ଆନନ୍ଦୀ ଗୋପାଳ ଜୋଶୀ (କିମ୍ବା ଆନନ୍ଦୀବାଈ ଜୋଶୀ; ମରାଠୀ: आनंदीबाई जोशी; ମାର୍ଚ ୩୧, ୧୮୬୫ - ଫେବୃଆରୀ ୨୬, ୧୮୮୭) ପାଶ୍ଚାତ୍ୟ ମେଡିସିନରେ ମେଡିକାଲ ଡିଗ୍ରି ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ଥିଲେ, ତାଙ୍କ ପରେ ସେହି ବର୍ଷ(୧୮୮୭ ମସିହା) କାଦମ୍ବିନୀ ଗାଙ୍ଗୁଲି ମଧ୍ୟ ମେଡିକାଲ ଡିଗ୍ରି ହାସଲ କରିଥିଲେ । ଆନନ୍ଦୀ ବାଈ ମଧ୍ୟ ଏହି ବିଷୟରେ ପ୍ରଥମ ହିନ୍ଦୁ ମହିଳା ଥିଲେ ।
ଆନନ୍ଦୀ ଗୋପାଳ ଜୋଶୀ | |
---|---|
ଜନ୍ମ | |
ମୃତ୍ୟୁ | ୨୬ ଫେବୃଆରୀ ୧୮୮୭ | (ବୟସ ୨୧)
ବୈବାହିକ-ସାଥୀ | ଗୋପାଳରାଓ ଜୋଶୀ |
ପୁଣେର ଏକ ନୈଷ୍ଠିକ ଧନୀ ବ୍ରାହ୍ମଣ ପରିବାରରେ ଆନନ୍ଦୀ ବାଈ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପରିବାର ତାଙ୍କୁ ତାଙ୍କଠାରୁ ୨୦ ବର୍ଷ ବଡ଼ ବିପତ୍ନୀକ ଗୋପାଳରାଓ ଜୋଶୀଙ୍କୁ ବିବାହ କରାଇ ଦେଇଥିଲେ । କଲ୍ୟାଣରେ ଗୋପାଳରାଓ ଜଣେ ପୋଷ୍ଟ ଅଫିସ କିରାଣୀ ଭାବରେ କାମ କରୁଥିଲେ । ପରେ ତାଙ୍କର ଆଲିବାଗ ଓ ଶେଷରେ କଲିକତା ବଦଳି ହୋଇଥିଲା । ସେ ଉନ୍ନତ ଚିନ୍ତାଧାରାର ଲୋକ ଥିଲେ ଓ ମହିଳା ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିଲେ ଯେତେବେଳେ କି ଭାରତରେ ଏହି ମହିଳା ଶିକ୍ଷାର ପ୍ରଚଳନ ନ ଥିଲା । ସେତେବେଳେ ବ୍ରାହ୍ମଣମାନେ ସଂସ୍କୃତ ଶିକ୍ଷା କରିବା ସାଧାରଣ କଥା ଥିଲା; କିନ୍ତୁ ଲୋଖିତାୱାଡିଙ୍କର ଲିଖିତ ସାତ ପତ୍ରେ ( Lokhitawadi's Shat Patre) ତାଙ୍କୁ ସଂସ୍କୃତ ଅପେକ୍ଷା ଇଂରାଜୀ ପଢ଼ିବାକୁ ବିଶେଷ ପ୍ରଭାବିତ କରିଥିଲା । ଆନନ୍ଦୀ ବାଈଙ୍କର ସ୍ପୃହା ଦେଖି ତାଙ୍କୁ ଶିକ୍ଷା ଲାଭ ତଥା ଇଂରାଜୀ ଶିଖିବାକୁ ସାହାଯ୍ୟ କରିଥିଲେ । ମାତ୍ର ୧୪ ବର୍ଷ ବୟଷରେ ଆନନ୍ଦୀ ବାଈ ଗୋଟିଏ ପୁତ୍ର ଜନ୍ମ କରିଥିଲେ, କିନ୍ତୁ ସେତେବେଳେ ଆବଶ୍ୟକ ଚିକିତ୍ସା ଅଭାବ ଯୋଗୁ ପିଲାଟି ଦଶ ଦିନ ପରେ ମୃତ୍ୟୁ ବରଣ କଲା । ଏହି ଘଟଣା ଆନନ୍ଦୀ ବାଈଙ୍କ ଜୀବନରେ ମୋଡ଼ ଆଣି ଡାକ୍ତର ହେବା ନିମନ୍ତେ ଉତ୍ସାହିତ କରିଥିଲା ।
