ସାରଳା ଦାସ

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ତେନ୍ତୁଳିପଦାଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା, ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ । .

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।

ଶୂଦ୍ରମୁନି

ସାରଳା ଦାସ
Painting of Sarala Dasa.jpg
ଜନ୍ମ
ସିଦ୍ଧେଶ୍ୱର ପରିଡ଼ା

୧୫ଶ ଶତାବ୍ଦୀ
ତେନ୍ତୁଳିପଦା, ଜଗତସିଂହପୁର
ମୃତ୍ୟୁମାଘ ଶୁକ୍ଳ ସପ୍ତମୀ
ବୃତ୍ତିପୌରାଣିକ କବି
Notable workଓଡ଼ିଆ ମହାଭାରତ

୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯେ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇ ପାରି ନାହିଁ ।

ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ; ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଅଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀମାନ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।[୧]

ଓଡ଼ିଆ ପଦ୍ୟ ରଚନାରେ ଏହାଙ୍କର ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ପଞ୍ଚଦଶ ଶତାବ୍ଦୀର ଲୋକ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ ।[୨]

ସେ ସମୟରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ । ରାଜା ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ 'ପରିଡ଼ା' ଉପାଧି ଦେଇଥିଲେ । ତାଙ୍କ ବଂଶଧରମାନେ ସେହି 'ପରିଡ଼ା' ଉପାଧିକୁ 'ପରିଜା' ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ 'ସାରଳା' ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମକୁ ବର୍ତ୍ତମାନ 'ବଡ଼ ସାରୋଳ' ବୋଲାଯାଏ ।

କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ 'ମୁନିଗୋସାଇଁ' ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ ।

ସାହିତ୍ୟ ସର୍ଜନା

ସେ ପ୍ରଥମେ ବିଲଙ୍କା ରାମାୟଣ , ଦ୍ୱିତୀୟରେ ମହାଭାରତ ଓ ତୃତୀୟରେ ଚଣ୍ଡୀପୁରାଣ ବା ଶିରୀ ଭାଗବତ ରଚନା କରିଛନ୍ତି । କବିଙ୍କ ଭାଷାରେ :-

"ପ୍ରଥମେ ଶ୍ରୀ ରାମାୟଣ ଦ୍ୱିତୀୟେ ଭାରତ

ତୃତୀୟେ ଲିଖନ କଲି ଶିରୀ ଭାଗବତ" ।


ଏଠାରେ ରାମାୟଣ ଅର୍ଥ 'ବିଲଙ୍କା ରାମାୟଣ' , ଭାରତ ଅର୍ଥ 'ମହାଭାରତ' ଏବଂ ଶିରୀ ଭାଗବତ ଅର୍ଥ 'ଦେବୀ ଭାଗବତ' ବା 'ଚଣ୍ଡୀପୁରାଣ' । କେହି କେହି ଗବେଷକ ଶ୍ରୀ ରାମାୟଣ ଅର୍ଥ ବିଚିତ୍ର ରାମାୟଣ ବୋଲି ମତପୋଷଣ କରନ୍ତି । କିନ୍ତୁ ଏହା ଏପର୍ଯ୍ୟନ୍ତ ଏକ ବିବଦମାନ ବିଷୟ ହୋଇରହିଛି ।

ତାଙ୍କଦ୍ୱାରା ରଚିତ ପ୍ରମୁଖ ଗ୍ରନ୍ଥଗୁଡିକ ହେଲା :-

  • ବିଲଙ୍କା ରାମାୟଣ
  • ମହାଭାରତ
  • ଚଣ୍ଡୀପୁରାଣ [୩]
  • ଲକ୍ଷ୍ମୀନାରାୟଣ ବଚନିକା


ଆଲୋଚନା:-

ଆଦିକବି ଶାରଳା ଦାସ ନିଜ ଗ୍ରନ୍ଥମାନଙ୍କରେ ନିଜକୁ ମୁର୍ଖ, ଅଜ୍ଞାନ ତଥା କେବଳ ମା ଶାରଳାଙ୍କ ଆଶୀର୍ବାଦ ଯୋଗୁ କାବ୍ୟ ଲେଖିଛ୍ହନ୍ତି ବୋଲି ବର୍ଣ୍ଣନା କରିଛନ୍ତି; ତେଣୁ କିଛି ସମାଲୋଚକ ତାଙ୍କୁ ମହାମୁର୍ଖ ବୋଲି ବର୍ଣ୍ଣନା କରିଛନ୍ତି । ତେବେ ଯେକୌଣସି ପାଠକ ଯଦି ତାଙ୍କ ସାହିତ୍ୟ ପଢ଼ିବ, ତାହାହେଲେ ସେ ନିଶ୍ଚୟ ଅନୁଭବ କରିବ ଯେ ଶାରଳା ଦାସ ମୋଟେ ଗଜମୁର୍ଖ ନ ଥିଲେ । ବରଂ ସେ ଥିଲେ ବିଭିନ୍ନ ଶାସ୍ତ୍ରର ପଣ୍ଡିତ, ତେଣୁ ସେ ତତ୍କାଳୀନ ସମାଜର ବୁଦ୍ଧିଜୀବିମାନଙ୍କୁ ମୂର୍ଖ ବନାଇ ଦେଉଥିଲେ । ଶାରଳା ଦାସ ଅବଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରବେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଦ୍ୱାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ କେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ବିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ "ବିଲଙ୍କା ରାମାୟଣ", "ମହାଭାରତ", "ଚଣ୍ଡି ପୁରାଣ" ଏବଂ "ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କଦ୍ୱାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କଦ୍ୱାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ ।

