ବୃନ୍ଦାବତୀ ଦାସୀ: ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ବୃନ୍ଦାବତୀ ଦାସୀ ସପ୍ତଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ମଳିପଡ଼ା ଗ୍ରାମରେ ରହୁଥିଲେ । ତାଙ୍କ ସ୍ୱାମୀଙ୍କ ନାମ ଚନ୍ଦ୍ରଶେଖର ଦାସ (ମୂଳତଃ ମହାପାତ୍ର) ଓ ପୁତ୍ରଙ୍କ ନାମ ଭୀମ ଦାସ ଥିଲା । ତାଙ୍କର ଲିଖିତ କାବ୍ୟ 'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ତତ୍କାଳୀନ ସମାଜରେ ନାରୀମାନେ ଉଚ୍ଚଶିକ୍ଷିତ ଥିଲେ ଏହାର ଏକ ନିଦର୍ଶନ ।

ବୃନ୍ଦାବତୀ ଦାସୀ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟସପ୍ତଦଶ ଶତାବ୍ଦୀ
ବିଷୟରାଧାକୃଷ୍ଣ ପ୍ରେମ
ସାହିତ୍ୟ କୃତିପୂର୍ଣ୍ଣତମ ଚନ୍ଦ୍ରୋଦୟ
ଜୀବନସାଥୀଚନ୍ଦ୍ରଶେଖର ଦାସ (ମହାପାତ୍ର)
ସନ୍ତାନଭୀମଦାସ

ଜୀବନ

ବୃନ୍ଦାବତୀଙ୍କ ଘର ପୁରୀ ଜିଲ୍ଲା ଅନ୍ତର୍ଗତ ମଳିପଡ଼ା ଗ୍ରାମରେ ଥିଲା । ସେ କରଣକୁଳରେ ଜନ୍ମଗ୍ରହଣ କରିଥିଲେ । କବି ନିଜର ପରିଚୟ ତାଙ୍କ ରଚିତ ପୂର୍ଣ୍ଣତମ ଚନ୍ଦ୍ରୋଦୟ ଗ୍ରନ୍ଥର ୧ମ, ୨ୟ ଓ ୨୦ଶ ଅଧ୍ୟାୟରେ ଦେଇଛନ୍ତି । ସେ ନିଜକୁ 'ବୃନ୍ଦାବତୀ ଦାସୀ' ନାମରେ ଚିହ୍ନିତ କରାଇଛନ୍ତି ।

