କଳ୍ପନା ଚାୱଲା (ମାର୍ଚ୍ଚ ୧୭, ୧୯୬୨ – ଫେବୃଆରୀ ୧, ୨୦୦୩) ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ । ସେ ୧୯୯୭ ମସିହାରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ଏହି ମହାକାଶ ଯାନରେ ସେ mission specialist ଏବଂ primary robotic arm operator ଭାବେ ଯାଇଥିଲେ। ୨୦୦୩ ମସିହାରେ କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster)ରେ ପ୍ରାଣ ହରାଇ ଥିବା ସାତ ଜଣ ମହାକାଶଚାରୀଙ୍କ ମଧ୍ୟରେ କଳ୍ପନା ଅନ୍ୟତମ। ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍ରୁ ଏରୋନଟିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ଟେକ୍ସାଜ୍ ୟୁନିଭର୍ସିଟିରୁ ଏରୋସ୍ପେଶ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୧୯୮୮ରେ ସେ ଆମେରିକାର କଲରାଡୋ ୟୁନିଭର୍ସିଟିରୁ ପି.ଏଚ୍.ଡି.
ଡିଗ୍ରୀ ହାସଲ କରିଥିଲେ। ସେ ଜିନ୍-ପେରୀ ହ୍ୟାରିସନ୍ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ। ୧୯୯୭ ମସିହା ନଭେମ୍ବର ମାସ ୧୯ ତାରିଖରେ ମହାକାଶକୁ ଯାତ୍ରାକରି ସେ ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପୁନଶ୍ଚ ୨୦୦୩ରେ କଲମ୍ବିଆ ମହାକାଶଯାନ ଯୋଗେ ସେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। କିନ୍ତୁ ପୃଥିବୀକୁ ଫେରିବା ବାଟରେ ଅର୍ଥାତ ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ କଳ୍ପନା ସେହି ମହାକାଶରେ ହିଁ ଲୀନ ହୋଇଯାଇଥିଲେ ı ତେବେ ତାଙ୍କ ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı
କଳ୍ପନା ଚାୱଲା | |
---|---|
ଜନ୍ମ | ମାର୍ଚ୍ଚ ୧୭, ୧୯୬୨ କର୍ଣ୍ଣଲ, ପଞ୍ଜାବ, ଭାରତ (ବର୍ତ୍ତମାନର ହରିୟାଣା, ଭାରତ) |
ମୃତ୍ୟୁ | ୧ ଫେବୃଆରୀ ୨୦୦୩ Aboard Space Shuttle Columbia over Texas, U.S. | (ବୟସ ୪୦)
Alma mater | Punjab Engineering College University of Texas at Arlington University of Colorado at Boulder |
Time in space | ୩୧ ଦିନ, ୧୪ ଘଣ୍ଟା, ୫୪ ମିନିଟ୍ |
Selection | 1994 NASA Group |
ଅଭିଯାନ | STS-87, STS-107 |
Mission insignia | |
ପୁରସ୍କାର |
