ବଜ୍ରକାପ୍ତା: ସ୍ତନ୍ୟପାୟୀ ପ୍ରାଣୀ

ଭାରତୀୟ ବଜ୍ରକାପ୍ତା (ଇଂରାଜୀ ନାମ Indian pangolin ବା thick-tailed pangolin ବା scaly anteater, ଜୀବବିଜ୍ଞାନ ନାମ Manis crassicaudata) ମୁଖ୍ୟତଃ ଭାରତୀୟ ଉପମହାଦ୍ୱୀପରେ ପରିଲକ୍ଷିତ ଏକ ସ୍ତନ୍ୟପାୟୀ ପ୍ରାଣୀ । ନିଜ ପରିବାସରେ ମଧ୍ୟ ଏମାନେ ଖୁବ୍ ବିରଳ ଓ ସାଧାରଣରେ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ବଜ୍ରକାପ୍ତାର ଅନ୍ୟ ଉପପ୍ରଜାତିମାନଙ୍କ ପରି ଏହାର ଶରୀର ମଧ୍ୟ ବଡ଼ ବଡ଼ କାତିଯୁକ୍ତ ଯାହା ଏହାର ଶରୀର ପାଇଁ ଏକ ସୁରକ୍ଷା କବଚ ସଦୃଶ କାମ କରେ । ମହାବଳ ବାଘ ପରି ଶିକାରୀ ଜୀବ ବଜ୍ରକାପ୍ତାକୁ ଆକ୍ରମଣ କଲେ ସେ ମୋଡ଼ିମାଡ଼ି ହୋଇ ଏକ କାତିଯୁକ୍ତ ବର୍ତ୍ତୁଳ ପରି ହୋଇଯାଏ । ବଜ୍ରକାପ୍ତାର କାତିର ରଙ୍ଗ ସେ ରହୁଥିବା ସ୍ଥାନର ମାଟିର ରଙ୍ଗ ସଦୃଶ ହୋଇଥାଏ ।

ବଜ୍ରକାପ୍ତା
ବଜ୍ରକାପ୍ତା: ବିବରଣୀ, ପରିବାସ, ଆହାର
ଶ୍ରୀଲଙ୍କାର ଏକ ବଜ୍ରକାପ୍ତା
Conservation status
Endangered (IUCN ୩.୧)
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Pholidota
Family: Manidae
Genus: Manis
ଉପପ୍ରଜାତି: Manis
ଜାତି: M. crassicaudata
ବାଇନୋମିଆଲ ନାମ
Manis crassicaudata
ଏଟିଏନ୍ ଜିଓଫ୍ରି, ୧୮୦୩

ବଜ୍ରକାପ୍ତା ଏକ କୀଟଭକ୍ଷୀ ଓ ନିଶାଚର ଜୀବ । ମାଟି, ଊଈହୁଙ୍କା, ପଚିସଢ଼ି ଫମ୍ପା ହୋଇଯାଉଥିବା କାଠଗଣ୍ଡି ପ୍ରଭୃତି ତାଡ଼ି ସେଥିରେ ଥିବା ପିମ୍ପୁଡ଼ି, ଊଈମାନଙ୍କୁ ଖାଇଯାଏ । ଏହାର ନଖ ବା ପଞ୍ଝା ତାହାର ଆଗଗୋଡ଼ ପରି ଲମ୍ବା ଓ ଏସବୁ ତାଡ଼ି କୀଟ ଖାଇବାରେ ସହାୟକ ହୋଇଥାନ୍ତି । ଦିନ ବେଳା ଏମାନେ ନିଜ ଗାତ ବା ବସାରେ ବିଶ୍ରାମ କରୁଥାନ୍ତି ।

ଭାରତୀୟ ବଜ୍ରକାପ୍ତାକୁ ସଙ୍କଟାପନ୍ନ (“endangered” ବା “threatened”) ଜୀବଙ୍କ ଶ୍ରେଣୀରେ ରଖାଯାଇଛି । ଲୋକେ ଏମାନଙ୍କୁ ମାରି ମାଂସ ଓ ଶରୀରର ବିଭିନ୍ନ ଅଂଶକୁ ପାରମ୍ପରିକ ଔଷଧରେ ବ୍ୟବହାର କରିଥାନ୍ତି ।