କହଇ ଦାସୀ ବୃନ୍ଦାବତୀ । ଚିନ୍ତା କରିଣ ରାଧାପତି ।

— ୧-୬୨, ପୂର୍ଣ୍ଣତମ ଚନ୍ଦ୍ରୋଦୟ

ପୂର୍ଣ୍ଣତମ ଚନ୍ଦ୍ରୋଦୟରେ ଆତ୍ମପରିଚୟ

ବୃନ୍ଦାବତୀଙ୍କ ସ୍ୱାମୀ ଚନ୍ଦ୍ରଶେଖରଙ୍କ କୁଟୁମାବର ସମସ୍ତେ ବ୍ରଜ ବୈଷ୍ଣବ ଓ ସମସ୍ତେ ଗୋଟିଏ ଗୋଟିଏ ବ୍ରଜବୈଷ୍ଣବ ତତ୍ତ୍ୱ ପ୍ରତିପାଦନ କରି କାବ୍ୟ ପ୍ରଣୟନ କରିଛନ୍ତି । ଚନ୍ଦ୍ରଶେଖର ଦାସ ପୁରୀଜିଲ୍ଲା ଅନ୍ତଃପାତି ପୁରୁଷୋତ୍ତମ କ୍ଷେତ୍ରର ୮ କୋଶ ଦୂରରେ ଅବସ୍ଥିତ ମଳିପଡ଼ା ଗ୍ରାମରେ ପିତୃପିତାମହକ୍ରମେ ବାସ କରୁଥିଲେ । ବୃନ୍ଦାବତୀ ନିଜ ଗ୍ରନ୍ଥରେ ଲେଖିଛନ୍ତି ଯେ ତାଙ୍କ ସ୍ୱାମୀ, ଶ୍ୱଶୁର, ପୁତ୍ର ଓ ନାତି ସମସ୍ତେ କବି ଥିଲେ ଓ ସଭିଏଁ କୃଷ୍ଣଲୀଳାତ୍ମକ କାବ୍ୟ ପ୍ରଣୟନ କରିଥିଲେ । ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ମହାପାତ୍ର ଶ୍ରୀକୃଷ୍ଣତତ୍ତ୍ୱ ଚନ୍ଦ୍ରୋଦୟ, ପୁତ୍ର ଭୀମଦାସ (ହରି)ଭକ୍ତି ଚନ୍ଦ୍ରୋଦୟ ଓ ନାତି କୃପାସିନ୍ଧୁ ଦାସ ଉପାସନା ଚନ୍ଦ୍ରୋଦୟ ଲେଖିଥିଲେ । ଶ୍ୱଶୁରଙ୍କ ନାମ ଜଗନ୍ନାଥ ଦାସ ଏହା ଉଲ୍ଲେଖ କରାଯାଇଛି କିନ୍ତୁ ଜଗନ୍ନାଥଙ୍କ ରଚିତ ପୁସ୍ତକର ନାମ ଦିଆଯାଇନାହିଁ ।

ଆହୁରି ଶୁଣିମା ସୁଜନେ । ମୋ କୁଳ ପରମ୍ପରାକ୍ରମେ ।
ଶ୍ୱଶୁର ପତି ପୁତ୍ର ନାତି । ଆଦିରେ ଯେତେକ ଅଛନ୍ତି ।
ସେ ପିତା ପିତାମହକ୍ରମେ । କୃଷ୍ଣ ସେବକ କୁଳଧର୍ମେ ।
ସମସ୍ତେ ଅଟନ୍ତି ସେ କବି । କୃଷ୍ଣ ଚରଣପଦ୍ମ ସେବି ।
ପ୍ରଭୁଙ୍କ ତାତ ଜଗନ୍ନାଥଦାସ ନାମେ ମହୀରେ ଖ୍ୟାତ ।
ଯେ କୃଷ୍ଣ ଯଶ ଗୁଣମାନ । ଗୀତେ କରିଛନ୍ତି ରଚନ ।
ପ୍ରଭୁ ଚନ୍ଦ୍ରଶେଖର ଦାସ । ମହୀରେ କଲେ ଯେ ପ୍ରକାଶ ।
ଶ୍ରୀକୃଷ୍ଣ ତତ୍ତ୍ୱ ଚନ୍ଦ୍ରୋଦୟ । ନାମେଣ ଗୀତ ସୁଧାମୟ ।
ପୁତ୍ର ମୋହର ଭୀମଦାସ । ଯେ କୃଷ୍ଣପଦ ଭକ୍ତିରସ ।
ଗୀତରେ କଲେକ ଉଦୟ । ନାମେଣ ଭକ୍ତି ଚନ୍ଦ୍ରୋଦୟ
ଏ ଆଦି ଅନେକ ଯେ ଗ୍ରନ୍ଥ । ମହୀରେ ହୋଇଛି ଯା ଖ୍ୟାତ ।
ନାତି ମୋହର କୃପାସିନ୍ଧୁ । ଯେ ଭୀମଦାସ ନିଜ ବନ୍ଧୁ ।
ଜନନିବାସ ଶ୍ଳୋକ ଅର୍ଥ । ବ୍ୟାଖ୍ୟାନ କରି ଯେ ଯଥାର୍ଥ ।
ଏକଇ ଶ୍ଳୋକ ଅର୍ଥଗୀତ । ପଚିଶ ଅଧ୍ୟାୟ ଯୁଗତ ।
ସେ ଉପାସନା ଚନ୍ଦ୍ରୋଦୟ । ନାମେ ଅଟନ୍ତି ସୁଧାମୟ ।
ଏଭାବେ ପତି ପୁତ୍ର ନାତି । ସମସ୍ତେ କୃଷ୍ଣ ପାଦେ ଭକ୍ତି ।