କଳ୍ପନା ଚାୱଲା ୧୯୬୨ ମହିହା ମାର୍ଚ୍ଚ ମାସ ୧୭ ତାରିଖରେ ହରିୟାଣାର କର୍ଣ୍ଣଲ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ବନାରସୀ ଲାଲ୍ ଚାୱଲା ଏବଂ ମାତାଙ୍କ ନାମ ଥିଲା ସଂଜ୍ୟୋତୀ। ସେ ଚାରି ଭାଇ ଭଉଣୀ ଥିଲେ। କଳ୍ପନା ତାଙ୍କ ପରିବାରରେ ସବୁଠାରୁ ସାନ ଥିଲେ ଏବଂ ତାଙ୍କର ଦୁଇ ଭଉଣୀ ଓ ଜଣେ ଭାଇ ଥିଲେ। ଭାରତ-ପାକିସ୍ତାନ ବିଭାଜନ ସମୟରେ ହୋଇଥିବା ଦଙ୍ଗାରେ ତାଙ୍କ ପିତାଙ୍କ ପୂର୍ବପୁରୁଷମାନେ ପାକିସ୍ତାନରୁ ଭାରତ ଚାଲି ଆସିଥିଲେ। ସେତେବେଳେ ସେମାନଙ୍କ ପାଖରେ କେବଳ ଆଶା ଏବଂ ବିଶ୍ୱାସ ଛଡ଼ା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ନ ଥିଲା। ପିଲାବେଳେ କଳ୍ପନାଙ୍କ ଡାକ ନାମ ମଣ୍ଟୁ ଥିଲା। ତାଙ୍କ ଜନ୍ମ ସମୟରେ ତାଙ୍କ ପରିବାର ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ଥିଲା। ତେବେ କଳ୍ପନା ଏବଂ ତାଙ୍କ ଭାଇ-ଭଉଣୀ ମାନଙ୍କର କଠିନ ପରିଶ୍ରମ ତଥା ଅଧ୍ୟବସାୟ ବଳରେ ତାଙ୍କ ପରିବାରର ଅବସ୍ଥା ଉନ୍ନତରୁ ଉନ୍ନତତର ହୋଇଯାଇଥିଲା। ୨୦୦୩ ମସିହାରେ କଲମ୍ବିଆ ମହାକାଶଯାନରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ India Today ଖବର କାଗଜକୁ ଏକ ସାକ୍ଷାତକାର ଦେଇ କହିଥିଲେ, "କଠିନ ପରିଶ୍ରମଦ୍ୱାରା ଜୀବନରେ ସବୁ ପ୍ରକାର ପରିସ୍ଥିତିରେ ବିଜୟ ଲାଭ କରାଯାଇ ପାରେ ବୋଲି ତାଙ୍କ ପରିବାରର ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କ ପରିବାରର ଏହି ଦୃଷ୍ଟିକୋଣ ହିଁ ତାଙ୍କୁ ସବୁ ବାଧା ସତ୍ତ୍ୱେ ନିଜ ସ୍ୱପ୍ନକୁ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଛି।" କଳ୍ପନାଙ୍କ ପରିବାରର ସାହସ ଏବଂ ଶିକ୍ଷା କିପରି ତାଙ୍କ ଯୁବ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥିଲା, ଏହା ତାଙ୍କର ଏହି ଉକ୍ତିରୁ ସ୍ପଷ୍ଟ ଭାବେ ଜଣାଯାଏ।
ସେ ସମୟରେ ଝିଅ ତଥା ମହିଳା ମାନଙ୍କୁ ନେଇ କର୍ଣ୍ଣଲର ଲୋକମାନେ ଖୁବ୍ ରକ୍ଷଣଶୀଳ ମନୋଭାବ ପୋଷଣ କରୁଥିଲେ। କିନ୍ତୁ ପୁଅ ହେଉ ବା ଝିଅ, ବନାରସୀ ଲାଲ୍ ଚାୱଲା ନିଜ ପିଲା ମାନଙ୍କ ଶିକ୍ଷାକୁ ନେଇ ବେଶ୍ ଯତ୍ନବାନ ଥିଲେ। କଳ୍ପନାଙ୍କ ମା' ସଂଜ୍ୟୋତୀ ନିଜ ଝିଅ ମାନଙ୍କୁ ସବୁ ପ୍ରକାରର ସହାୟତା ଓ ସମର୍ଥନ ଯୋଗାଇ ଦେଉଥିଲେ ଏବଂ ସର୍ବଦା ନିଜ ସ୍ୱପ୍ନ ତଥା ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରୁଥିଲେ।
କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହସ ତଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତିକୁ ମଧ୍ୟ ଖୁବ୍ ଭଲ ପାଉଥିଲେ। ତାଙ୍କର ଏହି ମଜା ମସ୍ତି କରିବା ଅଭ୍ୟାସ ପାଇଁ ସେ ନିଜ ସାଙ୍ଗ ମାନଙ୍କ ସହ ଯାଉଥିବା ବଣଭୋଜି ଗୁଡ଼ିକୁ ଅତ୍ୟନ୍ତ ଉପଭୋଗ୍ୟ କରିପାରୁଥିଲେ। ଯେ କୌଣସି କାମ କରିବା ପାଇଁ କଳ୍ପନା ଉତ୍ସାହର ସହ ଆଗଭର ହୋଇ ବାହାରି ପଡ଼ୁଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ କାର୍ ଚଳାଇବା ଶିଖିଯାଇଥିଲେ।
କଳ୍ପନାଙ୍କୁ ଆରମ୍ଭରୁ ଉଡ଼ାଜାହାଜ ଖୁବ୍ ଭଲ ଲାଗୁଥିଲା। ସେ ବିଦ୍ୟାଳୟରେ ଚିତ୍ରାଙ୍କନ ଏବଂ ହସ୍ତ ଶିଳ୍ପ ଶ୍ରେଣୀ ଗୁଡ଼ିକରେ ପ୍ରାୟତଃ ଉଡ଼ାଜାହାଜର ଚିତ୍ର ଓ ମଡେଲ୍ ତିଆରି କରୁଥିଲେ। ବିଦ୍ୟାଳୟରୁ ଘରକୁ ଫେରିଲା ବେଳେ ପ୍ରାୟ ସମୟ ସେ ନିଜ ସାଇକେଲ୍ ରଖିଦେଇ ଘଣ୍ଟା ଘଣ୍ଟା ବସି ପ୍ରଶିକ୍ଷଣ ଦେବା ବ୍ୟବହାର କରାଯାଉଥିବା ଉଡ଼ାଜାହାଜ ଗୁଡ଼ିକୁ ଆକାଶରେ ଉଡ଼ିବାର (take off) ଏବଂ ତଳକୁ ଓହ୍ଲାଇବାର (land) ଦୃଶ୍ୟ ଦେଖୁଥିଲେ। ଏହି ଦୃଶ୍ୟ ଦେଖିବା ସମୟରେ ସେ ଅତ୍ୟନ୍ତ ଆନନ୍ଦିତ ତଥା ଉତ୍ଫୁଲ୍ଲିତ ହୋଇଯାଉଥିଲେ। ଉଡ଼ାଜାହାଜ ପ୍ରତି ତାଙ୍କର ରୁଚିକୁ ଦେଖି ତାଙ୍କ ବାପା ଅନେକ ସମୟରେ ତାଙ୍କୁ ପ୍ରଶିକ୍ଷକ ଉଡ଼ାଜାହାଜ ଗୁଡ଼ିକରେ ବସାଇବା ପାଇଁ ସ୍ଥାନୀୟ ଉଡ଼ାଜାହାଜ ଚାଳକ ସଂଘକୁ ନେଇ ଯାଉଥିଲେ। ଗ୍ରୀଷ୍ମ ଋତୁରେ ରାତିର ତାରକା ବିମଣ୍ଡିତ ସୀମାହୀନ ଆକାଶକୁ ଦେଖିବା କଳ୍ପନାଙ୍କର ସବୁଠାରୁ ପ୍ରିୟ ରୁଚି ଥିଲା। ଆକାଶ ଗଙ୍ଗା (The Milky Way) ଏବଂ ବେଳେ ବେଳେ ଆକାଶରେ ଦୃଶ୍ୟମାନ ହେଉଥିବା ଉଲ୍କା ପିଣ୍ଡ (The Shooting Star) ତାଙ୍କ ମନକୁ ଆଶ୍ଚର୍ଯ୍ୟ ଓ ଅନଂଖ୍ୟ ପ୍ରଶ୍ନରେ ଭରି ଦେଉଥିଲା। କଳ୍ପନା ଯେ ଦିନେ ବଡ଼ ହେଲେ ସୀମାହୀନ ନୀଳ ଆକାଶକୁ ଛୁଇଁବାକୁ ଚେଷ୍ଟା କରିବେ, ଏହା ତାଙ୍କ ବାଲ୍ୟକାଳର ରୁଚି ମାନଙ୍କରୁ ହିଁ ଜଣା ପଡ଼ୁଥିଲା।
କଳ୍ପନା ଖୁବ୍ ଭଲ ନମ୍ବର ରଖି ବିଦ୍ୟାଳୟ ପାଠ ପଢ଼ା ଶେଷ କରିଥିଲେ। ବିଦ୍ୟାଳୟ ପଢ଼ା ଶେଷ କରି ସାରିଲା ବେଳକୁ ସେ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରି ସାରିଥିଲେ। ସେ ଏରୋସ୍ପେଶ୍ ଇଞ୍ଜିନିୟର୍ (Aerospace Engineer) ହେବାକୁ ଚାହୁଁଥିଲେ। କର୍ଣ୍ଣଲଠାରେ ଥିବା ଦୟଲ୍ସିଂହ କଲେଜ୍ରୁ ନିଜର ଉଚ୍ଚ ମାଧ୍ୟମିକ ପାଠ ପଢ଼ା ଶେଷ କରି ସେ ଚଣ୍ଡିଗଡ଼ଠାରେ ଥିବା ପଞ୍ଜାବ ଇଞ୍ଜିନିୟରିଂ କଲେଜ୍ ବା Punjab Engineering College (PEC)ରେ ନାମ ଲେଖାଇଥିଲେ। ପ୍ରଥମେ ପ୍ରଥମେ କଳ୍ପନାଙ୍କ ରକ୍ଷଣଶୀଳ ପରିବାର ତାଙ୍କୁ ନିଜ ସହର ବାହାରକୁ ଛାଡ଼ିବାକୁ ରାଜି ହେଉ ନ ଥିଲେ। କିନ୍ତୁ ନିଜର ଶାନ୍ତ ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ପରିବାର ଲୋକଙ୍କୁ ରାଜି କରାଇବାରେ ସଫଳ ହୋଇଥିଲେ।
