ରାଧା (ହିନ୍ଦୀରେ राधा, ରୋମାନ ଲିପିରେ ଉଚ୍ଚାରଣଗତ ଦୃଷ୍ଟିରୁ ମୂଳ ସଂସ୍କୃତ ଶବ୍ଦ Rādhā), ଯିଏ ରାଧାରାଣୀ, ରାଧିକା, ରାଧୀକାରାଣୀ ବା ଶ୍ରୀମତୀ ରୂପେ ହିନ୍ଦୁଧର୍ମର ବୈଷ୍ଣବମାନଙ୍କଦ୍ୱାରା ପୂଜିତା, ବ୍ରହ୍ମ ବୈବର୍ତ ପୁରାଣ ଓ ଗୀତ ଗୋବିନ୍ଦ ଅନୁସାରେ ସିଏ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ବାଳସଖି, ପ୍ରେମିକା। ରାଧା ପ୍ରାୟ ସର୍ବଦା କୃଷ୍ଣଙ୍କ ସହିତ ପୂଜିତା ହୋଇଥାନ୍ତି। ଗୌଡ଼ୀୟ ବୈଷ୍ଣବମାନଙ୍କ ମତରେ ସେ ହେଉଛନ୍ତି ଆଦିଶକ୍ତି। ନିମ୍ବାର୍କ ସମ୍ପ୍ରଦାୟର ବୈଷ୍ଣବମାନଙ୍କର ମଧ୍ୟ ମୂଖ୍ୟ ଆରାଧିତା ଦେବୀ ହେଉଛନ୍ତି ରାଧା। ନିମ୍ବାର୍କ ଋଷି, ଯିଏ ନିମ୍ବାର୍କ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ, ତାଙ୍କ ମତରେ ରାଧା ଓ କୃଷ୍ଣଙ୍କର ମିଳିତ ସତ୍ତା ହେଉଛି ସତ୍ୟର ପ୍ରତୀକ। କୃଷ୍ଣଙ୍କ ସହିତ ରାଧାଙ୍କର ଅପ୍ରାକୃତ ପ୍ରେମର ବର୍ଣ୍ଣନା ବ୍ରହ୍ମ ବୈବର୍ତ ପୁରାଣ, ଗର୍ଗ ସଂହିତା ଓ ବୃହଦ୍ ଗୌତମୀୟ ତନ୍ତ୍ରରେ ଦେଖିବାକୁ ମିଳେ।
ରାଧା | |
---|---|
ସଂସ୍କୃତ ଅନୁବାଦ | Rādhā |
Tamil script | ରାଦା |
କଥାଭାଷାରେ ଭକ୍ତିଭାବର ପ୍ରଦର୍ଶନ ସ୍ୱରୂପ ନାମ ପୂର୍ବରୁ ଶ୍ରୀମତୀ ଲାଗାଇ ରାଧାଙ୍କୁ ରାଧାରାଣୀ, ରାଧିକା ବୋଲି ଭକ୍ତମାନେ ସମ୍ବୋଧିତ କରିଥାନ୍ତି। ହିନ୍ଦୁଧର୍ମରେ ରାଧା ହେଉଛନ୍ତି କୃଷ୍ଣଙ୍କର ଅତିପ୍ରିୟ ସଖି। ତାତ୍ୱିକ ଅର୍ଥରେ ରାଧା ହେଉଛନ୍ତି ମାନବାତ୍ମାର ପ୍ରତୀକ ଯିଏ ପରମାତ୍ମା ସହିତ ମିଳିତ ହେବାପାଇଁ ସଦା ପିପାସୁ। ବୈଷ୍ଣବମାନଙ୍କ ମତରେ ଆରାଧୟତି ଇତି ରାଧା । ଅର୍ଥାତ ଶ୍ରୀକୃଷ୍ଣଙ୍କ ଆରାଧନାର ପ୍ରକୃଷ୍ଟ ସାଧନ ହେଉଛି ରାଧା ଭାବ । ଏହା ହେଉଛି କାନ୍ତା ପ୍ରେମଠାରୁ ଅଧିକ ଭାବମୟ । ଶାସ୍ତ୍ର ମତରେ ‘ର’ ହେଉଛି ଅଗ୍ନି ବୀଜ । ରାଧା ଶବ୍ଦର ଅକ୍ଷର ମୁକ୍ତିଲାଭର ପ୍ରତୀକ ଓ ଧା ଭଗବାନଙ୍କ ଆଡକୁ ଧାବମାନ ହେବକୁ ସଙ୍କେତ କରେ ।
