ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ଼ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
ଗାଲିଲିଓ ଗାଲିଲି | |
---|---|
ଜନ୍ମ |
ପିସା, ଇଟାଲୀ | ୧୫ ଫେବୃଆରୀ ୧୫୬୪
ମୃତ୍ୟୁ | ୮ ଜାନୁଆରୀ ୧୬୪୨ ଆର୍ସେଟ୍ରୀ(Arcetri), ଇଟାଲୀ | (ବୟସ ୭୭)
ଜାତୀୟତା | ଇଟାଲୀୟ |
ଶିକ୍ଷାନୁଷ୍ଠାନ | ପିସା ବିଶ୍ୱବିଦ୍ୟାଳୟ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଜୋତିର୍ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ଗଣିତ |
କର୍ମାନୁଷ୍ଠାନ | ପିସା ବିଶ୍ୱବିଦ୍ୟାଳୟ (Pisa) , ପଡୁଆ ବିଶ୍ୱବିଦ୍ୟାଳୟ (Padua) |
ଶିକ୍ଷକୀୟ ଉପଦେଷ୍ଟା | ଅଷ୍ଟିଲିଓ ରିକୀ (Ostilio Ricci) |
ଦସ୍ତଖତ | |
Notes | |
ତାଙ୍କ ପିତା ଭିନସେଞ୍ଜୋ ଗାଲିଲି (Vincenzo Galilei) ଜଣେ ସଂଗୀତକାର ଥିଲେ । ଗାଲିଲିଓଙ୍କ ପତ୍ନୀ ମରିନା ଗମ୍ବା (Marina Gamba)ଙ୍କଠାରୁ ତାଙ୍କର ଦୁଇଟି ଝିଅ ଥିଲେ ( ମାରିଆ ସେଲିଷ୍ଟ (Maria Celeste) ଓ ଲିଭିଆ (Livia); ପରେ ଦୁହେଁ ନନ୍ ହୋଇଥିଲେ ) |
ଗାଲିଲିଓଙ୍କ ନାଁ ତାଙ୍କର ଜଣେ ପୂର୍ବଜ, ଗାଲିଲିଓ ବୋନଇୟୁଟି (Galileo Bonaiuti),ଙ୍କ ନାଁ ଅନୁସାରେ ଦିଆଯାଇଥିଲା । ଗାଲିଲିଓ ବୋନଇୟୁଟି(୧୩୭୦ - ୧୪୫୦) ଜଣେ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ରାଜନୈତିଜ୍ଞ ଥିଲେ । ୧୪ଶ ଶତାବ୍ଦୀର ଶେଷ ଭାଗକୁ ପରିବାରର ଶେଷ ନାଁ 'ବୋନଇୟୁଟି'ରୁ 'ଗାଲିଲି'କୁ ପରିବର୍ତ୍ତନ କରି ଦିଆଯାଇଥିଲା ।
