ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜ | |
---|---|
ଜନ୍ମ | ୨୭ ସେପ୍ଟେମ୍ବର ୧୮୭୪ ସିଦ୍ଦେଶ୍ୱରପୁର |
ମୃତ୍ୟୁ | ୧୬ ମଇ ୧୯୪୫(୭୦ ବର୍ଷ ବୟସରେ) |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଗପ ଓ ପ୍ରବନ୍ଧ ରଚନା, ଓକିଲାତି |
ପ୍ରସିଦ୍ଧି | ଭାଷାବିଦ, ଲେଖକ ଓ ବାରିଷ୍ଟର |
ବୈବାହିକ-ସାଥୀ | ମୁକ୍ତାମଣି |
ଗୋପାଳ ଚନ୍ଦ୍ର ପ୍ରହରାଜ ୧୮୭୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଗ୍ରାମରେ ଏକ ଧନୀ ବ୍ରାହ୍ମଣ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ ।
ସେ ରେଭେନ୍ସା କଲିଜେଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ପରବର୍ତ୍ତୀ ସମୟରେ କଟକର ସେ ରେଭେନ୍ସା ମହାବିଦ୍ୟାଳୟରୁ କଳା ବିଭାଗରେ ଅଧ୍ୟୟନ କରିଥିଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଓକିଲାତି ଅଧ୍ୟୟନ କରିଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜ ମୁକ୍ତାମଣିଙ୍କୁ ବିବାହ କରିଥିଲେ । ଉଭୟ ଦମ୍ପତ୍ତିଙ୍କର ଚନ୍ଦ୍ରଶେଖର ନାମରେ ଜଣେ ବଡ଼ ପୁଅ ଓ ଲାବଣ୍ୟବତୀ ନାମରେ ଜଣେ ଝିଅ ହୋଇଥିଲେ । ବିବାହର କିଛି ବର୍ଷ ପରେ ୧୯୨୭ରେ ମୁକ୍ତାମଣି ପୁଅ ଚନ୍ଦ୍ରଶେଖରଙ୍କୁ ଧରି ତାଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲେ ଓ ନିଜ ଗାଁ ସିଦ୍ଧେଶ୍ୱରପୁରରେ ରହୁଥିଲେ । ମୁକ୍ତାମଣିଙ୍କଠାରୁ ଅଲଗା ହୋଇ ସେ ନିଜ ବିଧବା ଶାଳୀ ପୀତାମ୍ବରୀ ଦେବୀଙ୍କ ସହ କଟକରେ ରହୁଥିଲେ । କଟକରେ ସେ ରହୁଥିବା ସ୍ଥାନ ଏବେ "ଭାଷାକୋଷ ଲେନ୍" ଭାବରେ ପରିଚିତ ।
ସେ ୧୯୦୨ ମସିହାରେ ଓକିଲ ହୋଇଥିଲେ ଓ ମଧୁସୂଦନ ଦାସଙ୍କ ଅଧୀନରେ ଓକିଲାତି ବ୍ୟବସାୟ କରୁଥିଲେ । ସେ ସରକାରୀ ଓକିଲ ହିସାବରେ ମଧ୍ୟ କାମ କରିଥିଲେ । ବ୍ୟବସାୟ ବହୁତ ଭଲ ଚାଲିଥିଲା ଓ ରୋଜଗାର ଭଲ ହେଉଥିଲା ।
ପ୍ରହରାଜ ୧୯୪୫ ମସିହା ମେ ୧୬ତାରିଖରେ ବିଷ ମିଶା ଦୁଧ ପାନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ପ୍ରହରାଜ ୧୯୦୧ ମସିହାରେ ଉତ୍କଳ ସାହିତ୍ୟ ପତ୍ରିକାରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଶୀର୍ଷକରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଏହା ହେଉଛି ତାଙ୍କର ପ୍ରଥମ କରି ପ୍ରକାଶିତ ହୋଇଥିବା ଲେଖା । ତାଙ୍କର ଲିଖନଶୈଳୀ ଫକୀର ମୋହନ ସେନାପତିଙ୍କଦ୍ୱାରା ପ୍ରଭାବିତ । ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କ ଲେଖାରେ ଓଡ଼ିଶାର ଅପଭ୍ରଂଶିତ ଭାଷା ସହିତ ହିନ୍ଦୁସ୍ଥାନୀ, ପାରସୀ, ଇଂରାଜୀ, ସଂସ୍କୃତ ଏବଂ ଅନେକ ଭାଷାର ମିଶ୍ରଣ ଦେଖିବାକୁ ମିଳେ । ଜୀବନର ଶେଷ ଯାଏ ଭିନ୍ନ ଶୀର୍ଷକ ଥାଇ ସେ ଅନେକ କଷ୍ଟକର ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ଲେଖିଥିଲେ ।
ଗୋପାଳ ଚନ୍ଦ୍ର ପ୍ରହରାଜ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ମୁଖ୍ୟ ସଂକଳକ ଥିଲେ । ଏହାର ସଂକଳନ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ୩୦ ବର୍ଷ ସମୟ ଲାଗିଥିଲା ଓ ତାଙ୍କର ସଞ୍ଚିତ ସମସ୍ତ ଅର୍ଥ ଏହାର ପ୍ରସ୍ତୁତିରେ ଖର୍ଚ୍ଚ ହୋଇଯାଇଥିଲା ।
This article uses material from the Wikipedia ଓଡ଼ିଆ article ଗୋପାଳ ଚନ୍ଦ୍ର ପ୍ରହରାଜ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.