ବିଲଙ୍କା ରାମାଯ଼ଣ

ରାବଣକୁ ବଧକରି ପ୍ରଭୁ ରାମଚନ୍ଦ୍ର ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ଅଯୋଧ୍ୟା ଫେରି ଆସିଥାନ୍ତି । ରାମଙ୍କର ରାଜ୍ୟାଭିଷେକର ଆୟୋଜନରେ ସାରା ଅଯୋଧ୍ୟା ଉତ୍ସବ ମୁଖର ହୋଇ ଉଠିଥାଏ । କିନ୍ତୁ ବିଧିର ବିଚିତ୍ର ବିଧାନ! ଅଭିଷେକ ହୋଇଗଲେ ରାମଚନ୍ଦ୍ର ରାଜକାର୍ଯ୍ୟରେ ବ୍ୟସ୍ତଯିବେ, ତେଣୁ ବିଲଙ୍କାସୁରକୁ ବଧ କରି ଦେବତାମାନଙ୍କୁ କିପରି ଉଦ୍ଧାର କରିବେ ବୋଲି ବ୍ରହ୍ମାଙ୍କୁ ଯମ ପଚାରିଛନ୍ତି । ନିଜ ଶକ୍ତିର ପ୍ରମାଣ ଦେବାକୁ ରାମ ଏକାକୀ ବିଲଙ୍କାସୁରକୁ ବଧ କରିବାକୁ ଯାଇଛନ୍ତି, ହେଲେ ସେଥିରେ ସଫଳ ହୋଇ ପାରି ନାହାନ୍ତି । ପରେ ହନୁମାନ ରାମଙ୍କ ସାହାଯ୍ୟ ସତ୍ତ୍ୱେ ମଧ୍ୟ ବଧ କରି ପାରି ନାହାନ୍ତି । ସେପଟେ କିପରି ରାମଙ୍କର ମୃତ୍ୟୁ ହେବ ବୋଲି ବିଲଙ୍କାସୁର ଗ୍ରାମଦେବତୀଙ୍କୁ ପୂଜା ଓ ଯଜ୍ଞ କରିଛି । ମାତ୍ର ହନୁମାନ ଓ ରାମଚନ୍ଦ୍ର ତାଙ୍କ ଯଜ୍ଞ ସମ୍ପୁର୍ଣ କରାଇ ଦେଇ ନାହାନ୍ତି । ବିଲଙ୍କାସୁରକୁ ବଧ କରିବାକୁ ସୀତାଙ୍କର ଆବଶ୍ୟକତା ଅଛି ବୋଲି ଦେବତାମାନେ କହିବାରୁ ହନୁମାନ ଯାଇ ସୀତା ଓ ଲକ୍ଷ୍ମଣଙ୍କୁ ବିଲଙ୍କା ଆଣିଛନ୍ତି । ରାମ, ଲକ୍ଷ୍ମଣ, ହନୁମାନ ମିଳିତଭାବରେ ଯୁଦ୍ଧ କରି ବିଲଙ୍କାସୁରକୁ ମାରି ପାରି ନାହାନ୍ତି । ଶେଷରେ ଦେବଗଣ ସୀତାଙ୍କୁ ପ୍ରାର୍ଥନା କରି ରାକ୍ଷସକୁ ବଧ କରିବାକୁ ନିବେଦନ କରିବାରୁ ସୀତା ଚିତ୍ରସେନ ରଥରେ ବସି ଯୁଦ୍ଧଭୁମିକୁ ଆସିଛନ୍ତି । ଯୁଦ୍ଧକରି ଶେଷରେ ବିବସ୍ତ୍ର ହେବାରୁ ବିଲଙ୍କାସୁର ସୀତାଙ୍କୁ ହରଣ କରି ନେବାକୁ ସ୍ଥିର କରିଥିବା ବେଳେ ରାମ, ଲକ୍ଷ୍ମଣଙ୍କ ମିଳିତ ଅସ୍ତ୍ରରେ ରାକ୍ଷସର ମୃତ୍ୟୁହୋଇଛି । ପରେ ରାମଙ୍କ ରାଜ୍ୟ ଅଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି ।

ମହାଭାରତ

ବ୍ୟାସଦେବଙ୍କ ଲିଖିତ ସଂସ୍କୃତ ମହାଭାରତର କଥାବସ୍ତୁକୁ ନେଇ ଆଦିକବି ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଛନ୍ତି । ସଂସ୍କୃତରୁ ସିଧା ସିଧା ଅନୁବାଦ ନ କରି କବି ତାଙ୍କର ଦୃଷ୍ଟିଭଙ୍ଗୀ ଓ ମୌଳିକ ବିଚାରବୋଧର ପ୍ରକାଶ କରିଛନ୍ତି । ଓଡ଼ିଆ ଘରର ଚାଲିଚଳଣୀ, ରୀତିନୀତି, ଖାଦ୍ୟପେୟ,ବେଶଭୁଷା, ପୁଣ୍ୟପର୍ବ, ଯାନିଯାତ୍ରା, କଥାବାର୍ତ୍ତା ସବୁକିଛି ତାଙ୍କ ମହାଭାରତରେ ଫୁଟି ଉଠିଛି । କେତେକ ସ୍ଥାନରେ ସେ ମୂଳ ସଂସ୍କୃତ ମହାଭାରତର ଘଟଣାକୁ ସଂକ୍ଷିପ୍ତ କରିଛନ୍ତି ତ କେଉଠି ଛୋଟ ଘଟଣାକୁ ବଡ଼ କରି ବର୍ଣ୍ଣନା କରିଛନ୍ତି । ସେହିପରି ମୂଳ ମହାଭାରତର କେତେକ ଘଟଣାକୁ ସେ ସମ୍ପୁର୍ଣ ଛାଡ଼ି ଦେବାବେଳେ କିଛି ଘଟଣା ସେ ନିଜ ମନରୁ ବର୍ଣ୍ଣନା କରିଛନ୍ତି । କବି ଶାହାଡ଼ାଗଛର ମାହାତ୍ମ୍ୟ, ଶାନ୍ତନୁଙ୍କ ସହ ଗଙ୍ଗାଙ୍କ ବିବାହ, ସିନ୍ଧିଚୋର କଥା, ସତ୍ୟ ଆମ୍ବ କଥା, ବାବନାଭୁତ କଥା, ଗାନ୍ଧାରିଙ୍କ ସନ୍ତାନଲାଭ କଥା, ଧୃତରାଷ୍ଟ୍ରଙ୍କ ଶହେ ପୁଅଙ୍କ ନାମକରଣ, ଅଳସୁଆ କାହାଣୀ, ସିଂହ-ଶୃଗାଳ କଥା, ସିଂହ-ମଶା କଥା, ତୁଳସୀବଣ ବାଘତୁଳାମୁହାଁଙ୍କ ଗଳ୍ପ, କଳି ଅବତରଣ ପ୍ରସଙ୍ଗସୁହାଣୀ କନ୍ୟା ସହ ଯୁଧିଷ୍ଠିରଙ୍କ ବିବାହ କଥା - ଏମିତି କେତେସବୁ ଗପ ନିଜ ମନରୁ ସୃଷ୍ଟି କରିଛନ୍ତି ।

ଶାହଡ଼ାଗଛର ମାହାତ୍ମ୍ୟ

ଥରେ ଭଗବାନ ମହାଦେବ ବୃଷଭ ପିଠିରେ ବସି ବୁଲି ଯାଉଥିଲେ । ବାଟରେ ଯାଉ ଯାଉ ଗୋଟିଏ ଶାହଡା ଗଛ ଦେଖି ବୃଷଭ ଖୁସିହେଲା, ଗଛ ନିକଟକୁ ଯାଇ ପତ୍ରଟିଏ ଆଣି ନିଜ ମୁଣ୍ଡରେ ରଖିଲା । ମହାଦେବ ଏହାର ରହସ୍ୟ କଣ ପଚାରିବାରୁ ବୃଷଭ ଉତ୍ତରଦେଲା "ଶାହାଡ଼ା ଗଛର ପତ୍ରକୁ ମୁଣ୍ଡରେ ରଖିଲେ ସେଦିନ ଅମୃତ ସଦୃଶ ଖାଦ୍ୟ ପଦାର୍ଥ ମିଳେ" । ଏକଥା ଶୁଣି ଶିବ ଆଶ୍ଚର୍ଯ୍ୟ ହେଲେ ଓ ଘଟଣାର ସତ୍ୟତା ପରୀକ୍ଷା କରିବାକୁ ସ୍ଥିର କଲେ । ବୃଷଭକୁ ନେଇ ବିଭିନ୍ନ ସ୍ଥାନ ବୁଲିବା ପରେ କ୍ଳାନ୍ତ ହୋଇ ସୁର୍ଯ଼୍ୟାସ୍ତ ସମୟକୁ ଶିବ କୈଳାସ ଫେରି ଆସିଲେ । ଏଣେ ପତିଙ୍କ ଆସିବାରେ ବିଳମ୍ବ ଦେଖି ପାର୍ବତୀ ଅମୃତତୁଲ୍ୟ ଭୋଜନ ବାଢ଼ି କେବଳ ପଞ୍ଚଗ୍ରାସୀ କରୁଥାନ୍ତି, ଠିକ୍ ସେତିକି ବେଳେ ଶିବଙ୍କର ଡମ୍ବରୁ ଶବ୍ଦ ଶୁଣାଗଲା । ଦେବୀ ଖାଦ୍ୟ ଥାଳି ତରତରରେ ନେଇ ବୃଷଭ କୁଣ୍ଡରେ ପକାଇ ଦେଇ ସ୍ୱାମୀଙ୍କୁ ବନ୍ଦାପନା କରି ପ୍ରାସାଦକୁ ନେଇ ଆସିଲେ । ବୃଷଭକୁ କିଛି ଖାଦ୍ୟ ନ ଦେବାକୁ କଡା ଆଦେଶ ଦେଇ ଶିବ ଶୋଇଗଲେ ।

