ବଡ଼ବଡ଼ିଆ

ଓଡ଼ିଶାରେ ଘରର ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ବୋଲି କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ଆପଣାର ମୃତ ପୂର୍ବପୁରୁଷଗଣଙ୍କୁ ବଡ଼ବଡ଼ିଆ କୁହାଯାଏ । ଏହି ଗ୍ରନ୍ଥ ଅନୁସାରେ ବଡ଼ବଡ଼ିଆ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ହାଣ୍ଡିଶାଳରେ ରଚିତ ପୂର୍ବପୁରୁଷମାନଙ୍କର କଳ୍ପିତ ପ୍ରତିମା । ଦୀପାବଳୀ ବା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଲୋକେ କାଉଁରିଆ କାଠି ଜାଳି ତାହାର ଆଲୋକକୁ ଆକାଶକୁ ଦେଖାନ୍ତି ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ବିଶ୍ୱାସ ରହିଛି ।

ମହାଳୟା ସମୟରେ ଯେଉଁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପାରନ୍ତି ନାହିଁ, ସେମାନେ ଦୀପାବଳୀ ଅମାବାସ୍ୟାରେ ଶ୍ରାଦ୍ଧ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ।

ବଡ଼ବଡ଼ିଆ
ଦୀପାବଳୀ ଦିନ ପୁରୀରେ କାଉଁରିଆ କାଠି ଜଳାଯାଉଛି

ବଡ଼ବଡ଼ିଆ ଶ୍ରାଦ୍ଧ

ଦୀପାବଳୀ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ ଏହି ଶ୍ରାଦ୍ଧ ପାଳନ କରାଯାଏ । ଏହାକୁ ଲୋକେ ପୟା ଶ୍ରାଦ୍ଧ ବୋଲି ମଧ୍ୟ କହିଥାନ୍ତି । ପିତୃପକ୍ଷରେ ଧରାପୃଷ୍ଠକୁ ଆସିଥିବା ପିତୃପୁରୁଷମାନେ ଦୀପାବଳୀ ଦିନ ପିତୃଲୋକକୁ ପୁନର୍ଗମନ କରନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି । ସେହିମାନଙ୍କ ସ୍ମୃତି ଚାରଣ କରି ବଂଶଧରମାନେ ଏହି ଶ୍ରାଦ୍ଧ ପାଳନ କରିଥାନ୍ତି ।

ବଡ଼ବଡ଼ିଆ ଶ୍ରାଦ୍ଧର ବିଧି

ବଡ଼ବଡ଼ିଆ 
ବଡ଼ବଡ଼ିଆଙ୍କ ପଥ ଆଲୋକିତ କରିବା ପାଇଁ କାଉଁରିଆ କାଠିର ମଶାଲ
ବଡ଼ବଡ଼ିଆ 
କାଉଁରିଆ କାଠି ପ୍ରସ୍ତୁତ କରାଯାଉଛି

ବଡ଼ବଡ଼ୁଆ ଶ୍ରାଦ୍ଧ ଦିନ ଘରର ସଦସ୍ୟମାନେ ବାରଣ୍ଡା ବା ଅଗଣାରେ ଏକତ୍ରିତ ହୋଇଥାନ୍ତି । ସେଠାରେ ମୁରୁଜ ପକାଇ ଏକ ବଡ଼ ବୋଇତ ବା ଡଙ୍ଗାର ଚିତ୍ର ଅଙ୍କିତ କରାଯାଇଥାଏ । ଏହି ଡଙ୍ଗାର ଉତ୍ତରରେ ୭ଟି କୋଠରୀ ଥାଏ ଯାହା ଋଷିମାନଙ୍କ ପାଇଁ ଉଦ୍ଦିଷ୍ଟ । ଡଙ୍ଗାର ପୂର୍ବରେ ରହିଥିବା ୧୦ଟି କୋଠରୀ ଦେବତାମାନେ ଅବସ୍ଥାନ କରନ୍ତି । ଦକ୍ଷିଣ ପଟକୁ ରହିଥିବା ୧୨ଟି କୋଠରୀ ପିତୃପୁରୁଷମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । ମୁରୁଜ ବା ଝୋଟି ପଡ଼ିଥିବା ଏହି ସବୁ କୋଠରୀରେ ତୁଳା, ସୋରିଷ, ହଳଦି, ପନିପରିବା, ପିଠା, ମିଠା, ଲୁଣ, ଶତାବରୀ ମୂଳ, ବନ୍ୟ ଲତା ଇତ୍ୟାଦି ଦ୍ରବ୍ୟ ରଖାଯାଏ । ମଧ୍ୟଭାଗରେ ରହିଥିବା ଗୋଟିଏ କୋଠରୀରେ ଭୋଗ ରଖାଯାଇଥାଏ । ଏହି ପ୍ରସାଦ ପ୍ରକୋଷ୍ଠରେ କିଛି କାଉଁରିଆ କାଠି ମଧ୍ୟ ରଖାଯାଇଥାଏ । ଛୋଟ କପଡ଼ା ଖଣ୍ଡିଏ ତେଲ ବା ଘିଅରେ ଭିଜାଇ ଏହି କାଉଁରିଆ କାଠିର ଅଗରେ ଗୁଡ଼ାଇ ବାନ୍ଧି ଦିଆଯାଇଥାଏ । କେତେକ ଘରେ କାଉଁରିଆ କାଠିରେ ଦୁବ, ବରକୋଳି ପତ୍ର ଓ ଫୁଲ ଇତ୍ୟାଦି ମଧ୍ୟ ବନ୍ଧାଯାଏ । ଏହି ସବୁ ବ୍ୟତୀତ ଡଙ୍ଗା ନିକଟରେ ଶିଳ, ଶିଳପୁଆ, ହଳ ଇତ୍ୟାଦି ମଧ୍ୟ ରଖି ପୂଜା କରାଯାଏ ।