ବିବରଣୀ

ବଜ୍ରକାପ୍ତା: ବିବରଣୀ, ପରିବାସ, ଆହାର 
ଭାରତର ଗୁଜରାଟର ଏକ ବଜ୍ରକାପ୍ତା

ବଜ୍ରକାପ୍ତା ଏକାକୀ ରହନ୍ତି, ଧୀର ବେଗରେ ଗତି କରନ୍ତି ଓ ସ୍ୱଭାବରେ ଲାଜକୁଳା ହୋଇଥାନ୍ତି । ମୁଣ୍ଡର ଆରମ୍ଭରୁ ଲାଞ୍ଜର ଶେଷ ପର୍ଯ୍ୟନ୍ତ ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୮୪-୧୨୨ ସେଣ୍ଟିମିଟର୍ (୩୩-୪୮ ଇଞ୍ଚ୍) । ଏହାର ଲାଞ୍ଜଟି ପ୍ରାୟ ୩୪ରୁ ୪୭ ସେଣ୍ଟିମିଟର୍ ଲମ୍ବା ଓ ଏହାର ଓଜନ ୧୦ରୁ ୧୬ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ମାଈମାନଙ୍କର ଦୁଇଟି ପହ୍ନା (ବା ସ୍ତନ) ରହିଥାଏ ଓ ଏମାନେ ଆକାରରେ ଅଣ୍ଡିରାମାନଙ୍କଠାରୁ ଛୋଟ ହୋଇଥାନ୍ତି । ବଜ୍ରକାପ୍ତାର ମୁଣ୍ଡଟି କୋନ୍ ଆକୃତିର ହୋଇଥାଏ । ଏମାନଙ୍କ ଆଖି କଳା ଓ ଛୋଟ । ଗୋଜିଆ ମୁହଁର ଅଗ୍ରଭାଗରେ ନାକ ରହିଥାଏ ଯାହାର ରଙ୍ଗ ଦେହର ରଙ୍ଗଠାରୁ ଅଳ୍ପ ଗାଢ଼ । ବଜ୍ରକାପ୍ତାର ଅବୟବଗୁଡ଼ିକ ଶକ୍ତିଶାଳୀ ଏବଂ ଗୋଡ଼ର ପଞ୍ଝାରେ ମୁନିଆ ନଖ ରହିଥାଏ । ବଜ୍ରକାପ୍ତା ପ୍ରାୟତଃ କେବଳ ପିମ୍ପୁଡ଼ି ଓ ଊଈ ପରି କୀଟ ହିଁ ଖାଏ । ଗାତ ଓ ହୁଙ୍କାରୁ ପିମ୍ପୁଡ଼ି, ଊଈ ଖାଇବା ପାଇଁ ବଜ୍ରକାପ୍ତାର ଜିଭ ଲମ୍ବା ଓ ଅଠାଯୁକ୍ତ ହୋଇଥାଏ । ବଜ୍ରକାପ୍ତାର ଦାନ୍ତ ନାହିଁ ଓ ଏହାର ପେଟରେ ଥିବା ସ୍ୱତନ୍ତ୍ର ମାଂସପେଶୀ ଖାଦ୍ୟ ଜୀର୍ଣ୍ଣ କରିବାରେ ସାହାଯ୍ୟ କରିଥାନ୍ତି । ବଜ୍ରକାପ୍ତା ଶରୀରର ବିଶେଷ ଆକର୍ଷଣ ହେଲା ଚାରିପଟେ କବଚ ପରି ରହିଥିବା ଏହାର କାତି । ଗୋଡ଼ ଓ ପେଟକୁ ଛାଡ଼ିଦେଲେ ମୁହଁର ଉପର ଓ ପୁରା ଶରୀର କାତିରେ ଆଚ୍ଛାଦିତ । କେରାଟିନ୍‍ରୁ (ନଖ ପରି ରୂପାନ୍ତରିତ ଚର୍ମ) ତିଆରି ଏହି କାତି ଖୁବ୍ ଟାଣ । ପୁରା ଶରୀରରେ ୧୬୦ରୁ ୨୦୦ କାତି ଥାଏ ଯାହାର ୪୦-୪୬ ଶତକଡ଼ା ଭାଗ ଲାଞ୍ଜରେ ରହିଥାଏ । କେତେକ କାତି ୬.୫-୭ ସେ.ମି. ପର୍ଯ୍ୟନ୍ତ ଲମ୍ବା, ୮.୫ ସେ.ମି. ପର୍ଯ୍ୟନ୍ତ ଓସାରିଆ ଏବଂ ୭-୧୦ ଗ୍ରାମ୍ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି । ଏହି କାତିମାନଙ୍କ ଓଜନ ବଜ୍ରକାପ୍ତାର ସମଗ୍ର ଶରୀରର ଓଜନର ଏକ-ଚତୁର୍ଥାଂଶରୁ ଏକ-ତୃତୀୟାଂଶ ଭାଗ ପର୍ଯ୍ୟନ୍ତ ହୋଇପାରେ ।