ସେପଟେ ବିଚରା ବୃଷଭ ସାରାଦିନ ବୁଲି ବୁଲି ଘରକୁ ଫେରିଲା ପରେ ପ୍ରଭୁଙ୍କ ନିଷ୍ଠୁର ଆଦେଶ ଶୁଣି ମନଦୁଃଖ କଲେ । ବାସିନଡା ଖାଇବାକୁ ପଡିବ ବୋଲି ଭାବି କୁଣ୍ଡରେ ଦେଖିଲା ବେଳକୁ ସେଥିରେ ଭଳିକି ଭଳି ଖାଦ୍ୟପଦାର୍ଥ ଭରି ରହିଥାଏ । ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଲେ ।

ତା ପରଦିନ ସକାଳୁ ଶିବ ବୃଷଭଠାରୁ ସବୁ କଥା ଶୁଣି ଶାହାଡ଼ାଗଛର ମାହାତ୍ମ୍ୟ ଜାଣିପାରିଲେ ।

ଉଆଁସୀ କନ୍ୟା

ବ୍ରହ୍ମରାକ୍ଷସ ଦୋଷ ନେଇ ଜନ୍ମ ହୋଇଥିବାରୁ ଧୃତରାଷ୍ଟ୍ରଙ୍କୁ କନ୍ୟା ମିଳୁନଥିଲେ କି ଉଆଁସୀ କନ୍ୟା ଗାନ୍ଧାରୀଙ୍କୁ ବର ମିଳୁନଥିଲେ । ତେଣୁ ଦୁହେଁ ଅବିବାହିତ ଥିଲେ କାରଣ ଯେଉଁଠି ସେମାନଙ୍କ ବିବାହ ପ୍ରସ୍ତାବ ପଡୁଥିଲା, ସେ ବରକନ୍ୟାମାନେ ମରିଯାଉଥିଲେ । ଶେଷରେ ବ୍ୟାସକବି ନିଜେ ରାଜା ଗାନ୍ଧାରସେନଙ୍କୁ ତାଙ୍କ ପୁଅ ଧୃତରାଷ୍ଟ୍ରଙ୍କ ପାଇଁ ଗାନ୍ଧାରୀଙ୍କୁ ମାଗିଲେ । ଗାନ୍ଧାରସେନ ପ୍ରଥମେ ରାଜି ହେଉ ନଥିଲେ, କିନ୍ତୁ ବିବାହ ପୁର୍ବରୁ ତାଙ୍କର ଏକମାତ୍ର କନ୍ୟା ଗାନ୍ଧାରୀଙ୍କୁ ଶାହାଡ଼ାଗଛ ସହ ବିବାହ ଦେବେ ବୋଲି ବ୍ୟାସଦେବ ପରାମର୍ଶ ଦେବାରୁ ରାଜା ମାନିଲେ । ଯେମିତି ଶାହାଡ଼ାଗଛର ଡାଳରେ ଗାନ୍ଧାରୀଙ୍କ ହାତ ରଖି ହସ୍ତଗଣ୍ଠି ପଡିଛି, ଦେଖୁ ଦେଖୁ ଆଖିପିଛୁଳାକେ ସମସ୍ତଙ୍କ ଆଖି ଆଗରେ ଗଛଟି ପୋଡ଼ି ପାଉଁଶ ହୋଇଗଲା । ଗାନ୍ଧାରୀଙ୍କ ସବୁ ଦୋଷ କଟିଗଲା ଓ ସେ ଧୃତରାଷ୍ଟ୍ରଙ୍କୁ ବିବାହ କଲେ ।

ସତ୍ୟ ଆମ୍ବ କଥା

ପାଣ୍ଡବମାନଙ୍କ ଅଜ୍ଞାତ ବନବାସ ସ୍ଥାନର ପରିଚୟ ପାଇବା ଉଦ୍ଦେଶ୍ୟରେ ଦିନେ ଦୁର୍ଯୋଧନ ଶକୁନିଙ୍କ ସହିତ ମନ୍ତ୍ରଣା କରିଛନ୍ତି ଓ ତାଙ୍କ ପରାମର୍ଶକ୍ରମେ ପୁରଚନ ପଣ୍ଡାଙ୍କ ପୁତ୍ର ଗୌରମୁଖକୁ ଡାକି ଅନୁସନ୍ଧାନ ନିମିତ୍ତ ପଠାଇଛନ୍ତି । ଯେଉଁମାନେ ଆଶ୍ୱିନ ମାସରେ ଆମ୍ବଫଳ ଦେଇ ପାରିବେ, ସେମାନେ ପାଣ୍ଡବ ବୋଲି ଚିହ୍ନିବ ବୋଲି ଗୌରମୁଖଙ୍କୁ କହିଛନ୍ତି । ଚାରିମାସ ପର୍ଯନ୍ତ ଖୋଜିବା ପରେ ଶେଷରେ ଗୌରମୁଖ ପାଣ୍ଡବମାନଙ୍କୁ ଅସ୍କନ୍ଧ ବନରେ ଠାବ କରି ତାଙ୍କର ଅତିଥି ହୋଇଛନ୍ତି । ସେ ଯୁଧିଷ୍ଠିରଙ୍କୁ ପାଚିଲା ଆମ୍ବ ଖାଇବା ପାଇଁ ମାଗିଛନ୍ତି । ଅତିଥିଙ୍କର କଥା ଶୁଣି ଯୁଧିଷ୍ଠିର ଚିନ୍ତିତ ହୋଇ ପଡିଛନ୍ତି । ଅସମୟରେ ମିଳିବନାହିଁ ଜାଣି ମଧ୍ୟ ଯୁଧିଷ୍ଠିର ଚାରିଭାଇଙ୍କୁ ଆମ୍ବ ଆଣିବାକୁ ପଠାଇଛନ୍ତି ହେଲେ ସମସ୍ତେ ନିରାଶ ହୋଇ ଫେରିଛନ୍ତି । ଶେଷରେ ଯୁଧିଷ୍ଠିର ଶ୍ରୀକୃଷ୍ନଙ୍କୁ ସ୍ମରଣ କରିଛନ୍ତି ଓ ତାଙ୍କୁ ପନ୍ହୁପାଣ୍ଡବ ସତକଥା କହିଛନ୍ତି । ପାଙ୍ଚଭାଇଙ୍କ ସତ୍ୟକଥା ଶୁଣି ଆମ୍ବ ଟାକୁଆରୁ ଗଜା ହୋଇ ଗଛ ହୋଇଛି, ଫୁଲ ଫୁଟିଛି, କଷି ଧରିଛି । ଶେଷକୁ ଦ୍ରୌପଦୀଙ୍କ ସତ୍ୟକଥାରେ ଆମ୍ବଟି ପାଚି ହଳଦିଆ ପଡିଯାଇଛି । ଯୁଧିଷ୍ଠିର ଖୁସି ହୋଇ ବ୍ରାହ୍ମଣଙ୍କୁ ସେ ଅଦିନ ଆମ୍ବଟି ପ୍ରଦାନ କରିଛନ୍ତି । ବ୍ରାହ୍ମଣ ଗଧୋଇସାରି ଖାଇବେ ବୋଲି କହି ଆମ୍ବଟି ନେଇ ସେଠାରୁ ପଳାଇ ଯାଇଛନ୍ତି । ମାତ୍ର ବ୍ରାହ୍ମଣଙ୍କର ମନ୍ଦ ଉଦ୍ଦେଶ୍ୟ ଜାଣିପାରି ଶ୍ରୀକୃଷ୍ନ ଆମ୍ବଟି ହରଣ କରି ନେଇଛନ୍ତି ଓ ଦୁର୍ଯୋଧନ ପାଣ୍ଡବମାନଙ୍କ ସମ୍ବନ୍ଧରେ ଆଉ ପ୍ରମାଣ ପାଇନାହାନ୍ତି ।

