ନାଗାରହୋଳେ ଜାତୀୟ ଉଦ୍ୟାନ (ବା ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ) ଦକ୍ଷିଣ ଭାରତର କର୍ଣ୍ଣାଟକ ରାଜ୍ୟର କୋଡ଼ାଗୁ ଜିଲ୍ଲା ଓ ମହୀଶୂର ଜିଲ୍ଲାରେ ବ୍ୟାପ୍ତ ଏକ ଜାତୀୟ ଉଦ୍ୟାନ । ଏହାକୁ ଭାରତର ଶ୍ରେଷ୍ଠ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଗୋଟିଏ ବୋଲି ପରିଗଣିତ କରାଯାଏ । ନାଗାରହୋଳେ ଜାତୀୟ ଉଦ୍ୟାନକୁ ଲାଗି ବାନ୍ଦୀପୁର ଜାତୀୟ ଉଦ୍ୟାନ ରହିଛି ।
ନାଗାରହୋଳେ ଜାତୀୟ ଉଦ୍ୟାନ | |
---|---|
ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ନାଗାରହୋଳେ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଭାରତ ମାନଚିତ୍ରରେ ନାଗାରହୋଳେର ଅବସ୍ଥିତି | |
ଅବସ୍ଥାନ | କୋଡ଼ାଗୁ ଜିଲ୍ଲା ଓ ମହୀଶୂର ଜିଲ୍ଲା, କର୍ଣ୍ଣାଟକ, ଭାରତ |
ପାଖ ସହର | ମହୀଶୂର (୫୦ କିଲୋମିଟର୍) |
ଦିଗବାରେଣି | 12°03′36″N 76°09′04″E / 12.06000°N 76.15111°E |
କ୍ଷେତ୍ରଫଳ | ୬୪୨.୩୯ ବର୍ଗ କିଲୋମିଟର୍ |
ସ୍ଥାପିତ | ୧୯୮୮ |
ପରିଚାଳନା | କର୍ଣ୍ଣାଟକ ବନ ବିଭାଗ |
୧୯୯୯ ମସିହାରେ ନାଗାରହୋଳେ ଭାରତର ୩୭ତମ ବ୍ୟାଘ୍ର ଅଭୟାରଣ୍ୟ ହେବାର ଗୌରବ ଲାଭ କଲା । ଏହି ଅଭୟାରଣ୍ୟ ନୀଳଗିରି ସଂରକ୍ଷିତ ଜୈବମଣ୍ଡଳର ଏକ ଅଂଶ । ୬୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ଶାଖା ଓ ନାଗାରହୋଳେ ଜାତୀୟ ଉଦ୍ୟାନକୁ ୟୁନେସ୍କୋ ଏକ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମନୋନୀତ କରିବା ପାଇଁ ଚିନ୍ତା କରୁଥିଲା ।
ଜାତୀୟ ଉଦ୍ୟାନଟି ଘଞ୍ଚ ଜଙ୍ଗଲ, ଛୋଟବଡ଼ ନଦୀ ଝରଣା, ପାହାଡ଼, ଉପତ୍ୟକା ଓ ଜଳପ୍ରପାତ ଇତ୍ୟାଦିରେ ଶୋଭିତ । ମହାବଳ ବାଘ, ବନ୍ୟ ଗୟଳ, ହାତୀ ପରି ଅନେକ ଜୀବଙ୍କ ବାସସ୍ଥଳୀ ଏହି ଜଙ୍ଗଲରେ ଶିକାରୀ-ଶିକାର ଜନ୍ତୁଙ୍କ ସନ୍ତୁଳିତ ଅନୁପାତ ରହିଛି ।
ବ୍ରହ୍ମଗିରି ପାହାଡ଼ରୁ ଦକ୍ଷିଣକୁ କେରଳ ପର୍ଯ୍ୟନ୍ତ ରହିଥିବା ପଶ୍ଚିମଘାଟ ପର୍ବତଶ୍ରେଣୀର ପାଦଦେଶରେ ନାଗାରହୋଳେ ଜାତୀୟ ଉଦ୍ୟାନ ଅବସ୍ଥିତ । ୧୨°୧୫'୩୭.୬୯" ଉତ୍ତର ଅକ୍ଷାଂଶ ଓ ୭୬°୧୭'୩୪.୪" ପୂର୍ବ ଦ୍ରାଘିମାରେ ଅବସ୍ଥିତ ଏହି ଜାତୀୟ ଉଦ୍ୟାନ ୬୪୩ ବର୍ଗ କି.ମି. କ୍ଷେତ୍ରଫଳ ବିଶିଷ୍ଟ ଏବଂ ବାନ୍ଦୀପୁର ଜାତୀୟ ଉଦ୍ୟାନର ଉତ୍ତର-ପୂର୍ବକୁ ଅବସ୍ଥିତ । କବିନୀ ନଦୀ ଉପରେ ରହିଥିବା ବନ୍ଧର ଜଳାଶୟ ଏହି ଦୁଇ ଜାତୀୟ ଉଦ୍ୟାନକୁ ବିଭକ୍ତ କରୁଛି । ସମୁଦ୍ର ପତନରୁ ଜାତୀୟ ଉଦ୍ୟାନଟିର ଉଚ୍ଚତା ୬୮୭ ମିଟର୍ରୁ ୯୬୦ ମିଟର୍ । ମହୀଶୂର ସହରରୁ ଏହି ଜାତୀୟ ଉଦ୍ୟାନର ଦୂରତା ପ୍ରାୟ ୫୦ କିଲୋମିଟର୍ ଓ କର୍ଣ୍ଣାଟକର ରାଜଧାନୀ ବେଙ୍ଗଳୁରୁ ସହରରୁ ଏହି ଅଭୟାରଣ୍ୟର ଦୂରତା ୨୨୦ କି.ମି. (୧୩୭ ମାଇଲ୍)।
