ସ୍ୱାମୀ ବିବେକାନନ୍ଦ
ସ୍ୱାମୀ ବିବେକାନନ୍ଦ: ରୁଦର ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
'ସ୍ୱାମୀ ବିବେକାନନ୍ଦ | |
---|---|
![]() ଚିକାଗୋ ସହରରେ ସ୍ୱାମୀ ବିବେକାନନ୍ଦ, ସେପ୍ଟେମ୍ବର ୧୮୯୩ । ଚିତ୍ରର ବାମପଟେ ବିବେକାନନ୍ଦ ନିଜ ହସ୍ତାକ୍ଷରରେ ଲେଖିଛନ୍ତି: ଏକ ଅସୀମିତ, ପବିତ୍ର, ଶୁଦ୍ଧ ଭାବ ଓ ଗୁଣରେ ପରିପୂର୍ଣ୍ଣ ସେହି ପରମାତ୍ମାଙ୍କ ନିକଟରେ ମୁଁ ନତ ମସ୍ତକ ।” | |
ଜନ୍ମ ତାରିଖ | ୧୨ ଜାନୁଆରୀ ୧୮୬୩ |
ଜନ୍ମସ୍ଥାନ | କଲିକତା |
ଜନ୍ମ ନାମ | ନରେନ୍ଦ୍ର ନାଥ ଦତ୍ତ |
ତିରୋଧାନ | ୪ ଜୁଲାଇ ୧୯୦୨ | (ବୟସ ୩୯)
ତିରୋଧାନ ସ୍ଥାନ | ବେଲୁଡ଼ ମଠ, କଲିକତା, ଭାରତ |
ଦର୍ଶନ | ବେଦାନ୍ତ |
ଖ୍ୟାତ | ହିନ୍ଦୁ ଧର୍ମଗୁରୁ, ବେଦାନ୍ତ ପ୍ରଚାର |
ରଚନାବଳୀ | ରାଜ ଯୋଗ, କର୍ମ ଯୋଗ, ଭକ୍ତି ଯୋଗ, ଓ ଜ୍ଞାନ ଯୋଗ |
ବାଣୀ | ବହୁରୁପେ ସମ୍ମୁଖେ ତୁମର, ଛାଡ଼ି କାହିଁ ଖୋଜୁଛ ଈଶ୍ୱର ? ଜୀବେ ପ୍ରେମ କରେ ଯେଉଁ ଜନ, ସେଇ ମାତ୍ର ସେବଇ ଈଶ୍ୱର ।[୧] |
ଜୀବନୀ
(right) 3, Gourmohan Mukherjee Street, birthplace of Vivekananda, now converted into a museum and cultural centre
ଜନ୍ମ ଓ ବାଲ୍ୟ ଜୀବନ
୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଯେଉଁ ଶିଶୁଟି ଜନ୍ମଗ୍ରହଣ କରିଥିଲା, ସେହି ନବଜାତକ ପ୍ରତି ଆମମାନଙ୍କର ପ୍ରଣତି । ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । ଏହି ନବଜାତକ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ହୋଇଥିଲେ ।
ବିଶ୍ୱନାଥ ଦତ୍ତ ଥିଲେ ଜଣେ ଲବ୍ଧପ୍ରତିଷ୍ଠିତ ଆଟର୍ଣ୍ଣି । ତାଙ୍କର ଉଦାରତା, ଚରିତ୍ରର ତେଜସ୍ୱିତା ଓ ପରଦୁଃଖକାତରତା ସମସ୍ତଙ୍କର ଶ୍ରଦ୍ଧା ଆକର୍ଷଣ କରୁଥିଲା । ଭୁବନେଶ୍ୱରୀ ଦେବୀ ଥିଲେ ସୁରୂପା, ତେଜସ୍ୱିନୀ, ଧର୍ମପ୍ରାଣା, ଆଦର୍ଶ ହିନ୍ଦୁ ରମଣୀ । କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଏହି ପୁତ୍ର ଲାଭ ହୋଇଥିଲା, ତେଣୁ ନାମ ରଖାହେଲା ବୀରେଶ୍ୱର-ଡାକନାମ ‘ବିଲେ’ । ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ ।
ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ । ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।’ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍ ଭଲ ପାଉଥିଲେ । ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ । ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା; ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ; କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ । ଚାରିଆଡ଼େ ଚହଳ ପଡ଼ିଗଲା । ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ କୋଳ କରି ବାହାରକୁ ଅଣାଗଲା । ପରେ ପଚାରିବାରୁ ବିଲେ କହିଲା, ‘ମୁଁ ତ କିଛି ଜାଣିନି ।’ ଶ୍ରୀରାମକୃଷ୍ଣଦେବ କହୁଥିଲେ, ‘ନରେନ୍ ଧ୍ୟାନସିଦ୍ଧ ମହାପୁରୁଷ ।’
ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଏ, ତାହା ଆଣିଦିଏ, ଆଉ କିଛି ନ ପାଇଲେ ଖୋଲି ଦିଏ ନିଜର ପିନ୍ଧାଲୁଗା ଖଣ୍ଡିକ । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ । ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍ର ବିଶେଷ କୌତୁହଳ । ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ । ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ ।’ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନ୍ର ଚିନ୍ତାର ବିଷୟ ।
ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲା ନାହିଁ । ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି ? ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’-ଏହା ଥିଲା ତାଙ୍କର କଥା । ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା । ନରେନ୍ଦ୍ର ଖୁବ୍ ଏକଜିଦିଆ ଓ ଦୁଷ୍ଟ ଥିଲେ । ଭୂତଭୟ, ବ୍ରହ୍ମଦୈତ୍ୟଭୟ, କୋକବାୟାଭୟ ଏସବୁ ହସି ଉଡ଼େଇ ଦେଉଥିଲେ । ଆମେରିକାରୁ ଫେରିବାପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍ ଦୁଷ୍ଟ ଥିଲି । ତା ନ ହେଲେ ଏହି ଭାବରେ ଦୁନିଆସାରା ମୁଁ କଅଣ ଘୂରିଆସି ପାରିଥାନ୍ତି କିରେ ?’ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ । ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା । ଏଣ୍ଟ୍ରାନ୍ସ ପାଶ୍ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା ।
![]() | ![]() | |
Left: Vivekananda in Greenacre, Maine (August 1894).[୩] Right: Vivekananda at Mead sisters house, South Pasadena in 1900. |
କଲେଜ ଜୀବନ
୧୭ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କଲେ । ପରେ ବର୍ଷେ ମାତ୍ର ପ୍ରେସିଡ଼େନ୍ସି କଲେଜ୍ରେ ପଢ଼ି ନିକଟବର୍ତ୍ତୀ ଜେନେରାଲ୍ ଆସେମ୍ବ୍ଲିଜ୍ ଇନ୍ଷ୍ଟିଚିଉସନ୍ରେ ସ୍ନାତକ ଜୀବନର ବାକି ତିନିବର୍ଷ ଅଧ୍ୟୟନ କରିଥିଲେ ।[୪]
କଲେଜ୍ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା । ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ । ଶରୀରଚର୍ଚ୍ଚା ଏବଂ ସଙ୍ଗୀତରେ ମଧ୍ୟ ତାଙ୍କର ବିଶେଷ ଉତ୍ସାହ ଥିଲା । ଗଳିରେ ନବଗୋପାଳ ମିତ୍ରଙ୍କ ଆଖଡ଼ାରେ ନିୟମିତ କୁସ୍ତି, ଲାଠିଖେଳ ପ୍ରଭୃତି ଅଭ୍ୟାସ କରୁଥିଲେ । ତାଙ୍କର ପିତା ଓସ୍ତାଦ୍ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । ମୋଟ ଉପରେ ପଢ଼ାପଢ଼ି, ଗାଇବା ବଜାଇବା, କହିବା, ଦେଖିବା, ଶୁଣିବା ସବୁଥିରେ ନରେନ୍ଦ୍ର ଅଦ୍ୱିତୀୟ ଥିଲେ । ଏହି ସୁଦର୍ଶନ ବଳିଷ୍ଠ ଓ ନାନା ଗୁଣାନ୍ୱିତ କିଶୋର କ୍ରମେ ସର୍ବଜନ ପ୍ରିୟ ହୋଇ ଉଠିଲେ ।
କଲେଜ୍ରେ ପ୍ରବେଶ କରିବା ସଂଗେ ସଂଗେ ନରେନ୍ଦ୍ରଙ୍କ ଅନ୍ତରରେ ଧର୍ମଭାବ ପରିଲକ୍ଷିତ ହେଲା । ତାଙ୍କର ତରୁଣ ମନରେ ଶତ ଶତ ଆଲୋଡ଼ନ ସୃଷ୍ଟି ହେଲା । ଈଶ୍ୱର ଅଛନ୍ତି କି ? ଥିଲେ, କେଉଁଠି ସେ ? ତାଙ୍କୁ କଅଣ ଦେଖି ହୁଏ ? ଜଗତରେ ଏତେ ଦୁଃଖ, ଏତେ ଅନ୍ୟାୟ, ଅବିଚାର କାହିଁକି ? ଜଗତ୍ପତି ଭଗବାନ କଣ ଦୟାମୟ, ନା ନିଷ୍ଠୁର ? କଲିକତାର ବ୍ରାହ୍ମସମାଜ ସେତେବେଳେ ଧର୍ମପିପାସୁ ଶିକ୍ଷିତ ସମାଜ ଉପରେ ବିଶେଷ ପ୍ରଭାବ ବିସ୍ତାର କରିଥାଆନ୍ତି । ଯୁବକ ନରେନ୍ଦ୍ର ଏଫ୍. ଏ. ପଢ଼ିବା ସମୟରେ ବ୍ରାହ୍ମସମାଜଭୁକ୍ତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ମଧୁର କଣ୍ଠରେ ପ୍ରାର୍ଥନାସଙ୍ଗୀତ ଶୁଣି ସମସ୍ତେ ମୁଗ୍ଧ ହେଉଥିଲେ । କିନ୍ତୁ ବ୍ରାହ୍ମସମାଜ ତାଙ୍କ ଅନ୍ତରର ଧର୍ମପିପାସା ମେଣ୍ଟାଇ ପାରିଲା ନାହିଁ । କ୍ରମେ ସେ ଦେଖିଲେ ଯେ ବ୍ରାହ୍ମସମାଜ ଗୋଟିଏ ସମାଜ-ସଂସ୍କାରକ ପ୍ରତିଷ୍ଠାନ ମାତ୍ର । ତାଙ୍କର ଏକମାତ୍ର ଆକାଙ୍କ୍ଷା ଭଗବତ୍-ଦର୍ଶନ । ସେ ସବୁ ଧର୍ମଯାଜକଙ୍କୁ ପଚାରନ୍ତି-ଆପଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି କି ? କେହି ଏ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ । ନରେନ୍ଦ୍ରନାଥ ଏଥିରେ ଅଧିକ କୌତୁହଳୀ ହୋଇ ଗଭୀରତର ସାଧନାରେ ମଗ୍ନ ହେଲେ । ରାତି ପରେ ରାତି ଧ୍ୟାନରେ ବିତିବାକୁ ଲାଗିଲା ।
ରାମକୃଷ୍ଣଙ୍କ ସାନ୍ନିଧ୍ୟରେ
ଯେଉଁ ରାମକୃଷ୍ଣଦେବଙ୍କ ସଙ୍ଗେ ତାଙ୍କ ଜୀବନ ଏତେ ନିବିଡ଼ ଭାବରେ ଜଡ଼ିତ, ଯାହାଙ୍କ ସଂସ୍ପର୍ଶରେ ଆସି ସେ ଈଶ୍ୱରଦର୍ଶନ କରିଥିଲେ, ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ହୋଇଥିଲେ ଏବଂ ଅନ୍ୟଙ୍କୁ ମଧ୍ୟ ଅଧ୍ୟାତ୍ମରାଜ୍ୟ ବିଷୟରେ ସାହାଯ୍ୟ କରିବାର ଶକ୍ତି ଅର୍ଜନ କରିଥିଲେ, ସେହି ଦେବମାନବଙ୍କ ସହିତ ସେତେବେଳକୁ ତାଙ୍କର ପରିଚୟ ହୋଇ ନ ଥାଏ । ଏହି ସମୟରେ ଦିନେ ଅପ୍ରତ୍ୟାଶିତ ଭାବରେ ନରେନ୍ଦ୍ର ଓ ଶ୍ରୀରାମକୃଷ୍ଣଦେବଙ୍କର ମିଳନ ହେଲା । ଏ ଯେପରି ପ୍ରାଚ୍ୟ ସଙ୍ଗେ ପାଶ୍ଚାତ୍ୟର ଓ ନବୀନ ସଂଗେ ପ୍ରବୀଣର ମିଳନ । ପ୍ରତିବେଶୀ ସୁରେନ୍ଦ୍ରନାଥ ମିତ୍ରଙ୍କ ଘରକୁ ପରମହଂସଦେବ ଆସିଥାଆନ୍ତି, ପରିଚିତ ଭକ୍ତମାନଙ୍କୁ ନେଇ ଗୋଟିଏ ଛୋଟ ଉତ୍ସବରେ ଆୟୋଜନ ହୋଇଥାଏ । ଗାୟକ ଅଭାବରୁ ଏହି ଉତ୍ସବରେ ଭଜନ ଗାଇବା ପାଇଁ ସୁରେନ୍ଦ୍ରନାଥ ପଡ଼ୋଶୀ ନରେନ୍ଦ୍ରଙ୍କୁ ଡକାଇ ପଠାଇଲେ । ପ୍ରାଣ ଢାଳି ଗାଇଲେ ନରେନ୍ଦ୍ରନାଥ । ଶ୍ରୀରାମକୃଷ୍ଣ ଗୀତ ଶୁଣି ମୁଗ୍ଧ । ନରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚମକି ଉଠିଲେ-‘ଏଇ ଯେ ସେହି ଅଖଣ୍ଡ ଘରର ଋଷି !’ ସାଗ୍ରହରେ ପାଖକୁ ଡାକିଲେ ଏବଂ ଦିନେ ଦକ୍ଷିଣେଶ୍ୱରକୁ ଯିବା ପାଇଁ ନରେନ୍ଦ୍ରଙ୍କୁ ଅନୁରୋଧ କଲେ ।
ଏହି ସମୟରେ ନରେନ୍ଦ୍ର ଏଫ. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପରୀକ୍ଷା ପରେ ବିଶ୍ୱନାଥ ଦତ୍ତ ତାଙ୍କର ବିବାହ ପାଇଁ ଉଦ୍ଯୋଗୀ ହେଲେ । କିନ୍ତୁ ନରେନ୍ଦ୍ରନାଥ ସ୍ପଷ୍ଟ ଜଣାଇ ଦେଲେ ଯେ, ‘ମୁଁ ବିବାହ କରିବି ନାହିଁ ।’ ସେତେବେଳକୁ ସେ ଅନ୍ତର୍ଦ୍ୱନ୍ଦରେ ବିଶେଷ ଜର୍ଜରିତ । ରାମଚନ୍ଦ୍ର ଦତ୍ତ ନରେନ୍ଦ୍ରଙ୍କର ଜ୍ଞାତିଭାଇ । ସେ ନରେନ୍ଦ୍ରଙ୍କର ମାନସିକ ଅବସ୍ଥା ବିଷୟରେ ଜାଣିପାରି କହିଲେ, ‘ଦେଖ ନରେନ୍, ଯଦି ଭଗବତ୍ ଲାଭ ହିଁ ତୁମ ଜୀବନର ଲକ୍ଷ୍ୟ ହୋଇଥାଏ, ତେବେ ଏଣେତେଣେ ନ ବୁଲି ଦକ୍ଷିଣେଶ୍ୱରରେ ଥିବା ପରମହଂସଦେବଙ୍କ ପାଖକୁ ଯାଅ, ଶାନ୍ତି ପାଇବ ।’ ନରେନ୍ଦ୍ରଙ୍କର ମନେପଡ଼ିଲା ପରମହଂସଙ୍କ ଆମନ୍ତ୍ରଣ କଥା । ସେ କେତେଜଣ ବନ୍ଧୁଙ୍କୁ ସଙ୍ଗରେ ନେଇ ଦିନେ ଦକ୍ଷିଣେଶ୍ୱରଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ପରମହଂସଦେବ ଅତ୍ୟନ୍ତ ଆନନ୍ଦିତ ହେଲେ । ଗୀତ ଗାଇବାକୁ ଅନୁରୋଧ କଲେ । ନରେନ୍ ମଧ୍ୟ ଦୁଇଟି ଗୀତ ଗାଇଲେ-‘ମନ ଚାଲ ନିଜ ନିକେତନ’ ଇତ୍ୟାଦି ଏବଂ ‘ଯିବ କି ହେ ଦିନ ମୋର ବିଫଳେ ଚାଲି’ ଇତ୍ୟାଦି ।
ଶ୍ରୀରାମକୃଷ୍ଣ ତାଙ୍କର ଯୋଗଦୃଷ୍ଟି ସହାୟରେ ଜାଣିପାରିଥିଲେ ଯେ ନରେନ୍ଦ୍ରନାଥ ହିଁ ସେହି ଅଖଣ୍ଡ ଘରର ଋଷି-ତାଙ୍କର ଯୁଗବାର୍ତ୍ତା ପ୍ରଚାର ପାଇଁ ଜଗତ ଆସିଛନ୍ତି । ଏହାପରେ ପୁଣି ଯେଉଁଦିନ ନରେନ୍ଦ୍ର ଦକ୍ଷିଣେଶ୍ୱର ଆସିଥିଲେ, ସେଦିନ ପରମହଂସଦେବ ତାଙ୍କୁ ଏକା ପାଇ ଭାବାବସ୍ଥାରେ ସ୍ପର୍ଶ କଲେ । ଏହା ଫଳରେ ନରେନ୍ଦ୍ରଙ୍କର ବାହ୍ୟଜ୍ଞାନ ଲୁପ୍ତ ହୋଇଗଲା । ସେହି ଅବସ୍ଥାରେ ପରମହଂସଦେବ ତାଙ୍କୁ ପଚାରିଲେ, ତୁମେ କିଏ, କେଉଁଠାରୁ ଆସିଛ, କାହିଁକି ଆସିଛ, କେତେଦିନ ରହିବ ?’ ଧ୍ୟାନାବସ୍ଥାରେ ନରେନ୍ଦ୍ର ଯାହା କହିଥିଲେ, ତାହା ଶୁଣି ପରମହଂସଦେବ ତାଙ୍କ ସମ୍ବନ୍ଧରେ ନିଶ୍ଚିନ୍ତ ହେଲେ ।
ସେହିଦିନଠାରୁ ନରେନ୍ଦ୍ରଙ୍କ ଧର୍ମଜୀବନର ଶିକ୍ଷାଦୀକ୍ଷା ଆରମ୍ଭ ହେଲା । ଦକ୍ଷିଣେଶ୍ୱରକୁ ତାଙ୍କର ଯାତାୟତ କ୍ରମେ ବଢ଼ି ଚାଲିଲା । ନରେନ୍ଦ୍ରଙ୍କ ବିଚାରଶୀଳ ମନ; ସେ ପରମହଂସଦେବଙ୍କର ପ୍ରତ୍ୟେକଟି କଥା ଓ ଆଚରଣ ପରଖି ନେଉଥାନ୍ତି । ତାଙ୍କୁ ମଧ୍ୟ ସେ ଏକ ପ୍ରଶ୍ନ ପଚାରିଥିଲେ, ‘ଆପଣ କଅଣ ଈଶ୍ୱରଙ୍କୁ ଦେଖିଛନ୍ତି ?’ ଶ୍ରୀରାମକୃଷ୍ଣ ତତ୍କ୍ଷଣାତ୍ ଉତ୍ତର ଦେଲେ, ‘ଦେଖିଛି କଅଣରେ ! କଥା ମଧ୍ୟ କହିଛି । ଏଇ ତତେ ଯେମିତି ଦେଖୁଛି ତା’ଠାରୁ ବି ଭଲଭାବେ ତାଙ୍କୁ ଦେଖିବାକୁ ପାଏ । ତୁ ଦେଖିବାକୁ ଚାହୁଁ ତ ତତେ ବି ଦେଖାଇଦେବି । କିନ୍ତୁ କେତେଜଣ ବା ଭଗବାନଙ୍କୁ ଦେଖିବାକୁ ଚାହାଁନ୍ତି ?’
