ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଈଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା । ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି ।
ଚୀନର ବିଶାଳ ପ୍ରାଚୀର | |
---|---|
Native name 萬里長城 | |
ଦିଗବାରେଣି | 40°41′N 117°14′E / 40.68°N 117.23°E |
ଚୀନର ବିଶାଳ ପ୍ରାଚୀର | |||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Simplified Chinese | 长城 | ||||||||||||||||||||||||||||
Traditional Chinese | 長城 | ||||||||||||||||||||||||||||
Literal meaning | "ଦୀର୍ଘ ପ୍ରାଚୀର" | ||||||||||||||||||||||||||||
| |||||||||||||||||||||||||||||
Alternative Chinese name | |||||||||||||||||||||||||||||
Simplified Chinese | 万里长城 | ||||||||||||||||||||||||||||
Traditional Chinese | 萬里長城 | ||||||||||||||||||||||||||||
Literal meaning | "୧୦୦୦୦ ମାଇଲ୍ ଲମ୍ବା ପ୍ରାଚୀର" | ||||||||||||||||||||||||||||
|
ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା ।
ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି । ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି. ବିରାଟ ଖାଲ ଓ ୨୨୩୨ କି.ମି. ପାହାଡ଼ ଓ ନଦୀ ପରି ପ୍ରାକୃତିକ ସୀମା ଓ ବାଧାରେ ପୂର୍ଣ୍ଣ । ଆଉ ଏକ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପ୍ରାଚୀରର ସମସ୍ତ ଅଂଶକୁ ମିଶାଇ ୨୧୧୯୬ କି.ମି. ଦୀର୍ଘ ବୋଲି ତଥ୍ୟ ଯୋଗାଇଥିଲା । ଆଜିକାର ସମୟରେ ଚୀନର ବିଶାଳ ପ୍ରାଚୀର ଏକ ସର୍ବୋତ୍କୃଷ୍ଟ ଐତିହାସିକ କିର୍ତ୍ତୀମାନ ଭାବେ ପରିଗଣିତ ହୁଏ ।
ବିଭିନ୍ନ ପ୍ରାଚୀରର ସମାହାରରେ ଗଠିତ ବିଶାଳ ପ୍ରାଚୀରର ପ୍ରାଚୀନ ସମୟରେ ଅନେକ ସ୍ଥାନୀୟ ଓ ବିଦେଶୀ ନାମ ରହିଥିଲା ।
ଚୀନ ଐତିହାସିକ ସିମା ଚିଆନ୍ଙ୍କ ବିବରଣୀରେ ଏହାକୁ "ଦୀର୍ଘ ପ୍ରାଚୀର ଯୁଗଳ" (ମୂଳ ଚୀନୀ ନାମ 長城, ଚାଂଗ୍ଚେଂଗ୍) ବୋଲି କୁହାଯାଇଛି । ସେହି ସମୟରେ ଦୁଇଟି ବିରାଟ ପ୍ରାଚୀର ରହିଥିଲା । ସିମା ଚିଆନ୍ଙ୍କ ବିବରଣୀରେ "ଦଶ ହଜାର ମାଇଲ୍ ଦୀର୍ଘ ପ୍ରାଚୀର" (萬里長城, ୱାନ୍ଲି ଚାଂଗ୍ଚେଂଗ୍) ନାମଟି ନଥିଲେ ମଧ୍ୟ ତାଙ୍କରି ବିବରଣୀରୁ ଏହି ନାମର ଉତ୍ପତ୍ତି ବୋଲି କୁହାଯାଏ । ୪୯୩ ମସିହାର ସଂଗ୍ ପୁସ୍ତକରେ ସେନାପତି ତାନ୍ ଦାଓଜି "ଦଶ ହଜାର ମାଇଲ୍ ଦୀର୍ଘ ପ୍ରାଚୀର" ବିଷୟ ଉଲ୍ଲେଖ କରିଥିବା କୁହାଯାଇଛି । ପାରମ୍ପରିକ ଚୀନରେ ଗ୍ରାମର ସୀମା ମାପିବା ପାଇଁ ବ୍ୟବହୃତ ଆନୁମାନିକ ମାପକ “ଲି.” ଭିନ୍ନ ଭୌଗୋଳିକ ପରିସ୍ଥିତିରେ ପରିବର୍ତ୍ତିତ ହେଉଥିଲା ଏବଂ ଏହାର ହାରାହାରି ମାନ ବର୍ତ୍ତମାନ ସମୟର ଈଂରାଜୀ ମାପକ ମାଇଲ୍ର ପ୍ରାୟ ଏକ-ତୃତୀୟାଂଶ (୫୪୦ ମିଟର୍) ହେବ । ୧୯୩୦ ମସିହାରେ ଚୀନର ପରିସୀମା ନିର୍ଦ୍ଧାରଣ ପରେ ଏହାର ମାନ ୫୦୦ ମିଟର୍ ବୋଲି ନିର୍ଦ୍ଧାରିତ ହୋଇଛି । ଏହି ବିଚାରରେ ବିଶାଳ ପ୍ରାଚୀରର ଦୈର୍ଘ୍ୟ ପ୍ରାୟ ୫୦୦୦ କି.ମି. ହେବ । ତେବେ ଅନ୍ୟ ଭାଷାମାନଙ୍କରେ ବ୍ୟବହୃତ “ଅଗଣିତ”, “ଅମାପ” ଇତ୍ୟାଦି ଶବ୍ଦ ପରି ଏଠାରେ ଦଶ ହଜାର ଶବ୍ଦର ବ୍ୟବହାରକୁ ଏକ ଅତ୍ୟୁକ୍ତି ବୋଲି କୁହାଯାଇପାରେ ।
ଏହି ପ୍ରାଚୀର ସହିତ ଚୀନର ପ୍ରଥମ ସମ୍ରାଟ ତଥା କ୍ରୁର ଅତ୍ୟାଚାରୀ ଶାସକ ଚିନ୍ ଶି ହୁଆଂଗ୍ଙ୍କ ନାମ ଜଡ଼ିତ ଥିବାରୁ ଚିନ୍ ରାଜବଂଶର ପରବର୍ତ୍ତୀ ରାଜବଂଶମାନେ "ଦୀର୍ଘ ପ୍ରାଚୀର"ର କାୟାବୃଦ୍ଧିରେ ରହିଥିବା ନିଜ ଯୋଗଦାନକୁ ଦୀର୍ଘ ପ୍ରାଚୀର ନ କହି ଭିନ୍ନ ଭିନ୍ନ ନାମରେ ଅଭିହିତ କରିଥିଲେ । ମଧ୍ୟଯୁଗୀୟ ବିବରଣୀ ଅନୁଯାୟୀ ଏହାକୁ ଦୁର୍ଗ, ବାହ୍ୟଦୁର୍ଗ, ବାଧକ, ସୀମା ପ୍ରାଚୀର ଆଦି ନାମର ଉଲ୍ଲେଖ ମିଳିଛି । ସ୍ଥାନୀୟ ଭାଷା ଓ କାବ୍ୟ କବିତାରେ "ବାଇଗଣୀ ସୀମାନ୍ତ", "ଭୂମି ଡ୍ରାଗନ୍" ପରି ନାମଦ୍ୱାରା ବିଶାଳ ପ୍ରାଚୀରକୁ ସମ୍ବୋଧିତ କରାଯାଇଛି । କେବଳ ଚିଂଗ୍ ରାଜବଂଶର ରାଜୁତି ସମୟରୁ କ୍ଷୁଦ୍ର କ୍ଷୁଦ୍ର ସମସ୍ତ ପ୍ରାଚୀର ଖଣ୍ଡକୁ ଏକ ନାମ “ବିଶାଳ ପ୍ରାଚୀର” ବୋଲି କୁହାଯିବା ଆରମ୍ଭ ହେଲା ।