 
ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ସମ୍ମୁଖରେ ଥିବା ସାରଳା ଦାସଙ୍କ ପ୍ରତିମୂର୍ତ୍ତି

ବାବନାଭୁତ କଥା

ତୁଙ୍ଗଭଦ୍ରା ନଦୀ କୁଳରେ ଜ୍ଞାନପୁର ନାମକ ଗାଁଟିଏ । ଗାଁକୁ ଲାଗି ଏକ ବଡ଼ ଭୟଙ୍କର ମଶାଣୀ ଥାଏ, ଯାହାର ରାଜା ଥିଲା ବାବନାଭୁତ । ତା ଅଧୀନରେ ଥିବା ଭୁତ, ଡାହାଣୀ, ଚିରୁଗୁଣୀ ତାର ଆଦେଶ ପାଳନ୍ତି । ବାଟରେ ଯାଉଥିବା ଲୋକମାନଙ୍କୁ ସେମାନେ ଢେଲାପଥର ପକାଇ ହଇରାଣ କରନ୍ତି । ରାତିରେ ସେମାନଙ୍କୁ ଦେଖି କେହି ଯଦି ଭେଟଣା ହୋଇଗଲା, ତେବେ ରକ୍ତବାନ୍ତି କରି ମରି ଯାଉଥିଲା । ଭୁତମାନଙ୍କର ଏପରି ଉତ୍ପାତଯୋଗୁ ଗାଁ ଲୋକମାନେ ଡରିଡରି ବଡ଼ କଷ୍ଟରେ ଦିନ ବିତାଉଥାନ୍ତି । ଦିନେ ସୋମରାଷ୍ଟ୍ର ଦେଶରୁ ଶୁଦ୍ରକ ରାଉଳ ବୋଲି ଜଣେ ବ୍ୟକ୍ତି ଆସି ସେ ଗାଁରେ ପହଙ୍ଚିଲେ, ତାଙ୍କୁ ଗୁଣି ଗାରୁଡି ଜଣାଥିଲା । ଲୋକମାନେ ରାଉଳଙ୍କୁ ପାଇ ଖୁସି ହେଲେ, ତାଙ୍କପାଇଁ ଘରଦ୍ୱାର କରିଦେଲେ । ରାଉଳଙ୍କର ଚାଷ କରିବାପାଇଁ ଜମି ଦରକାର ହେବାରୁ ସେ ସ୍ଥିର କଲେ ଯେ ବଡ଼ ମଶାଣୀକୁ ଲାଗି ଯେଉଁ ଅନାବାଦୀ ଜମି ଅଛି, ତାକୁ ତାଡି ଚାଷ କରିବେ । ଚାଷଜମିରୁ ଯାହା ଉତ୍ପନ୍ନ କରିବେ ତାକୁ ବିକି ପରିବାର ପୋଷିବେ । ଗାଁଲୋକଙ୍କୁ ସେ ମନକଥା କହିବାରୁ ସେମାନେ ତାଙ୍କୁ ବାବନାଭୁତର ଉପଦ୍ରବ କଥା କହିଲେ ଓ ସେ ଜମିରେ ଚାଷ ନ କରିବାକୁ ପରାମର୍ଶ ଦେଲେ । ଶୁଦ୍ରକ କହିଲା - "ମୁଁ କେତେ ଭୁତ ପ୍ରେତଙ୍କୁ ସାବାଡ଼ କରିଦେଇଚି, ବାବନାଟା କେତେ ମାତ୍ର! ମୁଁ ଏବର୍ଷ ସେ ଜମିରେ ମାଘତିଳ ଚାଷ କରିବି । ମୋତେ ହଳ ଚାରିଟା ଯୋଗାଡ଼ କରିଦିଅ । ତେଣିକି ମୋ ଦାୟିତ୍ୱ । ତୁମେମାନେ ବ୍ୟସ୍ତ ହୁଅନାହିଁ । ମୁଁ କେବଳ ଚାଷ ଆରମ୍ଭ କରେ, ଦେଖିବ ବାବନା କିପରି ଏ ସ୍ଥାନ ଛାଡ଼ିଯାଉଛି ।"ହଳ କାମ ଆରମ୍ଭ ହେବାରୁ ଭୁତମାନେ ଯାଇ ବାବନାଭୁତକୁ ଏକଥା ଜଣାଇଲେ । ବାବନା ଆଦେଶରେ ଶହ ଶହ ଭୁତ ତାଙ୍କର କିଳିକିଳା ନାଦରେ ହଳିଆମାନଙ୍କୁ ଭୟଭୀତ କଲେ । ଏକଥା ଶ୍ହୁଣି ଶୁଦ୍ରକ ରାଉଳ ସେଠି ପହଙ୍ଚିଯାଇ ତା ବିଦ୍ୟା ପ୍ରୟୋଗ କଲା, ଦଉଡି ଠେଙ୍ଗାରେ ଭୁତମାନଙ୍କୁ ପାନେ ଦେଲା । ଭୁତମାନେ ମୁକ୍ତିଦେବାକୁ ପ୍ରାର୍ଥନା କରିବାରୁ ରାଉଳ କହିଲା ଯଦି ତାକୁ ୬୦ପଉଟି ତିଳ ଦେବେ, ତେବେ ସେମାନଙ୍କୁ ମୁକ୍ତି ମିଳିବ । ସେମାନେ ରାଜି ହୋଇ ପଳାଇଗଲେ ଓ ବାବନାକୁ ସବୁ କହିଲେ । ବାବନାଭୁତ ସେ କଥାରେ ରାଜି ହେଲାନାହିଁ, ବରଙ୍ଗ୍ ତା କାମ କରିବାକୁ ବାହାରି ଗଲା । ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି । ରାଉଳ ଜାଣିଲା ତାକୁ ଭୁତ ଗ୍ରାସିଛି । ସେ ମନ୍ତ୍ର ପଢ଼ି ଭୁତକୁ ପିଟିଲା । ବାବନାଭୁତ ନାକ ଘଷି ରାଉଳକୁ ଷାଠିଏ ପଉଟି ତିଳ ଦେଲା ଓ ତାର ବଂଶ ଦଳବଳ ନେଇ କୁଅଡେ ଚାଲିଗଲା । ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ ।