ଯଦିଓ କଳ୍ପନାଙ୍କ ଶିକ୍ଷକମାନେ ତାଙ୍କୁ ସିଭିଲ୍ ଇଞ୍ଜିନିୟରିଂ (Civil Engineering), ମେକାନିକାଲ୍ ଇଞ୍ଜିନିୟରିଂ (Mechanical Engineering) କିମ୍ବା ଏଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (Electrical Engineering)ରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ; କିନ୍ତୁ ସେ PECଠାରେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ବିଭାଗରେ ହିଁ ନାମ ଲେଖାଇଥିଲେ। ସେତେବେଳେ ଏରୋନଟିକାଲ୍ ଇଞ୍ଜିନିୟରିଂ (Aeronautical Engineering) ପଢ଼ୁଥିବା ଆଠ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ସେ ଏକମାତ୍ର ଝିଅ ଥିଲେ। PECରେ ପଢ଼ୁଥିବା ସମୟରେ କଳ୍ପନା ତାଙ୍କ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇ ଥିଲେ। ତାଙ୍କ ଜୀବନରେ ଯେବେ ବି ତାଙ୍କୁ ଏକାଧିକ ବିକଳ୍ପ ମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ପଡ଼ୁଥିଲା, ସେ ସର୍ବଦା ନିର୍ଭୀକ ଭାବରେ ସବୁଠାରୁ କଠିନ ବିକଳ୍ପଟିକୁ ହିଁ ବାଛୁଥିଲେ। ତାଙ୍କର ଏହି ସ୍ୱଭାବ ଏବଂ ଦୃଢ଼ ନିଶ୍ଚୟ ବଳରେ ସେ ନିଜ ଶ୍ରେଣୀରେ ସବୁଠାରୁ ଉପରକୁ ଉଠି ପାରିଥିଲେ।
କଳ୍ପନା ଜଣେ ଖୁବ୍ ଭଲ ତଥା ଅନପେକ୍ଷିତ ବ୍ୟକ୍ତି ଥିଲେ ବୋଲି ତାଙ୍କ କଲେଜ୍ର ସାଙ୍ଗମାନେ ମତ ଦିଅନ୍ତି। ସେ ତାଙ୍କର ଅଧିକାଂଶ ସମୟ ଶ୍ରେଣୀଗୃହ, ପାଠାଗାର କିମ୍ବା ପ୍ରୟୋଗଶାଳାରେ ବିତାଉଥିଲେ। ତଥାପି କଲେଜ୍ର ବାର୍ଷିକ କ୍ରୀଡ଼ା ଉତ୍ସବ, ଅନ୍ୟାନ୍ୟ ଉତ୍ସବ ତଥା ଏରୋ ଏବଂ ଆଷ୍ଟ୍ରୋ ସମାଜ (Aero and Astro Society)ର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅତ୍ୟନ୍ତ ସକ୍ରିୟ ଭାବେ ଅଂଶଗ୍ରହଣ କରୁଥିଲେ। PECରେ କଳ୍ପନା ଉଡ଼ାଜାହାଜରେ ବ୍ୟବହୃତ ହେଉଥିବା ସାମଗ୍ରୀ, ଉଡ଼ାଜାହାଜର ଗତି ତଥା ସିଦ୍ଧାନ୍ତ ମୂଳକ ଏରୋଡାଇନାମିକ୍ସ୍ (Theoretical Aerodynamics) ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏହି ଜ୍ଞାନ ତାଙ୍କୁ ତାଙ୍କର ଭବିଷ୍ୟତ ପାଠ ପଢ଼ା ଏବଂ ତାଙ୍କ ମହାକାଶଚାରୀ ଜୀବନରେ ଖୁବ୍ ସହାୟକ ହୋଇଥିଲା।