ଶ୍ରୀରାମକୃଷ୍ଣଙ୍କର ଶିକ୍ଷା ଫଳରେ ନରେନ୍ଦ୍ର ବୁଝିଲେ ଯେ ପ୍ରତ୍ୟେକ ଧର୍ମ ହିଁ ସତ୍ୟ । ଶିବଜ୍ଞାନରେ ଜୀବସେବା ଭଗବାନଙ୍କର ଶ୍ରେଷ୍ଠ ପୂଜା । ତେଣୁ ସେ ପରବର୍ତ୍ତୀ କାଳରେ ଘୋଷଣା କରିଥିଲେ, ‘ବହୁ ରୂପେ ସମ୍ମୁଖେ ତୁମର, ଛାଡ଼ି କାହିଁ ଖୋଜୁଛ ଈଶ୍ୱର ! ଜୀବେ ପ୍ରେମ କରେ ଯେଉଁ ଜନ, ସେହି ଜନ ସେବଇ ଈଶ୍ୱର ।’ ଶ୍ରୀରାମକୃଷ୍ଣ କହୁଥିଲେ, ‘ନରେନ୍ଦ୍ରର ଖୁବ୍ ଉଚ୍ଚ ଘର । ନିରାକାରର ଘର । ଦିନେ ପ୍ରସିଦ୍ଧ ବ୍ରାହ୍ମନେତା କେଶବଚନ୍ଦ୍ର ସେନ୍ ଓ ବିଜୟକୃଷ୍ଣ ଗୋସ୍ୱାମୀଙ୍କ ସଙ୍ଗେ ତୁଳନା କରି ସେ କହିଥିଲେ, କେଶବ ଓ ବିଜୟ, ଏ ଦୁଇଜଣଙ୍କ ଅନ୍ତରରେ ଈଶ୍ୱରୀୟ ଜ୍ଞାନ ପ୍ରଦୀପ ପରି ଜଳୁଛି, ଆଉ ନରେନ୍ ଭିତରେ ସେ ଜ୍ଞାନର ଦୀପ୍ତି ସୂର୍ଯ୍ୟପରି ତେଜୀୟାନ୍ ।’
୧୮୮୫ ଖ୍ରୀଷ୍ଟାବ୍ଦରେ ବି. ଏ. ପରୀକ୍ଷା ପରେ ନରେନ୍ଦ୍ରଙ୍କ ପିତାଙ୍କର ହଠାତ୍ ମୃତ୍ୟୁ ହେଲା । ପିତା ତ କିଛି ରଖିଯାଇ ନ ଥିଲେ, ବରଂ କିଛି ଋଣ ଥିଲା । ମା’, ଭାଇ, ଭଉଣୀଙ୍କର ଶୁଖିଲା ମୁହଁ ଆଡ଼କୁ ଚାହିଁ, ଆଖିଲୁହ ପୋଛି ନରେନ୍ଦ୍ର ବାହାରନ୍ତି ଚାକିରୀ ଅନୁସନ୍ଧାନରେ । ଅନେକ ଚେଷ୍ଟା ପରେ ସାମାନ୍ୟ ସ୍କୁଲ ଶିକ୍ଷକତା ବା ବହିର ଅନୁବାଦ ଇତ୍ୟାଦି କାମ କରି କୌଣସି ପ୍ରକାର ସଂସାର ଚଳାଇବାକୁ ଲାଗିଲେ । କିନ୍ତୁ ତହିଁରେ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଲା ନାହିଁ । ନାନା ପ୍ରତିକୂଳ ଅବସ୍ଥା ଭିତରେ ମଧ୍ୟ ନରେନ୍ଦ୍ରଙ୍କ ବିବେକ, ବୈରାଗ୍ୟ, ଭଗବଦ୍ବିଶ୍ୱାସ, ଅନୁରାଗ ତିଳେ ହେଲେ କମି ନ ଥାଏ । ନିରୁପାୟ ହୋଇ ସେ ଦକ୍ଷିଣେଶ୍ୱରକୁ ଶ୍ରୀରାମକୃଷ୍ଣଦେବଙ୍କ ପାଖକୁ ଗଲେ । ପ୍ରାର୍ଥନାସ୍ୱରରେ କହିଲେ, ‘ଆପଣଙ୍କୁ ଏହାର ଗୋଟିଏ ପ୍ରତିକାର କରିଦେବାକୁ ହେବ ।’ ଶ୍ରୀରାମକୃଷ୍ଣଙ୍କ ଆଶୀର୍ବାଦରୁ ସେମାନଙ୍କର ମୋଟା ଭାତ ଓ ଲୁଗାର ସଂସ୍ଥାନ ହେଲା । ଏଣେ ନରେନ୍ଦ୍ରଙ୍କ ଜୀବନରେ ଆସିଲା ବିପୁଳ ପରିବର୍ତ୍ତନ । ଯେଉଁ ନରେନ୍ଦ୍ର ପ୍ରତିମାପୂଜାର ବିରୋଧୀ ଥିଲେ, ସେ ଦର୍ଶନ କଲେ ପାଷାଣପ୍ରତିମା ମଧ୍ୟରେ ଚୈତନ୍ୟରୂପିଣୀ ଭବତାରିଣୀଙ୍କୁ । ସେ ବିଚାର ତର୍କ ସବୁ ଛାଡ଼ି ଶ୍ରୀରାମକୃଷ୍ଣଙ୍କ ଚରଣରେ ଆତ୍ମସମର୍ପଣ କଲେ । ଈଶ୍ୱରଲାଭ ପାଇଁ ତୀବ୍ର ଆକାଙ୍କ୍ଷା ଓ ଶ୍ରୀରାମକୃଷ୍ଣଙ୍କର କୃପାହେତୁ ତାଙ୍କ ମନ କ୍ରମେ ନିର୍ବିକଳ୍ପ ସମାଧିଭୂମିରେ ଅଧିରୂଢ଼ ହେଲା ।
୧୮୮୫ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ପରମହଂସଦେବଙ୍କ ଗଳଦେଶରେ କ୍ୟାନସର୍ ରୋଗର ସୂତ୍ରପାତ ହୁଏ । ଚିକିତ୍ସା ନିମିତ୍ତ ତାଙ୍କୁ ଶ୍ୟାମପୁକୁର ଓ ପରେ କାଶୀପୁରକୁ ଅଣା ହେଲା । ଅନ୍ୟାନ୍ୟ ଗୁରୁଭାଇମାନଙ୍କୁ ନେଇ ନରେନ୍ଦ୍ର ଗୁରୁସେବାରେ ଆତ୍ମନିୟୋଗ କଲେ । ସଂଗେ ସଂଗେ ଚାଲିଲା ଧ୍ୟାନଜପ ଓ ତୀବ୍ର ସାଧନା । ସେ ନିଜେ ଧୁନି ଜଲାଇ ସାରା ରାତି ଧ୍ୟାନ କରୁଥାନ୍ତି । ଆହାରନିଦ୍ରାରେ ଉଦାସୀନ ହୋଇ କଠୋର ସାଧନାରେ ସେ ବୁଡ଼ି ରହିଲେ । କହିଲେ, ‘ଏହି ମହାପୁରୁଷ ଥାଉଁ ଥାଉଁ ଧର୍ମ ଜୀବନରେ ପ୍ରତିଷ୍ଠିତ ହେବାକୁ ହେବ । ଶ୍ରୀରାମକୃଷ୍ଣ ମଧ୍ୟ ବିଭିନ୍ନ ସାଧନାରେ ନରେନ୍ଦ୍ରଙ୍କୁ ସିଦ୍ଧ କଲେ । ତାଙ୍କ ଜୀବନରେ ଅନେକ ଉଚ୍ଚ ଆଧ୍ୟାତ୍ମିକ ଅନୁଭୂତିର ବିକାଶ ହେବାକୁ ଲାଗିଲା । ଦିନେ ସେ ଶ୍ରୀରାମକୃଷ୍ଣଦେବଙ୍କୁ ଧରି ବସିଲେ, କହିଲେ, ‘ମୁଁ ଶୁକଦେବଙ୍କ ପରି ନିର୍ବିକଳ୍ପ ସମାଧିଦ୍ୱାରା ସଚ୍ଚିଦାନନ୍ଦ ସାଗରରେ ବୁଡ଼ି ଯିବାକୁ ଚାହେଁ ।’ ନରେନ୍ଦ୍ରଙ୍କର ପ୍ରାର୍ଥନା ଶୁଣି ପରମହଂସଦେବ କହି ଉଠିଲେ, ‘ଛି ! ଛି ! ତୁ ଏତେବଡ଼ ଆଧାର ! ତୋ ମୁହଁରେ ଏଇ କଥା ! ତୁ ଖାଲି ନିଜର ମୁକ୍ତି ଚାହୁଁ !‘ ପରେ ଶ୍ରୀରାମକୃଷ୍ଣ କହିଥିଲେ, ଆଚ୍ଛା ଯା’, ମା’ର ଇଚ୍ଛା ହେଲେ ତାହା ହିଁ ହେବ ।’ ଏହାର କିଛିଦିନ ପରେ ଏକ ସନ୍ଧ୍ୟାରେ କାଶୀପୁରଠାରେ ନରେନ୍ଦ୍ର ଧ୍ୟାନରେ ବସିଛନ୍ତି; କ୍ରମେ ତାଙ୍କର ବାହ୍ୟଜ୍ଞାନ ଲୁପ୍ତ ହେଲା । ଦେହରେ ପ୍ରାଣର ଚିହ୍ନମାତ୍ର ରହିଲା ନାହିଁ । ନିର୍ବିକଳ୍ପ ସମାଧିରେ ସେ ସ୍ଥିର ହୋଇଗଲେ । ଅନେକ କ୍ଷଣ ପରେ ଜୀବକଲ୍ୟାଣରୂପକ ଏକମାତ୍ର ଭାବନା ଅବଲମ୍ବନ କରି ନରେନ୍ଦ୍ରଙ୍କର ମନ ନିର୍ବିକଳ୍ପ-ଭୂମିରୂ ଜୀବ-ଭୂମିକୁ ଖସି ଆସିଲା । ‘ବହୁଜନହିତାୟ’ କର୍ମର ବାସନା ତାଙ୍କ ମନରେ ଜାଗି ଉଠିଲା । ନରେନ୍ଦ୍ର ପରମହଂସଦେବଙ୍କ ନିକଟକୁ ଯିବାମାତ୍ରେ ସେ ଆନନ୍ଦରେ ଉଛୁଳି ପଡ଼ିଲେ । କହିଲେ, ‘ଏଥର ତ ମା’ ତୋତେ ସବୁ ଦେଖାଇଦେଲେ, କିନ୍ତୁ ବର୍ତ୍ତମାନ ସେସବୁ ଚାବି ପଡ଼ି ରହିଲା । ତୋତେ ମା’ଙ୍କର ଅନେକ କାମ କରିବାକୁ ହେବ । କାମ ଶେଷ ହେଲେ ପୁଣି ଏହି ଅବସ୍ଥା ଫେରି ପାଇବୁ ।’ ଶ୍ରୀରାମକୃଷ୍ଣ ହିଁ ତାଙ୍କୁ ନିୟୋଜିତ କରିଥିଲେ ଜଗତର ହିତ ସାଧନରେ ।
ନରେନ୍ଦ୍ରନାଥ ପ୍ରାୟ ଛଅବର୍ଷକାଳ ଶ୍ରୀରାମକୃଷ୍ଣଙ୍କର ସଙ୍ଗଲାଭ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ କୃପାରୁ ନରେନ୍ଦ୍ରଙ୍କର ଆଧ୍ୟାତ୍ମିକ ଜୀବନର ପୂର୍ଣ୍ଣ ବିକାଶ ହୋଇଥିଲା । ସେ ନିଃସନ୍ଦେହରେ ବୁଝିପାରିଥିଲେ ରାମଚନ୍ଦ୍ର, ଶ୍ରୀକୃଷ୍ଣ, ବୁଦ୍ଧ, ଯୀଶୁଖ୍ରୀଷ୍ଟ ଓ ଶ୍ରୀଚୈତନ୍ୟଙ୍କ ପରି ଶ୍ରୀରାମକୃଷ୍ଣ ମଧ୍ୟ ଭଗବାନଙ୍କର ଅବତାର । ଧର୍ମର ଗ୍ଳାନି ଦୂର କରି ସମଗ୍ର ବିଶ୍ୱରେ ସାର୍ବଜନୀନ ଉଦାର ଆଧ୍ୟାତ୍ମିକ ସତ୍ୟର ଆଲୋକ ଦେଖାଇବାକୁ ହିଁ ତାଙ୍କର ଜନ୍ମ । ଶ୍ରୀରାମକୃଷ୍ଣ ତାଙ୍କର ଅସମାପ୍ତ କାର୍ଯ୍ୟଭାର ନରେନ୍ଦ୍ରଙ୍କ ଉପରେ ଅର୍ପଣ କରି ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୬ ତାରିଖ ସୋମବାର ମହାନିଶାରେ ସମାଧିଯୋଗେ ଶରୀର ତ୍ୟାଗ କରି ସ୍ୱଧାମକୁ ଚାଲିଗଲେ ।
ବରାହନଗର ମଠରେ
ଦେହତ୍ୟାଗର କିଛିଦିନ ପୂର୍ବରୁ ଶ୍ରୀରାମକୃଷ୍ଣ ନରେନ୍ଦ୍ରାଦି କେତେଜଣ ଯୁବକ ଭକ୍ତଙ୍କୁ ତ୍ୟାଗ-ମନ୍ତ୍ରରେ ଦୀକ୍ଷିତ କରିଥିଲେ । ତାଙ୍କର ତିରୋଧାନ ପରେ ନରେନ୍ଦ୍ର ଯୁବକ ଗୁରୁଭାଇମାନଙ୍କୁ ଏକତ୍ରିତ କରି ବରାହନଗରରେ ଗୋଟିଏ ପରିତ୍ୟକ୍ତ ଭଙ୍ଗା ଘର ଭଡ଼ା ନେଇ ମଠ ସ୍ଥାପନ କଲେ । ଶ୍ରୀରାମକୃଷ୍ଣଦେବଙ୍କର ପୂଜାଦି ପ୍ରବର୍ତ୍ତିତ ହେଲା । ଗୁରୁଦେବଙ୍କର ସାଧନାକୁ ନିଜ ଜୀବନରେ ଫୁଟାଇ ତୋଳିବା ପାଇଁ ସେମାନେ ତୀବ୍ର ତପସ୍ୟା, ଶାସ୍ତ୍ରାନୁଶୀଳନ, ଭଜନ, କୀର୍ତ୍ତନ ଓ ବିଦ୍ୟାଚର୍ଚ୍ଚାରେ ବ୍ରତୀ ହେଲେ । ଶ୍ରୀରାମକୃଷ୍ଣ-ତ୍ୟାଗୀସଂଘର ଭିତ୍ତିସ୍ଥାପନ ହେଲା ସେହି ବରାହନଗର ମଠରେ । ୧୮୮୭ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ନରେନ୍ଦ୍ର ଗୁରୁଭାଇମାନଙ୍କ ମଧ୍ୟରୁ କେତେଜଣଙ୍କ ସହିତ ବିରଜା ହୋମ କରି ସନ୍ନ୍ୟାସ ନେଲେ ଓ ନୂତନ ନାମ ଓ ବେଶରେ ଭୂଷିତ ହେଲେ । ଜୀବନର ନୂତନ ବ୍ରତ ହେଲା ତାଙ୍କ ଜୀବନର ନୂତନ ବ୍ରତ ହେଲା 'ଆତ୍ମନୋ ମୋକ୍ଷାର୍ଥ ଜଗଦ୍ଦିତାୟ ଚ' ।'[୫]
ପରିବ୍ରାଜକ ବିବେକାନନ୍ଦ
ପ୍ରାୟ ଦୁଇ ବର୍ଷ କାଳ ବରାହନଗର ମଠରେ ସାଧନ ଭଜନରେ ଅତିବାହିତ କରିବା ପରେ ମଠକୁ କିଞ୍ଚିତ୍ ସୁପ୍ରତିଷ୍ଠିତ ଦେଖି ସ୍ୱାମୀଜୀ ଦଣ୍ଡ-କମଣ୍ଡଳୁଧାରୀ କପର୍ଦକ ଶୂନ୍ୟ ଅବସ୍ଥାରେ ପ୍ରବ୍ରଜ୍ୟାରେ ବାହାରିଲେ । ବାରାଣସୀ, ଅଯୋଧ୍ୟା, ଲକ୍ଷ୍ନୌ, ଆଗ୍ରା, ବୃନ୍ଦାବନ ଓ ହରିଦ୍ୱାର ପ୍ରଭୃତି ଦର୍ଶନ କଲେ । ଏହି ଭ୍ରମଣ ମାଧ୍ୟମରେ ସେ ଅନେକ କିଛି ଶିଖିଥିଲେ ଏବଂ ତାଙ୍କ ଅନ୍ତର ମଧ୍ୟରେ ଶ୍ରୀରାମକୃଷ୍ଣ-ଅର୍ପିତ ଭବିଷ୍ୟତ କର୍ମପଦ୍ଧତି ଗୋଟିଏ ସକ୍ରିୟ ରୂପ ନେଇଥିଲା । ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସୁସ୍ପଷ୍ଟ ଛବି ଭାସି ଉଠୁଥିଲା ତାଙ୍କର ଯୋଗଜ ଦୃଷ୍ଟି ସମ୍ମୁଖରେ । ଅଶିକ୍ଷା, ଅନାହାର ଓ ନଗ୍ନତାକ୍ଳିଷ୍ଟ କୋଟି କୋଟି ଭାରତବାସୀଙ୍କର ଦୁଃଖଦୁର୍ଦ୍ଦଶା ଦେଖି ତାଙ୍କର ବିଶାଳ ହୃଦୟ ମଥିତ ହେଉଥିଲା ଏବଂ ତାହାର ପ୍ରତିକାର ଚିନ୍ତାରେ ସେ ଅସ୍ଥିର ହେଉଥିଲେ ।
କିଛିଦିନ ପରେ ଶାରୀରିକ ଅସୁସ୍ଥତା ପାଇଁ ସେ ବରାହନଗର ମଠକୁ ଫେରି ଆସିଲେ । ପୁନରାୟ ୧୮୯୦ ଖ୍ରୀଷ୍ଟାବ୍ଦ ଜୁଲାଇ ମାସରେ ସେ ନିଷ୍କ୍ରାନ୍ତ ହେଲେ ପରିବ୍ରଜ୍ୟାରେ । ବୈଦ୍ୟନାଥ, ବାରାଣସୀ, ଅଯୋଧ୍ୟା ହୋଇ ହିମାଳୟସ୍ଥ ଆଲମୋଡ଼ାରେ କିଛି ଦିନ ତପସ୍ୟା କରି କଟାଇଲେ । ପରେ ଅଳକାନନ୍ଦା, ମନ୍ଦାକିନୀ ଓ ଭାଗିରଥି ତୀରରେ ତପସ୍ୟାରେ କିଛିମାସ ଅତିବାହିତ କରି ଆସିଲେ ହୃଷୀକେଶକୁ । ସେଠାରେ କିଛିଦିନ ତୀବ୍ର ତପସ୍ୟା କରି କଟାଇବା ପରେ ସ୍ୱାମୀଜୀ ମରଣାପନ୍ନ ରୋଗରେ ଆକ୍ରାନ୍ତ ହେଲେ ।
ହିମାଳୟ ପରେ ମିରଟ୍ । ସେତେବେଳକୁ ଦୁଇଜଣ ଗୁରୁଭ୍ରାତା ତାଙ୍କ ସଙ୍ଗେ ମିଳିତ ହୋଇଥାଆନ୍ତି । ତୀବ୍ର ତପସ୍ୟା, ଶାସ୍ତ୍ରାଲୋଚନା ଓ ଜନସାଧାରଣଙ୍କୁ ଧର୍ମୋପଦେଶ ଦେବାରେ ତିନିମାସ କଟି ଗଲା । ସେ ଅନ୍ତର ମଧ୍ୟରେ ବୃହତ୍ତର କର୍ତ୍ତବ୍ୟର ଆହ୍ୱାନ ଶୁଣିବାକୁ ପାଇଲେ । ଗୁରୁଭାଇମାନଙ୍କର ସଙ୍ଗ ତ୍ୟାଗ କରି ଏକାକୀ ବାହାରିପଡ଼ିଲେ । ଭାରତର ସହସ୍ର ସହସ୍ର ସନ୍ନ୍ୟାସୀଙ୍କ ପରି ସେ ଜଣେ ଅଖ୍ୟାତ, ଅଜ୍ଞାତ ପରିବ୍ରାଜକ ସନ୍ନ୍ୟାସୀ ମାତ୍ର । ମିରଟ୍ ପରେ ଦିଲ୍ଲୀ, ରାଜପୁତାନା, ଜୟପୁର, ଖେତଡ଼ି, ଆଜମୀର, ମାଉଣ୍ଟ୍ଆବୁ, ଅହମଦାବାଦ, ଜୁନାଗଡ଼, କାଠିଆବାଡ଼ । ଦେଖିଲେ ରାଜାମାନଙ୍କର ବିଳାସିତା, ପ୍ରଜାମାନଙ୍କର ଦୁଃଖଦାରିଦ୍ର୍ୟ । ସେ ସବୁ ସ୍ତରର ଲୋକଙ୍କ ସଙ୍ଗରେ ମିଶୁଥିଲେ । ପ୍ରଜାମାନଙ୍କର ଦୁର୍ଦ୍ଦଶାର ପ୍ରତିକାର ପାଇଁ ରାଜାମାନଙ୍କୁ ଉଦ୍ବୁଦ୍ଧ କରୁଥିଲେ । ଯୁବକମାନଙ୍କୁ କ୍ଷୁଦ୍ର ସ୍ୱାର୍ଥ ତ୍ୟାଗ କରି ଭାରତମାତାର ସେବାରେ ଆତ୍ମନିୟୋଗ ପାଇଁ ଉତ୍ସାହ ଦେଉଥିଲେ । ସମାଜର ଅବହେଳିତ ଦୀନଦରିଦ୍ରଙ୍କୁ ଶୁଣାଉଥିଲେ ଆତ୍ମବିଶ୍ୱାସ ଓ ଆଶାର ବାଣୀ । ଏହି ତରୁଣ ପରିବ୍ରାଜକଙ୍କ ଭକ୍ତି ବୈରାଗ୍ୟଦୀପ୍ତ ଶାନ୍ତମୂର୍ତ୍ତି, ଅଗାଧ ଶାସ୍ତ୍ରଜ୍ଞାନ, ଉଦାରଭାବ, ବାଗ୍ମିତା ଓ ଉଦ୍ବେଳ ଦେଶପ୍ରେମ ସମସ୍ତଙ୍କୁ ମୁଗ୍ଧ କରୁଥିଲା ।
ସେହି ଭ୍ରମଣର ଦିନଗୁଡ଼ାକ ତାଙ୍କ ପାଇଁ ଥିଲା ମହାଶିକ୍ଷାର ଦିନ । ଧର୍ମଭୂମି ଭାରତର ଯେଉଁ ଚିନ୍ତାଧାରା ଚାରିଦିଗରେ ବିକ୍ଷିପ୍ତ ଥିଲା, ସେଗୁଡ଼ିକ ସେ ସଂଗ୍ରହ କଲେ । ଧର୍ମ ମଧ୍ୟରେ ପାଇଲେ ଶାଶ୍ୱତ ଐକ୍ୟ । ବିଭିନ୍ନ ଧର୍ମର ମୂଳଉତ୍ସର ସନ୍ଧାନ ମଧ୍ୟ ସେ ପାଇଲେ । ଧର୍ମସ୍ରୋତର କର୍ଦ୍ଦମାକ୍ତ ଅବସ୍ଥାକୁ ସେ ବେଦନାଭରା ପ୍ରାଣରେ ଲକ୍ଷ୍ୟ କଲେ । ସେହି ରୁଦ୍ଧ ସ୍ରୋତକୁ ଗତିଶୀଳ ଓ ନିର୍ମଳ କରିବାର ପନ୍ଥା ମଧ୍ୟ ତାଙ୍କ ପ୍ରାଣରେ ରୂପାୟିତ ହେଲା । ସର୍ବୋପରି ଦେଶବାସୀଙ୍କର ଦାରିଦ୍ର୍ୟ ଓ ଅଜ୍ଞତା ତାଙ୍କ ପ୍ରାଣକୁ ଅସ୍ଥିର କରି ତୋଳିଲା । ଏସବୁର ପ୍ରତିକାର ଚିନ୍ତା ତାଙ୍କର ସମଗ୍ର ମନପ୍ରାଣକୁ ଅଧିକାର କଲା ।
ପୋରବନ୍ଦରଠାରେ ସେ ରାଜାଙ୍କର ଅତିଥି ହୋଇ କେତେମାସ ରହିଥିଲେ । ଦେୱାନ ପଣ୍ଡିତ ଶଙ୍କର ପଣ୍ଡୁରଙ୍ଗାଙ୍କୁ ବେଦର ଅନୁବାଦ କରିବାରେ ସାହାଯ୍ୟ କରୁଥିଲେ । ବିନିମୟରେ ତାଙ୍କଠାରୁ ପତଞ୍ଜଳିଙ୍କର ମହାଭାଷ୍ୟ ପାଠ ସମାପ୍ତ କରି ଫରାସୀ ଭାଷା ଶିକ୍ଷା କଲେ । ପରେ ଦ୍ୱାରକା, ପାଲିତାନା, ବରୋଦା, ଖଣ୍ଡୋଆ ଆଦି ସ୍ଥାନ ଭ୍ରମଣ କଲେ । ଏହିଠାରେ ଚିକାଗୋ ଧର୍ମସଭା ବିଷୟ ପ୍ରଥମେ ଶୁଣି ଏହି ସମ୍ମିଳନୀରେ ଯୋଗଦାନ କରିବା ପାଇଁ ତାଙ୍କର ଇଚ୍ଛା ହେଲା । ବହୁ ବିଶିଷ୍ଟ ଲୋକ ମଧ୍ୟ ତାଙ୍କୁ ପଶ୍ଚାତ୍ୟରେ ବେଦାନ୍ତଧର୍ମ ପ୍ରଚାର କରିବାକୁ ଯିବା ପାଇଁ ଅନୁରୋଧ ଜଣାଇଲେ । ସେ କିନ୍ତୁ ରାମେଶ୍ୱର ଦର୍ଶନ କରିବା ପାଇଁ ଆଗେଇ ଚାଲିଲେ । ବମ୍ବେ, ପୁନା, ବେଲଗାଓଁ, ବାଙ୍ଗାଲୋର, ମହୀଶୂର, କୋଚିନ, ତ୍ରିଭେନ୍ଦ୍ରମ, ମଦୁରା ଓ ରାମେଶ୍ୱର । ଏହି ତରୁଣ ଯତି ସର୍ବତ୍ର ହିଁ ବିଶେଷ ସମାଦୃତ ହେଉଥାନ୍ତି । ଅନନ୍ତର ସେ ଆସିଲେ ଦେବତୀର୍ଥ କନ୍ୟାକୁମାରୀକୁ । ଦେବୀଙ୍କ ଚରଣରେ ଭକ୍ତିଅର୍ଘ୍ୟ ନିବେଦନ କରି ସେ ଭୁଲୁଣ୍ଠିତ ହେଲେ । ଏକ ଅନିର୍ବଚନୀୟ ଆନନ୍ଦରେ ତାଙ୍କର ଅନ୍ତର ଭରିଗଲା । ମନ୍ଦିରର ଅଦୂରରେ ଭାରତର ଶେଷ ଶିଳାଖଣ୍ଡ ଉପରେ ବସି ସେ ଗଭୀର ଧ୍ୟାନମଗ୍ନ ହେଲେ । ପାଇଲେ ନୂତନ ଆଲୋକ । ଲକ୍ଷ ଲକ୍ଷ ଦରିଦ୍ର ଭାରତବାସୀଙ୍କର ପ୍ରତିନିଧିରୂପେ ସେ ପାଶ୍ଚାତ୍ୟ ଦେଶକୁ ଯିବାର ସଂକଳ୍ପ କଲେ । ଅଶ୍ରୁସିକ୍ତ ବିବେକାନନ୍ଦ ଦେଶମାତୃକାଙ୍କ ଚରଣରେ ପ୍ରଣାମ କରି କହିଲେ, ‘ଜନନୀ ! ମୁଁ ମୁକ୍ତି ଚାହୁଁ ନାହିଁ । ତୁମରି ସେବା ହିଁ ମୋ ଜୀବନର ଏକମାତ୍ର ବ୍ରତ ।’
କନ୍ୟାକୁମାରୀଠାରୁ ସ୍ୱାମୀଜୀ ଆସିଲେ ମାନ୍ଦ୍ରାଜ । ଆଗମନ ପୂର୍ବରୁ ହିଁ ତାଙ୍କର ଯଶୋଗାଥା ପହଞ୍ଚି ଯାଇଥିଲା । ସହର ମଧ୍ୟରେ ବିପୁଳ ଉଦ୍ଦୀପନାର ସଞ୍ଚାର ହେଲା । ଦଳେ ଦଳେ ଛାତ୍ର ଓ ଅଧ୍ୟାପକ ଆସୁଥାନ୍ତି । ନବୀନ ସନ୍ୟାସୀଙ୍କ ମୁହଁରେ ନବଜାଗରଣବାଣୀ ଶୁଣି ସମସ୍ତେ ମୁଗ୍ଧ । ମାନ୍ଦ୍ରାଜର ବିଶିଷ୍ଟ ନାଗରିକଗଣ ମଧ୍ୟ ସ୍ୱାମୀଜୀଙ୍କୁ ହିନ୍ଦୁଧର୍ମର ପ୍ରତିନିଧିରୂପେ ଆମେରିକା ପଠାଇବା ନିମିତ୍ତ ମହାଉତ୍ସାହରେ ଟଙ୍କା ଚାନ୍ଦା କରିବାକୁ ଲାଗିଲେ । ଠିକ୍ ଏହି ସମୟରେ ସ୍ୱାମୀଜୀ ଶ୍ରୀରାମକୃଷ୍ଣଙ୍କର ଇଚ୍ଛା ମଧ୍ୟ ଜାଣିପାରିଲେ ଏକ ଅଭାବନୀୟ ଉପାୟରେ । ଦିନେ ରାତ୍ରିରେ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ସେ ସ୍ୱପ୍ନ ଦେଖିଲେ ଯେ ଶ୍ରୀରାମକୃଷ୍ଣ ଜ୍ୟୋତିର୍ମୟ ଦେହରେ ସମୁଦ୍ର ତୀରରୁ ଉତ୍ତାଳ ତରଙ୍ଗ ଉପର ଦେଇ ଚାଲିଛନ୍ତି ଏବଂ ସ୍ୱାମୀଜୀଙ୍କୁ ମଧ୍ୟ ଅନୁସରଣ କରିବା ପାଇଁ ଇଙ୍ଗିତ କରୁଛନ୍ତି । ସଙ୍ଗେ ସଙ୍ଗେ ଦୈବବାଣୀ ଶୁଣିଲେ-‘ଯାଅ’ । ଶ୍ରୀରାମକୃଷ୍ଣଙ୍କର ଇଚ୍ଛା ଜାଣିପାରି ସେ ପାଶ୍ଚାତ୍ୟ ଦେଶକୁ ଯିବା ସ୍ଥିର କଲେ । ଟଙ୍କା ପଇସାର ସବୁ ବ୍ୟବସ୍ଥା ହୋଇଗଲା । ବମ୍ବେରୁ ୧୮୯୩ ଖ୍ରୀଷ୍ଟାବ୍ଦ ମେ ମାସ ୩୧ ତାରିଖରେ ସେ ଆମେରିକା ଅଭିମୁଖେ ଯାତ୍ରା କଲେ ।
ପ୍ରଥମ ପାଶ୍ଚାତ୍ୟ ଭ୍ରମଣ
ଜଳପଥରେ ଭାରତର ଦକ୍ଷିଣ ଉପକୂଳ ଘୂରି ସିଙ୍ଗାପୁର, ହଂକଂ, ଚୀନ, ଜାପାନ ଓ ପ୍ରଶାନ୍ତ ମହାସାଗର ହୋଇ କାନାଡ଼ାର ଦକ୍ଷିଣ ପଶ୍ଚିମ ଉପକୂଳରେ ଭାଙ୍କୋଭର ବନ୍ଦରରେ ସେ ଜୁଲାଇ ମାସର ମଧ୍ୟଭାଗରେ ଅବତରଣ କଲେ । ତା’ପରେ ଟ୍ରେନ୍ରେ ଚିକାଗୋରେ ପହଞ୍ଚି କେତେଦିନ ଧରି ବିଶ୍ୱମେଳା ଦେଖିଲେ । ସେହିଠାରେ ଖବର ପାଇଲେ ଯେ ଧର୍ମମହାସଭା ଆରମ୍ଭ ହେବାକୁ ସେତେବେଳକୁ ପ୍ରାୟ ୨ ମାସ ବାକି; ତା’ ଛଡ଼ା ପ୍ରତିନିଧି ହେବାର ଶେଷ ତାରିଖ ମଧ୍ୟ ଅତିକ୍ରାନ୍ତ ହୋଇଯାଇଛି । ସହରରେ ବହୁତ ଖର୍ଚ୍ଚ । ପାଖରେ ଯାହା ସମ୍ବଳ ଅଛି, ତା’ ଅଳ୍ପଦିନ ମଧ୍ୟରେ ହିଁ ଶେଷ ହୋଇଯିବ । ସେ ବିଶେଷ ଚିନ୍ତିତ ହୋଇ ପଡ଼ିଲେ । ତାହାହେଲେ କଅଣ ଏହିପରି ଭାବରେ ଫେରିଯିବାକୁ ହେବ ! ନିଶ୍ଚୟ ନୁହେଁ, ସେ ତ ଆସିଛନ୍ତି ଭଗବାନଙ୍କର ନିର୍ଦ୍ଦେଶରେ । ଖର୍ଚ୍ଚ ବଞ୍ଚାଇବା ପାଇଁ ସେ ବୋଷ୍ଟନ ପାଖରେ ଗୋଟିଏ ସହରରେ କିଛିଦିନ କଟାଇ ଆସିଲେ । ଅନେକେ ତାଙ୍କ ପ୍ରତି ଆକୃଷ୍ଟ ହେଲେ । କେତୋଟି ସମିତିରେ ସେ ବକ୍ତୃତା ମଧ୍ୟ ଦେଲେ । ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମି: ରାଇଟ୍ ତିନିଘଣ୍ଟା ବାକ୍ୟାଳାପ ପରେ ସ୍ୱାମୀଜୀଙ୍କର ଗଭୀର ପାଣ୍ଡିତ୍ୟ ଓ ବିରାଟ ବ୍ୟକ୍ତିତ୍ୱ ପ୍ରତି ଏତେଦୂର ଆକୃଷ୍ଟ ହେଲେ ଯେ ସେ ସ୍ୱତଃପ୍ରଣୋଦିତ ହୋଇ ତାଙ୍କର ବିଶ୍ୱଧର୍ମ-ସମ୍ମିଳନୀରେ ଯୋଗଦାନର ସମସ୍ତ ବ୍ୟବସ୍ଥା କରିଦେଲେ । ସମ୍ମିଳନୀର କର୍ତ୍ତୃପକ୍ଷଙ୍କ ପାଖକୁ ସ୍ୱାମୀଜୀଙ୍କର ପରିଚୟ- ପତ୍ରରେ ଲେଖିଲେ, ‘ଏ ଏପରି ଜଣେ ବ୍ୟକ୍ତି ଯାହାଙ୍କର ପାଣ୍ଡିତ୍ୟ ଆମ ସମସ୍ତ ଅଧ୍ୟାପକଙ୍କର ସମ୍ମିଳିତ ପାଣ୍ଡିତ୍ୟଠାରୁ ମଧ୍ୟ ବେଶୀ ।’
୧୧ ତାରିଖ ସେପେଫମ୍ବର ( ଖ୍ରୀ: ୧୮୯୩) ଚିକାଗୋ ଧର୍ମମହାସଭା ଆରମ୍ଭ ହେଲା । ସ୍ୱାମୀ ବିବେକାନନ୍ଦ ସେଦିନ ସନାତନ ବୈଦିକ ଧର୍ମ ତଥା ଭାରତକୁ ଜଗତସଭାର ଶ୍ରେଷ୍ଠ ଆସନରେ ବସାଇଲେ । ସେଦିନ କେବଳ ନବଯୁଗର ସୂଚନାର ଦିନ ନୁହେଁ, ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନର ଦିନ । ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମର ପ୍ରବୀଣ ପ୍ରତିନିଧିବୃନ୍ଦ ସଭାମଣ୍ଡପରେ ଉପସ୍ଥିତ, ଆଉ ସଭାଗୃହରେ ୬/୭ ହଜାର ବିଶିଷ୍ଟ ନାଗରିକଙ୍କର ସମାବେଶ । କେତେଜଣ ପ୍ରତିନିଧିଙ୍କ ବକ୍ତୃତା ପରେ ତେଜୋଦୀପ୍ତ ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ଦେବୀ ସରସ୍ୱତୀଙ୍କୁ ପ୍ରଣାମ କରି ଦୀପ୍ତ କଣ୍ଠରେ ସଭାକୁ ସମ୍ବୋଧନ କରି କହି ଉଠିଲେ, ‘ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ’-ସଙ୍ଗେ ସଙ୍ଗେ କେତେ ମିନିଟ୍ ଧରି ତୁମୂଳ କରତାଳି ଧ୍ୱନି ତାଙ୍କୁ ଅଭିନନ୍ଦିତ କଲା । ସ୍ୱାମୀଜୀଙ୍କର ସେହି ସମ୍ବୋଧନ ମଧ୍ୟରେ ଥିଲା ଅନ୍ତରର ସ୍ପର୍ଶ-ବିଶ୍ୱମାନବତାର ଝଙ୍କାର ଓ ବିଶ୍ୱଭ୍ରାତୃତ୍ୱର ବୀଜ । ଶ୍ରୋତୃବୃନ୍ଦଙ୍କର ସେହି ସ୍ୱତଃସ୍ପୂର୍ତ୍ତ ଉଲ୍ଲାସର ଅଭିବ୍ୟକ୍ତି ମନ୍ଦୀଭୂତ ହେଲା ପରେ ସେ ଓଜସ୍ୱିନୀ ଭାଷାରେ ଗୋଟିଏ କ୍ଷୁଦ୍ର ଭାଷଣ ଦେଲେ । ତାଙ୍କର ବକ୍ତୃତା ସମସ୍ତଙ୍କ ପ୍ରାଣରେ ଏକ ଅଦ୍ଭୁତ ଉଦ୍ଦୀପନା ସଞ୍ଚାର କଲା । ସେହି ହିନ୍ଦୁ ସନ୍ନ୍ୟାସୀଙ୍କର ପ୍ରଶଂସାରେ ସଭାଗୃହ ମୁଖରିତ ହେଲା । ମହାସଭାରେ ତା’ର ପ୍ରଭାବ ମଧ୍ୟ ସର୍ବାପେକ୍ଷା ଅଧିକ ହୋଇଥିଲା । ପରଦିନ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହେଲା ସ୍ୱାମୀଜୀଙ୍କର ଅଜସ୍ର ସାଧୁବାଦ । ସେ ହେଲେ ଧର୍ମମହାସଭାର ସର୍ବଶ୍ରେଷ୍ଠ ବ୍ୟକ୍ତି । ରାସ୍ତାରେ ରାସ୍ତାରେ ତାଙ୍କର ପୂର୍ଣ୍ଣାବୟବ ରଙ୍ଗୀନ ପ୍ରତିକୃତି ଟଙ୍ଗା ହେଲା !
