ଦେବୀ ଛିନ୍ନମସ୍ତା ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ । ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ । ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ । ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ୱରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ । ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି । ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ । ଏହାଙ୍କ ଶିବ ହେଲେ କବନ୍ଧ । ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା । ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା । ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ । ଦେବୀଙ୍କର ଏହି ରୂପ ନିଜ ମସ୍ତକ ନିଜେ ଛେଦନ କରି ଧରିଥିବାର ଦେଖାଯାଆନ୍ତି । ତାଙ୍କ କଣ୍ଠରୁ ବାହାରୁଥିବା ରୁଧିର ପ୍ରାଣ ଶକ୍ତିର ପ୍ରତୀକ, ଏହା ତ୍ରିଧାରାରେ ପ୍ରବାହିତ । ଗୋଟିଏ ଧାରା ସ୍ୱମୁଖକୁ, ଯାହା ଦର୍ଶାଏ କି ସେ ସ୍ୱୟଂସ୍ଥିତା ଅନ୍ୟ ଦୁଇଧାରା ତାଙ୍କଦ୍ୱାରା ସଖୀ ଡାକିନୀ ଓ ବର୍ଣ୍ଣିନୀଙ୍କ ମୁହଁକୁ ପ୍ରବାହିତ ଯାହା ସଚରାଚର ଜୀବଜଗତକୁ ଦର୍ଶାଏ । ଛିନ୍ନମସ୍ତକ ମୁକ୍ତିର ପ୍ରତୀକ ମସ୍ତକ ଛିନ୍ନକରି ଦେବୀ ତାଙ୍କର ପ୍ରକୃତ ସ୍ୱରୂପ ଦର୍ଶାଇଛନ୍ତି଼। ଯାହା ଶାଶ୍ୱତ,ମୁକ୍ତ ଓ ଅସୀମ । ଏହା ବନ୍ଧନ ଓ ତ୍ୱରୁ ମୁକ୍ତିର ପ୍ରତୀକ,ତାଙ୍କ ନଗ୍ନତା ତାଙ୍କ ବିରାଟ ସ୍ୱରୂପର ପ୍ରତୀକ ଯାହାକୁ କୌଣସି ଆବରଣ ଭିତରେ ରଖିବା ଅସମ୍ଭବ। ସେ ପୂର୍ଣ୍ଣ ସ୍ୱରୂପା,ମୁଣ୍ଡମାଳା ଦିବ୍ୟସୃଷ୍ଟିର ପ୍ରତୀକ ରତିକ୍ରୀଡା ମଗ୍ନ ରତି ଓ କାମଦେବଙ୍କ ଉପରେ ଦଣ୍ଡାୟମାନ ଦେବୀ,ବାସନା ଓ ଇନ୍ଦ୍ରିୟଭୋଗରୁ ମୁକ୍ତିର ବାର୍ତ୍ତାଦିଅନ୍ତି । ତାଙ୍କ ଗଳାରୁ ବାହାରି ଥିବା ତ୍ରିଧାରା ରକ୍ତ ମଧ୍ୟ ତିନି ନାଡି ଇଦା, ପିଙ୍ଗଳା ଓ ଶୁଷୁମ୍ନା ଦେଇ ଚେତନାର ପ୍ରବାହର ପ୍ରତୀକ । କାମ ଏବଂ ରତି ଶୁଷୁମ୍ନା ଦେଇ ଜାଗ୍ରତ କୁଣ୍ଡଳିନୀ ଶକ୍ତି ପ୍ରବାହର ପ୍ରତୀକ ମଧ୍ୟ ଯାହା ଅଜ୍ଞାନତାକୁ ଦୂରକରେ । ସହଶ୍ରାର ଚକ୍ରରେ ସୃଷ୍ଟି ହୋଇଥିବା ଅମାପ ଶକ୍ତି ଯୋଗୁଁ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଛି ବୋଲି ବିଚାର କରାଯାଏ ।