ସ୍କନ୍ଧ ପୁରାଣ, ପୁରାଣ ମାନଙ୍କରେ ସବୁଠାରୁ ବଡ଼ ପୁରାଣ ଅଟେ । ଏହି ପୁରାଣରେ ୮୮୧୦୦ ଶ୍ଲୋକ ଅଛି । ଏହି ପୁରାଣକୁ ସ୍କନ୍ଧ, ଶିବ ଓ ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କହିଥିବାରୁ ଏହାର ନାମ ତାଙ୍କ ଅନୁସାରେ ସ୍କନ୍ଧ ଦିଆଯାଇଥିଲା । ଏହା ସାତଟି ଖଣ୍ଡରେ ବିଭକ୍ତ ଅଟେ - ମହେଶ୍ୱର, ବୈଷ୍ଣବ, ବ୍ରହ୍ମା, କାଶୀ, ଅବନ୍ତି, ନଗର ଓ ପ୍ରଭାସ । କାର୍ତ୍ତିକ ଦେବତାଙ୍କ ସେନାକୁ ନିୟନ୍ତ୍ରଣ କରୁଥିଲେ ଓ ତାଡ଼କାସୁରକୁ ମାରିଥିଲେ ।
ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ବିଷୟବସ୍ତୁ ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଧ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା ଜଣାଯାଏ । ବିଦ୍ୱାନ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ ।
ସ୍କନ୍ଧ ପୁରାଣର ସମସ୍ତ ବିଷୟବସ୍ତୁକୁ ଦୁଇଟି ଦୃଷ୍ଟିକୋଣରୁ ବିଭକ୍ତ କରାଯାଇପାରେ । ଗୋଟିଏ ପ୍ରକାରର ବର୍ଗୀକରଣ ଅନୁସାରେ ସାତଟି ସଂହିତା ମଧ୍ୟରେ ଅନେକ କାଣ୍ଡ ରହିଥିବା କଳ୍ପନା କରାଯାଇପାରେ । ଅନ୍ୟ ଏକ ଦୃଷ୍ଟିକୋଣରୁ ଏହାକୁ ତୀର୍ଥସ୍ଥଳମାନଙ୍କ ଅନୁସାରେ ୭ଟି ଖଣ୍ଡରେ ବିଭକ୍ତ କରାଯାଇପାରେ । ଏହାର ଅଧ୍ୟାୟଗୁଡିକ ତୀର୍ଥସ୍ଥଳର ବିବରଣୀ ପ୍ରଦାନ କରନ୍ତି ଓ ଏମାନଙ୍କୁ ମହାତ୍ମ୍ୟ ମଧ୍ୟ କୁହାଯାଏ ।
ମହେଶ୍ୱର ଖଣ୍ଡରେ ମୁଖ୍ୟତଃ ତିନୋଟି ଉପଖଣ୍ଡ ରହିଛି । ୩୫ ଅଧ୍ୟାୟବିଶିଷ୍ଟ କେଦାର ଖଣ୍ଡ, ୬୬ ଅଧ୍ୟାୟର କୌମାରିକା ଖଣ୍ଡ, ୩୭ ଅଧ୍ୟାୟବିଶିଷ୍ଟ ଅରୁଣାଚଳ ଖଣ୍ଡ ଏହାର ଅଂଶ । ମହେଶ୍ୱର ଖଣ୍ଡରେ ଲିଖିତ ଶ୍ଳୋକଗୁଡିକ ଶିବଙ୍କ ସ୍ତୁତିଗାନ ସହିତ ଶିବଙ୍କ ସମ୍ପର୍କିତ ଅନେକ ପୌରାଣିକ କଥାର ବର୍ଣ୍ଣନା