ଶିଶୁ ଅନନ୍ତ ଦାସ (ଜନ୍ମନାମ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ ।
ଶିଶୁ ଅନନ୍ତ ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅନନ୍ତ ମହାନ୍ତି ୧୪୮୬ (ଅନ୍ୟମତେ ୧୪୭୨) ବାଲିପାଟଣା |
ବୃତ୍ତି | କବି |
ଭାଷା | ଓଡ଼ିଆ |
ସମୟ | ପଞ୍ଚସଖା ଯୁଗ |
ସାହିତ୍ୟ କୃତି | ହେତୂଦୟ ଭାଗବତ |
ସମ୍ପର୍କୀୟ | କପିଳ ମହାନ୍ତି (ପିତା) ଗୌରୀ (ମାତା) |
ମହାପୁରୁଷ ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ । ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ ।
ଶିଶୁଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ । ତାଙ୍କ ଜନ୍ମ ‘ବାଲିପାଟଣା’ ଅଞ୍ଚଳରେ । ଗବେଷକ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ ଶିଶୁ ଅନନ୍ତ ପୁରୁଷୋତ୍ତମ ଦେବଙ୍କ ରାଜତ୍ୱର ୨୫ ଅଙ୍କରେ ଖ୍ରୀଷ୍ଟାବ୍ଦ ୧୪୮୬ରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦଙ୍କ 'ଉଦୟ କାହାଣୀ'ରୁ ଜଣାଯାଏ । ଅନ୍ୟମତେ ଅନନ୍ତ ଦାସଙ୍କ ଜନ୍ମ ୧୪୭୨ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
ତାଙ୍କ ନାମ କାହିଁକି ଶିଶୁ ଅନନ୍ତ ହେଲା ଏ ବିଷୟରେ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲୋ ଗ୍ରାମ ଅବସ୍ଥିତ । ଏହି ଗ୍ରାମଟି ପାଇକା ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି । ସେହି ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର । ସେହି ଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା । ଗ୍ରାମର ପୁରୁଖା ଲୋକ ଓ ବୁଢ଼ୀମାନେ କହନ୍ତି, କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କୁ ମନାସୁଥିବା ଭୋଗ ନପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଏ । ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମଦ୍ୱାରା ଆଚ୍ଛାଦିତ । ବହୁ ସର୍ପଙ୍କର ବାସସ୍ଥଳୀ । ମୁଖ୍ୟ ସର୍ପଟି ଅତି ଭୟଙ୍କର । ୧୯୬୨ରେ ଏଇ ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ ।
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ଼ ଗ୍ରାମର ସତ୍ୟାନନ୍ଦ ସାହୁ ସେହି ହୁଙ୍କାବାଟେ ଯାଉଥିଲେ । ହୁଙ୍କାପାଖ ହିଡମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ । ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ । ନାମ ପଚାରିବାରୁ କହିଲେ ‘ ମୁଁ, ଶିଶୁ ଅନନ୍ତ’ । କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ । ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା ।
ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରତିଷ୍ଠାତା ଓ ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ । ପରବର୍ତ୍ତୀ କାଳରେ 'ଶିଶୁ' ଗୋଷ୍ଠୀର କବିମାନେ ଉପାଧି ଧାରଣ କରିଥିବା ଜଣାଯାଏ, ଯେପରି- ଶିଶୁ ଅର୍ଜୁନ ଦାସ (କଳ୍ପଲତା, ରାମବିଭା), ଶିଶୁ ବନମାଳି ଦାସ (ରାସ), ଶିଶୁ ଶଙ୍କର ଦାସ (ଉଷାଭିଳାଷ), ଶିଶୁ ପ୍ରତାପରାୟ (ଶଶିସେଣା) ଓ ଶିଶୁ ଦୟାନିଧି ଦାସ (ଅଶ୍ୱମେଧ ଯାଗ) ।
ଶିଶୁ ଅନନ୍ତଙ୍କର ଗ୍ରନ୍ଥଗୁଡ଼ିକ ମୁଦ୍ରିତ ନ ହୋଇଥିବାରୁ ସେଗୁଡ଼ିକ ସମ୍ବନ୍ଧରେ ବିଶେଷ କିଛି ଜାଣିବାର ସୁବିଧା ନାହିଁ । ଭୁବନେଶ୍ୱରରେ ଥିବା ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗ୍ରନ୍ଥାଗାରରେ ତାଙ୍କର କେତୋଟି ଗ୍ରନ୍ଥର ପାଣ୍ଡୁଲିପି ଥିବା ଶିଶୁ ଅର୍ଜୁନ ଦାସଙ୍କ କଳ୍ପଲତା କାବ୍ୟର ମୁଖବନ୍ଧରେ ଶ୍ରୀ କେଦାରନାଥ ମହାପାତ୍ର ଲେଖିଛନ୍ତି । ଏହି ଗ୍ରନ୍ଥଗୁଡ଼ିକରେ ଶିଶୁ ଅନନ୍ତଙ୍କ ଭଣିତା ରହିଛି ।
ବଳିଆ ବାବା କହନ୍ତି, ଶିଶୁ ଅନନ୍ତ ହେଉଛନ୍ତି ସତ୍ୟର ଶେଷଦେବ ନୃସିଂହ, ତ୍ରେତୟାର ରାମ ଲକ୍ଷ୍ମଣ, ଦ୍ୱାପରର କୃଷ୍ଣ ବଳରାମ, ଜଗନ୍ନାଥ ଚେତନାର ଜଗନ୍ନାଥ ବଳଦେବ ଓ ବୈଷ୍ଣବୀୟ ଦର୍ଶନର ଗୌର ନିତାଇ । ଶିଶୁ ଅନନ୍ତ ଜଣେ ପ୍ରସିଦ୍ଧ ଯୋଗସାଧକ ଥିଲେ । ସେ ସ୍ୱକୀୟ ଯୋଗ ବଳରେ ଜଗତର ପିତାମାତା ଲକ୍ଷ୍ମୀନାରାୟଣଙ୍କର କୋଳରେ ଶିଶୁ ପ୍ରଦ୍ୟୁମ୍ନଙ୍କ ରୂପରେ ଖେଳିଥିଲେ । ତାଙ୍କ ନାମରେ ଅନେକ ଗ୍ରନ୍ଥମାନ ରଚିତ ହୋଇଛି । ଶିଶୁ ଅନନ୍ତଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ରଚନା ଅପେକ୍ଷା ତାଙ୍କ ଭବିଷ୍ୟବାଣୀ ମାଳିକା ଅଧିକ ଲୋକପ୍ରିୟ ।
ଅନନ୍ତଙ୍କ ରଚନାଗୁଡ଼ିକ ଓଡ଼ିଶାରେ ଏକଦା ପ୍ରସିଦ୍ଧ ନାଥ ସମ୍ପ୍ରଦାୟର ଧାରାରେ ରଚିତ ବୋଲି ଗବେଷକମାନେ କୁହନ୍ତି ।
ଅନନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା ।
This article uses material from the Wikipedia ଓଡ଼ିଆ article ଶିଶୁ ଅନନ୍ତ ଦାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.