]
ଭଦ୍ରକ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଭଦ୍ରକ |
ଭାଷା | ଓଡ଼ିଆ, ଇଂରାଜୀ |
ସ୍ଥାପନା | ୧ ଅପ୍ରେଲ ୧୯୯୩ |
ବିଧାନ ସଭା | ୫ଟି ଆସନ
|
Area | |
• ଜିଲ୍ଲା | 1721 km2 (664 sq mi) |
• | 2505 km2 (967 sq mi) |
Population (୨୦୧୧) | |
• ଜିଲ୍ଲା | ୧୫୦୬୫୨୨ |
• Rank | ଓଡ଼ିଶାରେ ଦ୍ୱାଦଶ (୧୨/୩୦) |
• Density | 601/km2 (1,560/sq mi) |
• Urban | ୧୮୫୭୫୬ |
• Rural | ୧୩୨୦୭୬୬ |
• ୬ ବର୍ଷରୁ କମ ଶିଶୁ | ୧୭୬୭୯୩ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୫୬ xxx |
ତାର (ଏସ୍.ଟି.ଡ଼ି) | ୦୬୭୮୪ |
ଯାନବାହାନ ପଞ୍ଚୀକରଣ | OD-22 |
ଜିଲ୍ଲାପାଳ | ସିଦ୍ଧେଶ୍ୱର ବଳିରାମ ବୋନ୍ଦର |
Website | Official website |
ଭଦ୍ରକ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ଏହାର ନାମ ଭଦ୍ରକ ସହରକୁ ନେଇ ନାମିତ ହୋଇଛି । ୧ ଅପ୍ରେଲ ୧୯୯୩ରେ ଏହା ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାରେ ପରିଣତ ହେଲା । ଏହାର ସର୍ବମୋଟ ଆୟତନ ୨୬୭୭ ବର୍ଗ କିମି । ଏହା ରାଜଧାନୀ ଭୁବନେଶ୍ୱରଠାରୁ ୧୨୫ କିମି ଦୂରରେ ଅବସ୍ଥିତ ।
୨୦୧୧ ଜନଗଣନା ଅନୁସାରେ, ଭଦ୍ରକ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୦୬,୫୨୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୦,୭୬୬ ଓ ସହରାଞ୍ଚଳରେ ୧,୮୫,୭୫୬ ଲୋକ ବାସ କରନ୍ତି ।
ଭଦ୍ରକର ସାଂସ୍କୃତିକ ପରମ୍ପରାର ଚିହ୍ନ ପାର୍ଶ୍ୱନାଥ(ଖ୍ରୀ.ପୂ.୮୨୦-୭୫୦)ଙ୍କ ସମୟରୁ ମିଳିଥାଏ। ପାର୍ଶ୍ୱନାଥ ଧର୍ମପ୍ରଚାର ପାଇଁ କୋପକଟକ ବା ଆଧୁନିକକୁପାରୀକୁ ଆସିଥିଲେ। ଚରମ୍ପା ଅନ୍ତର୍ଗତ ରହଣିଆର ବଡ଼ ପୋଖରୀ ଚାରି ପାଖରେ ଚବିଶ ତୀର୍ଥଙ୍କରଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା। ସେହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅଜିତନାଥ, ଶାନ୍ତିନାଥ, ଋଷଭନାଥ ଓ ବର୍ଦ୍ଧମାନ ମହାବୀରଙ୍କ ମୂର୍ତ୍ତି ବର୍ତ୍ତମାନ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ। ତେବେ ଏ ପୋଖରୀ କୂଳରେ ଏବେ ମଧ୍ୟ ପାର୍ଶ୍ୱନାଥଙ୍କର ମୂର୍ତ୍ତି ଦେଖିବାକୁ ମିଳେ।
ଭଦ୍ରକ ଅନ୍ତର୍ଗତ ଧାମନଗରର ମୂଳନାମ ଧମ୍ମନଗର। ଧମ୍ମ ହେଉଛି ବୌଦ୍ଧ ଧର୍ମରେ ଧର୍ମର ପର୍ଯ୍ୟାୟବାଚୀ। ସେ ସମୟର ପ୍ରସିଦ୍ଧ ବୌଦ୍ଧପୀଠର ଖଡ଼ିଆଳ ଅଞ୍ଚଳରୁ ସଂଗୃହିତ ବିଶାଳ ବୁଦ୍ଧମୂର୍ତ୍ତି ଏବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି। ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।
ସେହିପରି ଜାନୁଗଞ୍ଜ ମରହଟ୍ଟା ଶାସକ ଜାନୋଜୀଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।ମୋଗଲ ଓ ମରହଟ୍ଟା ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। ଇନ୍ଦୋରର ରାଣୀ ଅହଲ୍ୟାବାଈ ପୁରୀ ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର ରାଣୀତାଲ ସେହି ରାଣୀତଲାୱରୁ ଆସିଛି। ଧାମନଗରରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଛି।