ନିଜର ସ୍ନାତକ ପାଠପଢ଼ା ସରିଲା ବେଳକୁ କଳ୍ପନା ଚାୱଲା ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯିବା ପାଇଁ ଚିନ୍ତା କରି ସାରିଥିଲେ। ବହୁତ ଚିନ୍ତା କରିବା ପରେ ସେ ଆର୍ଲିଙ୍ଗ୍ଟନ୍ଠାରେ ଥିବା ଟେକ୍ସାଜ୍ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ସ୍ଥିର କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଏବଂ ଗବେଷଣା ପାଇଁ ପ୍ରକୃଷ୍ଟ ସୁଯୋଗ ଥିବାରୁ ସେ ଏହାକୁ ବାଛିଥିଲେ। ଟେକ୍ସାଜ୍ରେ ନାମ ଲେଖାଇବା ପାଇଁ ମନୋନୀତ ହେବା ପରେ ସେ ଖୁବ୍ ଖୁସି ଥିଲେ। କିନ୍ତୁ ପୂର୍ବଥର ପରି ଏଥର ମଧ୍ୟ ତାଙ୍କ ପରିବାର ଏହି ଯୁବତୀ ଜଣଙ୍କୁ ବିଦେଶକୁ ଛାଡ଼ିବା ପାଇଁ ରାଜି ହେଲା ନାହିଁ। ତେବେ କଳ୍ପନା ପୁନର୍ବାର ନିଜ ପରିବାରକୁ ରାଜି କରାଇବାରେ ସଫଳ ହୋଇଯାଇଥିଲେ। ଶେଷରେ ୧୯୮୨ ମସିହାରେ କଳ୍ପନା ନିଜ ଛୋଟ ସହରଟିକୁ ଛାଡ଼ି ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଯାଇଥିଲେ।
ଟେକ୍ସାଜ୍ ବିଶ୍ୱବିଦ୍ୟାଳୟରେ କଳ୍ପନା ନିଜର ସ୍ନାତକୋତ୍ତର ଡିଗ୍ରୀ ବା ଏମ୍.ଏସ୍. (Master of Science) ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ। ସେତେବେଳେ ଏହି ଡିଗ୍ରୀର ଖୁବ୍ ଚାହିଦା ଥିଲା। ନିଜର ଦୃଢ଼ ନିଶ୍ଚିତ ଲକ୍ଷ୍ୟ ତଥା ପ୍ରବଳ ମେଧା ବଳରେ ସେ ସେଠାରେ ମଧ୍ୟ ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଯାଇଥିଲେ।
୧୯୮୩ ମସିହା ଡିସେମ୍ବର ମାସରେ କଳ୍ପନା ଜିନ୍-ପେରୀ ହ୍ୟାରିସନ୍ ନାମକ ଜଣେ ଫ୍ରେଞ୍ଚ୍-ଆମେରିକୀୟ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ଜିନ୍ କଳ୍ପନାଙ୍କ ଟେକ୍ସାଜ୍ର ସାଙ୍ଗମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ତେବେ କଳ୍ପନାଙ୍କ ରକ୍ଷଣଶୀଳ ପରିବାର କଳ୍ପନାଙ୍କ ବିବାହ ଖବର ଶୁଣି ଦୁଃଖିତ ହୋଇଥିଲା। କିନ୍ତୁ ଝିଅର ପସନ୍ଦ ଓ ନିର୍ଣ୍ଣୟ ଉପରେ ବିଶ୍ୱାସ ରଖି କଳ୍ପନାଙ୍କ ପରିବାର ଲୋକମାନେ ତାଙ୍କୁ ନିଜର ଆଶୀର୍ବାଦ ଏବଂ ଶୁଭେଚ୍ଛା ଦେଇଥିଲେ। କଳ୍ପନାଙ୍କ ଜୀବନର ପ୍ରତିଟି ନିର୍ଣ୍ଣୟରେ ତାଙ୍କ ପରିବାର ତରଫରୁ କିଛି ମାତ୍ରାରେ ତିକ୍ତତା ରହିଥିଲେ ସୁଦ୍ଧା ସେ ସର୍ବଦା ନିଜ ପରିବାରକୁ ନିଜ ନିର୍ଣ୍ଣୟରେ ରାଜି କରାଇବାକୁ ସକ୍ଷମ ହୋଇଥିଲେ।
ସ୍ନାତୋକତ୍ତର ଡିଗ୍ରୀ ଶେଷ କରିବା ପରେ କଳ୍ପନା ନିଜ ସ୍ୱାମୀଙ୍କ ସହ କଲରାଡୋର ପାହାଡ଼ିଆ ଅଞ୍ଚଳକୁ ଚାଲିଗଲେ। କଲରାଡୋ ବିଶ୍ୱବିଦ୍ୟାଳୟରେ ସେ ପ୍ରଥମେ ମେକାନିକାଲ୍ ଇଞ୍ଜିନିୟରିଂ (Mechanical Engineering)ରେ ପି.ଏଚ୍.