ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ । ତଥ୍ୟ ପୃଷ୍ଠାରେ ଯୋଡାଯାଇଥିବା ହାଇପରଲିଙ୍କଗୁଡ଼ିକ ବ୍ୟବହାରକାରୀକୁ ସହଜରେ ଅନ୍ୟ ଏକ ଇଣ୍ଟର୍ନେଟ ପୃଷ୍ଠାକୁ ଯିବାରେ ସାହାଯ୍ୟ କରିଥାଏ । ବର୍ତ୍ତମାନ ବିଶ୍ୱରେ କେତେକ ଲୋକପ୍ରିୟ ବ୍ରାଉଜର ହେଉଛନ୍ତି ଫାୟାର ଫକ୍ସ , ଗୁଗୁଲ , ଅପେରା , ସଫାରି ଇତ୍ୟାଦି ।
ସର୍ବ ପ୍ରଥମ ବ୍ରାଉଜର 1990 ମସିହାରେ ସାର୍ ଟିମ୍ ବର୍ଣ୍ଣସ୍ ଲିଙ୍କଦ୍ୱାରା ଉଦ୍ଭାବିତ ହୋଇଥିଲା । ଟିମ୍ ବର୍ଣ୍ଣସ୍ ଲି ହେଉଛନ୍ତି ୱାର୍ଲ୍ଡ ୱାଇଡ୍ ୱେବ୍ କନ୍ସର୍ଟିୟମ୍ (World Wide Web Consortium -W3C : ଏହି ଅନୁଷ୍ଠାନ ୱେବ୍ ଓ ଏହାର ଅନ୍ୟ ସାଧନ ଗୁଡିକର ଉନ୍ନତି ପାଇଁ କାମ କରିଥାଏ)ର ନିର୍ଦ୍ଦେଶକ ଏବଂ ୱାର୍ଲ୍ଡ ୱାଇଡ୍ ୱେବ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା । ସେତେବେଳେ ତାଙ୍କର ବ୍ରାଉଜରଟିକୁ ୱାର୍ଲ୍ଡ ୱାଇଡ୍ ୱେବ୍ ଭାବରେ ଜଣାଯାଉଥିଲା , ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ନେକ୍ସସ୍ ଭାବରେ ନାମିତ କରାଯାଇଥିଲା । ଜନସାଧାରଣରେ ବ୍ୟବହୃତ ପ୍ରଥମ ବ୍ରାଉଜର , ଯେଉଁଥିରେ ଜି.ୟୁ.ଆଇ (ଗ୍ରାଫିକାଲ୍ ଯୁଜର୍ ଇଣ୍ଟରଫେସ୍-Graphical User Interface))ର ବ୍ୟବହାର କରାଯାଇଥିଲା , ତାହା ହେଉଛି ଏରୱାଇଜ୍ । ଏରୱାଇଜ୍ ବ୍ରାଉଜର ସହିତ ସର୍ବ ପ୍ରଥମେ ରବର୍ଟ କ୍ୟାଲିଲିଓ ନାମକ ଜଣେ କମ୍ପ୍ୟୁଟର ବିଜ୍ଞାନୀ କାମ ଆରମ୍ଭ କରିଥିଲେ । ୧୯୯୩ ମସିହାରେ ମାର୍କ ଆଣ୍ଡର୍ସନ , ବ୍ରାଉଜର ସଫ୍ଟୱେରକୁ କିଛି ଆଧୁନିକ ଯୋଗାଯୋଗ ସୁବିଧା ସହିତ ଯୋଡି ପୁଣି ଥରେ ନୂଆ କରି ତିଆରି କରିଥିଲେ । ସେତେବେଳେ ସେ ଏହାର ନାମ ମୋଜାଇକ୍ ରଖିଥିଲେ । ଏହା ଫଳରେ ୱାର୍ଲ୍ଡ ୱାଇଡ୍ ୱେବ୍ ବ୍ୟବହାର କରିବା ସୁବିଧା ହୋଇପାରିଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ଲୋକମାନଙ୍କ ସହିତ ସମ୍ପର୍କ କରିବା ସହଜ ଯୋଇପାରିଥିଲା । ସେ ସମୟରେ ଏହି ବ୍ରାଉଜରଟିର ବ୍ୟବହାର ଇଣ୍ଟର୍ନେଟ ଜଗତରେ ଏକ ବିରାଟ ପରିବର୍ତ୍ତନ ଆଣିଦେଇଥିଲା ତଥା ଇଣ୍ଟର୍ନେଟର ଲୋକପ୍ରିୟତାକୁ ଅଧିକ ବଢାଇଦେଇଥିଲା । ଏହା ପରେ ଆଣ୍ଡର୍ସନ ନେଟସ୍କେପ ନାମରେ ନିଜର ଗୋଟିଏ କମ୍ପାନୀ ଖୋଲିଥିଲେ , ଯାହାଦ୍ୱାରା ୧୯୯୪ ମସିହାରେ ସେ ନେଟସ୍କେପ ନାଭିଗେଟର ବ୍ରାଉଜର ଉଦ୍ଭାବନ କରିବାରେ ସଫଳ ହୋଇଥିଲେ । ଏହା ମୋଜାଇକ୍ ବ୍ରାଉଜରର ଏକ ଆଧୁନିକ ସଂସ୍କରଣ ଭାବରେ ଲୋକପ୍ରିୟ ହୋଇଥିଲା । ଏହାକୁ ନଜରରେ ରଖି ମାଇକ୍ରୋସଫ୍ଟ ୧୯୯୫ ମସିହାରେ ଇଣ୍ଟେର୍ନେଟ ଏକ୍ସପ୍ଲୋରର୍ ନାମକ ବ୍ରାଉଜର ଉଦ୍ଭାବନ କରିଥିଲା । ଏହା ମଧ୍ୟ ମୋଜାଇକ୍ ବ୍ରାଉଜରର କାର୍ଯ୍ୟ ପ୍ରଣାଳୀ ଉପରେ ଆଧାରିତ ହୋଇଥିଲା । ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଓ ଇଣ୍ଟେର୍ନେଟ ଏକ୍ସପ୍ଲୋରର୍ ୨୦୦୨ ମସିହା ସୁଦ୍ଧା , ସମଗ୍ର ବିଶ୍ୱର ଇଣ୍ଟର୍ନେଟ ବଜାରର ୯୫% ମୂଲ୍ୟ ଅଧିକାର କରିବାରେ ସଫଳ ହୋଇପାରିଥିଲେ ।
ଏହାପରେ ୧୯୯୬ ମସିହାରେ ଅପେରା ନାମକ ବ୍ରାଉଜରର ବ୍ୟବହାର ଆରମ୍ଭ ହୋଇଥିଲା । ଏହା କମ୍ପ୍ୟୁଟର ବ୍ୟବହାରକାରୀଙ୍କ ପାଖରେ ସେତେ ଲୋକପ୍ରିୟ ହୋଇପାରି ନଥିଲେ ହେଁ ୨୦୧୧-୧୨ ମସିହା ବେଳକୁ ଏହା ମୋବାଇଲ ବ୍ୟବହାରକାରୀମାନଙ୍କ ପାଖରେ ଖୁବ ସାଧାରଣ ହୋଇପାରିଥିଲା । ୧୯୯୮ ମସିହାରେ ମୋଜିଲା ଫାଉଣ୍ଡେସନ୍ଦ୍ୱାରା ମୋଜିଲା ନାମକ ବ୍ରାଉଜରର ଉଦ୍ଭାବନ ହୋଇଥିଲା । ୨୦୧୧ ମସିହା ବେଳକୁ ଏହା ବିଶ୍ୱ ଇଣ୍ଟର୍ନେଟ ବଜାରର ୨୮% ମୂଲ୍ୟ ଅଧିକାର କରିପାରିଥିଲା । ୨୦୦୩ ମସିହାରେ ଆପଲ୍ କମ୍ପାନୀର ସର୍ବପ୍ରଥମ ବ୍ରାଉଜର ଭାବରେ ସଫାରି ବଜାରକୁ ଆସିଥିଲା । ୨୦୦୮ ମସିହାରେ ଗୁଗୁଲ ତରଫରୁ ଏହାର ନିଜସ୍ୱ ବ୍ରାଉଜର ଭାବରେ ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହୋଇଥିଲା । ସମଗ୍ର ବିଶ୍ୱରେ ବିଭିନ୍ନ ଗୁଗୁଲ୍ କ୍ରୋମ୍ ଗୁଡିକର ବ୍ୟବହାର ପରିସଙ୍ଖ୍ୟାନ ଅନୁସାରେ ୨୦୧୧ ମସିହା ସୁଦ୍ଧା ଗୁଗୁଲ୍ କ୍ରୋମ୍ ଅନ୍ୟ ସମସ୍ତ ବ୍ରାଉଜର ଗୁଡିକୁ ପଛରେ ପକାଇଦେଇଥିଲା । ଏଥିରେ ବ୍ୟବହୃତ ଅତ୍ୟାଧୁନିକ ସଫ୍ଟୱେର ଓ ବ୍ୟବହାର କରିବାରେ ସହଜତା ଏହାକୁ ଅଧିକ ଲୋକପ୍ରିୟ କରିପାରିଥିଲା ।
This article uses material from the Wikipedia ଓଡ଼ିଆ article ବ୍ରାଉଜର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.