ପିସାରେ ଚାରୁକଳା ଓ ବିଜ୍ଞାନ ଶିକ୍ଷା ପାଇଁ ଏକ ବିଖ୍ୟାତ ଶିକ୍ଷା କେନ୍ଦ୍ର ଥାଏ । ଗାଲିଲିଓ ଏହାର ସଦୁପଯୋଗ ପାଇଁ ସୁବିଧା ପାଇଲେ । କିନ୍ତୁ ତାଙ୍କୁ ଜଣେ ବିଖ୍ୟାତ ଡାକ୍ତର କରିବା ପାଇଁ ତାଙ୍କ ବାପଙ୍କର ଇଚ୍ଛାଥାଏ । ତେଣୁ ସେ ପିସା ବିଶ୍ୱବିଦ୍ୟାଳୟରେ ଭେଷଜ ବିଜ୍ଞାନ ଶିକ୍ଷା ପାଇଁ ପ୍ରବେଶ କଲେ । ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ୨୦ ବର୍ଷ ବୟସରେ ସେ ଏକ ବୈଜ୍ଞାନିକ ତତ୍ତ୍ୱ ଆବିଷ୍କାର କଲେ । ପିସାର ଗୀର୍ଜାରେ ସମସ୍ତେ ପ୍ରାର୍ଥନାରତ ଥାନ୍ତି ; ଛାତ୍ର ଗାଲିଲିଓ ଗୀର୍ଜା ଛାତରେ ଝୁଲୁଥିବା ବତୀ ଗୁଡିକର ଦୋଳୋନ କାଳ ନିରୂପଣ କରିବାପାଇଁ ସ୍ଥିର କଲେ । ସେତେବେଳେ ଘଣ୍ଟା ବାହାରି ନଥାଏ । ନିଜ ନାଡୀର ଦପ୍ ଦପ୍ ଗଣି ସ୍ଥିର କଲେ ଯେ ବତୀର ପୂର୍ଣ୍ଣ ଦୋଳନ ଗୁଡିକର ସମୟ ସମାନ । ପୁଣି ପ୍ରତ୍ୟେକ ବତୀ ପ୍ରତି ଏହା ପ୍ରଯୁଜ୍ୟ । ପରେ ସେ ପ୍ରମାଣ କରିଥିଲେ ଯେ ଦୋଳନ ବିସ୍ତାର ଯାହାହେଲେ ମଧ୍ୟ ଦୈର୍ଘ୍ୟ ସମାନ ଥିଲେ ଦୋଳନକାଳରେ ପରିବର୍ତ୍ତନ ଘଟୁନାହିଁ ।
ତାଙ୍କ ଉଦ୍ଭାବିତ ଦୋଳକ ସାହାଯ୍ୟରେ ରୋଗୀର ନାଡୀ ଦେଖିବାପାଇଁ ଡାକ୍ତରଙ୍କୁ ପରାମର୍ଶଦେଲେ । ଏକ ଦୋଳକ ଘଣ୍ଟା ପାଇଁ ମଧ୍ୟ ସେ ଯୋଜନା କରିଥିଲେ । ପରେ ଖ୍ରୀଷ୍ଟିୟାନ ହାଇଜିନ୍ସ ଏକ ଦୋଳକ ଘଣ୍ଟା ତିଆରି କରିଥିଲେ ।
୧୫୮୫ ବେଳକୁ ଗାଲିଲିଓ ପୁଣି ଅର୍ଥାଭାବରେ ପଡ଼ିଲେ । ବିଶ୍ୱବିଦ୍ୟାଳୟରୁ ନାଁ କଟିଗଲା । ଘରୋଇ ଭାବରେ ପଢ଼ିବାକୁ ଯାଇ ସେ ଗଣିତ ପ୍ରତି ଅଧିକ ଧ୍ୟାନ ଦେଲେ । ସେତିକିବେଳେ ଆରିଷ୍ଟୋଟଲଙ୍କଦ୍ୱାରା ପ୍ରତିଷ୍ଠିତ ଗତି ବିଜ୍ଞାନ ସମ୍ପର୍କିତ କେତେକ ନିୟମକୁ ସମାଲୋଚନା କରିବାକୁ ଆରମ୍ଭ କଲେ ।
