ଫୁଲ୍ଲୋରି ଓଷା

ଫୁଲ୍ଲୋରି ଓଷା ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏବଂ ଅଧୁନା ବିଲୁପ୍ତପ୍ରାୟ ଏକ ଓଷା । ଏହା ସାଧାରଣତଃ ବ୍ରାହ୍ମଣ ସଂପ୍ରଦାୟର କୁମାରୀମାନେ ପ୍ରତିବର୍ଷ ଦୁର୍ଗାଷ୍ଟମୀର ନଅଦିନ ଆଗରୁ ବାପା ଓ ଭାଇମାନଙ୍କର ମଙ୍ଗଳ ପାଇଁ କରିଥାନ୍ତି । ପୋଖରୀ କୂଳରେ ହେଉଥିବା ଏହି ଓଷାରେ ଅବିବାହିତା ଝିଅମାନେ ହରଗୌରୀ ଓ ଗୁଆ ପୂଜା କରିଥାନ୍ତି । ଓଡ଼ିଶାର ମାତ୍ର କିଛି ସ୍ଥାନରେ ଏହି ଓଷା ପାଳିତ ହୋଇଥାଏ । ଏଥି ମଧ୍ୟରୁ ଯାଜପୁର ଜିଲ୍ଲାର ବଳରାମପୁର ତଳଗଡ଼, ମଣିପୁର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଆଦି ଅଞ୍ଚଳ ପ୍ରଧାନ ।

ପାଳନ ବିଧି

ପୂଜା

ଏହି ଓଷା କରୁଥିବା ଝିଅମାନେ ଘରେ ଯେତେଜଣ ଅବିବାହିତା ଝିଅ ଥାଆନ୍ତି ସେତୋଟି ନଡ଼ିଆ ଆଣି ନଡ଼ିଆର ଉପର ଭାଗକୁ ଚିକ୍କଣ କରି ସେଥିରେ ଚୂନ ଲଗାଇଥାନ୍ତି । ଏହାପରେ ନଡ଼ିଆରେ ଏକ ଝିଅର ଆଖି, ନାକ, ପାଟି ଭଳି କରି ସଜାଇଥାନ୍ତି । ସେମାନେ ନଡ଼ିଆ ସାଙ୍ଗରେ ଗୁଆଗୁଡ଼ିକୁ ମଧ୍ୟ ନାନା ଚିତ୍ରବିଚିତ୍ର କରିଥାନ୍ତି । ବାଉଁଶରେ ନିର୍ମିତ ଡାଲା ବା ଝୁଡ଼ିରେ ନଡ଼ିଆ ଓ ଗୁଆଗୁଡ଼ିକୁ ରଖି ଭୋର ପାଞ୍ଚଟାରେ ଓଷା ଆରମ୍ଭ କରନ୍ତି । ସେମାନେ ଶଙ୍ଖ ବଜାଇ, ହୁଳହୁଳି ପକାଇ ନଡ଼ିଆ ଡାଲା ଧରି ପୋଖରୀ ତୁଠରେ ପହଞ୍ଚିଥାନ୍ତି । ପୋଖରୀ କୂଳରେ ମାଟିରେ ଶିବ ଓ ପାର୍ବତୀ ପ୍ରତିମା ଗଢ଼ି ପ୍ରଥମେ ଡାଲାକୁ ପୋଖରୀ ତୁଠ ଚଉରା ଉପରେ ରଖି ପ୍ରତିମାଗୁଡ଼ିକୁ ସଜାଇଥାନ୍ତି ଓ ବାଉଁଶପତ୍ରରେ ପାଣି ଆଣି ସେଗୁଡ଼ିକୁ ଗାଧୋଇ ଦିଅନ୍ତି । ପରେ ନାନା ଅଳଙ୍କାରରେ ପ୍ରତିମାଗୁଡ଼ିକୁ ସଜାଇ ନଡ଼ିଆ ଓ ଗୁଆଗୁଡ଼ିକୁ ଡାଲାରୁ କାଢି ଚଉରା ଉପରେ ରଖିଥାନ୍ତି । ନଡ଼ିଆ, ଗୁଆ ଛଡ଼ା ଦର୍ପଣ, ପାନିଆ ଆଦି ମଧ୍ୟ ପୂଜାରେ ଲାଗେ । ନଡ଼ିଆ ଓ ଗୁଆକୁ ହଳଦୀ ପାଣିରେ ଗାଧୋଇଦେବା ପରେ ଏହି ଝିଅମାନେ ଧଳା କୁଙ୍କୁମରେ ପ୍ରତିମାଗୁଡ଼ିକୁ ସଜାଇ ଦିଅନ୍ତି । ଓଷା କରୁଥିବା ଝିଅମାନେ ମଧ୍ୟ ମଥାରେ ଧଳା କୁଙ୍କୁମରେ ଚିତା କୁଟାଇଥାନ୍ତି । ଚିତା କୁଟାଇ ସାରି ସେମାନେ ଗୀତ ବୋଲିଥାନ୍ତି । ଏହି ଗୀତଗୁଡ଼ିକ ମଧ୍ୟରେ ଆସିବେ ଈଶ୍ୱର ମାଳ, ଉଠ ଉଠ ସୀତୟା ହେ, ହୋଇଲାଣି ବେଳ ଆଦି ପ୍ରମୁଖ । ଏହାପରେ ଧୂପ ଦୀପରେ ହରଗୌରୀ ଓ ନଡ଼ିଆକୁ ବନ୍ଦାପନା କରି ତା'ପରେ ଭୋଗ କରିଥାନ୍ତି I ଏହି ଓଷାରେ ବିଶେଷ କରି ତାଳଗଜା, ଛେନା ଆଦି ସହ ନଡ଼ିଆ ଓ ଗୁଆ ଭୋଗ ଲାଗି କରନ୍ତି । ତେବେ ଓଷା ନିୟମ ଅନୁସାରେ ଓଷା କରୁଥିବା ଝିଅମାନେ ନିଜେ ସେ ଭୋଗ ଖାଇପାରିବେ ନାହିଁ । ତେଣୁ ଆଖପାଖରେ ଥିବା ପୁଅମାନଙ୍କୁ ସେ ଭୋଗ ସେମାନେ ବାଣ୍ଟିଦିଅନ୍ତି ।