ଗୋପାଳରାଓ ତାଙ୍କ ପତ୍ନୀଙ୍କୁ ମେଡିସିନ ପଢ଼ିବାକୁ ଉତ୍ସାହିତ କରିଥିଲେ । ସେ ଜଣେ ପରିଚିତ ଆମେରିକା ନିବାସୀ ମିସନାରୀ, ରୟଲ ୱାଇଲ୍ଡର୍ଙ୍କ (Royal Wilder) ପାଖକୁ ଚିଠି ଲେଖି ଆନନ୍ଦୀ ବାଈଙ୍କ ଡାକ୍ତରୀ ଶି଼କ୍ଷା ଇଛା ବିଷୟରେ ଜଣାଇ ଥିଲେ ଓ ତାଙ୍କ ନିଜ ନିମନ୍ତେ ଗୋଟିଏ ଚାକିରି ଯୋଗାଡ଼ କରିଦେବାକୁ ଲେଖିଥିଲେ । ଖିରସ୍ତାନ ହେବା ସର୍ତ୍ତରେ ୱାଇଲ୍ଡର୍ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ । ଏହି ସର୍ତ୍ତରେ ଜୋଶୀ ଦମ୍ପତ୍ତି ରାଜି ହୋଇ ନ ଥିଲେ । ପ୍ରିନ୍ସଟନ୍ ମିସନାରି ରିଭିୟୁ ପତ୍ରିକାରେ ଏହି ବିଷୟ ୱାଇଲ୍ଡର୍ ଛାପିଥିଲେ । ତାହାକୁ ନିୟୁ ଜର୍ସିରେ ଜଣେ ଦାନ୍ତ ଡାକ୍ତରଙ୍କ ସାକ୍ଷାତ ଅପେକ୍ଷାରେ ଥିବା ଥିଓଡିସିଆ କାର୍ପେଣ୍ଟର (Theodicia Carpenter) ପଢ଼ିଥିଲେ । ଗୋପାଳରାଓଙ୍କର ତାଙ୍କ ପତ୍ନୀଙ୍କ ପ୍ରତି ସମର୍ଥନ ତାଙ୍କୁ ପ୍ରଭାବିତ କରିଥିଲା ଓ ସେ ଆମେରିକାରେ ସେମାନଙ୍କ ରହଣୀ ବନ୍ଦବୋସ୍ତ କରିବାକୁ ଇଛା ପ୍ରକାଶ କରିଥିଲେ । ଏହା ପରେ ଅନେକ ପତ୍ର ବିନିମୟ ହୋଇଥିଲା ଯେଉଁଥିରେ ହିନ୍ଦୁ ଧର୍ମ ବିଷୟରେ ଚର୍ଚ୍ଚା ହୋଇଥିଲା କଲିକତାରେ ଥିଲାବେଳେ ଆନନ୍ଦୀବାଈଙ୍କ ସ୍ୱାସ୍ଥ୍ୟର ଅବନତି ଘଟିଥିଲା । ସେ ଦୂର୍ବଳତା ଅନୁଭବ କରୁଥିଲେ, ତାଙ୍କର ମୁଣ୍ଡବଥା, ଜ୍ୱର ହେଉଥିଲା ଓ ବେଳେ ବେଳେ ଅଣନିଶ୍ୱାସୀ ହେଉଥିଲେ । ଆମେରିକାରୁ ଥିଓଡିସିଆ ଔଷଧ ପଠାଉଥିଲେ କିନ୍ତୁ କୌଣସି ଉପଶମ ହେଉ ନ ଥିଲା । ଗୋପାଳରାଓ ସେରାମପୁରକୁ ବଦଳି ହେଲେ ଓ ଆନନ୍ଦୀବାଈଙ୍କୁ ଅସୁସ୍ଥତା