ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି ଉତ୍କଳ ବ୍ରାହ୍ମଣ ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡରେ ବସବାସ କରିଥାନ୍ତି । ଏହି ବ୍ରାହ୍ମଣଗୋଷ୍ଠୀଗୁଡ଼ିକର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ୯% ଭାଗ ଏହିମାନେ ଅଧିକାର କରିଛନ୍ତି । ଏମାନଙ୍କ ଗୁଣସୂତ୍ର ବା କ୍ରୋମୋଜୋମ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ । କୁହାଯାଏ କି ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲ। । ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ । କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗାମାନଙ୍କରେ ବାସ କରିବା ଆରମ୍ଭକଲେ। ଚୀନର ଦାର୍ଶନିକ ହୁଏନସାଂ ମଧ୍ୟ ତାଙ୍କ ଲେଖାରେ ଉତ୍କଳ ବ୍ରାହ୍ମଣମାନଙ୍କ ହୋମଯଜ୍ଞ ଓ ବୈତରଣୀ ନଦୀ କୁଳରୁ ଉଠୁଥିବା ହୋମ ଧୂଆଁ ବିଷୟରେ ବର୍ଣ୍ଣନା କରିଛନ୍ତି । ଉତ୍କଳ ବ୍ରାହ୍ମଣମାନଙ୍କର କିଛି ଉପନାମ ଦାଶ, ମିଶ୍ର, ରଥ, କର, ଆଚାର୍ଯ୍ୟ, ତ୍ରିପାଠୀ, ଷଡ଼ଙ୍ଗୀ, ଶର୍ମା, ଦାଶଶର୍ମା, ରଥଶର୍ମା, ନନ୍ଦ, ପଣ୍ଡା, ପାଢୀ, ପାଣି, ପାଣିଗ୍ରାହୀ, ପୁଜାପଣ୍ଡା, ବଡ଼ପଣ୍ଡା, ମହାପାତ୍ର, ଶତପଥୀ, ଓତା ଓ ହୋତା ଇତ୍ୟାଦି ।
ପ୍ରାଚୀନ କଳିଙ୍ଗରେ ଖୁବ ଅଳ୍ପସଂଖ୍ୟକ ବ୍ରାହ୍ମଣ ଥିଲେ ତଥା ସେମାନେ ତନ୍ତ୍ରବିଦ୍ୟା ଓ ଅଥର୍ବବେଦ ବିଶାରଦ ଥିଲେ । ବୌଦ୍ଧଧର୍ମ ଓ ଜୈନଧର୍ମର ପରାଜୟ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପୁରୀଠାରେ ପୂର୍ବାମ୍ନାୟ ଗୋବର୍ଦ୍ଧନମଠର ସ୍ଥାପନା ଫଳରେ ବହୁ ବ୍ରାହ୍ମଣବଂଶ କେନ୍ଦ୍ରୀୟ ଓ ଉତ୍ତର ଭାରତରୁ ଉତ୍କଳକୁ ଆସିଲେ । ୮ମ ଶତାବ୍ଦୀରେ କେଶରୀବଂଶର ରାଜା ଯଯାତିକେଶରୀ ଯାଜପୁରର ବୈତରଣୀ ନଦୀ ନିକଟରେ କାନ୍ୟକୁବ୍ଜରୁ ଆସିଥିବା ବ୍ରାହ୍ମଣଙ୍କଦ୍ୱାରା ୧୦ଟି ଅଶ୍ୱମେଧ ଯାଗ କରାଇ ବ୍ରାହ୍ମଣଙ୍କୁ ବହୁ ନିଷ୍କର ଭୂମିଦାନ ଦେଇଥିଲେ । କ୍ରମେ ଗଙ୍ଗବଂଶ ରାଜୁତି ସମୟରେ ଦକ୍ଷିଣରୁ ମଧ୍ୟ ବ୍ରାହ୍ମଣମାନେ ଆସିଲେ । ମଧ୍ୟଯୁଗରେ ଉଜ୍ଜୟିନୀ, ପ୍ରୟାଗ, କାଶୀ, ମଗଧର ଟକାରୀ, ହସ୍ତୀଗ୍ରାମ, ଗୟା, ମିଥିଳା ଆଦି ସ୍ଥାନରୁ ମୋଗଲ ଆକ୍ରମଣରୁ ବଞ୍ଚିବା ପାଇଁ ଅନେକ ପରିବାର ଉତ୍କଳକୁ ଆସିଥିଲେ । କେଶରୀବଂଶର ସନନ୍ଦଗୁଡିକରେ ଭଟ୍ଟଗ୍ରାମ, ଭଟ୍ଟାଗ୍ରହାର ବା ଭଟ୍ଟଶାସନର ନାମ ଦେଖିବାକୁମିଳେ । ଭଟ୍ଟର ଅର୍ଥ ବିଦ୍ୱାନ୍ ବ୍ରାହ୍ମଣ ହୋଇଥିବାରୁ ଏହି ଗ୍ରାମ, ଅଗ୍ରହାର, ଶାସନଗୁଡ଼ିକ ସେହିମାନଙ୍କଦ୍ୱାରା ଅଧିକୃତ ହୋଇଥିଲା ବୋଲି ଜଣାଯାଏ ।
ଶିବ ପୁରାଣ ଏବଂ କାଶ୍ମୀର ରାଜାଙ୍କ ଦରବାରରେ କବି କହ୍ଳଣଙ୍କଦ୍ୱାରା ୧୨ଶ ଶତାବ୍ଦୀରେ ରଚିତ ରାଜତରଙ୍ଗିଣୀ ଅନୁସାରେ ହିନ୍ଦୁ ବ୍ରାହ୍ମଣମାନେ ଭୌଗୋଳିକ ଭାବରେ ୧୦ ଭାଗରେ ବିଭକ୍ତ । ଯଥା-ସାରସ୍ୱତ, କାନ୍ୟକୁବ୍ଜ, ଗୌଡ଼, ମୈଥିଳ, ଉତ୍କଳ (ପଞ୍ଚ ଗୌଡ଼), ଗୁର୍ଜ୍ଜର, ମହାରାଷ୍ଟ୍ର, ତୈଲଙ୍ଗ, କର୍ଣ୍ଣାଟ ଏବଂ ଦ୍ରାବିଡ଼ (ପଞ୍ଚ ଦ୍ରାବିଡ଼) ।
ରାଜତରଙ୍ଗିଣୀର ଶ୍ଲୋକ ଅନୁସାରେ:
ଏହାର ଅର୍ଥ ବିନ୍ଧ୍ୟପର୍ବତର ଦକ୍ଷିଣକୁ ଥିବା (ବିନ୍ଧ୍ୟ ପର୍ବତ ନର୍ମଦା ଉପତ୍ୟକା ଏବଂ ଆଧୁନିକ ମଧ୍ୟପ୍ରଦେଶରେ ଅବସ୍ଥିତ) ରାଜ୍ୟମାନଙ୍କରେ ଥିବା କର୍ଣ୍ଣାଟକ, ତୈଲଙ୍ଗ ବା ତେଲୁଗୁ ବ୍ରାହ୍ମଣବର୍ଗ, ମହାରାଷ୍ଟ୍ରୀୟ, ଗୁର୍ଜ୍ଜର ବା ଗୁଜରାଟୀ, ଦ୍ରାବିଡ଼ ବା ତାମିଲ, ମାଲାୟାଲାମ ବ୍ରାହ୍ମଣବର୍ଗ ପଞ୍ଚ ଦ୍ରାବିଡ଼ରେ ଅନ୍ତର୍ଭୁକ୍ତ । ପୁନଶ୍ଚ ବିନ୍ଧ୍ୟର ଉତ୍ତର ଭାଗରେ ଥିବା ବ୍ରାହ୍ମଣମାନଙ୍କ ମଧ୍ୟରେ ସାରସ୍ୱତ ବା କାଶ୍ମୀର/ପଞ୍ଜାବ, କାନ୍ୟକୁବ୍ଜ ବା ଗାଙ୍ଗେୟ ସମତଳର ବ୍ରାହ୍ମଣବର୍ଗ, ଗୌଡ଼ ବା ହରିୟାଣା ଓ ରାଜସ୍ଥାନ, ଉତ୍କଳ ବା ଓଡ଼ିଶା, ମୈଥିଳ ବା ଉତ୍ତର ବିହାର ଏବଂ ନେପାଳର ବ୍ରାହ୍ମଣବର୍ଗ ପଞ୍ଚଗୌଡ଼ ବ୍ରାହ୍ମଣ ଅନ୍ତର୍ଭୁକ୍ତ।