ଡି. କରିବା ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ବିଭାଗ ଏରୋସ୍ପେଶ୍ ଇଞ୍ଜିନିୟରିଂ (Aerospace Engineering)କୁ ପରିବର୍ତ୍ତନ କରିଦେଇଥିଲେ। ସେ ଭଲ ଭାବରେ ଜାଣିଥିଲେ ଯେ ଏରୋସ୍ପେଶ୍ ଇଞ୍ଜିନିୟରିଂ (Aerospace Engineering)କୁ ବୃତ୍ତି ରୂପେ ଆପଣାଇବା ପାଇଁ ତାଙ୍କୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ତଥାପି ସେ ଏରୋସ୍ପେଶ୍ ଇଞ୍ଜିନିୟରିଂ (Aerospace Engineering)ରେ ହିଁ ପି.ଏଚ୍.ଡି. କରିବା ପାଇଁ ଠିକ୍ କରିଥିଲେ। ତାଙ୍କର ଏହି ନିର୍ଣ୍ଣୟ ତାଙ୍କର ଆଭ୍ୟନ୍ତରୀଣ ଦୃଢ଼ତା ତଥା ସ୍ପଷ୍ଟ ଉଦ୍ଦେଶ୍ୟର ପରିଚାୟକ। ତାଙ୍କର କଲରାଡୋର ଜଣେ ପ୍ରିୟ ବନ୍ଧୁ ମିରିଆମ୍ କୁହନ୍ତି ଯେ କଳ୍ପନା ଜଣେ ଶାନ୍ତ ଶିଷ୍ଟ ଝିଅ ହୋଇ ମଧ୍ୟ ସାହସ ଓ ଆତ୍ମବିଶ୍ୱାସ ସହିତ ନିଜ ଦୃଷ୍ଟିକୋଣକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରି ନିଜ ଶିକ୍ଷକ ତଥା ବୟୋଜ୍ୟେଷ୍ଠ ଗବେଷକ ମାନଙ୍କୁ ଚକିତ କରିଦେଉଥିଲେ।
୧୯୮୮ ମସିହାରେ କଳ୍ପନା ନାସା (NASA)ର Ames Research Centerଠାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ।। ସେଠାରେ ସେ Computational fluid dynamics (CFD)କୁ ବ୍ୟବହାର କରି ମହାକାଶଯାନକୁ ମହାକାଶକୁ ପ୍ରେରଣ କରିବା ଏବଂ ତାହାକୁ ପୃଥିବୀରେ ଅବତରଣ କରିବା (Vertical/Short Takeoff and Landing concepts) ଉପରେ ଗବେଷଣା କରିଥିଲେ। ୧୯୯୩ ମସିହାରେ ଉପସଭାପତି ତଥା ଏକାଧିକ ବସ୍ତୁର ଗତି (simulation of moving multiple body problems) ଉପରେ ବିଶେଷଜ୍ଞତା ଥିବା ଗବେଷକ (Research Scientist) ଭାବରେ ସେ Overset Methods, Incରେ ଯୋଗ ଦେଇଥିଲେ। ସେ ମଧ୍ୟ ଉଡ଼ାଜାହାଜ (airplane), ଗ୍ଲାଇଡର୍ (glider), ଏକ ବା ଏକାଧିକ ଇଞ୍ଜିନ୍ ଯୁକ୍ତ ଉଡ଼ାଜାହାଜ (single-engine airplane, multi-engine airplane) ଏବଂ ପାଣିଜାହାଜ (seaplane) ଇତ୍ୟାଦି ଚଳାଇବା ପାଇଁ ପ୍ରଶିକ୍ଷଣ ଦେଉଥିଲେ। ସେ ୧୯୯୧ ମସିହା ଏପ୍ରିଲ ମାସରେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ। ଏହା ପରେ ସେ ନାସାରେ ମହାକାଶଚାରୀ (NASA Astronaut Corps) ହେବା ପାଇଁ ଆବେଦନ କରିଥିଲେ। ୧୯୯୫ ମସିହା ମାର୍ଚ୍ଚ ମାସରେ ତାଙ୍କୁ ନାସାରେ ମହାକାଶଚାରି ଭାବେ ସ୍ୱୀକୃତି ମିଳିଥିଲା ଏବଂ ୧୯୯୬ ମସିହାରେ ତାଙ୍କୁ ତାଙ୍କର ପ୍ରଥମ ମହାକାଶଯାତ୍ରା ପାଇଁ ମନୋନୀତ କରାଯାଇଥିଲା। ମହାକାଶରେ ଯାତ୍ରା କରିବା ସମୟରେ ସେ କହିଥିଲେ, "You are just your intelligence"; ଅର୍ଥାତ୍ "ତୁମ ବୁଦ୍ଧିମତା ହିଁ ତୁମର ପରିଚୟ"।