ସତ୍ତ୍ୱେ ଏକାକୀ ଆମେରିକା ପଠେଇବାକୁ ନିଷ୍ପତ୍ତି ନେଲେ । ଆନନ୍ଦୀବାଈଙ୍କ ଆଶଙ୍କା ଥିଲେ ମଧ୍ୟ ଗୋପାଳରାଓ ତାଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଏକ ଉଦାହରଣ ସୃଷ୍ଟି କରିବାକୁ ପ୍ରୋତ୍ସାହନ ଦେଲେ । ଆନନ୍ଦୀବାଈଙ୍କୁ ପେନସିଲଭାନିଆର ମହିଳା ମେଡିକାଲ କଲେଜକୁ ଦରଖାସ୍ତ ଦେବାକୁ ଡାକ୍ତର ଥର୍ବର୍ନ ପରାମର୍ଶ ଦେଲେ । ସେତେବେଳକାର ହିନ୍ଦୁ ସମାଜ ତାଙ୍କୁ ବିଦେଶ ଯାଇ ଉଚ୍ଚ ଶିକ୍ଷା କରିବାକୁ ବାରଣ କଲେ । ଅନେକ ଖୀରସ୍ତାନି ତାଙ୍କୁ କ୍ରିସ୍ଟିଆନ ଧର୍ମ ନେଲେ ସାହାଯ୍ୟ କରିବାକୁ ସ୍ଥିର କଲେ । ଆନନ୍ଦୀବାଈ ସେରାମପୁର କଲେଜ ହଲରେ ସମବେତ ଜନ ସାଧାରଣଙ୍କୁ ମେଡିକାଲ ଡିଗ୍ରୀ ଆଣିବା ନିମନ୍ତେ ଆମେରିକା ଯିବା କଥା କହିଲେ । ହିନ୍ଦୁ ମହିଳା ଡାକ୍ତରଙ୍କ ଆବଶ୍ୟକତା ବିଷୟରେ ଚର୍ଚ୍ଚା କଲେ ଓ ଆମେରିକାରୁ ଫେରିବା ପରେ ଭାରତରେ ଗୋଟିଏ ମହିଳା ମେଡିକାଲ କଲେଜ ଖୋଲିବା କଥା କହିଲେ । ତାଙ୍କର ଏହି ବକ୍ତୃତା ପ୍ରଚାରିତ ହୋଇ ଭାରତର ପ୍ରତ୍ୟେକ ସ୍ଥାନରୁ ଅର୍ଥ ସାହାଯ୍ୟ ଆସିବାକୁ ଲାଗିଲା ।
ଥର୍ବର୍ନଙ୍କ ଚିହ୍ନା ଦୁଇ ଇଂରାଜୀ ମହିଳାଙ୍କ ସହ ଆନନ୍ଦୀବାଈ କଲିକତାରୁ ଜାହାଜରେ ନିୟୁୟୋର୍କ ଯାତ୍ରା କଲେ । ଜୁନ ୧୮୮୩ ମସିହାରେ ଥିଓଡିସିଆ ତାଙ୍କୁ ପାଛୋଟି ନେଲେ । ପେନସିଲଭାନିଆର ମହିଳା ମେଡିକାଲ କଲେଜକୁ ମେଡିକାଲରେ ପଢ଼ିବା ନିମନ୍ତେ ଆନନ୍ଦୀବାଈ ଦରଖାସ୍ତ ଦେଲେ । ରାଚେଲ୍ ବୋଡଲେ ତାଙ୍କ ନାମ ଲେଖାଇ ଥିଲେ । ଆନନ୍ଦୀବାଈ ୧୯ ବର୍ଷ ବୟସରେ ମେଡିକାଲ ଶିକ୍ଷା ଆରମ୍ଭ କଲେ । ଆମେରିକାର ଥଣ୍ଡା ପାଗ ଓ ଅପରିଚିତ ଖାଦ୍ୟ ଯୋଗୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସେ ଯକ୍ଷ୍ମା ରୋଗର ଶୀକାର ହୋଇଥିଲେ । ଆର୍ଯ୍ୟ ହିନ୍ଦୁଙ୍କର ପ୍ରସୂତି ବିଷୟରେ ସନ୍ଦର୍ଭ (Thesis) ଲେଖି ସେ ମାର୍ଚ ୧୧ ତାରିଖ ୧୮୮୬ରେ ଏମ୍.ଡି. ଦିଗ୍ରି ପାଇଲେ । ସ୍ନାତକ ହେବା ପରେ ରାଣୀ ଭିକ୍ଟୋରିଆ ତାଙ୍କ ପାଖକୁ ଅଭିନନ୍ଦନ ବାର୍ତ୍ତ ପଠେଇ ଥିଲେ ।
