ଦୁର୍ଗାଙ୍କର ବିଦ୍ୟାରୂପୀ ଦଶଶକ୍ତି ନିରୂପଣ କରାଯାଇଛି ଆଗମ ଶାସ୍ତ୍ରରେ । ସେହି ଦଶ ମହାବିଦ୍ୟା ହେଉଛନ୍ତି - କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା। ଏହାମଧ୍ୟରେ କାଳୀ, ତାରା, ଛିନ୍ନମସ୍ତା, ଧୂମାବତୀ ଉଗ୍ରା, ତଥା ବଗଳା, ଭୈରବୀ ସୌମ୍ୟୋଗ୍ର ମହାବିଦ୍ୟା ଏବଂ ଷୋଡ଼ଶୀ, ଭୁବନେଶ୍ୱରୀ, କମଳା, ମାତଙ୍ଗୀ ସୌମ୍ୟ ମହାବିଦ୍ୟା ରୂପେ ପରିଚିତା । ସୌମ୍ୟ ମହାବିଦ୍ୟାଙ୍କୁ ଶ୍ରୀସୁନ୍ଦରୀ କୁଳରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଉଗ୍ର, ସୌମ୍ୟୋଗ୍ର ମହବିଦ୍ୟାଙ୍କୁ କାଳୀ କୁଳରେ ଅନ୍ତର୍ଭୁକ୍ତ କରାହୋଇଛି । ଶ୍ରୀସୁନ୍ଦରୀ ଦେବୀମାନଙ୍କ ଆରଧନା ଗୃହ ମଧ୍ୟରେ ହେଉଥିଲାବେଳେ କାଳୀକୁଳ ଦେବୀମାନଙ୍କ ଉପାସନା ଶ୍ମଶାନ, ବଣ, ନଦୀତଟ ଆଦି ନିର୍ଜନ ସ୍ଥାନରେ ହୋଇଥାଏ, ତଥା ସୌମ୍ୟୋଗ୍ର ବିଦ୍ୟା ଉଭୟ ସ୍ଥାନରେ ଉପାସିତା ହୁଅନ୍ତି ।
ଧର୍ମ, ଅର୍ଥ, କାମ ଓ ମୋକ୍ଷଦାତ୍ରୀ, ପାପହାରିଣୀ ମା’କାଳିକେ, ସୃଷ୍ଟିର ସକଳ ବସ୍ତୁରେ ଶକ୍ତିରୂପରେ ପ୍ରତିଷ୍ଠିତ I ଦୁର୍ଗମ ଓ ଦୁରାଚାରକୁ ବିନାଶ କରୁଥିବାରୁ ସେ ଦୁର୍ଗା ନାମରେ ବିଦିତ I ଭିନ୍ନ ଭିନ୍ନ କାଳରେ ଭିନ୍ନ ଭିନ୍ନ ରୂପରେ ଜଗତଜନଙ୍କୁ ବିପଦରୁ ରକ୍ଷା କରି ସେ ମା’ ନାମକୁ ସାର୍ଥକ କରିଛନ୍ତି I ଶସ୍ୟ ପାଳନକାରିଣୀ ଭାବେ ସେ ସର୍ବପ୍ରଥମେ ଶାକମ୍ବରୀ ନାମରେ ପୂଜିତା ହେଲେ I କିଛିକାଳ ଅନ୍ତେ ଦୁଃଖ ଓ ଦୁର୍ଗତି ନାଶକାରିଣୀ ଦେବୀ ଭାବେ ପର୍ବତ ବାସିନୀ ସିଂହବାହିନୀ ପାର୍ବତୀ ବା ଉମା ଭାବରେ ବି ପୂଜା ପାଇଲେ I କିନ୍ତୁ କିଛିକାଳ ପରେ ମଣିଷ ଦୁଇଟିଯାକ ଶକ୍ତିକୁ ଏକ ଭାବି ତାଙ୍କୁ ଶାକମ୍ବରୀ, ଉମା, ପାର୍ବତୀ, କାତ୍ୟାୟନୀ ପୁଣି ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ ଭାବେ ପୂଜାର୍ଚ୍ଚନା ଆରମ୍ଭ କଲା I