କର୍ଣ୍ଣାଟକର ନାଗାରହୋଳେ ଓ ବାନ୍ଦୀପୁର ଜାତୀୟ ଉଦ୍ୟାନ (୮୭୦ ବର୍ଗ କି.ମି.), ତାମିଲନାଡ଼ୁର ମୁଦୁମଲାଇ ଜାତୀୟ ଉଦ୍ୟାନ (୩୨୦ ବର୍ଗ କି.ମି.) ଓ କେରଳର ୱାୟନାଡ଼ ଜାତୀୟ ଉଦ୍ୟାନ (୩୪୪ ବର୍ଗ କି.ମି.) ମିଳିତ ଭାବେ ୨୧୮୩ ବର୍ଗ କି.ମି. ପରିମିତ ଅଞ୍ଚଳ ଦକ୍ଷିଣ ଭାରତର ସର୍ବବୃହତ୍ ସଂରକ୍ଷିତ ଜଙ୍ଗଲ ।
ନାଗାରା ଶବ୍ଦର ଅର୍ଥ ନାଗ ସାପ ଓ ହୋଳେ ଶବ୍ଦର ଅର୍ଥ ନଦୀ ବା ପ୍ରବହମାନ ସ୍ରୋତ । ନାଗାରହୋଳେ ନାମକ ନଦୀଟିଏ ସାପଭଳି ଏହି କ୍ରାନ୍ତୀୟ ଅରଣ୍ୟ ମଧ୍ୟଦେଇ ପ୍ରବାହିତ ହେଉଛି । ଏହି ନଦୀର ନାମରୁ ଜାତୀୟ ଉଦ୍ୟାନର ନାମ ଉଦ୍ଧୃତ । ଏହି ଜାତୀୟ ଉଦ୍ୟାନ ପୂର୍ବେ ମହୀଶୂର ରାଜ୍ୟରେ ରାଜୁତି କରୁଥିବା ୱାଡିଆର୍ ରାଜବଂଶର ରାଜାମାନଙ୍କ ଶିକାର କ୍ଷେତ୍ର ଥିଲା । ୧୯୫୫ ମସିହାରେ ଏହାକୁ ଏକ ଅଭୟାରଣ୍ୟ ମାନ୍ୟତା ପ୍ରାପ୍ତ ହେଲା ଓ ଏହାର ସଂରକ୍ଷିତ ଜଙ୍ଗଲ କ୍ଷେତ୍ରଫଳ ବଢ଼ାଇ ୬୪୩.୩୯ ବର୍ଗ କି.ମି. କରିଦିଆଗଲା । ୧୯୮୮ ମସିହାରେ ଏହାକୁ ଜାତୀୟ ଉଦ୍ୟାନ ବୋଲି ଘୋଷଣା କରାଗଲା ଓ ୧୯୯୯ ମସିହାରେ ଏହା ଏକ ବ୍ୟାଘ୍ର ଅଭୟାରଣ୍ୟ ରୂପେ ପରିଚିତ ହେଲା ।
ନାଗାରହୋଳେ ଜାତୀୟ ଉଦ୍ୟାନରେ ବାର୍ଷିକ ହାରାହାରି ୧୪୪୦ ମିଲିମିଟର୍ ବୃଷ୍ଟିପାତ ହୁଏ । ଲକ୍ଷ୍ମଣତୀର୍ଥ ନଦୀ, ସରାତି ନଦୀ, ନାଗାରହୋଳେ ନଦୀ, ବାଲେ ହାଳା, କବିନୀ ନଦୀ - ଏପରି ୪ଟି ଚିରସ୍ରୋତା ନଦୀ, ୪୭ଟି ବର୍ଷାଦିନିଆ ନଦୀ, ୪ଟି ହ୍ରଦ, ୪୧ଟି କୃତ୍ରିମ ଜଳାଶୟ, ଅନେକ ଛୋଟ ସନ୍ତସନ୍ତିଆ ଦଳପୂର୍ଣ୍ଣ ପୋଖରୀ, ତରାକ ବନ୍ଧ ଓ କବିନୀ ଜଳାଶୟ ଇତ୍ୟାଦି ଏହି ଜାତୀୟ ଉଦ୍ୟାନର ମୁଖ୍ୟ ଜଳଉତ୍ସ ।
ପଶ୍ଚିମଘାଟ ପର୍ବତମାଳାର ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ଉତ୍ତର ପଟରେ ମୁଖ୍ୟତଃ ଶାଗୁଆନ୍ ଓ ଦକ୍ଷିଣ ପଟେ ଶିଶୁ ଗଛ ଦେଖାଯାଏ । ପୂର୍ବ ପଟର କେନ୍ଦ୍ରୀୟ ଡେକାନ୍ ମାଳର ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟରେ ଇନ୍ଦ୍ରଯଅ ଓ ଆକାଶିଆ ଗଛ ଦେଖାଯାନ୍ତି । ସନ୍ତସନ୍ତିଆ ସ୍ଥାନରେ ୟୁଗିନିଆ ପ୍ରଜାତିର ବହୁ ଉଦ୍ଭିଦ ଦେଖିହେବ ।
ଶିଶୁ, ଶାଗୁଆନ୍, ଚନ୍ଦନ, ରୂପସୀ ଇତ୍ୟାଦି ଏଠାକାର ମୁଖ୍ୟ ଗଛ । ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲର ଅସନ, ସିଦ୍ଧେଶ୍ୱର ପୁଷ୍ପ, ଶାଳ, ଶିଶୁ, ଧାବଡ଼ା ଇତ୍ୟାଦି ବୃକ୍ଷ ବହୁମାତ୍ରାରେ ଦେଖାଯାନ୍ତି । କଦମ୍ବ, ତୁଳାଗଛ, କୁସୁମ, ଡିମିରି ଆଦି ଏଠାକାର ଅନ୍ୟ କିଛି ମୁଖ୍ୟ ଉଦ୍ଭିଦ ପ୍ରଜାତି ।
ଜଙ୍ଗଲର ଉଚ୍ଚ ଗଛମାନଙ୍କ ତଳେ ବାଙ୍କପଶିଆ, ଅଁଳା ଓ ଗମ୍ଭାରୀ (Gmelina arborea) ପରି ଗଛ, ଭେଜି-ବାଇଗଣ, ଶାଳପର୍ଣ୍ଣୀ, ମୁଡ଼ୁମୁଡ଼ିଆ, ଲାଣ୍ଟାନା ବୁଦା ପରି ବୁଦାଳିଆ ଗଛ ବଢ଼ିଥାନ୍ତି ।
ନାଗାରହୋଳେରେ ସୁନାରି ଗଛ, ପଳାଶଫୁଲ ଗଛ, ବାଁସ ପରି ସାଧାରଣ ବୃକ୍ଷ ମଧ୍ୟ ଦେଖିବାକୁ ମିଳେ ।
