ରଣା ସାପ ବା ରଣା (ଇଂରାଜୀରେ Banded Krait, ଜୀବବିଜ୍ଞାନ ନାମ Bungarus fasciatus) ଏଲାପିଡ୍ ପ୍ରଜାତିର ଏକ ସାପ ଯାହା ପ୍ରଧାନତଃ ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କରେ ପରିଲକ୍ଷିତ ହୋଇଥାଏ । ଇଂରାଜୀରେ କ୍ରେଟ୍ (Krait) ବୋଲାଉଥିବା ସାପଙ୍କୁ ଓଡ଼ିଆ ଭାଷାରେ ଚିତି ସାପ ବା ଚିଟି ସାପ କୁହନ୍ତି । ଉଭୟ ରଣା ଓ ଚିତି ସାପ ଏଲାପିଡାଏ ପ୍ରଜାତିର ସାପ । ରଣା ସାପ ଏହି ପ୍ରଜାତିର ସାପମାନଙ୍କ ମଧ୍ୟରେ ଦୀର୍ଘତମ ଓ ଏମାନଙ୍କ ଦୈର୍ଘ୍ୟ ପ୍ରାୟ ୨.୧ ମିଟର ପର୍ଯ୍ୟନ୍ତ ହୋଇଥାଏ ।
ରଣା ସାପ | |
---|---|
Conservation status | |
Least Concern (IUCN 3.1) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Elapidae |
Genus: | Bungarus |
ଜାତି: | B. fasciatus |
ବାଇନୋମିଆଲ ନାମ | |
Bungarus fasciatus ୟୋହାନ୍ ଗୋଟଲୋବ୍ ଶ୍ନାଇଡର୍ (୧୮୦୧) | |
Synonyms | |
|
କଳା ଓ ହଳଦିଆ ରଙ୍ଗର ପଟିଯୁକ୍ତ ଶରୀରରୁ ରଣା ସାପକୁ ଅତି ସହଜରେ ଚିହ୍ନି ହେବ । ଅଧିକାଂଶ ସାପଙ୍କ ଦେହ ନଳ ପରି ହୋଇଥିବା ବେଳେ ରଣାର ଦେହର ମୋଟେଇ ତ୍ରିଭୂଜାକୃତି । ଏହାର ପିଠି ବା ଦେହର ସବୁଠାରୁ ଉପର ଅଂଶରେ ଏକ ଶିଖର (vertebral ridge) ଥାଏ । ରଣାର ମୁଣ୍ଡଟି ଓସାରିଆ ଓ ଚେପଟା । ଏହାର ଆଖିଗୁଡ଼ିକ ଓ ମୁଣ୍ଡ କଳା ରଙ୍ଗର । ରଣାର କଳା ମୁଣ୍ଡରେ ତୀରର ମୁନ ପରି ଏକ ହଳଦିଆ ଚିହ୍ନ ରହିଥାଏ । ଏହାର ଓଠ, ଥୋଡ଼ି, ବେକ ଏବଂ ଆଖି ଓ ନାକପୁଡ଼ା ମଧ୍ୟସ୍ଥ ଭାଗ ହଳଦିଆ ରଙ୍ଗର ।
ଅଦ୍ୟାବଧି ଲିପିବଦ୍ଧ କରାଯାଇଥିବା ଦୀର୍ଘତମ ରଣା ସାପର ଦୈର୍ଘ୍ୟ ପ୍ରାୟ ୨.୨୫ ମିଟର । ସାଧାରଣ ଭାବେ ଦୃଶ୍ୟମାନ ରଣା ସାପର ହାରାହାରି ଦୈର୍ଘ୍ୟ ପ୍ରାୟ ୧.୮ ମିଟର ହୋଇଥାଏ ।
ରଣା ସାପର ଲାଞ୍ଜ ତଳ କାତିରେ ଗୋଟିଏ ସବ୍କଡ଼ାଲ୍ (subcaudals) ରହିଥାଏ । ଏହି ସାପର ଲାଞ୍ଜଟି ଛୋଟ ଓ ସମୁଦାୟ ଶରୀରର ପ୍ରାୟ ୧୦% ।
ଏହି ସାପର ଜୀବବିଜ୍ଞାନ ନାମରେ ବ୍ୟବହୃତ ବଙ୍ଗାରସ୍ (Bungarus) ତେଲୁଗୁ ଭାଷାରେ ସୁନାକୁ ବୁଝାଉଥିବା ଶବ୍ଦ ବାଙ୍ଗାରମ୍ରୁ ଗୃହୀତ । ରଣା ଦେହର ହଳଦିଆ ପଟି ଦାଗ ଏପରି ଶବ୍ଦ ଚୟନର କାରଣ ।