ଆଧୁନିକ ଯୁଗର ପ୍ରାରମ୍ଭରେ ଚୀନକୁ ଭ୍ରମଣ କରିଥିବା ୟୁରୋପୀୟମାନଙ୍କ ବିବରଣୀରୁ “ଚୀନୀ ପ୍ରାଚୀର” ନାମଟି ଉଦ୍ଧୃତ ହୋଇଛି । ୧୯ଶ ଶତାବ୍ଦୀ ବେଳକୁ "ଚୀନର ବିଶାଳ ପ୍ରାଚୀର" ("The Great Wall of China") ନାମଟି ଈଂରାଜୀ, ଜର୍ମାନ୍ ଓ ଫରାସୀ ଭାଷାରେ ଗୃହୀତ ହେଲା କିନ୍ତୁ ଅନ୍ୟ ୟୁରୋପୀୟ ଭାଷାରେ ଏହାର ନାମ "ଚୀନୀ ପ୍ରାଚୀର"("The Chinese Wall") ହିଁ ରହିଛି ।
ଖ୍ରୀ.ପୂ. ୮ମରୁ ୫ମ ଶତାବ୍ଦୀ ବେଳକୁ ଚୀନର ଲୋକମାନେ ବଡ଼ ପ୍ରାଚୀର ନିର୍ମାଣ କରିବାର ଜ୍ଞାନ କୌଶଳ ବିଷୟରେ ଅବଗତ ଥିଲେ । ମୁଖ୍ୟତଃ ବସନ୍ତ ଓ ଶରତ ଋତୁରେ କାନ୍ଥ ନିର୍ମାଣ କରାଯାଉଥିଲା । ଚିନ୍, ୱେଇ, ଝାଓ, ଚି, ୟାନ୍ ଓ ଝୋଂଗ୍ଶାନ୍ ରାଜ୍ୟମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିବାରୁ, ଏମାନେ ସୁରକ୍ଷା ପାଇଁ ନିଜ ନିଜ ସୀମାନ୍ତରେ ପ୍ରାଚୀର ନିର୍ମାଣ କରାଇଥିଲେ । ମାଟି ଓ ଛୋଟ ପଥରରେ ନିର୍ମିତ ଏହି କାନ୍ଥଗୁଡ଼ିକ କିନ୍ତୁ କେବଳ ଖଣ୍ଡା, ବର୍ଚ୍ଛାଧାରୀ ସେନାମାନଙ୍କୁ କିଛି ମାତ୍ରାରେ ପ୍ରତିରୋଧ କରିବା ପାଇଁ ସକ୍ଷମ ଥିଲା ।
ଚିନ୍ ରାଜ୍ୟର ରାଜା ଝେଂଗ୍ ନିଜ ଶତ୍ରୁମାନଙ୍କୁ ଦମନ କରି ଚୀନର ଏକତ୍ରିକରଣ କରିଥିଲେ ଓ ଖ୍ରୀ.ପୂ. ୨୨୧ରେ ଚୀନର ପ୍ରଥମ ସମ୍ରାଟ ଭାବେ ଚିନ୍ ସାମ୍ରାଜ୍ୟ (ଚିନ୍ ଶି ହୁଆଂଗ୍)ର ସ୍ଥାପନା କରିଥିଲେ । ସାମ୍ରାଜ୍ୟର ଏକତ୍ରୀକରଣ ଓ ଆନ୍ତଃ-ବିପ୍ଳବକୁ ଆଖିରେ ରଖି ସେ କିଛି ଛୋଟ ପ୍ରାଚୀରକୁ ଭାଙ୍ଗିଦେଲେ । ଉତ୍ତର ପଟୁ ଜ୍ୟୋଂଗ୍ନୁ ବିପ୍ଳବୀଙ୍କ ଆକ୍ରମଣରୁ ଦେଶର ସୁରକ୍ଷା କରିବା ପାଇଁ ସେ ନୂଆ ପ୍ରାଚୀର ନିର୍ମାଣ କରିବା ପାଇଁ ଆଦେଶ ଦେଲେ । ପୂର୍ବରୁ ରହିଥିବା କାନ୍ଥମାନଙ୍କୁ ସୁଦୃଢ଼ କରି ଏକ ବିରାଟ ପ୍ରାଚୀର ନିର୍ମାଣ କରିବା ତାଙ୍କ ଉଦ୍ଦେଶ୍ୟ ଥିଲା ଯେପରିକି ସାମ୍ରାଜ୍ୟର ସମ୍ପୂର୍ଣ୍ଣ ଉତ୍ତର ସୀମା ସୁରକ୍ଷିତ ହୋଇପାରିବ । ଏତେ ବିରାଟ ପ୍ରାଚୀର ନିର୍ମାଣ ପାଇଁ କଞ୍ଚାମାଲ ପରିବହନ କଷ୍ଟକର ବ୍ୟାପାର ଥିଲା, ତେଣୁ ଆଖପାଖରେ ମିଳୁଥିବା କଞ୍ଚାମାଲ ବ୍ୟବହାର କରିବା ସମୟୋପଯୋଗୀ ଓ ସହଜସାଧ୍ୟ ଥିଲା । ପାହାଡ଼ ଉପର ଦେଇ ଯାଉଥିବା ପ୍ରାଚୀରର ଅଂଶ ପାଇଁ ସେହି ପାହାଡ଼ରୁ ପଥର କାଟି ବ୍ୟବହାର କରାଯାଉଥିଲା । ଏହି ଚିନ୍ ପ୍ରାଚୀରର ଦୈର୍ଘ୍ୟ ଓ ବ୍ୟାପ୍ତି କେତେ ଥିଲା ତାହାର କୌଣସି ଐତିହାସିକ ଉଲ୍ଲେଖ ନାହିଁ । ପ୍ରାଚୀନ ସମୟରେ ନିର୍ମିତ ଏହି କାନ୍ଥର ଅନେକ ଅଂଶର ବର୍ତ୍ତମାନ ଅବକ୍ଷୟ ଘଟିଛି । କେତେ ଲୋକ ଏହି କାନ୍ଥର ନିର୍ମାଣରେ ଯୋଗଦାନ କରିଥିଲେ ତାହାର କୌଣସି ଐତିହାସିକ ପ୍ରମାଣ ନାହିଁ କିନ୍ତୁ କେତେକ ଲେଖକଙ୍କ ମତାନୁସାରେ ଚିନ୍ ପ୍ରାଚୀରର ନିର୍ମାଣ କାର୍ଯ୍ୟ ବେଳେ ଲକ୍ଷ ଲକ୍ଷ ଶ୍ରମିକ ପ୍ରାଣ ହରାଇଥିଲେ । ପରବର୍ତ୍ତୀ ସମୟରେ ହାନ୍ ରାଜବଂଶ, ସ୍ୱି ରାଜବଂଶ ଓ ଉତ୍ତର ପ୍ରାନ୍ତର ରାଜବଂଶମାନେ ଉତ୍ତର ପଟୁ ହେଉଥିବା ଆକ୍ରମଣରୁ ନିଜ ରାଜ୍ୟର ସୁରକ୍ଷା ପାଇଁ ଏହି ପ୍ରାଚୀରର ପ୍ରସରଣ, ମରାମତି ଓ ପୁନରୁଦ୍ଧାର କରାଇଥିଲେ । ତାଂଗ୍ ଓ ସୋଂଗ୍ ରାଜବଂଶର ଶାସନ ସମୟରେ ଏହି ପ୍ରାଚୀରରେ କିଛି ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ହୋଇନଥିଲା । ଲାୟୋ, ଜିନ୍ ଓ ୟୁଆନ୍ ଇତ୍ୟାଦି ରାଜବଂଶ ଦଶମରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଚୀନର ଉତ୍ତର ପାର୍ଶ୍ୱରେ ଶାସନ କରୁଥିଲେ ଓ ନିଜ ରାଜ୍ୟର ସୁରକ୍ଷା ପାଇଁ ଦ୍ୱାଦଶ ଶତାବ୍ଦୀରେ କେତେକ ପ୍ରାଚୀରର ନିର୍ମାଣ କରାଇଥିଲେ । କିନ୍ତୁ ଏଗୁଡ଼ିକ ବିଶାଳ ପ୍ରାଚୀରରୁ ଅନେକ ଦୂରକୁ କେନ୍ଦ୍ରୀୟ ମଂଗୋଲିଆରେ ରହିଥିଲା ।
ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ମିଂଗ୍ ରାଜବଂଶ କ୍ଷମତାକୁ ଆସିବା ପରେ ଏହାର ଶାସକମାନେ ପୁଣି ଥରେ ବିଶାଳ ପ୍ରାଚୀରର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେଲେ । ତୁମୁ ଯୁଦ୍ଧରେ ଓଇରାତ୍ମାନଙ୍କଠାରୁ ମିଂଗ୍ ସେନା ପରାଜିତ ହେବା ଯୋଗୁଁ ବିଶାଳ ପ୍ରାଚୀରର ଆବଶ୍ୟକତା ଅନୁଭବ କରିଥିଲେ ଓ ସେଥିପାଇଁ ଏହି ପଦକ୍ଷେପ ନେଇଥିଲେ । ଅନେକ ସମୟ ଧରି ଲାଗି ରହିଥିବା ସଂଘର୍ଷରେ ମିଂଗ୍ସେନା ମଂଗୋଲିଆର ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ପ୍ରତିହତ କରିପାରୁନଥିଲେ ଯାହା ସାମ୍ରାଜ୍ୟକୁ କ୍ଷତିଗ୍ରସ୍ତ କରୁଥିଲା । ତେଣୁ ଏହି ଯାଯାବର ବିଦ୍ରୋହୀ ଗୋଷ୍ଠୀମାନଙ୍କୁ ଦମନ କରିବା ପାଇଁ ଏକ ନୂତନ ଯୋଜନା କ୍ରମେ ମିଂଗ୍ ଶାସକମାନେ ଚୀନର ଉତ୍ତର ସୀମାରେ ବିଶାଳ ପ୍ରାଚୀରର ସମ୍ପ୍ରସାରଣରେ ମନ ଦେଲେ । ମଂଗୋଲ୍ମାନଙ୍କ ନିୟନ୍ତ୍ରଣ ଓ ଆଧିପତ୍ୟରେ ଥିବା ଅଂଶର ସମ୍ମାନ କରି ୟେଲୋ ନଦୀ ପରିବର୍ତ୍ତେ ଓର୍ଡୋସ୍ ମରୁଭୂମିର ଦକ୍ଷିଣ ସୀମାରେ ମିଂଗ୍ମାନେ ପ୍ରାଚୀର ସମ୍ପ୍ରସାରଣ କରାଇଲେ ।