କର୍ଣ୍ଣାଟକ ରାଜ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ଏହି ଜାତୀୟ ଉଦ୍ୟାନର ଲକ୍ଷ୍ୟ ।
ନାଗାରହୋଳେରେ ଦେଖାଯାଉଥିବା ହିଂସ୍ର ମାଂସାସୀ ପ୍ରାଣୀଙ୍କ ମଧ୍ୟରେ ମହାବଳ ବାଘ, କଲରାପତରିଆ ବାଘ, ବଳିଆ କୁକୁର, ଭାଲୁ, ହେଟା ବାଘ ଇତ୍ୟାଦି ପ୍ରମୁଖ । ନାଗାରହୋଳେର ତୃଣଭୋଜୀ ସମାଜରେ ପ୍ରମୁଖ ଜୀବମାନ ହେଲେ ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ଚଉଶିଂଘା ହରିଣ, ବନ୍ୟ ଗୟଳ, ବାର୍ହା ଓ ହାତୀ । ନାଗାରହୋଳେ ଜାତୀୟ ଉଦ୍ୟାନରେ ଦକ୍ଷିଣ ଭାରତୀୟ ବନ୍ୟ ଗୟଳଙ୍କୁ ବହୁ ସଂଖ୍ୟାରେ ଦେଖିହେବ । ସୁନ୍ଦର ସବୁଜ ଜଙ୍ଗଲ ଓ ଘଞ୍ଚ ବାଉଁଶ ବୁଦାମାନ ରହିଥିବାରୁ ନାଗାରହୋଳେ ଜଙ୍ଗଲରେ ହାତୀ ବହୁସଂଖ୍ୟାରେ ଦୃଶ୍ୟମାନ ହୁଅନ୍ତି । ଦକ୍ଷିଣ ଭାରତୀୟ ଜଙ୍ଗଲରେ ହାତୀଙ୍କ ସଂଖ୍ୟା ପ୍ରାୟ ୬୫୦୦ ଅଟେ ଓ ତାହାର ଏକ ବଡ଼ ଅଂଶ ପଶ୍ଚିମଘାଟ ପର୍ବତକୁ ଲାଗି କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ବ୍ୟାପ୍ତ ଏହି ବିଶାଳ ଜଙ୍ଗଲମାନଙ୍କରେ ବସବାସ କରନ୍ତି । ନାଗାରହୋଳେରେ ଦେଖିବାକୁ ମିଳୁଥିବା ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରଜାତି ହେଲେ : ହନୁ ମାଙ୍କଡ଼, କଟାସ, ସ୍ଲେଣ୍ଡର୍ ଲୋରିସ୍ (Loris tadigradus), ବଣଭୁଆ, ନେଉଳ, ୟୁରୋପୀୟ ଓଧ, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ବୋନ୍ନେଟ୍ ମାଙ୍କଡ଼, ବଡ଼ ମାଲାବାର୍ ଗୁଣ୍ଡୁଚି ମୂଷା, ଝିଙ୍କ, ସୁବର୍ଣ୍ଣ ଶିଆଳ, ଠେକୁଆ, ବଜ୍ରକାପ୍ତା ଇତ୍ୟାଦି । ନାଗାରହୋଳେ ଜାତୀୟ ଉଦ୍ୟାନରେ ୨୫୦ରୁ ଅଧିକ ପ୍ରଜାତିର ପକ୍ଷୀ ବାସ କରନ୍ତି । କବିନୀ ନଦୀକୂଳରେ ପାଣିକୁକୁଡ଼ା ମଧ୍ୟ ଦେଖାଯାନ୍ତି । ବିଭିନ୍ନ ଶିକାରୀ ପକ୍ଷୀ, ଜଳବାସୀ ପକ୍ଷୀ ଓ ବୃକ୍ଷବାସୀ ପକ୍ଷୀ ଏଠାରେ ଦେଖିବାକୁ ମିଳନ୍ତି ।
ମହାବଳ ବାଘ, ବନ୍ୟ ଗୟଳ, ହାତୀ ଜାତୀୟ ଉଦ୍ୟାନରେ ବହୁ ସଂଖ୍ୟାରେ ଦୃଷ୍ଟିଗୋଚର ହୁଅନ୍ତି । ଡଃ କୋଟା ଉଲ୍ଲାସ କାରନ୍ଥଙ୍କଦ୍ୱାରା କରାଯାଇଥିବା ଏକ ଶୌଧ ଅନୁସାରେ ନାଗାରହୋଳେ ଜାତୀୟ ଉଦ୍ୟାନରେ ଉତ୍ତମ ଅନୁପାତରେ ମହାବଳ ବାଘ, କଲରାପତରିଆ ବାଘ ଓ ବଳିଆ କୁକୁର ଏହି ତିନି ମୁଖ୍ୟ ମାଂସାସୀ ଜୀବ ରହିଛନ୍ତି ।
ନାଗାରହୋଳେ ଜାତୀୟ ଉଦ୍ୟାନ ମଧ୍ୟରେ ସୁବର୍ଣ୍ଣ ଶିଆଳ, ପାଉଁଶିଆ ନେଉଳ, ଭାଲୁ, ହେଟା ବାଘ, ଚିତଲ୍ ହରିଣ, ସମ୍ବର ହରିଣ, କୁଟୁରା, ଚଉଶିଂଘା ହରିଣ ଓ ବାର୍ହା ମଧ୍ୟ ବହୁ ସଂଖ୍ୟାରେ ଦେଖାଯାନ୍ତି ।
ପାମ୍ ସିଭେଟ୍, ମାଟିଆ ନେଉଳ, ପଟାଦାଗ ନେଉଳ, ଭାରତୀୟ ଠେକୁଆ, କସ୍ତୁରୀ ମୃଗ, ଉଡ଼ନ୍ତା ଗୁଣ୍ଡୁଚି ମୂଷା, ଝିଙ୍କ, ହନୁ ମାଙ୍କଡ଼, ବଜ୍ରକାପ୍ତା ପରି ଅନ୍ୟ ସ୍ତନ୍ୟପାୟୀ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟାରେ ରହିଛନ୍ତି ।