ପରିବାସ

ବିଭିନ୍ନ ପ୍ରକାରର ଜଙ୍ଗଲ ଓ ପରିବାସରେ ଭାରତୀୟ ବଜ୍ରକାପ୍ତା ବାସ କରିପାରେ । ଶ୍ରୀଲଙ୍କାର ବର୍ଷାରଣ୍ୟ, ସମତଳ ଭୂମି ଓ ଏପରିକି ମାଳଭୂମିରେ ମଧ୍ୟ ବଜ୍ରକାପ୍ତା ବାସ କରିବାର ଦେଖାଯାଏ । ତୃଣଭୂମି, ଅଘଞ୍ଚ ଜଙ୍ଗଲ, ମରୁଭୂମି, ଶୁଷ୍କ ଭୂମି ଓ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବଜ୍ରକାପ୍ତା ଦେଖିବାକୁ ମିଳନ୍ତି । ଭାରତ, ପାକିସ୍ତାନ ଓ ଦକ୍ଷିଣ-ଏସିଆରେ ଏମାନେ ଦେଖାଯାନ୍ତି । ସିଆଲକୋଟ୍, ଝେଲମ୍, ଗୁଜରାଟ, ପଞ୍ଜାବର ଉତ୍ତର-ପଶ୍ଚିମାଂଶ, କୋହାଟ୍, ଅଟ୍ଟୋକ୍, ଖାଇବର୍, ସିନ୍ଧ୍ ଓ ବେଲୁଚିସ୍ତାନରେ ବଜ୍ରକାପ୍ତା ଦେଖାଯିବାର ଉଲ୍ଲେଖ ରହିଛି । ବଜ୍ରକାପ୍ତା ଉଚ୍ଚଭୂମିରେ ରହିବାର ଉଦାହରଣ ମଧ୍ୟ ରହିଛି । ଶ୍ରୀଲଙ୍କାରେ ୧୧୦୦ ମିଟର୍ ଓ ଭାରତର ନୀଳଗିରି ପର୍ବତରେ ୨୩୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ବଜ୍ରକାପ୍ତା ବିଚରଣ କରିବା ଦେଖାଯାଇଛି । ଗାତ ଖୋଳିବା ସହଜ ହୋଇଥିବାରୁ ବଜ୍ରକାପ୍ତା ନରମ ଓ ବାଲିମିଶା ମାଟି ପସନ୍ଦ କରେ ।

ବଜ୍ରକାପ୍ତାର ଗାତକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିପାରିବା । ଗୋଟିଏ ହେଲା ରହିବା ଗାତ (ବସା) ଓ ଅନ୍ୟଟି ହେଲା ଖାଇବା ପାଇଁ ଖୋଳାଯାଇଥିବା ଗାତ । ଖାଦ୍ୟଗାତଗୁଡ଼ିକ ଅପେକ୍ଷାକୃତ ଛୋଟ ଓ କେତେ କୀଟ ଅଛନ୍ତି ତାହା ଉପରେ ନିର୍ଭର କରିଥାଏ । ଅଧିକ ଶିକାର ମିଳୁଥିବାରୁ ବସନ୍ତ ଋତୁରେ ଏପରି ଗାତ ଅଧିକ ଦେଖିବାକୁ ମିଳେ । ବସାଗୁଡ଼ିକ ଓସାରିଆ, ଗଭୀର ଓ ଗୋଲାକାର ମୁହଁବିଶିଷ୍ଟ । ବଜ୍ରକାପ୍ତା ଏଥିରେ ସାଧାରଣତଃ ବିଶ୍ରାମ, ଶୟନ ଇତ୍ୟାଦି କରେ । କିଛି ମାସ ପରେ ବଜ୍ରକାପ୍ତା ବସା ଛାଡ଼ି ଶିକାର ମିଳୁଥିବା ସ୍ଥାନରେ ଏକ ନୂଆ ବସା ଖୋଳେ । ଆବଶ୍ୟକତା ପଡ଼ିଲେ ବଜ୍ରକାପ୍ତା ନିଜ ପୁରୁଣା ବସାକୁ ମଧ୍ୟ ଫେରିଥାଏ ।