ମିଂଗ୍ମାନଙ୍କଦ୍ୱାରା ନିର୍ମିତ ଅଂଶ ପଥର ଓ ଇଟାରେ ନିର୍ମାଣ କରାଯାଇଥିବାରୁ ପୂର୍ବରୁ ନିର୍ମିତ ଅଂଶ ଅପେକ୍ଷା ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ ଥିଲା । ଏହି ସମୟରେ ବିଶାଳ ପ୍ରାଚୀରରେ ପ୍ରାୟ ୨୫୦୦୦ଟି ନିରୀକ୍ଷଣ ସ୍ତମ୍ଭ ବା ମୀନାର ନିର୍ମାଣ କରାଯାଇଥିଲା । କିନ୍ତୁ ମଂଗୋଲ୍ମାନେ ଦୁର୍ବଳ ଅଂଶରୁ ଅନୁପ୍ରବେଶ ବଜାୟ ରଖିଥିବାରୁ ମିଂଗ୍ମାନେ ପୂର୍ବ ଅଂଶର ମରାମତି ଓ ଦୃଢ଼ୀକରଣର ଆବଶ୍ୟକତା ଉପଲବ୍ଧି କରିଥିଲେ ଓ ଏହା ପଛରେ ଅନେକ ସମ୍ବଳ ବିନିଯୋଗ କରିଥିଲେ । ମିଂଗ୍ମାନଙ୍କ ରାଜଧାନୀ ବେଜିଂଗ୍ ନିକଟ ଦେଇ ଯାଇଥିବା କାନ୍ଥର ଅଂଶ ଅତ୍ୟନ୍ତ ସୁଦୃଢ଼ ଥିଲା । ୧୫୬୭ ମସିହାରୁ ୧୫୭୦ ମସିହା ମଧ୍ୟରେ ଚି ଜିଗ୍ୱାଂଗ୍ କାନ୍ଥର ଅନେକ ଅଂଶର ଦୃଢ଼ୀକରଣ କରାଇଲେ ଓ ମଂଗୋଲ୍ ଅନୁପ୍ରବେଶକାରୀଙ୍କ ଆଗମନ ବିଷୟରେ ସୂଚନା ଦେବାହ ପାଇଁ ଶାନ୍ହାଇଗ୍ୱାନ୍ ଗିରିପଥରୁ ଚାଂପିଂ ପର୍ଯ୍ୟନ୍ତ ଅଂଶରେ ପ୍ରାୟ ୧୨୦୦ ନିରୀକ୍ଷଣ ସ୍ତମ୍ଭର ନିର୍ମାଣ କରାଇଲେ । ୧୪୪୦ରୁ ୧୪୬୦ ମଧ୍ୟରେ ମିଂଗ୍ ଶାସକମାନେ "ଲ୍ୟାଓଡୋଂ ପ୍ରାଚୀର"ର ମଧ୍ୟ ନିର୍ମାଣ କରାଇଥିଲେ । ଏହି ପ୍ରାଚୀର ମଧ୍ୟ ବିଶାଳ ପ୍ରାଚୀରର ଏକ ଅଂଶ ପରି ଥିଲା ଓ ଉତ୍ତର ଓ ଉତ୍ତର-ପୂର୍ବ ଦିଗରୁ ଜିଆଞ୍ଝୋଉ ଜୁର୍ଚେନ୍ ଓ ମଂଗୋଲ୍ ଓରିୟାଂଘାନ୍ମାନଙ୍କ ଆକ୍ରମଣ ଓ ଲୁଣ୍ଠନ ଉଦ୍ୟମରୁ ଲ୍ୟାଓଡୋଂ ପ୍ରଗଣାର କୃଷିକ୍ଷେତ୍ରମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ପ୍ରାଚୀର ନିର୍ମାଣର ମୂଳ ଉଦ୍ଦେଶ୍ୟ ଥିଲା । ପଥର, ଟାଇଲ୍, ମାଟି ବ୍ୟବହାର କରି ଓ କାନ୍ଥର ଉଭୟ ପାର୍ଶ୍ୱରେ ଗଭୀର ଖାଇ ଖୋଳି ଲ୍ୟାଓଡୋଂ ପ୍ରାଚୀର ତିଆରି ହୋଇଥିଲା ।
ମିଂଗ୍ ସାମ୍ରାଜ୍ୟର ପତନ ସମୟରେ ପ୍ରାୟ ୧୬୦୦ ମସିହା ବେଳକୁ ମୁଣ୍ଡ ଟେକି ଉଠିଥିବା ମଞ୍ଚୁ ଅନୁପ୍ରବେଶକାରୀ ଦଳଙ୍କ ପ୍ରତିରୋଧରେ ବିଶାଳ ପ୍ରାଚୀର ଖୁବ୍ ସହାୟକ ହୋଇଥିଲା । ସଂଘର୍ଷରେ ମିଂଗ୍ ସେନା ଲ୍ୟାଓଡୋଂ ଅଞ୍ଚଳ ହରାଇଥିଲେ କିନ୍ତୁ ଶାନ୍ହାଇ ପ୍ରବେଶପଥରେ ଦୃଢ଼ ପ୍ରତିରୋଧ ଯୋଗୁଁ ମଞ୍ଚୁମାନେ ଚୀନର ଅଭ୍ୟନ୍ତରକୁ ଅନୁପ୍ରବେଶ କରିପାରିନଥିଲେ । ଶେଷରେ ବେଜିଂଗ୍ ଲି ଜିଚେଂଗ୍ ବିଦ୍ରୋହୀ ଗୋଷ୍ଠୀଙ୍କ ଅଧୀନକୁ ଆସିବା ପରେ, ୧୬୪୪ ମସିହା ବେଳକୁ ମଞ୍ଚୁମାନେ ବିଶାଳ ପ୍ରାଚୀର ଲଂଘିବାରେ ସମର୍ଥ ହୋଇଥିଲେ । ଏହା ପୂର୍ବରୁ ମଞ୍ଚୁମାନେ କରିଥିବା ଅନୁପ୍ରବେଶର ମୁଖ୍ୟ ଉଦ୍ଦେଶ୍ୟ ଲୁଣ୍ଠନ ଥିଲା । କିନ୍ତୁ ୧୬୪୪ ମସିହାର ଅନୁପ୍ରବେଶର ଉଦ୍ଦେଶ୍ୟ ଥିଲା ନୂଆ ଇଲାକା ଅଧୀନ କରିବା । ଶାନ୍ହାଇ ପ୍ରବେଶପଥ ନିକଟରେ ମିଂଗ୍ ସେନାର ସେନାପତି ୱୁ ସାଂଗ୍ୱି ମଞ୍ଚୁମାନଙ୍କ ସହିତ ସନ୍ଧି କଲେ ଓ ଦ୍ୱାର ଖୋଲି ସେମାନଙ୍କୁ ଭିତରକୁ ପଶିବାରେ ସହାୟତା କରିଥିଲେ । ମଞ୍ଚୁମାନଙ୍କ ସହାୟତାରେ ବେଜିଂଗ୍ରୁ ବିପ୍ଳବୀ ଗୋଷ୍ଠୀଙ୍କୁ ବିତାଡ଼ିତ କରିବା ତାଙ୍କ ଲକ୍ଷ୍ୟ ଥିଲା । ମଞ୍ଚୁମାନେ ବେଜିଂଗ୍ ଅଧିକାର କରି ବିପ୍ଳବୀମାନଙ୍କଦ୍ୱାରା ପ୍ରତିଷ୍ଠିତ ଶୁନ ସାମ୍ରାଜ୍ୟ ଓ ଅବଶିଷ୍ଟ ମିଂଗ୍ ବିଦ୍ରୋହର ଅନ୍ତ ଘଟାଇ ଚୀନରେ ଚିଂଗ୍ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ ।
ଚିଂଗ୍ ଶାସନ ସମୟରେ ମଂଗୋଲିଆ ଚୀନ ସାମ୍ରାଜ୍ୟର ସୀମା ମଧ୍ୟରେ ରହିଲା ଓ ପ୍ରାଚୀରର ବହୁ ଉତ୍ତରକୁ ସାମ୍ରାଜ୍ୟର ସୀମା ବ୍ୟାପ୍ତ ଥିଲା । ତେଣୁ ବିଶାଳ ପ୍ରାଚୀରର ମରାମତି ଇତ୍ୟାଦି ଆବଶ୍ୟକ ନଥିଲା । ମିଂଗ୍ମାନଙ୍କ ଲ୍ୟାଓଡୋଂ ପ୍ରାଚୀର ପରି ମଞ୍ଚୁରିଆର ଚିଂଗ୍ ଶାସକମାନେ ବିଦେଶୀଙ୍କ ଅନୁପ୍ରବେଶ ନିୟନ୍ତ୍ରଣ ପାଇଁ ୱିଲୋ ପାଲିସେଡ୍ ନିର୍ମାଣ କରାଇଥିଲେ ।
ୟୁଆନ୍ ସାମ୍ରାଜ୍ୟର ଶାସନ କାଳରେ ଚୀନ ବା ମଂଗୋଲିଆ ଯାତ୍ରା କରିଥିବା ୟୁରୋପୀୟ ପରିବ୍ରାଜକ ଯଥା ମାର୍କୋ ପୋଲୋ, ଜିଓଭାନି ଦା ପ୍ୟାନ୍ ଡେଲ୍ କାର୍ପିନେ, ରୁବ୍ରକ୍ର ୱିଲିୟମ୍, ଜିଓଭାନି ଡେ’ ମାରିଗ୍ନୋଲି ଇତ୍ୟାଦିଙ୍କ ମଧ୍ୟରୁ କେହି ଜଣେ ବି ବିଶାଳ ପ୍ରାଚୀର ବିଷୟରେ ଉଲ୍ଲେଖ କରିନାହାନ୍ତି ।
