ଶାଗ ଏକ ଗୁଳ୍ମ ବା ଲତାର ପତ୍ର ଅଟେ । ଏହାକୁ ଶାକ ମଧ୍ୟ କୁହାଯାଏ । ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେତେକ ସ୍ଥାନରେ ଏହାକୁ ରୁଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ ।
ଆରମ୍ଭ | |
---|---|
ମୂଳ ଜାଗା | ଭାରତ, ପାକିସ୍ଥାନ |
ଅଞ୍ଚଳ | ଓଡ଼ିଶା, ପଞ୍ଜାବ |
ଖାଇବାର ସବିଶେଷ | |
ମୂଳ ଉପାଦାନ | ସୋରିଷ |
ଶାଗ ଓଡ଼ିଶା ସମେତ ଭାରତର ବାକି ରାଜ୍ୟମାନଙ୍କରେ ଓ ପାକିସ୍ଥାନରେ ଖିଆଯାଇଥାଏ । ଏହା ଓଡ଼ିଶା ଓ ପାଖାପାଖି ରାଜ୍ୟରେ ଭାତ ସହ ଖିଆଯାଉଥିବାବେଳେ ପଞ୍ଜାବ ଓ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ରୁଟି ସହ ଖିଆଯାଇଥାଏ । ଦକ୍ଷିଣ ଭାରତରେ ସମ୍ବର (ଖାଦ୍ୟ) ତିଆରି ବେଳେ ମଧ୍ୟ ଶାଗର ବ୍ୟବହାର କରାଯାଏ । ଓଡ଼ିଶାର ଗାଁ ଗହଳିରେ ଲୋକମାନଙ୍କର ରୋଷଇଘରେ କିଛି ପନି ପରିବା ନଥିଲେ ମଧ୍ୟ ବାଡ଼ିର ସଜନା ଶାଗ ଅଥବା ପଟାଳିରୁ ପୁଞ୍ଜାଏ ଲେଉଟିଆ ଶାଗରେ କାମ ଚଳିଯାଏ । କଥିତ ଅଛି ଭକ୍ତ ବିଦୁରର ଶାଗଭଜା ଭଗବାନ ଶ୍ରୀକୃଷ୍ଣଙ୍କୁ ଦୁର୍ଯ୍ୟୋଧନର ରାଜସିକ ବ୍ୟଂଜନଠାରୁ ଅଧିକ ପ୍ରିୟଥିଲା । ଶାଗ ଅନେକ ଜାତିର ହେଲେ ବି ପ୍ରତ୍ୟେକ ପ୍ରକାରର ଶାଗ ପୁଷ୍ଟିକର ଓ ଲୌହସାରର ଭଣ୍ଡାର ଅଟେ ।
ଶାଗ କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଶାର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଗ । କୁହାଯାଏ ସୃଷ୍ଟିର ପ୍ରାରମ୍ଭ ସୂକ୍ଷ୍ମ ଶିଉଳିରୁ ହୋଇଛି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ‘‘ଶାକମ୍ବରିତ ବିଖ୍ୟାତଂ ତନ୍ମେ ନାମ ଭବିଷ୍ୟତି ।’’ ଅର୍ଥାତ୍ ଜଗଜ୍ଜନନୀ ଦେବୀ କହିଛନ୍ତି, ଯେତେବେଳେ ସୃଷ୍ଟିରେ ଜୀବମାନଙ୍କୁ କିଛି ବି ଖାଇବାକୁ ମିଳିବ ନାହିଁ, ସେତେବେଳେ ସେ ‘ଶାକ’ ବା ‘ଶାଗ’ ରୂପରେ ସେ ଜଗତକୁ ରକ୍ଷା କରିବେ ।
ଓଡ଼ିଶାର ପର୍ବପର୍ବାଣି ସହିତ ଶାଗର ପ୍ରଚଳନ ଅଂଗାଅଂଗି ଭାବେ ଜଡ଼ିତ ।
ଶାଗକୁ ସବୁଜ ପରିବା ରୂପେ ଗ୍ରହଣ କରାଯାଏ । ଏଥିଲେ ଖାଦ୍ୟସାର A, C, K, B2, B12 ସହିତ ପ୍ରଚୁର ପରିମାଣରେ ଲୌହ ଜାତୀୟ ଶକ୍ତିସାର ରହିଥାଏ । ଏଥିରେ ଥିବା ତନ୍ତୁ ଜାତୀୟ ପଦାର୍ଥ ଶରୀର ଗଠନ କ୍ରିୟାରେ ସାହାଯ୍ୟ କରେ । ଶାଗର ଜଳଧାରଣର କ୍ଷମତା ଅଧିକ । ଏହା ଶରୀରର ପାଚନ ପ୍ରକିୟାକୁ ପ୍ରତ୍ୟକ୍ଷ ବା ପରୋକ୍ଷରୂପେ ପ୍ରଭାବିତ କରିଥାଏ । ପ୍ରତ୍ୟେକଟି ଶାଗ ଔଷଧୀୟ ଗୁଣ ସମ୍ପନ୍ନ ।
ଶାଗ ପତ୍ର ଜାତୀୟ ଖାଦ୍ୟ ହୋଇଥିବାରୁ ଏଥିରେ ବିଭିନ୍ନ ପ୍ରକାରର କୀଟ ଲାଗିଥାଆନ୍ତି । ଏଥିପାଇଁ ଏହାକୁ ଭଲଭାବେ ପରିସ୍କାର କରି ସେବନ କରିବା ବିଧେୟ । ଏହାଛଡ଼ା ରାତ୍ରିକାଳରେ ଶାକ ସେବନ ସ୍ୱାସ୍ଥ୍ୟପକ୍ଷେ ଅହିତ କର ବୋଲି କେହି କେହି ମତ ଦେଇଥାନ୍ତି ।