ଏଠାରେ ଦେଖାଯାଉଥିବା ସରୀସୃପଙ୍କ ମଧ୍ୟରେ ଗୋମୁହାଁ କୁମ୍ଭୀର, ସାଧାରଣ ମୂଷାଖିଆ ସାପ, ଲାଉଡଙ୍କିଆ ସାପ (Ahaetulla nasutus), ରଣା ସାପ, ବାଉଁଶ ବୁଦା ବୋଡ଼ା ସାପ (Trimeresurus gramineus), ରସେଲ୍ ବୋଡ଼ା ସାପ (Daboia russellii), ଚିଟି ସାପ (Bangarus caeruleus), ଅଜଗର ସାପ (Python molurus), ଗୋଧି (Varanus bengalensis) ଓ ବ୍ରାହ୍ମଣୀ ବେଙ୍ଗ (Bufo melanostictus) ଇତ୍ୟାଦି ଉଲ୍ଲେଖଯୋଗ୍ୟ ।
ନାଗାରହୋଳେ ଜଙ୍ଗଲକୁ କର୍ଣ୍ଣାଟକର ଏକ ମହତ୍ତ୍ୱପୂର୍ଣ୍ଣ ପକ୍ଷୀ ଅଧିବାସ ରୂପେ ପରିଗଣିତ କରାଯାଏ । ଏଠାରେ ୨୭୦ରୁ ଅଧିକ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୁଅନ୍ତି । ବାୟୋମ୍-୧୦ (ଭାରତୀୟ ଉପମହାଦ୍ୱୀପ କ୍ରାନ୍ତୀୟ ଆର୍ଦ୍ର ଅରଣ୍ୟ)ର ୧୫ରୁ ୭ ଓ ବାୟୋମ୍-୧୧ (ଭାରତୀୟ-ମାଳୟ କ୍ରାନ୍ତୀୟ ଶୁଷ୍କ ବଳୟ)ର ୫୯ରୁ ୨୧ଟି ପକ୍ଷୀ ପ୍ରଜାତି ଏହି ଜଙ୍ଗଲରେ ଦେଖାଯାଇଛନ୍ତି ।
ନାଗାରହୋଳେରେ ଦେଖାଯାଉଥିବା କୀଟପତଙ୍ଗଙ୍କ ବିଷୟରେ ବିଭିନ୍ନ ଗବେଷଣା କରାଯାଇଛି । ନାଗାରହୋଳେ ଜାତୀୟ ଉଦ୍ୟାନ ମଧ୍ୟରେ ୯୬ ପ୍ରଜାତିର ଗୋବର ପୋକ ଓ ୬୦ ପ୍ରଜାତିର ପିମ୍ପୁଡ଼ି ଦେଖାଯାଇଛନ୍ତି । ଭାରତର ଏକ ବିରଳ ପିମ୍ପୁଡ଼ି ପ୍ରଜାତି ଡିଆଁମରା ପିମ୍ପୁଡ଼ି (Harpegnathos saltator) ନାଗାରହୋଳେରେ ଦେଖିବାକୁ ମିଳିଛି । ଉଡ଼ୁଥିବା ପୋକଙ୍କୁ ଖାଇବା ପାଇଁ ଏହି ପିମ୍ପୁଡ଼ି କିଛି ଇଞ୍ଚ୍ ଉଚ୍ଚ ପର୍ଯ୍ୟନ୍ତ ଡେଇଁପାରେ । ବିଭିନ୍ନ ବିରଳ ଓ ସାଧାରଣ ପ୍ରଜାତିର ଗୋବରା ପୋକ, ଊଈଖିଆ ପିମ୍ପୁଡ଼ି ପ୍ରଭୃତି କୀଟ ମଧ୍ୟ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ଦେଖିବାକୁ ମିଳିବ ।
ନାଗାରହୋଳେ ଜଙ୍ଗଲରେ ପ୍ରାଚୀନ ସମୟରୁ ଜେନୁ କୁରୁବା ଜନଜାତିର ଲୋକେ ରହିଆସୁଛନ୍ତି । କର୍ଣ୍ଣାଟକର ଏହି ପ୍ରଚୀନ ଜନଜାତି ଧୀରେ ଧୀରେ ନିଜ ପାରମ୍ପରିକ ଆଚାର, ସଂସ୍କୃତି ଓ ଜୀବନଯାପନରୁ ଆଧୁନିକୀକରଣ ଦିଗକୁ ଗତି କରୁଛି । ଏହି ଜନଜାତିର ଲୋକଙ୍କୁ ଜାତୀୟ ଉଦ୍ୟାନ ପରିସରରେ ପଶିବା ପାଇଁ ସରକାର ନିଷେଧାଦେଶ ଜାରୀ କରିଛନ୍ତି । ଏହାଦ୍ୱାରା ବନ୍ୟଜନ୍ତୁ ଓ ଉଦ୍ୟାନର ସଂରକ୍ଷଣ ଓ ଏହି ଜନଜାତି ମୁଖ୍ୟସ୍ରୋତର ଆଧୁନିକ ଲୋକଙ୍କ ସହିତ ମିଶିବା ଉଭୟ କାର୍ଯ୍ୟ ସମ୍ପାଦିତ ହୋଇପାରିବ ।
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ କର୍ଣ୍ଣାଟକର ଜେନୁ କୁରୁବା ଓ କୋରାଗା ଜାତିଙ୍କୁ ଆଦିମ ଜନଜାତିରେ ଅନ୍ତର୍ଭୁକ୍ତ କରିଛି । ଜେନୁ କୁରୁବା ଜାତିର ଲୋକେ ପାରମ୍ପରିକ ଭାବେ ଜଙ୍ଗଲରୁ ଖାଦ୍ୟ ଓ ମହୁ ସଂଗ୍ରହ କରୁଥିଲେ । କନ୍ନଡ଼ ଭାଷାରେ ଜେନୁ ଶବ୍ଦର ଅର୍ଥ ମହୁ ଓ କୁରୁବା ଶବ୍ଦର ଅର୍ଥ ମେଣ୍ଢା ଚରାଳୀ । କନ୍ନଡ଼ରେ କୁରି ଶବଦର ଅର୍ଥ ହେଲା ମେଣ୍ଢା । ସାମାନ୍ୟ ଗୋରୁ ଚରାଳୀଙ୍କୁ ମଧ୍ୟ କୁରୁବା କୁହାଯାଏ । ଏହି ଜନଜାତିର ଲୋକେ କନ୍ନଡ଼ରୁ ଉଦ୍ଧୃତ ଜେନୁ-ନୁଡ଼ି ନାମକ ଏକ ଭାଷାରେ ନିଜ ଜାତି ଲୋକଙ୍କ ସହିତ ଓ ବାହାରର ଲୋକଙ୍କ ସହିତ କନ୍ନଡ଼ ଭାଷାରେ କଥା ହୁଅନ୍ତି । ସେମାନେ କନ୍ନଡ଼ ଲିପିରେ ଲେଖନ୍ତି । ୧୯୮୧ ମସିହାର ଜନଗଣନା ଅନୁଯାୟୀ ଜେନୁ-କୁରୁବା ଜନଜାତିର ସର୍ବମୋଟ ଜନସଂଖ୍ୟା ୩୪୭୪୭, ଯେଉଁଥିରୁ ୧୭୮୬୭ ପୁରୁଷ ଓ ୧୬୮୮୦ ମହିଳା ।
ଅନ୍ୟ ଆଦିମ ଜନଜାତିଙ୍କ ପରି ଜେନୁ କୁରୁବା ଜନଜାତିର ଲୋକେ ମଧ୍ୟ ଜଙ୍ଗଲରେ ବିକ୍ଷିପ୍ତ ଭାବେ ରହନ୍ତି । ଗଛ ଚଢ଼ିବା, ଧନୁ-ତୀର-ବାଟୁଳି ଇତ୍ୟାଦି ସହାୟତାରେ ଶିକାର କରିବା ଇତ୍ୟାଦିରେ ଏମାନେ ପାରଙ୍ଗମ । ଜଙ୍ଗଲକୁ ସେମାନେ ମାତା ବା ଦେବୀ ବୋଲି ଭାବନ୍ତି ଓ ସେଥିପାଇଁ ଜଙ୍ଗଲ ସହିତ ସେମାନଙ୍କ ବିଶ୍ୱାସ, ଭାବର ନିବିଡ଼ ସମ୍ବନ୍ଧ ରହିଛି । ନିଜ ଖାଦ୍ୟ, ଲୁଗାପଟା, ପୂଜା, ଘର, ଔଷଧ, ଅସବାବପତ୍ର ପାଇଁ ଏମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ଏହି ଜନଜାତିର କିଛି ଲୋକ ଆଧୁନିକୀକରଣରୁ ଦୂରରେ ରହିବା ପସନ୍ଦ କରନ୍ତି, ତେଣୁ ଏବେ ମଧ୍ୟ ଜଙ୍ଗଲରେ କୁଡ଼ିଆ ଘର ତିଆରି କରି ସେଥିରେ ରହନ୍ତି ।
ଜେନୁ କୁରୁବା ଲୋକେ ନିଜ ଦୈନନ୍ଦିନ ଜୀବନ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ । ବହୁ କାଳରୁ ସହରୀ ସଭ୍ୟତାରୁ ଦୂରରେ, ଜଙ୍ଗଲ ମଧ୍ୟରେ ପ୍ରକୃତିର କୋଳରେ ସେମାନେ ରହି ଆସିଛନ୍ତି । ଜଙ୍ଗଲର ଜୀବଜନ୍ତୁ, ଗଛପତ୍ର, ଜଙ୍ଗଲରେ ଗମନାଗମନ ଇତ୍ୟାଦି ବିଷୟରେ ସେମାନଙ୍କର ଜ୍ଞାନ ରହିଛି । ମହୁ, ମହମ, ଚେରମୂଳ ଇତ୍ୟାଦି ସଂଗ୍ରହ କରନ୍ତି । ଏଗୁଡ଼ିକୁ ନେଇ ସେମାନେ ଜଙ୍ଗଲ ବାହାରେ ବୈଧ ଓ ଅବୈଧ ଉପାୟରେ ବିକ୍ରି ମଧ୍ୟ କରନ୍ତି । ଏପରି କାର୍ଯ୍ୟକଳାପ ବ୍ୟାଘ୍ର ସଂରକ୍ଷଣବାଦୀ ଓ ପ୍ରକୃତି ପ୍ରେମୀଙ୍କ ମହଲରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।
ଆଖପାଖରେ ରହୁଥିବା ବେଟ୍ଟା କୁରୁବା, କାଡ଼ୁ କୁରୁବା ଇତ୍ୟାଦି ଜନଜାତିଙ୍କ ସହିତ ଏମାନଙ୍କ ପାରମ୍ପରିକ ଚାଲିଚଳନର ଅନେକ ସାମଞ୍ଜସ୍ୟ ରହିଛି । ଏହି ଜନଜାତି ଜଙ୍ଗଲ ସଫା କରି ମାଣ୍ଡିଆ, ଚଣା, କାବୁଲି ବୁଟ, କାନ୍ଦୁଲ ଆଦି ଚାଷ କରିବା ମଧ୍ୟ ଦେଖାଯାଇଛି ।
ସାମ୍ପ୍ରତିକ ସମୟରେ ପର୍ଯ୍ୟଟନର ଦ୍ରୁତ ବିକାଶ ଓ ବ୍ୟବସାୟୀକରଣ ହେଉଥିବାରୁ ଏହି ଜନଜାତିର ଲୋକେ ପୁରାତନ ଜୀବନଧାରଣ ପ୍ରଣାଳୀ ପରିତ୍ୟାଗ କରିଛନ୍ତି । କେତେକ ପଶୁପକ୍ଷୀଙ୍କ ଅବୈଧ ଶିକାରରେ ଲିପ୍ତ ଅଛନ୍ତି । ବନ ବିଭାଗଦ୍ୱାରା ନିଷିଦ୍ଧ ଓ ନିୟନ୍ତ୍ରିତ ଔଷଧିଗଛ ଓ ଗୁଳ୍ମ ବିକ୍ରି ମଧ୍ୟ କରୁଛନ୍ତି । ଅବୈଧ ଶିକାରୀଙ୍କୁ ବଣ ଭିତରକୁ ନେଇ ଯାଉଛନ୍ତି ଓ ସାଧାରଣ ଲୋକଙ୍କୁ ଜୀବିତ ମୃତ ପଶୁପକ୍ଷୀ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି । ଫଳରେ ଆଇନ୍ ରକ୍ଷାକାରୀ ସରକାରୀ ବିଭାଗ ସହିତ ସର୍ବଦା ଏକ ଚାପା ଉତ୍ତେଜନା ଓ ସଂଘର୍ଷ ଲାଗି ରହିଥାଏ । ଏମାନଙ୍କ ସ୍ଥାନାନ୍ତରଣ, ଥଇଥାନଦ୍ୱାରା ଏ ସବୁ ସମସ୍ୟାର ସମାଧାନ ମିଳିପାରିବ ତଥା ପ୍ରକୃତିର ସଂରକ୍ଷଣ ହୋଇପାରିବ । ଜଙ୍ଗଲରେ ରାସ୍ତା ଓ ପଶୁପକ୍ଷୀଙ୍କ ବିଚରଣ ସ୍ଥାନ ଜାଣିବାରେ ଏମାନଙ୍କଠାରୁ ଭଲ ଜ୍ଞାନ ଆଉ କାହାରି ନାହିଁ । ତେଣୁ ଅବୈଧ ଶିକାରୀଙ୍କ ନିକଟରୁ ପଇସା ନେଇ ବନ ବିଭାଗର ଅଜାଣତରେ ଏମାନେ ସାହାଯ୍ୟ କରିବାରୁ ଅବୈଧ ଶିକାର ବୃଦ୍ଧି ପାଇଥାଏ ।
ଗତ ଦଶନ୍ଧିରେ ସରକାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ପକ୍ଷରୁ ଜଙ୍ଗଲରୁ ବାହାରକୁ ଏମାନଙ୍କ ସ୍ଥାନାନ୍ତରଣ ଓ ଥଇଥାନ ପାଇଁ ଅନେକ ପଦକ୍ଷେପ ନିଆ ଯାଇଛି । ବାଘ ଓ ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେବାକୁ ପଡ଼ିଛି । ବଣରେ ରହୁଥିବା ଜନଜାତି ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତିତ ହେଉଥିବାରୁ (ପ୍ଲାଷ୍ଟିକ୍, ବୈଦ୍ୟୁତିକ ଉପକରଣ ଇତ୍ୟାଦିର ବ୍ୟବହାର) ବାଘ ଓ ହାତୀଙ୍କ ଜୀବନ ତଥା ଅଧିବାସ ପ୍ରତି ବିପଦ ସୃଷ୍ଟି ହେଉଛି ।
ବହୁ ସମୟରୁ ରହି ଆସୁଥିବା ବୁଢ଼ା ଆଦିମ ଜନଜାତି ଲୋକେ ସ୍ଥାନାନ୍ତରଣ ପାଇଁ ମଙ୍ଗୁ ନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରିବା କାଠିକର ପାଠ । କିନ୍ତୁ ଗତ କିଛି ବର୍ଷରେ ଏଥିରେ କିଛି ସଫଳତା ମିଳିଛି । ଅନେକ ସ୍କୁଲ, ଚିକିତ୍ସାଳୟ, ସଡ଼କ, ଆଲୋକ ବ୍ୟବସ୍ଥା କରାଯିବା ଫଳରେ ଆଦିବାସୀଙ୍କ ମଧ୍ୟରୁ କିଛି ଲୋକ ନୂତନ ବାସସ୍ଥାନ ପ୍ରତି ଆକୃଷ୍ଟ ହେଉଛନ୍ତି ।
ନାଗାରହୋଳେ ଜଙ୍ଗଲର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକ ହେଲେ ଡୋଡା ବୈରାନ୍ କୁପ୍ପେ, ମଚୁର୍, କାରାପୁର, ନିଶାନ ବେଲାଥୁର, ହେମ୍ମାନକେଟ୍ଟେ, ଦୋମନ୍ନାକାଟେଟେ, ଲକ୍ଷ୍ମୀପୁର ଓ ଅନ୍ତରସାନ୍ତେ ଇତ୍ୟାଦି ।
କର୍ଣ୍ଣାଟକ ଜଙ୍ଗଲ କ୍ୟାମ୍ପ୍ ନାଗାରହୋଳେ ଜଙ୍ଗଲ ମଧ୍ୟରେ ବାଲେ ହାତୀ ଶିବିର ସେବା ଆରମ୍ଭ କରିଥିଲା । କେରଳ ଓ କର୍ଣ୍ଣାଟକ ସୀମା ମଧ୍ୟରେ ଥିବା ଜଙ୍ଗଲରେ ଏହି ହାତୀ ଶିବିର ରହିଛି ।
ଜଙ୍ଗଲରୁ ଚନ୍ଦନ କାଠ ଓ ଶାଗୁଆନ୍ କାଠ କଟାଯାଇ ଏମାନଙ୍କ ତସ୍କରୀ ଓ ଚୋରାଚାଲଣ ହେଉଥିବାରୁ ଏହା ନାଗାରହୋଳେ ପ୍ରତି ଏକ ବିରାଟ ବିପଦ । କାଠ ଓ ଚନ୍ଦନ କାଠର ଚୋରା ବ୍ୟବସାୟ ବହୁମାତ୍ରାରେ ହେବା ଜଣାପଡ଼ିଛି । କୋଳିହାଡ଼ି, ଭଦ୍ଦରା ମୋଡ଼ୁ, ବୀରହୋସନହଲ୍ଲିର ତଟ୍ଟିକେରେ ଓ କଳାହଲ୍ଲିର ମେତ୍ତିଉପେ ଆଦି ସ୍ଥାନରୁ ଗଛ କଟାଯିବା ଦେଖାଯାଇଥିଲା । ଆରେକାଟ୍ଟି, ବଦ୍ରିକଟ୍ଟେ, ବିଦୂରୁକଟ୍ଟେ, ବୀରନ ହୋସାହଲ୍ଲି, ମାରିଗୋଡ଼ୁ ଆଦି ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ମଧ୍ୟ ଗଛ କାଟିବା ପରିଲକ୍ଷିତ ହୋଇଥିଲା । ୨୦୦୨ ଜୁଲାଇ ମାସରେ ବୀରନହୋସାହଲ୍ଲିସ୍ଥିତ ସଂରକ୍ଷିତ ଜଙ୍ଗଲରେ ଶହ ଶହ ଗଛ କଟା ହୋଇଥିଲା । କୋଡ଼ାଗୁ ଏକୀକରଣ ରଙ୍ଗା, ବୁଦାକଟ୍ଟୁ କୃଷିକର ସଂଘ ଓ ବୁଦାକଟ୍ଟୁ ହକ୍କୁ ସ୍ଥାପନା ସମିତି ପରି ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଏପରି ଗଛ କଟା ରୋକିବା ପାଇଁ ଚେଷ୍ଟା କରି ଆସୁଛନ୍ତି ।