ଆଫ୍ରିକୀୟ ବଜ୍ରକାପ୍ତା ଗଛ ଚଢ଼ିପାରେ କିନ୍ତୁ ଭାରତୀୟ ବଜ୍ରକାପ୍ତା ଗଛ ଚଢ଼ିପାରେ ନାହିଁ । କିନ୍ତୁ ନିଜ ପରିବାସରେ ଅଧିକ ଗଛ ଓ ବୁଦା ଥିବା ସେ ପସନ୍ଦ କରେ । କାରଣ ଗଛ ଓ ବୁଦା ପାଖରେ ବସା ଖୋଳିବା କିଛି ମାତ୍ରାରେ ସହଜ ହୋଇଥାଏ । ତୃଣଭୂମି, ଗଛର ମୂଳ, ବୁଦା, ପତ୍ରଗଦା, କଟା ଫମ୍ପା ଗଛଗଣ୍ଡି, ହସ୍ତୀମଳ ଇତ୍ୟାଦିରେ ପିମ୍ପୁଡ଼ି ଓ ଊଈର ଉପସ୍ଥିତିର ସମ୍ଭାବନା ସର୍ବାଧିକ ତେଣୁ ବଜ୍ରକାପ୍ତାର ପରିବାସରେ ଏସବୁ ବୈଶିଷ୍ଟ୍ୟ ରହିବା ଅବଶ୍ୟମ୍ଭାବୀ ।

ଆହାର

ବଜ୍ରକାପ୍ତା: ବିବରଣୀ, ପରିବାସ, ଆହାର 
ଚାଲିବା ବେଳେ ଏକ ବଜ୍ରକାପ୍ତା

କୀଟଭକ୍ଷୀ ବଜ୍ରକାପ୍ତାର ପ୍ରାଥମିକ ଆହାର ହେଲେ ପିମ୍ପୁଡ଼ି, ଜନ୍ଦା ଓ ଊଈ । ବେଳେବେଳେ ଏମାନେ ଗୋବରା ପୋକ ଓ ଅସରପାଙ୍କୁ ମଧ୍ୟ ଖାଇଯାଆନ୍ତି । ନିଜ ଶିକାର ଜୀବ ସହ ତାହାର ଅଣ୍ଡା, ଲାର୍ଭା ଇତ୍ୟାଦି ମଧ୍ୟ ଏମାନେ ଖାଇପକାନ୍ତି । ପଞ୍ଜାବ ଅଞ୍ଚଳର ପୋତୋହାରରେ ବଜ୍ରକାପ୍ତାମାନଙ୍କ ପ୍ରମୁଖ ଆହାର ହେଉଛନ୍ତି ଦୁଇ ପ୍ରକାରର ପିମ୍ପୁଡ଼ି “Camponotus confuci” ଓ “Camponotus compressus” । ବଜ୍ରକାପ୍ତା ଖାଇବା ବେଳେ ଛୋଟ ଗୋଡ଼ି, ବାଲି, ମାଟି, ଗଛର ଅଂଶ ଆଦି ମଧ୍ୟ ଖାଇଯାଏ ଓ ପେଟର ସ୍ୱତନ୍ତ୍ର ମାଂସପେଶୀ ଏସବୁକୁ ହଜମ କରିବାରେ ସାହାଯ୍ୟ କରେ । ଭାରତୀୟ ବଜ୍ରକାପ୍ତା ନିଶାଚର ଓ ନିଜର ପ୍ରଖର ଆଘ୍ରାଣଶକ୍ତିଦ୍ୱାରା ଖାଦ୍ୟ ବା ପିମ୍ପୁଡ଼ି, ଊଈଙ୍କ ହୁଙ୍କା ଠାବ କରିବାରେ ସକ୍ଷମ ହୋଇଥାଏ । ଭୂମିରେ ଚାଲବୁଲ କରୁଥିବା କୀଟଙ୍କ ବ୍ୟତୀତ ଶ୍ରୀଲଙ୍କାର ବଜ୍ରକାପ୍ତା ସେଠାକାର ବର୍ଷାରଣ୍ୟର ଗଛମାନଙ୍କରେ ଚଢ଼ି ମଧ୍ୟ ଶିକାର କରେ । ବଜ୍ରକାପ୍ତା ପିମ୍ପୁଡ଼ି ବସା ବା ଊଈ ହୁଙ୍କାକୁ ନିଜ ଆଗ ଗୋଡ଼ର ମୁନିଆ ନଖ ସାହାଯ୍ୟରେ ଖୋଳି ବିଦାରି ଦିଏ । ଢିଲା ମାଟିକୁ ପଛ ଗୋଡ଼ ସାହାଯ୍ୟରେ ପଛପଟକୁ ଫିଙ୍ଗିଦିଏ । ଖାଇବା ବେଳେ ବଜ୍ରକାପ୍ତାର ଜିଭ ତୀବ୍ର ବେଗରେ କୀଟମାନଙ୍କୁ ଶୋଷି ଚାଲିଥାଏ । ପାଣି ପିଇବା ବେଳେ ବି ଜିଭ ଠିକ୍ ସେହିପରି ବ୍ୟବହୃତ ହୁଏ । ଯନ୍ତାରେ ପୋଷା ହୋଇ ରହିଥିବା କେତେକ ବଜ୍ରକାପ୍ତାମାନଙ୍କ ପାଇଁ ଲାଲ୍ ବୁଣକାର ପିମ୍ପୁଡ଼ି (Oecophylla smaragdina) ଓ ସେମାନଙ୍କ ଅଣ୍ଡା ପ୍ରିୟ ଖାଦ୍ୟ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ।

