ବୀର ସୁରେନ୍ଦ୍ର ସାଏ: ସ୍ୱାଧୀନତା ସଂଗ୍ରାମୀ

ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା । ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।

ବୀର

ସୁରେନ୍ଦ୍ର ସାଏ
ଜନ୍ମ(1809-01-23)୨୩ ଜାନୁଆରୀ ୧୮୦୯
ମୃତ୍ୟୁ୨୮ ଫେବୃଆରୀ ୧୮୮୪(1884-02-28) (ବୟସ ୭୫)
ଅସୀରଗଡ଼ ଦୁର୍ଗ, ମଧ୍ୟ ପ୍ରଦେଶ
ବୈବାହିକ-ସାଥୀସୁବର୍ଣ୍ଣକୁମାରୀ
ସନ୍ତାନମିତ୍ରଭାନୁ

ପ୍ରାରମ୍ଭିକ ଜୀବନ

୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର 'ମିତ୍ରଭାନୁ ସାଏ' ଓ ଗୋଟିଏ କନ୍ୟା ଥିଲେ ।

ବିଦ୍ରୋହ

ବୀର ସୁରେନ୍ଦ୍ର ସାଏ: ପ୍ରାରମ୍ଭିକ ଜୀବନ, ବିଦ୍ରୋହ, ଶେଷ ଜୀବନ 
ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି

ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜମାନଙ୍କ ସହାୟତା ଲୋଡ଼ିଥିଲେ । ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ । ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା । ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ । ମହାରାଜା ସାଏଙ୍କ ଉତ୍ତରାଧିକାରୀ କିଏ ହେବ ତାହା ନିରୂପଣ କରିବା କ୍ଷମତା ଇଂରେଜ ସରକାର ନିଜ ହାତକୁ ନେଲେ । ରାଜଗାଦି ଦାବି କରିଥିବା ବହୁ ବ୍ୟକ୍ତଙ୍କିୁ ଉପେକ୍ଷା କରି ବିଧବା ରାଣୀ ମୋହନ କୁମାରୀଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ କଲେ । ସେହି କାରଣରୁ ବହୁ ଆଦିବାସୀ ଜମିଦାର ବିଦ୍ରୋହ କରିଥିଲେ । ବଳରାମ ସାଏ ଓ ସୁରେନ୍ଦ୍ର ସାଏ ଏହି ବିପ୍ଲବର ନେତୃତ୍ୱ ନେଇଥିଲେ । ଇଂରେଜମାନେ ନିଶ୍ଚିତ ଥିଲେ ଯେ ରାଣୀ ମୋହନ କୁମାରୀ ସୁଚାରୁରୂପେ ଶାସନ କାର୍ଯ୍ୟ ପରିଚାଳନା କରିପାରିବେ ନାହଁ । ତେଣୁ ରାଣୀ ସେମାନଙ୍କ ହାତରେ ଖେଳନା ହୋଇ ରହିବେ ଏବଂ ଇଂରେଜମାନେ ନିଜର ରାଜନୈତିକ ଅଭିସନ୍ଧି ହାସଲ କରିପାରିବେ । ପ୍ରକୃତ ପକ୍ଷେ ସମ୍ବଲପୁର ରାଜବଂଶର ସୁରେନ୍ଦ୍ର ସାଏ ରାଜଗାଦି ଲାଭ କରିବା କଥା, ମାତ୍ର ଇଂରେଜମାନେ ଜାଣିଥିଲେ ସୁରେନ୍ଦ୍ର ସାଏ କେବେ ହେଲେ ତାଙ୍କର ଅନୁଗାମୀ ହେବେ ନାହଁ । ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା ।