ବଣ ପାଖାପାଖି ରହୁଥିବା ଗୋରୁ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଇଛି । ୨୦୦୫ ମସିହା ସେପ୍ଟେମ୍ବର ମାସରେ ଜଳାତଙ୍କ (Rabies) ପରି ରୋଗ ଲାଗି ଧରିବାରୁ ଅନ୍ତରସନ୍ତେ ବନଖଣ୍ଡ ନିକଟସ୍ଥ ଜି. ଏମ୍. ହଲ୍ଲି ଗ୍ରାମରେ ୪ଟି ଗୋରୁ ପ୍ରାଣ ହରାଇଥିଲେ ଓ ୨୫-୩୦ ଗୋରୁ ଆକ୍ରାନ୍ତ ହୋଇଥିଲେ ।
ବନ୍ୟଜନ୍ତୁଙ୍କ ଅବୈଧ ଶିକାର ଏକ ବିରାଟ ସମସ୍ୟା । ୧୯୯୧-୯୨ ଓ ୨୦୦୪-୦୫ ମସିହାରେ ହାତୀଙ୍କ ଅବୈଧ ଶିକାର ଯୋଗୁଁ ପ୍ରାୟ ୧୦୦ ହାତୀ ଜୀବନ ହରାଇଥିଲେ । କୋଡ଼ାଗୁ ଓ ହୁନ୍ସୁର୍ ବନଖଣ୍ଡରେ ଏହା ଘଟିଥିଲା । ହାତୀଦାନ୍ତ ପାଇଁ ବହୁ କାଳରୁ ହାତୀମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ୱାଇଲ୍ଡଲାଇଫ୍ ଫଷ୍ଟ୍! ନାମକ ଏକ ସଂସ୍ଥାଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼େ ଯେ ଜାନୁଆରୀ ୨୦୦୦ରୁ ଡିସେମ୍ବର୍ ୨୦୦୨ ମଧ୍ୟରେ ୭୭ଟି ହାତୀଙ୍କୁ ମରାଯାଇଥିଲା । INCERT (Institute for Natural Resources, Conservation, Education, Research and Training) ସଂସ୍ଥାର ସର୍ବେକ୍ଷଣ ଅନୁସାରେ ୨୦୦୨ ମସିହା ଆରମ୍ଭରେ ୭ଟି ହାତୀଙ୍କୁ ମାରିଦିଆ ଯାଇଥିଲା ।
୧୯୯୬-୧୯୯୭ ମସିହାରେ ଡଃ କୋଟା ଉଲ୍ଲାସ କାରନ୍ଥ ଓ ମଧୁସୂଦନ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ କୁଦ୍ରେମୁଖ ଓ ନାଗାରହୋଳେରେ ବନ୍ୟଜନ୍ତୁଙ୍କ ଶିକାର ସବୁଠାରୁ ବଡ଼ ବ୍ୟାଧି । ୪୯ ସକ୍ରିୟ, ୧୯ ଅବସରପ୍ରାପ୍ତ ଶିକାରୀଙ୍କଠାରୁ ସଂଗୃହୀତ ତଥ୍ୟାନୁସାରେ ୨୬ଟି ପ୍ରଜାତିର ଜୀବଙ୍କ ବହୁଳ ଶିକାର କରାଯାଉଥିଲା । ସେଥିରୁ ୪୮% ଶିକାର କେବଳ ରୋମାଞ୍ଚ ଓ ଆମୋଦ ପାଇଁ କରାଯାଉଥିଲା । ଏହି ସର୍ବେକ୍ଷଣରୁ ଆହୁରି ଜଣା ପଡ଼ିଲା ଯେ ନାଗାରହୋଳେରେ ୧ କି.ଗ୍ରା.ରୁ ଉର୍ଦ୍ଧ୍ୱ ଓଜନର ୧୬ଟି ସ୍ତନ୍ୟପାୟୀ ପ୍ରଜାତି ଜନ୍ତାରେ ପଡ଼ି ବା ବନ୍ଧୁକର ଗୁଳିମୁନରେ ପ୍ରାଣ ହରାଉଥିଲେ ।
ବ୍ୟାଘ୍ର ପ୍ରକଳ୍ପର ପରିଚାଳନା ସମିତି ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଜାତୀୟ ଉଦ୍ୟାନର ପ୍ରହରୀମାନଙ୍କ ମଧ୍ୟରୁ କେବଳ ୨୫% କର୍ମଚାରୀ ଦୈନିକ ନିରୀକ୍ଷଣ କାର୍ଯ୍ୟରେ ଯୋଗଦାନ କରୁଥିଲେ । ଫଳରେ ଚୋରା କାଠ ଚାଲଣ, ଗଛ କଟା, ଅବୈଧ ଶିକାର ଇତ୍ୟାଦି ଉପରେ ଅଙ୍କୁଶ ଲଗାଇବା କଷ୍ଟକର ହେଉଥିଲା । ଉଭୟ ବାନ୍ଦୀପୁର ଓ ନାଗାରହୋଳେ ଜଙ୍ଗଲର ବନ କର୍ମଚାରୀଙ୍କୁ ପ୍ରତି ମାସ ଦରମା ନ ମିଳିବାରୁ ସେମାନେ ନିଜ ଦାୟିତ୍ୱ ପ୍ରତି ବିମୁଖ ହେବା ଏହାର ମୁଖ୍ୟ କାରଣ ଥିଲା । ବ୍ୟାଘ୍ର ପ୍ରକଳ୍ପ ପାଇଁ ଆସୁଥିବା ଅର୍ଥ ସଠିକ୍ ରୂପେ ଖର୍ଚ୍ଚ ହେଉନଥିଲା ।