— ୨୦ଶ ଅଧ୍ୟାୟ, ପୂର୍ଣ୍ଣତମ ଚନ୍ଦ୍ରୋଦୟ

ଭୀମଦାସଙ୍କ ଭକ୍ତିରତ୍ନାବଳୀ

ବୃନ୍ଦାବତୀଙ୍କ ପୁଅ ଭୀମଦାସଙ୍କ ଅନ୍ୟ କୃତି ଭକ୍ତିରତ୍ନାବଳୀର ଶେଷ ଅଂଶରେ କବି ନିଜର ଆତ୍ମପରିଚୟ ଦେଇଛନ୍ତି । ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ ପୂର୍ଣ୍ଣତମ ଚନ୍ଦ୍ରୋଦୟ ପୁସ୍ତକର ସମ୍ପାଦକ କୈଳାସଚନ୍ଦ୍ର ମହାପାତ୍ର ମୁଖବନ୍ଧରେ ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଘରେ ଉକ୍ତ ଭକ୍ତିରତ୍ନାବଳୀର ପୋଥି ଥିବା କଥା ଉଲ୍ଲେଖ କରିଛନ୍ତି । ଏହି ପୋଥିର ଶେଷ ଅଂଶରେ ଥିବା ଭୀମ ଦାସଙ୍କ ଆତ୍ମପରିଚୟ ବୃନ୍ଦାବତୀ ଦେଇଥିବା ପରିଚୟ ସଙ୍ଗେ ସୁନ୍ଦର ଭାବେ ମେଳ ହେଉଥିବା କୈଳାସଚନ୍ଦ୍ର ଲକ୍ଷ୍ୟ କରିଛନ୍ତି ।

କରଣ କୁଳେ ଉତପନ । ତାତ ମୋ ବିଷ୍ଣୁଭକ୍ତ ଜନ ।
ଚନ୍ଦ୍ରଶେଖର ମହାପାତ୍ର । ନାମ ଅବନୀ ତଳେ ଖ୍ୟାତ ।
ଗୃହ ତାଙ୍କର ମଳିପଡ଼ା । କ୍ଷେତ୍ରକୁ ବେନି ଯୁଣ ଛଡ଼ା ।
ଥାଇଣ ଗୃହସ୍ଥା ଧର୍ମରେ । କୃଷ୍ଣ ଚରଣେ ଭକ୍ତି କରେ ।
ସେ ପିତୃପିତାମହକ୍ରମେ । ବିଷ୍ଣୁ ସେବକ କୁଳଧର୍ମେ ।
ମୁଁ ତାଙ୍କ କନିଷ୍ଠ ନନ୍ଦନ । ତାଙ୍କ କରୁଣା ବଶୁଁ ଜାଣ ।
ଆବର କୃଷ୍ଣ କୃପାବଶେ । ଏ ଜାତ ହେଲା ମୋ ମାନସେ ।
ଶୁଣିଲି ଭକ୍ତିରତ୍ନାବଳୀ । ଗୀତ କରିବି ସ୍ପୃହା କଲି ।
ଶକାବ୍ଦ ଷଡ଼ଦଶ ଶତ । ଚଉଦ ବରଷ ଯୁଗତ ।
ବୈଶାଖମାସ ଶୁକ୍ଳ ପକ୍ଷେ । ତୃତୀୟା ତିଥି ଦ୍ୱିଜା ଋକ୍ଷେ ।
ଥାଇଣ ମଳିପଡ଼ା ପୁରୀ । ବିଷ୍ଣୁ ମଣ୍ଡପେ ବସି କରି ।
ରଚନା କଲି ଏହୁ ଗୀତ । କୃଷ୍ଣ ଚରଣେ ଦେଇ ଚିତ୍ତ ।
ଶ୍ରୀକୃଷ୍ଣ ଚରଣେ ମାନସ । ଦେଇ କହଇ ଭୀମଦାସ ।