ଗାଲିଲିଓଙ୍କ ପାଣ୍ଡିତ୍ୟ, ତୁସକାନୀର ଡିଉକ୍ଙ୍କ ଦୃଷ୍ଟି ଆକର୍ଷଣ କଲା । ପିସା ବିଶ୍ୱବିଦ୍ୟାୟାଳୟରେ ଗାଲିଲିଓଙ୍କୁ ନିଯୁକ୍ତି ଦେବାପାଇଁ ଏକ ଅଧ୍ୟାପକ ପଦ ସୃଷ୍ଟି କରାଗଲା । ୨୫ ବର୍ଷ ବୟସରେ ଗାଲିଲିଓ ଗଣିତ ପ୍ରଫେସର ହୋଇ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ହେଲେ । ସେ ଯୁବକ; ତାଙ୍କ ବିଶ୍ୱବିଦ୍ୟାଳୟ ଡିଗ୍ରୀ କି ଉପାଧି ନଥିଲା; ଏଣେ ପୁଣି ଆରିଷ୍ଟୋଟଲଙ୍କ ମତବାଦକୁ ବିରୋଧ କରୁଥିଲେ । ଅନ୍ୟ ଅଧ୍ୟାପକମାନେ ଏହାକୁ ଅର୍ବାଚୀନ ଔଦ୍ଧତ୍ୟ ମନେକଲେ । କ୍ରମେ କନ୍ଦଳ ଘନେଇ ଆସିଲା ।
ପତ୍ର ଓ ପଥର ପଡ଼ିବା ବିଷୟରେ ଆରିଷ୍ଟୋଟଲ କହିଥିବା କଥା ଭୁଲ । ଆରିଷ୍ଟୋଟଲ 'ବାୟୁ ମାଧ୍ୟମ' ଯୋଗୁଁ ହଉଥିବା ପ୍ରତିରୋଧ କଥା ଭୁଲିଯାଇଥିଲେ । ଆରିଷ୍ଟୋଟଲଙ୍କ ଏହି ଭ୍ରମକୁ ଏକ ପରୀକ୍ଷାରେ ସାବ୍ୟସ୍ତ କରିବାପାଇଁ ସେ ଚେଷ୍ଟା କରିଥିଲେ । ଗାଲିଲିଓଙ୍କ ଜଣେ ଛାତ୍ର ଭିନସେଞ୍ଜୋ ବିବାନୀ(Vincenzo Vivani) ଏକ ଜୀବନୀରେ ଲେଖିଛନ୍ତି ଯେ ଗାଲିଲିଓ ଦୁଇଟି ପେଣ୍ଡୁକୁ ବଙ୍କା ହୋଇ ଠିଆ ହୋଇଥିବା ପିସା ଟାୱାର(Leaning Tower of Pisa) ଉପରୁ ତଳକୁ ପକେଇଥିଲେ । ପେଣ୍ଡୁ ଦ୍ୱୟ ଏକ ପ୍ରକାର ପଦାର୍ଥରେ ଗଢ଼ା କିନ୍ତୁ ଦୁଇଟିର ଅଲଗା ଅଲଗା ବସ୍ତୁତ୍ୱ ଥିଲା । ଗାଲିଲିଓ ଦେଖେଇବାକୁ ଚାହୁଁଥିଲେ ଯେ ପେଣ୍ଡୁ ଦ୍ୱୟର ବସ୍ତୁତ୍ୱ ଅଲଗା ହବା ସତ୍ତ୍ୱେ ତଳେ ପଡ଼ିବା ସମୟ ଏକା ହବ । କିନ୍ତୁ ଆରିଷ୍ଟୋଟଲ ଭାବୁଥିଲେ ଯେ ଓଜନିଆ ବସ୍ତୁ ଶୀଘ୍ର ପଡ଼ିବ ଓ ହାଲୁକା ଡେରିରେ । କିଛି ଇତିହାସକାରଙ୍କ କହିବା ଅନୁଯାୟୀ ଏହିପରି କୌଣସି ପରୀକ୍ଷା ହେଇନଥିଲା । । କିନ୍ତୁ ଡ୍ରେକ(Drake)ଙ୍କ କହିବା ଅନୁଯାୟୀ ଏହି ପରୀକ୍ଷା ହୋଇଥିଲା , ଅଳ୍ପ ବହୁତେ ବିବାନୀ(Viviani) କହିବାପରି । ଉକ୍ତ ପରିକ୍ଷାଟି ପ୍ରକୃତରେ ସିମୋନ ଷ୍ଟିଭିନ(Simon Stevin) କରିଥିଲେ ୧୫୬୮ରେ ଏବଂ ବ୍ୟବହୃତ କୋଠାଟି ଥିଲା ଡେଲଫ୍ଟ(Delft) ଗୀର୍ଜାର ଟାୱାର ।