ମିର୍ଜାପୁର ଓ ଛଡ଼ାକ ମହଲାରେ ରାଜା ପୁରୁଷୋତ୍ତମ ଦେବଙ୍କ ମନ୍ତ୍ରୀ ବିଦ୍ୟାଧର ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ। ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀଚୈତନ୍ୟ ପୁରୀରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ ସନ୍ଥିଆ ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ କୁଆଁସ ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।
୧୮୬୪ ଖ୍ରୀଷ୍ଟାବ୍ଦରେ ପୁରୀ ରାମାନୁଜ ମଠର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ ବୃନ୍ଦାବନ ଯିବା ବାଟରେ ସାଳନ୍ଦୀ ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ।
୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା ସାରଦା ଦେବୀ ଜଳପଥରେ ଚାନ୍ଦବାଲି ଆସିଥିଲେ। ପୁନର୍ବାର ୧୯୧୦ରେ ସେ ରାମେଶ୍ୱର ଯିବା ବାଟରେ ଭଦ୍ରକର କୋଠାରଠାରେ ଦୁଇମାସ ଅବସ୍ଥାନ କରିଥିଲେ।
ଷୋଡ଼ଶ ଶତାବ୍ଦୀରେ ଗୁରୁ ନାନକ ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ ନାନକ ଡ଼ିହି ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ ଗୁରୁଦ୍ୱାରା ମଧ୍ୟ ସ୍ଥାପନା କରା ଯାଇଅଛି।
୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ ଆକବର ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। କଟକ ଡିଭିଜନଟି ଦାଉଦଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ ବାଲେଶ୍ୱର ଡିଭିଜନ ମୋଗଲଙ୍କ ଅଧୀନରେ ଥିଲା। ତୋଦରମଲ୍ଲ ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। ଆଉରଙ୍ଗଜେବଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍ଗାହ ନିର୍ମାଣ ହୋଇଥିଲା।
ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। କୋଠାର ଜମିଦାର ନିମାଇଁ ଚରଣ ବୋଷ ବାଗୁରାଇଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ ଗୁଜିଦରଡ଼ାଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ଆଗରପଡ଼ାରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଭଦ୍ରକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଭଦ୍ରକରେ ୯୧୬ଟି ପ୍ରାଥମିକ ବିଦ୍ୟାଳୟ, ୫୦୫ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୩୦୫ଟି ଉଚ୍ଚବିଦ୍ୟାଳୟ, ୭ଟି ମହିଳା ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ଲାଭ କରିଛନ୍ତି। ଏହା ବ୍ୟତୀତ ବହୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବେ ବି ସ୍ୱୀକୃତି ପାଇନାହିଁ।
