ହିନ୍ଦୁ ପୁରାଣ ବାଲ୍ମିକୀ କୃତ ରାମାୟଣର ବର୍ଣ୍ଣନା ଅନୁସାରେ ଦଶରଥ ଥିଲେ ତ୍ରେତୟା ଯୁଗରେ ଅଯୋଧ୍ୟାର ସୂର୍ଯ୍ୟବଂଶୀୟ ରାଜା ତଥା ପ୍ରଭୁ ରାମଚନ୍ଦ୍ରଙ୍କ ପିତା । ଦଶରଥଙ୍କ ପିତା ଥିଲେ ରାଜା ଅଜ ଏବଂ ମାତା ଥିଲେ ସ୍ୱର୍ଗର ଅପ୍ସରା ଇନ୍ଦୁମତୀ । ରାଜା ଦଶରଥଙ୍କୁ ଜଣେ ଆଦର୍ଶ ମହାରାଜା, ପୁଅମାନଙ୍କୁ ଭଲ ପାଉଥିବା ଏକ ପିତା ତଥା ନିଜ ବଚନ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତି ଭାବେ ଚିତ୍ରିତ କରାଯାଇଛି । ତାଙ୍କର ତିନୋଟି ପତ୍ନୀ ଥିଲେ -କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ଏକ ପୌରାଣିକ ତଥ୍ୟ ଅନୁସାରେ ରାଜା ରୋମପାଦଙ୍କ ପୋଷ୍ୟକନ୍ୟା ତଥା ଋଷ୍ୟଶୃଙ୍ଗଙ୍କ ପତ୍ନୀ ଶାନ୍ତା ବାସ୍ତବରେ ଦଶରଥଙ୍କ ଝିଅ ଥିଲେ ।
ବିବାହର ବହୁବର୍ଷ ପର୍ଯ୍ୟନ୍ତ ପୁତ୍ରରୂପୀ କୌଣସି ବଂଶଜ ନ ଥିବାରୁ ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ କେହି ନାହାନ୍ତି । କୁଳଗୁରୁ ବଶିଷ୍ଠ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁଙ୍କ ଉପଦେଶ ଅନୁସାରେ ମହାନ୍ ଋଷି ଋଷ୍ୟଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ ।
ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ । ରାମ କିନ୍ତୁ ଧୀର ଚିତ୍ତରେ ପିତୃ-ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମ ବନବାସ ଗମନ କରିବାର କିଛି କାଳ ପରେ ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରିଥିଲେ ।
ରାମ ବନବାସକୁ ଯିବା ପରେ ଦଶରଥ କ୍ରନ୍ଦନରତା କୌଶଲ୍ୟା ସହିତ ତାଙ୍କ ଶଯ୍ୟାରେ ଶୋଇଛନ୍ତି । ଅତୀତରେ ଘଟିଥିବା ଏକ ଘଟଣାକୁ ସେ ହଠାତ୍ ମନେ ପକାଇଲେ | ସେ କୌଶଲ୍ୟାଙ୍କୁ କହିଛନ୍ତି ଯେ କିପରି ଦୁର୍ଘଟଣାରେ ସେ ଶ୍ରବଣ କୁମାର ନାମକ ଜଣେ ବାଳକକୁ ଶୀକାର ବୋଲି ଭାବି ହତ୍ୟା କରିଥିଲେ । ଦଶରଥ ସେତେବେଳେ ରାଜକୁମାର ଥିଲେ, ସେ ସରଜୁ ନଦୀ କୂଳକୁ ଶିକାର କରିବାକୁ ଯାଇଥିଲେ । ସେ ଶବ୍ଦର ଦିଗ ନିର୍ଣ୍ଣୟ କରି ଶିକାର କରିବାରେ ପାରଦର୍ଶୀ ଥିଲେ ଏବଂ ଏକ ପଶୁ ଜଲପାନ କରିବା ଶବ୍ଦ ଶୁଣିଥିଲେ । ଏହି ଶବ୍ଦକୁ ଲକ୍ଷ୍ୟ କରି ସେ ଏକ ଶବ୍ଦ ଭେଦୀ ତୀର ଚାଳନା କରିଥିଲେ । ବାସ୍ତବରେ ଶ୍ରବଣ କୁମାର ନାମକ ଏକ ବାଳକ ସେତେବେଳେ ତାଙ୍କ ପିତା ମାତାଙ୍କ ପାଇଁ ନଦୀରୁ ଜଳ ସଂଗ୍ରହ କରୁଥିଲା । ଦଶରଥଙ୍କ ତୀର ଆଘାତରେ ସେ ମୃତ୍ୟୁବରଣ କଲେ । ସେତେବେଳେ ମନୁଷ୍ୟର କ୍ରନ୍ଦନ ଶୁଣି ଦଶରଥ ସେଠାରେ ପହଂଚି ଦେଖିଲେ ଯେ ତାଙ୍କରି ତିର ଆଘାତରେ ନଦୀ କୂଳରେ ଏକ ବାଳକ ମରି ପଡିଛି । ଅଜାଣତରେ ଏଭଳି ଅନ୍ୟାୟ କରିଥିବାରୁ ପିଲାଟି ଦଶରଥଙ୍କୁ କ୍ଷମା କରି ଛାତି ଭିତରୁ ତୀର ବାହାର କରିବାକୁ ଗୁହାରୀ କଲା । ସେ ଆହୁରି ମଧ୍ୟ ତାଙ୍କୁ କହିଲା ଯେ ତାଙ୍କ ଜଳ ପାତ୍ରକୁ ତାଙ୍କ ଅନ୍ଧ ପିତାମାତାଙ୍କ ନିକଟକୁ ନେଇଯାଆନ୍ତୁ, କାରଣ ସେମାନେ ସେଠାରେ ତାଙ୍କୁ ଅପେକ୍ଷା କରିଥିବେ । ଏହା କହି ପିଲାଟି ମରିଗଲା । ଦଶରଥ ଅନ୍ଧ ଦମ୍ପତିଙ୍କ ନିକଟକୁ ଯାଇ ସେମାନଙ୍କ ପୁଅର ଦୁର୍ଭାଗ୍ୟଜନକ ମୃତ୍ୟୁ ବିଷୟରେ କହିଥିଲେ । ପିତାମାତା, ଦୁଃଖରେ ମ୍ରିୟମାଣ ହୋଇ ରାଜକୁମାରଙ୍କୁ ଅଭିଶାପ ଦିଅନ୍ତି: "ଯେପରି ଆମର ପ୍ରିୟ ପୁଅଠାରୁ ଅଲଗା ହୋଇ ଆମେ ମରୁଛୁ, ତୁମେ ମଧ୍ୟ ସମ ଦଶା ପ୍ରାପ୍ତ ହେବ "। ଶେଷ ସମୟରେ ଏହା ମନେ ପକାଇ ଦଶରଥ କହିଛନ୍ତି ଯେ ଅଭିଶାପ କାର୍ଯ୍ୟକାରୀ ହୋଇଛି ଏବଂ ତାଙ୍କର ଶେଷ ପାଖେଇ ଆସିଛି ।
This article uses material from the Wikipedia ଓଡ଼ିଆ article ଦଶରଥ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.