ଧର୍ମସମ୍ମିଳନୀ ୧୭ ଦିନ ଧରି ଚାଲିଥିଲା । ସବୁ ଧର୍ମର ପ୍ରତିନିଧିମାନଙ୍କର ଶତ ଶତ ବକ୍ତୃତା ଓ ପ୍ରବନ୍ଧ ପାଠ ହେଲା । ସ୍ୱାମୀଜୀ ମଧ୍ୟ ବିଭିନ୍ନ ଦିନରେ ୧୨ଟି ବକ୍ତୃତା ଦେଇଥିଲେ । ସେ ଥିଲେ ସର୍ବାପେକ୍ଷା ଜନପ୍ରିୟ ବକ୍ତା । ଖ୍ରୀଷ୍ଟାନ୍ମାନଙ୍କ ମଧ୍ୟରେ ଯେଉଁମାନେ ଧର୍ମାନ୍ଧ ସେମାନେ ମଧ୍ୟ କହିଲେ, ‘ବାସ୍ତବିକ ଏ ନରକୂଳର ଅଳଙ୍କାର ସ୍ୱରୂପ ।’ ଶ୍ରୀରାମକୃଷ୍ଣଙ୍କର ପଦତଳେ ବସି ଯେଉଁ ଶିକ୍ଷା ସେ ଲାଭ କରିଥିଲେ, ସେହିସବୁ କଥା ହିଁ ସେ ବିଶ୍ୱବାସୀଙ୍କୁ ଶୁଣାଇଲେ-ପ୍ରତ୍ୟେକ ଧର୍ମ ହିଁ ସତ୍ୟ, ମଣିଷ ମଧ୍ୟରେ ହିଁ ଭଗବାନ । ମଣିଷ ପାପୀ ନୁହେଁ । ଅମୃତର ସନ୍ତାନ, ଅନନ୍ତର ଅଧିକାରୀ । ସମସ୍ତେ ହିଁ ବିଶ୍ୱପିତାଙ୍କର ସନ୍ତାନ-ମଣିଷ ମଣିଷର ଭାଇ । ଧର୍ମସମ୍ମିଳନୀରେ ବକ୍ତୃତା ଫଳରେ ସ୍ୱାମୀଜୀ ହେଲେ ବିଶ୍ୱବରେଣ୍ୟ । ବିବେକାନନ୍ଦଙ୍କର ସେହି ବିରାଟ ସମ୍ମାନ ଓ ସାଫଲ୍ୟରେ ସମଗ୍ର ଭାରତ ରୋମାଞ୍ଚିତ ହେଲା । ଭାରତବାସୀଙ୍କ ଅନ୍ତରରେ ଜାଗି ଉଠିଲା ସୁପ୍ତ ଚେତନା ଓ ଆତ୍ମମର୍ଯ୍ୟାଦାବୋଧ ।
ସମ୍ମିଳନୀ ପରେ ବିଭିନ୍ନ ସହର, ପ୍ରତିଷ୍ଠାନ, ସମିତି, ବିଶ୍ୱବିଦ୍ୟାଳୟ, କଲେଜ ଓ କ୍ଳବ କର୍ତ୍ତୃକ ଆହୂତ ହୋଇ ସ୍ୱାମୀଜୀ ପ୍ରାୟ ଦୁଇବର୍ଷ ଆମେରିକାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଶତ ଶତ ବକ୍ତୃତା ଦେଲେ । ସେଥିରୁ ଆମେରିକାବାସୀମାନେ ଭାରତୀୟ ଧର୍ମ, ସମାଜ ଓ ସଂସ୍କୃତି ସଙ୍ଗେ ସମ୍ୟକ୍ ପରିଚିତ ହେଲେ । ଖ୍ରୀଷ୍ଟାନ୍ ମିଶନାରୀମାନଙ୍କର ଅପପ୍ରଚାର ପଳରେ ପାଶ୍ଚାତ୍ୟର ଜନଗଣଙ୍କ ମନରେ ଭାରତ ତଥା ହିନ୍ଦୁଧର୍ମ ପ୍ରତି ଯେଉଁ କିମ୍ଭୂତକିମାକାର ଧାରଣା ଜନ୍ମିଥିଲା, ତା ମଧ୍ୟ ସ୍ୱାମୀଜୀଙ୍କ ପ୍ରଚାର ଫଳରେ ଅପନୋଦିତ ହେଲା । ଯେଉଁ ଦେଶ ଓ ଯେଉଁ ଜାତି ମଧ୍ୟରେ ବିବେକାନନ୍ଦ ଜନ୍ମିଛନ୍ତି, ସେହି ଭାରତ ଓ ହିନ୍ଦୁଜାତି ପ୍ରତି ଆମେରିକାବାସୀ ଶ୍ରଦ୍ଧାସମ୍ପନ୍ନ ହେଲେ । ସେ ସ୍ଥାନେ ସ୍ଥାନେ ବେଦାନ୍ତ ପ୍ରଚାର ନିମିତ୍ତ ସମିତି ସ୍ଥାପନ କଲେ । ଅନେକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ଖ୍ୟାତି ସୁପ୍ରତିଷ୍ଠିତ ହେଲା । ତାଙ୍କର ନାମ ହେଲା-‘ସାଇକ୍ଳୋନିକ୍ ମଙ୍କ୍’ । ସେ ସବୁକିଛି ଉଡ଼େଇ ନେଇ ଚାଲିଲେ ।
୧୮୯୫ ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସରେ ସ୍ୱାମୀଜୀ ପ୍ୟାରିସ୍ ହୋଇ ଲଣ୍ଡନ ଆସିଲେ । ଯଦିଓ ଭାରତ ଇଂରେଜ-ଶାସିତ ଦେଶ, ତଥାପି ଇଂରେଜ ଜାତି ବିବେକାନନ୍ଦଙ୍କୁ ବରଣ କରି ନେଲା । ତାଙ୍କୁ ବୁଦ୍ଧ ଓ ଯୀଶୁଙ୍କ ସଙ୍ଗେ ତୁଳନା କଲେ । ତାଙ୍କର ଉଦାର ଧର୍ମମତର ବିଶେଷ ସମାଦର ହେଲା । ସେ ଜ୍ଞାନଯୋଗ ସମ୍ବନ୍ଧରେ ଅନେକ ବକ୍ତୃତା ଦେଲେ । ବେଦାନ୍ତର ସାର୍ବଭୌମ ତତ୍ତ୍ୱ ବ୍ୟାଖ୍ୟା କଲେ । ସମ୍ବାଦପତ୍ର ସମୂହ ତାଙ୍କର ପ୍ରଶଂସାରେ ମୁଖର ହୋଇଉଠିଲା । ଲେଖିଲେ, ‘ରାଜା ରାମମୋହନ ରାୟଙ୍କ ପରେ ଏକ କେଶବଚନ୍ଦ୍ର ସେନ୍ଙ୍କ ଛଡ଼ା ଇଂଲଣ୍ଣ ବକ୍ତୃତା-ମଞ୍ଚରେ ଭାରତବାସୀଙ୍କ ମଧ୍ୟରେ ବିବେକାନନ୍ଦଙ୍କ ପରି ବକ୍ତା ଦେଖାଯାଇ ନାହିଁ ।’ ଇଂଲଣ୍ଡରେ ତଥା ସମଗ୍ର ୟୁରୋପ ଭୂଖଣ୍ଡରେ କର୍ମର ମୂଳପତ୍ତନ କରି କେତେଜଣ ଇଂରେଜ ଶିଷ୍ୟଙ୍କ ଉପରେ ପ୍ରଚାର କାର୍ଯ୍ୟର ଭାର ଦେଇ ସ୍ୱାମୀଜୀ ପୁନରାୟ ଆମେରିକାକୁ ଆସିଲେ ।
ଏଥର ଆମେରିକାର କାମକୁ ସୁପ୍ରତିଷ୍ଠିତ କଲେ । ସେ ଭାରତବର୍ଷରୁ ତାଙ୍କର ଦୁଇଜଣ ଗୁରୁଭାଇଙ୍କୁ ଡାକି ପଠାଇଲେ ପାଶ୍ଚାତ୍ୟରେ ବେଦାନ୍ତ ପ୍ରଚାର ପାଇଁ । ପାଶ୍ଚାତ୍ୟ ବିଜୟରେ ମତ୍ତ ଥାଇ ସେ ତାଙ୍କ ଭାରତକୁ ଭୁଲିନାହାନ୍ତି । କେବଳ ଭାରତର କଲ୍ୟାଣ ପାଇଁ ସେ ଯାଇଥିଲେ ପାଶ୍ଚାତ୍ୟକୁ । ଗୋଟିଏ ଚିଠିରେ ସେ ଶିଷ୍ୟମାନଙ୍କୁ ଲେଖିଥିଲେ, ‘ଭାରତ ବାହାରେ ଏକ ଆଘାତ, ଭାରତ ଭିତରେ ଲକ୍ଷେ ପାହାର ସଙ୍ଗେ ସମାନ ।’ ସ୍ୱାମୀଜୀଙ୍କର ସାଫଲ୍ୟରେ ଭାରତରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାକୁ ଅବଲମ୍ବନ କରି ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧ ଉଦ୍ବୁଦ୍ଧ କରିବା ନିମନ୍ତେ ସେ ତାଙ୍କର ଗୁରୁଭାଇ ଓ ଶିଷ୍ୟମାନଙ୍କୁ ସଂଘବଦ୍ଧ ହୋଇ କାମ କରିବାକୁ ଲେଖିଲେ । ସେହି ସବୁ ଚିଠିରେ ଥିଲା ସଂଗଠନର ବାଣୀ ଓ ଦେଶାତ୍ମବୋଧରେ ଉଦ୍ବୁଦ୍ଧ କରିବାର ତୂର୍ଯ୍ୟଧ୍ୱନି । ଭାରତକୁ ଫେରିଯିବାର ଆହ୍ୱାନ ମଧ୍ୟରେ ଯେଉଁ ଆନ୍ତରିକତା ଓ କରୁଣସ୍ୱର ଥିଲା ତାହା ସ୍ୱାମୀଜୀଙ୍କର ଅନ୍ତର ସ୍ପର୍ଶ କଲା । ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାକୁ ମନ ସ୍ଥିର କଲେ ।
କିନ୍ତୁ ତାହା ପୂର୍ବରୁ ୟୁରୋପରେ ଯନ୍ତ୍ରଟିକୁ ସେ ଶେଷଥର ପାଇଁ ସବେଗରେ ଚାଳିତ କରିଦେଲେ । ୧୮୯୬ ଏପ୍ରିଲ ୧୫ ତାରିଖରେ ନ୍ୟୁୟର୍କଠାରୁ ସେ ଇଂଲଣ୍ଡ ଯାତ୍ରା କଲେ । ଏଥର ଇଂଲଣ୍ଡରେ ବହୁ ବକ୍ତୃତା ଦେବା ବ୍ୟତୀତ ୟୁରୋପରେ ଦୁଇଜଣ ଶ୍ରେଷ୍ଠ ମନୀଷୀ ଅଧ୍ୟାପକ ମାକ୍ସମୁଲାର ଓ ଅଧ୍ୟାପିକା ଡୟସନ୍ଙ୍କ ସଙ୍ଗେ ତାଙ୍କର ଘନିଷ୍ଠ ପରିଚୟ ହେଲା । ଅଧ୍ୟାପକ ମାକ୍ସୁମୁଲାରଙ୍କ ଆନ୍ତରିକ ଆମନ୍ତ୍ରଣରେ ସେ ୧୮୯୬ ଖ୍ରୀଷ୍ଟାବ୍ଦ ମେ ମାସ ୨୮ ତାରିଖରେ ଅକ୍ସଫୋର୍ଡ଼ରେ ବୃଦ୍ଧ ପ୍ରଫେସରଙ୍କ ଘରକୁ ଯାଇ ତାଙ୍କୁ ଦେଖା କଲେ । ଦୁଇଜଣଙ୍କ ମିଳନ ଅତ୍ୟନ୍ତ ଆନ୍ତରିକତାପୂର୍ଣ୍ଣ ହେଲା । ଦାର୍ଶନିକ ଆଲୋଚନା ଛଡ଼ା ଅଧ୍ୟାପକ ବିଶେଷ ଶ୍ରଦ୍ଧା ଓ ଉତ୍ସାହ ସହକାରେ ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ ଅନେକ କଥା ଜାଣିବାକୁ ଚାହିଁଲେ । ଉପାଦାନ ପାଇଲେ ଶ୍ରୀରାମକୃଷ୍ଣଙ୍କର ଖଣ୍ଡେ ଜୀବନୀ ଲେଖିବା ପାଇଁ ତାଙ୍କର ଇଚ୍ଛା ମଧ୍ୟ ସେ ପ୍ରକାଶ କଲେ । ରାତ୍ରିରେ ସ୍ୱାମୀଜୀ ଯେତେବେଳେ ଟ୍ରେନ୍ ପାଇଁ ଷ୍ଟେସନରେ ଅପେକ୍ଷା କରୁଛନ୍ତି, ସେତେବେଳେ ବୃଦ୍ଧ ଅଧ୍ୟାପକ ଝଡ଼ବୃଷ୍ଟି ମଧ୍ୟରେ ଷ୍ଟେସନରେ ଆସି ଉପସ୍ଥିତ । ତାଙ୍କୁ ଦେଖି ସ୍ୱାମୀଜୀ କୁଣ୍ଠା ପ୍ରକାଶ କରି କହିଲେ, ‘ଏ ଦୁର୍ଯୋଗ ମଧ୍ୟରେ ଆପଣ ଏତେ କଷ୍ଟ କରି କାହିଁକି ଆସିଲେ !’ ଗଦ୍ଗଦ୍ କଣ୍ଠରେ ଅଧ୍ୟାପକ ଉତ୍ତର ଦେଲେ, ‘ଶ୍ରୀରାମକୃଷ୍ଣଙ୍କର ଜଣେ ଯୋଗ୍ୟତମ ଶିଷ୍ୟଙ୍କର ଦର୍ଶନଲାଭର ସୌଭାଗ୍ୟ ପ୍ରତିଦିନ ଆସେ ନାହିଁ ।’ ଏହି ମର୍ମସ୍ପର୍ଶୀ କଥା କେତୋଟି ସ୍ୱାମୀଜୀଙ୍କୁ ବିଶେଷ ଅଭିଭୂତ କଲା । ବେଦ ବେଦାନ୍ତ ଚର୍ଚ୍ଚା ହିଁ ମାକ୍ସମୁଲାର୍ ଓ ଡୟସନ୍ଙ୍କର ଏକମାତ୍ର ଜୀବନବ୍ରତ । ଦୁଇଜଣ ହିଁ ଭାରତକୁ ଭଲ ପାଉଥିଲେ । ୟୁରୋପ ଭ୍ରମଣ ପରେ ଇଂଲଣ୍ଡର କାମକୁ ସୁପ୍ରତିଷ୍ଠିତ କରି ସ୍ୱାମୀଜୀ ତିନିଜଣ ଇଂରେଜ ଶିଷ୍ୟ-ଶିଷ୍ୟାଙ୍କ ସହ ଡିସେମ୍ବର ୩୦ ତାରିଖରେ ନେପଲ୍ସଠାରୁ ଭାରତ ଅଭିମୁଖେ ଯାତ୍ରା କଲେ ।[୬]
ଭାରତ ପ୍ରତ୍ୟାବର୍ତ୍ତନ
ଡେଟ୍ରୟେଟ୍ରେ (ଆମେରିକା) କେତେଜଣ ଶିଷ୍ୟଙ୍କ ନିକଟରେ ସ୍ୱାମୀଜୀ କହିଥିଲେ, ‘ବାସ୍ତବ ପକ୍ଷେ କହିବାକୁ ଗଲେ ମୋର କାମର ପ୍ରକୃତ ଆଦର ହୋଇପାରେ ଭାରତବର୍ଷରେ ।’ କିନ୍ତୁ ସେ କେବେ ଭାବିନାହାନ୍ତି ଯେ ତାଙ୍କୁ ବରଣ କରିନେବା ପାଇଁ ଦେଶବ୍ୟାପୀ ଅଭାବନୀୟ ଅୟୋଜନ ହୋଇଛି ଓ ସମଗ୍ର ଦେଶ ଅଧୀର ଆଗ୍ରହରେ ତାଙ୍କୁ ପ୍ରତୀକ୍ଷା କରିଛି । ଭାରତର ମୁଖଉଜ୍ଜ୍ୱଳକାରୀ ବିବେକାନନ୍ଦ ଫେରି ଆସୁଛନ୍ତି । ଭାରତବ୍ୟାପୀ ବିପୁଳ ଆଲୋଡ଼ନ ସୃଷ୍ଟି ହେଲା । ଗୋଟିଏ ମହାନ୍ ଜାତିର ହଜାର ବର୍ଷର ନିଦ ଭାଙ୍ଗିଯାଇଛି ।
୧୮୯୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୫ ତାରିଖରେ ସ୍ୱାମୀଜୀ ସିଂହଳରେ ଓହ୍ଲାଇଲେ । ଆରମ୍ଭ ହେଲା ରାଜୋଚିତ ସମ୍ବର୍ଦ୍ଧନା । ସେହିଠାରୁ ହିଁ ଆରମ୍ଭ ହେଲା ତାଙ୍କର ଅଗ୍ନିମୟୀ ବକ୍ତୃତା । ସେହିସବୁ ବକ୍ତୃତାରେ ଧ୍ୱନିତ ହୋଇଛି ନବଜାଗରଣର ମହାମନ୍ତ୍ର, ଭବିଷ୍ୟତ ଭାରତ ଗଠନର କର୍ମସୂଚୀ । ସେ କମ୍ବୁକଣ୍ଠରେ ଭାରତକୁ ଶୁଣାଇଲେ, ‘ଆଗାମୀ ପଚାଶବର୍ଷ ଧରି ଜନନୀ ଜନ୍ମଭୂମୀ ତୁମର ଏକମାତ୍ର ଆରାଧ୍ୟ ଦେବତା ହୁଅନ୍ତୁ ।’ ଦେଶମାତୃକାର ପୂଜା ହେଉଛି ଦେଶବାସୀଙ୍କର ସେବା, ସେମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରି ଶିକ୍ଷାବିସ୍ତାର ମାଧ୍ୟମରେ ସେମାନଙ୍କୁ ଜାଗ୍ରତ କରି ତୋଳିବା । ସ୍ୱାମୀଜୀଙ୍କର ‘କଲମ୍ବୋଠାରୁ ଆଲମୋଡ଼ା’ ବକ୍ତୃତାବଳୀ ଯାଦୁମନ୍ତ୍ର ପରି କାମ କଲା । ଦେଶପ୍ରେମିକମାନେ ଦେଶ କାମରେ ଆତ୍ମନିୟୋଗ କଲେ-ଆଶା ଓ ଉତ୍ସାହରେ ଭରି ତୋଳିଲେ ଜନସାଧାରଣଙ୍କର ଅନ୍ତର । ତାଙ୍କର ବାଣୀ ପହଞ୍ଚିଲା ଦୁର୍ଜେୟ ଆବେଦନରୂପରେ-‘ଉଠ, ଜାଗ, ସମସ୍ତେ ଅଣ୍ଟା ଭିଡ଼ ।’
ସିଂହଳବାସୀଙ୍କ ଅଭ୍ୟର୍ଥନା ସ୍ୱାମୀଜୀଙ୍କୁ ଅଭିଭୂତ କରିଥିଲା । କେତୋଟି ସ୍ଥାନରେ ବକ୍ତୃତା ଦେଇ ସେ ଦକ୍ଷିଣ ଭାରତର ରାମେଶ୍ୱର, ରାମନାଦ, ପରମକୁଡ଼ି, ମଦୁରା, ତ୍ରିଚିନାପଲ୍ଲୀ ଓ କୁମ୍ଭକୋନମ୍ ପ୍ରଭୃତି ସ୍ଥାନରେ ଉଦ୍ଦୀପନାମୟୀ ବକ୍ତୃତା ଦେଇ ଆସିଲେ ମାନ୍ଦ୍ରାଜକୁ । ପ୍ରତ୍ୟେକ ସ୍ଥାନରେ ହିଁ ସହସ୍ର ସହସ୍ର ନରନାରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ, ତାଙ୍କର ବାଣୀ ଶୁଣିଲେ ପରମ ଆଗ୍ରହରେ । ଶିବତୀର୍ଥ ରାମେଶ୍ୱରଠାରେ ସେ ଶୁଣାଇଲେ-‘ଦରିଦ୍ର, ପ୍ରପ୍ରୀଡ଼ିତ ଓ ଆର୍ତ୍ତ ମଧ୍ୟରେ ଶିବଙ୍କର ପୂଜା କର ।’ ମାନ୍ଦ୍ରାଜଠାରେ ମହୋସିବ ଲାଗିଗଲା । ପଥେ ପଥେ ୧୭ଟି ତୋରଣ, ଯୁବକମାନେ ତାଙ୍କ ଗାଡ଼ି ଟାଣି ନେବାକୁ ଲାଗିଲେ; ପୁରଙ୍ଗନାମାନେ ଦ୍ୱାରେ ଦ୍ୱାରେ ତାଙ୍କର ଆରତି କଲେ-ନଅଦିନ ଧରି ଏହି ଆନନ୍ଦଉତ୍ସବ ଚାଲିଥିଲା । ବିଭିନ୍ନ ଭାଷାରେ ଛବିଶ ଖଣ୍ଡ ମାନପତ୍ର ତାଙ୍କୁ ଦିଆଗଲା । ସର୍ବତ୍ର ବିପୁଳ ଜନତାର ସମାଗମ । ପ୍ରତିଦିନ ତାଙ୍କୁ ବକ୍ତୃତା ଦେବାକୁ ହୁଏ । ସେ ଭାରତର ଅତୀତ ମହିମା ଶୁଣାଇଲେ; ଭାରତର ମହାବାଣୀ-ସମଗ୍ର ବିଶ୍ୱର ଏକତ୍ୱ ସେ ନୂତନ ଭାବେ ବୁଝାଇଲେ ।
ଦକ୍ଷିଣ ଭାରତରେ ତାଙ୍କୁ ପ୍ରାୟ ଏକମାସ ରହିବାକୁ ହେଲା । ଭାରତର ନାନା ସ୍ଥାନରୁ ତାଙ୍କୁ ନେଇଯିବା ପାଇଁ ବହୁ ଆବେଦନ ଆସିଲା; କିନ୍ତୁ ତାଙ୍କ ଶରୀର ଏତେ କ୍ଳାନ୍ତ ହୋଇପଡ଼ିଥିଲା ଯେ ଟିକିଏ ବିଶ୍ରାମ ବିଶେଷ ପ୍ରୟୋଜନ । ତେଣୁ ସେ କେଉଁଆଡ଼େ ଯାଇପାରିଲେ ନାହିଁ । ସ୍ଥଳପଥରେ ନ ଯାଇ ମାନ୍ଦ୍ରାଜଠାରୁ ଷ୍ଟିମରଯୋଗେ ଆସିଲେ ଖିଦିରପୁର ଏବଂ କଲିକତାରେ ପଦାର୍ପଣ କଲେ । ଫେବୃଆରୀ ୨୮ ତାରିଖ କଲିକତାର ନାଗରିକମାନଙ୍କ ପକ୍ଷରୁ ତାଙ୍କୁ ବିରାଟ ଅଭିନନ୍ଦନ ଦିଆଗଲା । ତା’ର ଉତ୍ତରରେ ସେ ଶ୍ରୀରାମକୃଷ୍ଣଙ୍କୁ ଧରି ରଖିଲେ ସମସ୍ତଙ୍କ ସମ୍ମୁଖରେ-ରାମକୃଷ୍ଣଙ୍କ ପାଦତଳେ ବସି ଶିକ୍ଷାଲାଭ କଲେ ହିଁ ଭାରତ ପୁଣି ଜାଗିଉଠିବ-ତାହା ମଧ୍ୟ କହିଲେ । ବଙ୍ଗଳାର ଯୁବକମାନଙ୍କ ପାଖରେ ଆବେଦନ ଜଣାଇଲେ, ‘ମୁଁ ବର୍ତ୍ତମାନ ସୁଦ୍ଧା କିଛି କରିପାରି ନାହିଁ; ତୁମମାନଙ୍କୁ ସବୁ କରିବାକୁ ହେବ । ଦେଶ ଉପରେ ମୋର ବିଶ୍ୱାସ ଅଛି, ବିଶେଷ କରି ଦେଶର ଯୁବକମାନଙ୍କ ଉପରେ ।’