ପ୍ରଜନନ

ବଜ୍ରକାପ୍ତା: ବିବରଣୀ, ପରିବାସ, ଆହାର 
ବଜ୍ରକାପ୍ତାର ବିଭିନ୍ନ ବ୍ୟାବହାରିକ ଭଙ୍ଗୀ

ବଜ୍ରକାପ୍ତାମାନଙ୍କ ପ୍ରଜନନ ବିଷୟରେ ସବିଶେଷ ତଥ୍ୟ ଅଦ୍ୟାବଧି ଉନ୍ମୋଚିତ ହୋଇନାହିଁ । ସହବାସ ଋତୁରେ ଅଣ୍ଡିରା ଓ ମାଈ ମିଶି ଏକ ଗାତରେ ରହିପାରନ୍ତି ଏବଂ କିଛି କାମ ଦିନବେଳା ମଧ୍ୟ କରିଥାଆନ୍ତି । ଅଣ୍ଡିରାଙ୍କ ଶୁକ୍ରଗ୍ରନ୍ଥି ପଛ ଗୋଡ଼ ନିକଟରେ ଚର୍ମର ଏକ ପରସ୍ତ ମଧ୍ୟରେ ରହିଥାଏ । ମାଈର ରେଚକ ନଳୀ ନିକଟରେ ହିଁ ଭୃଣର ଗଠନ ଓ ବୃଦ୍ଧି ହୁଏ । ଏମାନଙ୍କ ଗର୍ଭଧାରଣ ସମୟ ୬୫ରୁ ୭୦ ଦିନ । ଅଧିକାଂଶରେ ମାଈ ବଜ୍ରକାପ୍ତା ଗୋଟିଏ ଓ ସମୟେ ସମୟେ ଯମଜ ଶାବକଙ୍କୁ ଜନ୍ମ ଦିଏ । ଜନ୍ମ ସମୟରେ ଶାବକର ଓଜନ ୨୩୫ରୁ ୪୦୦ ଗ୍ରାମ୍ ଓ ଲମ୍ବ ୩୦ ସେ.ମି. ଯାଏଁ ହୋଇଥାଏ । ନବଜାତ ଶାବକର ଆଖି ଖୋଲାଥାଏ ଓ ତା’ ଶରୀରରେ କୋମଳ କାତି ରହିଥାଏ । ମା’ ଲାଞ୍ଜ ଉପରେ ନିଜ ଶାବକକୁ ଧରି ରଖି ବୁଲାବୁଲି କରେ । କୌଣସି ଅସୁବିଧା ପଡ଼ିଲେ ଶାବକ ବଜ୍ରକାପ୍ତା ମା’ର ପେଟ ଓ ଲାଞ୍ଜଦ୍ୱାରା ଘୋଡ଼େଇ ହୋଇ ରହିଥାଏ ।

କୋଲକାତାର ଅଲିପୁର ଚିଡ଼ିଆଘର, ଓକ୍ଲାହାମା ଚିଡ଼ିଆଘର ଓ ନନ୍ଦନକାନନ ଜୀବ ଉଦ୍ୟାନ ଆଦିରେ ସଫଳ ଭାବେ ବଜ୍ରକାପ୍ତାଙ୍କ ମିଳନ ଓ ପ୍ରଜନନ କରାଯାଇପାରିଛି ।

ଗର୍ଭବତୀ ଥିବା ସମୟରେ ମାଈ ବଜ୍ରକାପ୍ତାର ଶରୀରରେ ସେପରି କୌଣସି ପରିବର୍ତ୍ତନ ଦେଖାଯାଏ ନାହିଁ । ବନ୍ଦୀ ହୋଇ ରହିଥିବା ବଜ୍ରକାପ୍ତା ମଇ ଓ ଜୁନ୍‍ ମାସ ଛଡ଼ା ଅନ୍ୟ ସବୁ ମାସରେ ପ୍ରଜନନ କରିବାର ଦେଖାଯାଇଛି । ଜନ୍ମ ସମୟରେ ଓକ୍ଲାହାମା ଚିଡ଼ିଆଖାନାର ଏକ ଭାରତୀୟ ବଜ୍ରକାପ୍ତା ଶାବକର ଓଜନ ୨୩୫ ଗ୍ରାମ୍, ୧୨.୫ ସେ.ମି. ଲମ୍ବା ଲାଞ୍ଜ ସହିତ ସମଗ୍ର ଶରୀରର ଦୈର୍ଘ୍ୟ ପ୍ରାୟ ୩୦ ସେ.ମି. ରହିଥିଲା । ଓକ୍ଲାହାମା ଚିଡ଼ିଆଘରର ଆଉ ଏକ ବଜ୍ରକାପ୍ତା ଜନ୍ମ ସମୟରେ ୩୧୦ ମିମି ଲମ୍ବର ଓ ୧୨୫ ମିମି ଲାଙ୍ଗୁଡ଼ବିଶିଷ୍ଟ ଥିଲା ।

ବ୍ୟବହାର

ବଜ୍ରକାପ୍ତା: ବିବରଣୀ, ପରିବାସ, ଆହାର 
ଗୁଜରାଟର ଗିର୍ ଜାତୀୟ ଉଦ୍ୟାନରେ ନିଜକୁ ଦୁଇଟି ଏସୀୟ ସିଂହଙ୍କଠାରୁ ରକ୍ଷା କରୁଥିବା ବଜ୍ରକାପ୍ତା

ଭାରତୀୟ ବଜ୍ରକାପ୍ତା ଏକାକୀ ରୁହେ, ମୁଖ୍ୟତଃ ନିଶାଚର ଓ ନିଜର କ୍ଷେତ୍ର ନିୟନ୍ତ୍ରଣ କରେ । ଶ୍ରୀଲଙ୍କାର ବର୍ଷାରଣ୍ୟରେ ଏହି ପ୍ରଜାତିର ବଜ୍ରକାପ୍ତା ଗଛ ମଧ୍ୟ ଚଢ଼ିପାରନ୍ତି । ଏମାନେ ନିଜେ ନିଜର ବସା ତିଆରି କରନ୍ତି ଓ ବସା ପାଇଁ ଭୂମି ଭିତରକୁ ପ୍ରାୟ ୧.୫ରୁ ୬ ମିଟର୍ ଗଭୀର ଗାତ ଖୋଳିଥାନ୍ତି । ବସାମାନ ବଡ଼ ବଡ଼ ପଥର ତଳେ ରହିଥାଏ ଓ ଢିଲା ମାଟି ପକାଇ ବସାର ମୁହଁ ଆଂଶିକ ରୂପେ ବନ୍ଦ ଥାଏ । ବିପଦର ଆଭାସ ମିଳିଲେ ବଜ୍ରକାପ୍ତା ଗୁଡ଼େଇ ଓ ମୋଡ଼ି ହୋଇ ଏକ କାତିଯୁକ୍ତ ବର୍ତ୍ତୁଳରେ ପରିଣତ ହୋଇଯାଏ । ଲାଞ୍ଜଟି ଏହି ସମୟରେ ମୁହଁ ସହିତ ଚିପି ହୋଇ ରହିଥାଏ । ବନ୍ଦୀ ଅବସ୍ଥାରେ ଏମାନେ ୧୯ ବର୍ଷ ପର୍ଯ୍ୟନ୍ତ ବଢ଼ିପାରନ୍ତି ।

ନିଶାଚର ଓ ଗୋପନରେ ଚଳପ୍ରଚଳ କରୁଥିବାରୁ ଏମାନଙ୍କୁ ଜଙ୍ଗଲରେ ଦେଖିବା କଷ୍ଟକର । ଡରିଗଲେ ବା ରାଗିଲେ ସେମାନେ ସୁ-ସୁ ଧ୍ୱନିରେ ଗର୍ଜ୍ଜନ କରନ୍ତି । M. crassicaudata ପ୍ରଜାତିର ମଳଦ୍ୱାରସ୍ଥ ଗ୍ରନ୍ଥିରୁ ଏକ ତରଳ ପଦାର୍ଥ କ୍ଷରଣ ହୁଏ ଯାହା ପ୍ରତିରକ୍ଷା ବା ସୀମା ନିର୍ଦ୍ଧାରଣ ପାଇଁ ବ୍ୟବହୃତ ହେଉଥିବା ସମ୍ଭବପର ।

ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଜ୍ରକାପ୍ତାଗୁଡ଼ିକ ସକ୍ରିୟ ରହନ୍ତି । ରାତି ୮ରୁ ୯ଟା ବେଳକୁ ଏମାନଙ୍କ କାର୍ଯ୍ୟକଳାପ ବଢ଼ିଯାଏ । ତେବେ ଏଥିରେ କିଛି ବ୍ୟତିକ୍ରମ ମଧ୍ୟ ଘଟିପାରେ ।

ମନୁଷ୍ୟଙ୍କ ସହ ସମ୍ପର୍କ ଓ ସଂରକ୍ଷଣ ସ୍ଥିତି

ବଜ୍ରକାପ୍ତା: ବିବରଣୀ, ପରିବାସ, ଆହାର 
ଉଦ୍ଧାର କରାଯାଇଥିବା ଏହି ବଜ୍ରକାପ୍ତାଟିକୁ ଉତ୍ତର ଗୁଜରାଟରେ ଛଡ଼ା ଯାଇଥିଲା

ବହୁ ଦେଶରେ ଆଇନ ଅନୁଯାୟୀ ବଜ୍ରକାପ୍ତା ଏକ ସଂରକ୍ଷିତ ଜୀବ ହେଲେ ହେଁ ମାଂସ, କାତି ଓ ଚମଡ଼ା ପାଇଁ ବହୁମାତ୍ରାରେ ଏହାର ହତ୍ୟା କରାଯାଇଥାଏ । ଗତ ୨୦ ବର୍ଷରେ ବଜ୍ରକାପ୍ତା ଶରୀରକୁ ନେଇ ଅବୈଧ କାରବାର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ଓ ସ୍ଥାନୀୟ ବ୍ୟବସାୟିକ ଚାହିଦାକୁ ମେଣ୍ଟାଇବା ପାଇଁ ଏମାନଙ୍କ ଶିକାର କରାଯାଉଛି ଓ ଫଳରେ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏକାବେଳକେ ମାଈ ବଜ୍ରକାପ୍ତା କେବଳ ଗୋଟିଏ ଶାବକ ଜନ୍ମ କରୁଥିବାରୁ ଓ ଶିକାର ବଢ଼ି ଚାଲିଥିବାରୁ ବଜ୍ରକାପ୍ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ହେଲାଣି । ବଜ୍ରକାପ୍ତା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଖାଦ୍ୟ ଅଥବା ଔଷଧରେ ବ୍ୟବହାର କରାଯାଏ । ବଜ୍ରକାପ୍ତାର କାତି କାମୋଦ୍ଦୀପକ ଔଷଧ କିମ୍ବା ତାବିଜ ତିଆରିରେ ବ୍ୟବହୃତ ହୁଏ । ଚମଡ଼ାରୁ ଯୋତା, ଚପଲ ଆଦି ପ୍ରସ୍ତୁତ କରାଯାଇଥାଏ । ଅନୁଭବୀ ସ୍ଥାନୀୟ ଶିକାରୀ ଓ ଯାଯାବରମାନେ ଅଧିକାଂଶରେ ବଜ୍ରକାପ୍ତାମାନଙ୍କ ଶିକାର କରିଥାନ୍ତି ।

CITES-ସଂରକ୍ଷିତ ସ୍ତନ୍ୟପାୟୀ ପ୍ରାଣୀଙ୍କ ତାଲିକାରେ ସର୍ବାଧିକ ବ୍ୟବସାୟ ବା ଆମଦାନୀ-ରପ୍ତାନୀ ହେଉଥିବାପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ପ୍ରମୁଖ । ଚୀନୀ ପାରମ୍ପରିକ ଔଷଧ ପାଇଁ ଅନ୍ୟ ଦୁଇ ପ୍ରକାରର ଏସୀୟ ପ୍ରଜାତି (ମାଳୟ ବଜ୍ରକାପ୍ତା ଓ ଚୀନୀ ବଜ୍ରକାପ୍ତା) ମଧ୍ୟ ବହୁ ସଂଖ୍ୟାରେ ହ୍ରାସ ପାଇଯାଇଛନ୍ତି ।

ବଜ୍ରକାପ୍ତାର ପ୍ରଚଳିତ ସାମାନ୍ୟ ନାମ

ବିଭିନ୍ନ ଭାଷାରେ ବଜ୍ରକାପ୍ତାର ନାମଗୁଡିକ ହେଲା :