ଉତ୍ତର ଆଫ୍ରିକୀୟ ପରିବ୍ରାଜକ ଇବନ୍ ବତୁତା ପ୍ରାୟ ୧୩୪୬ ମସିହା ବେଳକୁ ୟୁଆନ୍ ସାମ୍ରାଜ୍ୟର ଶାସନକାଳରେ ଚୀନ ଭ୍ରମଣରେ ଯାଇଥିଲେ ଓ ଚୀନ ଆସିବା ପୂର୍ବରୁ ସେ ସମ୍ଭବତଃ ବିଶାଳ ପ୍ରାଚୀର ସମ୍ପର୍କରେ ଜାଣିଥିଲେ । ସେ ନିଜ ଯାତ୍ରା ବିବରଣୀରେ ଲେଖିଯାଇଛନ୍ତି ଯେ ଜେଇତୁନ୍ରୁ ପ୍ରାୟ ୬୦ ଦିନର ଯାତ୍ରା ପରେ ବିଶାଳ ପ୍ରାଚୀରଠାରେ ପହଞ୍ଚି ହେବ । କୋରାନ୍ରେ ବର୍ଣ୍ଣିତ “ପ୍ରାଚୀର କିମ୍ବଦନ୍ତୀ” ସହିତ ବିଶାଳ ପ୍ରାଚୀରର ସମ୍ପର୍କିତ ବୋଲି ଅନୁମାନ କରିଥିଲେ । ଗଗ୍ ଓ ମାଗଗ୍ଙ୍କ ପ୍ରାଦୁର୍ଭାବରୁ ଲୋକଙ୍କ ସୁରକ୍ଷା ପାଇଁ ଧୁଲ୍-କରନୈନ୍ (ଯାହାଙ୍କୁ ଆଲେକ୍ଜାଣ୍ଡାର୍ ବୋଲି କେହି କେହି ଚିହ୍ନିତ କରନ୍ତି) ସୂର୍ଯ୍ୟୋଦୟର ଦେଶ ନିକଟରେ ଏକ ବିଶାଳ ପ୍ରାଚୀର ନିର୍ମାଣ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଥିଲା । ତେବେ ଇବନ୍ ବତୁତା ନିଜେ ବିଶାଳ ପ୍ରାଚୀର ଦେଖିନଥିଲେ ବା କାହାଠାରୁ ଏହା ବିଷୟରେ ସବିଶେଷ ତଥ୍ୟ ପାଇ ନଥିଲେ । ତେଣୁ ଏଥିରୁ ଅନୁମାନ କରାଯାଇପାରିବ ଯେ ଯଦିଓ ସେ ସମୟରେ ବିଶାଳ ପ୍ରାଚୀରର କିଛି ଅଂଶ ରହିଥିଲା, ତାହା ସେତେ ମହତ୍ତ୍ୱ ବହନ କରୁନଥିଲା ।
୧୬ଶ ଶତାବ୍ଦୀ ବେଳକୁ ୟୁରୋପୀୟମାନେ ସମୁଦ୍ର ପଥରେ ଆସି ମିଂଗ୍ ସାମ୍ରାଜ୍ୟ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ଏହି ସମୟ ପରଠାରୁ ୟୁରୋପ୍ରେ ବିଶାଳ ପ୍ରାଚୀର ସମ୍ପର୍କିତ ଖବର ଓ ଲେଖା ପହଞ୍ଚିବାକୁ ଲାଗିଲା । ସେତେବେଳ ପର୍ଯ୍ୟନ୍ତ ପ୍ରାୟ ଏକ ଶତାବ୍ଦୀ ଯାଏ କୌଣସି ୟୁରୋପୀୟ ଏହି ପ୍ରାଚୀର ଦେଖିବାର ସୁଯୋଗ ପାଇନଥିଲେ । ମଂଗୋଲ୍ ବା ଟାର୍ଟାରଙ୍କ ଆକ୍ରମଣରୁ ଦେଶର ସୁରକ୍ଷାରେ ଏହି ପ୍ରାଚୀରର ମହତ୍ତ୍ୱ ଓ କାନ୍ଥର ଗାଠନିକ ବିବରଣୀ ଯେଉଁ ପୁସ୍ତକରେ ପ୍ରଥମେ ଦେଖିବାକୁ ମିଳେ, ସେଇଟି ହେଉଛି ୧୫୬୩ ମସିହାରେ ଲିଖିତ ଜୋଆ ଡି ବ୍ୟାରୋସ୍ଙ୍କ ଏସିଆ । ଅନ୍ୟ କିଛି ପାଶ୍ଚାତ୍ୟ ପରିବ୍ରାଜକ ଯାହାଙ୍କ ଲେଖାରେ ବିଶାଳ ପ୍ରାଚୀର ବିଷୟ ବର୍ଣ୍ଣିତ ସେମାନେ ହେଲେ : ଗ୍ୟାସ୍ପର୍ ଦା କ୍ରୁଜ୍, ବେଣ୍ଟୋ ଦେ ଗୋଏସ୍, ମାତିଓ ରିଚି, ପାଦ୍ରୀ ଜୁଆନ୍ ଗୋଞ୍ଜାଲେଜ୍ ଡି ମେଣ୍ଡୋଜା ଇତ୍ୟାଦି । ୧୫୫୯ରେ ଗ୍ୟାସ୍ପର୍ ଦା କ୍ରୁଜ୍ଙ୍କ ଲିଖିତ "A Treatise of China and the Adjoyning Regions" (ଚୀନ ଓ ଏହାର ସଂଲଗ୍ନ ଅଞ୍ଚଳମାନଙ୍କ ବିବରଣୀ)ରେ ବିଶାଳ ପ୍ରାଚୀର ସମ୍ପର୍କରେ ଏକ ଆଲୋଚନା ରହିଛି । ୧୬୦୫ ମସିହାରେ ପର୍ତ୍ତୁଗୀଜ୍ ଜେସ୍ୱିଟ୍ ଧର୍ମଭ୍ରାତା ବେଣ୍ଟୋ ଦେ ଗୋଏସ୍ ଭାରତରୁ ବାହାରି ଉତ୍ତର-ପଶ୍ଚିମରେ ରହିଥିବା ଜ୍ୟାୟୁ ଗିରିପଥ ନିକଟରେ ବିଶାଳ ପ୍ରାଚୀର ବାଟରେ ଚୀନକୁ ପ୍ରବେଶ କରିଥିଲେ । ଏପରି କରିବାରେ ସେ ଥିଲେ ପ୍ରଥମ ୟୁରୋପୀୟ । ପ୍ରାରମ୍ଭିକ ସମୟରେ ଲିଖିତ ୟୁରୋପୀୟ ଧାରା ବିବରଣୀ ସମସାମୟିକ ଚୀନୀ ମତର ଅନୁସରଣ କରୁଥିଲା । କିନ୍ତୁ ପରେ ଏହି ମତ ଅତିରଞ୍ଜିତ ହେଲାପରି ମନେ ହୁଏ । ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ପ୍ରଥମ ମିଂଗ୍ ଶାସକ ମିଂଗ୍ ପ୍ରାଚୀରର ନିର୍ମାଣ କରାଇଥିବା ତ୍ରୁଟିପୂର୍ଣ୍ଣ ତଥ୍ୟ ସବୁଆଡ଼େ ଦେଖିବାକୁ ମିଳିଥିଲା ।
ପ୍ରଥମ ଓ ଦ୍ୱିତୀୟ ଅଫିମ ଯୁଦ୍ଧରେ ପରାସ୍ତ ହେବା ପରେ ଚୀନରେ ବିଦେଶୀ ବେପାରୀ ଓ ପର୍ଯ୍ୟଟକଙ୍କ ନିମନ୍ତେ ଦ୍ୱାର ଖୋଲିଥିଲା । ବିଶାଳ ପ୍ରାଚୀର ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର ପାଲଟିଗଲା । ୧୯ଶ ଶତାବ୍ଦୀ ପରେ ଲେଖାଯାଇଥିବା ଯାତ୍ରା ବିବରଣୀ ଓ ଲେଖା ସବୁ ବିଶାଳ ପ୍ରାଚୀରର ଅନେକ ଗୁଣଗାନ କଲେ ।ଏହି ପ୍ରଚାର ଯୋଗୁଁ ଅନେକ ଲୋକଙ୍କ ଏବେ ବି ଭୁଲ ଧାରଣା ରହିଛି ଯେ ବିଶାଳ ପ୍ରାଚୀର ଏତେ ସୁଦୀର୍ଘ ଯେ ଚନ୍ଦ୍ର, ଏପରିକି ମଙ୍ଗଳ ଗ୍ରହର ପୃଷ୍ଠରୁ ଏହା ଖାଲି ଆଖିରେ ଦିଶେ । ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା ।
ବିଶାଳ ପ୍ରାଚୀରର ସଂଜ୍ଞା ନିରୂପିତ ହୋଇନଥିବାରୁ ଏହାର ପ୍ରକୃତ ଗତିପଥ କେଉଁଟି ତାହା କହିବା କଷ୍ଟକର ; ତେଣୁ ମିଂଗ୍ ଶାସନ ସମୟରେ ନିର୍ମିତ ପ୍ରାଚୀରର ଗତିପଥ ମୁଖ୍ୟତଃ ଗୃହୀତ ହୋଇଥାଏ ।
