ଭାରତ ଏକ ଅର୍ଦ୍ଧ ରାଷ୍ଟ୍ର ସଂଘ ସମୀକ୍ଷା କର
ମୁଖବନ୍ଧ, ପ୍ରସ୍ତାବନା, ପୂର୍ବାଭାସ ବା ପ୍ରାକ୍କଥନ ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍ସା, ଆକାଙ୍କ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେମାନଙ୍କ ହାତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ମୁଖବନ୍ଧରେ ଲେଖାଯାଇଅଛି -
ଆମ୍ଭେ, ଭାରତର ଲୋକମାନେ, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରୂପେ ପ୍ରତିଷ୍ଠିତ କରିବାକୁ ତଥା ଏହାର ସମସ୍ତ ନାଗରିକଙ୍କୁ:
ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ;
ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଏବଂ ଉପାସନାର ସ୍ୱତନ୍ତ୍ରତା;
ପ୍ରତିଷ୍ଠା ଓ ସୁଯୋଗରେ ସମାନତା ପ୍ରାପ୍ତ କରାଇବା ପାଇଁ, ଏବଂ
ସମସ୍ତଙ୍କ ମଧ୍ଯରେ,
ବ୍ୟକ୍ତିର ଗାରିମା ଏବଂ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରୁଥିବା ଭ୍ରାତୃଭାବର ବୃଦ୍ଧି ପାଇଁ ସଂକଳ୍ପବଦ୍ଧ ହୋଇ;
ଆମ୍ଭର ଏହି ସମ୍ବିଧାନ ସଭାରେ ଆଜି ତାରିଖ ୨୬ ନଭେମ୍ବର ୧୯୪୯ ମସିହାରେ (ଦୁଇହଜାର ଛଅ ବିକ୍ରମ ସମ୍ବତ୍ସର ମାର୍ଗଶୀର ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ), ଏତଦ୍ୱାରା ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।
ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ୍ ଡକ୍ଟର ଭୀମାରାଓ ରାମଜୀ ଆମ୍ବେଦକର (ବି.ଆର. ଆମ୍ବେଦକର) ଶାସନ ବିଧାୟକ ସଭାରେ ଘୋଷଣା କରିଥିଲେ ଯେ "ଏହି ପ୍ରସ୍ତାବନାରେ ସଦସ୍ୟମାନଙ୍କର ବାସନା ପରିସ୍ଫୁଟ ହୋଇଛି । ଜନସାଧାରଣ ଯେ ଏ ସମ୍ବିଧାନର ଚେର, ଉତ୍ସ ଓ ଜନସାଧାରଣ ଯେ ସାର୍ବଭୌମ ତାହା ଏଥିରେ ରୂପାୟିତ ହୋଇଛି ।" ଏହାକୁ ୪୨ଶ ସଂଶୋଧନରେ ଏକ ସମାଜବାଦୀ ଓ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ କରିବାକୁ ଘୋଷଣା କରାଯାଇଛି ।
ମୁଖବନ୍ଧ ପାଠକଲେ ୩ଟି ବିଷୟ ଜଣାଯାଏ । (୧) ସମ୍ବିଧାନର ଉତ୍ସ ଓ ମୂଳଭିତ୍ତି (୨) ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, (୩) ସମ୍ବିଧାନ ପ୍ରଣୟନର ତାରିଖ । ଏହି ମୁଖବନ୍ଧର ଉପାଦେୟତା ଉପରେ ଭାରତର ସୁପ୍ରିମକୋର୍ଟ କହିଛନ୍ତି. "ଭାରତର ଜନସାଧାରଣଙ୍କଦ୍ୱାରା କି କି ସାଧାରଣ ଉଦ୍ଦେଶ୍ୟ ସାଧିତ କରିବା ପାଇଁ ସମ୍ବିଧାନ ପ୍ରବର୍ତ୍ତିତ ଓ ପ୍ରତିଷ୍ଠା କରିଛନ୍ତି, ତାହା ଏହି ମୁଖବନ୍ଧରୁ ସ୍ପଷ୍ଟ ହୁଏ ।" ବିଖ୍ୟାତ ଆଇନଜ୍ଞ ଆଲ୍ଲାଦି କ୍ରିଷ୍ଣାସ୍ୱାମୀ ଆୟାରଙ୍କ ମତରେ "ସମ୍ବିଧାନ ପ୍ରଣେତାମାନଙ୍କର ମନର କଥା ରୂପାୟିତ କରିଥାଏ । କେଉଁ କେଉଁ ଅଭାବ-ଅସୁବିଧାକୁ ଦୂରୀଭୂତ କରାଯିବ, ତାହାର ଇଙ୍ଗିତ ମୁଖବନ୍ଧରେ ରହିଥାଏ ।" ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ "ମୁଖବନ୍ଧର ଗମ୍ଭୀର ଘୋଷଣାର ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ।" ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱାଧୀନ ଭାରତର ଆଶା-ଆକାଙ୍କ୍ଷା ଏଥିରେ ପ୍ରତିଫଳିତ ହୋଇଛି ।
ମୁଖବନ୍ଧରେ ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏଥିରେ ଘୋଷଣା କରାଯାଇଛି ଯେ,
ବିଖ୍ୟାତ ରାଜନୀତିକ ଦାର୍ଶନିକ ଆର୍ଣ୍ଣେଷ୍ଟ ବାର୍କରଙ୍କ ମତରେ "ଭାରତ ସମ୍ବିଧାନର ମୁଖବନ୍ଧରେ ସମ୍ବିଧାନର ସଂକ୍ଷିପ୍ତ ସାର ଓ ଯୁକ୍ତି ସନ୍ନିବେଶିତ ହୋଇଛି । ଫଳରେ ଏହା ସମ୍ବିଧାନର ଚାବିକାଠି ରୂପେ କାର୍ଯ୍ୟ କରିବ ।"
ଜନତାର ସାର୍ବଭୌମତ୍ୱ ପ୍ରତିଷ୍ଠା କରି ସମ୍ବିଧାନର ପ୍ରଣେତାମାନେ କହିଦେଇଛନ୍ତି ଯେ. "ସରକାର ସର୍ବଦା ଜନତାଦ୍ୱାରା ସୃଷ୍ଟି ଓ ଜନତାର ସିଦ୍ଧାନ୍ତଦ୍ୱାରା ଆବଦ୍ଧ ରହିବ ।" ପଣ୍ଡିତ ଜବାହରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଯେଉଁ ଅବଜେକ୍ଟିଭ ରିଜୋଲ୍ୟୁସନ(Objective Resolution) ବା "ଆଭିମୁଖ୍ୟ ପ୍ରସ୍ତାବ" ପେଶ କରିଥିଲେ, ସେଥିରେ ଥିବା ସମସ୍ତ ବ୍ୟବସ୍ଥା ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖ କରାଯାଇଛି । ମାନବ ସମାଜ ଯେଉଁ ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଇଥାଏ, ସେସବୁ ଦର୍ଶନର ସମାହାର ଏହି ମୁଖବନ୍ଧରୁ ମିଳିବ । ପଣ୍ଡିତ ଠାକୁରଦାସ ଭାର୍ଗବ ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଆତ୍ମା" ରୂପେ ବର୍ଣ୍ଣନା କରିଥିଲେ । ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଉପାଦେୟତାର ମାପକାଠି" ରୂପେ ଘୋଷଣା କରାଯାଇଛି । ତେବେ ବିଚାରାଳୟରେ ସମ୍ବିଧାନର ମୁଖବନ୍ଧକୁ ଆଇନ ହିସାବରେ ଗଣାଯାଇପାରିବ ନାହିଁ । ଏହା କେବଳ ସମ୍ବିଧାନର ଆଭିମୁଖ୍ୟ ଦର୍ଶାଏ; ଅନ୍ତର୍ନିହିତ ଉଦ୍ଦେଶ୍ୟ ପ୍ରତିପାଦିତ କରେ ଓ ଦର୍ପଣ ରୂପେ କାମ ଦିଏ, କିନ୍ତୁ ଆଇନ ପରି ଫଳ ଦେଇପାରିବ ନାହିଁ ।
ସମ୍ବିଧାନରେ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି । ଡକ୍ଟର ଆମ୍ବେଦକର ଶାସନ ବିଧାୟକ ସଭାରେ କହିଥିଲେ, "ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭାଗ କରିଥିଲେ ମଧ୍ୟ, ରାଷ୍ଟ୍ରର ଏକତା ଅକ୍ଷୁର୍ଣ୍ଣ ରହିବ ଓ ସାର୍ବଭୌମତ୍ୱ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିବ ।" ଭାରତର ଆଭ୍ୟନ୍ତରୀଣ ଓ ବହିର୍ଦ୍ଦେଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହୋଇଛି । ଅବଶ୍ୟ ଯେ କୌଣସି ସ୍ୱାଧୀନ ରାଷ୍ଟ୍ର ସାର୍ବଭୌମ କ୍ଷମତା ଉପଭୋଗ କରିଥାଏ । ସ୍ୱାଧୀନ ସାଧାରଣତନ୍ତ୍ର ରାଷ୍ଟ୍ର ହେବା ମାତ୍ରେ ରାଷ୍ଟ୍ର ଯେ ସାର୍ବଭୌମ, ଏଥିରେ ସନ୍ଦେହ ନଥାଏ । ତଥାପି ଉପନିବେଶ ଶାସନର ଅବସାନ ହେଲା ବୋଲି ଘୋଷଣା ସହ ଏହି ଶବ୍ଦ ପ୍ରୟୋଗରେ ପ୍ରତିଫଳିତ ହୋଇଛି । ବାହାର ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରି, ସେମାନଙ୍କ ସହିତ ସହଯୋଗ କଲେ ମଧ୍ୟ ଭାରତ ଯେ ନିଜର ଭାଗ୍ୟ ନିଜେ ନିୟନ୍ତ୍ରଣ କରିବ ଏହି ମନୋଭାବ ଓ ଦୃଢ଼ତା ସମ୍ବିଧାନରେ ଉଲ୍ଲେଖ କରାଯାଇଛି । କମନୱେଲ୍ଥ ବା ରାଜ୍ୟଗୋଷ୍ଠୀର ସଭ୍ୟ ହେଲେ ମଧ୍ୟ ଭାରତ ତା’ର ସାର୍ବଭୌମତ୍ୱ ବଜାୟ ରଖିଛି । ସାଧାରଣତନ୍ତ୍ର ରାଷ୍ଟ୍ର ହୋଇ ନିଜ ଇଚ୍ଛାରେ ଅନ୍ୟ ରାଜ୍ୟମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବାଦ୍ୱାରା ରାଷ୍ଟ୍ରର ସାର୍ବଭୌମତ୍ୱରେ ଆଞ୍ଚ ଆସେ ନାହିଁ । ୧୯୪୯ ମସିହା ଏପ୍ରିଲ ୨୭ ତାରିଖ ଦିନ ରାଜ୍ୟଗୋଷ୍ଠୀ ପ୍ରଧାନମନ୍ତ୍ରୀ ଶାନ୍ତି ସମ୍ମିଳନୀରେ ଶାନ୍ତି. ମୈତ୍ରୀ ଓ ପ୍ରଗତି ପାଇଁ ସମାନ ମର୍ଯ୍ୟାଦା ସହ ସଭ୍ୟ ହୋଇ ରହିବାକୁ ସାଧାରଣତନ୍ତ୍ର ଭାରତର ଘୋଷଣାକୁ ସ୍ୱାଗତ କରାଯାଇଥିଲା । ନେହେରୁଙ୍କ ଯୁକ୍ତି ଥିଲା ଯେ ଜାତିସଂଘର ସଦସ୍ୟ ହିସାବରେ ଭାରତର ବହିଃନିର୍ଦ୍ଦେଶୀୟ ସାର୍ବଭୌମତ୍ୱରେ ଯେତେ ଆଞ୍ଚ ଆସେ, ରାଜ୍ୟଗୋଷ୍ଠୀ ସଭ୍ୟ ହିସାବରେ ସ୍ୱାଧୀନ ରାଷ୍ଟ୍ର ହୋଇ ଇଂଲଣ୍ଡର ରାଣୀଙ୍କୁ ରାଜ୍ୟଗୋଷ୍ଠୀର ମୁଖ୍ୟ ଓ ରାଜ୍ୟଗୋଷ୍ଠୀର ସଙ୍କେତ ହିସାବରେ ଗ୍ରହଣ କରିବାଦ୍ୱାରା ସେଭଳି ଆଞ୍ଚ ଆସିବ ନାହିଁ । ଭାରତ ରାଜ୍ୟଗୋଷ୍ଠୀର ସଦସ୍ୟ ହୋଇ ରହିବାର ନିଷ୍ପତିକୁ ଶାସନ ବିଧାୟକ ସଭା ୧୯୪୯ ମସିହା ମେ ମାସ ୧୭ ତାରିଖ ଦିନ ମଞ୍ଜୁର କରିଥିଲେ । ରାଜ୍ୟଗୋଷ୍ଠୀର ମୁଖ୍ୟ ହିସାବରେ ସେ କେବଳ "ସଙ୍କେତ" ରୂପେ ରହିବେ । ତାଙ୍କର କିଛି କ୍ଷମତା ରହିବ ନାହିଁ କି କାର୍ଯ୍ୟ ବି ରହିବ ନାହିଁ । ଜାତୀୟ ସଙ୍କେତ ଅଶୋକସ୍ତମ୍ଭ ଭଳି ରାଜ୍ୟଗୋଷ୍ଠୀର ସଙ୍କେତ ରୂପେ ଇଂଲଣ୍ଡର ରାଣୀ ରହିବେ । ଏ ସଙ୍କେତକୁ ଯେ କୌଣସି ସମୟରେ ଫିଙ୍ଗି ଦିଆଯାଇପାରେ । ରାଜ୍ୟଗୋଷ୍ଠୀରୁ ଯେ କୌଣସି ସମୟରେ ଭାରତ ଓହରି ଯାଇପାରିବ । ଏଥିରେ ସାର୍ବଭୌମତ୍ୱ ଉପରେ ଆଞ୍ଚ ଆସିବାର ପ୍ରଶ୍ନ ଉଠେ ନାହିଁ ।
ସମ୍ବିଧାନ ପ୍ରବର୍ତ୍ତିତ ହେଲାବେଳେ ସର୍ବମୋଟ ୩୯୫ ଧାରା ଓ ୮ଟି ତାଲିକା ଥିଲା । ବିଭିନ୍ନ ସମ୍ବିଧାନ ସଂଶୋଧନଦ୍ୱାରା କେତେକ ନୂଆ ଧାରା ଯୋଡ଼ା ଯାଇଛି ଓ କେତୋଟି ପୁରୁଣା ଧାରା କାଟି ଦିଆଯାଇଛି । ଆଉ କେତେକ ତାଲିକା ଅଧିକା ଯୋଡ଼ି ଦିଆଯାଇଛି । ଫଳରେ ମାର୍ଚ୍ଚ ୨୦୧୩ ସୁଦ୍ଧା ୪୪୮ଟି ଧାରା ଓ ୧୨ଟି ତାଲିକା ରହିଛି । (ଯଦିଓ ସମ୍ବିଧାନର ଶେଷ ଧାରା କ୍ରମାଙ୍କ ୩୯୫; ପୁରୁଣା କ୍ରମାଙ୍କରେ ପରିବର୍ତ୍ତନ ନ କରାଯାଇ ସମ୍ବିଧାନ ସଂଶୋଧନଦ୍ୱାରା ନୂତନ ଧାରାକୁ ଉପକ୍ରମାଙ୍କ ଭାବେ ଉଲ୍ଲେଖ କରାଯାଇଛି । ଉଦାହରଣ ସ୍ୱରୂପ "ଶିକ୍ଷା ଆଇନ:ଧାରା ୨୧-କ"କୁ ୮୬ତମ ସମ୍ବିଧାନ ସଂଶୋଧନ ପରେ ଗ୍ରହଣ କରାଯାଇଥିଲା ।) ଏତେ ବଡ଼ ସମ୍ବିଧାନ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ । ହରିବିଷ୍ଣୁ କାମାଥ ଏ ବିଷୟରେ ଥରେ ଆଲୋଚନା କଲାବେଳେ କହିଥିଲେ, "ଆମ ଶାସନ ବିଧାୟକ ସଭାର ସଙ୍କେତ ହେଲା ହାତୀ । ତେଣୁ ଆମ ସମ୍ବିଧାନ ମଧ୍ୟ ହାତୀ ପରି ବଡ଼ ହୋଇଛି ।"
ସମ୍ବିଧାନର ଆକାର ବଡ଼ ହେବାର କେତେକେ କାରଣ ମଧ୍ୟ ରହିଛି ।
ସମ୍ବିଧାନର ଚିଠା ପ୍ରସ୍ତୁତ କଲାବେଳେ ଓ ଶାସନ ବିଧାୟକ ସଭାରେ ଗ୍ରହଣ କଲାବେଳେ ବିଭିନ୍ନ ସମ୍ବିଧାନର ଭଲଗୁଣ ସଂଗ୍ରହ କରିବା ପାଇଁ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥିଲା, ତାହାରି ଫଳରେ ସମ୍ବିଧାନ ବଡ଼ ରୂପ ଧାରଣ କରିଛି । ସମାଲୋଚକମାନଙ୍କୁ ଉତ୍ତର ଦେଇ ଡକ୍ଟର ଆମ୍ବେଦକର କହିଥିଲେ, "ଆମେ ଭଲ ଭଲ ବ୍ୟବସ୍ଥା ଆହରଣ କରିବାରେ ଲଜ୍ଜିତ ନୋହୁଁ । ଏଥିରେ ନକଲ କରିବାର କିଛି ନାହିଁ । ସମ୍ବିଧାନ ଉପରେ ମୌଳିକ ଚିନ୍ତାଧାରାର ଏକଚାଟିଆ ମାଲିକାନା ସ୍ୱତ୍ୱ କାହାର ନାହିଁ ।"
ଭାରତର ସମ୍ବିଧାନ ଏକ ଲିଖିତ ସମ୍ବିଧାନ । ଏହାର କେତେକ ଅଂଶ ନମନୀୟ ବା ପରିବର୍ତ୍ତନୀୟ ଓ ଆଉ କେତେ ଅଂଶ ଅନମନୀୟ । ସଂଘଶାସନ ସମ୍ବନ୍ଧୀୟ ଧାରାମାନ, କେନ୍ଦ୍ର ଓ ରାଜ୍ୟ ସରକାର, ବିଧାନମଣ୍ଡଳ ଓ ବିଚାର ସଂସ୍ଥା, କ୍ଷମତା ବିତରଣ ତାଲିକା ଏବଂ ସମ୍ବିଧାନ ସଂଶୋଧନ ପ୍ରଣାଳୀ ଇତ୍ୟାଦି ଅନମନୀୟ । ଏହାକୁ ସଂଶୋଧନ କରିବାକୁ ହେଲେ ୩୬୮ ଧାରା ଅନୁସାରେ ଏକ କଷ୍ଟକର ବିସ୍ତୃତ ପ୍ରଣାଳୀର ଆଶ୍ରୟ ନେବାକୁ ହୁଏ । କେନ୍ଦ୍ର ପାର୍ଲିଆମେଣ୍ଟରେ ପ୍ରତ୍ୟେକ ସଦନରେ ଯେଉଁଦିନ ଏହା ଗ୍ରହଣ କରାଯିବ ସେଦିନ ଉପସ୍ଥିତ ଥିବା ସଦସ୍ୟମାନଙ୍କର ଦୁଇ ତୃତୀୟାଂଶ ତଥା ସମସ୍ତ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ଭୋଟରେ ସଂଶୋଧନ କରାଯାଇପାରିବ । ତା’ ସଙ୍ଗେ ସଙ୍ଗେ ୨୮ଟି ରାଜ୍ୟରୁ ଅନ୍ତତଃ ପକ୍ଷେ ୧୫ଟି ରାଜ୍ୟର ବିଧାନମଣ୍ଡଳର ସମ୍ମତି ଲାଭ କଲେ ଏହିସବୁ ଅନମନୀୟ ଧାରାମାନ ସଂଶୋଧିତ ହୋଇପାରିବ ।