କଉଡ଼ି ଖେଳ

ଭୋଗବଣ୍ଟା ପରେ କଉଡ଼ି ଖେଳ ଆରମ୍ଭ ହୁଏ I ସୁଧେଷୁ ବନର ଚନ୍ଦନ କୋଟି, ହର ସଙ୍ଗେ ଉମା ଖେଳନ୍ତି ଜୁଆ କଉଡି ମୁଠି ଗୀତ ବୋଲି ସମସ୍ତେ କଉଡ଼ି ଖେଳନ୍ତି । ଗୀତ ଶେଷରେ କଉଡ଼ି ଯେଉଁ ଦୁଇଜଣଙ୍କ ପାଖରେ ରହେ ସେମାନେ କଉଡି ଛଡାଛଡ଼ି କରନ୍ତି । ଯିଏ ଜିତିବ ସେ ଶିବ ଓ ଯିଏ ହାରିବ ସେ ପାର୍ବତୀ ବୋଲି କୁହାଯାଏ । କଉଡ଼ି ଖେଳ ପରେ ଉଠ ଉଠ ସୀତୟା ହେ, ହୋଇଲାଣି ବେଳ ଗୀତ ବୋଲି ନଡ଼ିଆକୁ ଚଉରା ଉପରୁ ଉଠାଇ ଡାଲାରେ ରଖାଯାଏ । ଡାଲାରେ ହରିଡ଼ା ପତ୍ର ପକାଇ ଶଙ୍ଖ ହୁଳହୁଳି ସହ ଝିଅମାନେ ଘରକୁ ଫେରନ୍ତି ।

