ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ

ବିଦ୍ୟୁତ୍-ଚୁମ୍ବକତ୍ୱ ବା ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ଭୌତିକ ବିଜ୍ଞାନର ଏକ ପ୍ରମୁଖ ଶାଖା । ବିଦ୍ୟୁତ୍-ଚୁମ୍ବକୀୟ ବଳ ଓ ତାହାର ପ୍ରଭାବର ଅନୁଶୀଳନ ଏହି ଶାଖାର ଭିତ୍ତିଭୂମି । ବୈଦ୍ୟୁତିକ ଚାର୍ଜ୍ ବହନ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବଳ ସୃଷ୍ଟି ହୁଏ, ତାହାକୁ ବିଦ୍ୟୁତ୍-ଚୁମ୍ବକୀୟ ବଳ ବୋଲି କୁହାଯାଏ । ବିଦ୍ୟୁତ୍-ଚୁମ୍ବକୀୟ ବଳ, ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର (ବୈଦ୍ୟୁତିକ କ୍ଷେତ୍ର, ଚୁମ୍ବକୀୟ କ୍ଷେତ୍ର, ଆଲୋକ) ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଆଧୁନିକ ଭୌତିକ ବିଜ୍ଞାନରେ ବିଦ୍ୟୁତ୍-ଚୁମ୍ବକୀୟ ବଳକୁ ପାରମାଣବିକ ବସ୍ତୁ (ଈଂରାଜୀରେ Atomic Particles)ଙ୍କ ମଧ୍ୟରେ ଥିବା ଏକ ମୌଳିକ ପାରସ୍ପରିକ ବଳ ଭାବେ ଗଣନା କରାଯାଏ । ସାଧାରଣତଃ ପାରମାଣବିକ ବସ୍ତୁମାନଙ୍କ ମଧ୍ୟରେ ଥିବା ୪ଟି ମୌଳିକ ପାରସ୍ପରିକ ବଳ ହେଲା: ଶକ୍ତିଶାଳୀ ବଳ (ଈଂରାଜୀରେ Strong Force), ଶକ୍ତିହୀନ ବଳ (ଈଂରାଜୀରେ Weak Force), ମହାକର୍ଷଣୀୟ (ଈଂରାଜୀରେ Gravitational) ଏବଂ ବିଦ୍ୟୁତ୍-ଚୁମ୍ବକତ୍ୱ (ଈଂରାଜୀରେ Electro-Magnetic) । ବିଦ୍ୟୁତ୍-ଚୁମ୍ବକତ୍ୱକୁ ବିଦ୍ୟୁତ୍-ଚୁମ୍ବକୀୟ ବଳ (ଲୋରେଞ୍ଜ୍ ବଳ)ର ପ୍ରଭାବଦ୍ୱାରା ପରିପ୍ରକାଶ କରାଯାଏ । ବିଦ୍ୟୁତ୍-ଚୁମ୍ବକୀୟ ବଳରେ ବୈଦ୍ୟୁତିକ ବଳ ଓ ଚୁମ୍ବକତ୍ୱ ସମାହିତ ।

ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ
ବିଜୁଳି ମାରିଲେ ଦୁଇଟି ଚାର୍ଜିତ ସ୍ଥାନ ମଧ୍ୟରେ ବିଦ୍ୟୁତ୍ ପ୍ରବହିତ ହୁଏ

ପାରମ୍ପରିକ ଭୌତିକ ବିଜ୍ଞାନର ଅନୁସାରେ ବିଦ୍ୟୁତ୍ ଚାର୍ଜ୍ ଓ ବିଦ୍ୟୁତ୍ ବିଭବ ଯୋଗୁଁ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୋଇଥାଏ । ମାଇକେଲ୍ ଫାରାଡ଼େଙ୍କ ନିୟମାନୁସାରେ ଚୁମ୍ବକୀୟ କ୍ଷେତ୍ର, ବିଦ୍ୟୁତ୍-ଚୁମ୍ବକୀୟ ଉପପାଦନ (ଈଂରାଜୀରେ Electromagnetic Induction) ଓ ଚୁମ୍ବକତ୍ୱ ସହିତ ସମ୍ପୃକ୍ତ । ବୈଦ୍ୟୁତିକ କ୍ଷେତ୍ରରେ ଚାର୍ଜ୍ ଓ ପ୍ରବାହ, ଚୁମ୍ବକୀୟ କ୍ଷେତ୍ର ପରସ୍ପରକୁ କିପରି ଭାବେ ପ୍ରଭାବିତ କରନ୍ତି ମାକ୍ସୱେଲଙ୍କ ସମୀକରଣରେ ଦର୍ଶିତ ହୋଇଛି ।  ବିଦ୍ୟୁତ୍-ଚୁମ୍ବକତ୍ୱର ପରୀକ୍ଷଣଦ୍ୱାରା ଶୂନ୍ୟରେ ଆଲୋକର ବେଗ ନିରୂପିତ ହୋଇପାରିଲା ଓ ଏହା ଆଇନଷ୍ଟାଇନଙ୍କ ବିଶେଷ ଆପେକ୍ଷିକ ତତ୍ତ୍ୱର ଭିତ୍ତିଭୂମି । 