କରିଛନ୍ତି । ମହାଶିବରାତ୍ରରେ ଉପବାସ କାହିଁକି ରଖାଯାଏ, ଭଗବାନ ଶିବଙ୍କ ଉପାସନା ଓ ସେବା କଲେ କଣ ସୁଫଳ ପ୍ରାପ୍ତ ହୋଇଥାଏ ଇତ୍ୟାଦିର ବିବରଣୀ ମହେଶ୍ୱର ଖଣ୍ଡରେ ରହିଛି । ଋଷି ଲୋମେଶ ଓ ସୁତଜି ଏହି ସବୁ ଶ୍ଳୋକର ବର୍ଣ୍ଣନା କରୁଛନ୍ତି । ସ୍କନ୍ଧପୁରାଣର ମହେଶ୍ୱର ଖଣ୍ଡରେ ରହିଥିବା ପୌରାଣିକ କଥା ମଧ୍ୟରୁ କେତେକ ପ୍ରମୁଖ ବିଷୟବସ୍ତୁ ହେଲେ –
୧. ଦକ୍ଷଙ୍କ ଶିବଙ୍କ ପ୍ରତି ଘୃଣା ପ୍ରଦର୍ଶନ, ଦକ୍ଷଙ୍କ ଯଜ୍ଞକୁଣ୍ଡରେ ସତୀଙ୍କ ଆତ୍ମାହୁତି ଓ ବୀରଭଦ୍ରଦ୍ୱାରା ଯଜ୍ଞସ୍ଥଳ ଧ୍ୱଂସ କରିବାର କାହାଣୀ
୨. ଦେବତା ଓ ଅସୁରମାନଙ୍କଦ୍ୱାରା ସମୁଦ୍ରର ମନ୍ଥନ ଓ ସେଥିରୁ ବାହାରିଥିବା ଅମୃତର ବିତରଣ
୩. ତାଡକାସୁରକୁ ବ୍ରହ୍ମାଙ୍କ ବରଦାନ, ଶିବ ପାର୍ବତୀଙ୍କ ଭକ୍ତିର ପରୀକ୍ଷା ନେବା, ଶିବ-ପାର୍ବତୀଙ୍କ ବିବାହ, ସପ୍ତର୍ଷିଙ୍କ ଆଗମନ, କାର୍ତ୍ତିକେୟଙ୍କ ଜନ୍ମ ବୃତ୍ତାନ୍ତ, କାର୍ତ୍ତିକେୟଙ୍କଦ୍ୱାରା ତାଡକାସୁର ବଧ ହେବା ଓ ତାଡକାସୁରର ହତ୍ୟା କରିବା ପରେ କାର୍ତ୍ତିକେୟଙ୍କ ଅନୁତାପ
୪. ପ୍ରଳମ୍ବାସୁର ବଧ କାହାଣୀ
୫. କାଳଭୀତିର ଜନ୍ମ ବୃତ୍ତାନ୍ତ ଓ ସେ ମହାକାଳେଶ୍ୱରଙ୍କ ଉପାସନା କରି କାଳର ଭୟରୁ ମୁକ୍ତ ହେବାର କାହାଣୀ, କରନ୍ଧମର ପ୍ରଶ୍ନାବଳୀ
୬. ଅରୁଣାଚଳ ଶିବଲିଙ୍ଗର ମାହାତ୍ମ୍ୟ, ଶିବଙ୍କଦ୍ୱାରା ସୃଷ୍ଟିର ରଚନା, ଶୂମ୍ଭ-ନିଶୂମ୍ଭ-ମହିଷାସୁର ବଧ କାହାଣୀ, ଦେବୀ ପାର୍ବତୀଙ୍କ ଉପରେ ଅରୁଣାଚଳେଶ୍ୱର ପ୍ରସନ୍ନ ହେବା
ବୈଷ୍ଣବ ଖଣ୍ଡରେ ମୁଖ୍ୟତଃ ୯ଟି ଭାଗ ରହିଛି । ସେଗୁଡିକ ହେଲେ - ଭେଙ୍କଟାଚଳ ମହାତ୍ମ୍ୟ (୪୦ ଅଧ୍ୟାୟ), ପୁରୁଷୋତ୍ତମ ମହାତ୍ମ୍ୟ (୪୯ ଅଧ୍ୟାୟ), ବଦ୍ରିକାଶ୍ରମ ମହାତ୍ମ୍ୟ (୮ ଅଧ୍ୟାୟ), କାର୍ତ୍ତିକମାସ ମହାତ୍ମ୍ୟ (୩୬ ଅଧ୍ୟାୟ), ମାର୍ଗଶୀରମାସ ମହାତ୍ମ୍ୟ (୧୭ ଅଧ୍ୟାୟ), ଭାଗବତ ମହାତ୍ମ୍ୟ (୪ ଅଧ୍ୟାୟ), ବୈଶାଖ ମହାତ୍ମ୍ୟ (୨୫ ଅଧ୍ୟାୟ), ଅଯୋଧ୍ୟା ମହାତ୍ମ୍ୟ (୧୦ ଅଧ୍ୟାୟ), ବାସୁଦେବ ମହାତ୍ମ୍ୟ (୩୨ ଅଧ୍ୟାୟ) ।