ଦ୍ୱାପର ଯୁଗର ଶ୍ରୀକୃଷ୍ଣ କଳିଯୁଗର ଜଗନ୍ନାଥ

ଜଗନ୍ନାଥ ଓଡ଼ିଆ ଜାତିର ଆରାଧ୍ୟ ଦେବତା, ତାଙ୍କର ପ୍ରସିଦ୍ଧି ବିଶ୍ୱବ୍ୟାପୀ । ବିଶ୍ୱ ଦରବାରରେ ଓଡ଼ିଶାର ଜଗନ୍ନାଥ ଧର୍ମ ଅତୁଳନୀୟ, ସେ ହେଉଛନ୍ତି ସବୁ ଧର୍ମର ସମନ୍ୱୟ । ସବୁ ଚିନ୍ତା ଚେତନା ଏବଂ ସାରସ୍ୱତକୁ ଏକାଠି ମିଶାଇ ଦେଲେ ଯାହା ହେବ ତାହା ହିଁ ହେଉଛି - ଜଗନ୍ନାଥ ଧର୍ମ । ସେଇଥି ପାଇଁ ପ୍ରତ୍ୟେକ ଧର୍ମର ଧର୍ମାବଲମ୍ବୀ ତାଙ୍କୁ ନିଜ ନିଜ ଧର୍ମମତର ପ୍ରତୀକ ରୂପେ ଗ୍ରହଣ କରିବା ଲାଗି ଦ୍ୱିଧା ପ୍ରକଶ କରନ୍ତି ନାହିଁ । ଜଗତର ନାଥ ଜଗନ୍ନାଥଙ୍କୁ କିଏ କହେ 'ରାମ' କିଏ କହେ 'ବାମନ' କିଏ କହେ 'ଅଲେଖ ନିରଞନ' ପୁଣି କିଏ କହେ 'ବୁଦ୍ଧଦେବ' । ମାତ୍ର ଶାରଳା ଦାସ ଯୁକ୍ତି ଦର୍ଶାଇ ଦ୍ରୁଢ ସ୍ୱରରେ କହିଛନ୍ତି, ସେ ହେଉଛନ୍ତି 'ଶ୍ରୀକୃଷ୍ଣ' ।

ଦ୍ୱାପର ଯୁଗର କଥା । ଶ୍ରୀକୃଷ୍ଣ ଶିଆଳି ଲତାରେ ଚୁପ ଚାପ ଶୋଇଥିଲେ । ଏଇ ସମୟରେ ସେ ବଣକୁ ମୃଗୟା ଉଦ୍ଦେଶ୍ୟରେ ଆସିଥିବା ଜାରାଶବର ଲତା ଗହଳିରେ ଶ୍ରୀକୃଷ୍ଣର ପାଦ ଯୋଡିକୁ ଦେଖି ମୃଗୁଣୀର କାନ ବୋଲି ଭାବିଲା ଏବଂ ଶର ବିନ୍ଧିଲା । ପାଖକୁ ଯାଇ ଦେଖେ ତ ସେ ଦ୍ୱାରିକାଧିପତି ଶ୍ରୀକୃଷ୍ଣ । ଜାରା ପ୍ରଭଙ୍କର ମହିମା ଆଗରୁ ଜାଣିଥିଲା, ଏବେ ଶ୍ରୀକୃଷ୍ଣଙ୍କର ହତ୍ୟାର କାରଣ ହୋଇଥିବାରୁ ସେ ନିଜକୁ ଖୁବ ଧିକ୍କାର କଲା । ମାତ୍ର ଏହା ଥିଲା ବିଧିର ବିଧାନ - ଜାରା ପୁର୍ବ ଜନ୍ମରେ ମାଗିଥିବା ବରର ମନସ୍କାମନା ପୁରଣ ମାତ୍ର ।

"କାତରେ ବେନି ହାତ ଯୋଡି, କୃଷ୍ଣଙ୍କ ଚରଣ ତଳେ ପଡି
ଉଠି କପାଳେ ମାରି କର, ବୋଲଇ ମୁହିଁ ଦୁରାଚାର
ନ ଜାଣି କଲି ଏଡେ କର୍ମ, କେ ମତେ କଲା ମତିଭ୍ରମ
ତୁ ନାଥ ଜଗତ ସୋଦର, ଏ ଅପରାଧ କ୍ଷମା କର"

ଜାରାଶବର ହାତରେ ଶ୍ରୀକୃଷ୍ଣଙ୍କ ଦେହବସାନ ହେଲା ପରେ ପାଣ୍ଡବମାନେ ତାଙ୍କୁ ନେଇ ସମୁଦ୍ର କୁଳରେ ଦାହ କଲେ । ମାତ୍ର ସେ ଅକ୍ଷୟ ବ୍ରହ୍ମ ପୂର୍ଣ୍ଣ ଦାହ ହେଲା ନାହ୍ହି ତେଣୁ ପାଣ୍ଡବମାନେ ନିରାଶ ହୋଇ ଶେଷକୁ ଉପାୟ ନପାଇ ସେଇ ଦରପୋଡା ବ୍ରହ୍ମକୁ ସମୁଦ୍ରରେ ଭସାଇ ଦେଲେ । ସେ ବ୍ରହ୍ମ ଭାସି ଭାସି ଯାଇ ପୁରୀର ସମୁଦ୍ର ତଟରେ ପହନ୍ଚିଲା । ସେଇଠି ଯୁଗ ଯୁଗ ଧରି ସେ ନୀଳମାଧବ ରୁପରେ ପୂଜା ପାଇଲେ । ବିଷ୍ଣୁଙ୍କ ସନ୍ଧାନରେ ମାଳବରୁ ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ବ୍ରାହ୍ମଣ ବିଦ୍ୟାପତି ଆସିଲେ । ନୀଳମାଧବ ଉଭେଇ ଯାଇ ବାଙ୍କି ମୁହାଣରେ ଦେଖା ଦେଲେ ଦାରୁବ୍ରହ୍ମ ଆକାରରେ । ରାଜା ସୈନ୍ୟସାମନ୍ତ, ସକଳ ଅଶ୍ୱ ଗଜ ନେଇ "ଦାରୁବ୍ରହ୍ମ" ପାଇଁ ଗଲେ । ଦାରୁବ୍ରହ୍ମ ପ୍ରୁଷ୍ଠରେ ଶ୍ରୀକୃଷ୍ଣଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ପ୍ରଭୃତି ଚିହ୍ଣ ସବୁ ବିଦ୍ୟମାନ ଥିଲା । ମାତ୍ର ଦାରୁବ୍ରହ୍ମ ଅଟଳ ରହିବାରୁ ରାଜା ଅଧିଆ ପଡିଲେ । ଠାକୁର ତାଙ୍କୁ ସ୍ୱପ୍ନରେ ଛାୟାପ୍ରାୟ ଦୃଶ୍ୟ ହୋଇ କହିଲେ "ରାଜା, ତୋର ପାର୍ଥିବ ଶକ୍ତି ବଳରେ ଏଠାରୁ ମୋତେ ଟଳେଇ ନେବାର ବୃଥା ଚେଷ୍ଟା କରନା । ଆସନ୍ତା କାଲି ମୋର ପ୍ରକୃତ ସେବକ ବିଦ୍ୟାପତିଙ୍କର ବଂଶଧରମାନଙ୍କୁ ଡକେଇ ଆଣି ଗୋଟିଏ ପାଖରେ ଠିଆ କରାଇବୁ ଓ ଆର ପାଖରେ ଜାରାର ବଂଶଧରଙ୍କୁ । ସେଇମାନେ ଏକତ୍ର ଛୁଇଁଲେ ମୁଁ ଯିବି" । ଶେଷରେ ତାହା ହି ହେଲା । ଦାରୁବ୍ରହ୍ମ ଭକ୍ତମାନଙ୍କ ଉପସ୍ଥିତିରେ ଅକ୍ଳେଶରେ ଉଠି ଚାଲିଲେ । ଅମୁହାଁ ଦେଉଳରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ପରାମର୍ଶରେ ମୂର୍ତ୍ତୀଗଢା ଆରମ୍ଭ ହେଲା । ଏଇ ମୂର୍ତ୍ତୀ ଗଢିବା କାର୍ଯ଼୍ୟ କଲେ ସ୍ୱୟଂ ବିଶ୍ୱକର୍ମା ।