ଇତିହାସ

ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ 
ହାନ୍ସ୍ ଖ୍ରୀଷ୍ଟିୟାନ୍ ଓରଷ୍ଟେଡ୍

ପୂର୍ବେ ବିଜ୍ଞାନ ଜଗତରେ ବୈଦ୍ୟୁତିକ ପ୍ରଭାବ ଓ ଚୁମ୍ବକତ୍ୱ ଭିନ୍ନ ଭିନ୍ନ ବଳ ବୋଲି ଧାରଣା ଥିଲା । ୧୮୭୩ ମସିହାରେ ଜେମ୍ସ୍ କ୍ଲାର୍କ ମାକ୍ସୱେଲଙ୍କ ବିଦ୍ୟୁତ୍ ଓ ଚୁମ୍ବକତ୍ୱ ସମ୍ବନ୍ଧୀୟ ଲେଖ ପରେ ଏହି ଧାରଣା ବଦଳିଲା । ଯେତେବେଳେ ଯୁକ୍ତ ଚାର୍ଜ୍ ଓ ବିଯୁକ୍ତ ଚାର୍ଜ୍ ପରସ୍ପରର ପ୍ରଭାବରେ ଆସନ୍ତି ସେତେବେଳେ׃

୧. ବୈଦ୍ୟୁତିକ ଚାର୍ଜ୍ ପରସ୍ପରକୁ ଯେଉଁ ବଳଦ୍ୱାରା ଆକର୍ଷଣ ବା ବିକର୍ଷଣ କରନ୍ତି, ତାହା ସେମାନଙ୍କ ମଧ୍ୟବର୍ତ୍ତୀ ଦୂରତାର ବର୍ଗ ସହ ବିପରୀତତଃ ଅନୁପାତୀ ।  ସମଚାର୍ଜ୍ ପରସ୍ପରକୁ ବିକର୍ଷଣ ଓ ଅସମଚାର୍ଜ୍ ପରସ୍ପରକୁ ଆକର୍ଷଣ କରିଥାନ୍ତି । 

୨. ବୈଦ୍ୟୁତିକ ଚାର୍ଜ୍ଦ୍ୱାରା ସୃଷ୍ଟ ଚୁମ୍ବକୀୟ ମେରୁ ପରସ୍ପରକୁ ଯେଉଁ ବଳଦ୍ୱାରା ଆକର୍ଷଣ ବା ବିକର୍ଷଣ କରନ୍ତି, ତାହା ସେମାନଙ୍କ ମଧ୍ୟବର୍ତ୍ତୀ ଦୂରତାର ବର୍ଗ ସହ ବିପରୀତତଃ ଅନୁପାତୀ ।

୩. ଏକ ତାରରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ନିଜ ଚାରିପଟେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଥାଏ । ବିଦ୍ୟୁତ୍ ପ୍ରବାହର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ନିରୂପଣ କରିଥାଏ (ଏହାକୁ “ଡାହାଣ ହାତ ପାପୁଲି ନିୟମ” ମଧ୍ୟ କୁହନ୍ତି । ଡାହାଣ ହାତର ପାପୁଲିକୁ ଖୋଲାକରି ରଖାଯାଉ ଯେପରିକି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଚାରି ଆଙ୍ଗୁଠି ପରସ୍ପର ପ୍ରତି ୯୦ ଡିଗ୍ରୀରେ ରହିବେ । ଯଦି ବୁଢ଼ା ଆଙ୍ଗୁଠି ତାରରେ ବିଦ୍ୟୁତ୍ ପ୍ରବାହର ଦିଗ ଦର୍ଶାଏ, ତେବେ ବାକି ଚାରି ଆଙ୍ଗୁଠି ମୁଠେଇ ଆଣିଲେ ଯେଉଁ ଦିଗ ନିରୂପଣ ହୁଏ ତାହା ଚୁମ୍ବକୀୟ କ୍ଷେତ୍ରର ଦିଗ) ।

୪. ଏକ ତାର କୁଣ୍ଡଳୀକୁ ଚୁମ୍ବକୀୟ କ୍ଷେତ୍ର ପାଖକୁ ବା ତା’ଠାରୁ ଦୂରକୁ ନେଲେ ସେଥିରେ ବିଦ୍ୟୁତ୍ ପ୍ରବାହ ହୋଇଥାଏ । ବିଦ୍ୟୁତ୍ ପ୍ରବାହର ଦିଗ ଚୁମ୍ବକ ଆଡକୁ ବା ତାହାଠାରୁ ଦୂରକୁ ଯାଉଥିବା ତାର କୁଣ୍ଡଳୀର ଗତିର ଦିଗ ଉପରେ ନିର୍ଭର କରେ ।

ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ 
ଆଣ୍ଡ୍ରେ ମେରି ଆମ୍ପିୟର୍

 

ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ 
ମାଇକେଲ୍ ଫାରାଡ଼େ

୧୮୨୦ ମସିହାରେ ହାନ୍ସ୍ ଖ୍ରୀଷ୍ଟିୟାନ୍ ଓରଷ୍ଟେଡ୍ ପରୀକ୍ଷା କରି ଦେଖିଥିଲେ ଯେ ସ୍ୱିଚ୍ ଖୋଲି ବା ବନ୍ଦ କରି, ଏକ ତାରରେ ବିଦ୍ୟୁତ୍ ପ୍ରବାହ ହେଲେ ତାହା ପାଖରେ ଥିବା ଏକ ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହୋଇଥାଏ । ବିଦ୍ୟୁତ୍ ପ୍ରବାହ ହେଲେ ତା’ ଚାରିପଟେ ସୃଷ୍ଟି ହୋଇଥିବା ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ଏପରି ହୋଇଥାଏ କିନ୍ତୁ ସେ ଏହି ବିକ୍ଷୟରେ ଆଉ ଅଧିକ ବିବରଣୀ ଦେଇପାରିଲେ ନାହିଁ । ପରେ ଅଧିକ ପରୀକ୍ଷା କରି ସେ ବୈଦ୍ୟୁତିକ କ୍ଷେତ୍ର ଓ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା କଥା ପ୍ରକାଶ କରିଥିଲେ । ବିଦ୍ୟୁତ୍-ଚୁମ୍ବକତ୍ୱ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କରି ନାମରେ ବିଦ୍ୟୁତ୍-ଚୁମ୍ବକୀୟ ଉପପାଦନର ମାତ୍ରକକୁ ନାମିତ କରାଯାଇଛି । ଆହୁରି ମଧ୍ୟ ତାଙ୍କ ଗବେଷଣାକୁ ବ୍ୟବହାର କରି ଆଣ୍ଡ୍ରେ ମେରି ଆମ୍ପିୟର୍ ବିଦ୍ୟୁତ୍ ପରିବାହକ ଓ ଚୁମ୍ବକୀୟ ବଳ ମଧ୍ୟରେ ଗାଣିତିକ ସୂତ୍ରର ନିରୂପଣ କରିଥିଲେ । ଆମ୍ପିୟରଙ୍କ ନାମରେ ବିଦ୍ୟୁତ୍ ସ୍ରୋତର ମାତ୍ରକ ନାମିତ ହୋଇଛି ।

ଓରଷ୍ଟେଡଙ୍କ ଗବେଷଣା ଯୋଗୁଁ ପରବର୍ତ୍ତୀ ସମୟରେ ଏକକ ଶକ୍ତି ତତ୍ତ୍ୱ (ଈଂରାଜୀରେ Unified Concept of Energy)ର ସଂକଳ୍ପନା ସମ୍ଭବପର ହୋଇପାରିଲା । ପ୍ରଥମେ ମାଇକେଲ୍ ଫାରାଡ଼େ, ତା’ପରେ ମାକ୍ସୱେଲ୍, ପରବର୍ତ୍ତୀ ସମୟରେ ଓଲିଭର୍ ହିଭିସାଇଡ୍ ଓ ହାଇନରିଖ୍ ହର୍ଜ୍ଙ୍କ ଗବେଷଣା ଯୋଗୁଁ ଏକକ ଶକ୍ତି ତତ୍ତ୍ୱ ସମ୍ପୂର୍ଣ୍ଣ ଭାବେ ବିକଶିତ ହେଲା । ଏହାକୁ ଉନବିଂଶ ଶତାବ୍ଦୀରେ ଗାଣିତିକ ଭୌତିକ ବିଜ୍ଞାନର ଏକ ବୃହତ୍ ଉପଲବ୍ଧି ବୋଲି କୁହାଯାଇପାରେ ।  ଆଲୋକର ପ୍ରକୃତି କଣ ତାହା ଜାଣିବାରେ ଏହି ତତ୍ତ୍ୱ ସହାୟକ ହେଲା । ସେହି ସମୟରେ ପ୍ରସ୍ତାବିତ ବିଦ୍ୟୁତ୍-ଚୁମ୍ବକତ୍ୱଠାରୁ ଏହା ଏକପଦ ଅଗ୍ରଗାମୀ ହୋଇ ଏକ ସାଧାରଣ ତତ୍ତ୍ୱର ବିକାଶ ହେଲା । ଆଲୋକ ଏବଂ ଅନ୍ୟ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ପ୍ରମାତ୍ରିକ ରୂପ (ଈଂରାଜୀରେ Quantised Form) ଧାରଣ କରି ଫୋଟୋନ୍ (ଈଂରାଜୀରେ Photon) ନାମରେ ଅଭିହିତ ହୁଅନ୍ତି । ଏହି ଫୋଟୋନ୍ ଦୋଳାୟମାନ ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ରର ଏକ ଅବ୍ୟବସ୍ଥା ଓ ଏହା ଯେ କୌଣସି ମାଧ୍ୟମରେ ସ୍ୱତଃ ପ୍ରସାରିତ ହୋଇଥାଏ । ଏହି ଦୋଳନର ଆବୃତ୍ତି ବିଭିନ୍ନ ପ୍ରକାରର ବିଦ୍ୟୁତ୍-ଚୁମ୍ବକୀୟ ବିକୀରଣର ସୂଚକ । ନିମ୍ନ ଆବୃତ୍ତିରେ ଏହା ରେଡିଓ ତରଙ୍ଗ, ମଧ୍ୟମ ଆବୃତ୍ତିରେ ଏହା ଆଲୋକ ଓ ଉଚ୍ଚ ଆବୃତ୍ତିରେ ଏହା ଗାମା କିରଣର ରୂପ ନେଇଥାଏ। 

୧୮୦୨ ମସିହାରେ ଜିଆନ୍ ଡୋମେନିକୋ ରୋମାଗ୍ନୋସି ନାମକ ଜଣେ ଈଟାଲୀୟ ନ୍ୟାୟଶାସ୍ତ୍ରବିତ୍ ଓରଷ୍ଟେଡଙ୍କ ଭଳି ପରୀକ୍ଷଣ କରି  ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହେବା କଥା ପ୍ରକାଶ କରିଥିଲେ ଓ ଏକ ଈଟାଲୀୟ ସମ୍ବାଦ ପତ୍ର ଏହାକୁ ପ୍ରକାଶ କରିଥିଲା । କିନ୍ତୁ ରୋମାଗ୍ନୋସି ବିଜ୍ଞାନ ସହ ଜଡ଼ିତ ନ ଥିବାରୁ ତାଙ୍କର ଏହି ପରୀକ୍ଷା ପ୍ରତି କେହି ବିଶେଷ ଧ୍ୟାନ ଦେଇନଥିଲେ । 

ମୌଳିକ ବଳସମୂହ

ଆଧୁନିକ ଭୌତିକ ବିଜ୍ଞାନରେ ପାରମାଣବିକ ବସ୍ତୁମାନଙ୍କ ପ୍ରକୃତି ନିରୂପଣ କରିବା ପାଇଁ ଆଦର୍ଶ ମାନଦଣ୍ଡ (ଈଂରାଜୀରେ Standard Model) ଗଠନ କରାଯାଇଛି । ଏହି ମାନଦଣ୍ଡ ଅନୁସାରେ ବିଦ୍ୟୁତ୍-ଚୁମ୍ବକୀୟ ବଳ ଚାରୋଟି ମୌଳିକ ବଳମାନଙ୍କ ମଧ୍ୟରୁ ଏକ । ଅନ୍ୟ ସବୁ ପ୍ରକାରର ବଳ ଏହି ବଳମାନଙ୍କଠାରୁ ହିଁ ଜାତ । ଏହି ଚାରି ପ୍ରକାରର ମୌଳିକ ବଳ ହେଲା: 

୧. ଶକ୍ତିହୀନ ନାଭିକୀୟ ବଳ (ଈଂରାଜୀରେ Weak Nuclear Forces): ଏହି ବଳ ସମସ୍ତ ପରମାଣୁ ମଧ୍ୟରେ ଥିବା ସମସ୍ତ ଅତିକ୍ଷୁଦ୍ର ବସ୍ତୁମାନଙ୍କୁ ବାନ୍ଧି ରଖିଥାଏ । ଅତିକ୍ଷୁଦ୍ର ବସ୍ତୁବିଜ୍ଞାନରେ ଏହି ବଳ ଓ ବିଦ୍ୟୁତ୍-ଚୁମ୍ବକୀୟ ବଳର ଏକକ ସ୍ୱରୂପ ଶକ୍ତିହୀନ-ବିଦ୍ୟୁତ୍ ବଳ (ଈଂରାଜୀରେ Electroweak Interaction) ଭାବେ ଜଣାଯାଏ । 

୨. ଶକ୍ତିଶାଳୀ ନାଭିକୀୟ ବଳ (ଈଂରାଜୀରେ Strong Nuclear Forces): ଏହି ବଳର ପ୍ରଭାବରେ କ୍ୱାର୍କ୍ (ଈଂରାଜୀରେ Quark)ମାନେ ସମ୍ମିଳିତ ହୋଇ ନ୍ୟୁକ୍ଳିୟନ୍ (ଈଂରାଜୀରେ Nucleon) ଗଠିତ ହୁଏ ଓ ପୁଣି ନ୍ୟୁକ୍ଳିୟନ୍ ସମ୍ମିଳିତ ହୋଇ ପାରମାଣବିକ ନାଭି (ଈଂରାଜୀରେ Nucleus)ର ଗଠନ ହୁଏ ।  

୩. ମହାକର୍ଷଣୀୟ ବଳ (ଈଂରାଜୀରେ gravitational force)