ଗାଂସୁ ଅଞ୍ଚଳରେ ଥିବା ଜ୍ୟାୟୁଗ୍ୱାନ ପ୍ରବେଶପଥ ମିଂଗ୍ ପ୍ରାଚୀରର ପଶ୍ଚିମ ସୀମା । ହାନ୍ ଶାସନ ସମୟରେ ୟୁମେନ୍ ପ୍ରବେଶପଥ ଓ ୟାଂଗ୍ ଗିରିପଥରେ ନିର୍ମିତ ପ୍ରାଚୀର ଜ୍ୟୟୁଗ୍ୱାନଠାରୁ ଆହୁରି ପଶ୍ଚିମକୁ ଅବସ୍ଥିତ । କିନ୍ତୁ ଏହି ଦୁଇ ଗିରିପଥ ପର୍ଯ୍ୟନ୍ତ ରହିଥିବା ପ୍ରାଚୀର ଅତ୍ୟନ୍ତ ଅସ୍ପଷ୍ଟ । ଜ୍ୟାୟୁଗ୍ୱାନ ପ୍ରବେଶପଥରୁ କାନ୍ଥ ସ୍ଥାନେ ସ୍ଥାନେ ବିଖଣ୍ଡିତ ହୋଇ ହେକ୍ସି କରିଡର୍ ଓ ନିଂଗ୍ଜିଆ ଦେଇ ୟିଞ୍ଚୁଆନ୍ଠାରେ ୟେଲୋ ନଦୀ କୁଣ୍ଡଳୀର ପଶ୍ଚିମ ପର୍ଯ୍ୟନ୍ତ ଯାଇଛି । ଏହି ସ୍ଥାନରୁ ମିଂଗ୍ କାଳରେ ନିର୍ମିତ ପ୍ରମୁଖ ପ୍ରାଚୀର ଓର୍ଡୋସ୍ ମରୁଭୂମି ମଧ୍ୟଦେଇ ୟେଲୋ ନଦୀ କୁଣ୍ଡଳୀର ପୂର୍ବ ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଛି । ଜିନ୍ଝୌର ପିଆଣ୍ଟୋଉ ଗିରିପଥ ନିକଟରେ(t 偏頭關, s 偏头关, Piāntóuguān) ବିଶାଳ ପ୍ରାଚୀର "ବାହ୍ୟ ବିଶାଳ ପ୍ରାଚୀର" (t 外長城, s 外长城, Wài Chǎngchéng) ଓ "ଆନ୍ତଃ ବିଶାଳ ପ୍ରାଚୀର" (t 內長城, s 內长城, Nèi Chǎngchéng) – ଏପରି ଦୁଇ ଭାଗରେ ବିଭକ୍ତ ହୋଇଛି । ବାହ୍ୟ ବିଶାଳ ପ୍ରାଚୀର ମଂଗୋଲିଆ ସୀମା, ସାନ୍ଜି ଇତ୍ୟାଦିକୁ ଲାଗି ହେବେଇ ଅଞ୍ଚଳ ପର୍ଯ୍ୟନ୍ତ ଓ ଆନ୍ତଃ ବାହ୍ୟ ପ୍ରାଚୀର ପିଆଣ୍ଟୋଉ ଗିରିପଥର ଦକ୍ଷିଣ-ପୂର୍ବ ଦିଗକୁ ୪୦୦ କି.ମି. ଦୂରତା ଅତିକ୍ରମ କରି ପିଂଜିଂ, ୟାନ୍ମେନ୍ ପରି କିଛି ପ୍ରମୁଖ ଗିରିପଥ ଦେଇ ସିହାଇୟେ (四海冶, Sìhǎiyě), ନିକଟରେ ପୁଣି ବାହ୍ୟ ବିଶାଳ ପ୍ରାଚୀର ସହିତ ମିଳିତ ହୋଇଛି ।
ବେଜିଂଗ୍ ନଗରପାଳିକା ଚତୁର୍ଦିଗରେ ରହିଥିବା ବିଶାଳ ପ୍ରାଚୀରର ଅଂଶ ପ୍ରଖ୍ୟାତ । କାରଣ ଏହି ଅଂଶର ଅନେକ ଥର ମରାମତି ହୋଇଛି ଓ ପର୍ଯ୍ୟଟକମାନେ ମଧ୍ୟ ବହୁ ସଂଖ୍ୟାରେ ଏଠାକୁ ଆସିଥାନ୍ତି । ଚୀନ ସରକାରଙ୍କଦ୍ୱାରା ଝାଂଗ୍ଜିଆକୌ ନିକଟରେସ୍ଥିତ ବାଡାଲିଂ ବିଶାଳ ପ୍ରାଚୀରର ଅଂଶ ପର୍ଯ୍ୟଟକଙ୍କ ଓ ବୈଦେଶିକ ଗଣ୍ୟମାନ୍ୟ ଅତିଥିଙ୍କ ପାଇଁ ସର୍ବପ୍ରଥମେ ଖୋଲାଯାଇଥିଲା । ବାଡାଲିଂରୁ ଦକ୍ଷିଣକୁ ଜୁୟଂଗ୍ ଗିରିପଥ ରହିଛି ଯାହା ପ୍ରାଚୀନ ବେଜିଂଗ୍ର ସୁରକ୍ଷା ଦୃଷ୍ଟିରୁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା । ପ୍ରାଚୀନ ସମୟରେ ଅନେକ ସୈନ୍ୟ ଏହି ଗିରିପଥରେ ପହରା ଦେଉଥିଲେ । ପଥର ଓ ଇଟାରେ ନିର୍ମିତ ବିଶାଳ ପ୍ରାଚୀରର ଏହି ନିର୍ଦ୍ଦିଷ୍ଟ ଅଂଶର ଉଚ୍ଚତା ୭.୮ ମିଟର୍ ଓ ମୋଟେଇ ୫ ମିଟର୍ ।
ଜିନ୍ଶାନ୍ଲିଂ ନିକଟବର୍ତ୍ତୀ ମିଂଗ୍ ବିଶାଳ ପ୍ରାଚୀରର ଅଂଶର ଗଠନାତ୍ମକ ବିଶେଷତ୍ତ୍ୱ ଉଲ୍ଲେଖନୀୟ । ଏହି ସ୍ଥାନରେ ପ୍ରାଚୀରଟି ପର୍ବତର ଅତି ଢାଲୁଆ ଭୂମିରେ ଅଗ୍ରସର ହୋଇଛି । ଏହି ଅଂଶର ଦୈର୍ଘ୍ୟ ପ୍ରାୟ ୧୧ କି.ମି., ଉଚ୍ଚତା ୫-୮ ମିଟର୍, କାନ୍ଥର ତଳ ଓ ଉପର ପାଖର ପ୍ରସ୍ଥ ଯଥାକ୍ରମେ ୬ ମିଟର୍ ଓ ୫ ମିଟର୍ । ୱାଂଜିଂଲୌ (t 望京樓, s 望京楼, Wàngjīng Lóu) ଜିନ୍ଶାନ୍ଲିଂର ୬୭ଟି ପହରା ସ୍ତମ୍ଭ ମଧ୍ୟରୁ ଅନ୍ୟତମ ଯାହା ସମୁଦ୍ର ପତନରୁ ୯୮୦ ମିଟର୍ ଉଚ୍ଚତାରେ ଅବସ୍ଥିତ । ଜିନ୍ଶାନ୍ଲିଂର ଦକ୍ଷିଣ-ପୂର୍ବକୁ ମୁତ୍ୟାନ୍ୟୁ ବିଶାଳ ପ୍ରାଚୀରର ଅଂଶ ପାର୍ବତୀୟ ପଥରେ ପ୍ରାୟ ୨.୨୫ କି.ମି. ଅତିକ୍ରମ କରି ଉତ୍ତର-ପଶ୍ଚିମ ପର୍ଯ୍ୟନ୍ତ ଯାଇଛି । ପଶ୍ଚିମରେ ଜୁୟୋଂଗ୍ୱାନ୍ ଗିରିପଥ ଓ ପୂର୍ବରେ ଗୁବୈକୌ ଏହି ଅଂଶଦ୍ୱାରା ସଂଯୋଜିତ । ସାଂସ୍କୃତିକ ବିପ୍ଳବ ସମୟରେ ଏହି ଅଂଶର ପ୍ରଥମେ ନବୀକରଣ କରାଯାଇଥିଲା ।
ପାରମ୍ପରିକ ଭାବେ ବୋହାଇ ଉପସାଗର ନିକଟରେ ରହିଥିବା ଶାନ୍ହାଇ ଗିରିପଥକୁ ବିଶାଳ ପ୍ରାଚୀରର ଶେଷସୀମା ବୋଲି କୁହାଯାଇଥାଏ । ସ୍ଥାନୀୟ ଭାଷାରେ ଶାନ୍ହାଇ ଗିରିପଥକୁ "ସ୍ୱର୍ଗ ତଳେସ୍ଥିତ ପ୍ରଥମ ଗିରିପଥ" (ଈଂରାଜୀରେ "First Pass Under Heaven") ଓ ଶାନ୍ହାଇ ଗିରିପଥ ଦେଇଯାଇଥିବା ବିଶାଳ ପ୍ରାଚୀରର ଅଂଶ ଯାହା ସମୁଦ୍ର ସହିତ ମିଶିଛି ତାହାକୁ "ବୁଢ଼ା ଡ୍ରାଗନ୍ର ମୁଣ୍ଡ"(ଈଂରାଜୀରେ "Old Dragon Head") ବୋଲି କୁହାଯାଏ । ଶାନ୍ହାଇ ଗିରିପଥରୁ ୩ କି.ମି. ଉତ୍ତରକୁ ଜିଆଓଶାନ୍ ଗିରିପଥସ୍ଥିତ ବିଶାଳ ପ୍ରାଚୀରର (焦山長城) ଅଂଶ ରହିଛି । ଏହାକୁ ବିଶାଳ ପ୍ରାଚୀରର ପ୍ରଥମ ପର୍ବତ ବୋଲି ମଧ୍ୟ କୁହାଯାଏ । ଶାନ୍ହାଇଗ୍ୱାନରୁ ୧୫ କି.ମି. ଉତ୍ତର-ପୂର୍ବକୁ ଜ୍ୟୁମେଂକୌ (t 九門口, s 九门口, Jiǔménkǒu) ନାମକ ଏକ ଛୋଟ ଅଂଶ ରହିଛି ଯେଉଁଠାରେ ବିଶାଳ ପ୍ରାଚୀର ଏକ ସେତୁ ରୂପେ ବ୍ୟବହୃତ ହୁଏ । ଜ୍ୟୁମେଂକୌ ପରେ ଲ୍ୟାଓଡୋଂ ପ୍ରାଚୀର ବାହାରି ହୁଶାନ ପ୍ରାଚୀରଠାରେ ମିଳିତ ହୋଇଛି । ହୁଶାନ ପ୍ରାଚୀର ଚୀନ ଓ ଉତ୍ତର କୋରିଆ ସୀମାରେ ରହିଥିବା ଡାନ୍ଡୋଂ ନଗର ନିକଟରେ ଅବସ୍ଥିତ ।