ସେଇ ଦାରୁ ଦେବତା । । । ଶବର ଦେବତା । । । ହେଉଛନ୍ତି ଦ୍ୱାପରର ଶ୍ରୀକୃଷ୍ଣ (ଜଗନ୍ନାଥ) ବଳଭଦ୍ର ଏବଂ ସୁଭଦ୍ରା! ପାଖରେ ତାଙ୍କର ସୁଦର୍ଶନ । ଯାହା ପାଖରେ ବିଚାର ନାହିଁ ଆର୍ଯ଼୍ୟ, ଅନାର୍ଯ଼୍ୟ, ବ୍ରାହ୍ମଣ, ଶୁଦ୍ର, ହିନ୍ଦୁ, ମୁସଲମାନର । ସେ ଆଚାଣ୍ଡାଳ ବ୍ରାହ୍ମଣ ସମସ୍ତଙ୍କର ।

ଆଜିକୁ ଛହଶହ ବର୍ଷ ତଳେ ଶାରଳା ଦାସ ଯାହା କଳ୍ପନା କରି ଯାଇଥିଲେ ଆଜି ତାହା ବାସ୍ତବ ରୁପ ନେଇଛି ।

କଳି ଅବତରଣ ପ୍ରସଙ୍ଗ

ମହାଭାରତ ଯୁଦ୍ଧ ଶେଷ ହେଲା, ଧର୍ମରେ ଥିବାରୁ ପନ୍ଚୁପାଣ୍ଡବଙ୍କର ବିଜୟ ହେଲା । ସେତେବେଳକୁ ଦ୍ୱାପର ଯୁଗ ସରି ଆସିଲାଣି, କଳିଯୁଗ ପ୍ରବେଶ କରିବାକୁ ଥାଏ । କଳିକାଳରେ ଧର୍ମନନ୍ଦନ ଯୁଧିଷ୍ଠିର କିପରି ରାଜ୍ୟ କରିବେ ବୋଲି ଭାବି ସହଦେବ କଳିକୁ ଅଟକାଇ ରଖିଲେ । ଯୁଧିଷ୍ଠିର ସ୍ୱର୍ଗାରୋହଣ କରିବାକୁ ପ୍ରସ୍ତୁତ ହେଉଥାନ୍ତି, ସେତିକିବେଳେ ତାଙ୍କ ପାଖହୁ ଏକ ମୋକଦ୍ଦମା ଆସିଲା । ଜଣେ ବ୍ରାହ୍ମଣ ତାଙ୍କର ଶୁଦ୍ର ଚାକର ସହ ସୁନାକଙ୍କଣ ଦୁଇଟି ଧରି ଆସିଲେ । ବ୍ରାହ୍ମଣଙ୍କ ଢିପଜମିରୁ ଖୋଳୁ ଖୋଳୁ ଶୁଦ୍ରକୁ ତାହା ମିଳିଥିଲା, ତେଣୁ ସେ ମାଲିକଙ୍କ ପାଖରେ ତାହା ଦେଲା । କିନ୍ତୁ ବ୍ରାହ୍ମଣ ସେ କଙ୍କଣ ଗ୍ରହଣ କଲେ ନାହିଁ, ବରଂ କହିଲେ ଯେ ସେ କଙ୍କଣ ତାଙ୍କର ପ୍ରାପ୍ୟ ନୁହେଁ କାରଣ ତାଙ୍କ ଚାକର ପରିଶ୍ରମ କରି ପାଇଥିବାରୁ କଙ୍କଣ ତାର ହେବା ଉଚିତ । ମାତ୍ର ଚାକର ସେକଥା ନ ଶୁଣି ମାଲିକଙ୍କ ଜମିରୁ ତାହା ମିଳିଥିବାରୁ ତାହା ମାଲିକଙ୍କର ବୋଲି ଯୁକ୍ତି କରିଥିଲା । ଏଥିପାଇଁ ଦୁଇଜଣଙ୍କ ଭିତରେ କଳିଗୋଳ ଭୟଙ୍କର ରୁପ ଧାରଣ କଲା । ଉଭୟ ଏହାର ସମାଧାନ ପାଇ ବହୁଲୋକଙ୍କ ପାଖକୁ ଯାଇ ନିରାଶ ହୋଇ ସେମାନେ ଯୁଧିଷ୍ଠିରଙ୍କ ପାଖକୁ ଆସିଲେ ନ୍ୟାୟ ପାଇଁ । ଯୁଧିଷ୍ଠିର ସବୁ ସୁଣି ସମାଧାନ ପାଇଁ ମନ୍ତ୍ରୀ ସହଦେବଙ୍କୁ ପଚାରିଲେ । ସହଦେବ କହିଲେ ମୁ କଳିକୁ ଅଟକାଇ ରଖିଛି, ଏଣୁ ଦ୍ୱାପର ଯୁଗର ପ୍ରଭାବ ଏବେ ବି ରହିଛି । ଆପଣ ତ ସ୍ୱର୍ଗକୁ ବାହାରିଲେଣି । ଆପଣଙ୍କ ଆଜ୍ଞା ହେଲେ ମୁ କଳିକୁ ମୁକ୍ତ କରିଦେବି । ରାଜା ପରୀକ୍ଷିତ ଏହାର ବିଚାର କରିବେ ।