ଦେଶର ଯୁବକଗଣ ବିବେକାନନ୍ଦଙ୍କର ଆହ୍ୱାନର ପ୍ରତ୍ୟୁତ୍ତର ଦେଇଛନ୍ତି; ତାଙ୍କ ପ୍ରତି ସମ୍ମାନ ଦେଖାଇଛନ୍ତି-ଭବିଷ୍ୟତରେ ମଧ୍ୟ ଦେଖାଇବେ । କେତେଦିନ ପରେ ଷ୍ଟାର ଥିଏଟରରେ ବେଦାନ୍ତ ସମ୍ବନ୍ଧରେ ବକ୍ତୃତା ଦେଇ ସ୍ୱାମୀଜୀ ଆପାତତଃ ବକ୍ତୃତା ପର୍ବ ଶେଷ କଲେ । ଲାଗିଗଲେ ଗଠନମୂଳକ କାର୍ଯ୍ୟରେ । ତାଙ୍କର ଗୁରୁଭାଇମାନେ, ଶ୍ରୀରାମକୃଷ୍ଣଙ୍କର ଭକ୍ତବୃନ୍ଦ ଓ ଦେଶବାସୀ ତାଙ୍କ ପାଖରେ ଆସି ଠିଆ ହେଲେ । ମାନ୍ଦ୍ରାଜରେ ବେଦାନ୍ତ ପ୍ରଚାର ପାଇଁ ସ୍ୱାମୀ ରାମକୃଷ୍ଣାନନ୍ଦଙ୍କୁ ସେ ପଠାଇଲେ । ମୁର୍ଶିଦାବାଦରେ ବ୍ୟାପକ ଦୁର୍ଭିକ୍ଷର କରାଳ ଗ୍ରାସରୁ ସର୍ବହରା ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଅଖଣ୍ଡାନନ୍ଦ ସେବାକାର୍ଯ୍ୟରେ ଲାଗିପଡ଼ିଲେ । ସେହି ବର୍ଷ ଦିନାଜପୁରଠାରେ ଦୁର୍ଭିକ୍ଷ । ସେଠାରେ ସେବା କେନ୍ଦ୍ର ସ୍ଥାପନ କରି ସ୍ୱାମୀ ତ୍ରିଗୁଣାତୀତାନନ୍ଦ ବହୁ ଗ୍ରାମର ନରନାରୀଙ୍କର ପ୍ରାଣ ବଞ୍ଚାଇଲେ । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେବାକାର୍ଯ୍ୟ ପ୍ରବର୍ତ୍ତିତ ହେଲା । ବେଦାନ୍ତ ପ୍ରଚାର ପାଇଁ ସ୍ୱାମୀ ଶିବାନନ୍ଦ ସିଂହଳକୁ ପ୍ରେରିତ ହେଲେ । ବିଭିନ୍ନ ସ୍ଥାନରେ ଗ୍ରାମଉନ୍ନୟନ, ନାରୀକଲ୍ୟାଣ, ଶ୍ରମିକ ଓ ଅନୁନ୍ନତ ଶ୍ରେଣୀଙ୍କ ମଧ୍ୟରେ ସେବାକାର୍ଯ୍ୟ, ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାବିସ୍ତାର ପ୍ରଭୃତି ବ୍ୟାପକ ଭାବରେ ଚାଲିଲା । ହିମାଳୟରେ ଗୋଟିଏ ମଠ ସ୍ଥାପନ ଏବଂ ଗଙ୍ଗାତୀରବର୍ତ୍ତୀ କୌଣସି ପ୍ରଶସ୍ତ ସ୍ଥାନରେ ବରାହନଗରର ମଠକୁ ସ୍ଥାୟୀ ଭାବରେ ପ୍ରତିଷ୍ଠିତ କରିବା ପ୍ରଭୃତି ଅନେକଗୁଡ଼ିଏ ପରିକଳ୍ପନାକୁ କାର୍ଯ୍ୟରେ ରୂପାୟିତ କରିବା ପାଇଁ ସ୍ୱାମୀଜୀ ବିଶେଷ ବ୍ୟସ୍ତ ହୋଇପଡ଼ିଲେ ।
ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା
ପାଶ୍ଚାତ୍ୟର ସଂହତିଶକ୍ତି ସ୍ୱାମୀଜୀଙ୍କୁ ମୁଗ୍ଧ କରିଥିଲା । ସଂହତି ବ୍ୟତୀତ କୌଣସି ସ୍ଥାୟୀ କାମ ସମ୍ଭବ ନୁହେଁ । ୧୮୯୭ ଖ୍ରୀଷ୍ଟାବ୍ଦ ମେ ୧ ତାରିଖ ଗୋଟିଏ ସ୍ମରଣୀୟ ଦିବସ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଗୃହୀ ଶିଷ୍ୟମାନଙ୍କୁ ଆହ୍ୱାନ କରି ସେହିଦିନ ସେ ‘ରାମକୃଷ୍ଣ ମିଶନ’ ସଂଘର ପ୍ରତିଷ୍ଠା କଲେ । ସେହି ସଂଘର ଉଦ୍ଦେଶ୍ୟ-ଜନଗଣଙ୍କର ଲୌକିକ ଓ ଆଧ୍ୟାତ୍ମିକ ସେବା, ଶ୍ରୀରାମକୃଷ୍ଣଦେବ ମାନବଜାତିର କଲ୍ୟାଣ ପାଇଁ ଯେଉଁ ସକଳ ସତ୍ୟ ନିଜ ଜୀବନରେ ଅନୁଷ୍ଠାନ କରିଥିଲେ ତାହାର ପ୍ରଚାର । ରାଜନୀତି ସହିତ ଏହି ପ୍ରତିଷ୍ଠାନର କୌଣସି ସମ୍ବନ୍ଧ ରହିବ ନାହିଁ । ଭାରତବର୍ଷର ନାନା ସ୍ଥାନରେ ମୂଳ ପ୍ରତିଷ୍ଠାନର ଶାଖା ସ୍ଥାପନ ମଧ୍ୟ ‘ରାମକୃଷ୍ଣ ମିଶନ’ର ଅନ୍ୟତମ କର୍ମସୂଚୀ । ରାମକୃଷ୍ଣ ମିଶନ୍କୁ ଯନ୍ତ୍ର କରି ସ୍ୱାମୀଜୀ ବିରାଟର ପୂଜା ପ୍ରବର୍ତ୍ତନ କଲେ ।
ସ୍ୱାମୀଜୀଙ୍କ ପ୍ରତିଷ୍ଠିତ ମଠ ସଙ୍ଗେ ‘ରାମକୃଷ୍ଣ ମିଶନ’ ମିଳିତ ହୋଇ ବର୍ତ୍ତମାନ ମଠର ସନ୍ନ୍ୟାସୀବୃନ୍ଦଙ୍କ ପରିଚାଳିତ ‘ରାମକୃଷ୍ଣ ମଠ ଓ ମିଶନ’ ରୂପେ ଯୁଗ୍ମ ପ୍ରତିଷ୍ଠାନ ଧୀରେ ଧୀରେ ଦେଶବିଦେଶରେ ପ୍ରସାର ଲାଭ କରି ବିଶାଳ ସଂଘରେ ପରିଣତ ହୋଇଛି । ବେଲୁଡ଼ ମଠରୁ ଜେନେରାଲ ସେକ୍ରେଟାରୀ କର୍ତ୍ତୃକ ୧୯୯୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପ୍ରକାଶିତ ୧୯୯୫-୯୬ ମସିହାର କାର୍ଯ୍ୟବିବରଣୀରେ ଦେଖାଯାଏ ଯେ ବର୍ତ୍ତମାନ ଭାରତ ଓ ଭାରତବହିର୍ଭୂତ ଦେଶରେ ରାମକୃଷ୍ଣ ମଠ ଓ ମିଶନ୍ର ୧୩୫ଟି ସ୍ଥାୟୀ କେନ୍ଦ୍ର ଓ ୨୭ଟି ଉପକେନ୍ଦ୍ର ଅଛି । ଉପକେନ୍ଦ୍ରଗୁଡ଼ିକ ମଧ୍ୟ ରାମକୃଷ୍ଣ ସଂଘର ସନ୍ନ୍ୟାସୀମାନଙ୍କଦ୍ୱାରା ପରିଚାଳିତ । ସେହି ସକଳ କେନ୍ଦ୍ରରୁ ସେହି ବର୍ଷ ଚିକିତ୍ସା ବିଭାଗରେ ୧୪ଟି ହସ୍ପିଟାଲର ଅନ୍ତର୍ବିଭାଗରେ ୨୦୬୧ଟି ଶଯ୍ୟାରେ ୭୫,୨୮୪ ଜଣ ରୋଗୀଙ୍କର ଚିକିତ୍ସାର ବ୍ୟବସ୍ଥା ହୋଇଛି । ପୁନଶ୍ଚ ୯୫ଟି ଡିସ୍ପେନ୍ସାରିରେ ୫୮,୨୦,୩୪୮ ଜଣ ରୋଗୀଙ୍କୁ ଔଷଧ ଦିଆହୁଏ । ଶିକ୍ଷା ବିଭାଗରେ ବିଭିନ୍ନ ଶିକ୍ଷା କେନ୍ଦ୍ରରୁ ୧,୧୫,୧୭୩ଜଣ ଛାତ୍ରଛାତ୍ରୀ ଭାରତବର୍ଷ, ବାଂଲାଦେଶ୍, ସିଂହଳ, ସିଙ୍ଗାପୁର, ଫିଜି ଓ ମରିସସ୍ ଦ୍ୱୀପରେ ଶିକ୍ଷାଲାଭ କରୁଛନ୍ତି । ପାଶ୍ଚାତ୍ୟ ଦେଶରେ ବକ୍ତୃତା, କ୍ଳାସ, ଆଲୋଚନା ଓ ଗ୍ରନ୍ଥପ୍ରଣୟନ ମାଧ୍ୟମରେ ଧର୍ମ ଓ ସାଂସ୍କୃତିକ ଭାବଧାରା ପ୍ରଚାର ହେଲା ବିଶେଷ କାର୍ଯ୍ୟ । ଏହି ଭାବରେ ସ୍ୱାମୀଜୀ ମାନବଜାତିର କଲ୍ୟାଣ ପାଇଁ ଯେଉଁ ଯେଉଁ ରାମକୃଷ୍ଣ ମଠ ଓ ମିଶନ୍ରୂପେ ସଂଘ ପ୍ରତିଷ୍ଠା କରିଥିଲେ, ତାହା ଦିଗେ ଦିଗେ ପ୍ରସାର ଲାଭ କରୁଛି । ସେ କହିଥିଲେ, ‘ଏ ଯନ୍ତ୍ରକୁ କେହି ଆଉ ବନ୍ଦ କରିପାରିବେ ନାହିଁ ।’ ତାଙ୍କର ପରିକଳ୍ପନା ଗୁଡ଼ିକୁ ଧୀରେ ଧୀରେ ରୂପାୟିତ ହେବାର ଦେଖି ସେ ଖୁସୀ ହେଲେ । ଉତ୍ତର ଭାରତର ନାନା ସ୍ଥାନରୁ କ୍ରମାଗତ ଆମନ୍ତ୍ରଣ ଆସୁଥିଲା । ରାମକୃଷ୍ଣ ମିଶନ ପ୍ରତିଷ୍ଠା ପରେ ସ୍ୱାମୀଜୀ ଉତ୍ତର ଭାରତ ଭ୍ରମଣରେ ବାହରିଲେ । କେତେଜଣ ଶିଷ୍ୟ ଓ ଗୁରୁଭାଇଙ୍କୁ ନେଇ ପ୍ରଥମେ ଆସିଲେ ଆଲମୋଡ଼ା । ହିମାଳୟରେ ଗୋଟିଏ ଆଶ୍ରମ ସ୍ଥାପନ ମଧ୍ୟ ତାଙ୍କର ଅନ୍ୟତମ ଉଦ୍ଦେଶ୍ୟ । ଆଲମୋଡ଼ାବାସୀମାନେ ବହୁ ସମ୍ମାନ ସହକାରେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ଆଲମୋଡ଼ାରେ କେତେଗୁଡ଼ିଏ ବକ୍ତୃତା ତାଙ୍କୁ ଦେବାକୁ ହେଲା, ଅଧିକାଂଶ ହିନ୍ଦୀ ଭାଷାରେ । ଉତ୍ତରଭାରତ ଭ୍ରମଣ ବେଳେ ସ୍ୱାମୀଜୀ ପ୍ରାୟ ବକ୍ତୃତାଗୁଡ଼ିକ ହିନ୍ଦୀରେ ଦେଉଥିଲେ । ସେଭିୟର ଦମ୍ପତିଙ୍କ ଉପରେ ଆଶ୍ରମ ସ୍ଥାପନର ଭାର ଦେଇ ସେ ବାହାରିଲେ ପଞ୍ଜାବ ଓ କାଶ୍ମୀର ଭ୍ରମଣରେ । ବେରେଲି, ଅମ୍ବାଲା, ଅମୃତସର, ରାଓଲପିଣ୍ଡି ଓ ମାରି ହୋଇ ଶ୍ରୀନଗରରେ ପହଞ୍ଚିଲେ । ପ୍ରତ୍ୟେକ ସ୍ଥାନରେ ସହସ୍ର ସହସ୍ର ଉତ୍ସାହୀ ଓ ଶ୍ରଦ୍ଧାଳୁ ଶ୍ରୋତାଙ୍କ ସଭାରେ ତାଙ୍କୁ ବକ୍ତୃତା ଦେବାକୁ ହେଲା । କାଶ୍ମୀରରେ ସେ ରାଜଅତିଥି ରୂପେ ରହିଲେ । ସର୍ବତ୍ର ସେ ବହୁ ଭାବରେ ସମ୍ମାନିତ ହେଲେ । ତାଙ୍କର ଦର୍ଶନ ଓ ବକ୍ତୃତା ଶୁଣିବା ପାଇଁ ଏତେ ଲୋକଙ୍କର ସମାଗମ ହୁଏ ଯେ ସମ୍ଭାଳିବା କଷ୍ଟକର ହୋଇପଡ଼େ ।
ପୁନରାୟ ମାରି, ରାଓଲପିଣ୍ଡି, ଜମ୍ବୁ, ଶିଆଲକୋଟ୍, ଲାହୋର, ଡେରାଡୁନ୍, ସାହାରାନ୍ପୁର, ଦିଲ୍ଲୀ, ଆଲୋଆର୍, ଜୟପୁର, ଖେତଡ଼ି, ଆଜମିର ଓ ଖଣ୍ଡୁଆ ପ୍ରଭୃତି ସ୍ଥାନ ହୋଇ ୧୮୯୮ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସର ମଧ୍ୟଭାଗରେ ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ କଲିକତା ପ୍ରତ୍ୟାବର୍ତ୍ତନ କଲେ । ସମଗ୍ର ଗୁଜରାଟ ଓ ମୁମ୍ବାଇର ବହୁ ସ୍ଥାନରୁ ପୁନଃ ପୁନଃ ଆହ୍ୱାନ ସତ୍ତ୍ୱେ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ସେହିସବୁ ସ୍ଥାନକୁ ଯାଇପାରି ନାହାନ୍ତି ।
ସ୍ୱାମୀଜୀ ପ୍ରାୟ ପାଞ୍ଚମାସ ଉତ୍ତର ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ସେ ସମସ୍ତଙ୍କ ନିକଟରେ ସାମ୍ପ୍ରଦାୟିକ ସଂକୀର୍ଣ୍ଣତାରୁ ମୁକ୍ତ ହେବା ପାଇଁ ଆବେଦନ ଜଣାନ୍ତି, ମାନବାତ୍ମାର ମହିମା କୀର୍ତ୍ତନ କରନ୍ତି । ଛୁତ୍ମାର୍ଗ ପରିହାର, ନାରୀଶିକ୍ଷାର ପ୍ରୟୋଜନୀୟତା, ଜାତିଭେଦ, ଖାଦ୍ୟାଖାଦ୍ୟ ବିଚାର, ପୁଣ୍ୟଭୂମିର ମହିମା ଓ ହିନ୍ଦୁଧର୍ମର ସାଧାରଣ ଭିତ୍ତି ପ୍ରଭୃତି ମଧ୍ୟ ତାଙ୍କ ଆଲୋଚନାର ବିଷୟ ଥିଲା ।
ଅସୁସ୍ଥ ଶରୀର ନେଇ ସେ ଫେବୃଆରୀ ୩ ତାରିଖରେ (ଖ୍ରୀ: ୧୮୯୮) କଲିକତାକୁ ଫେରିଲେ । ପଶ୍ଚିମ ଗଙ୍ଗାତୀରରେ ଗୋଟିଏ ପୁରୁଣା ଘର ସମେତ ପ୍ରାୟ ୬ ଏକର ଜମି କିଣିଲେ । ନୂତନ ଜମିରେ ଶ୍ରୀଠାକୁରଘର ଓ ମଠବାଡ଼ି ନିର୍ମାଣକାର୍ଯ୍ୟ ଆରମ୍ଭ ହେଲା । ନୂତନ କିଣା ଜମି ପାଖରେ ଗୋଟିଏ ଭଡ଼ା ଘରକୁ ଆଲାମବଜାରରୁ ମଠ ସାମୟିକ ଭାବରେ ସ୍ଥାନାନ୍ତରିତ ହେଲା ।
ପାଶ୍ଚାତ୍ୟ ଶିଷ୍ୟଶିଷ୍ୟାମାନେ ଭାରତର ସେବାରେ ଆତ୍ମନିୟୋଗ କରିବାକୁ ଭାରତ ଆସିଥାଆନ୍ତି । ସେ ସମସ୍ତଙ୍କୁ କହିଲେ-‘ଭାରତକୁ ଭଲପାଅ’ । ଏହା ପୂର୍ବରୁ ସେଭିୟର ଦମ୍ପତି ଓ ଗୁଡ୍ଉଇନ ସ୍ୱାମୀଜୀଙ୍କ ସଙ୍ଗରେ ଆସିଥିଲେ । ପରେ ମିସେସ୍ ଓଲିବୁଲ, ମିସ୍ ମୁଲାର୍, ମିସ୍ ମ୍ୟାକ୍ଲାଉଡ, ମିସ୍ ନୋବେଲ୍ ପ୍ରଭୃତି ଶିଷ୍ୟାମାନେ ମଧ୍ୟ ସ୍ୱାମୀଜୀଙ୍କ ନିକଟରେ ସମବେତ ହେଲେ । ଶିକ୍ଷାଦୀକ୍ଷା ମାଧ୍ୟମରେ ସେମାନଙ୍କର ଧର୍ମଜୀବନ ଗଢ଼ି ତୋଳିବା କାର୍ଯ୍ୟରେ ସେ ମନ ଦେଲେ ।
ମାର୍ଚ୍ଚ ୨୫ ତାରିଖ ମିସ୍ ମାର୍ଗାରେଟ୍ ନୋବେଲଙ୍କୁ ବ୍ରହ୍ମଚାରିଣୀ ବ୍ରତରେ ଦୀକ୍ଷିତ କରି ନାମ ଦେଲେ ‘ନିବେଦିତା’ । ତାଙ୍କ ସମ୍ବନ୍ଧରେ ସ୍ୱାମୀଜୀ କହିଥିଲେ ଯେ ନିବେଦିତା ଭାରତ ପ୍ରତି ଇଂଲଣ୍ଡର ଗୋଟିଏ ଶ୍ରେଷ୍ଠ ଉପହାର । ନିବେଦିତା ପ୍ରାଣ ଦେବାକୁ ଆସିଛନ୍ତି; ଗୁରୁଗିରି କରିବାକୁ ନୁହେଁ । ମିସ୍ ମୁଲାର୍ ଓ ମିସେସ୍ ଓଲିବୁଲ୍ ବେଲୁଡ଼ ମଠର ଜମି କିଣିବା ପାଇଁ ପ୍ରଚୁର ଅର୍ଥ ସାହାଯ୍ୟ କରିଥିଲେ । ମିସ୍ ମ୍ୟାକ୍ଲାଉଡ଼୍ ଭାରତର ନାନା ଗଠନମୂଳକ କାର୍ଯ୍ୟରେ ଜୀବନପାତ କରିଛନ୍ତି । ଶ୍ରୀରାମକୃଷ୍ଣ ମଠ ଓ ମିଶନ୍ର ମୁଖପାତ୍ରରୂପେ ବଙ୍ଗଳା ଭାଷାରେ ‘ଉଦ୍ବୋଧନ’ ପତ୍ରିକା ପ୍ରକାଶନର ବ୍ୟବସ୍ଥା କରି ସ୍ୱାମୀଜୀ ସେହି କାର୍ଯ୍ୟର ଭାର ଦେଲେ ଗୁରୁଭାଇ ସ୍ୱାମୀ ତ୍ରିଗୁଣାତୀତାନନ୍ଦଙ୍କ ଉପରେ ।
ଏପ୍ରିଲ ମାସ ଶେଷରେ କଲିକତାରେ ପ୍ଲେଗ ମହାମାରୀର ଆବିର୍ଭାବ ହେଲା । ଶହ ଶହ ଲୋକ ମରିଗଲେ-ସହସ୍ର ସହସ୍ର ଲୋକ ପ୍ରାଣଭୟରେ ପଳାଇବାକୁ ଲାଗିଲେ । ସ୍ୱାମୀଜୀ ସଙ୍ଗେ ସଙ୍ଗେ ପ୍ଳେଗ ନିବାରଣ କାର୍ଯ୍ୟରେ ଲାଗି ପଡ଼ିଲେ । ଜନୈକ ଗୁରୁଭାଇ ତାଙ୍କୁ ପଚାରିଲେ, ‘ଏତେ ଟଙ୍କା କେଉଁଠୁ ଆସିବ ?’ ସଙ୍ଗେ ସଙ୍ଗେ ସ୍ୱାମୀଜୀ ଜବାବ ଦେଲେ, ‘କାହିଁକି, ଦରକାର ହେଲେ ମଠର ନୂତନ ଜମି ବିକ୍ରି କରିବି ।’