୧୯୯୭ ମସିହା ନଭେମ୍ବର ୧୯ ତାରିଖରେ ସେ ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କରିଥିଲେ। ତାଙ୍କ ଦଳରେ ସମୁଦାୟ ଛଅ ଜଣ ସଦସ୍ୟ ଥିଲେ ଏବଂ ତାଙ୍କ ମହାକାଶଯାନର ନାମ ଥିଲା କଲମ୍ବିଆ ଏସ୍.ଟି.ଏସ୍.-୮୭ (Space Shuttle Columbia flight STS-87)। ଚାୱଲା ମହାକାଶ ଯାତ୍ରା କରିଥିବା ପ୍ରଥମ ଭାରତୀୟ ମହିଳା ତଥା ଦ୍ୱିତୀୟ ଭାରତୀୟ ବ୍ୟକ୍ତି ଥିଲେ। ଭାରତର ପ୍ରଥମ ମହାକାଶଯାତ୍ରୀ ହେଉଛନ୍ତି ରାକେଶ ଶର୍ମା। ସେ ୧୯୮୪ ମସିହାରେ ସୋୟୁଜ୍ ଟି-୧୧ (Soyuz T-11) ନାମକ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ନିଜର ପ୍ରଥମ ମହାକାଶଯାତ୍ରାରେ କଳ୍ପନା ମହାକାଶରେ ୧୦.୬୭ ନିୟୁତ କିଲୋମିଟର ବା ୧୦.୪ ନିୟୁତ ମାଇଲ୍ ଯାତ୍ରା କରିଥିଲେ। ଏହି ଦୂରତା ପ୍ରାୟ ୨୫୨ ଥର ପୃଥିବୀ ଚାରିପଟେ ବୁଲି ଆସିବା ସହ ସମାନ। ଏହି ଦୂରତା ଅତିକ୍ରମ କରିବାକୁ ତାଙ୍କୁ ୩୭୨ ଘଣ୍ଟା ଲାଗିଥିଲା। ଏହି ଯାତ୍ରା କାଳରେ ସେ ୱିନ୍ଷ୍ଟନ୍ ସ୍କଟ୍ (Winston Scott) ଓ ଟାକାଓ ଡୋଇ (Takao Doi)ଙ୍କ ସହ ମହାକାଶଯାନରୁ ବାହାରକୁ ଯାଇ ବିଗିଡ଼ି ଯାଇଥିବା ସ୍ପାର୍ଟାନ୍ କୃତ୍ରିମ ଉପଗ୍ରହ (Spartan satellite) ଟିକୁ ନେଇଆସିଥିଲେ। ନାସାର କର୍ମକର୍ତ୍ତାମାନେ ଚାୱଲାଙ୍କ ସହ ମିଶି ମହାକାଶଯାନରେ ଥିବା ତ୍ରୁଟି, ସଫ୍ଟଓୟାର୍ ତଥା ଏହାର କାର୍ଯ୍ୟ କରିବା ପ୍ରଣାଳୀ ଉପରେ ଟିକିନିଖି ଯାଞ୍ଚ କରିଥିଲେ। ଏହି ଯାଞ୍ଚ କରିବାକୁ ସେମାନଙ୍କୁ ପାଞ୍ଚ ମାସ ଲାଗିଥିଲା। ଏହି ଯାଞ୍ଚ ସରିଲା ପରେ ଚାୱଲାଙ୍କୁ ମହାକାଶଯାନରେ ଯାନ୍ତ୍ରିକ ବିଭାଗ ସମ୍ଭାଳିବାର ଦାୟିତ୍ୱ ଦିଆଯାଇଥିଲା। ଏହି ଦାୟିତ୍ୱକୁ ସୁଚାରୁ ରୂପେ ସମ୍ଭାଳିଥିବାରୁ ତାଙ୍କୁ ତାଙ୍କ ସହକର୍ମୀମାନେ ପୁରସ୍କୃତ ମଧ୍ୟ କରିଥିଲେ।
୨୦୦୦ ମସିହାରେ ସେ STS-107 ପାଇଁ ମନୋନୀତ ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ଏହି ଯାତ୍ରାରେ ବାଧା ଉପୁଜିଥିଲା । ୨୦୦୨ ମସିହାରେ ସେ ଦ୍ୱିତୀୟ ଥର ମହାକାଶଯାତ୍ରା ପାଇଁଁ ମନୋନୀତ ହୋଇଥିଲେ । ଏଥର ସେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ଯାତ୍ରା କରିଥିଲେ । ମହାକାଶଯାନରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ବାହାରିବାରୁ ଏହି ମହାକାଶଯାତ୍ରାରେ ବାରମ୍ବାର ବିଳମ୍ବ ହୋଇଥିଲା । ୨୦୦୨ ମସିହା ଜୁଲାଇ ମାସରେ ଉକ୍ତ ମହାକାଶଯାନଟିର ଇଞ୍ଜିନ୍ରେ ଏକ ଫାଟ ମଧ୍ୟ ଆବିଷ୍କାର କରାଯାଇଥିଲା । ଶେଷରେ ୨୦୦୩ ମସିହା ଜାନୁୟାରୀ ମାସ ୧୬ ତାରିଖରେ କଳ୍ପନା କଲମ୍ବିଆ ମହାକାଶଯାନ (Space Shuttle Columbia)ରେ ଏସ୍.