ବିଭିନ୍ନ ପାହାଡ଼, ପର୍ବତ, ଖାଇ ଓ ନଦୀରେ ଲୁଚି ରହିଥିବା ପ୍ରାୟ ୧୮୦ କି.ମି. ଦୀର୍ଘ ବିଶାଳ ପ୍ରାଚୀରର ବିଭିନ୍ନ ଅଜଣା ଅଂଶ ୨୦୦୯ ମସିହାରେ ଆବିଷ୍କୃତ ହୋଇଥିଲା । ଅବଲୋହିତ ଦୂରତା ସନ୍ଧାନକାରୀ ଓ ଜିପିଏସ୍ ଉପକରଣମାନଙ୍କ ସହାୟତାରେ ଏହା କରାଯାଇପାରିଲା । ୨୦୧୫ ମାର୍ଚ୍ଚ ଓ ଅପ୍ରେଲ୍ ମାସରେ ଭିନ୍ନ ଭିନ୍ନ ୯ଗୋଟି ବିଖଣ୍ଡିତ ଅଂଶ (ମୋଟ ପ୍ରାୟ ୧୦ କି.ମି. ଦୀର୍ଘ) ଆବିଷ୍କୃତ ହେଲା ଯାହା ବିଶାଳ ପ୍ରାଚୀରର ଅଂଶ ବୋଲି ଗବେଷକମାନେ ବିଶ୍ୱାସ କରନ୍ତି । ଏହି ଅଂଶ ନିଂଗଜିଆ ଓ ଗାନ୍ସୁ ସୀମାରେ ଅବସ୍ଥିତ ।
ପ୍ରଥମେ ନିର୍ମାଣ କରାଯାଇଥିବା ବିଶାଳ ପ୍ରାଚୀରର ଅଂଶଗୁଡ଼ିକ ମାଟି, କାଠ, ପଥର ପରି ଉପାଦାନର ବ୍ୟବହାର କରିଥିବା ବେଳେ ପରବର୍ତ୍ତୀ ସମୟର ନିର୍ମାଣ କାର୍ଯ୍ୟ ପାଇଁ ଇଟା ମଧ୍ୟ ବ୍ୟବହୃତ ହେବାରେ ଲାଗିଲା । ମିଂଗ୍ କାଳରେ ଇଟାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ତାହା ବ୍ୟତୀତ ଚୂନ, ପଥର, ଟାଇଲ୍ ଇତ୍ୟାଦିର ବ୍ୟବହାର ମଧ୍ୟ ମିଂଗ୍ ଶାସନକାଳରେ ହୋଇଥିବା ଜଣାପଡ଼ିଛି । ପଥର ଅପେକ୍ଷା ଇଟା ହାଲୁକା ହୋଇଥିବାରୁ ଇଟାର ବ୍ୟବହାର ପରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିଥିଲା । ପୁଣି ଇଟାରେ ନିର୍ମିତ ଅଟ୍ଟାଳିକା ମାଟିରେ ନିର୍ମିତ ଅଂଶଠାରୁ ଅଧିକ ଦୃଢ଼ ଓ ଦୀର୍ଘସ୍ଥାୟୀ ହୋଇପାରେ । ପଥର ଅଧିକ ଦୃଢ଼ କିନ୍ତୁ ନିର୍ମାଣ ସମୟରେ ଏହାକୁ ବ୍ୟବହାର କରିବା କଷ୍ଟକର ବ୍ୟାପାର । ଏହି କାରଣରୁ ଇଟା ପରି ଆକାରରେ କଟା ଯାଇଥିବା ପଥରକୁ ପ୍ରାଚୀରର ମୂଳଦୁଆ, ତୋରଣ ଓ ସ୍ତମ୍ଭ ପାଇଁ ବ୍ୟବହାର କରିବାର ବିଧି ଆରମ୍ଭ ହୋଇଥିଲା । ପ୍ରାଚୀରର ଉପର ଭାଗରେ ଯୁଦ୍ଧ ପାଇଁ ଉଦ୍ଦିଷ୍ଟ ନିମ୍ନ ଉଚ୍ଚତାର (ପ୍ରାୟ ୩୦ ସେ.ମି.) କାନ୍ଥମାନ (ଈଂରାଜୀରେ Battlement) ନିର୍ମିତ ହୋଇଛି ଯାହା ପରସ୍ପରଠାରୁ ପ୍ରାୟ ୨୩ ସେ.ମି. ବ୍ୟବଧାନରେ ରହିଛନ୍ତି । କାନ୍ଥ ଉପରୁ ପ୍ରହରୀମାନେ ସବୁପଟର ସର୍ବେକ୍ଷଣ କରିପାରୁଥିଲେ । କାନ୍ଥର ଉପରେ ରହିଥିବା ଅନ୍ୟ ସୈନ୍ୟଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା, ସେମାନଙ୍କୁ ଆସନ୍ନ ଆକ୍ରମଣର ସୂଚନା ଦେବା ପ୍ରତିରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଜରୁରୀ ଥିଲା । ତେଣୁ ପର୍ବତ ଶୃଙ୍ଗ ବା ଉଚ୍ଚ ସ୍ଥାନ ଦେଇ ଯାଇଥିବା ପ୍ରାଚୀରର ଅଂଶରେ ଆଲୋକଦ୍ୱାରା ସୂଚନା ଦେବା ପାଇଁ ଉଚ୍ଚ ମୀନାରମାନ ନିର୍ମାଣ କରାଯାଇଥିଲା ଯାହା ବତୀଘର ପରି ବହୁ ଦୂରରୁ ଦେଖି ହେଉଥିଲା । ଫାଶ ପରି ବ୍ୟବହାର କରାଯାଇପାରୁଥିବା ହତ୍ୟାକାରୀ କାଠ ଦ୍ୱାର ମଧ୍ୟ କେତେକ ସ୍ଥାନରେ ରହିଥିଲା । କାନ୍ଥର ଭିତର ପଟକୁ ସୈନ୍ୟ ଛାଉଣୀ, ଶସ୍ତ୍ରାଗାର, ଅଶ୍ୱାଳୟ ଇତ୍ୟାଦି ମଧ୍ୟ ରହିଥିଲା ।
ବେଜିଂଗ୍ର ଉତ୍ତର ଓ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଉଦ୍ଦିଷ୍ଟ ପ୍ରାଚୀରର ଅଂଶର ବର୍ତ୍ତମାନ ପୁନରୁଦ୍ଧାର ଓ ନବୀକରଣ କରାଯାଇଛି । କିନ୍ତୁ ପ୍ରାଚୀରର ବହୁ ଅଂଶ ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାଚୀରର ଭଗ୍ନ ଅଂଶର ପଥର ଅନ୍ୟ ନିର୍ମାଣ କାମରେ ବ୍ୟବହାର କରିବା ଦେଖାଯାଇଛି । କାନ୍ଥର ଅନ୍ୟ କେତେ ଅଂଶରେ ଗ୍ରାଫିଟି ଚିତ୍ର କରାଯାଇଛି ତ କିଛି ଅଂଶ ଲୋକଙ୍କଦ୍ୱାରା ଲେଖାଲେଖି ଓ ନଷ୍ଟ କରିଦିଆଯାଇଛି । ପ୍ରାଚୀନ ଲେଖ ଥିବା ପଥର ସବୁ ବାହାର କରି ବଜାରରେ ବିକ୍ରି କରିଦିଆଯାଇଛି । ଅନ୍ୟ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି ପ୍ରାଚୀରର କିଛି ଅଂଶ ଭାଙ୍ଗି ଦିଆଯାଇଛି । ରାଜ୍ୟ ସାଂସ୍କୃତିକ ଐତିହ୍ୟ ପ୍ରଶାସନଦ୍ୱାରା ୨୦୧୨ ମସିହାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମିଂଗ୍ ପ୍ରାଚୀରର ୨୨% ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇସାରିଲାଣି । ସମୁଦାୟ ବିଶାଳ ପ୍ରାଚୀରର ୧୯୬୧ କି.ମି. ଏବେ ଆଉ ନାହିଁ । ବାଲିଝଡ଼ରେ ହେଉଥିବା ଅବକ୍ଷୟ କାରଣରୁ ଆଗାମୀ ୨୦ ବର୍ଷ ମଧ୍ୟରେ ଗାଂସୁ ଅଞ୍ଚଳରେ ରହିଥିବା ପ୍ରାଚୀରର ୬୦ କି.ମି.