କିନ୍ତୁ ତା’ କରିବାକୁ ହୋଇ ନାହିଁ । ରାମକୃଷ୍ଣ ମିଶନ୍ର ଏହି କଲ୍ୟାଣକର କର୍ମ ପାଇଁ ପ୍ରଚୁର ଅର୍ଥସାହାଯ୍ୟ ଆସିଗଲା ।
ପ୍ଳେଗ ଉପଶମିତ ହେଲା । ସ୍ୱାମୀଜୀ ତାଙ୍କର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ଭାରତର ଧର୍ମ, କୃଷି ଓ ସଂସ୍କୃତି ସହିତ ସମ୍ୟକ୍ଭାବରେ ପରିଚିତ କରାଇବା ପାଇଁ ସମସ୍ତଙ୍କୁ ନେଇ ଦ୍ୱିତୀୟଥର ଆଲମୋଡ଼ା ଆସିଲେ । ସେଭିୟର ଦମ୍ପତିଙ୍କ ଚେଷ୍ଟାରେ ହିମାଳୟର ମାୟାବତୀଠାରେ ଗୋଟିଏ ଆଶ୍ରମ ପ୍ରତିଷ୍ଠିତ ହୋଇଛି । ସ୍ୱମାଜୀ ସେଠାରୁ ଇଂରାଜୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ ପ୍ରକାଶନର ବ୍ୟବସ୍ଥା କଲେ । ଅନନ୍ତର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ନେଇ ଜୁନ୍ ୧୦ ତାରିଖ ଆଲମୋଡ଼ାଠାରୁ କାଶ୍ମୀର ଯାତ୍ରା କଲେ । ନିବେଦିତାଙ୍କୁ ନେଇ ଅମରନାଥ ଦର୍ଶନ କରିବାକୁ ଗଲେ । ସଦାଶିବ ଅମରନାଥ ସ୍ୱାମୀଜୀଙ୍କୁ ଦର୍ଶନ ଦେଇ ଇଚ୍ଛାମୃତ୍ୟୁ ବର ଦେଲେ । ଅମରନାଥ ପରେ କ୍ଷୀରଭବାନୀ । ସେଠାରେ ସ୍ୱାମୀଜୀ ଦୈବବାଣୀ ଶୁଣି ଏକ ଅଲୌକିକ ଅନୁଭୂତି ଲାଭ କଲେ-ଫଳରେ କାମ କରିବାର ଉତ୍ସାହ ତାଙ୍କର କମିଗଲା । ଯୁଗାଚାର୍ଯ୍ୟ, ବାଗ୍ମୀ, କର୍ମୀ, ନେତା, ଗୁରୁ, ଜନସେବକ, ଦେଶପ୍ରେମୀ ବିବେକାନନ୍ଦ ଆଉ ନାହାନ୍ତି । ଆଦ୍ୟାଶକ୍ତି ଜଗଜ୍ଜନନୀ ହିଁ ତ ସବୁ କରୁଛନ୍ତି; ସେ’ତ ତାଙ୍କ ହାତର କଣ୍ଢେଇ ମାତ୍ର ।
ସ୍ୱାମୀଜୀଙ୍କ ଶରୀର ଭାଙ୍ଗିପଡ଼ିଛି । କାଶ୍ମୀରରୁ ଫେରି ଗୋଟିଏ ଶୁଭ ଦିନରେ ବାଗବଜାରରେ ‘ନିବେଦିତା ବାଳିକା ବିଦ୍ୟାଳୟ’ ପ୍ରତିଷ୍ଠା କଲେ । ନିବେଦିତାଙ୍କ ଉପରେ ସ୍ତ୍ରୀ-ଶିକ୍ଷାର ଭାର ଅର୍ପିତ ହେଲା । ପରବର୍ତ୍ତୀ ଡିସେମ୍ବର ୯ ତାରିଖ ଦିନ ବେଲୁଡ଼ର ନୂତନ ଜମିରେ ବିଶେଷ ପୂଜାନୁଷ୍ଠାନ ପରେ ଶ୍ରୀରାମକୃଷ୍ଣଦେବଙ୍କୁ ପ୍ରତିଷ୍ଠିତ କଲେ । ତାଙ୍କ ମୁଣ୍ଡରୁ ଗୋଟିଏ ବଡ଼ ବୋଝ ଖସିଗଲା । ସେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ‘ଆଜି ଆପଣମାନେ କାୟମନୋବାକ୍ୟରେ ଶ୍ରୀଠାକୁରଙ୍କର ପାଦପଦ୍ମରେ ପ୍ରାର୍ଥନା କରନ୍ତୁ-ଯେପରି ମହାଯୁଗାବତାର ଶ୍ରୀଠାକୁର ‘ବହୁଜନହିତାୟ ବହୁଜନସୁଖାୟ’ ଏହି ପୁଣ୍ୟକ୍ଷେତ୍ରରେ ଦୀର୍ଘକାଳ ବିରାଜମାନ ହୋଇ ଏହି ସ୍ଥାନକୁ ସର୍ବଧର୍ମର ଅପୂର୍ବ ସମନ୍ୱୟ କେନ୍ଦ୍ର କରି ରଖନ୍ତୁ ।’ ବେଲୁଡ଼ମଠ ସ୍ଥାପିତ ହେଲା ଶତଯୁଗର ସ୍ଥାୟିତ୍ୱ ନେଇ ।[୭]
ଦ୍ୱିତୀୟ ପାଶ୍ଚାତ୍ୟ ଭ୍ରମଣ
ଭାରତରେ ତାଙ୍କର କାର୍ଯ୍ୟକୁ ଦ୍ରୁତଗତି ପ୍ରଦାନ କରି ସ୍ୱାମୀଜୀ ଆଉ ଥରେ ୟୁରୋପ, ଆମେରିକା ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ସଙ୍ଗରେ ନେଇଗଲେ ଗୁରୁଭାଇ ତୁରୀୟାନନ୍ଦଙ୍କୁ । ଭାରତରେ ନାରୀଶିକ୍ଷା ଉଦ୍ଦେଶ୍ୟରେ ଅର୍ଥସଂଗ୍ରହ ପାଇଁ ନିବେଦିତା ମଧ୍ୟ ତାଙ୍କ ସହିତ ଗଲେ । ଖ୍ରୀ. ୧୮୯୯ ଜୁନ୍ ୨୦ ତାରିଖରେ କଲିକତାଠାରୁ ଜାହାଜରେ ଯାତ୍ରା କରି ସେ ଜୁଲାଇ ୩୧ ତାରିଖରେ ଲଣ୍ଡନରେ ଅବତରଣ କଲେ ଏବଂ କିଛି ଦିନ କଟାଇ ଅଗଷ୍ଟ ୧୭ ତାରିଖରେ ଆମେରିକାରେ ପଦାର୍ପଣ କଲେ । ଏଥର ଆମେରିକାରେ ସେ ପ୍ରାୟ ଏକ ବର୍ଷ ରହିଲେ । ପଶ୍ଚିମ ଉପକୂଳରେ ଥିବା କାଲିଫର୍ଣ୍ଣିଆର ଚାରୋଟି ପ୍ରଧାନ ସହରରେ ପ୍ରାୟ ୬ ମାସର ପ୍ରଚାର ଫଳରେ ସେହି ଅଞ୍ଚଳରେ ବେଦାନ୍ତର ସ୍ଥାୟୀ ପ୍ରଭାବ ସଞ୍ଚାରିତ ହୋଇଥିଲା । ସାନଫ୍ରାନ୍ସିସ୍କୋରେ ଗୋଟିଏ ବେଦାନ୍ତ-ସମିତି ସ୍ଥାପନ ମଧ୍ୟ ଅନ୍ୟତମ କାର୍ଯ୍ୟ । ୨୦ ତାରିଖ ଜୁଲାଇ ୧୯୦୦ ଖ୍ରୀଷ୍ଟାବ୍ଦରେ ଆମେରିକା ତ୍ୟାଗ କରି ସେ ୟୁରୋପ ଯାତ୍ରା କଲେ ଏବଂ ପ୍ୟାରିସରେ ବୃହତ୍ ଧର୍ମଇତିହାସ ସମ୍ମିଳନୀରେ ଯୋଗଦାନ କରି ପାଶ୍ଚାତ୍ୟ ଦାର୍ଶନିକ ଓ ପଣ୍ଡିତଗଣଙ୍କ ସଙ୍ଗେ ବିତର୍କଦ୍ୱାରା ସନାତନ ବୈଦିକ ଧର୍ମକୁ ପ୍ରତିଷ୍ଠିତ କଲେ । ଅନନ୍ତର ୟୁରୋପର ବିଭିନ୍ନ ସ୍ଥାନ ଦର୍ଶନାନ୍ତର ଭାରତଯାତ୍ରା-୧୯୦୦ ମସିହା ଡିସେମ୍ବର ୯ ତାରିଖ ରାତିରେ ବେଲୁଡ଼ ମଠକୁ ପ୍ରତ୍ୟାବର୍ତ୍ତନ ।
ଆସିବାମାତ୍ରେ ଶୁଣିଲେ କ୍ୟାପ୍ଟେନ୍ ସେଭିୟରଙ୍କର ଆକସ୍ମିକ ମୃତ୍ୟୁ ସମ୍ବାଦ । ସେଭିୟରଦମ୍ପତି ଭାରତର ସେବାରେ ପ୍ରାଣ ଦେବାକୁ ଆସିଥଲେ । ମିସେସ୍ ସେଭିୟରଙ୍କୁ ଏହି ଦୁର୍ବହ ଶୋକରେ ସାନ୍ତ୍ୱନା ଦେବା ଲାଗି ସଙ୍ଗେ ସଙ୍ଗେ ସେ ମାୟାବତୀ ଯାତ୍ରା କଲେ । ୧୫ ଦିନ ମାୟାବତୀରେ କଟାଇ ବେଲୁଡ଼ ମଠକୁ ଫେରି ଆସିଲେ ।
କର୍ମରୁ ସ୍ୱାମୀଜୀଙ୍କ ମନ କ୍ରମେ କ୍ରମେ ଦୂରେଇ ଯାଉଛି । ସେ ଅଧିକତର ଅନ୍ତର୍ମୁଖୀ ହେବାକୁ ଲାଗିଲେ । ପୂର୍ବବଙ୍ଗରୁ କ୍ରମାଗତ ଡାକରା ଆସୁଥିଲା, ତେଣୁ ସେ ପୂର୍ବବଙ୍ଗ ଗଲେ । ଢାକାରେ ବିପୁଳ ସମ୍ବର୍ଦ୍ଧନା ହେଲା । ସେଠାରେ ସେ କେତୋଟି ଉଦ୍ଦୀପନାମୟୀ ବକ୍ତୃତା ଦେଲେ । ତା’ପରେ ଚନ୍ଦ୍ରନାଥ ତୀର୍ଥ, କାମାକ୍ଷା ଓ ଶିଲଂ ଭ୍ରମଣ ଶେଷ କରି ମେ ମାସର ମଧ୍ୟଭାଗରେ ସେ ବେଲୁଡ଼ ମଠକୁ ଫେରି ଆସିଲେ । ତାଙ୍କର ଦେହ ଦିନକୁ ଦିନ ଶୀର୍ଣ୍ଣ ହେବାକୁ ଲାଗିଲା । ସେହି ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ ବେଲୁଡ଼ ମଠର ଦ୍ୱିତଳର ଗଙ୍ଗାକୂଳରେ ଆଲୋକ ଓ ପବନଯୁକ୍ତ ଗୋଟିଏ ଘରେ ପ୍ରାୟ ସାତମାସ ରହିଥିଲେ । ବେଶୀ ବୁଲାଚଲା କରିପାରୁ ନ ଥିଲେ । ତେବେ ବି ସେ କାହାରିକୁ ଫେରାଇ ଦେଉ ନ ଥିଲେ । ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକ ତାଙ୍କ ସଙ୍ଗେ ଦେଖା କରିବାକୁ ଆସନ୍ତି । ସମସ୍ତଙ୍କୁ କହୁଥିଲେ, ‘ଏଥର କେନ୍ଦ୍ର ଭାରତବର୍ଷ ।’
ସେହି ବର୍ଷ ସେ ବେଲୁଡ଼ ମଠରେ ପ୍ରତିମାରେ ଦୁର୍ଗାଦେବୀଙ୍କ ଆରାଧନା, ଲକ୍ଷ୍ମୀପୂଜା ଓ କାଳୀପୂଜା କଲେ । ପରେ ଦିନେ ତାଙ୍କ ମା’ଙ୍କ ସହିତ କାଳୀଘାଟରେ ଶ୍ୟାମାଙ୍କୁ ଦର୍ଶନ କରିବାକୁ ଯାଇଥଲେ ।
ମଠ ଓ ମିଶନ୍ର ସମସ୍ତ ଦାୟିତ୍ୱ ଗୁରୁଭାଇମାନଙ୍କ ଉପରେ ଛାଡ଼ିଦେଲେ । କାମ ପାଇଁ ପରାମର୍ଶ ମାଗିଲେ ସେ ଉଦାସୀନ ପରି କହୁଥିଲେ, ‘ଏସବୁ ବିଷୟରେ ମୁଁ ଆଉ ମୁଣ୍ଡ ଖେଳାଇବାକୁ ଚାହେଁ ନାହିଁ ।’ କେବେ କେବେ ସେ ଛୋଟ ପିଲା ପରି ପଶୁପକ୍ଷୀମାନଙ୍କୁ ନେଇ ଖେଳୁଥିଲେ । କେବେ କେବେ ସାନ୍ତାଳ ଶ୍ରମିକମାନଙ୍କ ସଙ୍ଗେ ଗଳ୍ପ କରି ସମୟ କଟାଉଥାଆନ୍ତି । ସେମାନଙ୍କର ସୁଖଦୁଃଖର କଥା ସବୁ ଶୁଣନ୍ତି । ଦିନେ ସେମାନଙ୍କୁ ଖୁବ୍ ଭଲ କରି ଖୁଆଇଲେ । ପରେ କହିଥିଲେ, ‘ଏମାନେ ଯେ ସାକ୍ଷାତ୍ ନାରାୟଣ । ଆଜି ନାରାୟଣଙ୍କୁ ଭୋଗ ଦେଲି ।’
ଶେଷଜୀବନ
ତାଙ୍କର ଅନ୍ତର୍ମୁଖଭାବ ଦେଖି ଗୁରୁଭାଇମାନେ ଶଙ୍କିତ ହେଲେ । ଶ୍ରୀରାମକୃଷ୍ଣଦେବଙ୍କର କଥା ସେମାନଙ୍କର ମନେ ପଡ଼ିଲା-‘ସେ ଯେତେବେଳେ ନିଜର ସ୍ୱରୂପ ଜାଣିପାରିବ, ସେତେବେଳେ ଆଉ ଦେହ ରଖିବ ନାହିଁ ।’ ଦିନେ ଜଣେ ଗୁରୁଭ୍ରାତା ପଚାରିଲେ, ସ୍ୱାମୀଜୀ ! ଆପଣ କିଏ, ତା କଅଣ ବୁଝିପାରିଛନ୍ତି ? ସେ ତତ୍କ୍ଷଣାତ୍ ଗମ୍ଭୀରଭାବେ ଉତ୍ତର ଦେଲେ ‘ହଁ ପାରିଛି !’ ଯେଉଁ ଅନୁଭୂତିର ଦ୍ୱାରରେ ଶ୍ରୀଠାକୁର ଚାବି ଦେଇ ରଖିଥିଲେ, ଏତେବେଳେ ସମୟ ବୁଝି ତାହା ଖୋଲି ଦେଇଛନ୍ତି; କିନ୍ତୁ କେହି ବୁଝିପାରି ନାହିଁ ଯେ ଶେଷ ଦିନଟି ଏତେ ନିକଟରେ !
ଶେଷ କେତେ ଦିନ ତାଙ୍କୁ ଖୁବ୍ ସୁସ୍ଥ ମନେ ହେଉଥିଲା । ସଦା ପ୍ରଫୁଲ୍ଲ, ଉଚ୍ଛ୍ୱସିତ ଓ ପ୍ରାଣବନ୍ତ । ତାଙ୍କ ଦେହ ମଧ୍ୟ ଯେପରି ଜ୍ୟୋତିର୍ମୟ ହୋଇ ଯାଇଥିଲା । ଦେହତ୍ୟାଗର ତିନିଦିନ ପୂର୍ବରୁ ଗଙ୍ଗାକୂଳରେ ତାଙ୍କର ସମାଧି ମନ୍ଦିର ସ୍ଥାନଟି ଦେଖାଇ କହିଥିଲେ, ‘ମୋର ଶରୀର ଗଲେ ଏହିଠାରେ ସତ୍କାର କରିବ ।’ ଜୁଲାଇ ୪ ତାରିଖ ଶୁକ୍ରବାର ୧୯୦୨ ମସିହା-ସେ ଖୁବ୍ ଭୋରରୁ ଉଠିଛନ୍ତି; ସମସ୍ତଙ୍କ ସଙ୍ଗେ ଚା ଖାଉ ଖାଉ କେତେ ମଜା ଗପ କଲେ । -କେତେ ପୁରୁଣା କଥା । ହସର ରୋଳ ଉଠିଲା । ସେ ପ୍ରଫୁଲ୍ଲ ଥିଲେ । ପରେ ଠାକୁର ଘରକୁ ଯାଇ କବାଟ ବନ୍ଦ କରି ଅନେକ ସମୟ ଧ୍ୟାନ କଲେ । ଗୋଟିଏ ଶ୍ୟାମାସଙ୍ଗୀତ ଗାଇ ଗାଇ ଠାକୁରଘରୁ ଓହ୍ଲାଇ ଆସିଲେ । ବାରଣ୍ଡାରେ ବୁଲୁ ବୁଲୁ ନିଜ ମନକୁ ମନ କହି ଉଠିଲେ, ‘ଯଦି ଆଉ ଗୋଟିଏ ବିବେକାନନ୍ଦ ଥାଆନ୍ତା, ତେବେ ବୁଝିପାରନ୍ତା ବିବେକାନନ୍ଦ କଅଣ କରିଗଲା ।’
ଦ୍ୱିପ୍ରହର ବେଳେ ସମସ୍ତଙ୍କ ସଙ୍ଗେ ଆନନ୍ଦରେ ଖାଇଲେ । ଉପରଓଳି ଏକାବେଳକେ ତିନି ଘଣ୍ଟା ଶାସ୍ତ୍ର ଅଧ୍ୟାପନା ପରେ ସ୍ୱାମୀ ପ୍ରେମାନନ୍ଦଙ୍କ ସଙ୍ଗେ ଗପ କରି ଚାଲି ଆସିଲେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼୍ ପର୍ଯ୍ୟନ୍ତ । ମନ୍ଦିରରେ ସାନ୍ଧ୍ୟ ଆରତ୍ରିକ ଆରମ୍ଭ ହେଲା । ସେ ନିଜ ଘରେ ଧ୍ୟାନରେ ବସିଲେ ଏବଂ ମହାସମାଧି ଯୋଗେ ସ୍ୱ-ସ୍ୱରୂପରେ ମିଳିତ ହେଲେ । ଅଖଣ୍ଡ ଘରର ଋଷି ଫେରିଗଲେ ଅଖଣ୍ଡ ଘରକୁ । ସେ କିନ୍ତୁ ଖଣ୍ଡେ ଚିଠିରେ ଲେଖିଥିଲେ, ‘ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି ।’ ତାଙ୍କର ଏହି ବାଣୀ ସାର୍ଥକ ହେଉ !
ଭାରତର ବିବେକାନନ୍ଦ, ବିଶ୍ୱର ବିବେକାନନ୍ଦଙ୍କ ଚରଣରେ ପ୍ରଣତି !
ସ୍ୱାମୀ ବିବେକାନନ୍ଦ ଥିଲେ ସର୍ବତ୍ୟାଗୀ ସନ୍ନ୍ୟାସୀ; କିନ୍ତୁ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ସେ ଥିଲେ ବିରାଟର ପୂଜାରୀ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ; ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ ମନ୍ଦିରରେ । ଦେଶସେବା, ମାନବକଲ୍ୟାଣ ଓ ଭଗବତ୍ସାଧନା-ସେ ଏକ କରି ଦେଖିଥିଲେ । ଭାରତର ସମୂହ କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା । ଦେଶସେବା ଓ ଦେଶାତ୍ମବୋଧ ଶତ ଶତ ପ୍ରାଣରେ ଉଦ୍ବୁଦ୍ଧ ହୋଇ ଆତ୍ମପ୍ରକାଶ କରିଥିଲା ନାନା ଛନ୍ଦରେ ଏବଂ ତାହାର ଫଳ ସ୍ୱରୂପ ଠିକ୍ ପଚାଶ ବର୍ଷ ମଧ୍ୟରେ ଭାରତ ଲାଭ କରିଛି ରାଜନୈତିକ ସ୍ୱାଧୀନତା । କିନ୍ତୁ ଭାରତର ଜନଗଣ ଏ ପର୍ଯ୍ୟନ୍ତ ତନ୍ଦ୍ରାଚ୍ଛନ୍ନତା କଟାଇ ଉଠିପାରି ନାହାନ୍ତି-ଦୁଃଖଦୁର୍ଦ୍ଦଶା, ଅଶିକ୍ଷା ଓ ଅସ୍ୱାସ୍ଥ୍ୟ ଏବେ ବି ତାଙ୍କୁ ଘେରି ରହିଛି । ଏମାନଙ୍କର ସେବା ହିଁ ଯୁଗଧର୍ମ । ଏମାନେ ଉନ୍ନତ ହେଲେ ଭାରତର ପ୍ରକୃତ ଜାଗରଣ ହେବ । ଏ ଜାଗରଣର ପ୍ରଧାନ ପୁରୋଧା ସ୍ୱାମୀ ବିବେକାନନ୍ଦ ।
ସ୍ୱାମୀ ବିବେକାନନ୍ଦଙ୍କ ଉପଦେଶ
ଯୁଗାବତାର
୧. ଓଁ ସ୍ଥାପକାୟ ଚ ଧର୍ମସ୍ୟ ସର୍ବଧର୍ମସ୍ୱରୂପିଣେ ।
ଅବତାରବରିଷ୍ଠାୟ ରାମକୃଷ୍ଣାୟ ତେ ନମଃ ॥
ଧର୍ମର ପ୍ରତିଷ୍ଠାତା, ସର୍ବଧର୍ମସ୍ୱରୂପ, ଅବତାରଶ୍ରେଷ୍ଠ ହେ ରାମକୃଷ୍ଣ ! ତୁମକୁ ପ୍ରଣାମ !