୪. ବିଦ୍ୟୁତ୍-ଚୁମ୍ବକୀୟ ବଳ: ଦୈନନ୍ଦିନ ଜୀବନର ଅନେକ ଘଟଣା ପାଇଁ ଏହି ବଳର ଭୂମିକା ରହିଛି । ସରଳ ଭାଷାରେ କହିବାକୁ ଗଲେ, ପାରମାଣବିକ ନାଭିର ଯୁକ୍ତ ଚାର୍ଜ୍ ଓ ଇଲେକ୍ଟ୍ରନ୍ମାନଙ୍କ ବିଯୁକ୍ତ ଚାର୍ଜ୍ ଯୋଗୁଁ ଯେଉଁ ବିଦ୍ୟୁତ୍-ଚୁମ୍ବକୀୟ ବଳ ସୃଷ୍ଟି ହୁଏ, ତାହା ଅଣୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପରସ୍ପର କ୍ରିୟା ପାଇଁ ଦାୟୀ । ଏହି ବଳ ଅତିକ୍ଷୁଦ୍ର ବସ୍ତୁମାନଙ୍କର ସଂବେଗର କାରଣ ମଧ୍ୟ ଦର୍ଶାଇଥାଆନ୍ତି । ଆମ ଦେହର ଅଣୁ ଓ କୌଣସି ପଦାର୍ଥର ଅଣୁମାନଙ୍କ ମଧ୍ୟରେ କ୍ରିୟା-ପ୍ରତିକ୍ରିୟା ଯୋଗୁଁ ଆମେ ସେମାନଙ୍କ ପ୍ରକୃତ ସ୍ୱରୂପ ଅନୁଭବ କରିପାରୁ । ସମସ୍ତ ରାସାୟନିକ କ୍ରିୟା ପଛରେ ମଧ୍ୟ ଏହି ବଳର ଭୂମିକା ରହିଛି । 

ଇଲେକ୍ଟ୍ରନ‌ମାନେ ଯେତେବେଳେ ପରସ୍ପରର ପ୍ରଭାବ କ୍ଷେତ୍ରରେ ଥିବା ପରମାଣୁମାନଙ୍କ ମଧ୍ୟରେ ଅଦଳ ବଦଳ ହୁଅନ୍ତି, ସେତେବେଳେ ସେମାନଙ୍କଠାରେ ସଂବେଗର ସୃଷ୍ଟି ହୁଏ । ଇଲେକ୍ଟ୍ରନ୍ ମାନଙ୍କ ଗତି ଯୋଗୁଁ ଜାତ ହେଉଥିବା ସଂବେଗ ପାରମାଣବିକ ଓ ଆଣବିକ ବଳର ଉତ୍ସ । ପଲିଙ୍କ ଏକାନ୍ତିକ ସିଦ୍ଧାନ୍ତ (ଈଂରାଜୀରେ Pauli’s Exclusion Principle) ଅନୁଯାୟୀ ଏକ ସୀମିତ ସ୍ଥାନରେ ଏକତ୍ରିତ ଇଲେକ୍ଟ୍ରନ୍ ମାନଙ୍କ ସଂବେଗରେ ବୃଦ୍ଧି ଘଟିଥାଏ ।  ଏପରିକି ବସ୍ତୁର ଘନତ୍ୱ ମଧ୍ୟ ଇଲେକ୍ଟ୍ରନ୍ ମାନଙ୍କ ସଂବେଗର ଅଦଳବଦଳରେ ସୃଷ୍ଟ ବଳ ଓ ସେମାନଙ୍କ ମଧ୍ୟରେ ଥିବା ବିଦ୍ୟୁତ୍-ଚୁମ୍ବକୀୟ ବଳର ସନ୍ତୁଳନ ଉପରେ ନିର୍ଭର କରେ ।

ପାରମ୍ପରିକ ପରିଭାଷା

୧୬୦୦ ମସିହାରେ ୱିଲିୟମ୍ ଗିଲବର୍ଟ୍ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଯେ ଉଭୟ ବୈଦ୍ୟୁତିକ ଶକ୍ତି ଓ ଚୁମ୍ବକୀୟ ଶକ୍ତି ଯୋଗୁଁ ପଦାର୍ଥମାନଙ୍କ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ହୋଇଥାଏ । କିନ୍ତୁ ଦୁହେଁ ଭିନ୍ନ ଭିନ୍ନ ବଳ । ସେ କାଳରେ ସମୁଦ୍ରରେ ଯାତ୍ରା କରୁଥିବା ନାବିକମାନେ ଅନୁଧ୍ୟାନ କରିଥିଲେ ଯେ ବଜ୍ରପାତ ସମୟରେ ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହୋଇଥାଏ । କିନ୍ତୁ ଏହାର କାରଣ କେହି ଜାଣି ନଥିଲେ । ୧୭୫୨ ମସିହାରେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କ ପରୀକ୍ଷାପରେ ଜଣା ପଡ଼ିଲା ଯେ ବଜ୍ରପାତ ସମୟରେ ବିଦ୍ୟୁତ୍-ପ୍ରବାହ ହୋଇଥାଏ।  ୧୮୦୨ରେ ରୋମାଗ୍ନୋସି ପ୍ରଥମେ ଏହାର କାରଣ ଆକସ୍ମିକ ଭାବେ ଜାଣିପାରି ତାହା ପ୍ରକାଶ କଲେ । କିନ୍ତୁ ୧୮୨୦ରେ ଓରଷ୍ଟେଡ୍ ନିଜ ବୈଜ୍ଞାନିକ ପରୀକ୍ଷାଦ୍ୱାରା ଏହାକୁ ସର୍ବବିଦିତ କରାଇଲେ । ତାଙ୍କ ଗବେଷଣାକୁ ବ୍ୟବହାର କରି ଆମ୍ପିୟର୍ ବିଦ୍ୟୁତ୍ ପରିବାହକ ଓ ଚୁମ୍ବକୀୟ ବଳ ମଧ୍ୟରେ ଗାଣିତିକ ସୂତ୍ରର ନିରୂପଣ କରିଥିଲେ ।