ସେଇ ଏକା ଶକ୍ତି ହିଁ ଭୋଗର ଭବାନୀ, ପୌରୁଷରେ ଲକ୍ଷ୍ମୀ, ସମରେ ଦୁର୍ଗା ଏବଂ ଧ୍ୱଂସରେ କାଳୀ ସାଜନ୍ତି, ସୃଷ୍ଟି ସ୍ଥିତି ଏବଂ ବିଲୟ ପାଇଁ ମହାସରସ୍ୱତୀ, ମହାଲକ୍ଷ୍ମୀ ଏବଂ ମହାକାଳୀ ରୂପ ଧାରଣ କରନ୍ତି I ସେ ଏକ ହେଲେ ବି ଅନେକ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି I କେତେ ବେଳେ ପ୍ରକୃତିର ପଞ୍ଚଧାରାରେ, ଶକ୍ତିର ଷଷ୍ଠ ରୁପରେ, ଅଷ୍ଟ ମାତୃକା, ନବଦୁର୍ଗା, ଦଶ ମହାବିଦ୍ୟା ରୂପରେ ତ କେତେବେଳେ ଏକାବନ ଆଦିପୀଠରେ ବା ଚଉଷଠି ଯୋଗିନୀ ରୂପରେ ଏବଂ ଶତଶତ ଯୋଗିନୀ ରୂପରେ ପ୍ରତିଷ୍ଠିତ ହୋଇଛନ୍ତି I
ମା’ ଯେତେବେଳେ ଦକ୍ଷ ପ୍ରଜାପତିଙ୍କ ପ୍ରଥମ କନ୍ୟାଭାବେ ସତୀରୂପରେ ଜନ୍ମଗ୍ରହଣ କରିଥିଲେ, ସେ ପିତାମାତାଙ୍କ ଅନିଚ୍ଛା ସତ୍ତ୍ୱେ ଶିବଙ୍କୁ ହିଁ ସ୍ୱାମୀ ରୂପରେ ସ୍ୱୀକାର କରିଥିଲେ I ଦକ୍ଷ ପ୍ରଜାପତି ବାଧ୍ୟ ହୋଇ ସତୀଙ୍କୁ ଶିବଙ୍କ ସହ ବିବାହ ଦେଲେ ସିନା, ସବୁଦିନ ପାଇଁ ତାଙ୍କ ମନରେ ଶିବ ଓ ସତୀଙ୍କ ପ୍ରତି ହେୟ ମନୋଭାବ ତିଷ୍ଠି ରହିଲା I ଶିବଙ୍କ ବେଶ ପୋଷାକ, ଗଳାର ମୁଣ୍ଡମାଳ, ମୁଣ୍ଡର ଜଟା ଓ ସର୍ପ ଏବଂ ଭସ୍ମ ବିଲେପିତ ଶରୀରକୁ ଦେଖି ସେ ସର୍ବଦା ବିରକ୍ତ ହୁଅନ୍ତି I ଥରେ ଦକ୍ଷପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କରି ବ୍ରହ୍ମା, ବିଷ୍ଣୁଙ୍କ ସମେତ ସମସ୍ତ ଦେବଦେବୀ, ଯକ୍ଷ, କିନ୍ନର, ଦିଗପାଳ, ବନ୍ଧୁ ପରିଜନ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଶିବ ଓ ସତୀଙ୍କୁ ନିମନ୍ତ୍ରଣ କଲେନାହିଁ I ଏହା ଶୁଣି ସତୀ ଦୁଃଖିତା ହେଲେ I ପିତ୍ରାଳୟରେ ଉତ୍ସବ ଚାଲିଛି, ସଭିଏଁ ଆସିଛନ୍ତି ଅଥଚ ସେ ନିଜ ଘରେ ଏକକୀ, ଏହା ଭାବି ସେ ଅଧିକ ବାଧିତା ହେଲେ I ସେ ଶିବଙ୍କୁ ଅନୁରୋଧ କରି ପିତ୍ରାଳୟକୁ ଯିବାକୁ ପ୍ରସ୍ତାବ ଦେଲେ I ମାତ୍ର ଯେ ସ୍ୱୟଂ ଶିବ, ଦେବଦେବ ମହାଦେବ, ଯାହାଙ୍କ କୋପକୁ ବ୍ରହ୍ମା, ବିଷ୍ଣୁ ବି ଡରନ୍ତି, ସେ ବିନା ନିମନ୍ତ୍ରଣରେ ଯିବା ପାଇଁ ରାଜି ହୁଏନ୍ତେ କିପରି ? ଉପାୟ ନ ପାଇ ଶେଷରେ ସତୀ ଅନ୍ତତଃ ତାଙ୍କୁ ଯିବାକୁ ଅନୁମତି ଦେବା ପାଇଁ ଅନୁରୋଧ କଲେ, କାରଣ ପିତ୍ରାଳୟକୁ ଯିବା ପାଇଁ କନ୍ୟାର ନିମନ୍ତ୍ରଣ ଆବଶ୍ୟକ ନାହିଁ ବୋଲି ଯୁକ୍ତି କଲେ I ତଥାପି ଶିବ ପ୍ରତ୍ୟାଖ୍ୟାନ କରନ୍ତେ ସତୀଙ୍କର ଜିଦ୍ ବଢିଲା I ସତୀ ଶିବଙ୍କୁ ପ୍ରଭାବିତ କରିବା ପାଇଁ ଶିବଙ୍କ ଚାରିପାଖେ ବୁଲି ବୁଲି ଦଶବିଧ ରୂପ ପ୍ରକଟିତ କରିଥିଲେ I ସେଇ ଦଶରୂପ ପରବର୍ତ୍ତୀ କାଳରେ ଦଶମହାବିଦ୍ୟା ନାମରେ ନାମିତ ହେଲା I