ରୁ ଅଧିକ ଅଂଶ ମଧ୍ୟ ବିଲୟ ହୋଇଯିବାର ସମ୍ଭାବନା ରହିଛି । କିଛି ସ୍ଥାନରେ କାନ୍ଥଟି ୫ ମିଟର୍ ଉଚ୍ଚା କାନ୍ଥ ଭାଙ୍ଗି ବର୍ତ୍ତମାନ ୨ ମିଟର୍ ବା ତାହାଠାରୁ କମ୍ ଉଚ୍ଚତାର ହୋଇଗଲାଣି । ପ୍ରାଚୀରର ସ୍ଥାନେ ସ୍ଥାନେ ଦଣ୍ଡାୟମାନ ନିରୀକ୍ଷଣ ମୀନାର ଯାହା ଏହି ପ୍ରାଚୀରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା, ସେଥିରୁ ମଧ୍ୟ ଅନେକ ବର୍ତ୍ତମାନ ନଷ୍ଟ ହୋଇସାରିଲାଣି । ପଶ୍ଚିମ ପଟେ ରହିଥିବା କାନ୍ଥର ଅଧିକାଂଶ ଭାଗ ଇଟା-ପଥର ପରିବର୍ତ୍ତେ ମାଟିରେ ତିଆରି ହୋଇଥିବାରୁ ଏହାର ଶୀଘ୍ର ଅବକ୍ଷୟ ଘଟିବା ଅବଶ୍ୟମ୍ଭାବୀ । ଲ୍ୟାଓନିଂଗ୍ ଓ ହେବେଇ ସୀମାରେ ରହିଥିବା ପ୍ରାଚୀରର ଏକ ଅଂଶ ୨୦୧୪ ମସିହାରେ କଂକ୍ରିଟ୍ଦ୍ୱାରା ପୁନଃନିର୍ମିତ ହୋଇଥିଲା ଓ ଏହି ନିର୍ମାଣ କାର୍ଯ୍ୟ ଅନେକଙ୍କଦ୍ୱାରା ସମାଲୋଚିତ ହୋଇଥିଲା ।
ଈଂରେଜ ପୁରାତତ୍ତ୍ୱବିତ୍ ୱିଲିୟମ୍ ଷ୍ଟୁକେଲିଙ୍କ ୧୭୫୪ ମସିହାର ଏକ ଲେଖାରୁ ଚନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଦେଖିଲେ ଚୀନର ବିଶାଳ ପ୍ରାଚୀର ଦେଖାଯାଉଥିବା କଥାର ଅନ୍ୟତମ ଉଲ୍ଲେଖ ମିଳିଛି । ଷ୍ଟୁକେଲି ଲେଖିଯାଇଛନ୍ତି ଯେ, "୧୩୦ କି.ମି. ଦୀର୍ଘ ହାଡ୍ରିଆନ୍ ପ୍ରାଚୀରକୁ ମଧ୍ୟ ପଛରେ ପକାଇଦେଇଥିବା ଚୀନୀ ପ୍ରାଚୀରର ବ୍ରହ୍ମାଣ୍ଡରେ ସ୍ୱତନ୍ତ୍ର ପରିଚୟ ରହିଛି ଓ ଏହାକୁ ଚନ୍ଦ୍ରରୁ ମଧ୍ୟ ସମ୍ଭବତଃ ଦେଖାଯାଇପାରିବ ।" ୧୮୯୫ ମସିହାରେ ହେନେରି ନର୍ମାନ୍ ମଧ୍ୟ ଲେଖିଥିଲେ ଯେ "ପୁରୁଣା ଓ ଜରାଜୀର୍ଣ୍ଣ ହୋଇଥିବା ସତ୍ତ୍ୱେ ଏହି ପ୍ରାଚୀର ପୃଥିବୀରେ ଏକମାତ୍ର ମନୁଷ୍ୟକୃତ କୀର୍ତ୍ତି ଯାହା ଚନ୍ଦ୍ରରୁ ଦୃଶ୍ୟମାନ ହୋଇ ଅନେକ ପ୍ରଶଂସା ଲାଭ କରିଛି ।" ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ମଙ୍ଗଳ କେନାଲ୍ ଥିବା ସ୍ପଷ୍ଟ ରୂପେ ଜଣା ପଡ଼ିବା ପରେ ବିଶାଳ ପ୍ରାଚୀର ପରି ପତଳା ଓ ଲମ୍ବା କୀର୍ତ୍ତି ମଧ୍ୟ ମହାକାଶରୁ ଦେଖାଯିବ ବୋଲି ଧାରଣା ଜାଗ୍ରତ ହୋଇଥିବା ସମ୍ଭବପର । ୧୯୩୨ ମସିହାର ରିପ୍ଲିସ୍ ବିଲିଭ୍ ଇଟ୍ ଅର୍ ନଟ୍ (ମୂଳ ଈଂରାଜୀ Ripley's Believe It or Not!)ରେ ମଧ୍ୟ ଏହି ତଥ୍ୟ ରଖାଯାଇଥିଲା ଯେ ବିଶାଳ ପ୍ରାଚୀର ଚନ୍ଦ୍ରରୁ ମଧ୍ୟ ଦେଖାଯାଏ । ରିଚାର୍ଡ୍ ହେଲିବର୍ଟନ୍ଙ୍କ ୧୯୩୮ ମସିହାରେ ପ୍ରକାଶିତ ପୁସ୍ତକ ସେକେଣ୍ଡ ବୁକ୍ ଅଫ୍ ମାର୍ଭେଲ୍ସ୍ (ମୂଳ ଈଂରାଜୀ ନାମ Second Book of Marvels)ରେ ମଧ୍ୟ ଅନୁରୂପ କଥା ଲେଖାଅଛି ।
ଚନ୍ଦ୍ରରୁ ବିଶାଳ ପ୍ରାଚୀର ଦେଖାଯିବାର ଦାବୀକୁ ଅନେକ ମହଲରୁ ପ୍ରତ୍ୟାଖ୍ୟାନ କରାଯାଇଛି । କିନ୍ତୁ ବହୁ ସମୟରୁ ପ୍ରଚାର ହୋଇ ଆସୁଥିବା ଏହି ଅସତ୍ୟ ତଥ୍ୟ ଲୋକଙ୍କ ମନରେ ଘର କରି ବସିରହିଛି । ପ୍ରାଚୀରଟି ସର୍ବାଧିକ ୯.୧ ମିଟର୍ (୨୯ ଫୁଟ୍ ୧୦ ଇଞ୍ଚ୍) ଓସାର । ଅଧିକାଂଶ ସ୍ଥାନରେ ଏହାର ରଙ୍ଗ ସେହି ସ୍ଥାନର ମାଟି ସହିତ ପୁରାପୁରି ମିଶିଯାଏ । ଦୂରରେ ରହିଥିବା ବସ୍ତୁକୁ ଖାଲି ଆଖିରେ ଦେଖିବାର କ୍ଷମତାର ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଆମେ ଜାଣିବାକୁ ପାଇବା ଯେ ଏହା ସମ୍ଭବପର ନୁହେଁ । ଖାଲି ଆଖିରେ ଚନ୍ଦ୍ରରୁ ଦେଖିବା ପାଇଁ ସାଧାରଣ ଦୃଷ୍ଟିଶକ୍ତିର ୧୭୦୦୦ ଗୁଣ ଟେଲିସ୍କୋପ୍ ଆବଶ୍ୟକ । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ଯେ, ଚନ୍ଦ୍ରକୁ ଯାତ୍ରା କରିଥିବା ଅନେକ ମହାକାଶଚାରୀଙ୍କ ମଧ୍ୟରୁ କେହି ବି ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖିଥିବା ବିଷୟ ଦାବୀ କରିନାହାନ୍ତି ।
ଆଉ ଏକ ବିବାଦୀୟ ପ୍ରଶ୍ନ ହେଲା ପୃଥିବୀ ନିକଟସ୍ଥ ଉପଗ୍ରହ କକ୍ଷରୁ (ପୃଥିବୀ ପୃଷ୍ଠରୁ ପ୍ରାୟ ୧୦୦ ମାଇଲ୍ ବା ୧୬୦ କି.ମି. ଦୂରରୁ) ଚୀନର ବିଶାଳ ପ୍ରାଚୀର ଦେଖାଯାଏ ନା ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରୀୟ ବୈମାନିକ ବିଜ୍ଞାନ ଓ ମହାକାଶ ବିଜ୍ଞାନ ପ୍ରଶାସନ ସଂସ୍ଥା (ନାସା - NASA) ଅନୁସାରେ ବିଶାଳ ପ୍ରାଚୀର ଅତି ସ୍ୱଚ୍ଛ ପାଗ ଓ ଉପଯୁକ୍ତ ଆଲୋକ ଥିଲେ ହିଁ ଅସ୍ପଷ୍ଟ ଭାବେ ଦେଖାଯାଏ । ସାଧାରଣତଃ ଦେଖାଯାଏ ନାହିଁ ଓ ଅନ୍ୟ ମନୁଷ୍ୟକୃତ ଅଟ୍ଟାଳିକାଙ୍କ ଭଳି ଏହାକୁ ସ୍ପଷ୍ଟ ରୂପେ ବାରି ହୁଏନାହିଁ । ଅନ୍ୟ କେତେକ ବିଶେଷଜ୍ଞଙ୍କ ମତରେ ମନୁଷ୍ୟ ଦୃଷ୍ଟିର ଅଳ୍ପ କ୍ଷମତା ଯୋଗୁଁ ନିକଟତମ ଉପଗ୍ରହ କକ୍ଷରୁ ମଧ୍ୟ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖିବା କଷ୍ଟକର ଓ ପ୍ରାୟ ସାଧାରଣ ଦୃଷ୍ଟି କ୍ଷମତାର ୭.୭ ଗୁଣ ଦୃଷ୍ଟିଶକ୍ତିରେ ବିଶାଳ ପ୍ରାଚୀର ଦେଖିବା ସମ୍ଭବ ହୋଇପାରିବ ।