ବୈଷ୍ଣବ ଖଣ୍ଡର ପ୍ରାରମ୍ଭରେ ଭଗବାନ ବିଷ୍ଣୁଙ୍କ ବରାହ ଅବତାରର ପୂଜା ଓ ମନ୍ତ୍ର ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ମନ୍ତ୍ରଟିକୁ ପ୍ରଭୁ ବରାହ ପୃଥ୍ୱୀର ଜିଜ୍ଞାସାକୁ ସନ୍ତଷ୍ଟ କରିବା, ପଦ୍ମାବତୀ ପ୍ରଭୁ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗିନୀ ହେବା ଇତ୍ୟାଦି ପୌରାଣିକ କଥାର ବସନରେ ଆବୃତ୍ତ କରି ପ୍ରକାଶ କରାଯାଇଛି । ବରାହଙ୍କ ମନ୍ତ୍ର ପରେ ବୈଷ୍ଣବ ଖଣ୍ଡରେ ପରୀକ୍ଷିତଙ୍କ କାହାଣୀ, କୃଷ୍ଣ ତୀର୍ଥ, ଆକାଶଗଙ୍ଗା ତୀର୍ଥ, ଆକାଶଗଙ୍ଗାରେ ଅଞ୍ଜନାଙ୍କ ତପସ୍ୟା, ଭେଙ୍କଟାଚଳ ପର୍ବତ ଓ ଏହା ନିକଟବର୍ତ୍ତୀ ତୀର୍ଥସ୍ଥଳମାନଙ୍କ ବିବରଣୀ ରହିଛି ।
ବୈଷ୍ଣବ ଖଣ୍ଡର ପରବର୍ତ୍ତୀ କିଛି ଶ୍ଳୋକ ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ଉପରେ ପର୍ଯ୍ୟବସିତ । ଏହି ଅଂଶରେ ଋଷି ଜାମିନୀ ଅନ୍ୟ ଋଷିଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ପୁରୁଷୋତ୍ତମ କ୍ଷେତ୍ର ବିଷୟରେ କହିଛନ୍ତି । ପୁରୁଷୋତ୍ତମ କ୍ଷେତ୍ରକୁ ଯିବା ପାଇଁ ବ୍ରହ୍ମାଙ୍କୁ ବିଷ୍ଣୁ ପ୍ରସ୍ତାବ ଦେବା, ପୁରୁଷୋତ୍ତମ କ୍ଷେତ୍ରର ନାମ ଶୁଣି ବ୍ରହ୍ମାଙ୍କ କ୍ଷୋଭ ପ୍ରକାଶ କରିବା, ପ୍ରଳୟ ପରେ ଋଷି ମାର୍କଣ୍ଡେୟ ଭାସି ଆସି ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିବା ଓ ସେଠାରେ ବିଷ୍ଣୁଙ୍କ ପୂଜା କରିବାର କାହାଣୀ ବର୍ଣ୍ଣିତ ହୋଇଛି । ଏହାର ପରବର୍ତ୍ତୀ କିଛି ଶ୍ଳୋକରେ ପୁରୁଷୋତ୍ତମ କ୍ଷେତ୍ର ନିକଟବର୍ତ୍ତୀ ପବିତ୍ର ତୀର୍ଥସ୍ଥାନମାନଙ୍କ ବିଷୟରେ କୁହାଯାଇଛି । ଏହାପରେ ଇନ୍ଦ୍ରଦ୍ୟୁମ୍ନ, ବିଶ୍ୱାବସୁ, ବିଦ୍ୟାପତି ଇତ୍ୟାଦି ପୌରାଣିକ ଚରିତ୍ରଙ୍କ ସହାୟତାରେ ନୀଳମାଧବ ଓ ଜଗନ୍ନାଥଙ୍କ ବୃତ୍ତାନ୍ତ ବର୍ଣ୍ଣିତ ହୋଇଛି । ତାହା ସହିତ ପୁରୁଷୋତ୍ତମ କ୍ଷେତ୍ର ନିକଟବର୍ତ୍ତୀ ଏକାମ୍ର କ୍ଷେତ୍ର ଓ ରଥଯାତ୍ରା ସମ୍ପର୍କିତ କିଛି ବିବରଣୀ ମଧ୍ୟ ପ୍ରଦାନ କରାଯାଇଛି । ଜଗନ୍ନାଥଙ୍କ କଥାର ଏକ ଦୃଷ୍ଟିକୋଣ ସ୍କନ୍ଧ ପୁରାଣରେ ରହିଥିବାରୁ ଜଗନ୍ନାଥ ସଂସ୍କୃତିରେ ଏହାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।
ବୈଷ୍ଣବ ଖଣ୍ଡରେ ଏହା ପରେ ଦ୍ୱାରିକା କ୍ଷେତ୍ରର ମାହାତ୍ମ୍ୟ, ହିନ୍ଦୁମାନଙ୍କ ପାଇଁ କାର୍ତ୍ତିକ, ମାର୍ଗଶୀର, ବୈଶାଖ ଆଦି ମାସର ମହତ୍ତ୍ୱ ଓ ଅଯୋଧ୍ୟାପୁରୀ ବିଷୟରେ କେତେକ ଶ୍ଳୋକ ରହିଛି ।
ରାମେଶ୍ୱର କ୍ଷେତ୍ରର ମାହାତ୍ମ୍ୟ, ବାନରମାନଙ୍କ ସେତୁ ବନ୍ଧନ, ରାମେଶ୍ୱର ଲିଙ୍ଗର ସ୍ଥାପନା ଇତ୍ୟାଦି ବର୍ଣ୍ଣିତ ।
ଧର୍ମାରଣ୍ୟ କ୍ଷେତ୍ରର ମାହାତ୍ମ୍ୟ ବିଷୟରେ ଏଠାରେ କୁହାଯାଇଛି ।
କଳିଯୁଗରେ କିପରି ନୈତିକ ମୂଲ୍ୟବୋଧର ଅଧପତନ ହେବ, ଚତୁର୍ମାସିଆ ବ୍ରତର ମହତ୍ତ୍ୱ, ଚତୁର୍ମାସରେ କାମ ଓ ଅର୍ଥରୁ ଦୂରରେ ରହି ଧର୍ମର ପଥରେ କାହିଁକି ଯିବା ଦରକାର, ଷୋଡଶ ଉପଚାରର ବିଧି ଇତ୍ୟାଦି ସମ୍ପର୍କିତ ତଥ୍ୟାବଳୀ ବ୍ରହ୍ମ ଖଣ୍ଡରେ ରହିଛି ।
ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ପୂର୍ବାର୍ଦ୍ଧ ଓ ଉତ୍ତରାର୍ଦ୍ଧରେ ୫୦ଟି ଲେଖାଏଁ ଅଧ୍ୟାୟ ରହିଛି ।
ବିନ୍ଧ୍ୟାଚଳ ସୂର୍ଯ୍ୟଙ୍କ ବାଟରେ ବାଧକ ହେବା ଓ ପରେ ଅଗସ୍ତ୍ୟ ଋଷିଙ୍କ ଆଦେଶକ୍ରମେ ନିଜ ଆକାର ଛୋଟ କରିବା, ତୀର୍ଥଯାତ୍ରୀଙ୍କ ପାଇଁ କାଶୀ ଭ୍ରମଣ କରିବା ଅତି ପବିତ୍ର କାହିଁକି ଓ କାଶୀର ସୃଷ୍ଟି କିପରି ହେଲା ଇତ୍ୟାଦି ଅନେକ କାହାଣୀରେ ଏହି ଖଣ୍ଡଟି ପରିପୂର୍ଣ୍ଣ ।