ସନ ୧୮୮୬ ମସିହାରେ ଆନନ୍ଦୀବାଈ ବୀର (Hero) ମର୍ଯ୍ୟାଦା ସ୍ୱାଗତ ସହ ଭାରତକୁ ଫେରିଲେ । ପ୍ରିନ୍ସଲି ଷ୍ଟେଟ ଅଫ୍ କୋହ୍ଲାପୁର ତାଙ୍କୁ ଆଲବର୍ଟ୍ ଏଡବାର୍ଡ୍ ଡାକ୍ତରଖାନାରେ ମୂଖ୍ୟ ଚିକିତ୍ସକ ହିସାବରେ ନିଯୁକ୍ତ କଲେ ।
ମାତ୍ର ଏକ ବର୍ଷ ପରେ ୨୬ ଫେବୃଆରୀ ୧୮୮୭ ମସିହାରେ ୨୨ ବର୍ଷ ବୟସ ହେବା ପୂର୍ବରୁ ତାଙ୍କର ଦେହାବସାନ ହୋଇଥିଲା । ତାଙ୍କ ଚିତା ଭସ୍ମ ଥିଓଡିସିଆଙ୍କ ପାଖକୁ ପଠାଯାଇଥିଲା ଓ ସେ ତାହାକୁ ତାଙ୍କ ପାରିବାରିକ ମଶାଣିରେ ସ୍ଥାପନ କରିଥିଲେ ।
ଆନନ୍ଦୀବାଈଙ୍କ ଜୀବନୀ କ୍ୟାରୋଲିନ୍ ବେଲ୍ସ ହିଲେ ଡାଲ୍ ୧୮୮୮ ମସିହାରେ ଲେଖିଥିଲେ । ଆନନ୍ଦୀ ଗୋପାଳଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଏକ ଧାରାବାହିକ ଦୂରଦର୍ଶନ ପ୍ରସାର କରିଥିଲେ । କମଳାକର ସାରଙ୍ଗ ଏହାର ନିର୍ଦ୍ଦେଶକ ଥିଲେ । ଶ୍ରୀକ୍ରିଷ୍ଣା ଜନାର୍ଦନ ଜୋଶୀ ଆନନ୍ଦୀ ଗୋପାଳଙ୍କ ଜୀବନ ଉପରେ ପର୍ଯ୍ୟବସିତ ଏକ ଗାଳ୍ପିକ ନଭେଲ 'ଆନନ୍ଦୀ ଗୋପାଳ' ଲେଖିଥିଲେ । ଏହାକୁ ଆଶା ଡାମଲେ ଇଂରାଜୀରେ ଅନୁବାଦ କରିଥିଲେ । ରାମ ଜି ଜୋଗ୍ଲେକର ଏହାକୁ ଗୋଟିଏ ନାଟକରେ ରୁପାନ୍ତର କରିଥିଲେ ।
ଲକ୍ଷ୍ନୋର ଅଣସରକାରୀ ସଂସ୍ଥା ଇନ୍ସ୍ଟିଚ୍ୟୁଟ୍ ଫର ରିସର୍ଚ ଆଣ୍ଡ ଡକୁମେଣ୍ଟେସନ ଇନ ସୋସିଆଲ୍ ସାଇନ୍ସ ମେଡିକାଲ ବିଜ୍ଞାନକୁ ଦାନ ନିମନ୍ତେ ଆନନ୍ଦୀବାଈଙ୍କ ସମ୍ମାନାର୍ଥେ ଏକ ପୁରସ୍କାର ବିତରଣ କରନ୍ତି ।
This article uses material from the Wikipedia ଓଡ଼ିଆ article ଆନନ୍ଦୀ ଗୋପାଳ ଜୋଶୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.