ଅନ୍ୟ ପକ୍ଷରେ ଆଉ କେତେକ ଧାରା ରହିଛି ଯାହାକୁ ଉକ୍ତ ପ୍ରଣାଳୀରେ ପାର୍ଲିଆମେଣ୍ଟର ଉଭୟ ସଦନ ସଂଶୋଧନ କରିପାରିବେ । କିନ୍ତୁ ରାଜ୍ୟ ବିଧାନମଣ୍ଡଳମାନଙ୍କ ସମ୍ମତି ଦରକାର ନାହିଁ । ମୌଳିକ ଅଧିକାର, ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଇତ୍ୟାଦି ଏ ପ୍ରଣାଳୀର ଅନ୍ତର୍ଭୁକ୍ତ । ଆଉ କେତେକ ଅଂଶ ରହିଛି ଯାହା ସାଧାରଣ ଆଇନ ପ୍ରଣୟନ ପ୍ରଣାଳୀରେ ସଂଶୋଧିତ ହୋଇପାରିବ । ୪ ଧାରାରେ ରାଜ୍ୟର ନାମ, ସୀମା, କ୍ଷେତ୍ରଫଳ; ୧୬୯ ଧାରାରେ ଦ୍ୱିସଦନ ପ୍ରତିଷ୍ଠା କରିବା ବା ରଦ୍ଦ କରିବା ଆଦି ଏହି ପ୍ରଣାଳୀରେ ସଂଶୋଧିତ ହୋଇପାରିଛି । ଆଉ କେତେକ ଧାରା, ପାର୍ଲିଆମେଣ୍ଟର ସାଧାରଣ ଆଇନଦ୍ୱାରା କାର୍ଯ୍ୟକାରୀ ହେବାର ବ୍ୟବସ୍ଥା ରହିଛି । ନାଗରିକତା ବିଷୟରେ ୧୯୫୬ ମସିହାରେ ଆଇନ ପ୍ରଣୀତ ହୋଇଥିଲା । ମିସା ଆଇନ, ଅସ୍ପୃଶ୍ୟତା ନିବାରଣ ଆଇନ, ରାଷ୍ଟ୍ରପତି ନିର୍ବାଚନ, ଲୋକପ୍ରତିନିଧି ଆଇନଦ୍ୱାରା ସମ୍ବିଧାନର କେତେକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି ।
ଅବସ୍ଥାର ପରିବର୍ତ୍ତନ ସହ ତାଳପକାଇ ଚାଲିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ୧୯୬୬ ମସିହାରେ ସୁପ୍ରିମକୋର୍ଟ ଗୋଖଲନାଥ ବନାମ ପଞ୍ଜାବ ମୋକଦ୍ଦମାରେ ରାୟ ଦେଇ ପାର୍ଲିଆମେଣ୍ଟର ସମ୍ବିଧାନ ସଂଶୋଧନ କ୍ଷମତା ମୌଳିକ ଅଧିକାର ପରିଚ୍ଛେଦ ଉପରେ ନାହିଁ ବୋଲି ମତ ଦେଇଥିଲେ । କେଶବାନନ୍ଦ ଭାରତୀ ବନାମ କେରଳ ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧିତ କରିପାରିବ, କିନ୍ତୁ ମୌଳିକ ବୈଶିଷ୍ଟ୍ୟ ଛୁଇଁପାରିବ ନାହିଁ ବୋଲି ମତ ଦେଇଥିଲେ । ଏହା ଫଳରେ ଅନିଶ୍ଚିତତା ବୃଦ୍ଧି ପାଇଲା । ସେଥିପାଇଁ ସମ୍ବିଧାନର ଚତୁର୍ବିଂଶ ସଂଶୋଧନରେ ପାର୍ଲିଆମେଣ୍ଟକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଛି । ଯେ କୌଣସି ଅଂଶକୁ ଏହା ସଂଶୋଧନ କରିପାରିବାର କ୍ଷମତା ପାଇଛି । କିନ୍ତୁ ୧୯୮୦ରେ ସୁପ୍ରିମକୋର୍ଟ "ମିନର୍ତ୍ତା ମିଲସ" ମୋକଦ୍ଦମାରେ ପାର୍ଲିଆମେଣ୍ଟ ସମ୍ବିଧାନର ମୌଳିକ ରୂପରେଖ ପରିବର୍ତ୍ତନ କରିପାରିବ ନାହିଁ ବୋଲି ପୁନଶ୍ଚ ରାୟ ଦେଇଛନ୍ତି ।
ଜବାହରଲାଲ ନେହେରୁ କହିଥିଲେ, "ଆମେ ଆମ ସମ୍ବିଧାନକୁ ଦୃଢ଼, ଚିରସ୍ଥାୟୀ କରିବାକୁ ଚାହୁଁ । କିନ୍ତୁ ତତ୍ ସଙ୍ଗେ ଏଥିରେ ନମନୀୟତା ରହିବା ଦରକାର । ଯଦି ସମ୍ବିଧାନକୁ ଅନମନୀୟ ଓ ଚିରସ୍ଥାୟୀ କରାଯାଏ, ତେବେ ଜାତିର ଅଭିବୃଦ୍ଧି ବନ୍ଦ ହୋଇଯିବ । ଜାତି ଜୀବନ୍ତ । ତେଣୁ ପରିବର୍ତ୍ତନଶୀଳ ଅବସ୍ଥାର ସମ୍ମୁଖୀନ ହେବାର ସୁବିଧା ରହିବା ଦରକାର । ଆମେ ଭାବୀ ବଂଶଧରଙ୍କର ହାତ ବାନ୍ଧି ଦେଇ ପାରିବା ନାହିଁ ।" ଫଳରେ ୧୯୫୦ରୁ ସେପ୍ଟେମ୍ବର ୨୦୧୩ ଭିତରେ ସମ୍ବିଧାନର ୯୮ଥର ସଂଶୋଧନ ହୋଇଛି ।
ପାର୍ଲିଆମେଣ୍ଟଙ୍କ ନିକଟରେ ଦାୟୀ ହେଉଥିବା ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ମନ୍ତ୍ରୀମଣ୍ଡଳ ଶାସନକୁ ସଂସଦୀୟ ଶାସନ କୁହାଯାଏ । ରାଷ୍ଟ୍ରମୁଖ୍ୟ କେବଳ ଅଳଙ୍କାର ପରି କ୍ଷମତାଶୂନ୍ୟ ହୋଇ ମନ୍ତ୍ରୀପରିଷଦର ପରାମର୍ଶରେ ପରିଚାଳିତ ହୋଇଥାନ୍ତି । ବିଲାତରେ ଏହିପରି ସରକାର ପ୍ରତିଷ୍ଠିତ । ବିଲାତର ଢାଞ୍ଚାରେ ଭାରତରେ ସଂସଦୀୟ ଶାସନ ବା ମନ୍ତ୍ରୀଶାସନ ପ୍ରବର୍ତ୍ତିତ ହୋଇଛି ।
୧୯୩୫ ମସିହା ଆଇନରେ ପ୍ରଦେଶର ଦାୟିତ୍ୱମୂଳକ ସରକାର ପ୍ରତିଷ୍ଠିତ ହୋଇଥିଲା । ସେ ସମ୍ବନ୍ଧରେ ଭାରତୀୟ ନେତାମାନଙ୍କର ଊଣାଅଧିକେ ଅଭିଜ୍ଞତା ଥିଲା । ସମ୍ବିଧାନରେ ବିଲାତର ଏହି ଅନୁଷ୍ଠାନ ସଂସଦୀୟ ଶାସନ ପ୍ରବର୍ତ୍ତିତ ହୋଇଛି । ମନ୍ତ୍ରୀମାନେ ପ୍ରକୃତ ଶାସନ କ୍ଷମତା ପ୍ରୟୋଗ କରନ୍ତି । ପାର୍ଲିଆମେଣ୍ଟ ନିକଟରେ ସେମାନେ ବ୍ୟକ୍ତିଗତ ଓ ମିଳିତ ଭାବେ ଦାୟୀ ଅଟନ୍ତି । ରାଷ୍ଟ୍ରପତି ରାଷ୍ଟ୍ରର ମୁଖ୍ୟ ହିସାବରେ ମନ୍ତ୍ରୀମାନଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି । ପାର୍ଲିଆମେଣ୍ଟ ଦେଶର ଅର୍ଥନୈତିକ, ରାଜନୈତିକ, ସାମରିକ, ବୈଦେଶିକ ଆଦି ସବୁ ବିଷୟରେ ସର୍ବେସର୍ବା । ପାର୍ଲିଆମେଣ୍ଟଦ୍ୱାରା ମନ୍ତ୍ରୀମାନେ ବିତାଡ଼ିତ ହୋଇପାରିବେ । ପାର୍ଲିଆମେଣ୍ଟର ବିଶ୍ୱାସଭାଜନ ହୋଇଥିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତା ପ୍ରୟୋଗ କରିପାରିବ । କିନ୍ତୁ ବିଶ୍ୱାସ ହରାଇଲେ କ୍ଷମତାରୁ ଅପସରି ଯିବାକୁ ବାଧ୍ୟ । ପାର୍ଲିଆମେଣ୍ଟର ପ୍ରାଧାନ୍ୟ ଯୋଗୁଁ ଏହି ପ୍ରଣାଳୀକୁ ପାର୍ଲିଆମେଣ୍ଟାରୀ ଶାସନ ବା ସଂସଦୀୟ କୁହାଯାଏ ।
ଭାରତ ସମ୍ବିଧାନରେ ସଂଘ ଶାସନ ପ୍ରବର୍ତ୍ତିତ ହୋଇଛି । ସଂଘଶାସନରେ ଯେଉଁ ଯେଉଁ ଉପାଦାନ ଦରକାର, ତାହା ଭାରତ ସମ୍ବିଧାନରେ ଉଲ୍ଲେଖ ରହିଛି । ସଂଘଶାସନର ୪ଟି ଉପାଦାନ ଥାଏ ।