ପ୍ରଥମ ପର୍ଯ୍ୟାୟ ବିଦ୍ରୋହ

ସେତେବେଳେ କ୍ୟାପ୍ଟେନ୍ ହିଗ୍ନସ୍‌ଙ୍କ ଅଧିନାୟକତ୍ୱରେ ସମ୍ବଲପୁରରେ ଇଂରେଜମାନଙ୍କ ରାମଗଡ଼ ବାଟାଲିୟନ୍ ଅବସ୍ଥାପିତ ହୋଇଥାନ୍ତି । ସୁରେନ୍ଦ୍ର ସାଏଙ୍କ ପକ୍ଷରୁ ତାଙ୍କ ଅନୁଗାମୀମାନେ ଧନୁଶର ଧରି ଗରିଲା ଯୁଦ୍ଧ କରିଥିବାରୁ ଇଂରେଜ ସୈନ୍ୟମାନେ ତାର ମୁକାବିଲା କରିପାରି ନଥିଲେ । ପରେ ହଜାରୀବାଗ୍‌ର କ୍ୟାପ୍ଟେନ୍ ଉଇଲକିନସନ୍‌ଙ୍କ ନିର୍ଦ୍ଦେଶରେ ଆଉ ଏକ ସୈନ୍ୟବାହିନୀ ସମ୍ବଲପୁରରେ ଆସି ଯୋଗ ଦେଲେ । ଏହାପରେ ବିଦ୍ରୋହ କିଛି ମାତ୍ରାରେ ଦମନ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପ୍ରଶମିତ ହୋଇପାରି ନଥିଲା । ଇଂରେଜମାନେ ବାଧ୍ୟ ହୋଇ ରାଣୀ ମୋହନ କୁମାରୀଙ୍କୁ ଗାଦିଚ୍ୟୁତ କରି ପୁନର୍ବାର ରାଜବଂଶର ଦୂର ସମ୍ପର୍କୀୟ ବ୍ୟକ୍ତି ନାରାୟଣ ସିଂହଙ୍କୁ ସମ୍ବଲପୁର ରାଜଗାଦି ପ୍ରଦାନ କଲେ । ମାତ୍ର ସେ ଥିଲେ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହା ଫଳରେ ପୁଣି ବିଦ୍ରୋହ ମୁଣ୍ଡ ଟେକିଲା । ୧୮୩୭ ଖ୍ରୀଷ୍ଟାବ୍ଦରେ ରାସପୂର୍ଣ୍ଣିମା ମଧ୍ୟରାତ୍ରିରେ ଦେବ୍ରୀଗଡ଼ଠାରେ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ, ବଳରାମ ସିଂହ ଓ ଲୋଚନପୁର ଜମିଦାର ବଳଭଦ୍ର ଦେଓ ମିଳିତ ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ସମୟରେ ଇଂରେଜମାନେ ଅଚାନକ ସେଠାରେ ପହଞ୍ଚି ବଳଭଦ୍ର ଦେଓଙ୍କୁ ହତ୍ୟା କଲେ । ସୌଭାଗ୍ୟକ୍ରମେ ସୁରେନ୍ଦ୍ର ସାଏ ତାଙ୍କ ଭାଇମାନଙ୍କ ସହ କୌଶଳ କରି ଖସି ଯାଇଥିଲେ । ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ ଧରି ସ୍ୱର ଉତ୍ତୋଳନ କରିବା ହେତୁ ୧୮୪୦ ମସିହାରେ ଦକ୍ଷିଣ-ପଶ୍ଚିମ ସୀମାନ୍ତର ତତ୍କାଳୀନ ଇଂରେଜ ଏଜେଣ୍ଟ କର୍ଣ୍ଣେଲ ଆଉସ୍ଳେଙ୍କ ସହାୟତାରେ ସମ୍ବଲପୁରର ଦେହୁରୀପାଲିରୁ ସୁରେନ୍ଦ୍ର ସାଏ, ଉଦ୍ଦ୍ୟନ୍ତ ସାଏ ଓ କାକା ବଳରାମ ସିଂହଙ୍କୁ ଇଂରେଜମାନେ ଗିରଫ କରିଥିଲେ । ସୁରେନ୍ଦ୍ରଙ୍କୁ ପାଞ୍ଚବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରୀବାଗ ଜେଲରେ ରଖାଯାଇଥିଲା । ଏହିଠାରେ ସୁରେନ୍ଦ୍ର ସାଏଙ୍କ ପ୍ରଥମ ପର୍ଯ୍ୟାୟ ସଂଗ୍ରାମର ଯବନିକା ପଡ଼ିଲା ।

