଲିଜିଏଟ ସ୍କୁଲରେ ନାମ ଲେଖାଇଲେ । ଏହା ତାଙ୍କ ଜୀବନର ଗତିପଥକରେ କିଛି ପରିବର୍ତ୍ତନ ଆଣିଦେଲା । ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ ଓ ବି.ଏ ପାସ କରିଥିଲେ । ୧୯୧୪ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।
ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କଦ୍ୱାରା କୃପାସିନ୍ଧୁ ଗଭିର ଭାବରେ ପ୍ରଭାବିତ ହୋଇଥିଲେ । ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ୱ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା । ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥି ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ବ୍ୟାସକବି ଫକୀର ମୋହନ ସେନାପତି, ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି 'ଉତ୍କଳ ଭ୍ରମଣ'ରେ ଲେଖିଥିଲେ :
କୃପାମୟ କୃପାସିନ୍ଧୁ ଜନହିତକର,
କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,
ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,
ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ
ଉଦ୍ଧରିବେ ଭଗୀରଥ ସମାନରେ କୂଳ ।
୧୯୨୬ ମସିହା ଫେବୃଆରୀ ୧୨ତାରିଖରେ, ୩୮ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ : ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡିଲା ।
This article uses material from the Wikipedia ଓଡ଼ିଆ article କୃପାସିନ୍ଧୁ ମିଶ୍ର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.