୧୮୨୦ରୁ ୧୮୭୩ ମସିହା ମଧ୍ୟରେ ଏହି ତତ୍ତ୍ୱର ବିକାଶରେ ଅନେକ ବୈଜ୍ଞାନିକ ଭାଗୀ ହେଲେ । ସେହି ସମୟରେ ଜେମସ୍ କ୍ଲାର୍କ୍ ମାକ୍ସୱେଲ ସମସ୍ତ ଗବେଷଣାକୁ ଏକ ସୂତ୍ରରେ ବାନ୍ଧିବାରେ ସମର୍ଥ ହେଲେ ଓ ଆଲୋକର ବିଦ୍ୟୁତ୍-ଚୁମ୍ବକୀୟ ପ୍ରକୃତିର ଆବିଷ୍କାର କରିଥିଲେ । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ୱରେ ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ରର ଗୁଣ ମାକ୍ସୱେଲଙ୍କ ସମୀକରଣଦ୍ୱାରା ଓ ବିଦ୍ୟୁତ୍-ଚୁମ୍ବକୀୟ ବଳର ମାପ ଲୋରେଞ୍ଜ୍ ବଳ ନିୟମଦ୍ୱାରା ନିରୂପିତ ହୋଇଥାନ୍ତି । 

ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ୱର ପାରମ୍ପରିକ ଯାନ୍ତିକ ବିଜ୍ଞାନ ସହିତ ମତାନ୍ତର ରହିଛି । କିନ୍ତୁ ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ୱ ବିଶେଷ ଆପେକ୍ଷିକ ତତ୍ତ୍ୱକୁ ସମର୍ଥନ କରେ । ମାକ୍ସୱେଲଙ୍କ ସମୀକରଣ ଅନୁସାରେ ଶୂନ୍ୟରେ ଆଲୋକର ବେଗ ସ୍ଥିର ଓ ଅପରିବର୍ତ୍ତନୀୟ । ଏହା କେବଳ ଶୂନ୍ୟର ବୈଦ୍ୟୁତିକ ଅନୁଜ୍ଞତା ଓ ବିଶିଷ୍ଟ ଚୁମ୍ବକଶୀଳତା ଉପରେ ନିର୍ଭରଶୀଳ । କିନ୍ତୁ ସେ ସମୟରେ ଅନେକ ଦିନରୁ ଭୌତିକ ବିଜ୍ଞାନର ଭିତ୍ତିଭୂମି ସାଜିଥିବା ଗାଲିଲିଓଙ୍କ ନିଶ୍ଚରତା ନିୟମକୁ ଏହା ବିରୋଧ କରୁଥିଲା ।  ଉଦାହରଣ ସ୍ୱରୂପ: ପାରମ୍ପରିକ ବିଜ୍ଞାନ ଅନୁସାରେ ଏକ ସ୍ଥିର ବା ଗତିଶୀଳ ଉତ୍ସରୁ ବାହାରୁଥିବା ଆଲୋକର ବେଗ ସମାନ ହୋଇପାରିବ ନାହିଁ । ତେଣୁ ପାରମ୍ପରିକ ବିଜ୍ଞାନର ସହମତି ପାଇଁ ଶୂନ୍ୟରେ ଇଥର୍ ନାମକ ଏକ ମାଧ୍ୟମ ରହିଛି ଏବଂ ଆଲୋକ ଇଥର୍ ମାଧ୍ୟମରେ ଗତି କରେ ବୋଲି କୁହାଗଲା । କିନ୍ତୁ ସେତେବେଳେ ହୋଇଥିବା ସମସ୍ତ ପରୀକ୍ଷାରୁ ଏହା ସତ୍ୟ ବୋଲି ପ୍ରମାଣିତ ହୋଇପାରିଲା ନାହିଁ । ହେଣ୍ଡେରିକ୍ ଲୋରେଞ୍ଜ୍ ଓ ହେନେରି ପୋଇନକେର୍ଙ୍କ ସହାୟତାରେ ୧୯୦୫ ମସିହାରେ ଆଇନ୍ ଷ୍ଟାଇନ୍ ବିଶେଷ ଆପେକ୍ଷିକ ତତ୍ତ୍ୱର ଆବିଷ୍କାର କଲେ ଓ ଏହି କାଳ୍ପନିକ ମାଧ୍ୟମ ଇଥର ସମ୍ବନ୍ଧୀୟ ପ୍ରହେଳିକାର ଅନ୍ତ ହେଲା । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ୱ ପାରମ୍ପରିକ ଯାନ୍ତ୍ରିକ ବିଜ୍ଞାନର ସମର୍ଥନ କଲାନାହିଁ କିନ୍ତୁ ବିଶେଷ ଆପେକ୍ଷିକ ତତ୍ତ୍ୱର ପରିଧୀରେ ଗୃହିତ ହେଲା ।  