ଯୁଧିଷ୍ଠିର ସେଥିରେ ରାଜି ହେବାରୁ ସହଦେବ କଳିକୁ ମୁକ୍ତ କରିଦେଲେ । ପରୀକ୍ଷିତଙ୍କ ଆଗରେ ହଠାତ କଳି ପ୍ରଭାବରେ ବ୍ରାହ୍ମଣ ଓ ଶୁଦ୍ରଙ୍କ କଥା ଓ ଯୁକ୍ତି ବଦଳି ଗଲା । ଦୁହେଁ କଙ୍କଣକୁ ନିଜର ବୋଲି ଦାବୀ କଲେ, ନାନା ଯୁକ୍ତି ଦେଇ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ କଙ୍କଣର ମାଲିକ ସେମାନେ । ହଠାତ ଦୁହେଁ କଙ୍କଣ ପାଇବା ପାଇଁ କଳିଗୋଳ ମଧ୍ୟ କଲେ । ସବୁ ଶୁଣି ରାଜା ପରୀକ୍ଷିତ କହିଲେ - ତୁମେ କେହି ସେ ଜିନିଷ ପାଇବ ନାହିଁ । ତାହା ରାଜକୋଷରେ ଜମା ହେବ ।

ସେ ଘଟଣା ଦେଖି ଯୁଧିଷ୍ଠିର ଆଉ ମୁହୁର୍ତ୍ତଟିଏ ମଧ୍ୟ କଳି ରାଜୁତିରେ ନ ରହିବାକୁ ସ୍ଥିର କଲେ । ଚାରିଭାଇ ଓ ଦ୍ରୌପଦୀଙ୍କୁ ନେଇ ହିମାଳୟ ଅଭିମୁଖେ ଚାଲିଲେ ।

ଚଣ୍ଡି ପୁରାଣ

ଶୁକ-ପରୀକ୍ଷିତ ସମ୍ବାଦ ଛଳରେ କବି ଚଣ୍ଡିପୁରାଣରେ ସମସ୍ତ କଥାକୁ ବର୍ଣ୍ଣନା କରିଛନ୍ତି । ମହାଭାରତର ବିଲଙ୍କା ରାମାୟଣ ପରି ଚଣ୍ଡିପୁରାଣ ଗ୍ରନ୍ଥଟି କବି ସାରଳା ଦାସ ଚଣ୍ଡିଙ୍କ ଆଜ୍ଞାରେ ତାଙ୍କରି ଭାଷାକୁ ପ୍ରକାଶ କରିବାର ବର୍ଣ୍ଣନା କରିଛନ୍ତି । ଏହି ପୁରାଣ ପରବର୍ତ୍ତୀ କାଳରେ ହିନ୍ଦୁମାନଙ୍କ ଘରେ ଚଣ୍ଡିପୁରାଣ ଭାବେ ଅଦ୍ୟାବଧି ପୂଜିତ ହେଉଛି ।

ବ୍ରହ୍ମାଙ୍କ ବଳରେ ବଳିୟାନ ମହିଷାସୁର ଦେବ, ଦାନବ, ଯକ୍ଷ, ରକ୍ଷ, ଗନ୍ଧର୍ବ, ନର ଓ ବାନର କାହାଦ୍ୱାରା ମୃତ୍ୟୁ ହେବନାହିଁ ବୋଲି ଜାଣି ପ୍ରବଳ ଯୁଦ୍ଧ ପରେ ସମସ୍ତଙ୍କୁ ପରାସ୍ତ କଲା । ଦିଗ୍ୱିଜୟୀ ବୀର ହୋଇ ଶେଷରେ ସ୍ୱର୍ଗ ଉପରେ ଆକ୍ରମଣ କଲା ଓ ଦେବଗଣଙ୍କୁ ପରାସ୍ତ କଲା । ଅନେକ ଦେବତାଙ୍କୁ ଆଣି ବନ୍ଦୀ କରିବାରୁ ଦେବତାମାନେ ଭୟରେ ଲୁଚିଲେ । ଦେବତାଙ୍କ ମୁଖର ଅଗ୍ନିରୁ ଦେବୀ ଦୁର୍ଗା ଜନ୍ମ ନେଲେ । ମହିଷାସୁର ଦେବୀଙ୍କ ମୋହିନୀ ରୁପରେ ଟାଣି ହୋଇ ତାଙ୍କୁ ସ୍ତ୍ରୀ ରୁପେ ପାଇବାପାଇଁ ତାର ସେନାପତି ଚାମର, ବେମାଳ, କାଳ, ବିକାଳ, କାନ୍ତିମାଳା, ବିଡାଳାକ୍ଷ, ରକ୍ତବିର୍ୟ, ବୀରଘଣ୍ଟ ଓ କାଳଦନ୍ତ ଆଦିଙ୍କୁ ପଠାଇଲା । ମାତ୍ର ଦେବୀ ସମସ୍ତଙ୍କୁ ମାରି ଶେଷରେ ମହିଷାସୁରକୁ ବଧ କରି ସମସ୍ତଙ୍କୁ ଶାନ୍ତି ପ୍ରଦାନ କଲେ ।

ଲକ୍ଷ୍ମୀନାରାୟଣ ବଚନିକା

କବିଙ୍କ ଅନ୍ୟାନ୍ୟ ଗ୍ରନ୍ଥଗୁଡ଼ିକ "ଦାଣ୍ଡିବୃତ୍ତ"ରେ ଲେଖାଯାଇଛି । "ଲକ୍ଷ୍ମୀନାରାୟଣ ବଚନିକା" ଗ୍ରନ୍ଥଟି ଖୁବ କ୍ଷୁଦ୍ର, ଅଣାଅଶୀ ପଦର । ଗ୍ରନ୍ଥଟିରେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ବର୍ଣ୍ଣନା କରାଯାଇଛି ।

ଲକ୍ଷ୍ମୀନାରାୟଣ ତାଙ୍କର ଗୁରୁବାର ବ୍ରତ ସମ୍ବନ୍ଧରେ ଯାହା କିଛି ବର୍ଣ୍ଣନା କରିଛନ୍ତି ତାହାହିଁ ଗ୍ରନ୍ଥଟିର ବିଷୟବସ୍ତୁ । ଲକ୍ଷ୍ମୀ ମଣ୍ଡାଫୁଲ, ପଦ୍ମଫୁଲ ଓ ଅଁଳା ପୂଜାରେ ବହୁତ ଖୁସି ହୁଅନ୍ତି ଏବଂ ଭକ୍ତମାନଙ୍କୁ ମନଜାଣି ଫଳ ଦେଇଥାନ୍ତି । ଲକ୍ଷ୍ମୀ ପୁରୁଷ ଓ ସ୍ତ୍ରୀମାନଙ୍କର ବିଭିନ୍ନ ଆଚାର ବ୍ୟବହାର କଥା କହି କାହା ପାଖରେ କମ୍ ରହନ୍ତି ବର୍ଣ୍ଣନା କରିଛନ୍ତି । ଏହାଛଡା ସମାଜର ସମସ୍ତ ଅନୀତି କାର୍ଯ୍ୟକୁ ବାରଣ କରିଛନ୍ତି । ସମାଜରେ କେଉଁ ଦିନ କଣ କରିବ,କଣ ନ କରିବ, ଭଲ ବା ମନ୍ଦ କାମ କଲେ କି ଫଳ ମିଳେ, ଗୁରୁବାର ବ୍ରତ ଭାବେ ସମାଜକୁ ଉପଦେଶ ଦେଇଛନ୍ତି । ଗାଇ ବାଛୁରୀ ଜନ୍ମ ଦେଲେ କେତେ ଦିନ ପରେ ଦୁହିଁବା କଥା, କେଉଁ ତିଥିରେ କଣ ଖାଇବା ନିଷେଧ, ଦାନ୍ତରେ ନଖ କଟିଲେ କି ଫଳ ମିଳେ ବର୍ଣ୍ଣନା ରହିଛି । ଏସବୁଦ୍ୱାରା ବିଶୃଙ୍ଖଳା ଦୂର ହୋଇ ସମାଜ ସୁସ୍ଥ ହୋଇପାରିବ ବୋଲି ଜଣାଯାଏ ।