କାଳୀ, ତାରା, ମହାବିଦ୍ୟା, ଷୋଡଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତାଚ ବିଦ୍ୟା ଧୂମାବତୀ ତଥା, ବଗଳା ସିଦ୍ଧବିଦ୍ୟାଚ ମାତଙ୍ଗୀ, କମଳାତ୍ମିକା,ଏତାଦଶ ମହାବିଦ୍ୟା ସିଦ୍ଧ ବିଦ୍ୟା ନମୋନମଃ । (ଚାମୁଣ୍ଡା ମନ୍ତ୍ର ) ଶେଷରେ ଶିବ ବିରକ୍ତରେ ଅନୁମତି ଦେଇଥିଲେ I ଏହି ଦଶମହାବିଦ୍ୟାକୁ ବିଭିନ୍ନ ପୁରାଣ ବିଭିନ୍ନ ଭାବରେ ବର୍ଣ୍ଣନା କରିଛି I ତୋଡଳତନ୍ତ୍ରରେ ଏହି ଦଶମହାବିଦ୍ୟା, ଶ୍ରୀ ବିଷ୍ଣୁଙ୍କର ଦଶବତାର ପ୍ରତୀକାତ୍ମକ ରୂପ ବର୍ଣ୍ଣନା କରାଯାଇଛି I କାଳୀଙ୍କୁ କୃଷ୍ଣ, ତାରାଙ୍କୁ ମତ୍ସ୍ୟ, ଷୋଡଶୀଙ୍କୁ ପର୍ଶୁରାମ, ଭୁବନେଶ୍ୱରୀଙ୍କୁ ବାମନ, ଭୈରବୀଙ୍କୁ ବଳରାମ, ଛିନ୍ନମସ୍ତାଙ୍କୁ ନୃସିଂହ, ଧୂମାବତୀଙ୍କୁ ବରାହ, ବଗଳାଙ୍କୁ କୁର୍ମ, ମାତଙ୍ଗୀଙ୍କୁ ରାମ ଏବଂ କମଳାଙ୍କୁ ବୁଦ୍ଧ ଭାବରେ ପ୍ରତିପାଦିତ କରାଯାଇଛି I ବିଦ୍ୟାର ଅର୍ଥ ଜ୍ଞାନ, ସତୀଙ୍କ ପ୍ରତ୍ୟେକ ରୂପ ଜନମାନସରେ କିଛି କିଛି ଜ୍ଞାନ ସଂଚରଣ କରୁଥିବାରୁ ଏହିସବୁ ବିଦ୍ୟାମାନଙ୍କୁ ମହାବିଦ୍ୟା ବା ମହାଜ୍ଞାନ ରୂପରେ ପୂଜାକରାଯାଏ I
ଏହିପରି ଉର୍ଦ୍ଧ୍ୱରେ କରାଳବଦନା କାଳୀ, ସମ୍ମୁଖରେ ଲୋକଜିହ୍ନା ତାରା, ଐଶାନ୍ୟ କୋଣରେ ତ୍ରିପୁରାସୁନ୍ଦରୀ ଷୋଡଶୀ, ବାମରେ ତ୍ରିଭୁବନବ୍ୟାପିନୀ ଭୁବନେଶ୍ୱରୀ, ନିମ୍ନରେ ମୁକ୍ତକେଶା ଭୈରବୀ, ଦକ୍ଷିଣରେ ପ୍ରଚଣ୍ଡଚଣ୍ଡୀ ସ୍ୱରୂପା ଛିନ୍ନମସ୍ତା, ଅଗ୍ନିକୋଣରେ ଧୂମପୂର୍ଣ୍ଣା ଧୂମାବତୀ, ପଛରେ ସଂହାରକାରିଣୀ ବଗଳା, ବାୟବ୍ୟ କୋଣରେ ଅର୍ଦ୍ଧଚନ୍ଦ୍ର ଧାରିଣୀ ମାତଙ୍ଗୀ ଏବଂ ନୈଋତ କୋଣରେ ଶ୍ରୀବୃଦ୍ଧିକାରିଣୀ କମଳା- ଏହିପରି ଦଶବିଧ ରୂପ ପ୍ରଦର୍ଶନ କରି ସତୀ ଶିବଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ I ସେଇ ଦଶରୂପ ଦଶ ମହାବିଦ୍ୟା ରୂପରେ ସର୍ବଦା ପୂଜାପାଇ ଆସୁଛି I
This article uses material from the Wikipedia ଓଡ଼ିଆ article ମହାବିଦ୍ୟା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.