ଭାରତ ସମ୍ବିଧାନରେ ଏହି ଚାରୋଟି ଉପାଦାନ ଦେଖିବାକୁ ମିଳେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘଶାସନରୁ ଅଲଗା ହୋଇଯିବାକୁ ଅଧିକାର ଦିଆଯାଇନାହିଁ । ଫଳରେ ଭାରତ ଏକ ଅଚ୍ଛେଦ୍ୟ ଓ ଅବିନାଶୀ ସଂଘରାଷ୍ଟ୍ର ହିସାବରେ ବିଦ୍ୟମାନ । ପ୍ରଫେସର କେ.ସି. ହୁଏର ଭାରତର ସଂଘଶାସନକୁ ପ୍ରାୟକଳ୍ପ(Quasi) ସଂଘଶାସନ ରୂପେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ "ଭାରତରେ କାର୍ଯ୍ୟତଃ ଐକିକ ପ୍ରାଧାନ୍ୟ ସରକାର, ଗୌଣ ସଂଘୀୟ ଆବରଣରେ କାମ କରୁଛି । ସଂଘୀୟ ପ୍ରାଧାନ୍ୟ ଥାଇ ଐକିକ ଉପାଦାନସବୁ ଗୌଣ ହୋଇ ରହିବ ନାହିଁ ।"
ଅବଶ୍ୟ ଜାତୀୟ ଏକତା, ସଂହତି ଓ ପ୍ରତିରକ୍ଷା ପାଇଁ ଜରୁରୀକାଳୀନ ଅବସ୍ଥାରେ ଭାରତର ଐକିକ ଶାସନର ପ୍ରାଧାନ୍ୟ ରହିବା ପାଇଁ ବ୍ୟବସ୍ଥା ରହିଛି । ଜାତି ବଞ୍ଚିଲେ, ରାଜ୍ୟ ବଞ୍ଚିବ । ତେଣୁ ରାଜ୍ୟମାନଙ୍କ ସ୍ୱାତନ୍ତ୍ର୍ୟ ମଳିନ ହୋଇଥାଏ । କିନ୍ତୁ ସାଧାରଣ ସମୟରେ ମଧ୍ୟ ଐକିକ ଶାସନର ପ୍ରାଧାନ୍ୟ ଦେଖାଯାଏ । ରାଜ୍ୟପାଳମାନେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ସେମାନେ ସଂଘଶାସନର ସେତୁ, ପ୍ରହରୀ ଓ ପ୍ରତିନିଧିରୂପେ କାମ ନ କଲେ ସଂଘଶାସନ ଦୁର୍ବଳ ହୋଇଯିବ । କେନ୍ଦ୍ରଠାରୁ ଆର୍ଥିକ ସହାୟତା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା, କେନ୍ଦ୍ରର ଆର୍ଥିକ ସ୍ୱଚ୍ଛଳତା ଓ ରାଜ୍ୟମାନଙ୍କର ଆର୍ଥିକ ଦୁର୍ଗତି, ଯୋଜନା କମିଶନ, ଅତିମାନବ ମନ୍ତ୍ରୀପରିଷଦ ତଥା ରାଷ୍ଟ୍ରାଧିପତି ପରି କ୍ଷମତା ପ୍ରୟୋଗ କରି ଭାରତୀୟ ଯୋଜନା ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟମାନେ କେନ୍ଦ୍ର ନିକଟରେ ସର୍ବଦା ଭିକାରୀ ରୂପେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଛି । ଶିଳ୍ପ ପାଇଁ ଲାଇସେନ୍ସ, ବନ୍ୟା, ବାତ୍ୟା, ଯୋଜନା ପାଇଁ ସାଧାରଣ କାର୍ଯ୍ୟପାଇଁ ଆର୍ଥିକ ସାହାଯ୍ୟ ପ୍ରଭୃତି ଲାଗି ରାଜ୍ୟମାନେ କେନ୍ଦ୍ରର ଦ୍ୱାରସ୍ଥ ହେଉଛନ୍ତି । ସର୍ବଭାରତୀୟ ପ୍ରଶାସନିକ ସେବା, ସବୁ ବିଷୟରେ କେନ୍ଦ୍ରମନ୍ତ୍ରୀଙ୍କ ଅଧିନାୟକତ୍ୱରେ ରାଜ୍ୟମନ୍ତ୍ରୀମାନଙ୍କ ସଭା ଓ ଜାତୀୟ ନୀତିନିୟନ୍ତ୍ରଣ, ଜାତୀୟ ଉନ୍ନୟନ ପରିଷଦ, ରାଜ୍ୟପାଳ ସମ୍ମିଳନୀ, ବାଚସ୍ପତି ସମ୍ମିଳନୀ, ବିଭାଗୀୟ ମନ୍ତ୍ରୀ ସମ୍ମିଳନୀ, ଶାସନ ସଚିବ ତଥା ମୁଖ୍ୟ ସଚିବ ସମ୍ମିଳନୀ ଆଦି କେନ୍ଦ୍ରୀଭୂତ ପ୍ରବୃତ୍ତିର ନିଦର୍ଶନ । ଏହାଦ୍ୱାରା କେନ୍ଦ୍ର ଦୃଢ଼ୀଭୂତ ହେଉଛି ଓ ହେବାର କଥା । ସମ୍ବିଧାନର ୩୫୬ ଧାରା ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତିତ ହୋଇପାରିବ । କେନ୍ଦ୍ର ରାଜ୍ୟର ସୀମା ପରିବର୍ତ୍ତନ କରିପାରିବ, ରାଜ୍ୟକୁ ଭାଙ୍ଗି ୨ ବା ୩ ରାଜ୍ୟ କରିପାରିବ ବା ଲୋପ କରିଦେଇ ପାରିବ । ରାଜ୍ୟର ସମ୍ମତି ଦରକାର ନାହିଁ । ରାଜ୍ୟ ସରକାର ଯଦି କେନ୍ଦ୍ରର ନିର୍ଦ୍ଦେଶ ଅମାନ୍ୟ କରନ୍ତି ଅଥବା ଜାତୀୟ ଏକତା ଓ ସଂହତି ପ୍ରତି ବାଧା ଆଣନ୍ତି, ତେବେ ସାମ୍ବିଧାନିକ ପନ୍ଥାରେ ୩୫୬ ଧାରା ପ୍ରୟୋଗ କରି ମନ୍ତ୍ରୀମଣ୍ଡଳକୁ ବିଦାୟ ଦେଇ, ରାଷ୍ଟ୍ରପତି ଶାସନ ପ୍ରୟୋଗ କରାଯାଇ ପାରିବ । ରାଜ୍ୟମାନଙ୍କ ପକ୍ଷରୁ କେନ୍ଦ୍ରକୁ କାୟମନୋବାକ୍ୟରେ ଦୁର୍ବଳ କରିବାକୁ ଦିଆଯିବା ଉଚିତ ନୁହେଁ । ରାଜ୍ୟ ସ୍ୱାତନ୍ତ୍ର୍ୟ ନାମରେ ଜାତିକୁ ଦୁର୍ବଳ କରିବାକୁ ଦେବା ଠିକ୍ ହେବ ନାହିଁ । ଜାତୀୟ ସଂହତି, କେନ୍ଦ୍ରର ଦୃଢ଼ତା ଏବଂ ସ୍ୱାଧୀନତାର ନିରାପତ୍ତା, ଜାତୀୟ ସମ୍ମାନ ଓ ଜାତୀୟ ପ୍ରତିରକ୍ଷା, ଆର୍ଥନୀତିକ କଳକୁ କ୍ଷୁଣ୍ଣ କରିବାକୁ ଦିଆଯିବା ଉଚିତ ନୁହେଁ ।
ସେଥିପାଇଁ ସାର୍ ଆଇଭର ଜେନିଙ୍ଗସ୍ କହିଛନ୍ତି, "ସଂଘଶାସନ ହେଲେ ମଧ୍ୟ ଜାତୀୟ ସ୍ୱାର୍ଥର ପ୍ରାଧାନ୍ୟ ବଜାୟ ରଖିବାକୁ ହେବ ।" କେ. ସାନ୍ତନମ୍ଙ୍କ ମତରେ, "ଭାରତ ବାସ୍ତବରେ ଐକିକ ଶାସନ ହିସାବରେ ଚଳିଆସିଛି । ଅବଶ୍ୟ କେନ୍ଦ୍ର ଓ ରାଜ୍ୟମାନେ ଆଇନଗତ ହିସାବରେ ଓ ବାହ୍ୟ ବ୍ୟବହାରରେ ସଂଘରାଷ୍ଟ୍ରପରି କାର୍ଯ୍ୟ କରିଛନ୍ତି ।" ସମ୍ବିଧାନର ପ୍ରଣେତାମାନେ ସଂଘଶାସନ ଓ ଐକିକ ଶାସନ ମଧ୍ୟରେ ସମନ୍ୱୟ ସୃଷ୍ଟିକରିବା ପାଇଁ ବ୍ୟବସ୍ଥା ରଖିଥିଲେ । ଡକ୍ଟର ଆମ୍ବେଦକର କହିଛନ୍ତି, " ଆମ ସମ୍ବିଧାନରେ ଏପରି ବ୍ୟବସ୍ଥା ରହିଛି ଯେ ଦରକାର ଅନୁଯାୟୀ ଏହା ସଂଘଶାସନ ଅଥବା ଐକିକ ଶାସନରେ ପରିଣତ ହୋଇପାରିବ ।"
ଭାରତରେ କେନ୍ଦ୍ରୀଭୂତ ସଂଘଶାସନ ପ୍ରବର୍ତ୍ତିତ ହୋଇଛି । ଏହା ଏକ "ଯୌଥ ସଂଘଶାସନ ।" କେନ୍ଦ୍ର ଉପରେ ରାଜ୍ୟମାନେ ଯେପରି ନିର୍ଭର କରୁଛନ୍ତି, ରାଜ୍ୟମାନଙ୍କ ଉପରେ କେନ୍ଦ୍ର ସରକାର ସେହିପରି ନିର୍ଭରଶୀଳ । ରାଜ୍ୟ ପୋଲିସ, କୋର୍ଟ କଚେରୀ, କର୍ମଚାରୀମାନଙ୍କ ସାହାଯ୍ୟରେ କେନ୍ଦ୍ରର ସଂପତ୍ତି, କାର୍ଯ୍ୟ ଆଦି ପରିଚାଳିତ । କେନ୍ଦ୍ରର ନିର୍ବାଚନ କାର୍ଯ୍ୟ ରାଜ୍ୟର କର୍ମଚାରୀ ପରିଚାଳନା କରନ୍ତି । କେନ୍ଦ୍ରର ରେଳ, ଡାକ-ତାର ସଂପତ୍ତି ସବୁ ରାଜ୍ୟ ପୋଲିସଙ୍କଦ୍ୱାରା ସଂରକ୍ଷିତ । କେନ୍ଦ୍ରର ସମାନ୍ତରାଳ ଥାନା, କଚେରୀ, ପ୍ରଶାସନିକ କର୍ମଚାରୀ ସବୁ ରାଜ୍ୟରେ ନାହିଁ । ତେଣୁ ରାଜ୍ୟମାନଙ୍କ ଉପରେ କେନ୍ଦ୍ର ନିର୍ଭର କରେ । ଫଳରେ ଭାରତରେ ଏକ "ଯୌଥ-ସଂଘଶାସନ" ପ୍ରବର୍ତ୍ତିତ ହୋଇଛି । ଯଦିଓ କେନ୍ଦ୍ରୀଭୂତ ଶାସନ ଓ ଐକିକ ପ୍ରବୃତ୍ତି ରହିଛି, ତଥାପି ଏହାଦ୍ୱାରା ସଂଘଶାସନ ଦୃଢ଼ୀଭୂତ ହୋଇଛି । ତା’ ନ ହୋଇଥିଲେ ୟୁରୋପ ପରି ଭାରତରେ ଅନେକ କ୍ଷୁଦ୍ର କ୍ଷୁଦ୍ର ରାଷ୍ଟ୍ର ପ୍ରତିଷ୍ଠିତ ହୋଇସାରନ୍ତାଣି । ସେଥିପାଇଁ କୁହାଯାଏ ଯେ ଭାରତରେ "ଅସୀମ ବିଭେଦ ଓ ଅନ୍ତର୍ଗତ ଐକ୍ୟର ସମନ୍ୱୟ ହୋଇଛି ।"