୨. ରାମକୃଷ୍ଣ ଅବତାରରେ ଜ୍ଞାନ, ଭକ୍ତି ଓ ପ୍ରେମ । ଅନନ୍ତ ଜ୍ଞାନ, ଅନନ୍ତ ପ୍ରେମ, ଅନନ୍ତ କର୍ମ, ଅନନ୍ତ ଜୀବ ପ୍ରତି ଦୟା ।
୩. ସମଗ୍ର ହିନ୍ଦୁ ଜାତି ସହସ୍ର ଯୁଗ ଧରି ଯାହା ଚିନ୍ତା କରିଆସିଛି, ସେ (ଶ୍ରୀରାମକୃଷ୍ଣ) ଏକ ଜୀବନରେ ହିଁ ସେହି ସମୁଦାୟ ଭାବ ଉପଲବ୍ଧି କରିଛନ୍ତି । ତାଙ୍କ ଜୀବନ ସକଳ ଜାତିର ବେଦ ସମୂହର ଜୀବନ୍ତ ଟୀକାସ୍ୱରୂପ ।
୪. ସର୍ବଭାବର ଏପରି ସମନ୍ୱୟ ଜଗତର ଇତିହାସରେ ଆଉ କେଉଁଠି କଅଣ ଦେଖିବାକୁ ମିଳେ ? ଏଥର ବୁଝ ସେ କିଏ ଦେହ ଧାରଣ କରି ଆସିଥିଲେ । ଅବତାର କହିଲେ ତାଙ୍କୁ ଛୋଟ କରାହୁଏ ।
୫. ସେ (ଶ୍ରୀରାମକୃଷ୍ଣ) ଯେଉଁ ଦିନରୁ ଜନ୍ମିଛନ୍ତି, ସେହି ଦିନରୁ ସତ୍ୟଯୁଗ ଆସିଛି । ଏବେ ସବୁ ଭେଦାଭେଦ ଉଠିଗଲା । ଆଚଣ୍ଡାଳ ପ୍ରେମ ପାଇବେ । ଆଉ ସେ ହେଉଛନ୍ତି ବିବାଦଭଞ୍ଜନ-ହିନ୍ଦୁ-ମୁସଲମାନ ଭେଦ, ଖ୍ରୀଷ୍ଟାନ୍-ହିନ୍ଦୁ ଭେଦ ଇତ୍ୟାଦି ସବୁ ଚାଲିଗଲା । ଏହି ସତ୍ୟଯୁଗରେ ଏକ ବର୍ଣ୍ଣ, ଏକ ବେଦ ହେବ ଏବଂ ସମଗ୍ର ଜଗତରେ ଶାନ୍ତି ଓ ସମନ୍ୱୟ ସ୍ଥାପିତ ହେବ । ଏହି ସତ୍ୟଯୁଗର ଧାରଣା ଅବଲମ୍ବନ କରି ଭାରତ ଆଉଥରେ ନବଜୀବନ ଲାଭ କରିବ ।
୬. ଏହି ନୂତନ ଅବତାର ବା ଶିକ୍ଷକଙ୍କର ଏହି ଶିକ୍ଷା ଯେ-ଏବେ ଯୋଗ, ଭକ୍ତି, ଜ୍ଞାନ ଓ କର୍ମର ଉତ୍କୃଷ୍ଟ ଭାବ ଏକ କରି ନୂତନ ସମାଜ ଗଠନ କରିବାକୁ ହେବ ।
୭. ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ ।
୮. ଯିଏ ତାଙ୍କର ସେବା ପାଇଁ-ତାଙ୍କର ସେବା ନୁହେଁ-ତାଙ୍କ ସନ୍ତାନଙ୍କର-ଗରିବଗୁରବା, ପାପୀତାପୀମାନଙ୍କର ସେବା ପାଇଁ ଯିଏ ତିଆରି ହେବେ, ତାଙ୍କ ଭିତରେ ସେ ଆସିବେ, ତାଙ୍କ ମୁହଁରେ ସରସ୍ୱତୀ ବସିବେ । ତାଙ୍କ ବକ୍ଷରେ ମହାମାୟା ମହାଶକ୍ତି ରୂପେ ଅଧିଷ୍ଠିତ ହେବେ ।
ଭାରତର ମହିମା
୯. ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ ।
୧୦. ଏହି ସେହି ଭାରତ, ଯାହା ବହୁ ଶତାବ୍ଦୀର ଘାତ-ପ୍ରତିଘାତ, ଶତ ଶତ ବୈଦେଶିକ ଆକ୍ରମଣ, ଶତ ଶତ ଅଭିନବ ସାମାଜିକ ପ୍ରଥା ଓ ଆଚାରର ଆବିର୍ଭାବ ସତ୍ତ୍ୱେ ଏପର୍ଯ୍ୟନ୍ତ ବଞ୍ଚି ରହିଛି । ବାସ୍ତବିକ ଭାରତର ଜୀବନ ଅମର, ପ୍ରାଣଶକ୍ତି ଅଫୁରନ୍ତ । ତାହା ଭୂପୃଷ୍ଠର ଯେ କୌଣସି ପର୍ବତ ଅପେକ୍ଷା ବି ଅଟଳ, ବସ୍ତୁତଃ ଭାରତର ଜୀବନ ଆତ୍ମା ପରି ଅନାଦି, ଅନନ୍ତ ଓ ଅନିର୍ବାଣ ।
୧୧. ଏହିପରି ଦେଶର ସନ୍ତାନ ଆମେ । ଯେତେବେଳେ ଗ୍ରୀସ୍ର ଜନ୍ମ ହୋଇ ନାହିଁ, ରୋମ୍ର କଥା କେହି ଭାବି ନାହିଁ, ବର୍ତ୍ତମାନର ୟୁରୋପୀୟମାନଙ୍କର ପୂର୍ବପୁରୁଷମାନେ ବିଚିତ୍ର ଅଙ୍ଗରାଗରେ ରଞ୍ଜିତ ଅସଭ୍ୟ ଅରଣ୍ୟବାସୀ ମାତ୍ର ଥିଲେ, ସେହି ସୁଦୂର ଯୁଗରେ ଭାରତ ତାହାର ସଂସ୍କୃତିର ସାଧନାରେ କର୍ମମୁଖର । ତାହା ପୂର୍ବରୁ ମଧ୍ୟ, ଯେଉଁ ଦୂର ଅତୀତର ଖବର ଇତିହାସରେ ମିଳେ ନାହିଁ, ଯାହାର କୁହେଳି ଭେଦ କରିବାକୁ କିମ୍ବଦନ୍ତୀ ମଧ୍ୟ ସଂକୁଚିତ, ସେହି ସମୟଠାରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ କେତେ ଉଚ୍ଚ ଉଚ୍ଚ ଭାବ, ଶାନ୍ତି ଓ ଶୁଭେଚ୍ଛାର ବାଣୀ ଭାରତରୁ ଜଗତକୁ ବିସ୍ତୃତ ହୋଇଛି ।
୧୨. ବିଶ୍ୱର ଇତିହାସ ପର୍ଯ୍ୟାଲୋଚନା କର-ଯେଉଁଠି କୌଣସି ସୁମହାନ୍ ଆଦର୍ଶର ସନ୍ଧାନ ମିଳିବ, ଦେଖିବାକୁ ପାଇବ ଜନ୍ମ ତା’ର ଭାରତବର୍ଷରେ । ସ୍ମରଣାତୀତ କାଳରୁ ଭାରତ ମାନବସମାଜ ପାଖରେ ଅମୂଲ୍ୟ ଭାବସମୂହର ଖଣିସ୍ୱରୂପ ହୋଇ ରହିଛି । ବସ୍ତୁତଃ ଏହି ଦେଶରୁ ହିଁ ଦାର୍ଶନିକ ଓ ଆଧ୍ୟାତ୍ମିକ ଭାବତରଙ୍ଗ ଉଚ୍ଛ୍ୱସିତ ହୋଇ ବାରମ୍ବାର ଜଗତକୁ ପ୍ଳାବିତ କରିଛି । ପୁନରାୟ ଭାରତବର୍ଷରୁ ହିଁ ଏପରି ଏକ ମହାପ୍ଳାବନ ନିର୍ଗତ ହୋଇ ମୁମୂର୍ଷୁ ଜାତିଗୁଡ଼ିକର ଅନ୍ତରରେ ନୂତନ ଜୀବନ ଓ ବଳବୀର୍ଯ୍ୟର ଅପୂର୍ବ ଶକ୍ତି ସଞ୍ଚାର କରିବ ।
୧୩. ବାସ୍ତବିକ ଆମର ମାତୃଭୂମି ନିକଟରେ ଜଗତର ଋଣ ଅପରିସୀମ । ପ୍ରଭାତର କୋମଳ ଶିଶିରକଣା ଯେପରି ଲୋକଚକ୍ଷୁର ଅନ୍ତରାଳରେ ମନୋରମ ଗୋଲାପର କଢ଼ଗୁଡ଼ିକୁ ଫୁଟାଇ ତୋଳେ, ବିଶ୍ୱର ଚିନ୍ତାଧାରାରେ ଭାରତର ଅବଦାନ ମଧ୍ୟ ଠିକ୍ ସେହିପରି । ଅବ୍ୟର୍ଥ ଫଳପ୍ରସୁ ଭାରତୀୟ ଭାବପୁଞ୍ଜର ନୀରବ ଅଲକ୍ଷ୍ୟ ପ୍ରଭାବରେ ବୈଦେଶିକ ଚିନ୍ତାଜଗତରେ କେତେଥର ବୈପ୍ଳବିକ ପରିବର୍ତ୍ତନ ଆସିଛି, କେହି କେବେ ବି ତାହା ଜାଣିପାରି ନାହିଁ ।
୧୪. ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ ।
୧୫. ଆମର ଏହି ପୁଣ୍ୟଭୂମିରେ ଏକମାତ୍ର ଧର୍ମ ହିଁ ଜାତୀୟ ଜୀବନର ବୁନିୟାଦ । ଭାରତବାସୀ ଜୀବନ-ସଙ୍ଗୀତରେ ଧର୍ମ ହିଁ ମୂଳ ସ୍ୱର । ପରିଣାମରେ ଶୁଭ ହେଉ ବା ଅଶୁଭ ହେଉ ଆମର ଜୀବନଶକ୍ତି ନିହିତ ଆମର ଧର୍ମରେ । ଏଥିପାଇଁ ଏହି ଧର୍ମର ଆଦର୍ଶ ଆମେ କଦାପି ବର୍ଜନ କରି ନ ପାରୁ । ତାହା କରିବାକୁ ଗଲେ ପ୍ରଚଣ୍ଡ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ହେବ ।
୧୬. ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେପରି ଜୀବନର ଗୋଟିଏ ଲକ୍ଷ୍ୟ ସ୍ଥିର କରି ନେବାକୁ ହୁଏ, ପ୍ରତ୍ୟେକ ଜାତିକୁ ମଧ୍ୟ ତାହା କରିବାକୁ ହୁଏ । ଶତ ଶତ ଯୁଗ ପୂର୍ବେ ଭାରତ ସେହିପରି ଗୋଟିଏ ଲକ୍ଷ୍ୟ ବାଛି ନେଇଛି ଏବଂ ତାକୁ ହିଁ ସେ ଧରି ରଖିବ । ଯାହା କୁହନା କାହିଁକି, ଏହି ଲକ୍ଷ୍ୟ ନିର୍ବାଚନରେ ଭାରତ କୌଣସି ଭୁଲ କରିନାହିଁ ।
୧୭. ଯୁଗ ଯୁଗ ଧରି ଜାତୀୟ ଜୀବନ ଯେଉଁ ଲକ୍ଷ୍ୟ ଦିଗକୁ ପ୍ରବାହିତ ହୋଇଛି, ତାହାକୁ ପରିତ୍ୟାଗ କଲେ ଜାତିର ଧ୍ୱଂସ ଅବଶ୍ୟମ୍ଭାବୀ । ରାଜନୈତିକ ବା ସାମାଜିକ ଉନ୍ନତିର ପ୍ରୟୋଜନ ନାହିଁ-ଏ କଥା ମୁଁ କହୁ ନାହିଁ; ଖାଲି ତୁମକୁ ମନେ ରଖିବାକୁ କୁହେ ଯେ ଏହି ଦେଶରେ ଏହିସବୁ ଲକ୍ଷ୍ୟ ଗୌଣ, ଧର୍ମ ହିଁ ମୁଖ୍ୟ ।
୧୮. ଆଧ୍ୟାତ୍ମିକତା ହିଁ ଆମର ଜାତୀୟ ଜୀବନର ଶୋଣିତପ୍ରବାହ । ଏହି ପ୍ରବାହ ଯେତେଦିନ ନିର୍ମଳ ଓ ଓଜସ୍ୱୀ ରହିବ ସେତେଦିନ ଆମର କଲ୍ୟାଣର ପଥ ଉନ୍ମୁକ୍ତ, ସେତେଦିନ ରାଷ୍ଟ୍ରର ଓ ସମାଜର ଯାବତୀୟ ଅଭାବର-ଏପରିକି ଦେଶର ବ୍ୟାପକ ଦାରିଦ୍ର୍ୟର ପ୍ରତିଷେଧକ ମିଳିବ । ଭାରତୀୟ ଜାତି ବିଲୁପ୍ତ ହୋଇ ନ ପାରେ । ବାସ୍ତବିକ ଯେତେ ଦିନ ଭାରତର ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ଅବ୍ୟାହତ ରହିବ, ଯେତେ ଦିନ ଭାରତର ଜନଗଣ ସେମାନଙ୍କର ପ୍ରାଣସ୍ୱରୂପ ଧର୍ମକୁ ଧରି ରଖିଥିବେ, ସେତେ ଦିନ ଭାରତୀୟ ଜାତିର ବିନାଶ ନାହିଁ ।
ଭାରତର ଭବିଷ୍ୟତ
୧୯. ତୁମେମାନେ ଧର୍ମରେ ବିଶ୍ୱାସ କର ବା ନ କର, ଯଦି ଜାତୀୟ ଜୀବନକୁ ଅବ୍ୟାହତ ରଖିବାକୁ ଚାହଁ, ତେବେ ଅଧ୍ୟାତ୍ମବିଦ୍ୟାକୁ ସବଳ ହସ୍ତରେ ଧରି ରଖିବାକୁ ହେବ । ଏକ ହାତରେ ତାହା ଧରିଥାଅ, ଅନ୍ୟ ହାତ ବଢ଼ାଇ ଅପରାପର ଜାତି ନିକଟରେ ଯାହା ଶିକ୍ଷଣୀୟ ଅଛି, ତାହା ଆହରଣ କର । ଅବଶ୍ୟ ଲକ୍ଷ୍ୟ ରଖ ଯେ, ସେସବୁ ଆହୃତ ବିଦ୍ୟା ଯେପରି ହିନ୍ଦୁର ମୂଳ ଜୀବନ ଦର୍ଶନ ଅନୁଗତ ରହେ ।
୨୦. ତାହା କରିପାରିଲେ ଭାବୀ ଭାରତ ଏପରି ମହିମାମୟ ସମୁଜ୍ଜ୍ୱଳ ହୋଇ ଉଠିବ, ଯେପରି ପୂର୍ବେ କୌଣସି କାଳରେ ନ ଥିଲା । ମୋର ଦୃଢ଼ ବିଶ୍ୱାସ, ସେ ଶୁଭଦିନ ଆସିବାକୁ ଆଉ ବିଳମ୍ବ ନାହିଁ । ଇତିହାସପ୍ରସିଦ୍ଧ ପ୍ରାଚୀନ ମହାପୁରୁଷମାନଙ୍କ ଅପେକ୍ଷା ମଧ୍ୟ ଅଧିକତର ପ୍ରଭାବଶାଳୀ ମହର୍ଷି ଓ ବ୍ରହ୍ମର୍ଷି ଏ ଦେଶରେ ଜନ୍ମଗ୍ରହଣ କରିବେ ।
୨୧. ହେ ଭ୍ରାତୃବୃନ୍ଦ, ଆମ ସମସ୍ତଙ୍କୁ ଭବିଷ୍ୟତରେ ଶୁଭ ଉଦ୍ବୋଧନ କାର୍ଯ୍ୟରେ ଅନଳସ ଐକାନ୍ତିକତାରେ ବ୍ରତୀ ହେବାକୁ ହେବ । ଆଉ ଶୋଇ ରହି କାଳ କଟାଇବାର ସମୟ ନାହିଁ । ଆମ ପ୍ରଯତ୍ନ ଉପରେ ଗୌରବୋଜ୍ଜ୍ୱଳ ଭବିଷ୍ୟତ ଭାରତର ଅଭ୍ୟୁଦୟ ନିର୍ଭର କରୁଛି ।... ଉଠ ତାକୁ ଜାଗ୍ରତ କରି ଦେଖ, ନବଜୀବନ ଲାଭ କରି ଆମର ଦେଶମାତୃକା ପୂର୍ବ ଯୁଗ ଅପେକ୍ଷା ଅଧିକତର ମହିମାରେ ତାଙ୍କର ଶାଶ୍ୱତ ସିଂହାସନରେ ପ୍ରତିଷ୍ଠିତ ହୋଇଛନ୍ତି ।
୨୨. ସୁଦୀର୍ଘ ରଜନୀ ବୋଧହୁଏ ପ୍ରଭାତ ହେଲା, ମର୍ମାନ୍ତିକ ଦୁଃଖର ବୋଧହୁଏ ଏଥର ଅବସାନ ହେଉଛି । ନିସ୍ପନ୍ଦ ଶବପରି ସୁଷୁପ୍ତ ଭାରତ ବୋଧହୁଏ ଜାଗି ଉଠିଛି । ଯିଏ ଅନ୍ଧ ସେ ହିଁ କେବଳ ଦେଖିପାରୁ ନାହିଁ, ଆଉ ଯିଏ ବିକୃତରୁଚି ସେ ଦେଖି ମଧ୍ୟ ଦେଖିବ ନାହିଁ, ଯେ ଆମ ଦେଶମାତୃକା ତାଙ୍କର ସୁଦୀର୍ଘ ଗଭୀର ପ୍ରସୁପ୍ତିରୁ ଜାଗ୍ରତ ହେଉଛନ୍ତି । କାହାର ସାଧ୍ୟ ନାହିଁ, ଏ ଜାଗରଣକୁ ରୋଧ କରିବ ! ଜାଗ୍ରତ ଭାରତ ଆଉ ନିଦ୍ରାଭିଭୂତ ହେବ ନାହିଁ । ବାହାରର କୌଣସି ଶକ୍ତି ଆଉ ତାକୁ ଦବେଇ ରଖିପାରିବ ନାହିଁ ।
୨୩. ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ । ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ ।
୨୪. ଆଧ୍ୟାତ୍ମିକତାର ଏକ ବନ୍ୟା ଆସୁଛି, ସ୍ପଷ୍ଟ ଦେଖୁଛି, ଏହି ଉଦ୍ଦାମ, ବନ୍ଧନହୀନ, ସର୍ବଗ୍ରାସୀ ପ୍ଳାବନ ସମଗ୍ର ପୃଥିବୀକୁ ଭସେଇ ନେଇଯିବ । ସମସ୍ତେ ଅଗ୍ରସର ହୁଅ । ସମସ୍ତଙ୍କର ଐକାନ୍ତିକ ପ୍ରଚେଷ୍ଟା ଏହି ପ୍ଳାବନର ବେଗ ବର୍ଦ୍ଧିତ କରୁ ଏବଂ ତୁମମାନଙ୍କର ସମବେତ ଉଦ୍ୟମର ଏହି ପଥ ବାଧାମୁକ୍ତ ହେଉ ।
୨୫. ମାନବଜାତିକୁ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ କରାଇବା ଭାରତର ମୂଳ ଜୀବନବ୍ରତ, ତାହାର ଅସ୍ତିତ୍ୱର ପରମ ପ୍ରତିଷ୍ଠା, ଚରମ ସାର୍ଥକତା । ତାତାର, ତୁର୍କୀ, ମୋଗଲ ଓ ଇଂରେଜର ଶାସନ ସତ୍ତ୍ୱେ ଏହି ଜାତିର ଜୀବନଧାରା ଅବ୍ୟାହତ ରହିଛି ।
୨୬. ମାନବକୁ ନବପ୍ରାଣରେ ସଞ୍ଜୀବିତ କରାଇବା, ପଶୁ ସ୍ତରର ମନୁଷ୍ୟକୁ ଦେବମାନବରେ ପରିଣତ କରାଇବା-ଏହି ମହାନ୍ ଜୀବନବ୍ରତ ଉଦ୍ଯାପନ କରିବା ପାଇଁ ଆମର ଦେଶମାତୃକା ସାମ୍ରାଜ୍ଞୀ ପରି ଧୀର ପଦକ୍ଷେପରେ ଅଗ୍ରସର ହେଉଛନ୍ତି । ସ୍ୱର୍ଗ ବା ମର୍ତ୍ତ୍ୟରେ ଏପରି କୌଣସି ଶକ୍ତି ନାହିଁ, ଯାହା ତାଙ୍କର ଗତିରୋଧ କରିପାରେ ।
ବର୍ତ୍ତମାନର ଅଧଃପତନ
୨୭. ଆଜିକାଲି ଅନେକ ହିଁ ମନେ କରନ୍ତି ଯେ ଅତୀତ ଆଡ଼କୁ ନିବଦ୍ଧଦୃଷ୍ଟି ବ୍ୟକ୍ତିଗଣ ମାରାତ୍ମକ ଭୁଲ କରୁଛନ୍ତି; ସେମାନଙ୍କର ଧାରଣା, ପୁରାବୃତ୍ତ ପ୍ରତି ଏହି ନିବିଡ଼ ମମତା ହିଁ ଭାରତର ଯାବତୀୟ ଦୁର୍ଗତିର ମୂଳ କାରଣ । ମୋର କିନ୍ତୁ ମନେ ହୁଏ ଏହାର ବିପରୀତ ଧାରଣା ହିଁ ସତ୍ୟ ।
୨୮. ଭାରତର ଅବନତିର ଅନ୍ୟତମ କାରଣ, ଆମର ସଂକୀର୍ଣ୍ଣ ଦୃଷ୍ଟି ଓ କର୍ମକ୍ଷେତ୍ରରେ ସଂକୋଚନ । ଆମ ଦେଶ ବାହାରର ଅନ୍ୟାନ୍ୟ ଜାତି ସହିତ ନିଜର ଭାବ ଓ କର୍ମାକର୍ମ ମିଳାଇ ଦେଖିନାହୁଁ,-ବହିର୍ବିଶ୍ୱରେ କଅଣ ଘଟୁଛି ତାହାର କୌଣସି ଖବର ନେଇ ନାହୁଁ, ଏହା ହିଁ ଭାରତବାସୀର ମାନସିକ ଅଧଃପତନ ପାଇଁ ପ୍ରଧାନତଃ ଦାୟୀ ।
୨୯. ମୋର ଦୃଢ଼ ବିଶ୍ୱାସ, କୌଣସି ବ୍ୟକ୍ତି ବା ଜାତି ଅପର ସଙ୍ଗରେ ସମ୍ବନ୍ଧ ବର୍ଜନ କରି ବଞ୍ଚି ରହିପାରେ ନାହିଁ । ମହତ୍ତ୍ୱ, ଶୁଚିତା ବା କର୍ମନୀତିର ଭୁଲ ଦୋହଲାଇ ଦେଇ ଏପରି ଅପଚେଷ୍ଟା ଯେ କେହି କରିଯାଇଛି, ସେ ବ୍ୟକ୍ତି ବା ଜାତିକୁ ଅନତିକାଳ ପରେ ଅପରିହାର୍ଯ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ହୋଇଛି ।
୩୦. ବାସ୍ତବିକ ଆଶଙ୍କା ହୁଏ-ଆଜି ଆମର ଧର୍ମ ରନ୍ଧନଶାଳରେ ହିଁ ଆବଦ୍ଧ ହୋଇ ପଡ଼ିଛି । ପ୍ରକୃତରେ ଆମେ ପ୍ରାୟ ସମସ୍ତେ ଆଜିକାଲି ବୈଦାନ୍ତିକ ବି ନୋହୁଁ, ପୌରାଣିକ ବା ତାନ୍ତ୍ରିକ ମଧ୍ୟ ନୋହୁଁ-ଆମେ ‘ଛୁତ୍ପନ୍ଥୀ’; ଆମ ଧର୍ମ ରୋଷେଇ ଘରେ ସୀମାବଦ୍ଧ । ଭାତହାଣ୍ଡି ଆମର ଉପାସ୍ୟ ଦେବତା; ଆଉ ମନ୍ତ୍ର ‘ମୋତେ ଛୁଅଁନା, ମୁଁ ଶୁଚି’-ଏହି ଘଟଣା ଆହୁରି ଏକ ଶହ ବର୍ଷ ଚାଲିଲେ ସମଗ୍ର ହିନ୍ଦୁ ସମାଜ ଉନ୍ମାଦ- ଆଶ୍ରମରେ ପରିଣତ ହେବ ।
୩୧. ମୋର ଧାରଣା ଜନସାଧାରଣଙ୍କର କଲ୍ୟାଣଚିନ୍ତା ଉପେକ୍ଷା କରି ଆମ ଜାତି ମହାପାତକ କରୁଛି ଏବଂ ତାହାରି ଫଳରେ ବର୍ତ୍ତମାନର ଅଧଃପତନ । ଯେତେ ଦିନ ପର୍ଯ୍ୟନ୍ତ ଭାରତର ଅନଭିଜାତ ଜନସାଧାରଣ ସମାଦୃତ ନ ହେଉଛନ୍ତି, ଯେତେ ଦିନ ତାଙ୍କ ପାଇଁ ଉପଯୁକ୍ତ ଖାଦ୍ୟ, ଶିକ୍ଷା ପ୍ରଭୃତିର ବ୍ୟବସ୍ଥା ନ ହୋଇଛି, ସେତେଦିନ ଆମର ଯାବତୀୟ ରାଜନୈତିକ କ୍ରିୟାକଳାପ ନିଷ୍ଫଳ ହେବ, ଏ ଦେଶର ଉନ୍ନତି ସମ୍ଭବ ହେବ ନାହିଁ ।
ନାରୀ-ଶିକ୍ଷା ଓ ନାରୀ-କଲ୍ୟାଣ
୩୨. ସ୍ତ୍ରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ । ଏକ ପକ୍ଷରେ ପକ୍ଷୀର ଉଡ଼୍ଡ଼ୟନ ସମ୍ଭବ ନୁହେଁ । ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ । ସେଥିପାଇଁ କେବଳ ମାତୃଭାବର ପ୍ରଚାର । ପ୍ରାଚୀନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି ।’ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି ।
୩୩. ତୁମେମାନେ ସ୍ତ୍ରୀ-ଜାତିକୁ ନିନ୍ଦା କର, କିନ୍ତୁ ତାଙ୍କ ଉନ୍ନତି ପାଇଁ କଅଣ କରିଛ କହିଲ ? ସ୍ମୃତି ପ୍ରଭୃତି ରଚନା କରି କଠିନ ବିଧିନିଷେଧ ସେମାନଙ୍କ ଅଣ୍ଟାପିଠିରେ ଏପରି ଭାବେ ବାନ୍ଧି ଦିଆଯାଇଛି ଯେ, ସେମାନେ ସନ୍ତାନ-ପ୍ରସବର ଯନ୍ତ୍ର ମାତ୍ରରେ ହିଁ ପର୍ଯ୍ୟବସିତ । କିନ୍ତୁ ଜଗଜ୍ଜନନୀ ଆଦ୍ୟାଶକ୍ତିଙ୍କର ସାକ୍ଷାତ୍ ପ୍ରତିମୂର୍ତ୍ତି ନାରୀମାନଙ୍କର ଅବସ୍ଥାରେ ଉନ୍ନତି ସାଧନ ନ କଲେ ଭାବ ନାହିଁ ଯେ ତୁମ ଉନ୍ନତିର ଆଉ କୌଣସି ଉପାୟ ଅଛି ।
୩୪. କୌଣସି ଶାସ୍ତ୍ରରେ ଏପରି କଥା ଅଛି ଯେ, ସ୍ତ୍ରୀଲୋକମାନେ ଜ୍ଞାନଭକ୍ତିର ଅଧିକାରିଣୀ ହେବେ ନାହିଁ ? ଭାରତୀୟ ନାରୀଗଣଙ୍କୁ ସୀତାଙ୍କର ପଦାଙ୍କ ଅନୁସରଣ କରି ନିଜର ଉନ୍ନତିବିଧାନର ଚେଷ୍ଟା କରିବାକୁ ହେବ-ଭାରତୀୟ ନାରୀର ଉନ୍ନତିର ଏହା ଏକମାତ୍ର ପଥ ।
୩୫. ସୀତା ସାବିତ୍ରୀଙ୍କର ଏହି ଦେଶରେ, ପୁଣ୍ୟକ୍ଷେତ୍ର ଭାରତରେ ଏବେ ମଧ୍ୟ ଝିଅମାନଙ୍କର ଯେପରି ଚରିତ୍ର, ସେବାଭାବ, ସ୍ନେହ, ଦୟା, ତୁଷ୍ଟି, ଭକ୍ତି ଦେଖାଯାଏ, ପୃଥିବୀରେ କେଉଁଠାରେ ମଧ୍ୟ ସେପରି ଦେଖିଲି ନାହିଁ । ଭାରତରେ କେବଳ ମହିଳାମାନଙ୍କର ନାରୀ ସୁଲଭ ସ୍ନିଗ୍ଧ ଲଜ୍ଜା ଓ ସଂଯମ ନୟନ ତୃପ୍ତି କରିଦିଏ ।
୩୬. ପ୍ରକୃତ ଭାରତୀୟ ନାରୀର ଆଦର୍ଶ ସୀତା । ଏ ଦେଶରେ ପୂର୍ଣ୍ଣାଙ୍ଗ ନାରୀଚରିତ୍ରର ଯାବତୀୟ ଆଦର୍ଶ ଏକମାତ୍ର ସୀତାଙ୍କର ଜୀବନରୁ ଗଢ଼ିଉଠିଛି । ବସ୍ତୁତଃ ସୀତା ହିନ୍ଦୁ ଜାତିର ପ୍ରାଣ ସଙ୍ଗେ ମିଶି ରହିଛନ୍ତି । ପ୍ରତି ହିନ୍ଦୁ ନରନାରୀଙ୍କର ଶୋଣିତରେ ଯେପରି ତାଙ୍କ ସତ୍ତା ଏବେ ବି ସ୍ପନ୍ଦିତ । ଆମେ ସମସ୍ତେ ହିଁ ସୀତାଙ୍କ ସନ୍ତାନ ।
୩୭. ସୀତା ଯେପରି ସତୀତ୍ୱର ମୂର୍ତ୍ତ ବିଗ୍ରହ । ସ୍ୱାମୀ ବ୍ୟତୀତ ଅପର କୌଣସି ପୁରୁଷର ଅଙ୍ଗ ସେ କେବେ ସ୍ପର୍ଶ କରିନାହାନ୍ତି । ଯାହା କିଛି ଶୁଚି, ସୁନ୍ଦର, ନିଷ୍ପାପ, ଯାହା କିଛି ମଧ୍ୟରେ ନାରୀର ନାରୀତ୍ୱ, ‘ସୀତା’ କହିଲେ ଭାରତରେ ତାହା ହିଁ ବୁଝାଏ ।