୨୦୧୨ ମସିହା ଜାନୁଆରୀ ମାସରେ ନାଗାରହୋଳେରେ ଏକ ଭୟଙ୍କର ବଣନିଆଁ ଲାଗିବାରୁ ୬୦୦୦ ହେକ୍ଟର୍ ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଥିଲା । ବିରାଟ ବିରାଟ ଗଛ କାଠ ଖୁଣ୍ଟରେ ପରିଣତ ହେଲା । ଏକଦା ସବୁଜିମା ମଣ୍ଡିତ ଏହି ଆର୍ଦ୍ର ପର୍ଣ୍ଣମୋଚୀ ଅରଣ୍ୟର ଅବଶେଷରେ ବହୁ ସାପ, ଗୋଧି, ବଡ଼ ମାଲାବାର୍ ଗୁଣ୍ଡୁଚି ମୂଷା, ଇତ୍ୟାଦି ପ୍ରାଣୀଙ୍କ ପୋଡ଼ା ଶରୀର ଏଠିସେଠି ପଡ଼ିରହିଥିବା ଦେଖାଗଲା ।
ବଣନିଆଁ ଓ ଗ୍ରୀଷ୍ମକାଳୀନ ମରୁଡ଼ି, ଜଳାଭାବ ଯୋଗୁଁ ବହୁ ପ୍ରାଣୀ ନିଜ ଅଧିବାସ ଛାଡ଼ି ଅନ୍ୟ ସବୁଜ ଅରଣ୍ୟକୁ ପଳାଇବାକୁ ବାଧ୍ୟ ହୁଅନ୍ତି ।
ବେଳେବେଳେ ହାତୀ ଓ ଅନ୍ୟ ବନ୍ୟଜନ୍ତୁ କୃଷିକ୍ଷେତ୍ର ଆଡ଼କୁ ପଶିଆସନ୍ତି ଓ ଫସଲ ଖାଇଯାନ୍ତି । ଲୋକେ ଏହାର ପ୍ରତିବାଦରେ ବହୁ ପନ୍ଥା ଆପଣାନ୍ତି ଯାହା ବନ୍ୟଜନ୍ତୁଙ୍କ ପାଇଁ ବିପଜ୍ଜନକ । ଚାଷଜମିରୁ ହାତୀଙ୍କୁ ଦୂରରେ ରଖିବା ପାଇଁ ୨୦୦୧ ମସିହାରେ କର୍ଣ୍ଣାଟକ ସରକାର ୨ କୋଟି ଟଙ୍କା ବ୍ୟୟରେ ଖାଇ ଓ ସୌରଶକ୍ତିଚାଳିତ ବାଡ଼ ଇତ୍ୟାଦିର ବ୍ୟବସ୍ଥା କରିଥିଲେ ।
ତାଜ ହୋଟେଲ୍ ଗ୍ରୁପ୍ ନାଗାରହୋଳେରେ ଗେଟ୍ୱେ ଟସ୍କର୍ ଲଜ୍ ନାମକ ଏକ ବିଳାଶପୂର୍ଣ୍ଣ ରିସୋର୍ଟ୍ ନିର୍ମାଣ କରିବାର ଯୋଜନା କରିଥିଲା । ୧୯୯୭ ମସିହାରେ ନାଗାରହୋଳେର ଆଦିବାସୀଙ୍କ ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରି ବିଜୟ ଲାଭ କଲେ ଓ ତାଜ୍ ଗ୍ରୁପ୍ର ନିର୍ମାଣ କାର୍ଯ୍ୟ ବନ୍ଦ କରାଇଲେ । ଜାତୀୟ ଉଦ୍ୟାନ ମଧ୍ୟରେ ୧୨୫ଟି ଆଦିବାସୀ ଗାଁ ରହିଥିବାରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (ଯଥା – LIFT, CORD, DEED, FEDINA-VIKASA, ନାଗାରହୋଳେ ବୁଦାକଟ୍ଟୁ ଜନାରା ହକ୍କୁସ୍ଥାପନା ସମିତି) ଏଠାକାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସବୁବେଳେ କାର୍ଯ୍ୟରତ । ୨୦୦୦ ମସିହାରେ ବିଶ୍ୱ ବ୍ୟାଙ୍କ୍ ସହାୟତାରେ ୫୦ ଜଣ ଆଦିବାସୀଙ୍କୁ ଥଇଥାନ କରିବାର ପ୍ରଚେଷ୍ଟା ଆରମ୍ଭ ହୋଇଥିଲା । ସ୍ଥାନାନ୍ତରିତ ଆଦିବାସୀମାନଙ୍କୁ ବୀରନହୋସାହଲ୍ଲି ଗାଁ ନିକଟରେ ୫ ଏକର ଜମି ଓ ନୂଆ ଘର ଯୋଗାଇ ଦିଆଗଲା । ୧୫.୫ କୋଟି ବ୍ୟୟରେ ପ୍ରାୟ ୧୫୦୦ଟି ଆଦିବାସୀ ପରିବାରଙ୍କ ଥଇଥାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା କରିଛନ୍ତି ।
This article uses material from the Wikipedia ଓଡ଼ିଆ article ନାଗାରହୋଳେ ଜାତୀୟ ଉଦ୍ୟାନ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.