ଅର୍ଥାତ୍ ମୂଳାଧାର ଚକ୍ରର ଶକ୍ତି, ସହଶ୍ରାର ଚକ୍ରରେ ଶିବଙ୍କ ସହିତ ସମ୍ମିଳିତ ହେବା ଆତ୍ମ ଜ୍ଞାନପ୍ରାପ୍ତିର ଆଧାର, ଛିନ୍ନମସ୍ତାଙ୍କୁ ତ୍ରିଗୁଣମୟୀ ମଧ୍ୟ କୁହାଯାଏ । ଯେହେତୁ ତାଙ୍କଠାରେ ସତ୍ୱ, ରଜ ଓ ତମର ସମାହାର ଦେଖାଯାଏ। ବାମପଟେ ଡାକିନୀ ଶ୍ୟାମା(ତମ) ଏବଂ ଦକ୍ଷିଣପଟେ ବର୍ଣ୍ଣିନୀ ରକ୍ତ ବର୍ଣ୍ଣା(ରଜ) ଓ ମଝିରେ ଛିନ୍ନମସ୍ତା ଶୁଭ୍ରା(ସତ୍ୱ) ତିନିଗୁଣର ପରିଚାରିକା।
ଛିନ୍ନମସ୍ତା | |
---|---|
Devanagari | छिन्नमस्ता |
Affiliation | ମହାବିଦ୍ୟା, ଦେବୀ |
ଲୋକ | ଶ୍ମଶାନ |
Mantra | Srim hrim klim aim Vajravairocaniye hum hum phat svaha |
Weapon | khatri – scimitar |
ସ୍ୱାମୀ/ସ୍ତ୍ରୀ | ଶିବ |
ଥରେ ଦେବୀ ଜୟା-ବିଜୟା ନାମ୍ନୀ ଦାସୀଦ୍ୱୟଙ୍କ ସହିତ ମନ୍ଦାକିନୀ ନଦୀକୁ ଅବଗାହନ କରିବାକୁ ଯାଇଥିଲେ ସେଠାରେ ସ୍ନାନ ସାରିବା ପରେ ସଖୀଦ୍ୱୟ ନିଜ ନିଜର କ୍ଷୁଧା ଓ ତୃଷା ଦୂରକରିବା ପାଇଁ ଶୀଘ୍ର ଖାଦ୍ୟପେୟ ଦେବାଲାଗି ଦେବୀଙ୍କୁ କାତର କଣ୍ଠରେ ପ୍ରାର୍ଥନା କଲେ ଦେବୀ ଥରେ ଦୁଇଥର ଆଶ୍ୱାସନା ଦେଲେ; କିନ୍ତୁ ସଖୀଦ୍ୱୟ କ୍ଷୁଧାତୃଷାର ଜ୍ୱାଳା ସହିନପାରି, ପୁନର୍ବାର ଦେବୀଙ୍କୁ ଖାଦ୍ୟପେୟ ଯୋଗାଇଦେବା ଲାଗି ମିନତିଭରା କଣ୍ଠରେ ନିବେଦନ କରି କହିଲେ, “ ଜଗଜ୍ଜନନୀ ! ଆମେ ଦୁହେଁ ଯେଉଁ ଖାଦ୍ୟପେୟରେ ପରିତୃପ୍ତା ହେବୁ, ଶୀଘ୍ର ତାହାର ବ୍ୟବସ୍ଥା କରନ୍ତୁ ” ଦେବୀ ଏହା ଶୁଣି ନିଜର ବାମନଖଦ୍ୱାରା ମସ୍ତକ ଛିନ୍ନ କରି ଧାରଣ କଲେ କଣ୍ଠରୁ ତ୍ରିଧାରାରେ ରକ୍ତ ନିର୍ଗତ ହୋଇ ବାମ ଦକ୍ଷିଣ ପାଖରେ ଛିଡ଼ା ହୋଇଥିବା ଦୁଇସଖୀଙ୍କ ମୁଖରେ ଦୁଇଧାର ପଡ଼ିଲା ଏବଂ ସନ୍ଧ୍ୟାରେ ନିଜର ଛିନ୍ନମୁଣ୍ଡରେ ପତିତ ହେଲା ତହୁଁ ଦେବୀ ‘ଛିନ୍ନମସ୍ତା’ ନାମ ଧାରଣ କଲେ ଆଉ ମଧ୍ୟ ‘ସ୍ୱତନ୍ତ୍ର ତନ୍ତ୍ର’ରୁ ଜଣାଯାଏ ଯେ, ଦେବୀ ଶିବଙ୍କ ସହିତ ମହାସୁରତରେ ରତଥିବା ସମୟରେ ସ୍ୱାମୀଙ୍କର ରେତସ୍ଖଳନ ସମୟରେ ସେ ପ୍ରଚଣ୍ଡ ରୂପ ଧାରଣ କଲେ ସେହି ସମୟରେ ସେ ନିଜ ଶରୀରରୁ ‘ଡାକିନୀ’ ଓ ‘ବର୍ଣ୍ଣିନୀ’ ନାମ୍ନୀ ଦୁଇଟି ଶକ୍ତି ଜାତ କରିଥିଲେ ଥରେ ଦେବୀ ସେ ସଖୀଦ୍ୱୟଙ୍କ ଗହଣରେ ‘ପୁଷ୍ପଭଦ୍ରା’ ନଦୀତୀରକୁ ଗମନ କରି, ସେ ଦୁହିଁଙ୍କ ତୃଷା ମେଣ୍ଟାଇବା ଲାଗି ସ୍ୱମସ୍ତକ ଛିନ୍ନ କରିଥିଲେ
This article uses material from the Wikipedia ଓଡ଼ିଆ article ଛିନ୍ନମସ୍ତା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.