ବନ୍ଦେ ଉତ୍କଳ ଜନନୀ, ଓଡ଼ିଶାର ରାଜ୍ୟ ସଙ୍ଗୀତ ଅଟେ । ଏହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ୱାରା ରଚିତ । ଏହି ଗୀତକୁ ୧୯୧୨ ମସିହାରେ ବାଲେଶ୍ୱରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା ।
ବନ୍ଦେ ଉତ୍କଳ ଜନନୀ | |
ଓଡ଼ିଶାର ରାଜ୍ୟ ସଙ୍ଗୀତ | |
ଗୀତ | ଲକ୍ଷ୍ମୀକାନ୍ତ ମହାପାତ୍ର |
---|---|
ସଙ୍ଗୀତ | ବାଳକୃଷ୍ଣ ଦାଶ |
ମାନ୍ୟତା | ୦୭ ଜୁନ ୨୦୨୦ |
Audio sample | |
ଏକ ଟେକ୍ସଟ ଟୁ ସ୍ପିଚ ମଡେଲଦ୍ୱାରା ଗାୟିତ ବନ୍ଦେ ଉତ୍କଳ ଜନନୀ
| |
୧ ଏପ୍ରିଲ ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଏହି କବିତାଟି ସମଗ୍ର ରାଜ୍ୟରେ ରାଜ୍ୟଗାନ ଭାବେ ଆଦୃତି ଲାଭ କରିଥିଲା । ୧୯୯୪ ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ ବିଧାନ ସଭାରେ ନିଷ୍ପତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନ ସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ପରି ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନ ସଭାରେ ଏହି ପରମ୍ପରା ଚାଲି ଆସିଛି । ୨୦୦୨ ମସିହା ପର୍ଯ୍ୟନ୍ତ ଏହି ମାନ୍ୟତା ନମିଳିଥିବାରୁ, ବିଧାନ ସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିବଦ୍ଧ ସର୍କୁଲାର ଜାରୀ କରି ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତି ନିଆଯାଇଥିଲା । ୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ । ୨) ରାଜ୍ୟ ସଙ୍ଗୀତର ଅବଧି ୭୦ରୁ ୯୦ ସେକେଣ୍ଡ ରହିବ । ୩) ଆକାଶବାଣୀରେ ବାଳକୃଷ୍ଣ ଦାଶଙ୍କର ପରିବେଶିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ । ୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ । ୨୦୦୫ ଡିସେମ୍ବର ୭ ତାରିଖରେ, ରାଜ୍ୟ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଏ ଦିଗରେ ସ୍ପଷ୍ଟିକରଣ ମାଗିଥିଲେ । ୨୦୦୬ ଜୁଲାଇ ୧୨ତାରିଖରେ କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇଥିଲେ ଯେ, ରାଜ୍ୟ ସଙ୍ଗୀତ ମାନ୍ୟତା ସମ୍ବିଧାନସମ୍ମତ ନୁହେଁ । ୨୦୦୬ ଅଗଷ୍ଟ ୨୬ ତାରିଖରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକରେ ନିଷ୍ପତି ନିଆଗଲା ଯେ, ଜାତୀୟ ସଙ୍ଗୀତ ଢାଞ୍ଚାରେ ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଁ ରାଜ୍ୟ ବିଧାନ ସଭାରେ ଏକ ବିଲ ଆଗତ କରାଯିବ । ୨୦୧୨ରେ ସଂସ୍କୃତି ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତ ଦିଆଯିବାକୁ ନିଷ୍ପତି ନିଆଗଲା ଓ ଗୃହ ବିଭାଗ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଥିଲା । ଏହି ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଦୁଇଟି ଫର୍ମାଟକୁ ଅନୁମୋଦନ ପାଇଁ ଗୃହ ବିଭାଗକୁ ପଠା ଯାଇଥିଲା । ଗୋଟିଏ ଫର୍ମାଟ ବିନା ବାଦ୍ୟଯନ୍ତ୍ରରେ କେବଳ କଣ୍ଠ ସଙ୍ଗୀତ ଓ ଅନ୍ୟଟି ପୁଲିସ ବ୍ୟାଣ୍ଡ ସହାୟତାରେ ପ୍ରସ୍ତୁତ ସଙ୍ଗୀତ ଥିଲା । ୨୦୧୯ ନଭେମ୍ବର ୧୧ ତାରିଖରେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ସିଆର ଦାଶଙ୍କ ଅଧିନରେ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୬ ମାସ ମଧ୍ୟରେ ଏହି ମାମଲାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାରେ କୋଭିଡ-୧୯ ମହାମାରୀ ସମୟରେ ବିଭିନ୍ନ ସେବା କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାମାନଙ୍କ ସମ୍ମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକମାନେ ୩୦ ମଇ ୨୦୨୦ ସନ୍ଧ୍ୟା ୫.୩୦ ଏହି ଗୀତ ଗାଇଥିଲେ ।
୨୦୨୦ ମସିହା ଜୁନ ୦୭ ତାରିଖରେ ଓଡ଼ିଶା ସରକାର ଏହି ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଥିଲେ । କାନ୍ତକବିଙ୍କ ସମ୍ପୂର୍ଣ୍ଣ ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଏ । ରାଜ୍ୟ ସଙ୍ଗୀତର ଅବଧି ୨ ମିନିଟ ୧୧ ସେକେଣ୍ଡ ରହିଥାଏ । ବାଳକୃଷ୍ଣ ଦାଶଙ୍କ ପ୍ରସ୍ତୁତ ଶୈଳୀରେ ହିଁ ଏହା ଗାନ କରାଯାଏ । ଏହାକୁ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବା ସ୍କୁଲ ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ସଙ୍ଗୀତ ଗାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି ।
ବନ୍ଦେ ଉତ୍କଳଜନନୀ,
ଚାରୁ-ହାସମୟି ଚାରୁ-ଭାଷମୟି,
ଜନନୀ, ଜନନୀ, ଜନନୀ॥ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥ଘନ-ଘନ ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥
ସୁନ୍ଦରଶାଳି ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗି ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ॥ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳି ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ॥
ଉତ୍କଳ-ସୁରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହା,
ବିଶ୍ୱଭୁମଣ୍ଡଳ-କୃତବରସ୍ନେହା,
ଜନନୀ, ଜନନୀ, ଜନନୀ॥କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟା,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,ଜନନୀ, ଜନନୀ, ଜନନୀ॥
— କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
This article uses material from the Wikipedia ଓଡ଼ିଆ article ବନ୍ଦେ ଉତ୍କଳ ଜନନୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.