ଏହାର ପ୍ରଧାନ ବିଭାଗଗୁଡ଼ିକ ହେଲେ - ଅବନ୍ତୀକ୍ଷେତ୍ର ମହାତ୍ମ୍ୟ (୭୧ ଅଧ୍ୟାୟ), ଚତୁରଶିତିଲିଙ୍ଗ ମହାତ୍ମ୍ୟ (୮୪ ଅଧ୍ୟାୟ), ରେବା ଖଣ୍ଡ (୨୩୨ ଅଧ୍ୟାୟ) ।
ସନତ କୁମାର ମହାକାଳ ତୀର୍ଥର ଗୁଣଗାନ କରିବା, କପାଳ ମୋଚନ ମହାଦେବ, ଉଜ୍ଜୈନ ନଗରୀର ଅନ୍ୟାନ୍ୟ ନାମ, ଅବନ୍ତୀପୁରୀର ମାହାତ୍ମ୍ୟ, ନର୍ମଦା ନଦୀର ଭୂପୃଷ୍ଠରେ ଅବତରଣ, ପୁରୁକୁତ୍ସୁ ଓ ନର୍ମଦାଙ୍କ ବିବାହ, ନର୍ମଦାଙ୍କଠାରୁ ମନୁଙ୍କ ବରପ୍ରାପ୍ତି, ଋଷି ଜମଦଗ୍ନି କାମଧେନୁ ପ୍ରାପ୍ତ କରିବା ଇତ୍ୟାଦି କାହାଣୀମାନ ଏହି ଖଣ୍ଡରେ ବର୍ଣ୍ଣିତ । ଏତତ୍ ବ୍ୟତୀତ ନର୍କର ଏକ ବିବରଣୀ ମଧ୍ୟ ଉକ୍ତ ଖଣ୍ଡରେ ରହିଛି ।
ବିଶ୍ୱାମିତ୍ରଙ୍କ ପୁତ୍ରମାନଙ୍କଦ୍ୱାରା ତ୍ରିଶଙ୍କୁ ଶାପିତ ହେବା, ବିଶ୍ୱାମିତ୍ର ନୂଆ ସୃଷ୍ଟି ରଚନା କରିବା ଇତ୍ୟାଦି କଥା ନଗର ଖଣ୍ଡରେ ରହିଛି ।ନଗର ଖଣ୍ଡରେ ସମୁଦାୟ ୨୭୯ଟି ଅଧ୍ୟାୟ ରହିଛି ।
୪୯୧ଟି ଅଧ୍ୟାୟ ସମ୍ବଳିତ ଏହି ଖଣ୍ଡକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ । ସେଗୁଡିକ ହେଲା - ପ୍ରଭାସ କ୍ଷେତ୍ର ମହାତ୍ମ୍ୟ (୩୬୫ ଅଧ୍ୟାୟ), ବସ୍ତ୍ରାପଥକ୍ଷେତ୍ର ମହାତ୍ମ୍ୟ (୧୯ ଅଧ୍ୟାୟ), ଆର୍ବୁଦ ମହାତ୍ମ୍ୟ (୬୩ ଅଧ୍ୟାୟ), ଦ୍ୱାରକା ମହାତ୍ମ୍ୟ (୪୪ ଅଧ୍ୟାୟ) ।
ଏହି ଖଣ୍ଡରେ ପୁରାଣ ଓ ଉପପୁରାଣ କ’ଣ, ପ୍ରଭାସ ତୀର୍ଥ, ସୋମନାଥ ଲିଙ୍ଗ, ସୋମନାଥଙ୍କ ବିଭିନ୍ନ ନାମ, ସିଦ୍ଧ ଓ ସିଦ୍ଧେଶ୍ୱର ଲିଙ୍ଗ, ଚନ୍ଦ୍ର ଶିବଙ୍କ ସ୍ତୁତି କରିବା, ମୁଣ୍ଡନ କାହିଁକି କରାଯାଏ, ପ୍ରଭାସ କ୍ଷେତ୍ରରେ ସରସ୍ୱତୀଙ୍କ ଆବିର୍ଭାବ, ପ୍ରଭାସରେ ତ୍ରିଦେବୀ କାହିଁକି ଅଧିଷ୍ଠିତ ହୋଇଛନ୍ତି, ଦ୍ୱାରକା କ୍ଷେତ୍ରର ମହାତ୍ମ୍ୟ ଓ ପବିତ୍ରତା ଇତ୍ୟାଦି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି ।