ଗୋପାଳ ସମ୍ପ୍ରଦାୟର ଲୋକେ ଦୋଳ ପୂର୍ଣ୍ଣମୀର ପୂର୍ବଦିନରୁ କୁମ୍ଭ ପୂଜା କରି ରାଧାକୃଷ୍ଣ ଉପାସନା ସହିତ ଗୋପାଳଙ୍କ ଉଗାଳ ଓ ଲଉଡ଼ି ଖେଳ (ବାଡ଼ି ଖେଳ) ପ୍ରଦର୍ଶନ କରିଥାନ୍ତି। ଏଇ ବାଡ଼ିଖେଳ ଓଡ଼ିଶାର ଏକ ବିଲୁପ୍ତପ୍ରାୟ ସାମରିକ କଳା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ଗୋପାଳଙ୍କ ଉଗାଳରେ ଗୂଢ଼ ଆଧ୍ୟାତ୍ମିକ ପ୍ରଶ୍ନର ସରଳ ଉତ୍ତର ରସମୟ ସଙ୍ଗୀତ ଛନ୍ଦରେ ବେଶ୍ ଉପଭୋଗ୍ୟ। ଏହି ଉତ୍ସବ ସାବରଙ୍ଗ, ଚୁଡ଼ଙ୍ଗପୁରର ରଙ୍ଗଢ଼ାଉ, ବାସୁଦେବପୁର, କିସ୍ମତ କୃଷ୍ଣପୁର, ଧାମନଗର ଆଦି ଅଞ୍ଚଳରେ ଜାକଜମକରେ ପାଳିତ ହୋଇଥାଏ। ବାସୁଦେବପୁରର ‘ଶ୍ରୀଗୋପାଳ ଓଗାଳ ସମିତି’ ଓ ‘ରାଧାମାଧବ ଯାଦବ ସମିତି’ ଓଡ଼ିଶା ବାହାରେ ବିଭିନ୍ନ ସମୟରେ ଲଉଡ଼ିଖେଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି।
ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ ଗୁଣ୍ଡୁଣିଯାତ୍ରା ଏକ ଭିନ୍ନ ମେଳା।
ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘ଭୂତକେଳି ନାଟ’ ପୁରାଣ ବର୍ଣ୍ଣିତ କୃଷ୍ଣଲୀଳାର ଆଧାରରେ ପାଳନ କରାଯାଏ। କରେ। ରାଧା ଓ କୃଷ୍ଣଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ ଗୋପୀମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି ଢ଼ୋଲ ମହୁରୀର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।
ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। ମକର ସଂକ୍ରାନ୍ତି ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ।
କାର୍ତ୍ତିକ ପୂର୍ଣ୍ଣିମାରେ ଚାନ୍ଦବାଲି, ଚୂଡ଼ାମଣି ଓ ବାଉଦପୁରରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ ବାଲିଯାତ୍ରା ସାତଦିନବ୍ୟାପି ପାଳନ କରାଯାଏ।
କାର୍ତ୍ତିକ ପୂର୍ଣ୍ଣିମାଠାରୁ ସାହାଡ଼ାଗ୍ରାମରେ ରାସଯାତ୍ରା ପାଳନ କରାଯାଏ। ରାସଲୀଳା ଓ ନାବକେଳି ଆଦି ଏଇ ଯାତ୍ରାର ମୁଖ୍ୟ ଅଙ୍ଗ।
ଗ୍ରାମୀଣ ଚରିତ୍ର ଚିତ୍ରଣ ପୂର୍ବକ ଗଦ୍ୟ ଓ ପଦ୍ୟମୟ ସଂଳାପରେ ହାସ୍ୟରସ ପରିବେଷଣ କରାଯାଏ। ସେହିପରି ନିଜକୁ ଏକ ପୌରାଣିକ ଚରିତ୍ରରୂପେ ଚିତ୍ରିତ କରି କଳାକାରମାନେ ବହୁରୂପା ନାଚ ପ୍ରସ୍ତୁତ କରିଥାନ୍ତି।
କଣ୍ଢେଇରେ କଳାସୂତା ଲଗାଇ ଆଙ୍ଗୁଳି ଚାଳନାଦ୍ୱାରା ଅନେକ ପ୍ରକାରର ପ୍ରସଙ୍ଗକୁ ଚିତ୍ରଣ କରାଯାଏ। ମୁଖ୍ୟତଃ ବୈଷ୍ଣବମାନେ ଘାଟ ପାର ହୋଇ ରାଧା ମଥୁରାକୁ ଯିବା, କୃଷ୍ଣ ଘାଟ ସଉଦା ମାଗିବା, ରାଧାକୃଷ୍ଣଙ୍କର ମିଳନ ହେବା ପ୍ରଭୃତି ଏଇ ନାଟର ମୁଖ୍ୟ ବିଷୟ।
ତାମସା ହେଉଛି ଓଡ଼ିଶାର ସଂସ୍କୃତିକୁ ଭଦ୍ରକର ନିଜସ୍ୱ ଅବଦାନ। କବି ବଂଶୀବଲ୍ଲଭ ଗୋସ୍ୱାମୀ ଏଇ ତାମସାର ସ୍ରଷ୍ଟା। ଏହା ହେଉଛି ମୋଗଲ ଶାସନ କାଳର ସାମାଜିକ ଅବସ୍ଥାର ନିଛକ ଚିତ୍ରଣ। ମୋଗଲ ତାମସା, ଭୀଲ ତାମସା, ଫକିର ତାମସା, ଲୋଲିନ ବାଈ ତାମସା ଆଦି ସେ ରଚନା କରିଥିଲେ। ଏଥି ମଧ୍ୟରୁ ମୋଗଲ ତାମସା ଓଡ଼ିଶା ପ୍ରସିଦ୍ଧ। ଚୈତ୍ର ମାସରେ ଶିବ ମନ୍ଦିରରେ ଏହି ତାମସା ଅଭିନୀତ ହେଉଥିବାରୁ ଏହାକୁ ଚଇତି ତାମସା ମଧ୍ୟ କୁହାଯାଏ।