ମହାଭାରତ

 
ସାରଳା ସାହିତ୍ୟ ସଂସଦ (କଟକ) ସମ୍ମୁଖରେ ଥିବା ସାରଳା ଦାସଙ୍କ ପ୍ରତିମୂର୍ତ୍ତି

ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି ।

ସଂସ୍କୃତ ମହାଭାରତର ପର୍ବଗୁଡିକ ହେଲା :-

  • ୧ ଆଦିପର୍ବ
  • ୨ ସଭାପର୍ବ
  • ୩ ବନପର୍ବ
  • ୪ ବିରାଟ ପର୍ବ
  • ୫ ଉଦଯୋଗ ପର୍ବ
  • ୬ ଭୀଷ୍ମ ପର୍ବ
  • ୭ ଦ୍ରୋଣ ପର୍ବ
  • ୮ କର୍ଣ୍ଣ ପର୍ବ
  • ୯ ଶଲ୍ୟ ପର୍ବ`
  • ୧୦ ସୌପ୍ତିକ ପର୍ବ
  • ୧୧ ସ୍ତ୍ରୀ ପର୍ବ
  • ୧୨ ଶାନ୍ତି ପର୍ବ
  • ୧୩ ଅନୁଶାସନିକ ପର୍ବ
  • ୧୪ ଅଶ୍ବମେଧ ପର୍ବ
  • ୧୫ ଆଶ୍ରମବାସିକା ପର୍ବ
  • ୧୬ ମୌଷଳ ପର୍ବ
  • ୧୭ ମହାପ୍ରସ୍ଥାନିକ ପର୍ବ
  • ୧୮ ସ୍ୱର୍ଗାରୋହଣ ପର୍ବ
  • ୧୯ ମାନଗୋବିନ୍ଦଙ୍କ ମହାନତା
ସାରଳା ମହାଭାରତର ପର୍ବଗୁଡିକ ହେଲା :-
  • ୧ ଆଦିପର୍ବ
  • ୨ ମଧ୍ୟ ପର୍ବ
  • ୩ ସଭାପର୍ବ
  • ୪ ବନପର୍ବ
  • ୫ ବିରାଟ ପର୍ବ
  • ୬ ଉଦଯୋଗ ପର୍ବ
  • ୭ ଭୀଷ୍ମ ପର୍ବ
  • ୮ ଦ୍ରୋଣ ପର୍ବ
  • ୯ କର୍ଣ୍ଣ ପର୍ବ
  • ୧୦ ଶଲ୍ୟ ପର୍ବ
  • ୧୧ ଗଦା ପର୍ବ
  • ୧୨ ଐଷିକ ବା କାଇଁଶିକା ପର୍ବ
  • ୧୩ ନାରୀ ପର୍ବ
  • ୧୪ ଶାନ୍ତି ପର୍ବ
  • ୧୫ ଆଶ୍ରମିକ ପର୍ବ
  • ୧୬ ଅଶ୍ବମେଧ ପର୍ବ
  • ୧୭ ମୂଷଳି ପର୍ବ
  • ୧୮ ସ୍ବର୍ଗାରୋହଣ ପର୍ବ

ଆହୁରି ଦେଖନ୍ତୁ

ଆଧାର

  1. This contribution is a nearly verbatim reproduction of "Sarala Dasa, the Originator of the Oriya Literature" by Debendra Nath Bhoi and Priyadarshini Bakshi in the Orissa Review of October 2004
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 11 April 2013. ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ 'ଶୂଦ୍ରମୁନି' ଉପାଧି ଦେଇଥିଲେ
  3. "SARALA DAS". orissadiary.com. Retrieved 11 April 2013. In a clear statement the poet declares the Vilanka Ramayana, the Mahabharat and the Chandi Purana to be respectively the first, second and third of his compositions

This article uses material from the Wikipedia ଓଡ଼ିଆ article ସାରଳା ଦାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାବିଶ୍ୱ ପରିବେଶ ଦିବସଆୟୋଟ୍ରକ୍ସିକ ଏସିଡଅଲିମ୍ପିକ କ୍ରୀଡ଼ାରଥଯାତ୍ରାଫକୀର ମୋହନ ସେନାପତିଓଡ଼ିଆ ଭାଷାଜଗନ୍ନାଥ ମନ୍ଦିରଓଡ଼ିଶାଓଡ଼ିଆ ସାହିତ୍ୟରାଧାନାଥ ରାୟଟାହିଆଅଣସରଦେବସ୍ନାନ ପୂର୍ଣ୍ଣିମାଗୋପବନ୍ଧୁ ଦାସଜଗନ୍ନାଥଗଙ୍ଗାଧର ମେହେରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଅଲାରନାଥ ମନ୍ଦିରଯୌନ ସମ୍ଭୋଗପ୍ରତିଭା ରାୟମନୋଜ ଦାସତୁଳସୀ ଲାହିରିପହଣ୍ଡି ବିଜେବାହାର ବାନୁ ବେଗମକିଟୋଜେନିକ ଖାଦ୍ୟଭାରତମଧୁସୂଦନ ରାଓକାଳୀଚରଣ ପଟ୍ଟନାୟକସଚ୍ଚିଦାନନ୍ଦ ରାଉତରାୟ୨୦୨୩ ଓଡ଼ିଶା ରେଳ ଧକ୍କାମହାତ୍ମା ଗାନ୍ଧୀଲକ୍ଷ୍ମୀକାନ୍ତ ମହାପାତ୍ରପରି ମଣିସାରଳା ଦାସଗୋଦାବରୀଶ ମିଶ୍ର୧୪୫୫ବାଲେଶ୍ୱରକଟକଦ୍ରୌପଦୀ ମୁର୍ମୁୟୁ ଟ୍ୟୁବବଳରାମ ଦାସଟାହିଆଲାଗି ବେଶଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପସୁରେନ୍ଦ୍ର ମହାନ୍ତିରମାକାନ୍ତ ରଥଅଚ୍ୟୁତାନନ୍ଦ ଦାସମଧୁସୂଦନ ଦାସରଜଶାନ୍ତନୁ କୁମାର ଆଚାର୍ଯ୍ୟଭାରତୀୟ ସମ୍ବିଧାନସ୍ୱର ବର୍ଣ୍ଣକାଳିନ୍ଦୀ ଚରଣ ପାଣିଗ୍ରାହୀଓଡ଼ିଆଓଡ଼ିଶାର ଇତିହାସଭକ୍ତ ଚରଣ ଦାସଗୁଫି ପେଣ୍ଟାଲକନକ ମଞ୍ଜରୀ ମହାପାତ୍ରଗୋପୀନାଥ ମହାନ୍ତିଅନନ୍ତ ପଟ୍ଟନାୟକ🡆 More