ଆପେକ୍ଷିକ ତତ୍ତ୍ୱର ଏକ ସିଦ୍ଧାନ୍ତ ଅନୁସାରେ ଗତିଶୀଳ ପରିବେଶରେ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ହୋଇ ସେଥିରେ ଏକ ବୈଦ୍ୟୁତିକ ଅଂଶର ଉଦ୍ଭବ ହୁଏ । ସେହିପରି ଗତିଶୀଳ ବୈଦ୍ୟୁତିକ କ୍ଷେତ୍ରରେ ଚୁମ୍ବକୀୟ ପ୍ରକୃତି ଦେଖାଦିଏ । ତେଣୁ ବୈଦ୍ୟୁତିକ କ୍ଷେତ୍ର ଓ ଚୁମ୍ବକୀୟ କ୍ଷେତ୍ର ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ନୁହେଁ, ବରଂ ଏକ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି । 

ଆଧୁନିକ ପରିଭାଷା

୧୯୦୫ ମସିହାରେ ଆଇନ୍ ଷ୍ଟାଇନଙ୍କଦ୍ୱାରା ଲିଖିତ ଦ୍ୱିତୀୟ ନିବନ୍ଧରେ ସେ ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ୱର ସତ୍ୟତା ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଥିଲେ । ଆଇନ୍ ଷ୍ଟାଇନଙ୍କଦ୍ୱାରା ପ୍ରସ୍ତାବିତ ତତ୍ତ୍ୱରେ କୁହାଗଲା ଯେ ଆଲୋକ କେବଳ ଏକ ତରଙ୍ଗ ନୁହେଁ । ଏହାକୁ ଏକ କ୍ଷୁଦ୍ରକଣ ଭଳି ମଧ୍ୟ ଦେଖାଯାଇପାରେ । ଅର୍ଥାତ୍ ଆଲୋକରେ ସାଧାରଣ ପଦାର୍ଥ ପରି କେତେକ ଗୁଣ ରହିଛି । ଏହି କ୍ଷୁଦ୍ରକଣକୁ ପରବର୍ତ୍ତୀ ସମୟରେ ଫୋଟୋନ୍ କୁହାଗଲା । ଆଇନ୍ ଷ୍ଟାଇନଙ୍କ ଏହି ଆବିଷ୍କାର ପାଇଁ ତାଙ୍କୁ ନୋବେଲ୍ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ୧୯୦୦ ମସିହାରେ ମ୍ୟାକ୍ସ୍ ପ୍ଲାଙ୍କ୍ ଅତି-ବାଇଗଣି ରଶ୍ମୀର ପରୀକ୍ଷା କରି “ପ୍ରମାତ୍ର” (ଈଂରାଜୀରେ Quanta/Quantum) ଶବ୍ଦର ପ୍ରଚଳନ କଲେ । ତାପଯୁକ୍ତ ବସ୍ତୁରୁ ଭିନ୍ନ ଭିନ୍ନ କ୍ଷୁଦ୍ରାଂଶରେ ବିଦ୍ୟୁତ୍-ଚୁମ୍ବକୀୟ ବିକୀରଣ ହୁଏ ବୋଲି ପ୍ଲାଙ୍କ୍ ପରୀକ୍ଷାଦ୍ୱାରା ଦର୍ଶାଇଲେ । ପାରମ୍ପରିକ ବିଜ୍ଞାନରେ କେବଳ ଏକ ପ୍ରକାରର ତରଙ୍ଗ ବୋଲି କୁହାଯାଉଥିବା ଆଲୋକର ଏକ ନୂଆ ରୂପ ସମ୍ପର୍କରେ ବିଶ୍ୱବାସୀ ଜାଣିପାରିଲେ ।  ଏହି ଦୁଇ ବୈଜ୍ଞାନିକଙ୍କ ତତ୍ତ୍ୱକୁ ଆଧାର କରି ୧୯୨୫ ମସିହାରେ ପ୍ରମାତ୍ର ଯାନ୍ତ୍ରିକୀ  (ଈଂରାଜୀରେ Quantum Mechanics) ଓ ପରବର୍ତ୍ତୀ ସମୟରେ ବିଦ୍ୟୁତ୍-ଚୁମ୍ବକୀୟତାର ପ୍ରମାତ୍ର ତତ୍ତ୍ୱ (ଈଂରାଜୀରେ Quantum Theory of Electromagnetism) ଗଠିତ ହେଲା ।  

