ମୁଦିରସ୍ତ ବା ମୁଦିରଥ ହେଉଛନ୍ତି ଶ୍ରୀମନ୍ଦିରରେ ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବାକରିଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାରବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରଥ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ । ମହାରାଣୀଙ୍କ ସହିତ ମୁଦିରଥ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ । ପ୍ରତିବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା । କିନ୍ତୁ ସେ ସମୟରେ ରାଜ୍ୟର ଆଭ୍ୟନ୍ତରୀଣ ପରିସ୍ଥିତିରେ ବିଶୃଙ୍ଖଳା ଦେଖାଦେବାରୁ ଏବଂ ରାଜା ସର୍ବଦା ରାଜ୍ୟ ବିସ୍ତାର ପାଇଁ ଅନ୍ୟ ରାଜ୍ୟ ସହ ଯୁଦ୍ଧରେ ଲିପ୍ତ ରହୁଥିବାରୁ ଶ୍ରୀଜୀଉଙ୍କର ନୀତି ସମ୍ପାଦନରେ ବିଶୃଙ୍ଖଳା ହେଲା । ତେଣୁ ସେବେଠାରୁ ଜଣେ ନାବାଳକକୁ ଗଜପତି ମନୋନୀତ କଲେ ଏବଂ ସେହି ନାବାଳକ ରାଜ ଅନ୍ତଃପୁରରେ ରହି ଲାଳିତ ପାଳିତ ହେଲେ । ସେହି ନାବାଳକ ଯେତେବେଳେ ଦ୍ୱାଦଶ ବର୍ଷ ଅତିକ୍ରମ କରିଯାଏ ସେତେବେଳେ ସେମାନଙ୍କୁ ପୁଷ୍ପାଳକ ଭାବରେ ବିବେଚନା କରାଯାଏ । ପରମ୍ପରାକ୍ରମେ ମହାରାଣୀଙ୍କର ଗହଣ ବିଜେ ପାଇଁ ଗଜପତି ମହାରାଜା ଏହି ପରିବାରରୁ ଜଣେ ନାବାଳକଙ୍କୁ ପ୍ରତିନିଧି ଭାବେ ମନୋନୀତ କରନ୍ତି । ମହାରାଣୀ ହେଉଛନ୍ତି ଅସୂର୍ଯ୍ୟଂପଶ୍ୟା, ସର୍ବଦା ରାଣୀ ଅନ୍ତଃପୁର ଭିତରେ ଥାଆନ୍ତି । କୌଣସି ବାହାର ଲୋକ ତାଙ୍କୁ ଦେଖିପାରନ୍ତି ନାହିଁ । ତେଣୁ ମୁଦିରସ୍ତ ରାଣୀଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥାନ୍ତି । ଅନ୍ୟ ସେବକମାନେ କୂର୍ମ ବେଢା ବାହାରେ ଅପେକ୍ଷା କରି ରହନ୍ତି । ଚଳନ୍ତି ଠାକୁରଙ୍କର ପ୍ରତିନିଧି ରୂପେ ସେ ଏକାନ୍ତରେ ଏହି ସେବା ମହାପ୍ରଭୁଙ୍କ ନିକଟରେ କରିଥାନ୍ତି । ଗଜପତିଙ୍କର ଅନୁପସ୍ଥିତିରେ, ନିର୍ଦ୍ଦେଶ ପାଇ ମୁଦିରସ୍ତ ପ୍ରଭୁଙ୍କର ପ୍ରଥମ ସେବକର କାର୍ଯ୍ୟ ବହନ କରିଥାନ୍ତି ।
This article uses material from the Wikipedia ଓଡ଼ିଆ article ମୁଦିରସ୍ତ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.