ଟି.ଏସ୍.-୧୦୭ (STS-107) ମିଶନ୍ ପାଇଁ ମହାକାଶକୁ ଯାତ୍ରା କରିଥିଲେ । କିନ୍ତୁ ଏହି ମିଶନ୍ଟି ତାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା । ଏହି ମିଶନ୍ରେ ମାଇକ୍ରୋ-ଗ୍ରାଭିଟି (micro-gravity) ଉପରେ ଗବେଷଣା କରିବାର ଦାୟିତ୍ୱ କଳ୍ପନାଙ୍କୁ ଦିଆଯାଇଥିଲା । ଏଥିପାଇଁ କଳ୍ପନା ଏବଂ ତାଙ୍କ ଦଳ ପୃଥିବୀ ତଥା ମହାକାଶ ବିଜ୍ଞାନ, ଯାନ୍ତ୍ରିକ ଉନ୍ନତି ଏବଂ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଭିତ୍ତି କରି ପ୍ରାୟ ୮୦ଟି ଗବେଷଣାତ୍ମକ ପରୀକ୍ଷା କରିଥିଲେ ।
ଚାୱଲା କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster)ରେ ମୃତ୍ୟୁବରଣ କରିଥିଲେ । ୨୦୦୩ ମସିହା ଫେବୃୟାରୀ ମାସ ୧ ତାରିଖ ଦିନ ଟେକ୍ସାଜ୍ ବିଶ୍ୱବିଦ୍ୟାଳୟର ଉପରିଭାଗରେ ପୃଥିବୀର ବାୟୁମଣ୍ଡଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ କଲମ୍ବିଆ ଯାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ସମସ୍ତ ସାତ ଜଣ ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦିନ ମହାକାଶଯାନଟି କେପ୍ କାନାଭେରାଲ୍ (Cape Canaveral)ଠାରେ ଅବତରିତ ହେବାର ଥିଲା । ଦୁର୍ଘଟଣା ସମୟରେ ଯାନଟି ପୃଥିବୀ ପୃଷ୍ଠରୁ ୨,୦୭,୧୩୫ ଫୁଟ ଉଚ୍ଚତାରେ ଥିଲା । କମ୍ପ୍ୟୁଟର୍ ତଥା ଟେଲିଭିଜନ ପର୍ଦ୍ଦାରେ ମହାକାଶଯାନଟି ଅତି କ୍ଷୁଦ୍ର ଦେଖାଯାଉଥିଲା । ଏହି ସମୟରେ ହଠାତ୍ ଜୋର୍ରେ ଶବ୍ଦ କରି ମହାକାଶଯାନଟି ଆକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ମହାକାଶଯାନଟି ପୃଥିବୀ ପୃଷ୍ଠରେ ଅବତରଣ କରିବାର ମାତ୍ର ଅଳ୍ପ କିଛି ସମୟ ପୂର୍ବରୁ ଏହି ଦୁର୍ଘଟଣାଟି ଘଟିବାରୁ ନାସାର ୨୮ତମ ମିଶନ୍ ଏସ୍.ଟି.ଏସ୍-୧୦୭ (STS-107) ଅସମ୍ପୂର୍ଣ୍ଣ ରହିଯାଇଥିଲା । ପୃଥିବୀ ପୃଷ୍ଠରେ ଅବତରଣ କରିବାର ମାତ୍ର ୧୬ ମିନିଟ୍ ପୂର୍ବରୁ ମହାକାଶଯାନଟିରେ ଏହି ଦୁର୍ଘଟଣା ଘଟିବାରୁ ସେହି ଯାନରେ ଥିବା କଳ୍ପନାଙ୍କ ସମେତ ଅନ୍ୟ ସବୁ ମହାକାଶଚାରୀ ଅସମୟରେ ମୃତ୍ୟୁବରଣ କରିଥିଲେ ।
କଳ୍ପନାଙ୍କ ମୃତ୍ୟୁ ପରେ ତାଙ୍କୁ ଦିଆଯାଇଥିବା ପୁରସ୍କାର ଗୁଡ଼ିକ ହେଉଛି:
This article uses material from the Wikipedia ଓଡ଼ିଆ article କଳ୍ପନା ଚାୱଲା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.