— ଭକ୍ତିରତ୍ନାବଳୀ, ଭୀମଦାସ

ଗ୍ରନ୍ଥ ରଚନା

'ପୂର୍ଣ୍ଣତମ ଚନ୍ଦ୍ରୋଦୟ' ଗ୍ରନ୍ଥଟି ଶକାବ୍ଦ ୧୬୨୧ ବା ଖ୍ରୀଷ୍ଟାବ୍ଦ ୧୬୬୯ରେ ସମ୍ପୂର୍ଣ୍ଣ ହୋଇଥିଲା ଏହା କବିଙ୍କ ରଚନାରୁ ଜଣାପଡ଼େ ।

ଶକ ଅବଦ ଛଡ଼ଦଶ । ଶତ ଏକବିଂଶ ବରଷ ।।
ଦିବ୍ୟସିଂହ ଦେବ ରାଜନ । ତ୍ରିଦଶ ଅଙ୍କେ ଏ ରଚନ ।।
ବୈଶାଖ ମାସେ ଶୁକ୍ଳପକ୍ଷେ । ପଞ୍ଚମୀ ମୃଗଶିରା ରୁକ୍ଷେ ।।
ଶୁଭ ହୋଇଲା ଗ୍ରନ୍ଥ ଶେଷ । ଶୁଣି ସକଳ ପାପ ନାଶ ।।

— ପୂର୍ଣ୍ଣତମ ଚନ୍ଦ୍ରୋଦୟ

ବୃନ୍ଦାବତୀ ଦାସୀ ବୃଦ୍ଧାବସ୍ଥାରେ ପୂର୍ଣ୍ଣତମ ଚନ୍ଦ୍ରୋଦୟ ଲେଖିଥିବା ଅନୁମାନ କରାଯାଏ । ଏଣୁ ତାଙ୍କ ରଚନାରେ ତାଙ୍କ ଶ୍ୱଶୁର, ପତି, ପୁତ୍ର, ନାତି ସମସ୍ତଙ୍କ ରଚିତ ଗ୍ରନ୍ଥର ସ୍ପଷ୍ଟ ଉଲ୍ଲେଖ ରହିଛି । ତାଙ୍କ ପୁତ୍ର ଭୀମଦାସ ନିଜ ରଚିତ ଭକ୍ତି ଚନ୍ଦ୍ରୋଦୟରେ ଯେଉଁ ସମୟ ଦେଇଛନ୍ତି ତାହା ଏହା ସହିତ ମେଳ ହେଉଛି ।

'ଚନ୍ଦ୍ରୋଦୟ' ନାମଟି ବୃନ୍ଦାବତୀଙ୍କ ପରିବାରରେ ଥିବା କବିମାନେ ବାରମ୍ବାର ବ୍ୟବହାର କରିଛନ୍ତି । ତାଙ୍କ ସ୍ୱାମୀ ଚନ୍ଦ୍ରଶେଖର ମହାପାତ୍ର ଶ୍ରୀକୃଷ୍ଣତତ୍ତ୍ୱ ଚନ୍ଦ୍ରୋଦୟ, ପୁତ୍ର ଭୀମ ଦାସ ଭକ୍ତି ଚନ୍ଦ୍ରୋଦୟ ଓ ନାତି କୃପାସିନ୍ଧୁ ଦାସ ଉପାସନା ଚନ୍ଦ୍ରୋଦୟ ଲେଖିଥିଲେ ।

ପ୍ରକାଶନ

ପ୍ରାଚୀ ସମିତିଦ୍ୱାରା ୧୯୨୭ ମସିହାରେ ପୂର୍ଣ୍ଣତମ ଚନ୍ଦ୍ରୋଦୟ ଗ୍ରନ୍ଥ ଟୀକା ଓ ମୁଖବନ୍ଧ ସଙ୍ଗେ ପ୍ରକାଶିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପୁସ୍ତକ ରାୟ ବାହାଦୁର ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ନଥିଲା, ଏହାର ସମ୍ପାଦକ ଓ ଟୀକାକାର ଥିଲେ କୈଳାସଚନ୍ଦ୍ର ମହାପାତ୍ର । କଟକର ରାଧାନାଥ କୋଅପରେଟିଭ ପ୍ରେସରେ ଏହାର ମୁଦ୍ରଣକାର୍ଯ୍ୟ ହୋଇଥିଲା ।