ସମ୍ବିଧାନର ତୃତୀୟ ପରିଚ୍ଛେଦରେ ପ୍ରତ୍ୟେକ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରାଯଇଛି । ଆମେରିକା ସମ୍ବିଧାନ ପରି ଆମର ମୌଳିକ ଅଧିକାରସବୁ ସମ୍ବିଧାନରେ ଲିପିବଦ୍ଧ ହୋଇଛି । ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ:
ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ । ୪୪ତମ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ତା ଅର୍ଥ ହେଉଛି ଯେ ବ୍ୟକ୍ତିର ସଂପତ୍ତି ରହିବ; କିନ୍ତୁ ସରକାର ଶାସନ କରି ସେ ସଂପତ୍ତି ଦଖଲ କଲେ ତା ବିରୁଦ୍ଧରେ ନ୍ୟାୟାଳୟରେ ଉକ୍ତ କାର୍ଯ୍ୟକୁ ସମ୍ବିଧାନବିରୋଧୀ ବୋଲି ମୋକଦ୍ଦମା କରି ହେବନାହିଁ ।
ସମ୍ବିଧାନରେ ସମତା ଅଧିକାର ୧୪ ଧାରାଠାରୁ ୧୮ ଧାରାରେ ଲିପିବଦ୍ଧ ହୋଇଛି । ଆଇନ ଆଗରେ ସମସ୍ତେ ସମାନ ଓ ଆଇନଦ୍ୱାରା ସମଭାବରେ ସଂରକ୍ଷିତ । ସୁପ୍ରିମକୋର୍ଟ କହିଛନ୍ତି ଯେ ସମଅବସ୍ଥାରେ ସମତା ଲାଗୁହେବ । ରାଷ୍ଟ୍ର ବା ସରକାର ଆଇନ ଜରିଆରେ ଲୋକ ବା ଜିନିଷକୁ ଏକାଗୁଣବିଶିଷ୍ଟ ହୋଇଥିଲେ ବିଭକ୍ତିକରଣ କରିପାରିବେ । ଅର୍ଥାତ୍ ସମଗୁଣବିଶିଷ୍ଟ ବ୍ୟକ୍ତି, ଅନୁଷ୍ଠାନ ବା ଜିନିଷକୁ ଗୋଟିଏ ଗୋଟିଏ ଗୋଷ୍ଠୀ କରି ବା ଭାଗ କରି ସେହି ବିଭାଗରେ ଥିବା ସମସ୍ତଙ୍କୁ ସମତା ବିତରଣ କରିପାରିବେ । ରାଷ୍ଟ୍ର କୌଣସି ନାଗରିକ ବିରୋଧରେ କେବଳ ଧର୍ମ, ଜାତି, ବର୍ଣ୍ଣ, ଜନ୍ମସ୍ଥାନ ବା ସେମାନଙ୍କ ମଧ୍ୟରୁ କୌଣସି କାରଣରେ କୌଣସି ବିଭେଦ କରିପାରିବେ ନାହିଁ । ଅବଶ୍ୟ ସ୍ତ୍ରୀ, ପିଲା ବା ଅନୁନ୍ନତ ବ୍ୟକ୍ତିମାନଙ୍କ ପାଇଁ ରାଷ୍ଟ୍ର ବିଶେଷ ବ୍ୟବସ୍ଥା କରିପାରିବ । ସରକାରୀ ଚାକିରିକ୍ଷେତ୍ରରେ ସମସ୍ତ ନାଗରିକଙ୍କର ସମାନ ସୁଯୋଗ ରହିବ । ଅସ୍ପୃଶ୍ୟତା ଲୋପକରି ଏହାକୁ ଦଣ୍ଡନୀୟ ଅପରାଧ କରାଯାଇଛି । ସରକାର କାହାକୁ ବିଦ୍ୟାଗତ ବା ସାମରିକ ଉପାଧି ବ୍ୟତୀତ ଅନ୍ୟ ଉପାଧି ଦେଇ ପାରିବେ ନାହିଁ । ବର୍ତ୍ତମାନ ଯେଉଁ ଭାରତରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ ପ୍ରଭୃତି ପଦବୀ ଦିଆଯାଉଛି ଏହା କେବଳ ସମ୍ମାନ ସୂଚକ ।
ସପ୍ତସ୍ୱାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ଦିଆଯାଇଛି:
ଅବଶ୍ୟ ଏ ସବୁ ସ୍ୱାଧୀନତାର ଅଧିକାର ଉପରେ କଟକଣା ଜାରି କରିବାର ଅଧିକାର ସରକାରଙ୍କର ରହିଛି ।
ସମ୍ବିଧାନ ୨୦, ୨୧ ଓ ୨୨ ଧାରାରେ ବ୍ୟକ୍ତିଗତ ଅଧିକାର ପ୍ରଦାନ କରାଯାଇଛି । ଏ ସବୁ "ଆଇନ ଶାସନ" ସମ୍ବନ୍ଧୀୟ ଅଧିକାର । ଆଇନଭଙ୍ଗ ନ କଲେ ବ୍ୟକ୍ତି ଦଣ୍ଡିତ ହୋଇପାରିବ ନାହିଁ । ଏକା ଅପରାଧ ପାଇଁ ଏକାଧିକ ଥର ଦଣ୍ଡ ଦିଆଯାଇ ପାରିବ ନାହିଁ । ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବା ପାଇଁ କେହି କାହାକୁ ବାଧ୍ୟ କରିପାରିବେ ନାହିଁ । ୨୧ ଧାରାରେ ବ୍ୟକ୍ତିର ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ସଂରକ୍ଷିତ ହୋଇଛି । ୨୨ ଧାରାରେ ବନ୍ଧନ ଓ ହାଜତରେ ରଖିବା ବିରୁଦ୍ଧରେ କେତେକ ବ୍ୟବସ୍ଥା ରହିଛି । ୨୩ ଓ ୨୪ ଧାରାରେ ଶୋଷଣ ବିରୁଦ୍ଧରେ ଅଧିକାର ଦିଆଯାଇଛି । ବେଠି ବେଗାରୀ ଓ ପିଲାଙ୍କୁ କଠିନ କାମରେ ଲଗାଯାଇ ପାରିବ ନାହିଁ । ଧର୍ମସ୍ୱାଧୀନତା ବିଷୟରେ ୨୫ ଧାରାଠାରୁ ୨୮ ଧାରା ପର୍ଯ୍ୟନ୍ତ ଅଧିକାର ଲିପିବଦ୍ଧ ହୋଇଛି । ସମସ୍ତେ ନିଜ ନିଜ ମୁତାବକ ଧର୍ମଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । ରାଷ୍ଟ୍ର ବା ସରକାର କୌଣସି ଧର୍ମକୁ ସରକାରୀ ଧର୍ମ ରୂପେ ଘୋଷଣା କରିପାରିବେ ନାହିଁ କିମ୍ବା କୌଣସି ଧର୍ମ ଉପରେ ଜିଜିୟା କର ବସାଇ ପାରିବେ ନାହିଁ । କୌଣସି ସରକାରୀ ଅନୁଷ୍ଠାନରେ ଧର୍ମଶିକ୍ଷା ଦିଆଯାଇ ପାରିବ ନାହିଁ । ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସମ୍ବିଧାନର ୨୯ ଓ ୩୦ ଧାରାରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ସଂଖ୍ୟାଲଘୁ ବା ସଂଖ୍ୟାଗୁରୁ ଗୋଷ୍ଠୀର ବ୍ୟକ୍ତି ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ନିଜର ଭାଷା ଓ ସଂସ୍କୃତି ବଜାୟ ରଖିପାରିବେ ।
ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ପରିସରରୁ ବା ମୌଳିକ ଅଧିକାର ଅଧ୍ୟାୟରୁ ଉଠିଯାଇଛି । ୧୯୭୯ ଅଗଷ୍ଟ ୧ ତାରିଖରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ଏହାକୁ ଆଇନଗତ ଅଧିକାରଭୁକ୍ତ କରାଯାଇଛି । ସମସ୍ତଙ୍କ ସମ୍ପତ୍ତି ରଖିବା ଅଧିକାର ଆଇନଦ୍ୱାରା ନିର୍ଣ୍ଣିତ ହେବ । ସରକାର ସାଧାରଣ ହିତ ପାଇଁ ବ୍ୟକ୍ତିର ସମ୍ପତ୍ତି ନିଜ ହାତକୁ ନେଇ ପାରିବେ । ସମ୍ପତ୍ତିର ସୀମା ଧାର୍ଯ୍ୟ କରିପାରିବେ । ୯ମ ତାଲିକାରେ ସନ୍ନିବିଷ୍ଟ ଆଇନଗୁଡ଼ିକ ଭୂସଂସ୍କାର ପାଇଁ ଉଦ୍ଦିଷ୍ଟ । ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପତ୍ତି ଉପରେ ଆଞ୍ଚ ଆଣିପାରିବେ । ସରକାର ଯେଉଁ ପରିମାଣରେ କ୍ଷତିପୂରଣ ଦେବେ, ତାହା କୋର୍ଟକଚେରୀ ବିଚାର ବହିର୍ଭୂତ ହେବ । ସରକାର ବ୍ୟକ୍ତିଗତ ସମ୍ପତ୍ତିକୁ ଦଖଲ କରିପାରିବା ପାଇଁ ଆଇନ ପ୍ରଣୟନ କରିପାରିବେ । ସେ ଆଇନକୁ ସମ୍ବିଧାନବିରୋଧୀ ବୋଲି କେହି ନ୍ୟାୟାଳୟରେ ଦାବୀ କରିପାରିବେ ନାହିଁ । ଅର୍ଥାତ ବିବାହ, ଚୁକ୍ତି, ଅପରାଧ, ଯାନବାହନ ସମ୍ବନ୍ଧୀୟ ଅଧିକାର ଯେପରି ଆଇନଦ୍ୱାରା ନିର୍ଦ୍ଧାରିତ ହେଉଛି; ସମ୍ପତ୍ତି ରଖିବା, ଭୋଗ କରିବା, ବିକ୍ରୟ କରିବା, ରୋଜଗାର କରିବା ଇତ୍ୟାଦି ଅଧିକାର ମଧ୍ୟ ଆଇନଦ୍ୱାରା ନିର୍ଦ୍ଧାରିତ ବା ନିୟନ୍ତ୍ରିତ ହୋଇପାରିବ । ଉକ୍ତ ଆଇନ ସମ୍ବିଧାନର ଅନ୍ୟାନ୍ୟ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିଲେ ସମ୍ବିଧାନବିରୋଧୀ ବୋଲି କୁହାଯାଇପାରିବ । କିନ୍ତୁ ସମ୍ପତ୍ତିଗତ ଅଧିକାର ବିରୋଧାତ୍ମକ ବୋଲି ଯୁକ୍ତି କରାଯାଇ ପାରିବ ନାହିଁ ।
ସାମ୍ବିଧାନିକ ପ୍ରତିକାର ଅଧିକାର ୩୨ ଧାରାରେ ଉଲ୍ଲେଖ ଅଛି । ମୌଳିକ ଅଧିକାର ଉପରେ କେହି ଯଦି ଆଞ୍ଚ ଆଣନ୍ତି, ତେବେ ସେ ବ୍ୟକ୍ତି ସୁପ୍ରିମକୋର୍ଟରେ ମୋକଦ୍ଦମା କରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ । ସୁପ୍ରିମକୋର୍ଟ ୫ଟି ରିଟ୍ ବା ଆଜ୍ଞାପତ୍ରଦ୍ୱାରା ବ୍ୟକ୍ତିର ଅଧିକାର ସଂରକ୍ଷିତ କରିପାରିବେ । ରିଟ୍ଗୁଡ଼ିକ ହେଲା -
ଏହି ୫ଟି ଆଜ୍ଞାପତ୍ର ବା ଆଦେଶ ବଳରେ ସୁପ୍ରିମକୋର୍ଟ ବ୍ୟକ୍ତିର ମୌଳିକ ଅଧିକାରକୁ ସାବ୍ୟସ୍ତ କରିପାରିବେ । ଏହା କିନ୍ତୁ ସାମରିକ ଆଇନ ବା ୩୫୨ ଧାରା ଅନୁସାରେ ଜରୁରୀକାଳୀନ ଘୋଷଣା ପ୍ରବର୍ତ୍ତିତ ସମୟରେ କାର୍ଯ୍ୟକାରୀ ହୋଇ ନ ପାରେ । ସେନାବାହିନୀ ଓ ଆଇନଶୃଙ୍ଖଳା ରକ୍ଷାକରୁଥିବା କର୍ମଚାରୀଙ୍କୁ ଏହି ମୌଳିକ ଅଧିକାର ସବୁ ଲାଗୁ ହେବ ନାହିଁ । ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ସେ ସବୁ ବିଷୟ ନିୟନ୍ତ୍ରଣ କରିପାରିବ ।
ମୌଳିକ ଅଧିକାର ଯୋଗୁଁ ନ୍ୟାୟାଳୟମାନେ କ୍ଷମତା ପାଇଛନ୍ତି । ଆଇନସବୁ ବା ସରକାରୀ କାର୍ଯ୍ୟଦ୍ୱାରା ବ୍ୟକ୍ତିର ସ୍ୱାଧିକାର କ୍ଷୁଣ୍ଣ ହେଲେ ତାକୁ ଅକାମୀ କରିଦେବାକୁ ବ୍ୟକ୍ତି ନିଜ ଅଧିକାରକୁ ଉପଭୋଗ କରି ଜାତୀୟ ଜୀବନକୁ ପରିପୁଷ୍ଟ କରିପାରିବ ଓ ରାଷ୍ଟ୍ର ସରକାର ସୀମିତ ହୋଇ ବ୍ୟକ୍ତିର ସ୍ୱାତନ୍ତ୍ର୍ୟ ପ୍ରତି ସମ୍ମାନ ଦେବା ପାଇଁ ବାଧ୍ୟ ହେବ । ଏ ସବୁ ମୌଳିକ ଅଧିକାର ନିରଙ୍କୁଶ ଅଧିକାର ନୁହେଁ । ସମାଜର ସ୍ୱାର୍ଥବିରୋଧୀ କାର୍ଯ୍ୟ ପାଇଁ ବ୍ୟକ୍ତିର ଅଧିକାର ସଙ୍କୁଚିତ ହୋଇପାରିବ । ଅବଶ୍ୟ ଦାରିଦ୍ର୍ୟ ଲୋପ ପାଇଁ ସରକାରୀ ପ୍ରଚେଷ୍ଟାକୁ ଧନିକ ବ୍ୟକ୍ତିମାନେ ପଣ୍ଡ କରିବା ଉଦ୍ଦେଶ୍ୟରେ କୋର୍ଟ-କଚେରୀରେ ମୌଳିକ ଅଧିକାର ନାମରେ ମୋକଦ୍ଦମା କରିବାରେ ଲାଗିଛନ୍ତି । ସେଥିପାଇଁ ସ୍ୱରଣ ସିଂ କମିଟି (୧୯୭୬) ସୁପାରିଶ କରିଛନ୍ତି ଯେ ସାମ୍ୟବାଦୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ମୌଳିକ ଅଧିକାର ସଙ୍କୁଚିତ କରାଯାଉ । ଏପରି କି ଧନୀ ଓ ଶିକ୍ଷିତ ବ୍ୟକ୍ତିମାନେ ଅଧିକାରରେ ଉନ୍ନତ ହୋଇ କର୍ତ୍ତବ୍ୟ ବିସ୍ମୃତ ହୋଇଯାଉଛନ୍ତି । ତେଣୁ ବ୍ୟକ୍ତିର କର୍ତ୍ତବ୍ୟ ସମ୍ବଳିତ କେତେକ ଧାରା ସମ୍ବିଧାନରେ ଲିପିବଦ୍ଧ ହେବାପାଇଁ ସୁପାରିଶ କରାହୋଇଛି । ଏହା କାର୍ଯ୍ୟକାରୀ ହେଲେ ବିଶୃଙ୍ଖଳାର ଅବସାନ ହେବ ଓ ଦେଶର ମେରୁଦଣ୍ଡ ଦୃଢ଼ ହେବ ।
ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶକ ତତ୍ତ୍ୱ ସନ୍ନିବେଶିତ ହୋଇରହିଛି । ଏହା କେବଳ ନିର୍ଦ୍ଦେଶାତ୍ମକ ନୀତି; ଆଇନ ନୁହେଁ । କୋର୍ଟକଚେରୀ ମୋକଦ୍ଦମା କରି ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଦେଶର ଶାସନ ପାଇଁ ଏହା ମୌଳିକ ନୀତି ରୂପେ ଘୋଷଣା କରାଯାଇଛି । ଆଇନ ପ୍ରଣୟନ ସମୟରେ ଅଥବା ନୀତି ନିର୍ଦ୍ଧାରଣ କଲାବେଳେ ଏହି ନିର୍ଦ୍ଦେଶାବଳୀକୁ ବିଚାରକୁ ନେବା ପାଇଁ ସମ୍ବିଧାନର ପ୍ରଣେତାମାନେ ବ୍ୟବସ୍ଥା କରିଛନ୍ତି । ସମ୍ବିଧାନର ୩୬ ଧାରାରୁ ଆରମ୍ଭ ହୋଇ ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶାବଳୀ ଲିପିବଦ୍ଧ ରହିଛି । ୧୬ଟି ଧାରାରେ ୭ଟି ବିଶିଷ୍ଟ ନିର୍ଦ୍ଦେଶ ରହିଛି ।
ଏହି ସପ୍ତନିୟାମକର ଗୁରୁତ୍ୱ ଉପରେ ଅନେକ ଆଲୋଚନା ହୋଇଛି । ସରକାର ଏ ନିର୍ଦ୍ଦେଶ ମାନି ଆଇନ ପ୍ରଣୟନ କଲାବେଳେ କୋର୍ଟକଚେରୀଦ୍ୱାରା ବାଧା ପ୍ରାପ୍ତ ହୋଇଥିବାରୁ ସମ୍ବିଧାନ ସଂଶୋଧନ କରାଯାଇ ୩୧(ଗ) ଧାରା ଅଧିକା ଯୋଡ଼ା ଯାଇଛି । ଫଳରେ ମୌଳିକ ଅଧିକାର ପରିଚ୍ଛେଦରେ ଥିବା ୧୪ ଓ ୧୯ ଧାରା ଖିଲାପ ହେଲେ ମଧ୍ୟ ନିର୍ଦ୍ଦେଶାବଳୀର ୩୯ ଧାରାକୁ (ସମାଜବାଦ ନୀତି) କାର୍ଯ୍ୟକାରୀ କରିବା ପାଇଁ ଯଦି ଆଇନ ପ୍ରଣୟନ ହୁଏ, ତେବେ କୋର୍ଟର ବିଚାର କ୍ଷମତା ସେସବୁ ଉପରେ ଲାଗୁ ହେବ ନାହିଁ । ଏହି ବ୍ୟବସ୍ଥା ପଞ୍ଚବିଂଶ ସଂଶୋଧନ (୧୯୭୧)ଦ୍ୱାରା କରାଯାଇ ଭାରତକୁ ସାମ୍ୟବାଦ ନୀତିରେ ପ୍ରଗତି ହାସଲ ପାଇଁ ସୁବିଧା ଦିଆଯାଇଛି । ଏହି ନିର୍ଦ୍ଦେଶାବଳୀ ଉପରେ ମତ ଦେବାକୁ ଯାଇ ଜେନିଙ୍ଗସ୍ କହିଥିଲେ - "ଏହା ଏକ କାଳ୍ପନିକ ବାସନାର ନିଦର୍ଶନ ।" କେ.ସି. ହୁଏର ମଧ୍ୟ କହିଥିଲେ ଯେ, "ଏହାଦ୍ୱାରା ସମ୍ବିଧାନର କିଛି ଲାଭ ହେବନାହିଁ । ବରଂ ସମ୍ବିଧାନର ବଦନାମ ହେବ ।" ଭାରତର ସୁପ୍ରିମକୋର୍ଟ କହିଥିଲେ. "ଏହା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।" ସାର୍ ବି.