ମୁକ୍ତିମଣ୍ଡପ ସଭାଦ୍ୱାରା ଉତ୍କଳୀୟ ବ୍ରାହ୍ମଣଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି:
ଏହା ମଧ୍ୟ ଭୌଗୋଳିକ ଆଚାର ବ୍ୟବହାର ଅନୁସାରେ ଦୁଇଭାଗରେ ବିଭକ୍ତ । ଯଥା:
ଏହାର ତିନୋଟି ବର୍ଗ ରହିଛି। ଯଥା:
ହଳୁଆମାନେ ମୁଖ୍ୟତଃ କର୍ମକାଣ୍ଡ, ବେଦଶାସ୍ତ୍ରାଦି ଅଧ୍ୟୟନ, ଅଧ୍ୟାପନା, ଯଜ୍ଞ-ହୋମାଦି, ଦାନ, ପ୍ରତିଗ୍ରହ କରିପାରନ୍ତି ନାହିଁ । ଅନେକ ବର୍ଷତଳୁ ଏମାନେ ନିଜର ମୁଖ୍ୟ ବୃତ୍ତି ତ୍ୟାଗ କରି କୃଷି, ବାଣିଜ୍ୟାଦି କରୁଥିବାର ଜଣାଯାଏ । କେବଳ ଏମାନେ ବ୍ରାହ୍ମଣ ନିୟମ ପାଳନ କରିଥାନ୍ତି । ଉପରୋକ୍ତ ସାରୁଆ ଓ ଦାନୁଆ ଗୋଷ୍ଠୀ ପରବର୍ତ୍ତୀ କାଳରେ ଏମାନଙ୍କ ସହ ବୈବାହିକ ସମ୍ପର୍କ ତ୍ୟାଗ କରିଛନ୍ତି ।
ଉତ୍କଳ ବ୍ରାହ୍ମଣଗଣ ମୁଖ୍ୟତଃ ବେଦ ବା ଶ୍ରୌତ ପରମ୍ପରା ପାଳନ କରନ୍ତି । ପ୍ରତ୍ୟେକ ବ୍ରାହ୍ମଣ ପରିବାର କୌଣସି ଗୋଟିଏ ବୈଦିକଶାଖାର କଳ୍ପସୂତ୍ରକୁ ଅବଲମ୍ବନ କରି ନିଜର ଷୋହଳ ସଂସ୍କାର, ପୂଜାପର୍ବ, ଗାୟତ୍ରୀ ଉପାସନା, ପଇତା, ଶ୍ରାଦ୍ଧ ଆଦି କରିଥାନ୍ତି । ଓଡ଼ିଶାରେ ଚାରିବେଦର ବ୍ରାହ୍ମଣ ବାସକରନ୍ତି । ସେମାନଙ୍କ ଶାଖା ଓ ତତ୍ ସମ୍ପର୍କିତ କଳ୍ପସୂତ୍ର ନିମ୍ନରେ ଦିଆଗଲା:
'ଅଭିବାଦନ ଶୀଳସ୍ୟ' ବୋଲି ଗୋଟିଏ ଆର୍ଷ ଉକ୍ତି ରହିଛି । ଏହି ଅଭିବାଦନଦ୍ୱାରା ବ୍ରାହ୍ମଣସନ୍ତାନଙ୍କ ବଂଶ ପରିଚୟ ମିଳିଥାଏ । ଏହି ଅଭିବାଦନ ମଧ୍ୟରେ ବ୍ୟକ୍ତିର ନାମ, ଗୋତ୍ର, ପ୍ରବର, ବେଦ, ଶାଖା, କଳ୍ପସୂତ୍ର ଆଦି ଉଲ୍ଲେଖ କରାଯାଇଥାଏ । ଉଦାହରଣ ସ୍ୱରୂପ: "ଅଭିବାଦୟେ ଭାର୍ଗବ-ଚ୍ୟବନ-ଅପ୍ନବାନ-ଔର୍ବ-ଜାମଦଗ୍ନ୍ୟ ପଞ୍ଚାର୍ଷେୟ ପ୍ରବରାନ୍ୱିତ ବତ୍ସସ୍ୟ ଗୋତ୍ର ଉତ୍ପନ୍ନ ଶୁକ୍ଳଯଜୁର୍ବେଦୀୟ ବାଜସନେୟୀ କାଣ୍ୱଶାଖା କାତ୍ୟାୟନ କଳ୍ପସୂତ୍ରାଧ୍ୟାୟୀ ଦିବ୍ୟସିଂହ ଦେବଶର୍ମା ଅହଂ ଭୋଃ ଆଚାର୍ଯ୍ୟ/ଦେବଃ/ଦେବୀ" ।