୩୮. ମୁଁ ଜାଣେ, ଯେଉଁ ଜାତି ସୀତାଙ୍କୁ ସୃଷ୍ଟି କରିଛି-ଯଦି ସେହି ସୃଷ୍ଟି କାଳ୍ପନିକ ହୁଏ-ତଥାପି ସେହି ଜାତିର ନାରୀ ପ୍ରତି ଶ୍ରଦ୍ଧା ପୃଥିବୀରେ ଅତୁଳନୀୟ ।
୩୯. ଭାରତୀୟ ନାରୀମାନଙ୍କୁ ଆଧୁନିକ କରିବା ଉଦ୍ଦେଶ୍ୟରେ ଯଦି ଆମେ ସେମାନଙ୍କୁ ସୀତାଙ୍କ ଆଦର୍ଶରୁ ବିଚ୍ୟୁତ କରିବାର ଚେଷ୍ଟା କରିବୁ, ଆମର ସକଳ ଉଦ୍ୟମ ହିଁ ବିଫଳ ହେବ । ଭାରତୀୟ ନାରୀଗଣଙ୍କୁ ସୀତାଙ୍କର ପଦାଙ୍କ ଅନୁସରଣ କରି ଉନ୍ନତି ପଥରେ ଚାଲିବାକୁ ହେବ- ଏହା ହିଁ ଏକମାତ୍ର ପନ୍ଥା ।
୪୦. ଆର୍ଯ୍ୟ ଓ ସେମିଟିକ୍ ଦୃଷ୍ଟିଭଙ୍ଗୀରେ ନାରୀର ଆଦର୍ଶ ସଂପୂର୍ଣ୍ଣ ବିପରୀତ । ସେମିଟିକ୍ ମତରେ ନାରୀର ସାହଚର୍ଯ୍ୟ ଈଶ୍ୱରଭକ୍ତି ପକ୍ଷରେ ଅନିଷ୍ଟକର । ତେଣୁ କୌଣସି ପ୍ରକାର ଧର୍ମାନୁଷ୍ଠାନରେ ନାରୀର ଅଧିକାର ନାହିଁ । ଏପରିକି ସାମାନ୍ୟ ଗୋଟିଏ ପକ୍ଷୀ ବଳି ଦେବାର ବି ନୁହେଁ; କିନ୍ତୁ ଆର୍ଯ୍ୟମତରେ ସ୍ତ୍ରୀକୁ ବାଦ ଦେଇ ପୁରୁଷ କୌଣସି ପ୍ରକାର ଧର୍ମାନୁଷ୍ଠାନ କରି ନ ପାରେ ।
ବର୍ତ୍ତମାନ କର୍ତ୍ତବ୍ୟ
୪୧. ଆମ ଦେଶ ପକ୍ଷରେ ଏବେ ବିଶେଷ ପ୍ରୟୋଜନ ଏପରି ବଳିଷ୍ଠ ମଣିଷ, ଯାହାଙ୍କର ମାଂସପେଶୀ ଲୌହବତ୍ ଦୃଢ଼, ସ୍ନାୟୁ ଇସ୍ପାତ ପରି କଠିନ, ଆଉ ଯାହାଙ୍କର ପ୍ରଚଣ୍ଡ ଇଚ୍ଛାଶକ୍ତି ବ୍ରହ୍ମାଣ୍ଡର ଗୂଢ଼ତମ ରହସ୍ୟ ଭେଦ କରିବାକୁ ସକ୍ଷମ । ଏହି କାର୍ଯ୍ୟସାଧନରେ ଯଦି ସମୁଦ୍ରର ଅତଳ ତଳକୁ ଯିବାକୁ ହୁଏ, ଏପରିକି ମୃତ୍ୟୁକୁ ମଧ୍ୟ ବରଣ କରିବାକୁ ହୁଏ, ସେଥିରେ ବି ସେମାନେ ତିଳେ ହେଲେ ପଶ୍ଚାତ୍ପଦ ହେବେ ନାହିଁ ।
୪୨. ଶକ୍ତି-ଏକମାତ୍ର ଶକ୍ତି ହିଁ ଆମର ପ୍ରୟୋଜନ । ତୁମେ ପ୍ରତ୍ୟେକ ନିଜ ଗୋଡ଼ରେ ଠିଆ ହୋଇ ସର୍ବପ୍ରକାର ବନ୍ଧନରୁ ମୁକ୍ତ ହୁଅ ।
୪୩. ଯଦି ଉପନିଷଦ୍ରେ ଏପରି ଗୋଟିଏ ଶବ୍ଦ ଥାଏ, ଯାହା ପୁଞ୍ଜୀଭୂତ ଅଜ୍ଞାନରାଶି ଉପରେ ବୋମା ପରି ବିସ୍ପାରିତ ହୋଇ ତାକୁ ଏକାବେଳକେ ଛିନ୍ନଭିନ୍ନ କରିଦେଇପାରେ, ତାହା ଏକମାତ୍ର ‘ଅଭୀ’ । ଯଦି ଜଗତକୁ କୌଣସି ଧର୍ମ ଶିଖାଇବାକୁ ହୁଏ, ତେବେ ତାହା ନିର୍ଭୀକତାର ଧର୍ମ । ଉଠ, ଜାଗ, ମୋହାଚ୍ଛନ୍ନ ହୋଇ ନିଜକୁ ଦୁର୍ବଳ ଭାବ ନାହିଁ ।
୪୪. ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ । ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ ।
୪୫. କେହି ବି ପ୍ରକୃତ ଦୁର୍ବଳ ନୁହେଁ । ଆତ୍ମା ଅନନ୍ତ, ସର୍ବଶକ୍ତିମାନ୍ ଓ ସର୍ବଜ୍ଞ । ଉଠି ଠିଆ ହୁଅ । ନିଜର ସ୍ୱରୂପ ବ୍ୟକ୍ତ କର । ତୁମର ଅନ୍ତର ଦେବତାଙ୍କୁ ଅସ୍ୱୀକାର ନ କରି ତାଙ୍କ ଅସ୍ତିତ୍ୱରେ ଆସ୍ଥାବାନ ହୁଅ । ଘୋର ଆଳସ୍ୟ, ଅତ୍ୟଧିକ ଦୁର୍ବଳତା ଓ ପ୍ରଚଣ୍ଡ ଆତ୍ମବିଭ୍ରାନ୍ତି ଆମ ଜାତିକୁ ଆଚ୍ଛନ୍ନ କରିଛି ।
୪୬. ଆଧୁନିକ ହିନ୍ଦୁମାନଙ୍କୁ କହେ-ତୁମେ ଏହି ମୋହଜାଲରୁ ମୁକ୍ତ ହୁଅ । ନିଜର ପ୍ରକୃତ ସ୍ୱରୂପ ଜାଣିବାକୁ ଚେଷ୍ଟା କର ଏବଂ ଅପରକୁ ଏହିପରି କରିବାକୁ ଶିଖାଅ । ମୋହନିଦ୍ରାରେ ଅଭିଭୂତ ଜୀବାତ୍ମାକୁ ଜଗାଅ । ଆତ୍ମସମ୍ବିତ୍ ଜାଗ୍ରତ ହେଲେ ଦେଖିବ-କ୍ଷମତା, ମହିମା, ସତତା, ପବିତ୍ରତା, ଯାହା କିଛି ବରଣୀୟ ସ୍ୱତଃ ହିଁ ଆସିବ ।
୪୭. ଦୁର୍ବଳ ମସ୍ତିଷ୍କ କିଛି କରିପାରେ ନାହିଁ । ଆମକୁ ତାହା ବଦଳରେ ସବଳ ମସ୍ତିଷ୍କ ହେବାକୁ ହେବ । ଧର୍ମ ପରେ ଆସିବ । ସଙ୍କୋଚନ ହିଁ ମୃତ୍ୟୁ, ଆଉ ସର୍ବପ୍ରକାର ସଂପ୍ରସାରଣ ହିଁ ଜୀବନ । ଯଦି ତୁମେ ବଞ୍ଚିବାକୁ ଚାହଁ, ତେବେ ତୁମକୁ ସଂକୀର୍ଣ୍ଣ ଗଣ୍ଡି ଛାଡ଼ିବାକୁ ହେବ ।
୪୮. ‘ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ’-ଉଠ, ଜାଗ୍ରତ ହୁଅ, ଆଚାର୍ଯ୍ୟଗଣଙ୍କର ସମୀପସ୍ଥ ହୋଇ (ତତ୍ତ୍ୱଜ୍ଞାନ) ଲାଭ କର । ଭାବ ନାହିଁ ତୁମେ ଦରିଦ୍ର, ଭାବ ନାହିଁ ତୁମେ ବନ୍ଧୁହୀନ । ଉଠ, ଜାଗ ।
୪୯. ସର୍ବଦା ‘ସୋଽହଂ’ କହି ନିଜ ସ୍ୱରୂପର ଚେତନା ଉଜ୍ଜୀବିତ କରି ରଖିବ । ଏହି ମହାବାକ୍ୟର ପ୍ରଭାବରେ ମନର ସକଳ ଆବର୍ଜନା ଭସ୍ମୀଭୂତ ହୋଇଯିବ ଏବଂ ଅନ୍ତରରେ ଯେଉଁ ଅନନ୍ତ ଶକ୍ତି ପ୍ରସୁପ୍ତ ଅଛି, ତାହା ଜାଗ୍ରତ ହୋଇ ପ୍ରଚଣ୍ଡ ତେଜରେ ମୂର୍ତ୍ତ ହୋଇ ଉଠିବ ।
ଶିକ୍ଷା
୫୦. ଶିକ୍ଷା କ’ଣ ପୋଥିର ବିଦ୍ୟା ?-ନା । ନାନା ବିଷୟର ଜ୍ଞାନ ? ନା, ତା’ ବି ନୁହେଁ । ଯଥାର୍ଥ ଶିକ୍ଷା କହିଲେ କେତେଗୁଡ଼ିଏ ଶବ୍ଦ ସଂଗ୍ରହକୁ ବୁଝାଏ ନାହିଁ । ବୁଝାଏ ମେଧା ପ୍ରଭୃତି ମାନସିକ ବୃତ୍ତିଗୁଡ଼ିକର ପରିସ୍ପୁରଣ । ମଣିଷର ବ୍ୟକ୍ତିଗତ ସଂକଳ୍ପଗୁଡ଼ିକ ସତ୍ ଏବଂ କାର୍ଯ୍ୟକାରୀ କରି ଗଢ଼ି ତୋଳିବାର ପଦ୍ଧତି ହେଉଛି ପ୍ରକୃତ ଶିକ୍ଷା ।
୫୧. ମାନବ ମଧ୍ୟରେ ସେହି ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ । ତା’ର ବିକାଶର ନାମ ଶିକ୍ଷା । ଶିକ୍ଷାପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି, ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ ଉପରେ ଠିଆ ହୋଇପାରେ, ତାହା ହିଁ ହେଉଛି ଶିକ୍ଷା । କେତେଟା ପାସ୍ କଲେ ବା ଭଲ ବକ୍ତୃତା କରି ପାରିଲେ କଅଣ ଶିକ୍ଷିତ ହୁଅନ୍ତି !
୫୨. ଶିକ୍ଷା କହିଲେ ମୁଁ ବୁଝେ ଯଥାର୍ଥ ଜ୍ଞାନ ଅର୍ଜନ । ଖାଲି ପୋଥିଗତ ବିଦ୍ୟାରେ ଚଳିବ ନାହିଁ । ଦରକାର ପାଶ୍ଚାତ୍ୟ ବିଜ୍ଞାନ ସଙ୍ଗେ ବେଦାନ୍ତର ସମନ୍ୱୟ-ଯାହାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ ।
୫୩. ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ । ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ । ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ ।
୫୪. ଦେହଟାକୁ ଖୁବ୍ ମଜଭୁତ କରିବାକୁ ଶିଖିବାକୁ ହେବ ଏବଂ ସମସ୍ତଙ୍କୁ ଶିଖାଇବାକୁ ହେବ । ଦେଖୁନ ଏବେ ବି ମୁଁ ରୋଜ୍ ଡାମବେଲ ଉଠାଏ । ଶାରୀରିକ ପରିଶ୍ରମ କରିବ । ଦେହ ଓ ମନ ସମାନ ଭାବରେ ଉନ୍ନତ ହେବା ଦରକାର ।
୫୫. ଜଗତରେ ଯଦି କିଛି ପାପ ଥାଏ, ତାହା ଏହି ଭୟ । ଯେକୌଣସି କାର୍ଯ୍ୟ ତୁମ ଭିତରେ ଶକ୍ତିର ଉଦ୍ରେକ କରାଏ ତାହା ହିଁ ପୁଣ୍ୟ, ଆଉ ଯାହା ତୁମ ଶରୀର ମନକୁ ଦୁର୍ବଳ କରେ ତାହା ପାପ । ଏହି ଦୁର୍ବଳତା ପରିତ୍ୟାଗ କର ।
୫୬. ଚାଲାକିଦ୍ୱାରା କୌଣସି ମହତ୍ କାମ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ ।
୫୭. ମୁଁ ଦିବ୍ୟ ଚକ୍ଷୁରେ ଦେଖୁଛି ଯେ ତୁମମାନଙ୍କ ହୃଦୟରେ ଅନନ୍ତ ଶକ୍ତି ଅଛି । ସେହି ଶକ୍ତିକୁ ଜାଗ୍ରତ କର; ଉଠ, ଲାଗି ପଡ଼, ଅଣ୍ଟା ଭିଡ଼ । ମୁଁ ମୁକ୍ତି ଫୁକ୍ତି ଚାହେଁ ନାହିଁ ।
୫୮. ସମସ୍ତଙ୍କୁ ଯାଇ କହ-ଉଠ, ଜାଗ, ଆଉ ଶୁଅ ନାହିଁ । ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିତରେ ହିଁ ରହିଛି । ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ ।
୫୯. ଏବେ ଆମର ପ୍ରୟୋଜନ ଚରିତ୍ର ଗଠନ ଏବଂ ଇଚ୍ଛାଶକ୍ତି ପ୍ରବଳ କରିବା । ବାସ୍ତବିକ ଇଚ୍ଛାଶକ୍ତିର ପ୍ରଭାବ ଅପରିସୀମ ।
୬୦. ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ନିଜସ୍ୱ ଜ୍ଞାନ ଭଣ୍ଡାରରୁ ବିଭିନ୍ନ ବିଷୟ ସଙ୍ଗେ ପାଶ୍ଚାତ୍ୟ ବିଜ୍ଞାନ ଆୟତ୍ତ କରିବା ଆମର ପ୍ରୟୋଜନ । ଆଉ ଦରକାର କାରିଗରୀ ଶିକ୍ଷା ଏବଂ ଶ୍ରମଶିଳ୍ପ ପ୍ରସାରର ଅନୁକୂଳ ବିବିଧ ଶିକ୍ଷାର ବିସ୍ତାର, ଯାହା ଫଳରେ ଚାକିରୀ ଧନ୍ଦାରେ ନ ରହି ମଣିଷ ଜୀବିକା ଚଳାଇପାରେ ।
ଗଣୋନ୍ନତି
୬୧. ମନେରଖ, ଦରିଦ୍ରର କୁଟୀରରେ ହିଁ ଜାତିର ବସତି । କିନ୍ତୁ ହାୟ, ସେମାନଙ୍କ ପାଇଁ କେହି କିଛି ରଖି ନାହିଁ ।
୬୨. ଶିକ୍ଷାୟତନ ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ । ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ । ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ ।
୬୩. ଦେଶର ସର୍ବତ୍ର ଗ୍ରାମେ ଗ୍ରାମେ ଘୂରି ଗଣସମ୍ବିତ୍ ଜାଗ୍ରତ କରିବା ତୁମମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ, ଜନସାଧାରଣଙ୍କୁ ବୁଝାଇବାକୁ ହେବ ଯେ ଖାଲି ଅଳସ ଭାବରେ ବସି ରହିଲେ ଚଳିବ ନାହିଁ । ତା’ପରେ ତାଙ୍କର ନିଜ ନିଜର ଐହିକ ଅବସ୍ଥାର ଉନ୍ନତିର ଉପାୟ କହିଦେବାକୁ ହେବ ।
୬୪. ଜନସାଧାରଣଙ୍କର ଦୁର୍ଗତି ଦେଖି ମୋ ହୃଦୟ ଏପରି ଭାରାକ୍ରାନ୍ତ ଯେ ଅନ୍ତରର ବ୍ୟଥା ପ୍ରକାଶ କରିବା ଅସମ୍ଭବ । ଯେତେ ଦିନ ଭାରତର କୋଟି କୋଟି ନରନାରୀ ଅଶିକ୍ଷିତ ଓ ବୁଭୁକ୍ଷୁ ରହିଥିବେ, ସେତେଦିନ ସେମାନଙ୍କୁ ବଞ୍ଚିତ କରି ଯେଉଁମାନେ ତାଙ୍କର କଲ୍ୟାଣ ସମ୍ବନ୍ଧରେ ଏକାନ୍ତ ଉଦାସୀନ ହୋଇ ରହିଛନ୍ତି, ସେମାନଙ୍କର ପ୍ରତ୍ୟେକଙ୍କୁ ମୁଁ ଦେଶଦ୍ରୋହୀ ମନେ କରେ ।
୬୫. ଇଉରୋପରେ ବହୁ ନଗରରେ ଭ୍ରମଣ ସମୟରେ ଦରିଦ୍ର ବ୍ୟକ୍ତିଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଏବଂ ଶିକ୍ଷାଦୀକ୍ଷା ଦେଖି ଭାରତର ଅସହାୟ ଗରୀବମାନଙ୍କର ଅବସ୍ଥା ମନେ ପଡ଼ୁଥିଲା, ଆଉ ଆଖିରୁ ଲୁହ ଢାଳୁଥିଲି । ଏହି ପାର୍ଥକ୍ୟର କାରଣ ଅନୁସନ୍ଧାନ କରି ବୁଝିଲି, ପ୍ରଭେଦ ଗଣଶିକ୍ଷାରେ ।
୬୬. ତୁମେମାନେ ଏହିସବୁ ଦରିଦ୍ର ମୂକ ଜନସାଧାରଣଙ୍କୁ ହିଁ ତୁମର ଆରାଧ୍ୟ ଦେବତା ମନେ କରି ସେବା କର; ତାଙ୍କର କଲ୍ୟାଣର ଚେଷ୍ଟା କର । ଯାହାର ହୃଦୟ ଦରିଦ୍ରଙ୍କ ବ୍ୟଥାରେ ବିଗଳିତ ହୁଏ, ତାଙ୍କୁ ହିଁ ମୁଁ କୁହେ ମହାତ୍ମା, ନତୁବା ସେ ଦୁରାତ୍ମା ।
୬୭. ପୃଥିବୀର ଅପର କୌଣସି ଧର୍ମ ହିଁ ହିନ୍ଦୁ ଧର୍ମ ପରି ଏତେ ଉଦାତ୍ତ କଣ୍ଠରେ ମାନବାତ୍ମାର ମହିମା ଘୋଷଣା କରି ନାହିଁ । ଅଥଚ ଅପର କୌଣସି ଧର୍ମ ହିନ୍ଦୁ ଧର୍ମ ପରି ଦରିଦ୍ର ଓ ନିମ୍ନ ଶ୍ରେଣୀର ତଣ୍ଟିକୁ ଏ ଭାବରେ ଚାପି ଧରି ନାହିଁ ।
୬୮. ଭାରତର ଉପେକ୍ଷିତ, କୃଷକ, ତନ୍ତୀ ପ୍ରଭୃତି ନିମ୍ନ ଶ୍ରେଣୀର ଲୋକମାନେ ବିଜେତାଙ୍କର ନିପୀଡ଼ନ ଏବଂ ସ୍ୱଦେଶବାସୀଙ୍କର ଅବଜ୍ଞା ସତ୍ତ୍ୱେ ସ୍ମରଣାତୀତ କାଳରୁ ନୀରବରେ କାମ କରି ଆସୁଛନ୍ତି ଏବଂ ତା’ପାଇଁ ସେମାନେ କୌଣସି ଦିନ ତାଙ୍କର ଉପଯୁକ୍ତ ପାରିଶ୍ରମିକ ପାଇ ନାହାନ୍ତି ।
୬୯. ହେ ଭାରତର ଶ୍ରମିକ ସଂପ୍ରଦାୟ ! ହେ ଭାରତର ଚିର ପଦଦଳିତ ଶ୍ରମିକ ବୃନ୍ଦ । ତୁମମାନଙ୍କର କାର୍ଯ୍ୟ ବାସ୍ତବିକ ଅତି ଅଦ୍ଭୁତ । ତୁମମାନଙ୍କୁ ଅଭିନନ୍ଦନ ଜଣାଉଛି ।
୭୦. ଆମ ଜନସାଧାରଣ ପାର୍ଥିବ ବ୍ୟାପାର ସମ୍ବନ୍ଧରେ ଅତ୍ୟନ୍ତ ଅଜ୍ଞ । ତେବେ ସେମାନେ ସଜ୍ଜନ । କାରଣ ଏ ଦେଶରେ ଦାରିଦ୍ର୍ୟ ସଙ୍ଗେ ସୌଜନ୍ୟର କୌଣସି ସମ୍ପର୍କ ନାହିଁ । ସେମାନଙ୍କର ସ୍ୱଭାବ କେବେ ହିଂସାପ୍ରବଣ ନୁହେଁ ।
୭୧. ନୂତନ ଭାରତ ବାହାରୁ ! ବାହାରୁ ଲଙ୍ଗଳ ଧରି, ଚଷାର କୁଟୀର ଭେଦ କରି, କେଉଟ, ନାଉରିଆ, ମୋଚି, ମେହନ୍ତରର କୁଡ଼ିଆ ଭିତରୁ, ବାହାରୁ ତେଜରାତି ଦୋକାନ ମଧ୍ୟରୁ, ଗୁଡ଼ିଆର ଚୂଲୀ ପାଖରୁ; ବାହାରୁ କାରଖାନାରୁ, ହାଟରୁ, ବଜାରରୁ; ବାହାରୁ ବୁଦା, ଜଙ୍ଗଲ, ପାହାଡ଼, ପର୍ବତରୁ ।
୭୨. କୋଟି କୋଟି ଗରୀବ ନୀଚ ଯେଉଁମାନେ, ସେହିମାନେ ହିଁ ହେଉଛନ୍ତି ଦେଶର ପ୍ରାଣ । ଏମାନେ ସହସ୍ର ସହସ୍ର ବର୍ଷ ଅତ୍ୟାଚାର ସହିଛନ୍ତି; ସେଥିରୁ ପାଇଛନ୍ତି ଅପୂର୍ବ ସହିଷ୍ଣୁତା । ସନାତନ ଦୁଃଖ ଭୋଗ କରିଛନ୍ତି, ସେଥିରୁ ପାଇଛନ୍ତି ଅଟଳ ଜୀବନୀଶକ୍ତି ।
ଜାତୀୟତା
୭୩. ଇଂଲଣ୍ଡ ଖୁବ୍ ବେଶୀ ହେଲେ ଭାରତର ସ୍ୱାଧୀନତା ଅର୍ଜନ ପ୍ରଚେଷ୍ଟାରେ ସାହାଯ୍ୟ କରିପାରେ; କିନ୍ତୁ ଅନ୍ୟ କାହାରି ବରାଦ ଅନୁଯାୟୀ କାର୍ଯ୍ୟ କରିବାରେ କୌଣସି ପ୍ରକାର ମୂଲ୍ୟ ଅଛି ବୋଲି ମୁଁ ମନେ କରେ ନାହିଁ; ଆଗେ ମଣିଷ ତିଆରି କର ।
୭୪. ସାମାଜିକ ବା ରାଜନୈତିକ ଯେ କୌଣସି ବ୍ୟବସ୍ଥା ମୂଳରେ ରହିବା ଦରକାର ବ୍ୟଷ୍ଟି ମାନବର ସତତା । ଶାସନ ସଂସଦର କୌଣସି ବିଶେଷ ବିଧାନ ପ୍ରବର୍ତ୍ତନ ଉପରେ ରାଷ୍ଟ୍ରର ମହତ୍ତ୍ୱ ନିର୍ଭର କରେ ନାହିଁ ।
ପୃଥିବୀର ସମସ୍ତ ଧନ ସମ୍ପଦ ଅପେକ୍ଷା ଖାଣ୍ଟି ମଣିଷର ମୂଲ୍ୟ ଅନେକ ବେଶୀ ।
୭୫. ଯେତେବେଳେ ତୁମମାନଙ୍କ ମଧ୍ୟରେ ଏପରି ସବୁ ଖାଣ୍ଟି ମଣିଷ ଜନ୍ମିବେ, ଯେଉଁମାନେ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ, ସେତେବେଳେ ଭାରତ ସମସ୍ତ ଦିଗରେ ମହିମାନ୍ୱିତ ହେବ ।
୭୬. ଦାରିଦ୍ର୍ୟ ଏବଂ ଅଜ୍ଞାନର ଘୂର୍ଣ୍ଣାବର୍ତ୍ତରେ ନିମଜ୍ଜମାନ ଲକ୍ଷ ଲକ୍ଷ ଦେଶବାସୀଙ୍କର କଲ୍ୟାଣ ପାଇଁ ଶତ ଶତ ଉନ୍ନତହୃଦୟ ନରନାରୀ ଯେତେବେଳେ ବ୍ୟାକୁଳ ହୋଇ ପ୍ରାଣପଣେ ଚେଷ୍ଟା କରିବେ, ସେତେବେଳେ ଯାଇ ଭାରତର ନବ ଜାଗରଣ ସମ୍ଭବ ।
୭୭. ଭାରତର ଜନସାଧାରଣଙ୍କର ଉନ୍ନୟନ-ଏହି ଏକମାତ୍ର ବ୍ରତରେ ଯେଉଁମାନେ ମନପ୍ରାଣ ନିୟୋଗ କରିପାରିବେ, ଏପରି ଯୁବକମାନଙ୍କ ଭିତରେ ଯାଇ କାମ କର । ପତିତ, ନିପୀଡ଼ିତ, ସର୍ବହରାମାନଙ୍କ ପ୍ରତି ସମବେଦନାରେ ସାରା ଦେଶରେ ସିଂହବିକ୍ରମରେ ପ୍ରଚାର କରିବାକୁ ହେବ ସେମାନଙ୍କର ମୁକ୍ତିର ବାଣୀ, ସେବାର ବାଣୀ, ସାମାଜିକ ଉନ୍ନୟନ ଓ ସାମ୍ୟର ବାଣୀ ।
୭୮. ମୋର ଦୃଢ଼ ବିଶ୍ୱାସ ଯେ ହିନ୍ଦୁ ସମାଜର ବର୍ତ୍ତମାନ ଅବନତି ପାଇଁ ଧର୍ମକୁ ଦାୟୀ କରିବାର ପ୍ରୟୋଜନ ନାହିଁ । କାରଣ ସମାଜର ବର୍ତ୍ତମାନ ଦୁର୍ଦ୍ଦଶା ପାଇଁ ଧର୍ମ ଦାୟୀ ନୁହେଁ, ବରଂ ସମାଜରେ ଧର୍ମର ଯଥାଯଥ ପ୍ରୟୋଗର ଅଭାବ ହିଁ ଦାୟୀ ।
୭୯. ଧର୍ମର ସଂହତି ସ୍ଥାପନ ହିଁ ଭବିଷ୍ୟତ ଭାରତ ଗଢ଼ିବାର ପ୍ରଥମ ସୋପାନ । ବହୁ ଦିଗରେ ବିକୀର୍ଣ୍ଣ ଆଧ୍ୟାତ୍ମିକ ଶକ୍ତିସମୂହର ସମ୍ମେଳନଦ୍ୱାରା ଭାରତର ଜାତୀୟ ଐକ୍ୟର ପ୍ରତିଷ୍ଠା କରିବାକୁ ହେବ ।
୮୦. ତୁମେ ମଧ୍ୟ କଟୀମାତ୍ର ବସ୍ତ୍ରାବୃତ ହୋଇ ସଦର୍ପ ଡାକି କୁହ-ପ୍ରତ୍ୟେକ ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁଶଯ୍ୟା, ମୋର ଯୌବନର ଉପବନ, ମୋର ବାର୍ଦ୍ଧକ୍ୟର ବାରାଣସୀ । କୁହ ଭାଇ-ଭାରତର ମୃତ୍ତିକା ଆମର ସ୍ୱର୍ଗ, ଭାରତର କଲ୍ୟାଣ ଆମର କଲ୍ୟାଣ । ଆଉ ଦିନ ରାତି, କୁହ ହେ ଗୌରୀନାଥ ! ହେ ଜଗଦମ୍ବେ ମୋତେ ମନୁଷ୍ୟତ୍ୱ ଦିଅ ମା ! ମୋର ଦୁର୍ବଳତା କାପୁରୁଷତା ଦୂର କର, ମୋତେ ମଣିଷ କର ।
ବିବିଧ
୮୧. ଯେ ପର ପାଇଁ ସବୁ ଦେଇଛି ସେ ତ ମୁକ୍ତ । ଆଉ ଯେଉଁମାନେ ‘ମୋର ମୁକ୍ତି’ ‘ମୋର ମୁକ୍ତି’ କହି ଦିନରାତି ବ୍ୟସ୍ତ ହୁଅନ୍ତି, ସେମାନଙ୍କର ‘ଇତୋ ନଷ୍ଟସ୍ତତୋଭ୍ରଷ୍ଟ’ ହେବ ।
୮୨. ପରୋପକାର ଏକ ସାର୍ବଜନୀନ ମହାବ୍ରତ । ଜନସାଧାରଣ ଏବଂ ନାରୀମାନଙ୍କର ମଧ୍ୟରେ ଶିକ୍ଷାର ବିସ୍ତାର ନ ହେଲେ କୌଣସି କିଛି ହେବାର ଉପାୟ ନାହିଁ । ଗରୀବ ନିମ୍ନଜାତି ମଧ୍ୟରେ ବିଦ୍ୟା ଓ ଶକ୍ତିର ପ୍ରବେଶ ଯେବେଠାରୁ ହେବାକୁ ଲାଗିଲା, ସେବେଠାରୁ ଇଉରୋପ ଉଠିବାକୁ ଲାଗିଲା ।
୮୩. ବହୁ ରୂପେ ସମ୍ମୁଖେ ତୁମର
ଛାଡ଼ି କାହିଁ ଖୋଜୁଛ ଈଶ୍ୱର ?