ଏନ. ରାଓଙ୍କ ମତରେ, "ରାଷ୍ଟ୍ର ପରିଚାଳକ-ମାନଙ୍କ ପାଇଁ ଏହା କେବଳ ନୈତିକ ଆଦେଶ । ଏହାର ଶିକ୍ଷାଗତ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବର ଲକ୍ଷ୍ୟ ହାସଲ ପାଇଁ ଏହା ପ୍ରେରଣା ଦେବ ।" ଏସବୁ ସମାଲୋଚନା ପଞ୍ଚବିଂଶ ସଂଶୋଧନଦ୍ୱାରା ନାକଚ ହୋଇଯାଇଛି । ସ୍ୱରଣ ସିଂ କମିଟି ସୁପାରିଶ କରିଛନ୍ତି ଯେ ୩୧(ଗ) ଧାରାର ପରିସର ବିସ୍ତାର କରାଯାଇ କେବଳ ୩୯ ଧାରାକୁ ସୀମିତ ନ ରଖି ୪ର୍ଥ ପରିଚ୍ଛେଦର ଯେ କୌଣସି ନିର୍ଦ୍ଦେଶ ଉପରେ ଆଇନ ପ୍ରଣୟନ ହେଲେ ତାହା କୋର୍ଟକଚେରୀର ବିଚାର ବହିର୍ଭୂତ ଆଇନ ହୋଇ ରହିବ । ଫଳରେ ସାମ୍ୟବାଦୀ ଭାରତର ପ୍ରକୃତ ନିୟାମକ ହିସାବରେ ଏହି ୪ର୍ଥ ପରିଚ୍ଛେଦ କାର୍ଯ୍ୟ କରିବ ।
ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି । ନିମ୍ନ ନ୍ୟାୟାଳୟଠାରୁ ଆରମ୍ଭ କରି ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ସୂତାରେ ବନ୍ଧା । ସମ୍ବିଧାନ ହେଉଛି ଜାତିର ମୌଳିକ ଆଇନ । ସେହି ଆଦିବିଧାନର ତର୍ଜମା ଓ ଅର୍ଥଅର୍ଥାନ୍ତର କରନ୍ତି ବିଚାରପତିମାନେ । ସମ୍ବିଧାନର ଅଭିଭାବକ ଓ ସଂରକ୍ଷକ ହିସାବରେ କ୍ଷମତାଧାରୀ ସଂସ୍ଥାକୁ ସୀମିତ କରି ସମ୍ବିଧାନର ସାର୍ବଭୌମତ୍ୱ ପ୍ରତିଷ୍ଠା କରିବା ହେଲା ସର୍ବୋଚ୍ଚ ନ୍ୟାୟାଳୟର ଧର୍ମ । କୌଣସି ଆଇନ ବା ହୁକୁମନାମା ସମ୍ବିଧାନର ବିରୁଦ୍ଧାଚରଣ କଲେ, ନ୍ୟାୟାଳୟମାନେ ତାକୁ ନାକଚ କରିଦେବାର କ୍ଷମତା ରହିଛି । ସମ୍ବିଧାନର ବ୍ୟବସ୍ଥାକୁ ମାପକାଠି ରୂପେ ବ୍ୟବହାର କରି ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟମାନ ଆଇନ ବା ହୁକୁମନାମାକୁ ପୁନରାବଲୋକନ କରନ୍ତି ଓ ବିରୁଦ୍ଧାଚରଣ ହୋଇଥିଲେ ତାହା ନାକଚ ବା ରଦ୍ଦ କରିଦିଅନ୍ତି । ଏହି କ୍ଷମତାକୁ ଜୁଡ଼ିସିଆଲ ରିଭ୍ୟୁ ବା ନ୍ୟାୟାଳୟ ପୁନରାବଲୋକନ କ୍ଷମତା କୁହାଯାଏ । ବିଚାରପତିମାନଙ୍କ ଚାକିରି ଦରମା ଆଦି ସୁରକ୍ଷିତ । ତେଣୁ ସେମାନେ ନିର୍ଭୀକ ହୋଇପାରନ୍ତି । ଅବଶ୍ୟ ଚାକିରିରେ ଉନ୍ନତି ପାଇଁ ସେମାନେ ଜାତୀୟ ସରକାରଙ୍କ ନିଷ୍ପତିଦ୍ୱାରା ପରିଚାଳିତ । ପାର୍ଲିଆମେଣ୍ଟ ସମ୍ବିଧାନର ସମସ୍ତ ଅଂଶ ସଂଶୋଧନ କରିବାର କ୍ଷମତା ହାସଲ କରିଛନ୍ତି । ତଥାପି ସୁପ୍ରିମକୋର୍ଟର ସମ୍ବିଧାନକୁ ତର୍ଜମା କରିବା, ସମ୍ବିଧାନବିରୋଧୀ ଆଇନ ଓ ହୁକୁମନାମାକୁ ରଦ୍ଦ କରିବାର କ୍ଷମତା ବଜାୟ ରହିଛି । ସଂଘଶାସନରେ ସୁପ୍ରିମକୋର୍ଟର ବିଶେଷ ଦାୟିତ୍ୱ ରହିଛି । ସାମ୍ୟବାଦୀ ନୀତିକୁ କାର୍ଯ୍ୟକାରୀ କରିବାରେ ସୁପ୍ରିମକୋର୍ଟ ଅନ୍ତରାୟ ନ ହେଲେ ମଧ୍ୟ, ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଧାରିତ ସାମ୍ବିଧାନିକ ବ୍ୟବସ୍ଥାକୁ ତର୍ଜମା କରିବାର କ୍ଷମତା ଥିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଆଇନ ଶାସନର ପ୍ରହରୀ ରୂପେ ନିଶ୍ଚୟ କାର୍ଯ୍ୟ କରିବ । ପାର୍ଲିଆମେଣ୍ଟର ସାର୍ବଭୌମତ୍ୱ ଥିଲେ ମଧ୍ୟ, ଭାରତରେ ନ୍ୟାୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ସମ୍ବିଧାନର ୩୨୬ ଧାରା ଅନୁସାରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହିପାଇଁ ବିଶ୍ୱର ଅନେକ ସ୍ଥାନରେ ବହୁକାଳ ଆନ୍ଦୋଳନ ଓ ଅପେକ୍ଷା କରିବାକୁ ପଡ଼ିଛି । ଧନ, ଶିକ୍ଷା, ଲିଙ୍ଗ, ଧର୍ମ, ଜନ୍ମସ୍ଥାନ, ଜାତି ନିର୍ବିଶେଷରେ ପ୍ରତ୍ୟେକ ସାବାଳକ ଭୋଟ କ୍ଷମତା ପାଇଛନ୍ତି । ଏହା ଭାରତକୁ "ବୃହତ୍ତମ ଗଣତନ୍ତ୍ର" କରିଛି । ସମ୍ବିଧାନର ଏହି ପଦକ୍ଷେପକୁ ଏକ ସାହସିକ ପଦକ୍ଷେପ ରୂପେ ବର୍ଣ୍ଣନା କରାଯାଇଛି । ୬୨ତମ ସମ୍ବିଧାନ ସଂଶୋଧନଦ୍ୱାରା ବର୍ତ୍ତମାନ ୧୮ ବର୍ଷ ବୟସ୍କ ଲୋକଙ୍କୁ ଭୋଟଦାନ କ୍ଷମତା ଦିଆଯାଇଛି ।
ସମ୍ବିଧାନର ୨୫ ଧାରାରେ ସମସ୍ତ ନାଗରିକଙ୍କୁ ଧର୍ମସ୍ୱାଧୀନତା ଦିଆଯାଇଛି । ରାଷ୍ଟ୍ରର ସରକାରୀ ଧର୍ମ ନାହିଁ କି କୌଣସି ଧର୍ମର ପ୍ରଚାର ପାଇଁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଟିକସ ବସାଇବାର କ୍ଷମତା ନାହିଁ । ନିଜ ନିଜ ଧର୍ମ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଧର୍ମପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତିର ମୌଳିକ ଅଧିକାର ରହିଛି । ନେହେରୁ କହିଥିଲେ. "ଆମେ ଧର୍ମ-ନିରପେକ୍ଷ, ସାମ୍ପ୍ରଦାୟିକତାବୋରୋଧୀ ଓ ଧର୍ମାନ୍ଧତାହୀନ ରାଷ୍ଟ୍ରର ପରିକଳ୍ପନା କରିଛୁ ।" ତେଣୁ ଭାରତର ସମ୍ବିଧାନ ଧର୍ମନିରପେକ୍ଷରାଷ୍ଟ୍ର ପ୍ରତିଷ୍ଠା କରି ବିଶ୍ୱକୁ ଅନୁପ୍ରାଣିତ କରିଛି ଓ ସମ୍ବିଧାନ ସେଥିପାଇଁ ଧର୍ମ ଓ ବିଶ୍ୱାସ ସ୍ଥାପନରେ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାଧୀନତା ଦେଇଛି ।
ସମ୍ବିଧାନର ୪୨ତମ ସଂଶୋଧନଦ୍ୱାରା "ମୌଳିକ କର୍ତ୍ତବ୍ୟ" ଲାଗି ଏକ ସ୍ୱତନ୍ତ୍ର ଅଧ୍ୟାୟ ସନ୍ନିବେଶିତ ହୋଇଛି । ଏହା ୪(କ) ଅଧ୍ୟାୟ ରୂପେ ଲିପିବଦ୍ଧ ହୋଇଛି । ଏଥିରେ ୧୧ଟି ମୌଳିକ କର୍ତ୍ତବ୍ୟ ରହିଛି । ସ୍ୱତନ୍ତ୍ର ରୂପେ ୫୧(କ) ଧାରାରେ ଏହି ୧୧ଟି ଯାକ କର୍ତ୍ତବ୍ୟ ଉଲ୍ଲେଖ ରହିଛି । ୪୨ତମ ସଂଶୋଧନଦ୍ୱାରା ୧୦ଟି ମୌଳିକ କର୍ତ୍ତବ୍ୟ ଥିଲା; କିନ୍ତୁ ୨୦୦୨ ମସିହାରେ ହୋଇଥିବା ୮୬ତମ ସଂଶୋଧନଦ୍ୱାରା ଆଉ ଏକ କର୍ତ୍ତବ୍ୟ ଯୋଗ କରାଯାଇଥିଲା ।
