ରାଜେନ୍ଦ୍ର ପ୍ରସାଦ (ଉଚ୍ଚାରଣ (help·info) ହିନ୍ଦୀ : डा॰ राजेन्द्र प्रसाद; ୩ ଡିସେମ୍ବର ୧୮୮୪ - ୨୮ ଫେବ୍ରୁଆରୀ ୧୯୬୩) ହେଉଛନ୍ତି ଜଣେ ଭାରତୀୟ ରାଜନେତା, ଭାରତୀୟ ସାଧାରଣତନ୍ତ୍ରର ଜଣେ ସ୍ଥପତି, ପ୍ରଥମ ଭାରତୀୟ ରାଷ୍ଟ୍ରପତି (୨୬ ଜାନୁଆରୀ ୧୯୫୦ରୁ ୧୩ ମଇ ୧୯୬୨)। ସେ ହେଉଛନ୍ତି ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇଥର ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ।
ରାଜେନ୍ଦ୍ର ପ୍ରସାଦ | |
---|---|
ଭାରତର ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୬ ଜାନୁଆରୀ ୧୯୫୦ – ୧୩ ମଇ ୧୯୬୨ | |
ପ୍ରଧାନ ମନ୍ତ୍ରୀ | ଜବାହରଲାଲ ନେହେରୁ |
Vice President | ସର୍ବପଲ୍ଲୀ ରାଧାକୃଷ୍ଣନ |
ପୂର୍ବ ଅଧିକାରୀ | ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ (ଭାରତରଗଭର୍ଣ୍ଣର ଜେନେରାଲରୂପେ) |
ପର ଅଧିକାରୀ | ସର୍ବପଲ୍ଲୀ ରାଧାକୃଷ୍ଣନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜିରାଦେଇ ପଞ୍ଚାୟତ ସମିତି, ବିହାର, ଭାରତ | ୩ ଡିସେମ୍ବର ୧୮୮୪
ମୃତ୍ୟୁ | ୨୮ ଫେବୃଆରୀ ୧୯୬୩ପାଟନା, ବିହାର | (ବୟସ ୭୮)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରାଜବଂଶୀ ଦେବୀ |
ଶିକ୍ଷାନୁଷ୍ଠାନ | କଲିକତା ବିଶ୍ୱବିଦ୍ୟାଳୟ |
ସଂସ୍କୃତ ଓ ପାର୍ସୀ ଭାଷାର ବିଦ୍ୱାନ, ୟୁନାନୀ ଚିକିତ୍ସା ଓ ଅଶ୍ୱାରୋହଣ କଳାରେ ରୁଚି ରଖୁଥିବା ମହାଦେବ ସହାୟ ପହଲବାନୀ ଥିଲେ ତାଙ୍କର ପିତା। ମାତା କାମେଶ୍ୱରୀ ଦେବୀ ଥିଲେ ଜଣେ ଧର୍ମପରାୟଣା ମହିଳା। ପିତାମାତାଙ୍କର ସୁସଂସ୍କାର ରାଜେନ୍ଦ୍ର ପ୍ରସାଦଙ୍କ ଜୀବନର ଢାଞ୍ଚାକୁ ବାଲ୍ୟକାଳରୁ ସୁସଂସ୍କୃତ ଓ ସୁରୁଚି-ସମ୍ପନ୍ନ କରି ଗଢ଼ି ତୋଳିଥିଲା। କାୟସ୍ଥ ପରିବାରରେ ଜନ୍ମିତ କନିଷ୍ଠ ସନ୍ତାନ ରାଜେନ୍ଦ୍ର ପ୍ରସାଦ, ପରିବାର ଓ ବନ୍ଧୁ ଗହଣରେ ରାଜନ୍ ନାମରେ ପରିଚିତ ଥିଲେ।
ତାଙ୍କର ଆଦ୍ୟ ଶିକ୍ଷା ଆରମ୍ଭ ହୋଇଥିଲା ମୌଲବୀଙ୍କ ଚାଟଶାଳୀରେ ପାର୍ସୀ, ହିନ୍ଦୀ ଓ ପାଟୀ ଗଣିତ ଶିକ୍ଷା କରିବାରେ। ପାରମ୍ପରିକ ଶିକ୍ଷା ସମାପ୍ତି ପରେ ସେ ଛାପ୍ରା ଜିଲ୍ଲାସ୍କୁଲରେ ପାଠ ପଢ଼ିଲେ ଓ ପରେ ପରେ ନିଜ ଭାଇ ମହେନ୍ଦ୍ର ପ୍ରସାଦଙ୍କ ସହିତ ପାଟନାର ଟି.