ଜୀବେ ପ୍ରେମ କରେ ଯେଉଁ ଜନ
ସେହି ମାତ୍ର ସେବଇ ଈଶ୍ୱର ।
୮୪. ଦରିଦ୍ର, ମୂର୍ଖ, ଅଜ୍ଞାନୀ, କାତର, ଏମାନେ ହିଁ ତୁମର ଦେବତା ହୁଅନ୍ତୁ । ଏମାନଙ୍କର ସେବା ହିଁ ପରମ ଧର୍ମ ବୋଲି ଜାଣିବ । ଜଗତର କଲ୍ୟାଣ କରିବା, ଆଚଣ୍ଡାଳଙ୍କର କଲ୍ୟାଣ କରିବା-ଏହା ଆମର ବ୍ରତ । ସେଥିରେ ମୁକ୍ତି ମିଳୁ ବା ନରକ ଆସୁ । ଯେତେ ଦିନ ଦେହ ଅଛି, ସେତେ ଦିନ କାମ ନ କରି ତ କେହି ରହିପାରେ ନାହିଁ; ସୁତରାଂ ଯେଉଁ କାମରେ ପରର ଉପକାର ହୁଏ, ତାହା କରିବା ଉଚିତ । ଦେହ ତ ଦିନେ ଯିବ ହିଁ ଯିବ, ଅଳସୁଆମିରେ କାହିଁକି ଯିବ ? କାମ କଥା କହୁ, ମୁହଁକୁ ବିଶ୍ରାମ ଦିଅ ।
୮୫. ଯେଉଁ କର୍ମଦ୍ୱାରା ଆତ୍ମଭାବର ବିକାଶ ହୁଏ, ତାହା ହିଁ କର୍ମ । ଯଦ୍ଦ୍ୱାରା ଅନାତ୍ମଭାବର ବିକାଶ ହୁଏ, ତାହା ହିଁ ଅକର୍ମ । ମହାବୀରଙ୍କର ଚରିତ୍ରକୁ ହିଁ ତୁମମାନଙ୍କର ବର୍ତ୍ତମାନ ଆଦର୍ଶ କରିବାକୁ ହେବ । ଜୀବନ-ମରଣରେ ଦୃକପାତ ନାହିଁ-ମହାଜିତେନ୍ଦ୍ରିୟ, ମହାବୁଦ୍ଧିମାନ ।
୮୬. ଦେଶର ଯୁବକମାନଙ୍କ ଉପରେ ମୋର ଗଭୀର ଆସ୍ଥା ଅଛି । ଦଶବର୍ଷ ମୁଁ ସାରା ଭାରତରେ ବୁଲିଛି । ମୋର ସ୍ଥିର ଧାରଣା ହୋଇଛି ଯେ ଭାରତର ଯୁବସମାଜରୁ ଯେଉଁ ଶକ୍ତି ଆସିବ, ତାହା ଭାରତକୁ ପୁନରାୟ ତା’ର ଯଥାର୍ଥ ଆଧ୍ୟାତ୍ମିକ ମହିମାରେ ଉଜ୍ଜୀବିତ କରିବ ।
୮୭. ପିତାମାତାଙ୍କୁ ପ୍ରତ୍ୟକ୍ଷ ଦେବତାରୂପେ ଜାଣି ଗୃହୀ ବ୍ୟକ୍ତି ସର୍ବଦା ସର୍ବପ୍ରଯତ୍ନରେ ତାଙ୍କର ସେବା କରିବ । ଯଦି ମାତାପିତା ତୁଷ୍ଟ ରହନ୍ତି, ତେବେ ସେ ବ୍ୟକ୍ତିଙ୍କ ପ୍ରତି ଭଗବାନ୍ ମଧ୍ୟ ପ୍ରୀତ ହୁଅନ୍ତି । ମାତା, ପିତା, ପୁତ୍ର, ପତ୍ନୀ, ଭ୍ରାତା ଓ ଅତିଥିଙ୍କୁ ଭୋଜନ ନ କରାଇ ଯେଉଁ ଗୃହୀ ବ୍ୟକ୍ତି ନିଜର ଉଦର ପୂର୍ଣ୍ଣ କରେ, ସେ ପାପ କରେ ।
୮୮. ଜୀବସେବାଠାରୁ ବଳି ଆଉ ଧର୍ମ ନାହିଁ । ମୁଁ ଏତେ ତପସ୍ୟା କରି ଏହି ସାର ବୁଝିଛି ଯେ-ଜୀବେ ଜୀବେ ସେ ଅଧିଷ୍ଠିତ ହୋଇ ରହିଛନ୍ତି । ‘ଜୀବେ ପ୍ରେମ କରେ ଯେଉଁ ଜନ ସେହି ମାତ୍ର ସେବଇ ଈଶ୍ୱର ।’ ପରୋପକାର ହିଁ ଧର୍ମ, ବାକୀ ଯାଗଯଜ୍ଞ ସବୁ ପାଗଳାମି- ନିଜର ମୁକ୍ତିକାମନା ମଧ୍ୟ ଅନ୍ୟାୟ ।
୮୯. ପ୍ରଥମ ପୂଜା ବିରାଟର ପୂଜା; ତୁମ ସାମ୍ନାରେ, ତୁମ ଚାରି ଦିଗରେ ଯେଉଁମାନେ ଅଛନ୍ତି, ସେମାନଙ୍କର ପୂଜା-ସେମାନଙ୍କର ପୂଜା କରିବାକୁ ହେବ-ସେବା ନୁହେଁ । ଏହିସବୁ ମଣିଷ, ଏହିସବୁ ପଶୁ, ଏହିମାନେ ହିଁ ତୁମର ଈଶ୍ୱର, ଆଉ ତୁମର ସ୍ୱଦେଶବାସୀଗଣ ହିଁ ତୁମର ପ୍ରଥମ ଉପାସ୍ୟ ।
୯୦. ଶ୍ରଦ୍ଧାବାନ୍ ହୁଅ, ବୀର୍ଯ୍ୟବାନ୍ ହୁଅ, ଆତ୍ମଜ୍ଞାନ ଲାଭ କର, ଆଉ ପରହିତରେ ଜୀବନପାତ କର-ଏହା ମୋର ଇଚ୍ଛା ଓ ଆଶୀର୍ବାଦ ।
୯୧. ଖାଲି ପେଟରେ ଧର୍ମ ହୁଏ ନାହିଁ-ପ୍ରଭୁ କହିଥିଲେ । କ୍ଷୁଧାର୍ତ୍ତକୁ ଧର୍ମକଥା ଶୁଣାଇବା ନିହାତି ପାଗଳାମି । ଆଗେ କ୍ଷୁଧିତ ପାଇଁ ଅନ୍ନର ସଂସ୍ଥାନ କରିବାକୁ ପଡ଼ିବ ।
୯୨. ଯେଉଁଦିନ ମ୍ଳେଚ୍ଛ ଶବ୍ଦ ଆବିଷ୍କୃତ ଓ ବିଭିନ୍ନ ଜାତି ସଙ୍ଗେ ସଂଯୋଗ ବନ୍ଦ ହୋଇଛି, ସେହିଦିନଠାରୁ ଭାରତର ଭାଗ୍ୟବିପର୍ଯ୍ୟୟ ଆରମ୍ଭ ହୋଇଛି ।
୯୩. ତୁମେ ସ୍ତ୍ରୀ-ଜାତିଙ୍କର ଅବସ୍ଥାରେ ଉନ୍ନତି କରିପାର କି ! ତେବେ ଯାଇ ତୁମର କଲ୍ୟାଣର ଆଶା ଅଛି । ଜନନୀଗଣଙ୍କର ଉନ୍ନତି ହେଲେ ତାଙ୍କର କୃତୀ ସନ୍ତାନବର୍ଗଙ୍କର ମହାନ କୀର୍ତ୍ତି ଦେଶର ମୁଖୋଜ୍ଜ୍ୱଳ କରିପାରିବ ।
୯୪. ନାରୀ ପ୍ରତି ଯଥାର୍ଥ ସମ୍ମାନ ଦେଇ ସବୁ ଜାତି ବଡ଼ ହୋଇଛି । ତୁମ ଜାତିର ଯେ ଏତେ ଅଧୋଗତି, ତା’ର ପ୍ରଧାନ କାରଣ-ଶକ୍ତିର ଏହି ଜୀବନ୍ତ ମୂର୍ତ୍ତିଗୁଡ଼ିକୁ ତୁମେ ଯଥାର୍ଥ ମର୍ଯ୍ୟାଦା ଦେଇ ନାହଁ । ସେମାନେ କେଡ଼େ ଅସହାୟ, ପରମୁଖାପେକ୍ଷୀ ।
୯୫. ପ୍ରାଚୀନକାଳରେ ନାରୀମାନଙ୍କର ଜ୍ଞାନଲାଭର ଅଧିକାର ଥିଲା । ବର୍ତ୍ତମାନ ଯୁଗରେ ସେ ଅଧିକାରରୁ ସେମାନେ କାହିଁକି ବଞ୍ଚିତ ହେବେ ? ଅବନତିର ଯୁଗରେ ଯେତେବେଳେ ପୁରୋହିତକୂଳ ବ୍ରାହ୍ମଣେତର ବର୍ଣ୍ଣକୁ ବେଦପାଠର ଅନଧିକାରୀ ବୋଲି ନିର୍ଦ୍ଦେଶ ଦେଇଥିଲେ, ସେହି ସମୟରେ ସେମାନେ ସ୍ତ୍ରୀଲୋକଙ୍କୁ ସର୍ବପ୍ରକାର ଅଧିକାରରୁ ବଞ୍ଚିତ କରିଥିଲେ-ଅଗ୍ନିହୋତ୍ରୀ ପରି ବୈଦିକ କର୍ମରେ ମଧ୍ୟ ଗୃହସ୍ଥର ସହଧର୍ମିଣୀର ପ୍ରୟୋଜନ ଥିଲା । ଅଥଚ ପୌରାଣିକ ଯୁଗରେ ପ୍ରଚଳିତ ଶାଳଗ୍ରାମ ଶିଳା ପ୍ରଭୃତି ଗୃହଦେବତାଙ୍କୁ ସ୍ପର୍ଶ କରିବାର ଅଧିକାର ସ୍ତ୍ରୀ-ଲୋକଙ୍କର ନାହିଁ !
୯୬. ସମାଜଜୀବନରେ ସମସ୍ତଙ୍କର ସମାନ ଅଧିକାର । ଗୁଣଗତ ଭେଦ ବିଭାଗର ସ୍ଥାନ ଅଧିକାର କରିଛି କୃତ୍ରିମ ଜାତିଭେଦ-ଯାହା ଜାତିର ଅଧଃପତନର କାରଣ । ତାକୁ ଧର୍ମର ଉଚ୍ଚତତ୍ତ୍ୱ ସହାୟତାରେ ଦୂର କରିବାକୁ ହେବ ।
୯୭. ଭାରତ ମୋର, ତୁମେ ଜାଗ, କେଉଁଠି ତୁମର ପ୍ରାଣଶକ୍ତି ? ତୁମର ମୃତ୍ୟୁହୀନ ଆତ୍ମାରେ ? ଭାରତର ସମାଜ ସଂସ୍କାର ଓ ରାଜନୀତି ଧର୍ମଶକ୍ତିର ମାଧ୍ୟମରେ ପ୍ରଚାର କରିବାକୁ ହେବ ।
୯୮. ଭାରତବର୍ଷ ଯଦି ତା’ର ଭଗବତ୍ଜିଜ୍ଞାସାକୁ ଅବ୍ୟାହତ ରଖେ, ତେବେ ତା’ର ମୃତ୍ୟୁ ନାହିଁ । ଯଦି ସେ ରାଜନୀତି ବା ସାମାଜିକ ସଂଘର୍ଷରେ ବୁଡ଼ିଯାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ ।
୯୯. ଏ ଦେଶକୁ (ପାଶ୍ଚାତ୍ୟ ଦେଶକୁ) ଆସିବା ପୂର୍ବରୁ ମୁଁ ଭାରତକୁ ଭଲ ପାଉଥିଲି; କିନ୍ତୁ ବର୍ତ୍ତମାନ ଭାରତବର୍ଷର ଧୂଳିକଣାଟି ପର୍ଯ୍ୟନ୍ତ ମୋ ପାଖରେ ଶୁଚିବୋଳା; ଭାରତର ବାୟୁ ମୋ ନିକଟରେ ପବିତ୍ର । ଭାରତ ପୁଣ୍ୟଭୂମି, ମହାତୀର୍ଥ ।
୧୦୦. ତୁମେମାନେ (ଉପନିଷଦ୍ରେ) ପଢ଼ିଛ, ‘ମାତୃଦେବୋ ଭବ’ ମୁଁ କହେ-‘ଦରିଦ୍ର ଦେବୋ ଭବ’, ‘ମୂର୍ଖ ଦେବୋ ଭବ’ । ଜଣେ ଲୋକର ମୁକ୍ତି ପାଇଁ ମୁଁ ହଜାରେଥର ନରକକୁ ଯିବାକୁ ପ୍ରସ୍ତୁତ ଅଛି ।
୧୦୧. ହେ ଭାରତ ! ଭୁଲ ନାହିଁ ତୁମ ନାରୀଜାତିର ଆଦର୍ଶ ସୀତା, ସାବିତ୍ରୀ, ଦମୟନ୍ତୀ । ଭୁଲ ନାହିଁ-ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର । ଭୁଲ ନାହିଁ-ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି ମେହନ୍ତର ତୁମର ରକ୍ତ, ତୁମର ଭାଇ । ହେ ବୀର ! ସାହସ ଅବଲମ୍ବନ କର । ସଦର୍ପରେ କୁହ-ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ ।
ପ୍ରଭାବ
ସ୍ୱାମୀ ବିବେକାନନ୍ଦଙ୍କଦ୍ୱାରା ଭାରତର ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରଭାବିତ ହୋଇଥିଲେ | ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ରାଜଗୋପାଳଚାରୀ, ବାଳ ଗଙ୍ଗାଧର ତିଳକ, ରବୀନ୍ଦ୍ରନାଥ ଠାକୁର ଆଦି ପ୍ରଭାବଶାଳୀ ବ୍ୟକ୍ତିମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଆଦର୍ଶ ହିସାବରେ ମାନୁଥିଲେ | ସୁଭାଷ ଚନ୍ଦ୍ର ବୋଷ କହିଥିଲେ - "ଯଦି ସ୍ୱାମୀ ବିବେକାନନ୍ଦ ଆଜି ବଞ୍ଚିଥାନ୍ତେ, ତେବେ ମୁଁ ତାଙ୍କ ପାଦତଳେ ବସି ଶିକ୍ଷାଲାଭ କରିଥାନ୍ତି |"
ସ୍ୱାମୀ ବିବେକାନନ୍ଦ ହିଁ ଭାରତୀୟ ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ | ସେଥିପାଇଁ ଭାରତ ସରକାର ସ୍ୱାମୀଜୀଙ୍କ ଜନ୍ମଦିନ ଜାନୁଆରୀ ୧୨ ତାରିଖକୁ 'ଜାତୀୟ ଯୁବ ଦିବସ' ଭାବରେ ପାଳନ କରନ୍ତି |
କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସ୍ୱାମୀଜୀଙ୍କଦ୍ୱାରା ପ୍ରଭାବିତ ହୋଇଛନ୍ତି | ନୋବେଲ ପୁରସ୍କାର ପ୍ରାପ୍ତ ରୋମାଁ ରୋଲା, ଦାର୍ଶନିକ ମାକ୍ସ ମୁଲ୍ଲାର, ବୈଜ୍ଞାନିକ ଟେସଲା ଆଦି ବ୍ୟକ୍ତିମାନେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱଦ୍ୱାରା ପ୍ରଭାବିତ |
ରଚନା
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୨
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୩
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୪
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୫
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୬
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୭
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୮
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୯
- ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧୦
- ରାଜ ଯୋଗ
- କର୍ମ ଯୋଗ
- ଭକ୍ତି ଯୋଗ
- ଜ୍ଞାନ ଯୋଗ
ଆଧାର
- ↑ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା, ଷଷ୍ଠ ଖଣ୍ଡ, ପୃଷ୍ଠା ୨୧୦, ରାମକୃଷ୍ଣ ମଠ ଭୂବନେଶ୍ୱର,୧୯୯୧
- ↑ Virajananda 2006, p. 21.
- ↑ "Swami Vivekananda Know Photos America 1893–1895". vivekananda.net. Retrieved 6 April 2012.
- ↑ ସ୍ୱାମୀ ବିବେକାନନ୍ଦ
- ↑ ଯୁଗନାୟକ ବିବେକାନନ୍ଦ(ବଙ୍ଗଳା), ସ୍ୱାମୀ ଗମ୍ଭୀରାନନ୍ଦ, କଲିକତା, ୨୦୦୮
- ↑ ବିବେକାନନ୍ଦ ଚରିତ, ରାମକୃଷ୍ଣ ମିଶନ ଭୁବନେଶ୍ୱର
- ↑ Life of Vivekananda by Romain Rolland
ଅଧିକ ତଥ୍ୟ
- ରାମକୃଷ୍ଣ ମିଶନ ଭୁବନେଶ୍ୱରଦ୍ୱାରା ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା
- ବେଲୁଡ଼ ମଠଦ୍ୱାରା ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ
- Swami Vivekananda books
- Complete Works of Vivekananda, Belur Math publication
ଛାଞ୍ଚ:ସ୍ୱାମୀ ବିବେକାନନ୍ଦ
This article uses material from the Wikipedia ଓଡ଼ିଆ article ସ୍ୱାମୀ ବିବେକାନନ୍ଦ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.
In other languages:
- ଆଫ୍ରିକୀୟ: Swami Vivekananda - Wiki Afrikaans
- Alemannisch: Vivekananda - Wiki Alemannisch
- ଆରବିକ୍: سوامي فيفي كاناندا - Wiki العربية
- Egyptian Arabic: سوامى بيبيكاناندا - Wiki مصرى
- ଆସାମୀୟ: স্বামী বিবেকানন্দ - Wiki অসমীয়া
- ଆଷ୍ଟୁରିଆନ୍: Swami Vivekananda - Wiki Asturianu
- ଆଜେରବାଇଜାନି: Vivekananda - Wiki Azərbaycanca
- ବାଶକିର୍: Вивекананда - Wiki башҡортса
- ବୁଲଗେରିଆନ୍: Свами Вивекананда - Wiki български
- Bhojpuri: विवेकानंद - Wiki भोजपुरी
- ବଙ୍ଗଳା: স্বামী বিবেকানন্দ - Wiki বাংলা
- କାଟାଲାନ୍: Vivekananda - Wiki Català
- ଚେକ୍: Svámí Vivékánanda - Wiki čeština
- ୱେଲ୍ସ: Vivekananda - Wiki Cymraeg
- ଡାନ୍ନିସ୍: Swami Vivekananda - Wiki Dansk
- ଜର୍ମାନ: Vivekananda - Wiki Deutsch
- Doteli: स्वामी विवेकानन्द - Wiki डोटेली
- ଗ୍ରୀକ୍: Σουάμι Βιβεκανάντα - Wiki Ελληνικά
- ଇଂରାଜୀ: Swami Vivekananda - Wiki English
- ଏସ୍ପାରେଣ୍ଟୋ: Vivekananda - Wiki Esperanto
- ସ୍ପେନିୟ: Swami Vivekananda - Wiki Español
- ଏସ୍ତୋନିଆନ୍: Vivekananda - Wiki Eesti
- ବାସ୍କ୍ୱି: Swami Vivekananda - Wiki Euskara
- ପର୍ସିଆନ୍: ویوکاناندا - Wiki فارسی
- ଫିନ୍ନିସ୍: Vivekananda - Wiki Suomi
- ଫରାସୀ: Vivekananda - Wiki Français
- ଗାଲସିଆନ୍: Vivekananda - Wiki Galego
- Goan Konkani: Swami Vivekananda - Wiki गोंयची कोंकणी / Gõychi Konknni
- ଗୁଜୁରାଟୀ: સ્વામી વિવેકાનંદ - Wiki ગુજરાતી
- ହେବ୍ର୍ୟୁ: סוואמי ויווקאננדה - Wiki עברית
- ହିନ୍ଦୀ: स्वामी विवेकानन्द - Wiki हिन्दी
- Fiji Hindi: Swami Vivekananda - Wiki Fiji Hindi
- ହଙ୍ଗେରୀୟ: Vivékánanda - Wiki Magyar
- ଆର୍ମେନିଆନ୍: Սվամի Վիվեկանանդա - Wiki հայերեն
- ଇଣ୍ଡୋନେସୀୟ: Swami Vivekananda - Wiki Bahasa Indonesia
- ଇଟାଲୀୟ: Vivekananda - Wiki Italiano
- ଜାପାନୀ: ヴィヴェーカーナンダ - Wiki 日本語
- ଜାଭାନୀଜ୍: Swami Vivekananda - Wiki Jawa
- ଜର୍ଜିୟ: ვივეკანანდა - Wiki ქართული
- କାଜାକ୍: Вивекананда - Wiki қазақша
- କନ୍ନଡ: ಸ್ವಾಮಿ ವಿವೇಕಾನಂದ - Wiki ಕನ್ನಡ
- କୋରିଆନ୍: 비베카난다 - Wiki 한국어
- କୀରଗୀଜ୍: Вивекананда - Wiki кыргызча
- ଲାଟିନ୍: Vivekānanda - Wiki Latina
- ଲିଥୁଆନିଆନ୍: Vivekananda - Wiki Lietuvių
- ଲାଟଭିଆନ୍: Vivekānanda - Wiki Latviešu
- ମୈଥିଳୀ: स्वामी विवेकानन्द - Wiki मैथिली
- ମାଲାଗାସୀ: Vivekananda - Wiki Malagasy
- ମାଲାୟଲମ୍: വിവേകാനന്ദൻ - Wiki മലയാളം
- ମରାଠୀ: स्वामी विवेकानंद - Wiki मराठी
- ମାଲୟ: Swami Vivekananda - Wiki Bahasa Melayu
- ନେପାଳୀ: स्वामी विवेकानन्द - Wiki नेपाली
- ନେୱାରୀ: स्वमी विवेकानन्द - Wiki नेपाल भाषा
- ଡଚ୍: Vivekananda - Wiki Nederlands
- ନରୱେଜିଆନ୍ ନିୟୋର୍ସ୍କ: Vivekananda - Wiki Norsk nynorsk
- ନରୱେଜିଆନ୍ ବୋକମଲ୍: Vivekananda - Wiki Norsk bokmål
- ପଞ୍ଜାବୀ: ਸਵਾਮੀ ਵਿਵੇਕਾਨੰਦ - Wiki ਪੰਜਾਬੀ
- ପାମ୍ପାଙ୍ଗା: Swami Vivekananda - Wiki Kapampangan
- ପାଲି: स्वमी विवेकानन्द - Wiki पालि
- ପୋଲିଶ୍: Wiwekananda - Wiki Polski
- Western Punjabi: سوامی ویوک آنند - Wiki پنجابی
- ପର୍ତ୍ତୁଗୀଜ୍: Swami Vivekananda - Wiki Português
- ରୋମାନିଆନ୍: Swami Vivekananda - Wiki Română
- ରୁଷିୟ: Вивекананда - Wiki русский
- ସଂସ୍କୃତ: स्वामी विवेकानन्दः - Wiki संस्कृतम्
- ସାଖା: Свами Вивекананда - Wiki саха тыла
- ସାନ୍ତାଳି: ᱥᱣᱟᱢᱤ ᱵᱤᱵᱮᱠᱟᱱᱚᱱᱫᱚ - Wiki ᱥᱟᱱᱛᱟᱲᱤ
- ସ୍କଟସ୍: Swami Vivekananda - Wiki Scots
- ସର୍ବୋ-କ୍ରୋଆଟିଆନ୍: Vivekananda - Wiki Srpskohrvatski / српскохрватски
- Simple English: Swami Vivekananda - Wiki Simple English
- ସ୍ଲୋଭାକ୍: Vivékánanda - Wiki Slovenčina
- ସ୍ଲୋଭେନିଆନ୍: Swami Vivekananda - Wiki Slovenščina
- ସର୍ବିୟ: Svami Vivekananda - Wiki српски / srpski
- ସ୍ୱେଡିସ୍: Swami Vivekananda - Wiki Svenska
- ତାମିଲ୍: விவேகானந்தர் - Wiki தமிழ்
- Tulu: ಸ್ವಾಮಿ ವಿವೇಕಾನಂದ - Wiki ತುಳು
- ତେଲୁଗୁ: స్వామి వివేకానంద - Wiki తెలుగు
- ଥାଇ: สวามี วิเวกานันท์ - Wiki ไทย
- ଟାଗାଲଗ୍: Swami Vivekananda - Wiki Tagalog
- ତାତାର୍: Свами Вивекананда - Wiki татарча / tatarça
- ୟୁକ୍ରାନିଆନ୍: Свамі Вівекананда - Wiki українська
- ଉର୍ଦ୍ଦୁ: سوامی ویویکانند - Wiki اردو
- ଉଜବେକ୍: Svami Vivekananda - Wiki Oʻzbekcha / ўзбекча
- ଭିଏତନାମିଜ୍: Svāmī Vivekānanda - Wiki Tiếng Việt
- ୱୁ ଚାଇନିଜ: 斯瓦米·维韦卡南达 - Wiki 吴语
- ଚାଇନିଜ୍: 斯瓦米·維韋卡南達 - Wiki 中文
- Cantonese: 辨喜 - Wiki 粵語