ଏହାର କାର୍ଯ୍ୟକାରିତା ପାଇଁ ଆଇନ ପ୍ରଣୟନ କରିବାକୁ କୁହାଯାଇନାହିଁ । ରାଷ୍ଟ୍ର ନିର୍ଦ୍ଦେଶାତ୍ମକ ଆଦର୍ଶ ପରି ଏହା ନାଗରିକଙ୍କୁ ଏକ ନିର୍ଦ୍ଦେଶାମୂଳକ ସୂଚନା ।
ସମ୍ବିଧାନର ପ୍ରାସାଦ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ହୋଇଛି ।
ଏହିସବୁ ସ୍ତମ୍ଭ ସରକାରଙ୍କ ଅଙ୍ଗ ହେଲେ ମଧ୍ୟ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇଛନ୍ତି ।
ସମ୍ବିଧାନ ସଂଶୋଧନ ପଦ୍ଧତି ୩୬୮ ଧାରାରେ ବର୍ଣ୍ଣିତ ହୋଇଛି । ସମ୍ବିଧାନ ସଂଶୋଧନ କ୍ଷମତା ପାର୍ଲିଆମେଣ୍ଟକୁ ଦିଆଯାଇଛି । ସଂଶୋଧନ ପାଇଁ ଚିଠା ଆଇନ ପାର୍ଲିଆମେଣ୍ଟରେ ପେଶ କରାଯାଏ । ରାଜ୍ୟସଭା ବା ଲୋକ ସଭାରେ ଏହା ପ୍ରଥମେ ଆଲୋଚନା କରାଯାଇପାରେ । ମୌଳିକ ଅଧିକାର ସମେତ ଯେ କୌଣସି ଅବସ୍ଥାକୁ ସଂଶୋଧନ କରିବା ପାଇଁ ପାର୍ଲିଆମେଣ୍ଟର କ୍ଷମତା ରହିଛି । କିନ୍ତୁ ସଂଘଶାସନ ଓ ନ୍ୟାୟାଳୟ କ୍ଷମତା ସଂପର୍କୀୟ ବ୍ୟବସ୍ଥାମାନ ସଂଶୋଧନ କରିବା ସମୟରେ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ ଆବଶ୍ୟକ ହୋଇଥାଏ । ମିନର୍ଭା କାରଖାନା ମୋକଦ୍ଦମାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ସମ୍ବିଧାନର ମୌଳିକ ବ୍ୟବସ୍ଥାସବୁ ସଂଶୋଧନ କରିବାର କ୍ଷମତା ପାର୍ଲିଆମେଣ୍ଟର ନାହିଁ ।
ସମ୍ବିଧାନ ସଂଶୋଧନ କରିବା ପାଇଁ ୩ଟି ପଦ୍ଧତି ରହିଛି ।
ଯଦି ସମ୍ବିଧାନ ସଂଶୋଧନ ସମୟରେ ଦୁଇ ସଦନ ମଧ୍ୟରେ ମତଭେଦ ହୁଏ, ତେବେ ଉକ୍ତ ସଂଶୋଧନ କିମ୍ବା ତା’ର କୌଣସି ଅଂଶ ବାତିଲ ହୋଇଯାଏ । ୧୯୭୮ ମସିହାରେ ୪୪ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ବେଳେ ଏହିପରି ଅବସ୍ଥା ହୋଇଥିଲା । ନିର୍ଦ୍ଦେଶାତ୍ମକ ନିୟମ ମୌଳିକ ଅଧିକାରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଜବତ କରିବା ପାଇଁ ଯାଇଥିବା ପ୍ରସ୍ତାବ ବାତିଲ ହୋଇଥିଲା । ଶିକ୍ଷାକୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ଷମତା ପରିସର ଭିତରେ ରଖାଯିବା ବ୍ୟବସ୍ଥାକୁ ନାକଚ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ ବାତିଲ କରାଯାଇଥିଲା । କଂଗ୍ରେସ ଦଳ ରାଜ୍ୟସଭାରେ ଜନତା ସରକାରଙ୍କ ଏହି ପ୍ରସ୍ତାବ ଅଗ୍ରାହ୍ୟ କରିଥିଲେ ।
ଅବସ୍ଥାର ପରିବର୍ତ୍ତନ ସହ ତାଳଦେଇ ଚାଲିବାକୁ ସମ୍ବିଧାନ ସଂଶୋଧନ କରିବାକୁ ହୋଇଥାଏ । ସମ୍ବିଧାନ ସଂଶୋଧନ କରିବା ବା ନ କରିବା ସମୟ ପାର୍ଲିଆମେଣ୍ଟ ସ୍ଥିର କରିବା ଆବଶ୍ୟକ । କେଉଁ ଅଂଶ କିପରି ଭାବରେ ସଂଶୋଧିତ ହେବ ତାହା ଲୋକ-ପ୍ରତିନିଧିମାନେ ନିଷ୍ପତି କରିବା ଦରକାର । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମ୍ବିଧାନର ମୌଳିକ ଅଙ୍ଗକୁ ପରିବର୍ତ୍ତନ କରିବା ଠିକ ନୁହେଁ । କିନ୍ତୁ ସମ୍ବିଧାନକୁ ଅତି ଆବଶ୍ୟକ ସମୟରେ ସଂଶୋଧନ କରିବା ପାର୍ଲିଆମେଣ୍ଟର ଏକ କର୍ତ୍ତବ୍ୟ ଅଟେ ।
ସମ୍ବିଧାନର ଅନେକ ଛୋଟ ଛୋଟ ଉପାଦାନ ମଧ୍ୟ ରହିଛି । ଯଥା - ଏକ ନାଗରିକତା, ଦ୍ୱିସଦନତା, ଜରୁରୀକାଳୀନ ବ୍ୟବସ୍ଥା, ସର୍ବଭାରତୀୟ ସେବା ସଂସ୍ଥା, କ୍ଷମତା ସ୍ୱତନ୍ତ୍ରୀକରଣ, ସଂଖ୍ୟାଲଘୁ ଗୋଷ୍ଠୀର ଭାଷା ଓ ସଂସ୍କୃତିର ସଂରକ୍ଷଣ, ଜାତୀୟ ଭାଷା ନିର୍ଦ୍ଧାରଣ, ସାମ୍ବିଧାନିକ ଆଚରଣ ପଦ୍ଧତି, ବୈଦେଶିକ ନୀତି ନିର୍ଦ୍ଧାରଣ, ସମ୍ବିଧାନ ସଂଶୋଧନ ବ୍ୟବସ୍ଥା, ତଫସିଲ ଜାତି ଓ ଉପଜାତିର ମଙ୍ଗଳ ବିଧାନ, ପ୍ରତ୍ୟେକ ରାଜ୍ୟର ଅଞ୍ଚଳ ନିର୍ଦ୍ଧାରଣ, ଅର୍ଥନୈତିକ କ୍ଷମତା ବିସ୍ତୃତିକରଣ, ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥା, ଜାମ୍ମୁ- କାଶ୍ମୀର, ଆନ୍ଧ୍ର ପ୍ରଦେଶ, ଗୁଜୁରାତ, ନାଗାଲାଣ୍ଡ, ସିକିମ, ମଣିପୁର, ଆସାମ ପ୍ରଭୃତି ରାଜ୍ୟଗୁଡ଼ିକ ବିଷୟରେ ବିଶେଷ ବ୍ୟବସ୍ଥା ମାନ ରହିଛି । ସର୍ବୋପରି ୪୨ତମ ସମ୍ବିଧାନ ସଂଶୋଧନରେ ଭାରତକୁ ସମାଜବାଦୀ ରାଷ୍ଟ୍ର ରୂପେ ଘୋଷଣା କରାଯାଇ ମୁଖବନ୍ଧର ସଂଶୋଧନ କରାଯାଇଛି । ୬୪ତମ ସମ୍ବିଧାନ ସଂଶୋଧନଦ୍ୱାରା ପଞ୍ଚାୟର ରାଜ୍ୟକୁ ସ୍ୱାତନ୍ତ୍ର୍ୟ, ମାନ୍ୟତା ଓ ଅର୍ଥନୈତିକ କ୍ଷମତା ଦିଆଯାଇଛି । ସମ୍ବିଧାନକୁ ସୂକ୍ଷ୍ମଭାବେ ଅନୁଧ୍ୟାନ କଲେ ଦେଖାଯାଏ ଏଥିରେ ନିମ୍ନଲିଖିତ ମୌଳିକ ଦର୍ଶନ ନୀତିମାନ ରହିଛି ।
ସ୍ୱରଣ ସିଂହ କମିଟିର ସୁପାରିଶ ଅନୁସାରେ ଆଉ ଗୋଟିଏ ଦର୍ଶନ ଯୋଡ଼ି ଦିଆଯାଇପାରେ । ତାହା ହେଉଛି - ସାମ୍ୟବାଦ ଓ ଧର୍ମନିରପେକ୍ଷତା । ସର୍ବୋପରି ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ - ପଞ୍ଚାୟତି ରାଜ ଓ ନଗର ସ୍ୱାୟତ୍ତ ଶାସନର ସାମ୍ବିଧାନିକ ମର୍ଯ୍ୟାଦା ଓ ଭିତ୍ତି । ଏହି ଆଦର୍ଶ ଓ ବାସ୍ତବତା, ବ୍ୟକ୍ତି ଓ ସମାଜ, ବ୍ୟକ୍ତିର ସମ୍ମାନ ଓ ଜାତିର ସଂହତି, ଏକନାୟକତ୍ୱ ଓ ଗଣତନ୍ତ୍ର, ଐକିକ ଓ ସଂଘଶାସନ କେନ୍ଦ୍ରୀକରଣ ଓ ବିକେନ୍ଦ୍ରୀକରଣ ଆଦି ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇଛି ।
This article uses material from the Wikipedia ଓଡ଼ିଆ article ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.