ଦ୍ୱିତୀୟ ପର୍ଯ୍ୟାୟ ବିଦ୍ରୋହ

କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରିନଥିଲେ । ୧୮୪୯ ସେପ୍ଟେମ୍ବରରେ ବ୍ରିଟିଶଦ୍ୱାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ । ୧୮୫୭ରେ ଭାରତର ସିପାହୀମାନେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ (ସିପାହୀ ବିଦ୍ରୋହ) ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ମାସ ୩୦ ତାରିଖ ଦିନ ରାମଗଡ଼ରୁ ଆସିଥିବା ଯବାନମାନେ ‘ଛୋଟା ବର୍ଦ୍ଧମାନର ପଲଟନ’ ସହ ମିଶି ହଜାରିବାଗ ଜେଲ ଭାଙ୍ଗି ସୁରେନ୍ଦ୍ର ସାଏଙ୍କ ସମେତ ୩୨ ଜଣ ବନ୍ଦୀଙ୍କୁ ମୁକ୍ତ କରି ଦେଇଥିଲେ । ଦୀର୍ଘ ୧୭ବର୍ଷ ପରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ସାଏ ମୁକ୍ତ ହୋଇଥିଲେ । ସୁରେନ୍ଦ୍ର ପୁନଶ୍ଚ ବନ୍ଦୀ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରିବା ସହ ଗୁପ୍ତଚର ନିୟୋଜିତ କରିଥିଲେ ।