  • ମରାଠୀ : खवल्या मांजर (ଖୱଲ୍ୟା ମାଂଜର)
  • ଛତିଶଗଡ଼ୀ : ଶାଲ୍ ଖପରି
  • ଅହମିଆ ବା ଆସାମୀୟ : বন-ৰৌ (ବୋନ୍-ରୋଉ)
  • ତେଲୁଗୁ : “ପୋଲୁସୁ ପଣ୍ଡି” ବା “ନେଲା ଚେପା”
  • ମାଲାୟାଲମ୍ : ഈനാംപേച്ചി (ଈନାମ୍ପେଚି)
  • ତାମିଲ : அலங்கு (“ଆଳୁଙ୍ଗୁ” ବା “ଆଲାଙ୍ଗୁ”)
  • ସିଂହଳୀ : କବାଲେୱା
  • କନ୍ନଡ଼ : ಚಿಪ್ಪು ಹಂದಿ (ଚିପ୍ପୁ ହାଣ୍ଡି)

ଆଧାର

Tags:

ବଜ୍ରକାପ୍ତା ବିବରଣୀବଜ୍ରକାପ୍ତା ପରିବାସବଜ୍ରକାପ୍ତା ଆହାରବଜ୍ରକାପ୍ତା ପ୍ରଜନନବଜ୍ରକାପ୍ତା ବ୍ୟବହାରବଜ୍ରକାପ୍ତା ମନୁଷ୍ୟଙ୍କ ସହ ସମ୍ପର୍କ ଓ ସଂରକ୍ଷଣ ସ୍ଥିତିବଜ୍ରକାପ୍ତା ର ପ୍ରଚଳିତ ସାମାନ୍ୟ ନାମବଜ୍ରକାପ୍ତା ଆଧାରବଜ୍ରକାପ୍ତା

🔥 Trending searches on Wiki ଓଡ଼ିଆ:

ଧର୍ମେନ୍ଦ୍ର ପ୍ରଧାନପ୍ରାଚୀନ ମିଶରଅଣ୍ଡକୋଷ ଯନ୍ତ୍ରଣାଛାନ୍ଦଅଭିମନ୍ୟୁ ସାମନ୍ତସିଂହାରରାଧାଜିନା ସାମଲଭୁବନେଶ୍ୱର ବେହେରାଶରଣ ଶ୍ରୀକ୍ଷେତ୍ରପରିବାରଅର୍କ କେଶରୀ ଦେଓଓଡ଼ିଆ କଥାଚିତ୍ର ଜଗତଗୋପବନ୍ଧୁ ଦାସକଥା (ପତ୍ରିକା)ଜାନକୀ ବଲ୍ଲଭ ପଟ୍ଟନାୟକନୃସିଂହକପିଳେନ୍ଦ୍ର ଦେବଆଣ୍ଡ୍ରଏଡ଼ବିଜୟ ମିଶ୍ରଖଲିପତ୍ର୧୬ଶ ଲୋକ ସଭା୨୯୨ହରେକୃଷ୍ଣ ମହତାବକବି ସମ୍ରାଟ ଉପେନ୍ଦ୍ର ଭଞ୍ଜବୀଣାପାଣି ମହାନ୍ତିବିଜ୍ଞାନକୁମ୍ଭ (ରାଶି)ବାଘଇଣ୍ଟର ମିଲାନ ଫୁଟବଲ କ୍ଲବକୟାଁ ଜନଜାତିସୁଦଶା ବ୍ରତଜଳଓଡ଼ିଶା ସରକାରଅପରିମେୟ ସଂଖ୍ୟାଉଇକିଖବରସୁବର୍ଣ୍ଣପୁର ଜିଲ୍ଲାଲକ୍ଷ୍ମୀନାରାୟଣ ସାହୁସିଲଡେନାଫିଲଭାରତ ଛାଡ଼ ଆନ୍ଦୋଳନ୩୧ ମାର୍ଚ୍ଚମହୁଲତୁଳସୀ ଦାସମଧୁସୂଦନ ରାଓସୁରେନ୍ଦ୍ର ମହାନ୍ତିଗଙ୍ଗାଧର ମେହେରଗୋପୀନାଥ ମହାନ୍ତିସାନ୍ତାଳ ଜନଜାତିରମାଦେବୀ ଚୌଧୁରୀ୧୯୪୯ଦୁର୍ଗା ପୂଜାଚାଉଳମାଗୁଣିର ଶଗଡ଼ମଧୁସୂଦନ ଦାସହେପାଟାଇଟିସ ବିକଇଁସାରିଓଡ଼ିଶାର ଦୋଳଯାତ୍ରାଭୂମିକମ୍ପବୀର ସୁରେନ୍ଦ୍ର ସାଏଦ୍ରୌପଦୀ୧୫୫୨ନବୀନ ପଟ୍ଟନାୟକବୈକୁଣ୍ଠନାଥ ପଟ୍ଟନାୟକ🡆 More