ଭାରତ ଓ ଚୀନର ଅଧିକାଂଶ ଅଞ୍ଚଳ, ମାଳୟ ଉପଦ୍ୱୀପ, ଇଣ୍ଡୋନେସୀୟ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ଚୀନରେ ରଣା ସାପ ପରିଲକ୍ଷିତ ହୋଇଥାନ୍ତି । ଭାରତରେ ମିଜୋରାମ, ଆସାମ, ତ୍ରିପୁରା ଆଦି ରାଜ୍ୟରେ, ନେପାଳ ଓ ବଙ୍ଗଳାଦେଶ ରାଜ୍ୟରେ ରଣା ସାପ ଏକ ସାମାନ୍ୟ ସର୍ପ ପ୍ରଜାତି । କିନ୍ତୁ ଭାରତର ପଶ୍ଚିମ ପଟକୁ ଗଲେ ଏମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ।
ଭାରତର ପୂର୍ବ ପଟକୁ ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲାଣ୍ଡ, ଲାଓସ୍, ଭିଏତନାମ, ହଂକଂ, ଫିଲିପାଇନ୍ସ୍ ଓ ମାଲେସିଆ ପର୍ଯ୍ୟନ୍ତ ରଣା ସାପ ଦେଖିବାକୁ ମିଳନ୍ତି । ଇଣ୍ଡୋନେସିଆର ବୋର୍ଣ୍ଣିଓ, ଜାଭା ଓ ସୁମାତ୍ରା ଏବଂ ସିଙ୍ଗାପୁରରେ ମଧ୍ୟ ରଣା ପରିଲକ୍ଷିତ ହୋଇଥାନ୍ତି ।
ଭାରତରେ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତର-ପଶ୍ଚିମ ରାଜ୍ୟସମୂହ, ଓଡ଼ିଶା, ତାମିଲନାଡ଼ୁ ଓ ପଶ୍ଚିମ ବଙ୍ଗରେ ରଣା ସାପଙ୍କ ଉପସ୍ଥିତି ବିଷୟରେ ଲିପିବଦ୍ଧ ତଥ୍ୟ ରହିଛି । କର୍ଣ୍ଣାଟକର ହାସାନ ଜିଲ୍ଲାରୁ ଓ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରୁ ମଧ୍ୟ ରଣା ସାପ ଦେଖାଯାଇଛନ୍ତି ।
ବଣ ଜଙ୍ଗଲରୁ ନେଇ ଚାଷ ଜମି ଅଞ୍ଚଳ ପର୍ଯ୍ୟନ୍ତ ବିବିଧ ଅଧିବାସରେ ରଣା ସାପ ଦେଖାଯାନ୍ତି । ଊଈ ହୁଙ୍କା, ଜଳ ନିକଟବର୍ତ୍ତୀ ମୂଷା ଗାତ ଏପରିକି ଜନବସତି ନିକଟରେ (ବିଶେଷ କରି ଗ୍ରାମାଞ୍ଚଳରେ) ରଣା ସାପ ରହୁଥିବାର ଦେଖାଯାଏ । ଖାଦ୍ୟ ଓ ଜଳରୁ ନିକଟତା ଯୋଗୁଁ ଏପରି ସ୍ଥାନରେ ଏହି ସାପମାନେ ନିଜ ଆବାସ ଖୋଜନ୍ତି । ପଡ଼ିଆ ଜମିରେ ମଧ୍ୟ ରଣା ସାପ ରହିବା ଦେଖାଯାଏ । ବ୍ରହ୍ମଦେଶରେ ଏହି ସାପ ସମୁଦ୍ର ପତନରୁ ୫୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଅଞ୍ଚଳରେ ବିଚରଣ ଓ ବାସ କରିବା ଦେଖାଯାଇଛି ।
ରଣା ସାପ ଲାଜୁଳା ପ୍ରବୃତ୍ତିର ଓ ଅତି ସହଜରେ ଦେଖାଯାଏ ନାହିଁ । ଏମାନେ ମୁଖ୍ୟତଃ ରାତ୍ରିଚର ସାପ । ଏମାନଙ୍କୁ କେହି ଅବରୋଧ ବା ହଇରାଣ କଲେ କୁଣ୍ଡଳୀରେ ଗୁଡ଼େଇ ହୋଇ ମୁଣ୍ଡଟିକୁ ନିଜ କୁଣ୍ଡଳୀ ଭିତରେ ଲୁଚାଇ ରଖନ୍ତି ଓ କାମୁଡ଼ିବାକୁ ବା ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ରାତି ବେଳେ ରଣା ସାପ ଖୁବ୍ ସକ୍ରିୟ ଥାଏ ଓ ସେ ସମୟରେ ସାପ ନିଜ ପ୍ରତି ବିପଦ ଅନୁଭବ କଲେ କାମୁଡ଼ିବାର ସମ୍ଭାବନା ଅଧିକ ।
ଦିନ ବେଳା ରଣା ଘାସ, ଗାତ ବା ନାଳ ଇତ୍ୟାଦି ନିକଟରେ ଶୋଇ ରହିଥିବା ଦେଖାଯାଏ । ଏହି ସାପ ଅଳସୁଆ ସ୍ୱଭାବର ଏବଂ ତାହାକୁ ହଇରାଣ କଲେ ମଧ୍ୟ ସେ ତୁରନ୍ତ କୌଣସି ପ୍ରତିକ୍ରିୟା ଦେଖାଏ ନାହିଁ । ବର୍ଷା ସମୟରେ ଅଧିକ ରଣା ସାପ ଦେଖାଯାନ୍ତି ।