ପ୍ରମାତ୍ର ବିଦ୍ୟୁତଗତିବିଜ୍ଞାନ (Quantum Electrodynamics): ଆଧୁନିକ ବିଜ୍ଞାନରେ ପ୍ରମାତ୍ର ବିଦ୍ୟୁତଗତିବିଜ୍ଞାନ ମାକ୍ସୱେଲଙ୍କ ସମୀକରଣକୁ ଅତିକ୍ରମ କରି ଏକ ସଠିକ୍ ତଥ୍ୟ ପରିବେଷଣ କରିଥିବାରୁ ରିଚାର୍ଡ୍ ଫେମ୍ୟାନ୍ ଏହାକୁ “ଭୌତିକ ବିଜ୍ଞାନର ମଉଡମଣି” ବୋଲି କହିଛନ୍ତି । 

ବିଦ୍ୟୁତ୍-ଚୁମ୍ବକୀୟ ମାତ୍ରକ

ବିଦ୍ୟୁତ୍-ଚୁମ୍ବକତ୍ୱ କ୍ଷେତ୍ରରେ ବ୍ୟବହୃତ କେତେକ ସତ୍ତ୍ୱର ମାତ୍ରକମାନେ ହେଲେ

ବିଦ୍ୟୁତ୍-ଚୁମ୍ବକୀୟ ସତ୍ତ୍ୱ ମାତ୍ରକ
ବିଦ୍ୟୁତ୍ ସ୍ରୋତ ଆମ୍ପିୟର୍
ବିଦ୍ୟୁତିକ ଚାର୍ଜ୍ କୁଲମ୍
ଚୁମ୍ବକୀୟ ପ୍ରବାହ ୱେବର୍
ଚୁମ୍ବକୀୟ ପ୍ରବାହର ଘନତ୍ୱ ଟେସଲା
ବିଦ୍ୟୁତ୍ ବିଭବ ଭୋଲଟ୍

ଆଧାର

Tags:

ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ଇତିହାସବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ମୌଳିକ ବଳସମୂହବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ପାରମ୍ପରିକ ପରିଭାଷାବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ଆଧୁନିକ ପରିଭାଷାବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ବିଦ୍ୟୁତ୍-ଚୁମ୍ବକୀୟ ମାତ୍ରକବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ଆଧାରବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ

🔥 Trending searches on Wiki ଓଡ଼ିଆ:

କୃଷ୍ଣପ୍ରସାଦ ମିଶ୍ରଓଡ଼ିଆ ସାହିତ୍ୟର ଇତିହାସଓ ଅନ୍ଧଗଳିୟୁ ଟ୍ୟୁବ୨୬ ଅପ୍ରେଲଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଦୀପକ ମିଶ୍ରଇଂଲଣ୍ଡଆମ୍ବରାମଚନ୍ଦ୍ର ମିଶ୍ରବିନୋଦ ଚନ୍ଦ୍ର ନାୟକବିଜୁ ଜନତା ଦଳଓଡ଼ିଆ ଭାଷା ଆନ୍ଦୋଳନମୁକ୍ତିକାନ୍ତ ମଣ୍ଡଳକଳାପାହାଡ଼ନେମାଳଓଡ଼ିଶୀପଞ୍ଚସଖାଇତିହାସପାରମିତା ଶତପଥୀଅଣସରସମ୍ବଲପୁରଗଣନ ସଂଖ୍ୟାବର୍ଷାଚନ୍ଦନ ଯାତ୍ରାଫକୀର ମୋହନ ସେନାପତିଯଦୁମଣି ମହାପାତ୍ରସତୀ (ହିନ୍ଦୁ ଦେବୀ)କଖାରୁ ଫୁଲ ଭଜାଫେବୃଆରୀ ୨୮ହନୁମାନହାଡ଼ଫୁଟିମୟୂରସତୀ ଅନୁସୂୟାଆପେଣ୍ଡିସାଇଟିସଉଦୟନାଥ ଷଡ଼ଙ୍ଗୀକୋଳିବୁଧଭୁବନେଶ୍ୱରମହାପ୍ରସାଦସୂଚନା ପ୍ରଯୁକ୍ତିବିଦ୍ୟାଗିରିଧର ଗମାଙ୍ଗଗୋପାଳ ଚନ୍ଦ୍ର ପ୍ରହରାଜକଣ୍ଡୋମକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଓଡ଼ିଆ ସାହିତ୍ୟଗାଲୁଆପାଇକ ଆଖଡ଼ା୭ (ସଂଖ୍ୟା)ଚଇତି ଘୋଡ଼ା ନାଚଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାନାରୀବାଦପାର୍ବତୀଗର୍ଭାବସ୍ଥାନଇ ଆରପାରିଚିତ୍ତରଞ୍ଜନ ତ୍ରିପାଠୀବର୍ଷା ପ୍ରିୟଦର୍ଶିନୀଅଚ୍ୟୁତାନନ୍ଦ ଦାସମହାନଦୀରକ୍ତବୈକୁଣ୍ଠନାଥ ପଟ୍ଟନାୟକକବାଟଅକ୍ଷାଂଶଅଣ୍ଡା ରୋଲନବଯୌବନ ବେଶରାଣୀ ଲକ୍ଷ୍ମୀବାଈଗୋପବନ୍ଧୁ ଚୌଧୁରୀ୧ମ ଓଡ଼ିଶା ବିଧାନ ସଭା🡆 More