ମୁଢ଼ି ନଡ଼ିଆ

ଓଷାର ପଞ୍ଚମ କିମ୍ବା ସପ୍ତମ ଦିନରେ ମୁଢ଼ି ନଡ଼ିଆ ଭୋଗ ହୋଇଥାଏ । ଝିଅମାନେ ଗାଁରେ ବୁଲି ବୁଲି ଘରମାନଙ୍କରୁ ଧାନ ଓ ପଇସା ଆଦାୟ କରିଥାନ୍ତି । ସେହି ଧାନରେ ମୁଢ଼ି ଭାଜନ୍ତି ଓ ସଂଗୃହୀତ ପଇସାରେ ନଡ଼ିଆ କିଣନ୍ତି । ଦିନ ଦୁଇ ଘଡ଼ି ପାଖାପାଖି ସେମାନେ ମୁଢ଼ି ନଡ଼ିଆ ଉତ୍ସବ କରିଥାନ୍ତି । ଆଖପାଖରେ ଥିବା ପାହାଡ଼ ଉପରେ ମୁଢ଼ି ନଡ଼ିଆ ଭୋଗ ହୋଇଥାଏ । ଝିଅମାନେ ଶଙ୍ଖ ହୁଳହୁଳି ଦେଇ ପାହାଡ଼ରେ ମୁଢ଼ି ଓ ନଡ଼ିଆ ଧରି ପହଞ୍ଚିଥାନ୍ତି । ନଡ଼ିଆ ଭାଙ୍ଗି ତାକୁ ଖଣ୍ଡଖଣ୍ଡ କରି କାଟି ପାହାଡରେ ବସି ମୁଢ଼ି ସହ ଖାଇଥାନ୍ତି ।

ଶେଷଦିନ

ଦୁର୍ଗାଷ୍ଟମୀ ଦିନ ଓଷାର ଶେଷଦିନ । ଏହି ଦିନ ଓଷେଇତୀମାନେ ଆମ୍ବଡାଳ ରଙ୍ଗୀନ କାଗଜରେ ଓଷା ପୀଠକୁ ସଜାଇ ଗୀତ ବଜାଇଥାନ୍ତି । ସାଜସଜ୍ଜା ପରେ ଝିଅମାନେ ଏକତ୍ର ହଳଦୀ ଲଗାଇ ପୋଖରୀରେ ସ୍ନାନ କରନ୍ତି । ଶେଷଦିନ ସବୁଝିଅ ଶାଢ଼ୀ ପିନ୍ଧିବା ବାଧ୍ୟତାମୂଳକ । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ଝିଅମାନେ ମଧ୍ୟ ଏହିଦିନ ଶାଢ଼ୀ ପିନ୍ଧିଥାନ୍ତି । ଶାଢ଼ୀ ପିନ୍ଧି ବେଷଭୂଷା ହୋଇ ସମସ୍ତେ ପୋଖରୀ ତୁଠରେ ପହଞ୍ଚିବା ପରେ ସେମାନେ ଓଷା ଆରମ୍ଭ ହୋଇଥାଏ । ପ୍ରତିଦିନ ପରି ଭୋଗରାଗ କରି ଗୀତ ବୋଲିଥାନ୍ତି । ଓଷା ଶେଷରେ ସେମାନେ ବଡ଼ ଭୋଗ କରନ୍ତି । ଓଷା ପରଦିନ ସକାଳୁ ସେମାନେ ନିଜ ନିଜ ଘରେ ସାତ ପ୍ରକାର ଶାଗ ରାନ୍ଧିଥାନ୍ତି । ସାତଶାଗ ଭୋଗ ଲଗାଇ ହରଗୌରୀଙ୍କୁ ପାଣିରେ ବିସର୍ଜନ କରନ୍ତି ।

ମାନସିକ

ଏହି ଓଷାରେ ମାନସିକ କଲେ ସବୁ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । କାହାର ପିଲା ହେଲେ, ଝିଅ ବାହାଘର ହେଲେ ସେମାନେ ଓଷେଇତୀଙ୍କୁ ଟଙ୍କା ବା ମୁଢ଼ି ନଡ଼ିଆ ଖର୍ଚ୍ଚ ଦେବେ ବୋଲି ଲୋକେ ମାନସିକ କରିଥାନ୍ତି । ମାନସିକ ପୂରଣ ହେଲେ ଓଷେଇତୀଙ୍କୁ ସାହାଯ୍ୟ କରନ୍ତି । ଏଥି ସହିତ ଓଷା କରୁଥିବା ଝିଅମାନେ ନିଜ ନିଜ ଭିତରେ ଚାନ୍ଦାଭେଦା କରି ପଇସା ଏକାଠି କରିଥାନ୍ତି । ଉକ୍ତ ପଇସାକୁ ସେମାନେ ଶେଷଦିନ ଭୋଗରାଗ ଓ ସାଜସଜ୍ଜାରେ ଖର୍ଚ୍ଚ କରନ୍ତି । ଓଷା ସରିବା ପରେ ବଳକା ଟଙ୍କାରେ ଭୋଜିଭାତ ମଧ୍ୟ କରିଥାନ୍ତି । ପଇସା ବଳିଲେ ସେଥିରେ ଠାକୁରଙ୍କ ପାଇଁ ଅଳଙ୍କାର କିଣିଥାନ୍ତି ।