ନିଜର ବଂଶର ପ୍ରବର୍ତ୍ତକ ବା ଆଦି ପିତାଙ୍କ ନାମରେ ଗୋତ୍ର ପ୍ରଚଳନ ହୋଇଥାଏ । ଉତ୍କଳର ସମସ୍ତ ବ୍ରାହ୍ମଣବର୍ଗ ସପ୍ତଋଷିଙ୍କର ବଂଶଧର ଅଟନ୍ତି । ଏହି ସପ୍ତର୍ଷିମାନେ ହେଲେ ଅତ୍ରି, ଭୃଗୁ, ଅଙ୍ଗିରା, କାଶ୍ୟପ, ବଶିଷ୍ଠ, ବିଶ୍ୱାମିତ୍ର ଏବଂ ଅଗସ୍ତ୍ୟ । ଦୈନିକ ତ୍ରିସନ୍ଧ୍ୟା ଗାୟତ୍ରୀ ଜପ ସମୟରେ ତଥା ବୈଦିକ ସଂସ୍କାର (ବ୍ରତଘର, ବିବାହ, ନାମକରଣ ଆଦି) ସମୟରେ ଗୋତ୍ର ବିଚାର କରାଯାଏ । ହିନ୍ଦୁ ଧର୍ମଶାସ୍ତ୍ର ଯଥା ଗୃହ୍ୟ ସୂତ୍ର ଅନୁସାରେ ଭାଇଭଉଣୀ ହିସାବ ହେତୁ ସମ ଗୋତ୍ର/ସମ ବଂଶରେ ବିବାହ ନିଷିଦ୍ଧ । ତେଣୁ ଅନ୍ୟ ଋଷିଙ୍କ ଗୋତ୍ରର କନ୍ୟା ବା ବର ସହ ବିବାହ ପାଇଁ ନିର୍ଦ୍ଦେଶ ଅଛି ।
ପ୍ରତ୍ୟେକ ଗୋତ୍ରର ଗୋତ୍ରପିତା ଋଷିଙ୍କର ପୁଅ, ନାତି, ଅଣନାତି ଆଦିଙ୍କୁ ନେଇ ପ୍ରବର ଗଠିତ । କୌଣସି ଗୋତ୍ରର ତିନୋଟି ପ୍ରବର ଥିଲାବେଳେ କୌଣସି ଗୋତ୍ରର ପଞ୍ଚୋଟି, ସାତୋଟି ପ୍ରବର ମଧ୍ୟ ଥାଏ । ଗୋତ୍ର ବିଚାର ସମୟରେ ଗୋତ୍ରପିତା ଋଷିଙ୍କର ପୁତ୍ର, ପୌତ୍ର ବା ପ୍ରବର ଋଷିଙ୍କର ମଧ୍ୟ ବିଚାର କରାଯାଏ । ଏହି ପ୍ରବର ଋଷି ସମାନ ଥିଲେ ଏକ ବଂଶ ଅନ୍ତର୍ଗତ ଗୋତ୍ର ବୋଲି ଧରାଯାଏ ଏବଂ ବିବାହ ହୁଏନାହିଁ ।
ନିମ୍ନରେ ଉତ୍କଳ ବ୍ରାହ୍ମଣ ସମାଜରେ ପ୍ରଚଳିତ କେତୋଟି ଗୋତ୍ରର ପ୍ରବର ଦିଆଗଲା ।
ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପ ଉତ୍କଳ ବ୍ରାହ୍ମଣମାନଙ୍କର ଗୋଟିଏ ମୁଖ୍ୟ ଅନୁଷ୍ଠାନ । ଗୋବର୍ଦ୍ଧନ ପୀଠର ମୁଖ୍ୟ ଶଙ୍କରାଚାର୍ଯ୍ୟ ଏହାର ମୁଖ୍ୟ ବ୍ୟାବସ୍ଥାପକ ଓ ସଞ୍ଚାଳକ । ଏହି ମଣ୍ଡପ କପିଳେନ୍ଦ୍ର ଦେବ ଓ ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଅନେକ ପୁନଃନିର୍ମାଣ କରାଯାଇଥିଲା । ପୁରୀ ନିକଟବର୍ତ୍ତୀ ୧୬ଟି ବ୍ରାହ୍ମଣ ଗ୍ରାମକୁ ଷୋହଳ ଶାସନ ନାମ ଦିଆହୋଇଛି । ଏହିସବୁ ଗ୍ରାମର ପଣ୍ଡିତମାନେ ମୁକ୍ତିମଣ୍ଡପର ଅଧ୍ୟକ୍ଷତା କରନ୍ତି ।