ଅନ୍ୟାନ୍ୟ ଅଞ୍ଚଳ ପରି ଭଦ୍ରକରେ ଖୁଦୁରୁକୁଣୀ ଓଷା, ଜହ୍ନି ଓଷା, ଅକ୍ଷୟ ତୃତୀୟା, ସାବିତ୍ରୀ ଅମାବସ୍ୟା, ବାଟଓଷା ଆଦି ପାଳନ କରାଯାଏ।
ନରେନ୍ଦ୍ରପୁର ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଦିନ ପାଟଣ ମଙ୍ଗଳାଙ୍କ ନିକଟରେ ପାଟୁଆ ନାଚ, ଘୋଡାନାଚ ଆଦି ଅନୁଷ୍ଠିତ ହୁଏ। ରାମ, ସୀତା ଓ ଲକ୍ଷ୍ଣଣଙ୍କୁ ନୌକାରେ ବସାଇ ନାବପୂଜା କରାଯାଏ। ଭଦ୍ରକର ପ୍ରାୟ ସବୁ ଗାଁରେ ଘୋଡ଼ାନାଚ, ପାଟୁଆ ନାଚ ଓ ଉଡ଼ାଣ ପର୍ବ (ଯାହା ଚଡ଼କପର୍ବପରି) (ନିଜ ଦେହରେ କଣ୍ଟା ଫୋଡ଼ି ଝୁଲିବା) ଆଦି ପାଳନ କରାଯାଏ।
ପାଲା ଓ ଦାସକାଠିଆ ପରି ଲୋକକଳାରେ ଭଦ୍ରକ ଜିଲ୍ଲା ସମୃଦ୍ଧ। ପୌରାଣିକ ଆଖ୍ୟାନ ସହିତ ସାମ୍ପ୍ରତିକ ଲୋକ ଚଳଣିର ମିଶ୍ରଣ କରି ମନୋରଞ୍ଜକ ଢ଼ଙ୍ଗରେ ପରିବେଷଣ କରିବା ଏଇ ଲୋକକଳାର ବିଶେଷତ୍ତ୍ୱ।
ଭଦ୍ରକର ସତ୍ୟପୀର ପାଲାର ନଜିର ସାରା ଦେଶରେ ଦେଖିବାରୁ ମିଳେ ନାହିଁ। ଏହା ହିନ୍ଦୁ ଓ ମୁସଲମାନ ସଂସ୍କୃତିର ସମନ୍ୱୟ ପ୍ରତିଷ୍ଠା କରିଥାଏ। ସାଧାରଣତଃ ନବଜାତକର ଏକୋଇଶିଆ (ଜନ୍ମର ଏକୋଇଶ ଦିନ)ରେ ଅଥବା କାହାରି ଜନ୍ମଦିନରେ ଏହା ଆୟୋଜିତ ହୋଇଥାଏ। ଏହାର ବିଶେଷତ୍ତ୍ୱ ହେଉଛି ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ପରମ୍ପରା ଅନୁସାରେ କଳସ ଓ ଚାମର ସ୍ଥାପନା କରି ପଞ୍ଚଦେବତା ପୂଜା କରିଥାଏ ଓ ଅନ୍ୟ ଦେବଦେବୀଙ୍କର ବନ୍ଦନା ଗାଇଥାଏ, ନୈବେଦ୍ୟ ଅର୍ପଣ କରିଥାଏ।
କଳାକାର ଉପାଧିପ୍ରାପ୍ତ ପାଲାଗାୟକ : ଅନିରୁଦ୍ଧ ପାଣିଗ୍ରାହୀ, ଭଣ୍ଡାରୀପୋଖରୀ, ଗାୟକ ଭୂଷଣ କରୁଣାସିନ୍ଧୁ ନାୟକ, ଧୁଷୁରୀ, ଯିଏ ଓଡ଼ିଶା ଓ ଓଡ଼ିଶା ବାହାରେ ପାଲା ପରିବେଷଣ କରିଛନ୍ତି।
ପଦ୍ମପୁରର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, ରାହାଞ୍ଜ, ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ।
ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ।
ø ମକର ମେଳା - ବାହାଦୁଲ ନଗର ø ମା କାଳୀତ୍ରା ପୀଠ - ବାରିକପୁର
ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀମାନେ ହେଲେ- ହରେକୃଷ୍ଣ ମହତାବ, ମହମ୍ମଦ ହନିଫ୍, ନୀଳମଣି ରାଉତରାୟ, ଗୋକୁଳାନ୍ଦ ମହାନ୍ତି, ଚକ୍ରଧର ବେହେରା, ଭାଗବତ ସାହୁ, ମୂରଲୀଧର ଜେନା, ରାମଚନ୍ଦ୍ର ବେହୁରା, ହୃଦାନନ୍ଦ ମଲ୍ଲିକ, କମଳାକାନ୍ତ କର, ଗୌରଚନ୍ଦ୍ର ମହାପାତ୍ର, ଗୌରାଙ୍ଗ ଚରଣ ମହାନ୍ତି, ମୁନସୀ ଅବଦୁଲ ଗନି।
ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:
This article uses material from the Wikipedia ଓଡ଼ିଆ article ଭଦ୍ରକ ଜିଲ୍ଲା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.