ମୁକ୍ତି ପାଇ ସୁରେନ୍ଦ୍ର ସାଏ ସଙ୍ଗେ ସଙ୍ଗେ ସମ୍ବଲପୁର ଫେରି ଆସିଲେ ଏବଂ ସମ୍ବଲପୁରବାସୀଙ୍କୁ ସୁସଙ୍ଗଠିତ କରି ପୁନର୍ବାର ସଂଗ୍ରାମ କରିବାକୁ ଆଗେଇ ଆସିଲେ । ଦେବ୍ରୀଗଡ଼ ହେଲା ସୁରେନ୍ଦ୍ରଙ୍କ ସଂଗ୍ରାମର କେନ୍ଦ୍ରସ୍ଥଳ । କୌଶଳକ୍ରମେ ସୁରେନ୍ଦ୍ର ସାଏ ପ୍ରଥମେ ସମ୍ବଲପୁର ଅଞ୍ଚଳରେ ଥିବା ଇଂରେଜମାନଙ୍କର ବାହ୍ୟ ଯୋଗାଯୋଗ ସମ୍ପର୍କ ଛିନ୍ନ କଲେ । ବଡ଼ ବଡ଼ ପଥର ଖଣ୍ଡ ରଖି ରାସ୍ତା ଅବରୋଧ କରିବା ସହ ପାହାଡ଼ ଉପରେ ଥିବା ଶିଆଳୀ ଲତାରେ ବଡ଼ ବଡ଼ ପଥରକୁ ବାନ୍ଧିରଖି ଆବଶ୍ୟକ ସ୍ଥଳେ ଲତାକୁ କାଟି ଦେଉଥିଲେ । ଫଳରେ ପଥରଖଣ୍ଡମାନ ପଡ଼ି ଇଂରେଜମାନଙ୍କୁ ଆଘାତ ଦେଉଥିଲା । ଅନ୍ୟ ପକ୍ଷରେ ଇଂରେଜମାନଙ୍କ ଗୁଳିଗୁଳା ଘଞ୍ଚ ଜଙ୍ଗଲରେ ଥିବା ଗଛଗୁଡ଼ିକରେ ବାଜି ସବୁ ନଷ୍ଟଭ୍ରଷ୍ଟ ହୋଇଯାଉଥିଲା । ପାହାଡ଼ ମଧ୍ୟସ୍ଥ ଘଞ୍ଚ ଜଙ୍ଗଲରେ ସୁରେନ୍ଦ୍ରଙ୍କ ପକ୍ଷର ଆକ୍ରମଣକାରୀମାନେ ଲୁଚିଛପି ଗରିଲା ଯୁଦ୍ଧ କରିବା ପାଇଁ ବେଶ୍ ସୁବିଧା ପାଉଥିଲେ । ଇଂରେଜମାନଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ସମ୍ବଲପୁରବାସୀଙ୍କ ଧନୁତୀର, ବର୍ଚ୍ଛା, ଖଣ୍ଡା, ନିଆଁଧରା ବନ୍ଧୁକ ଆଦି ବିଶେଷ କିଛି କାମ ଦେବ ନାହଁ ବୋଲି ସେ ଗରିଲା ଯୁଦ୍ଧର ଆଶ୍ରୟ ନେଇଥିଲେ । ୧୮୬୧ରେ ମେଜର ଇମ୍ପେଙ୍କୁ ସମ୍ବଲପୁରର ଡେପୁଟୀ କମିଶନର ରୂପେ ନିଯୁକ୍ତି ଦିଆଗଲା । ମେଜର ଇମ୍ପେ ଯୁଦ୍ଧନୀତି ପରିତ୍ୟାଗ କରି ଶାନ୍ତି ନୀତି ଅନୁସରଣ କଲେ । ସୁରେନ୍ଦ୍ର ସାଏଙ୍କ ବିରୁଦ୍ଧରେ ଯୁଦ୍ଧ ବନ୍ଦ ଘୋଷଣା କଲେ । ଆତ୍ମସମର୍ପଣ କରିଥିବା ବିଦ୍ରୋହୀମାନଙ୍କୁ କ୍ଷମା ପ୍ରଦାନ କରି ସେମାନଙ୍କର ବାଜ୍ୟାପ୍ତ ସମ୍ପତ୍ତି ଫେରସ୍ତ କରି ଦିଆଯିବାର ନିଷ୍ପତ୍ତି ନେଲେ । ଏହାପରେ ସୁରେନ୍ଦ୍ରଙ୍କର ଭାଇ ଓ ପୁତ୍ର ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ଇମ୍ପେ ସମ୍ମାନର ସହ ଖିଣ୍ଡା ଗ୍ରାମରେ ଆଶ୍ରୟ ଦେଇଥିଲେ । ପରେ ପରେ ୧୮୬୨ ମସିହା ମଇ ମାସ ୧୬ ତାରିଖ ଦିନ ରାତିରେ ଘୋର ଜଙ୍ଗଲ ମଧ୍ୟରେ ଇମ୍ପେ ସାହେବଙ୍କ ସହ ସୁରେନ୍ଦ୍ର ସାଏଙ୍କର ସାକ୍ଷାତ ହେଲା ଏବଂ ସେହିଠାରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ । ୧୮୬୩ରେ ଇମ୍ପେ ସାହେବଙ୍କର ମୃତ୍ୟୁ ହେବାରୁ ସମ୍ବଲପୁରର ରାଜନୈତିକ ପରିସ୍ଥିତି ବଦଳିଗଲା । ମେଜର ଇମ୍ପେଙ୍କ ସ୍ଥାନରେ କ୍ୟାପ୍ଟେନ୍ କମ୍ବରଲେଜ୍ ନିଯୁକ୍ତି ପାଇଲେ । କମ୍ବରଲେଜ୍ ଉଚ୍ଚ ପୋଲିସ୍ ଅଫିସର କ୍ୟାପ୍ଟେନ୍ ଷ୍ଟୁଆର୍ଟ ଓ ମିଷ୍ଟର ବେରିଲ୍‌ଙ୍କ ସହାୟତାରେ ୧୮୬୪ ମସିହା ଜାନୁଆରୀ ୨୩ ତାରିଖ ରାତ୍ର ୧୧ ଘଣ୍ଟା ସମୟରେ ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାରବର୍ଗ ଶୋଇଥିବା ସମୟରେ ତାଙ୍କ ଘର ଉପରେ ଚଡ଼ାଉକରି ସେମାନଙ୍କୁ ବନ୍ଦୀ କଲେ । ସେହି ରାତ୍ରିରେ ସେମାନଙ୍କୁ ରାୟପୁର ନିଆଗଲା । ପରେ ସେମାନଙ୍କୁ ନାଗପୁର ଜେଲ୍ ଓ ଆଜୀବନ ଦେଶାନ୍ତର ଦଣ୍ଡରେ ଦଣ୍ଡିତ କରାଯାଇ ୧୮୬୬ ମସିହାରେ ଅସୀରଗଡ଼ ଦୁର୍ଗକୁ ପଠାଇ ଦିଆଗଲା ।

ଶେଷ ଜୀବନ

ବୀର ସୁରେନ୍ଦ୍ର ସାଏ: ପ୍ରାରମ୍ଭିକ ଜୀବନ, ବିଦ୍ରୋହ, ଶେଷ ଜୀବନ 
ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ବୁର୍ଲାସ୍ଥିତ "ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ"

ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ (୨୩ ଜାନୁଆରୀ ୧୮୬୪)ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିଲେ । ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାସ୍ଥ ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା । ସେବେଠାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ଦେହାନ୍ତ ହୋଇଥିଲା ।

ସମ୍ମାନ

  • ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହାରେ ୟୁନିଭର୍‌ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ, ବୁର୍ଲାର ନାମ ବଦଳାଇ ବୀର ସୁରେନ୍ଦ୍ର ସାଏ ୟୁନିଭର୍‌ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା କରାଯାଇଥିଲା ।
  • ବୁର୍ଲାଠାରେସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଦିଆଯାଇଅଛି ।
  • ୨୦୦୫ରେ ଭାରତ ସରକାର ସଂସଦ ପରିସରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।
  • ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ ।
  • ଝାରସୁଗୁଡ଼ାସ୍ଥିତ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଦିଆଯାଇଛି ।

ଆଧାର

Tags:

ବୀର ସୁରେନ୍ଦ୍ର ସାଏ ପ୍ରାରମ୍ଭିକ ଜୀବନବୀର ସୁରେନ୍ଦ୍ର ସାଏ ବିଦ୍ରୋହବୀର ସୁରେନ୍ଦ୍ର ସାଏ ଶେଷ ଜୀବନବୀର ସୁରେନ୍ଦ୍ର ସାଏ ସମ୍ମାନବୀର ସୁରେନ୍ଦ୍ର ସାଏ ଆଧାରବୀର ସୁରେନ୍ଦ୍ର ସାଏଭାରତ

🔥 Trending searches on Wiki ଓଡ଼ିଆ:

ମିଳିମିଳାରାଜକିଶୋର ରାୟମନମୋହନ ସାମଲପ୍ଲୁଟୋଭୀମାଶଙ୍କର ମନ୍ଦିରକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସାଇ ଭୋସଲେବିର୍ସା ମୁଣ୍ଡାକିଶୋରଚନ୍ଦ୍ରାନନ୍ଦ ଚମ୍ପୂଇଣ୍ଟରନେଟପଦାର୍ଥ ବିଜ୍ଞାନସୁନ୍ଦରଗଡ଼ଚିଲିକା ହ୍ରଦଚଳନ୍ତି ଠାକୁରଭୀମ ଭୋଇଘଟଗାଁଶ୍ରୀଜଙ୍ଗବରଗଡ଼ ଜିଲ୍ଲାଅଶୋକାଷ୍ଟମୀରାଧାସିକ୍ଲ ସେଲ୍ ରୋଗଆମ୍ବରାବଣଛାୟାଇନ୍‌ଫ୍ଲୁଏଞ୍ଜାଫକୀର ମୋହନ ସେନାପତିପୁଷ୍ଟିସାରହିନ୍ଦୁସ୍ତାନ ପେଟ୍ରୋଲିୟମଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟଅଚ୍ୟୁତ ସାମନ୍ତକୋଷଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟଜଗନ୍ନାଥ ଦାସଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୬ ମଇମୁଁ ରାଜା ତୁ ରାଣୀଓଡ଼ିଆ କଥାଚିତ୍ର ଜଗତଚନ୍ଦନ ଯାତ୍ରା୧୨ ଅପ୍ରେଲତରଳ ଝାଡ଼ାମଟର ସାଇକେଲତାରାତାରିଣୀ ମନ୍ଦିରଧର୍ମେନ୍ଦ୍ର ପ୍ରଧାନବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଧରଜନବଯୌବନ ବେଶଆର୍ଥିକ ସ୍ୱାଧୀନତାଆହାର ଯୋଜନାହୃଷୀକେଶ ପଣ୍ଡାଭାଷାଇମରାନ ଖାଁ୬ ମାର୍ଚ୍ଚବୌଦ୍ଧ ଧର୍ମଓଡ଼ିଆ କାବ୍ୟ କବିତାଜହ୍ନୟାଓଇକଳାହାଣ୍ଡି ଜିଲ୍ଲାଦଶହରାଓଡ଼ିଶାଖିଲିପାନସିଦ୍ଧାନ୍ତ ମହାପାତ୍ରଚବିଶ ଗୁରୁଗୋଦାବରୀଶ ମିଶ୍ରଶ୍ରୀରାଧାୟୁ ଟ୍ୟୁବପ୍ରାଣୀଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)🡆 More