ଉତ୍କଳୀୟ ବ୍ରାହ୍ମଣମାନେ ପାଳୁଥିବା ପବପର୍ବାଣି ମଧ୍ୟରେ ପଣା ସଙ୍କ୍ରାନ୍ତି (ନବବର୍ଷ), ଜ୍ୟେଷ୍ଠମାସରେ ଅନୁଷ୍ଠିତ ଶୀତଳ ଷଷ୍ଠୀ (ଶିବବିବାହ), ଚମ୍ପକଦ୍ୱାଦଶୀ (କୃଷ୍ଣରୁକ୍ମିଣୀ ବିବାହ), ରଥଯାତ୍ରା, ଗହ୍ମା ପୁନେଇ, ଜନ୍ମାଷ୍ଟମୀ, ବାଲି ତୃତୀୟା, ଗଣେଶ ପୂଜା, ମହାଳୟା (ମଉଳାଶ୍ରାଦ୍ଧ), ଦୁର୍ଗାପୂଜା, କୁମାର ପୂର୍ଣ୍ଣିମା, ଦୀପାବଳୀ (ପୟାଶ୍ରାଦ୍ଧ), କାର୍ତ୍ତିକ ପୁନେଇ, ପ୍ରଥମାଷ୍ଟମୀ, ମାଣବସା ଗୁରୁବାର, ମକର ସଂକ୍ରାନ୍ତି, ଶ୍ରୀପଞ୍ଚମୀ, ଜାଗର ଅମାବାସ୍ୟା, ଚଇତି ମଙ୍ଗଳବାର ଆଦି ।
ଓଡ଼ିଶା ଏକ ସମୁଦ୍ରତଟବର୍ତ୍ତୀ ଓ ନଦନଦୀ ଭରା ରାଜ୍ୟ ହୋଇଥିବାରୁ ଏଠାକାର ବାସିନ୍ଦାମାନେ ଆମିଷାଶୀ । ଅନେକ ବୈଦିକ ବ୍ରାହ୍ମଣମାନେ ଏବେପର୍ଯ୍ୟନ୍ତ ନିରାମିଷାଶୀ । ତେବେ ଅନେକ ବ୍ରାହ୍ମଣବର୍ଗ ଶାକ୍ତ/ଦେବୀପୂଜକ ଥିବାରୁ ଏବଂ ବଳିପ୍ରଥାର ପ୍ରଚଳନ ଥିବାରୁ ମାଛ, ମାଂସ ଆଦି ନୈବେଦ୍ୟ ଭାବରେ ଖାଇଥାନ୍ତି । ମାଂସ ଭିତରେ କେବଳ ଛେଳିମାଂସ ଖାଇବା ପ୍ରଚଳନ ରହିଛି । ଅନେକ ଶାକ୍ତ/ତାନ୍ତ୍ରିକ ପରିବାରମାନଙ୍କରେ ଛେଳି ବ୍ୟତୀତ କୁକୁଡ଼ା, ବାରହା, ହରିଣ ଆଦି ମାଂସ ତଥା ଅଣ୍ଡା ଖିଆଯାଏନାହିଁ । ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟପେୟ ଓ ରାନ୍ଧଣା ସହ ଉତ୍କଳ ବ୍ରାହ୍ମଣ ଖାଦ୍ୟପେୟର ସାମଞ୍ଜସ୍ୟ ରହିଛି । କେତେକ କ୍ଷେତ୍ରରେ ପିଠାପଣା, ଭାତତିଅଣ ଆଦି ପିଆଜ, ରସୁଣାବିହୀନ ହୋଇଥାଏ ।
This article uses material from the Wikipedia ଓଡ଼ିଆ article ଉତ୍କଳ ବ୍ରାହ୍ମଣ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.