ଗାଲିଲିଓ ପତନଶୀଳ ବସ୍ତୁର ସମୟ ମାପିବା ପାଇଁ ଜଳଘଡିର ବ୍ୟବହାର କରୁଥିଲେ । ପେଣ୍ଡୁକୁ ଏକ ଅନତ ସମତଳ ଉପରେ ଗଡେଇ ଦେଉଥିଲେ ଓ ଭିନ୍ନ ଭିନ୍ନ ସ୍ଥାନରେ ପେଣ୍ଡୁଟି ପହଞ୍ଚିଲା ବେଳକୁ, ଜଳଘଡିରୁ କେତେ ବୁନ୍ଦା ଜଳ ତଳେ ପଡୁଥିଲା ମାପିନେଉଥିଲେ । ଭିନ୍ନ ଭିନ୍ନ ସମତଳ ପାଇଁ ସେ ପରୀକ୍ଷାର ପୁନରାବୃତ୍ତି କରିଥିଲେ । ଶେଷରେ ସେ ସିଦ୍ଧାନ୍ତରେ ଉପନୀତ ହେଲେଯେ, "ପତମାନ ବସ୍ତୁ ଅତିକ୍ରମ କରୁଥିବା ଦୂରତା, ତଦ୍ଦ୍ୱାରା ଅତିକ୍ରାନ୍ତ ହେଉଥିବା ସମୟର ବର୍ଗ ଅନୁସାରେ ପରିବର୍ତ୍ତିତ ହେଉଥାଏ ।" ଜଳଘଡି ସାହାଯ୍ୟରେ ପରୀକ୍ଷା କରି ସେ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ, ଆଜି ଆଧୁନିକ ସୂକ୍ଷ୍ମ ଇଲେକଟ୍ରୋନିକ୍ ଯନ୍ତ୍ର ସାହାଯ୍ୟରେ ସମୟ ମାପି ପରୀକ୍ଷା କଲେ ଜଣାଯାଏଯେ ତାଙ୍କ ସିଦ୍ଧାନ୍ତ ନିର୍ଭୁଲ ଥିଲା ।
ପ୍ରକ୍ଷିପ୍ତ ବସ୍ତୁର ଗତି ପରାବୋଲୀୟ ହେବ ବୋଲି ସେ ଦର୍ଶାଇଥିଲେ । ତା'ର ଭୂସମାନ୍ତର ପରିବେଗ ବଦଳିବ ନାହିଁ । ଭୂଲମ୍ବ ପରିବେଗ ପତମାନ ବସ୍ତୁର ପରିବେଗ ପରି ବଦଳିବ । ବନ୍ଧୁକ ଫୁଟିଲେ ଗୁଳି କେଉଁ ପଥ ଦେଇଯିବ ସେ ସଠିକ ଭାବେ ଦର୍ଶାଇଥିଲେ ।
କପରନିକସ(Copernicus)ଙ୍କ ସୌରକୈନ୍ଦ୍ରିକ(Heliocentric) ମତବାଦକୁ ସେ ସମର୍ଥନ କରିଥିଲେ । ସୂର୍ଯ୍ୟ କେନ୍ଦ୍ରରେ ସ୍ଥିର, ପୃଥିବୀ ଘୂରୁଛି । ଆପେକ୍ଷିକ ଗତି ଯୋଗୁଁ ଆମେ ପୃଥିବୀର ଘୁର୍ଣନ କଥା ଜାଣିପାରୁ ନାହୁଁ । ନାନା ପରୀକ୍ଷା ଓ ପ୍ରମାଣ ବଳରେ ସେ ଏହା ପ୍ରମାଣ କଲେ, କିନ୍ତୁ ତାଙ୍କ ବିରୋଧରେ ଜନମତ ଏତେ ପ୍ରବଳ ହେଲା ଯେ , ତାଙ୍କୁ ୧୫୯୧ରେ ପିସା ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଗଲା । କିନ୍ତୁ ବର୍ଷକ ପରେ ସେ ପଡୁଆ/ପଡ୍ୱା ବିଶ୍ୱବିଦ୍ୟାଳୟରେ (Padua University) ଗଣିତ ପ୍ରଫେସର ରୂପେ ନିଯୁକ୍ତି ପାଇଗଲେ । ତାଙ୍କ ଖ୍ୟାତି ଏତେ ପ୍ରସରି ଗଲା ଯେ ଇଉରୋପର ଚାରିଆଡୁ ଛାତ୍ର ତାଙ୍କ ନିକଟରେ ଅଧ୍ୟୟନ କରିବାକୁ ଆସିଲେ ।
ପଡୁଆରେ ଥିଲାବେଳେ ସେ ନିଜେ ଲେନ୍ସ(Lens) ତିଆରିକରି ଟେଲିସ୍କୋପ / ଦୂରବୀକ୍ଷଣ ଗଢ଼ିଲେ । ପ୍ରଥମେ ସେ ଘୋଷଣା କଲେ ଯେ ଚନ୍ଦ୍ରପୃଷ୍ଠ ସମତଳ ନୁହଁ । ପାହାଡ଼, ଉପତ୍ୟକାରେ ତାହା ପରିପୂର୍ଣ୍ଣ । ସେ ପ୍ରଥମେ ଗ୍ରହ ଓ ନକ୍ଷତ୍ର ମଧ୍ୟରେ ପ୍ରଭେଦ ଦର୍ଶାଇଲେ । ନକ୍ଷେତ୍ରର ନିଜର ଆଲୋକ ଅଛି, ଗ୍ରହଗୁଡ଼ିକ ଅନ୍ୟ ଉଜ୍ଜଳ ବସ୍ତୁର ଆଲୋକରେ ଆଲୋକିତ । ଛାୟାପଥରେ ଥିବା ଧଳା ଦାଗଗୁଡ଼ିକ ପ୍ରକୃତରେ ଅସଂଖ୍ୟ ନକ୍ଷତ୍ର । ଚନ୍ଦ୍ରରେ ପାହାଡ଼ର ଉଚ୍ଚତା ସେ ମାପିପାରିଥିଲେ । ବୃହସ୍ପତିର ଚନ୍ଦ୍ର ଥିବା କଥା ସେ କହିଥିଲେ । ତାଙ୍କ ସମ୍ମାନାର୍ଥେ ସେଗୁଡିକୁ ଗାଲିଲିଓଙ୍କ ଚନ୍ଦ୍ର କୁହାଯାଏ ।
ଦୁନିଆକୁ ବିଶ୍ୱ ଦର୍ଶନରେ ସାହାଯ୍ୟ କରିବାପାଇଁ ଯେ ଦୂରବୀକ୍ଷଣ ତିଆରି କରିଥିଲେ , ଶେଷରେ ଚକ୍ଷୁ ହରାଇ ଶେଷ ନିଶ୍ୱାସ ତ୍ୟାଗ କଲେ । ତାଙ୍କ ଜୀବନରେ ସେ ଆରିଷ୍ଟୋଟଲଙ୍କ ଅନେକ ଚିନ୍ତାଧାରାକୁ ଖଣ୍ଡନ କରିଥିଲେ । ବିଜ୍ଞାନ ସମ୍ରାଟ ନିଉଟନଙ୍କ ଆବିଷ୍କାର ଓ ଉଦ୍ଭାବନ ପାଇଁ ସେ ପଥ ଉନ୍ମୁକ୍ତ କରିଗଲେ । ଏହି ମହାତ୍ମାଙ୍କ କାନ୍ଧରେ ଠିଆ ହୋଇ ନିଉଟନ ଜ୍ଞାନ ରାଜ୍ୟରେ ଅଧିକ ଦୂରକୁ ଦୃଷ୍ଟି ନିକ୍ଷେପ କରିପାରିଥିଲେ । ଗାଲିଲିଓ ଆଧୁନିକ ପ୍ରୟୋଗାତ୍ମକ ବା ପରୀକ୍ଷାମୂଳକ ବିଜ୍ଞାନର ଭିତ୍ତି ସ୍ଥାପନ କରିଗଲେ ।
ଗାଲିଲିଓ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
This article uses material from the Wikipedia ଓଡ଼ିଆ article ଗାଲିଲିଓ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.