କେ. ଘୋଷ ଏକାଡେମୀରେ ଦୁଇ ବର୍ଷକାଳ ପାଠ ପଢ଼ିଲେ। କଲିକତା ବିଶ୍ୱ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ସେ ପ୍ରଥମ ହୋଇଥିଲେ ଓ ସେଥିପାଇଁ ମାସକୁ ୩୦ ଟଙ୍କାର ମାସିକ ବୃତ୍ତି ମଧ୍ୟ ହାସଲ କରିଥିଲେ। ୧୯୦୨ରେ ସେ କଲିକତା ପ୍ରେସିଡେନ୍ସି କଲେଜରେ ପ୍ରଥମେ ଏକ ବିଜ୍ଞାନ ଛାତ୍ର ହିସାବରେ ଯୋଗଦେଲେ। ୧୯୦୪କେ ଇଣ୍ଟରମିଡିଏଟ ବା ସେ ସମୟର ଏଫ.ଏ. ପାସ କଲେ। ପରେ ପରେ ସେ କଳା ବିଭାଗରେ ଯୋଗଦେଇ ୧୯୦୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପ୍ରଥମ ଶ୍ରେଣୀରେ ଉନ୍ନୀତ ହେଲେ।ନିଜ ଭାଇଙ୍କ ସହିତ ସେ ଇଡେନ ହିନ୍ଦୁ ଛାତ୍ରାବାସରେ ରହୁଥିଲେ ଓ ସତୀଶ ଚନ୍ଦ୍ର ମୁଖାର୍ଜୀଙ୍କ ଦି ଡନ ସୋସାଇଟିର ଜଣେ ସକ୍ରିୟ ସଭ୍ୟ ଥିଲେ। ନିଜ ପରିବାର ଓ ଶିକ୍ଷାପ୍ରତି ଦାୟିତ୍ୱଭାବ ଯୋଗୁଁ ସେ ଭାରତ ସେବକ ସମାଜ Servants of India Societyରେ ଯୋଗଦେବାକୁ ମନା କରି ଦେଇଥିଲେ। ସେ ୧୯୦୬ରେ ପାଟନା ବିଶ୍ୱବିଦ୍ୟାଳୟରେ ବିହାରୀ ଛାତ୍ର ସମ୍ମେଳନ କରିଥିଲେ। ଏହି ସଙ୍ଗଠନରୁ ପରବର୍ତ୍ତୀ କାଳରେ ଅନୁରାଗ ସିନ୍ହା ଓ ଶ୍ରୀ କୃଷ୍ଣ ସିଂହଙ୍କ ପରି ଅନେକ ପ୍ରତିଷ୍ଠିତ ନେତା ବାହାରିଥିଲେ।
ରାଜେନ୍ଦ୍ର ପ୍ରସାଦ ଅନେକ ଶିକ୍ଷାୟତନରେ ଜଣେ ଶିକ୍ଷକ ଭାବେ କାମ କରିଥିଲେ। ଅର୍ଥନୀତିରେ ଏମ.ଏ. ପାସ କଲାପରେ ସେ ମୁଜାଫରପୁରର ଭୂମିହର ବ୍ରାହ୍ମଣ କଲେଜ (ବର୍ତ୍ତମାନ ଲଙ୍ଗଟ ସିଂହ କଲେଜ)ରେ ଇଂରାଜୀ ଅଧ୍ୟାପକ ଭାବେ ଯୋଗ ଦେଇ ପରେ ପ୍ରଧାନ ଅଧ୍ୟାପକ (principal) ହୋଇ ପାରିଥିଲେ। ୧୯୦୯ରେ କଲିକତାରେ ଆଇନ ପଢୁଥିଲାବେଳେ ସେ କଲିକତା ସିଟି କଲେଜରେ ଅର୍ଥନୀତି ଅଧ୍ୟାପକ ରୂପେ କାମ କରିଥିଲେ । ୧୯୧୫ରେ ସେ ସ୍ୱର୍ଣ୍ଣ ପଦକ ସହିତ ଆଇନରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କଲେ। ଏହାପରେ ସେ ଆଇନରେ ଡକ୍ଟରେଟ କରିଥିଲେ।
୧୯୧୬ରେ ସେ ବିହାର ଓ ଓଡ଼ିଶା ହାଇକୋର୍ଟରେ ଯୋଗ ଦେଇଥିଲେ। ୧୯୧୭ରେ ସେ ପାଟନା ବିଶ୍ୱବିଦ୍ୟାଳୟର ସିନେଟ ଓ ସିଣ୍ଡିକେଟର ଜଣେ ପ୍ରଥମ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ବିହାରର ରେଶମ ନଗରୀ ଭାଗଲପୁରରେ ମଧ୍ୟ ସେ ଓକିଲାତି ଅଭ୍ୟାସ କରୁଥିଲେ। [ଆଧାର ଲୋଡ଼ା]
ପ୍ରସାଦ ୧୯୧୧ରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଲେ। ୧୯୨୦ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାପାଇଁ ସେ ନିଜର ଲାଭଜନକ ଓକିଲାତି ପେଶା ତ୍ୟାଗ କରିଥିଲେ ଓ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଛାଡ଼ି ଦେଇଥିଲେ।