ଆଧାର

Tags:

ବୃନ୍ଦାବତୀ ଦାସୀ ଜୀବନବୃନ୍ଦାବତୀ ଦାସୀ ଗ୍ରନ୍ଥ ରଚନାବୃନ୍ଦାବତୀ ଦାସୀ ଆଧାରବୃନ୍ଦାବତୀ ଦାସୀ

🔥 Trending searches on Wiki ଓଡ଼ିଆ:

ସାତକଡ଼ି ହୋତାଭୁବନେଶ୍ୱର ବେହେରାଫକୀର ମୋହନ ସେନାପତିପଣସଆଲଜେରିଆବସନ୍ତ ରୋଗପ୍ରଧାନ ପୃଷ୍ଠାସାନ୍ତାଳ ଜନଜାତିବର୍ଷାପଠାଣି ପଟ୍ଟନାୟକତୃପ୍ତି ଦାସସୁରେନ୍ଦ୍ର ମହାନ୍ତିଜର୍ଜ କ୍ୟାଣ୍ଟରମାଳତୀ ଚୌଧୁରୀନିତ୍ୟାନନ୍ଦ ଶତପଥୀକାର୍ତ୍ତିକେୟଜୟ ଜଗନ୍ନାଥପୌରୁଷ ଅସାମର୍ଥ୍ୟଗୋମାଂସସୁସ୍ମିତା ରଥଓଡ଼ଗାଁଦୂତୀବାହନ ଓଷାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରତେଜସ୍କ୍ରିୟ କ୍ଷୟମହାବୀର ଜୈନପାଳୁଅଜଗନ୍ନାଥଙ୍କ ଧୂପ୧୯୭୭ଯଶୋଧାରା ମିଶ୍ରଓଡ଼ିଆ ଭାଗବତ୦ (ସଂଖ୍ୟା)ଭୀମା ଭୂଇଁଆଚନ୍ଦନ ଯାତ୍ରାମ୍ୟାଲେରିଆବ୍ୟକ୍ତିଗତ ଅର୍ଥବ୍ୟବସ୍ଥା୮ ମାର୍ଚ୍ଚଟାଇଫଏଡଜଗନ୍ନାଥ ଦାସଅଟିଜିମ୍‌ରଜନୀ ରଞ୍ଜନଜଗନ୍ନାଥଙ୍କ ବେଶସ୍କନ୍ଦ ପୁରାଣସୋଫୋସବୁଭିର/ଭେଲପାଟାସଭିରଗଙ୍ଗାଧର ମେହେରଶଗୁନ୍ ଚୌଧୁରୀସୌଭାଗ୍ୟ କୁମାର ମିଶ୍ରଓଡ଼ିଶାର ପର୍ବପର୍ବାଣିଇନ୍ଦିରା ଗାନ୍ଧୀ୩୦ ଜୁନଗଣେଶ ପୂଜାବିଭୂତି ପଟ୍ଟନାୟକଗୀତଗୋବିନ୍ଦକାହ୍ନୁଚରଣ ମହାନ୍ତିନନ୍ଦିନୀ ଶତପଥୀଲୁହାଓଡ଼ିଆ ଭାଷା ଆନ୍ଦୋଳନକେନ୍ଦୁଝର ଜିଲ୍ଲାରୋହିତ ଶର୍ମାଯକୃତଜଗନ୍ନାଥ ପ୍ରସାଦ ଦାସମାୟାଧର ମାନସିଂହବୈଦେହୀଶ ବିଳାସଗଣନ ସଂଖ୍ୟାଧ୍ୱନି ପ୍ରତିଧ୍ୱନିଉପେନ୍ଦ୍ର କିଶୋର ଦାସରୁକୁଣା ରଥଯାତ୍ରାପଠାଣି ସାମନ୍ତରଜାବଖରି,ଦଶ ବିଦ୍ୟା ମହଲ,ବୀଣାପାଣି ମହାନ୍ତିବ୍ୟାଙ୍କବ୍ୟାସଦେବ🡆 More