କୁମାର ହାସନଙ୍କଦ୍ୱାରା ରଚିତ ‘ସମ୍ବଲପୁରୀ ଲୋକ ସାହିତ୍ୟ’, ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳ ଗାଉଁଲି ଗୀତ’, ‘ଲୋକବାଣୀ ସଞ୍ଚୟନ’ ଓ ଡକ୍ଟର କୁଞ୍ଜବିହାରୀ ଦାଶଙ୍କଦ୍ୱାରା ଶାଗ ଉପରେ ଅନେକ ସୁନ୍ଦର କବିତା ରଚନା କରାଯାଇଅଛି । ଶାଶୁ ବୋହୂର ସମ୍ପର୍କ, ଯାନିଯାତ୍ରା, ପର୍ବ ପର୍ବାଣି ଗୀତ, ହଳିଆ ଗୀତ, କେନ୍ଦରା ଗୀତ, ଦୋଳି, କଳି, ଗାଳି, କନିଆଁ କାନ୍ଦଣା ଆଦିରେ ଶାଗର ପ୍ରତିଛବି ଦେଖିବାକୁ ମିଳେ ।
କାଳିଆ ଘୋଡ଼ାର ପିଠି
ଶାଗତୋଳାର ତ ନାଁ ନାହିଁ
ହାତ କରୁ ମୁଠି ମୁଠି॥
ଶାଗ ତୋଳି ତୋଳି ନଖନାଇଁ
ଘଇତା ଆଗରେ ସକେଇ କାନ୍ଦୁଛି
ମଦରଙ୍ଗା ମୂଳ ଚିହ୍ନି ନାଇଁ ॥
ଶାଗ୍ ଧୁଆ ଛଟନା କି ଗୋ ଶାଗ୍ ଧୁଆ ଛଟନା
ତୁଇମୁଇଁ ପଲାଇଯିବା ରାଏଗଡ଼ ବସନା
ରାଏଗଡ ବସନା ଗଲେ କାଣା ଖାଏମା
ହାତେ ଅଛି ହୀରାମୁଦି ଭଂଜାଇ ଖାଏମା
ଖଁଜେ ଅଛି ଲାଲ ଗାମୁଛା ନାଗର
ପକାଇ ଶୁଇମା ରସ ଖଂସରି ବସର॥
ପିତାଶାଗ ବୁଦି ବୁଦି
ଭାଇ କାହାସଙ୍ଗେ କଲେ ପୀରତି ହୋ
ହାତୁ ଦେଇ ସୁନା ମୁଦି॥
ସେହି ପରି
ମଦରଙ୍ଗା ଶାଗ ରାଇତା
ନନା ଭୁଞ୍ଜନ୍ତି ନାହିଁ
ଜଳିକି ମାଇଲି ଗୋଇଠା
ଜଳି ଖୋଲିଲା ନାହିଁ॥
ମଦରଙ୍ଗା ଶାଗ ରାଇ
ପଖାଳ ଭାତକୁ ଚିଲିକା ଶୁଖୁଆ
ମାଣିକ ପାଟଣା ଦହି॥
ବାଡ଼ି କାନିସିରି ଆଦର ନାହିଁ ....ମୋ ମାଆ
ଝିଅ ଚାଲିଗଲେ ଖୋଜିବୁ ଯାହା ...ମୋ ମାଆ
ମୋତେ କରିଦେଲୁ ତୁ କାନିସିରି...ମୋ ମାଆ
କରିଦେଲୁ ମୋତେ ଆଜି ଭଗାରି...ମୋ ମାଆ
ନ ଖାଇବୁ ବାବୁ ତୁରେ ଗୋଡମୋଡ଼ା ଶାଗ
କନିଆଁର ମାଆ ତୋତେ ପରଶିବ ଆଗ
ନଖକଟା ପାତ୍ରେ ତୋତେ ଦେଇଥିବେ ଲୁଣ
ଜାଣିଶୁଣି ବାବୁ ତୁରେ କରିବା ଭୋଜନ
ଶାଗ ଖରଡ଼ିଲି ଡାଙ୍ଗେ
ଶାଶୁ ଗାଳିଦେଲେ ନଣନ୍ଦ କହିଲେ
କାଲି ଯିବି ଭାଇ ସଙ୍ଗେ
ଶାଗ ଖରଡ଼ିଲି ଜିରା ପରଜିଲି
ତହିଁରେ ବାସନା ନାହିଁରେ
ଶାଶୁ ଗାଳିଦେଲେ ନଣନ୍ଦ କହିଲେ
ତହିଁରେ ତ ସୁଖ ନାହିଁରେ
ପୁଚିଲୋ, ଯା ଘୁଞ୍ଚି ଲୋ
ପୁଚିଲୋ, ଯା ଘୁଞ୍ଚି ଲୋ
ମଦରଙ୍ଗା ଶାଗ ରାଇତା
ମୋର କଳା ମଚମଚ ଘଇତା
ଲେଉଟିଆ ଶାଗ ପଟାଳି ପଟାଳି
ଅଧା ମାଡ଼ିଗଲା କାକର
ଷୋଳ ବୟସର ଯୁବତୀ ଟୋକି
କେତେ କରୁଅଛୁ ଚାତର
ସଜନା ଗଛର ଅଠା
କେତେ କହିଥିଲି ଗୁପତ କଥା
ଦାଣ୍ଡେ କଲୁ ହଟହଟା – ସଜନୀ ଲୋ
ଦାଣ୍ଡେ କଲୁ ହଟହଟା
ସଚିତ୍ର ବିଜୟା - ନଭେମ୍ବର ୨୦୦୨
This article uses material from the Wikipedia ଓଡ଼ିଆ article ଶାଗ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.