ପୀତାମ୍ବରୀ ଦେବୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଓ ବିଶ୍ୱକୋଷକାର ଥିଲେ । ସେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସହସଂକଳିକା ଥିଲେ । ଏହା ବ୍ୟତୀତ ସେ କାନ୍ତରା ବାବୁ, ବାଇଦାସଙ୍କ ଭଜନ, ଉତ୍କଳ କାହାଣୀ ଦ୍ୱିତୀୟ ଭାଗ, ଢଗ ଢମାଳୀ ବଚନ ପ୍ରଥମ ଓ ଦ୍ୱିତୀୟ ଭାଗ, ଛାନ୍ଦ କଞ୍ଚନବତୀ ଆଦି ପୁସ୍ତକ ରଚନା କରିଥିଲେ । ସେ କେତୋଟି ଭଜନ, ଶିଶୁଗୀତ ଏବଂ କୋଇଲୀ, ହଳଦୀବସନ୍ତ ଆଦି ଗୀତ ମଧ୍ୟ ଲେଖିଥିଲେ ।
ପୀତାମ୍ବରୀ ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ ଜିଲ୍ଲା | ୧୨ ଜୁନ ୧୯୦୪
ବୃତ୍ତି | ଲେଖିକା, ବିଶ୍ୱକୋଷ ସଂକଳିକା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, କାନ୍ତାର ବାବୁ |
ପୀତାମ୍ବରୀ ଦେବୀ ଓଡ଼ିଶାର ପୁରୀ ଜିଲ୍ଲାରେ ୧୯୦୪ ମସିହା ଜୁନ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତତ୍କାଳୀନ ସମାଜର ବାଲ୍ୟବିବାହ ଅନୁସାରେ ସେ ବିବାହ କରିଥିଲେ । ତାଙ୍କ ବିବାହର କିଛି ବର୍ଷ ପରେ ୧୯୧୯ ମସିହା ଜୁଲାଇ ୮ ତାରିଖରେ ତାଙ୍କ ସହଧର୍ମୀଙ୍କ ଦେହାନ୍ତ ହୋଇଯାଇଥିଲା ଓ ସେ "ବାଲ୍ୟବିଧବା" (ଉକ୍ତ ସମୟରେ ପ୍ରଚଳିତ ଶବ୍ଦ) ହୋଇଯାଇଥିଲେ । ଦେବୀଙ୍କ ସାନଭଉଣୀ ମୁକ୍ତାମଣି "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ମୁଖ୍ୟ ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ବିବାହ କରିଥିଲେ । ମୁକ୍ତାମଣିଙ୍କଠାରୁ ଅଲଗା ହେବା ପରେ ପ୍ରହରାଜ ତାଙ୍କ ସହ ତାଙ୍କ କଟକସ୍ଥିତ ବସାରେ ରହୁଥିଲେ । ଦୁହେଁ ବିଧିବଦ୍ଧ ଭାବେ ବିବାହ କରିନଥିଲେ ମଧ୍ୟ ପତି-ପତ୍ନୀ ଭାବେ ୧୯୨୦ ମସିହାରୁ ୧୯୪୫ ମସିହାରେ ପ୍ରହରାଜଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହୁଥିଲେ । ଏହି ସମୟରେ ସେ ପ୍ରହରାଜଙ୍କ ସମସ୍ତ ଖର୍ଚ୍ଚ ବହନ କରୁଥିଲେ ।
"ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ସଂକଳନ ନିମନ୍ତେ ଶବ୍ଦସଂଗ୍ରହ, ସଂଶୋଧନ ଆଦି କାମରେ ସେ ୧୯୧୯ ମସିହାରୁ ୨୧ରୁ ଅଧିକ ବର୍ଷ ଧରି ଦାୟିତ୍ୱ ନିର୍ବାହ କରିଥିଲେ । ସେ ଗାଆଁ ଗଣ୍ଡାର ଅଶିକ୍ଷିତ ଲୋକମାନଙ୍କଠାରୁ ଅନେକ ଗାଉଁଲି ଶବ୍ଦ ଭାଷାକୋଷର ପାଣ୍ଠୁଲିପି ପାଇଁ ସଂଗ୍ରହ କରିଆଣିଥିଲେ | ତାଙ୍କ ରଚିତ କାନ୍ତରା ବାବୁ ପୁସ୍ତକର ଅବତାରଣାରେ କୁଳମଣି ଦାଶ ଲେଖିଥିଲେ, "ପୁସ୍ତକର ଭାଷା ସମ୍ବନ୍ଧରେ ମୁଁ ଏତିକି କହିପାରେଁ ଯେ, ଏହା ସର୍ବଥା କୃତ୍ରିମତା ଦୋଷମୁକ୍ତ । ଯେଉଁ ଭାଷାରେ ପୁରୀ ଅଞ୍ଚଳରେ ସ୍ତ୍ରୀମାନେ ସାଧାରଣତଃ କଥାଭାଷା କରନ୍ତି ଓ ପରସ୍ପର ମଧ୍ୟରେ ଭାବ ଆଦାନପ୍ରଦାନ କରନ୍ତି ଏହା ଠିକ ସେହି ଭାଷା । ନାନା ବୈଦେଶିକ ପ୍ରଭାବରୁ ସ୍ତ୍ରୀମହଲରେ ଭାଷାରେ ମଧ୍ୟ କୃତ୍ରିମତା ପଶିଅଛି; କିନ୍ତୁ ଲେଖିକା ସଥାସମ୍ବବ ସେଥିରୁ ନିଜ ଲେଖାକୁ ଦୋଷମୁକ୍ତକରିପାରିଅଛନ୍ତି, ଏହାହିଁ ତାଙ୍କର ବିଶେଷତ୍ୱ । ଓଡ଼ିଆରେ ଶ୍ରୀମତୀ କୁନ୍ତଳା କୁମାରୀଙ୍କ ବ୍ୟତୀତ ଅନ୍ଯ କେହି ଏଭଳି ଭାଷାରେ ଲେଖିଥିବା ବହି ଏପର୍ଯ୍ୟନ୍ତ ମୋ ଆଖିରେ ପଡ଼ିନାହିଁ ।"
ସେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂକଳନ ନିମନ୍ତେ ୨୧ ବର୍ଷ ଧରି ଶବ୍ଦ ସଂଗ୍ରହ ଓ ସଂଶୋଧନ କାର୍ଯ୍ୟ କରିଥିଲେ । ଏଥିରେ ସେ ପ୍ରହରାଜଙ୍କ ବିଶେଷ ଭାବେ ସହଯୋଗ କରିଥିଲେ । ପାଞ୍ଚ ବର୍ଷ ମଧ୍ୟରେ ସେ ଗଉଡ଼, ବାରିକ, ବଢ଼େଇ, ଚଷା, କେଉଟ, ତନ୍ତୀ ଆଦି ଜାତିର ଲୋକଙ୍କ ଘରେ ପ୍ରଚଳିତ ଦେଶଜ ଶବ୍ଦ ସଂଗ୍ରହ କରିଥିଲେ । ତାତ୍କାଳୀକ ସମାଜରେ କଠୋର ଜାତିପ୍ରଥା ହେତୁ ଦଳିତ ଜାତିର ଲୋକଙ୍କ କଥିତ ଭାଷା ସାହିତ୍ୟରେ ବ୍ୟବହାର ହେଉନଥିଲା ଓ କଥିତ ଶବ୍ଦାବଳୀ ବିଲୁପ୍ତ ହେବାର ଭୟ ଥିଲା । ଏଥି ସହିତ ସେ ଗ୍ରାମୀଣ ମହିଳାମାନଙ୍କଦ୍ୱାରା କଥିତ ଶବ୍ଦାବଳୀ ଓ ଗୀତ ଆଦି ସଂଗ୍ରହ କରିଥିଲେ ଓ ସେସବୁକୁ ଭାଷାକୋଷରେ ଯୋଡ଼ିଥିଲେ । ଏହା ସହିତ ସେ ଭାଷାକୋଷର ସଂକଳନ ନିମନ୍ତେ ଲୋଡ଼ା ଅର୍ଥ ମଧ୍ୟ ଦେଇଥିଲେ । ୧୯୩୭ ମସିହାରେ ପ୍ରହରାଜ ଏକ ଚିଠିରେ ଉଲ୍ଲେଖ କରିଥିଲେ, "ଶ୍ରୀମତୀ ପୀତାମ୍ବରୀ ଯୋଗୁଁ (ତାଙ୍କପ୍ରଦତ୍ତ ଧନ, ଗଉଳ, ଡାଲି, ପରିବାରେ ଓ ତାଙ୍କର ଭାଷାକୋଷର ପାଣୁଲିପି, ପ୍ରଫ୍ ଦେଖା ଓ ଶବ୍ଦ ସଂଗ୍ରହରେ, ଭାଷାକୋଷ ପରି ବିରାଟ ଗ୍ରନ୍ଥ ଓଡ଼ିଆ ଜାତି ଦେଖୂଲା। ଏପରି ଅବସ୍ଥାରେ ମୁଁ ଶଯ୍ୟାଶାୟୀ ହେଲେ ମୋ ମୁହଁରେ ଟୋପାଏ ପାଣି ଦେବାକୁ କେହି ନାହି ।" ।
This article uses material from the Wikipedia ଓଡ଼ିଆ article ପୀତାମ୍ବରୀ ଦେବୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.