ମହାକାଶଚାରୀ ୱିଲିୟମ୍ ପୋଗ୍ୟଙ୍କ ମନରେ ଭ୍ରମ ସୃଷ୍ଟି ହୋଇଥିଲା ଯେ ସେ ସ୍କାଇଲାବ୍ରୁ ବିଶାଳ ପ୍ରାଚୀର ଦେଖିଥିଲେ କିନ୍ତୁ ପ୍ରକୃତରେ ତାହା ବେଜିଂଗ୍ ନିକଟସ୍ଥ ଗ୍ରାଣ୍ଡ କେନାଲ୍ ଥିଲା । ସେ ଦୂରବିକ୍ଷଣ ସହାୟତାରେ ବିଶାଳ ପ୍ରାଚୀର ଦେଖିଥିଲେ ଓ ଆହୁରି ମଧ୍ୟ କହିଥିଲେ ଯେ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖାଯାଉନଥିଲା । ୧୯୮୦ ଦଶନ୍ଧିରେ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସିନେଟର୍ ଜେକ୍ ଗାର୍ଣ୍ଣ୍ ଏକ ମହାକାଶଯାନରୁ ବିଶାଳ ପ୍ରାଚୀର ଦେଖିଥିବାର ଦାବୀ ରଖିଥିଲେ ଯାହାକୁ ଅନେକ ମହାକାଶଚାରୀ ପ୍ରତ୍ୟାଖ୍ୟାନ କରିଥିଲେ । ଯୁକ୍ତରାଷ୍ଟ୍ରର ଜଣେ ପୁରୁଖା ମହାକାଶଚାରୀ ଜିନ୍ ସେର୍ନାନ୍ କହିଥିଲେ ଯେ ୧୦୦ରୁ ୨୦୦ ମାଇଲ୍ ଉପର ଉପଗ୍ରହ କକ୍ଷରୁ ବିଶାଳ ପ୍ରାଚୀର ସତରେ ଖାଲି ଆଖିରେ ଦେଖିହେବ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଏକ୍ସପିଡିସନ୍-୭ର ବୈଜ୍ଞାନିକ ଏଡ୍ ଲୁ ଏହି ବିଷୟରେ କହିଥିଲେ ଯେ "ପୃଥିବୀର ଅନ୍ୟ ବହୁ ବସ୍ତୁଙ୍କ ସହିତ ତୁଳନା କଲେ ବିଶାଳ ପ୍ରାଚୀର ଅପେକ୍ଷାକୃତ ଅସ୍ପଷ୍ଟ ଭାବେ ଦିଶେ ଓ ବିଶାଳ ପ୍ରାଚୀର ଦେଖିବା ପାଇଁ ଦେଖଣାହାରୀକୁ ଠିକ୍ ସ୍ଥାନରେ ଖୋଜିବାକୁ ହେବ ।"
୨୦୦୧ ମସିହାରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଆପୋଲୋ-୧୧ରୁ ତାଙ୍କୁ ଦେଖାଯାଇଥିବା ଦୃଶ୍ୟ ସମ୍ପର୍କରେ କହିଥିଲେ ଯେ " ମୋର ବିଶ୍ୱାସ ଯେ ମୁଁ କୌଣସି ମନୁଷ୍ୟକୃତ ବସ୍ତୁ ବା ଅଟ୍ଟାଳିକା ଦେଖିପାରିନଥିଲି । ଆଜି ପର୍ଯ୍ୟନ୍ତ ମୁଁ ଏପରି କୌଣସି ବ୍ୟକ୍ତି ସହିତ କଥା ହୋଇନାହିଁ ଯେ କହିପାରିବ କି ସେ ଉପଗ୍ରହ କକ୍ଷରୁ ଚୀନର ବିଶାଳ ପ୍ରାଚୀର ଦେଖିଛି ।....ଚୀନ ଉପରେ ସ୍ପଷ୍ଟ ଦିବାଲୋକ ସମୟରେ ଉଡ଼ିଥିବା ଅନେକ ମହାକାଶଚାରୀଙ୍କୁ ମୁଁ ଏ କଥା ପଚାରିଛି ; କିନ୍ତୁ ମୁଁ କଥା ହୋଇଥିବା ଲୋକଙ୍କ ମଧ୍ୟରେ କେହି କହିନାହାନ୍ତି ଯେ ସେମାନେ ବିଶାଳ ପ୍ରାଚୀର ଦେଖିଛନ୍ତି ।"
ଅକ୍ଟୋବର ୨୦୦୩ ମସିହାରେ ଚୀନର ମହାକାଶଚାରୀ ୟାଂଗ୍ ଲିୱେଇ ଉପଗ୍ରହ କକ୍ଷରୁ ବିଶାଳ ପ୍ରାଚୀରକୁ ବାରି ପାରିଲେ ନାହିଁ ବୋଲି କହିଥିଲେ । ଏହାର ପ୍ରତ୍ୟୁତ୍ତରରେ ୟୁରୋପୀୟ ମହାକାଶ ସଂସ୍ଥା (European Space Agency - ESA) ଏକ ପ୍ରେସ୍ ବିଜ୍ଞପ୍ତି କରି କହିଲା ଯେ ୧୬୦-୩୨୦ କି.ମି. ଉପଗ୍ରହ କକ୍ଷରୁ ଖାଲି ଆଖିରେ ବିଶାଳ ପ୍ରାଚୀର ଦେଖାଯାଏ । ଏହାର ପ୍ରମାଣରେ ESA ସଂସ୍ଥା ଏକ ଉପଗ୍ରହ କକ୍ଷରୁ ଉତ୍ତୋଳନ କରାଯାଇଥିବା ଏକ ଫଟୋ ଚିତ୍ର ମଧ୍ୟ ପ୍ରକାଶ କରିଥିଲା । କିନ୍ତୁ ଏକ ସପ୍ତାହ ପରେ ଏହି ସଂସ୍ଥା ପୁଣି ଏକ ପ୍ରେସ୍ ବିଜ୍ଞପ୍ତିରେ ନିଜ ଭୁଲ ସ୍ୱୀକାର କରି କହିଲା ଯେ ଯାହାକୁ ସେମାନେ ବିଶାଳ ପ୍ରାଚୀର ବୋଲି ଭାବୁଥିଲେ ତାହା ପ୍ରକୃତରେ ଏକ ନଦୀ ଥିଲା ।
ଜଣେ ଚୀନୀ-ଆମେରିକୀୟ ମହାକାଶଚାରୀ ଲିରୋଏ ଚ୍ୟାଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ବିଶାଳ ପ୍ରାଚୀରର ଏକ ଚିତ୍ର ଉତ୍ତୋଳନ କରିଥିଲେ । ଏଥିରେ ବିଶାଳ ପ୍ରାଚୀର ଏତେ ଅସ୍ପଷ୍ଟ ଯେ ଉତ୍ତୋଳକ ଫଟୋ ଉଠାଇବା ପରେ ନିଜେ ବହୁ ସମୟ ପର୍ଯ୍ୟନ୍ତ ଜାଣି ପାରିନଥିଲେ ଯେ ସେ ବିଶାଳ ପ୍ରାଚୀରର ଫଟୋ ଉଠାଇଛନ୍ତି । ଏହି ଫଟୋ ଚିତ୍ରକୁ ଭିତ୍ତି କରି ଏକ ଚୀନ ଦୈନିକ କହିଥିଲା ଯେ ଅତି ସୁହାଇଲା ପରି ପାଗ ଓ ଆଲୋକ ରହିଥିଲେ ବିଶାଳ ପ୍ରାଚୀରକୁ ଖାଲି ଆଖିରେ ମହାକାଶରୁ ଦେଖାଯାଇପାରିବ, ତେବେ କେଉଁଠି ଦେଖିଲେ ଦିଶିବ ତାହା ଦେଖଣାହାରୀକୁ ଜଣାଥିବା ଦରକାର । ତେବେ କ୍ୟାମେରା ଲେନ୍ସ୍ର ଦୃଷ୍ଟିକ୍ଷମତା ଖାଲି ଆଖିରୁ ଢେର ଅଧିକ ହୋଇଥିବାରୁ ଫଟୋ ଚିତ୍ର ଏହା ପ୍ରତିପାଦନ କରେନାହିଁ ଯେ ଖାଲି ଆଖିରେ ମହାକାଶରୁ ବିଶାଳ ପ୍ରାଚୀର ଦେଖାଯାଇପାରିବ ।
ଚୀନର ବିଶାଳ ପ୍ରାଚୀର ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
This article uses material from the Wikipedia ଓଡ଼ିଆ article ଚୀନର ବିଶାଳ ପ୍ରାଚୀର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.