ବୈଷ୍ଣବ ଶାସ୍ତ୍ର ମତରେ ସୃଷ୍ଟି ପୂର୍ବେ ରାସମଣ୍ଡଳସ୍ଥ ପରମାତ୍ମା ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରର ବାମ ଭାଗରୁ ଅପରୂପ ଶୋଭା ସମ୍ପନ୍ନା ଦେବୀ ମହାଲକ୍ଷ୍ମୀ ଓ ଦକ୍ଷିଣାଂଶରୁ ପ୍ରେମମୟୀ ଶ୍ରୀରାଧାଙ୍କ ଉତ୍ପତ୍ତି ହୋଇଥିଲା । ଚତୁର୍ଭୁଜ ନାରାୟଣ ଲକ୍ଷ୍ମୀଙ୍କୁ ଗ୍ରହଣ କରି ଲକ୍ଷ୍ମୀକାନ୍ତ ନାମ ଧାରଣ କରିଥିବା ବେଳେ ଦ୍ୱିଭୁଜ ଶ୍ରୀକୃଷ୍ଣ ପ୍ରେମମୟୀ ରାଧିକାଙ୍କୁ ଗ୍ରହଣ କରି ରାଧକାନ୍ତ ରୂପେ ପ୍ରସିଦ୍ଧ ହେଲେ । ଶ୍ରୀକୃଷ୍ଣ ଓ ଶ୍ରୀରାଧଙ୍କ ନିତ୍ୟ ରାସସ୍ଥଳୀ ହେଉଛି ଗୋଲୋକ ଧାମ । ସେ ନିତ୍ୟ କୃଷ୍ଣ ବିହାରିଣୀ ।
ଏକଦା ଶ୍ରୀକୃଷ୍ଣ ଗୋଲୋକରେ ବିରଜା ନାମ୍ନୀ ଜଣେ ଗୋପୀକା ସହିତ ବିହାର କରୁଥିବା ଖବର ପାଇ ରାଧା କ୍ରୁଧା ହେବା ସହ ସଖିମାନଙ୍କ ସହ ବିହାରସ୍ଥଳୀକୁ ଗମନ କଲେ I କିନ୍ତୁ ସୁଦାମ ଗୋପାଳଙ୍କ ସୂଚନାକ୍ରମେ ରାଧାଙ୍କ ଆସିବା ଜାଣି ଶ୍ରୀକୃଷ୍ଣ ବିରଜାଙ୍କୁ ଛାଡି ପଳାଇଗଲେ I ଅନ୍ୟ ଏକଦିନ ରାଧିକା ଏହି ଘଟଣା ନେଇ ପ୍ରିୟତମ ଶ୍ରୀକୃଷ୍ଣଙ୍କୁ ପ୍ରେମ ଭର୍ତ୍ସନା କରିବାରୁ ସୁଦାମ ରାଧାଙ୍କୁ ତିରସ୍କାର କରିଥିଲେ I ଶ୍ରୀରାଧାଙ୍କ ଅଭିଶାପରେ ସୁଦାମ ମର୍ତ୍ତ୍ୟରେ ଅସୁର ଯୋନିରେ ଶଙ୍ଖଚୂଡ଼ ନାମରେ ଜନ୍ମ ନେଇଥିବା ବେଳେ ସୁଦାମଙ୍କ ଅଭିଶାପରୁ ଶ୍ରୀରାଧା ମର୍ତ୍ତ୍ୟରେ ଗୋପାଳୁଣୀ ରୂପେ ଜନ୍ମ ନେଇଥିଲେ I
ବ୍ରହ୍ମବୈବର୍ତ୍ତ ପୁରାଣ ମତେ ଶ୍ରୀରାଧା ଅଯୋନି ସମ୍ଭୂତ I ଗୋକୁଳ ନିବାସୀ ସାମନ୍ତ ରାଜ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ଶିଶୁକନ୍ୟାଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇ ଆସିଥିଲେ I କୁହାଯାଏ ଜନ୍ମଠାରୁ ତିନିଦିନ ପର୍ଯ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା I ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲିଯାଇଥିଲା I କୈଶୋରାବସ୍ଥାରେ ରାଧା ଚନ୍ଦ୍ରସେଣା ନାମକ ଜଣେ ନପୁସଂକ ଗୋପାଳଙ୍କୁ ବିବାହ କରିଥିଲେ I ଜଟିଳା ତାଙ୍କର ଶାଶୁ ଓ ନଣନ୍ଦଙ୍କ ନାମ କୁଟିଳା I ବରସାନା ବା ତତ୍କାଳୀନ ଯାବଟ ଗ୍ରାମ ହେଉଛି ଶ୍ରୀରାଧାଙ୍କ ପିତ୍ରାଳୟ I ଗୁରୁଜନଙ୍କ ଗଞ୍ଜଣା ଶାଶୁ ନଣନ୍ଦ ଓ ସମାଜର ନିନ୍ଦା ଅପବାଦ କାହାରିକୁ ଭ୍ରୂକ୍ଷେପ ନକରି ରାଧା ଥିଲେ କୃଷ୍ଣପ୍ରେମରେ ବାତୁଳୀ I କୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ I ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା I ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାଙ୍କ ବେଦନା ଥିଲ ହୃଦୟ ବିଦାରକ I କୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ ମଧ୍ୟ ରାସେଶ୍ୱରୀ ରାଧାଙ୍କ ଲଲଟରେ ହିଁ ଲାଗିଥିଲା କୁଲଟା ଅପବାଦ I ହେଲେ ପ୍ରିୟତମାର ମହତ ରକ୍ଷା ପାଇଁ ଶ୍ରୀକୃଷ୍ଣ ପଣ କରିଥିଲେ I କେବଳ ରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ପ୍ରଭୁଙ୍କ ରୋଗର ଉପଶମ କରିଥିବା ବୈଷ୍ଣବ ସାହିତ୍ୟମାନଙ୍କରେ ବର୍ଣ୍ଣନା କରାଯାଇଛି I କବି ଜୟଦେବ ନିଜର ସୁଲଲିତ ଗୀତ ଗୋବିନ୍ଦ କାବ୍ୟରେ ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳାର ଅପୂର୍ବ ବର୍ଣ୍ଣନା କରିଥିବା ବେଳେ ଅଭିମନ୍ୟୁ ସାମନ୍ତସିଂହାର ସ୍ୱରଚିତ ବିଦଗ୍ଧ ଚିନ୍ତାମଣିରେ ଏହି ଅପ୍ରାକୃତ ପ୍ରେମଲୀଳାର ଉଚ୍ଚକୋଟୀର ବର୍ଣ୍ଣନା କରିଛନ୍ତି I
ଶ୍ରୀରାଧାନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ଓ କର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଦ ପ୍ରାପ୍ତ ହୁଏ ଓ ଈଶ୍ୱରଙ୍କ ନିକଟତର ହୋଇଥାଏ I ତେଣୁ ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ I ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମନନ୍ଦଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ I ତେଣୁ ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାଙ୍କ ଆରାଧନାକୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି I ଶ୍ରୀରାଧାଙ୍କ କୃପା କଟାକ୍ଷରେ ହିଁ ମନରେ କୃଷ୍ଣ ଭକ୍ତି ବଳବତ୍ତର ହୋଇଥାଏ I
ପବିତ୍ର ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀରାଧାଙ୍କ ଜନ୍ମୋତ୍ସବ ରାଧାଷ୍ଟମୀ ପାଳିତ ହୁଏ I ଶ୍ରୀମନ୍ଦିର ଓ ସାକ୍ଷୀଗୋପାଳ ମନ୍ଦିରରେ ଏହି ନୀତି ଯଥାବିଧି ପାଳନ କରାଯାଏ I କଳିଯୁଗରେ ଶ୍ରୀରାଧା ସତ୍ୟବାଦୀଠାରେ ଅବତୀର୍ଣ୍ଣ ହୋଇଥିବା କିମ୍ବଦନ୍ତୀ ରହିଛି I ଏହିଦିନ ସାଧାରଣ ଗୃହସ୍ଥମାନେ ମଧ୍ୟ ଉପବାସ କରି ରାଧଷ୍ଟମୀ ବ୍ରତ ପାଳନ କରିବା ସହ ଶ୍ରୀରାଧାକୃଷ୍ଣଙ୍କ ପୂଜର୍ଚ୍ଚନା କରିଥାନ୍ତି I
This article uses material from the Wikipedia ଓଡ଼ିଆ article ରାଧା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.