ଆଧାର

Tags:

ଫୁଲ୍ଲୋରି ଓଷା ପାଳନ ବିଧିଫୁଲ୍ଲୋରି ଓଷା ଆଧାରଫୁଲ୍ଲୋରି ଓଷାଆନନ୍ଦପୁରଓଡ଼ିଶାଓଷାକେନ୍ଦୁଝର ଜିଲ୍ଲାଗୁଆଦୁର୍ଗା ପୂଜାପାର୍ବତୀବ୍ରାହ୍ମଣଭାରତଯାଜପୁର ଜିଲ୍ଲାଶିବ

🔥 Trending searches on Wiki ଓଡ଼ିଆ:

ଜୟୀ ରାଜଗୁରୁନାରୀବାଦଅହିରାଜନାରାୟଣ ସାହୁଅଂଶୁଘାତରାଜେନ୍ଦ୍ର କିଶୋର ପଣ୍ଡାଜୋଆନ ଅଫ ଆର୍କଇନ୍ଦ୍ରଭଗବତ ଗୀତାକ୍ରିଏଟିଭ କମନ୍ସକ୍ଲୋନିଡିନଛଉ ନାଚବେଙ୍ଗତରୁଣକାନ୍ତି ମିଶ୍ରଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଗୀତା ଦାଶଦୀନକୃଷ୍ଣ ଦାସରାମାୟଣକାଞ୍ଜିଅଅଁଳା ଓଷା୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଓଡ଼ିଆ ସାହିତ୍ୟବିଜୁ ପଟ୍ଟନାୟକକୌଶଲ୍ୟା ବନ୍ଧକୁଷ୍ଠ୧୨ ମାର୍ଚ୍ଚଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସଭାରତ ସରକାରନବରାତ୍ରୀଗାୟତ୍ରୀ ସରାଫଗୌତମ ବୁଦ୍ଧରାମଚନ୍ଦ୍ର ମିଶ୍ରଅଯୁଗ୍ମ ସଂଖ୍ୟାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା୪ ଜୁନଶରତ କୁମାର ମହାନ୍ତିଓଡ଼ିଆ ଭାଷା ଆନ୍ଦୋଳନସଂତୃପ୍ତ ମିଶ୍ରଓପନ-ସୋର୍ସ ସଫ୍ଟୱେରଦୁର୍ଗା ପୂଜାଭାରତର ଜାତୀୟ ପତାକାସୁରେଶ କୁମାର ରାଉତରାୟଜଳଅମ୍ଳଜାନମହୁଲି୧୫୨୮ଶ୍ରାଦ୍ଧଟୁକୁନି ସାହୁଜଗନ୍ନାଥୱାଘା ସୀମା ସମାରୋହଚାଉଳଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୨୦ ଅଗଷ୍ଟପ୍ୟାରିସ୨୦ ମାର୍ଚ୍ଚବ୍ରତୋପନୟନମହୁଲ୧୫୭୯ଶିବସୁମନ କଲ୍ୟାଣପୁର୨୮ ମାର୍ଚ୍ଚଯମେଶ୍ୱର ମିଶ୍ରବନମାଳୀ ଦାସମନମୋହନ ସାମଲପୃଥିବୀର ବାୟୁମଣ୍ଡଳଡାରିଫେନାସିନ୧୦ ନଭେମ୍ବରଜୟୀରାମ ସାମଲବୈଶାଖ🡆 More