ରଣା ଅନ୍ୟ ଛୋଟ ସାପ, ମାଛ, ବେଙ୍ଗ, ଅନ୍ୟ ସାପର ଅଣ୍ଡା ଓ ଚମ୍ପେଇ ନେଉଳ ଆଦି ଜୀବଙ୍କୁ ଭକ୍ଷଣ କରିଥାନ୍ତି । ରଣା ଅନ୍ୟ ଯେଉଁ ସାପମାନଙ୍କୁ ଭକ୍ଷଣ କରେ, ସେମାନେ ହେଲେ : -
ରଣା ତା’ର ଶିକାରକୁ ନିଜ ବିଷଦ୍ୱାରା ଅଚେତ ବା ନିଷ୍କ୍ରିୟ କରିଦେବା ପରେ ମୁଣ୍ଡ ପଟୁ ଗିଳିବା ଆରମ୍ଭ କରେ ।
ଏହି ସାପର ପ୍ରଜନନ ସମ୍ପର୍କୀୟ ବ୍ୟବହାର ସମ୍ପର୍କରେ ବେଶୀ କିଛି ଜଣାନାହିଁ । ବ୍ରହ୍ମଦେଶରେ ଏକ ମାଈ ରଣାର ବସା ଖୋଳି ୮ଟି ଅଣ୍ଡା ଉଦ୍ଧାର କରାଯାଇଥିଲା । ଏଥିରୁ ୪ଟି ମଇ ମାସରେ ଫୁଟି ସାରିଥିଲେ । ଅଣ୍ଡାରୁ ବାହାରିବା ପରେ ଶିଶ ସାପଙ୍କ ଦୈର୍ଘ୍ୟ ୨୯୮ରୁ ୩୧୧ ମିଲିମିଟର ପର୍ଯ୍ୟନ୍ତ ହୋଇଥାନ୍ତି । ଜୀବନର ତୃତୀୟ ବର୍ଷରେ ରଣା ପ୍ରଜନନକ୍ଷମ ଓ ପରିପକ୍ୱ ହୋଇଯାଇଥାଏ । ଏହି ସମୟରେ ତାହାର ଦୈର୍ଘ୍ୟ ହାରାହାରି ୯୧୪ ମିଲିମିଟର ରହିଥାଏ ।
ରଣା ସାପର ବିଷରେ ସ୍ନାୟୁ ତନ୍ତ୍ରିକା କ୍ଷୟକାରୀ ତତ୍ତ୍ୱ (neurotoxin) ରହିଥାଏ, ଯାହାର LD୫୦ ମାନ ୨.୪ ମି.ଗ୍ରା./କି.ଗ୍ରା.—୩.୬ ମି.ଗ୍ରା./କି.ଗ୍ରା. SC, ୧.୨୮୯ ମି.ଗ୍ରା./କି.ଗ୍ରା. IV ଓ ୧.୫୫ ମି.ଗ୍ରା./କି.ଗ୍ରା. IP । ଗୋଟିଏ କାମୁଡ଼ାରେ ରଣା ସାପଠାରୁ ହାରାହାରି ୨୦-୧୧୪ ମିଲିଗ୍ରାମ୍ ବିଷ କ୍ଷରିତ ହୋଇଥାଏ । ଏଙ୍ଗେଲ୍ମାନ୍ ଓ ଓବ୍ଷ୍ଟ୍ (୧୯୮୧) ଏହି ବିଷର ପରିମାଣ ୧୧୪ ମିଲିଗ୍ରାମ୍ ବୋଲି ନିରୂପିତ କରିଛନ୍ତି । ରଣା ସାପ କାମୁଡ଼ିଲେ ଏହାର ବିଷ ପ୍ରଭାବରୁ ବାନ୍ତି, ପେଟ କାଟିବା, ତରଳ ଝାଡ଼ା ଓ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖାଯାଏ । ରଣାର ବିଷର ପ୍ରଭାବରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥାଏ ।
ଗବେଷଣାରୁ ଜଣାଯାଇଛି ଯେ ରଣା କାମୁଡ଼ାରେ ମନୁଷ୍ୟ ମୃତ୍ୟୁ ହାର ପ୍ରାୟ ୧-୧୦% ହୋଇଥାଏ । ଏହାର ଗୋଟିଏ କାରଣ ହେଲା ମନୁଷ୍ୟ ଓ ସାପଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପ୍ରାୟତଃ କମ୍ ଏବଂ ନିଜ ପ୍ରତିରକ୍ଷାରେ ସାପ କାମୁଡ଼ିବା ବେଳେ କମ୍ ବିଷ କ୍ଷରିତ ହୋଇଥାଏ । ବର୍ତ୍ତମାନ ସମୟରେ ରଣା ସାପ ବିଷର ଔଷଧ (antivenom) ଭାରତ, ଇଣ୍ଡୋନେସିଆ ପ୍ରଭୃତି ଦେଶରେ ଉପଲବ୍ଧ ।
This article uses material from the Wikipedia ଓଡ଼ିଆ article ରଣା ସାପ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.