ଗାନ୍ଧୀଜୀଙ୍କର ପାଶ୍ଚାତ୍ୟ ଶିକ୍ଷା ବର୍ଜନ ଡାକରା ଅନୁସାରେ ସେ ନିଜ ପୁଅ ମୃତ୍ୟୁଞ୍ଜୟ ପ୍ରସାଦଙ୍କୁ ତାଙ୍କର ତତ୍କାଳୀନ ଶିକ୍ଷାଗ୍ରହଣରୁ ବିରତ କରି ପାରମ୍ପରିକ ଭାରତୀୟ ଢାଞ୍ଚାରେ ତିଆରି ବିହାର ବିଦ୍ୟାପୀଠରେ ପଢାଇଥିଲେ।
୧୯୧୪ର ବିହାର ବଙ୍ଗଳା ବଢ଼ିରେ ସେ କ୍ଷତିଗ୍ରସ୍ତ ଲୋକମାନଙ୍କର ସହାୟତା ପାଇଁ ସକ୍ରିୟ ଭୂମିକା ନିଭାଇଥିଲେ। ଏପରିକି ୧୫ ଜାନୁଆରୀ ୧୯୩୪ରେ ବିହାରରେ ଯେଉଁ ଭୂମିକମ୍ପ ହୋଇଥିଲା, ସେତେବେଳେ ସେ ଜେଲରେ ଥିବାରୁ ତାଙ୍କର ସହକର୍ମୀ ଅନୁରାଗ ନାରାୟଣ ସିନ୍ହାଙ୍କୁ ରିଲିଫ୍ କାମ ହସ୍ତାନ୍ତର କରିଥିଲେ।
ନେହେରୁଙ୍କ ନେତୃତ୍ୱାଧୀନ ଭାରତର ମଧ୍ୟବର୍ତ୍ତୀ କାଳୀନ ସରକାରର ୧୨ ଜଣିଆ ମନ୍ତ୍ରୀମଣ୍ଡଳରେ ସେ ଖାଦ୍ୟ ଓ କୃଷିମନ୍ତ୍ରୀ ହିସାବରେ କାମ କରିଥିଲେ। ଜୀବତରାମ କୃପାଳିନୀଙ୍କ ପରେ ୧୭ ନଭେମ୍ବରରେ ସେ ତୃତୀୟଥର କଂଗ୍ରେସ ପ୍ରେସିଡେଣ୍ଟ ହୋଇଥିଲେ।
ସମ୍ବିଧାନ ଅନୁସାରେ ଜଣେ ଆଦର୍ଶ ରାଷ୍ଟ୍ରପତି ଯେମିତି ହେବା କଥା, ପ୍ରସାଦ ସେହି ମର୍ଯ୍ୟାଦାକୁ ଠିକେ ଠିକେ ପାଳନ କରୁଥିଲେ। ରାଜନୀତିରେ ସେ ସ୍ୱାଧୀନଭାବେ କାମ କରୁଥିଲେ। ହିନ୍ଦୁ କୋଡ ବିଲ୍କୁ ନେଇ ଚାଲୁଥିବା ବିବାଦ ପରେ ପରେ ସେ ଦେଶର କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିବାକୁ ଚାହିଁଲେ। ୧୨ ବର୍ଷର ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ସେ ଅବସର ନେବାକୁ ସ୍ଥିର କଲେ। ତଦୁପରାନ୍ତ ସେ ମଇ ୧୯୬୨ରେ ପାଟନା ଆସି ବିହାର ବିଦ୍ୟାପୀଠ ପରିସରରେ ରହିବାକୁ ପସନ୍ଦ କରିଥିଲେ। ପରେପରେ ସେ ଭାରତ ରତ୍ନ, ଦେଶର ସର୍ବୋଚ୍ଚ (ଅସୈନିକ) ପୁରସ୍କାର ଲାଭ କରିଥିଲେ।
ସେ ୨୮ ଫେବ୍ରୁଆରୀ ୧୯୬୩ରେ ଇହଲୀଳା ସମ୍ବରଣ କରିଥିଲେ।
Political offices | ||
---|---|---|
Preceded by ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ as ଗଭର୍ଣ୍ଣର ଜେନେରାଲ | ଭାରତର ରାଷ୍ଟ୍ରପତି ୧୯୫୦–୧୯୬୨ | Succeeded by ସର୍ବପଲ୍ଲୀ ରାଧାକୃଷ୍ଣନ |
This article uses material from the Wikipedia ଓଡ଼ିଆ article ରାଜେନ୍ଦ୍ର ପ୍ରସାଦ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.