ଅଗସ୍ତ୍ୟ ସଂହିତା ବା ଶଂକରୀ ସଂହିତାର ହାଳସ୍ୟମାହାତ୍ମ୍ୟ, ଶଂକରୀ ସଂହିତାର ସମ୍ଭବ କାଣ୍ଡ, ସୂତ ସଂହିତାର ଶିବମାହାତ୍ମ୍ୟ କାଣ୍ଡ ଓ ସନତ କୁମାର ସଂହିତାର କାଳିକା ଖଣ୍ଡରେ ସଂହିତାକୁ ଆଧାର କରି ବିଭକ୍ତୀକରଣ ହୋଇଛି । ଏହି ସବୁ ଗ୍ରନ୍ଥକୁ ଆଧାର କଲେ ସ୍କନ୍ଧ ପୁରାଣକୁ ୬ଟି ସଂହିତାରେ ବିଭକ୍ତ କରାଯାଇପାରିବ ।
୧. ସନତ କୁମାର ସଂହିତା
୨. ସୂତ ସଂହିତା
୩. ଶଂକରୀ ସଂହିତା
୪. ବୈଷ୍ଣବୀ ସଂହିତା
୫. ବ୍ରାହ୍ମୀ ସଂହିତା
୬. ସୌର ସଂହିତା
ସନତ କୁମାର ସଂହିତା, ଶଂକରୀ ସଂହିତା, ସୂତ ସଂହିତା ଓ ସୌର ସଂହିତାର ପାଣ୍ଡୁଲିପି ସର୍ବତ୍ର ଉପଲବ୍ଧ । ସୂତ ସଂହିତା ଉପରେ ମାଧବାଚାର୍ଯ୍ୟଙ୍କ ଏକ ଧାରା ବିବରଣୀ ମଧ୍ୟ ପାଣ୍ଡୁଲିପି ଆକାରରେ ରହିଛି । ଏହି ସବୁ ଲେଖାରେ ସୃଷ୍ଟି, ଦର୍ଶନ, ଧର୍ମ ଓ ଅଧ୍ୟାତ୍ମ ସମ୍ପର୍କିତ ଅନେକ ପ୍ରଶ୍ନୋତ୍ତର ରହିଛି । ପୂଣ୍ୟ କଣ, ପାପ କଣ, ପାପର ଉତ୍ସ କଣ, କିପରି ଭାବେ ପାପନାଶ କରାଯାଇପାରିବ ଇତ୍ୟାଦି ବିଷୟ ଆଲୋଚିତ ହୋଇଛି ।
ସ୍କନ୍ଧ ପୁରାଣର ପାଣ୍ଡୁଲିପି ନେପାଳ, ତାମିଲନାଡୁ (ତାମିଲ୍:கந்த புராணம்)ଓ ଭାରତର ଅନ୍ୟ କେତେକ ସ୍ଥାନରୁ ମିଳିଛି । ୧୯୧୦ ମସିହାରେ ୭ଟି ଖଣ୍ଡ ବିଶିଷ୍ଟ ଏହାର ଏକ ସଂସ୍କରଣ ମୁଦ୍ରିତ ହୋଇଥିଲା । ୧୯୯୯ରୁ ୨୦୦୩ ମଧ୍ୟରେ ନୂଆଦିଲ୍ଲୀର ମୋତିଲାଲ୍ ବନାରସୀଦାସଙ୍କଦ୍ୱାରା ୨୦ଟି ଭାଗରେ ୭ ଖଣ୍ଡବିଶିଷ୍ଟ ଏହି ଗ୍ରନ୍ଥ ମୁଦ୍ରିତ ହୋଇଥିଲା ।
This article uses material from the Wikipedia ଓଡ଼ିଆ article ସ୍କନ୍ଦ ପୁରାଣ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.