ଶ୍ରାଦ୍ଧ ଆରମ୍ଭରେ ଦଶ ଦେବ, ସପ୍ତ ଋଷି, ପିତାଙ୍କ ପରିବାରର ତିନି ପୂର୍ବପୁରୁଷ, ମାମୁଁଘରର ତିନି ପୂର୍ବପୁରୁଷଙ୍କୁ ଆବାହନ କରାଯାଏ । ସେମାନଙ୍କୁ ପୁଷ୍ପ, ଚନ୍ଦନ, ଧୂପ ଦୀପ, ପ୍ରସାଦ ଇତ୍ୟାଦି ଅର୍ପଣ କରାଯାଏ । ତାହାପରେ କାଉଁରିଆ କାଠି ଅଗରେ ମୁଖ୍ୟ ଦୀପରୁ ନିଆଁ ଲଗାଇ ଦିଆଯାଏ ଓ ସେଗୁଡ଼ିକ ଛୋଟ ମଶାଲ ପରି ଜଳି ଉଠନ୍ତି । ଘରର ସମସ୍ତ ସଦସ୍ୟ ଏହି ଜଳନ୍ତା କାଠିଟିକୁ ଟେକି ଧରି ଆକାଶଆଡ଼କୁ ଦେଖାଇ ନିଜ ପିତୃପୁରୁଷଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥାନ୍ତି । ଏହି ସମୟରେ ସମସ୍ତେ ମିଶି ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ ଡାକ ପକାଇଥାନ୍ତି ଯାହାକୁ “ବଡ଼ବଡ଼ିଆ ଡାକ” ବୋଲି କୁହାଯାଏ ।

ଶ୍ରାଦ୍ଧ ସରିଲେ ଘରର ଲୋକେ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥିବା ବିଭିନ୍ନ ପ୍ରକାରର ପିଠା ଆନନ୍ଦରେ ଖାଇଥାନ୍ତି । ପ୍ରଗତିଶୀଳ ଯୁଗରେ ବଡ଼ବଡ଼ିଆ ଶ୍ରାଦ୍ଧର ପାଳନ ବିଧିରେ ମଧ୍ୟ କ୍ରମଶଃ କେତେକ ପରିବର୍ତ୍ତନ ଦେଖାଦେଇଛି । ବର୍ତ୍ତମାନ ସମୟରେ କେବଳ କାଉଁରିଆ କାଠି ଜାଳି ପ୍ରଚୀନ ପରମ୍ପରାର ପ୍ରତୀକ ଭାବେ ଏହାକୁ କେତେକ ଘରେ ପାଳନ କରାଯାଉଛି ।

ପୟା ଶ୍ରାଦ୍ଧ ସହିତ ଆକାଶଦୀପର ପରମ୍ପରା ଓତପ୍ରୋତ ଭାବେ ଜଡ଼ିତ । ପୂର୍ବେ ଛୋଟ କଣା ଥିବା ମାଟିହାଣ୍ଡି ବା ପାତ୍ରରେ ଜଳନ୍ତା ଦୀପଟିଏ ରଖାଯାଉଥିଲା । ଘର ସାମନାରେ ଏକ ଲମ୍ବା ବାଉଁଶ ଖୁଣ୍ଟ ପୋତି ଏହି ଦୀପ ଥିବା ହାଣ୍ଡିକୁ ସେଥିରେ ଝୁଲାଇ ଦିଆଯାଉଥିଲା । ଏହାକୁ ଆକାଶଦୀପ ବୋଲି କୁହାଯାଉଥିଲା ଓ ପିତୃପକ୍ଷ ପରେ ବୈକୁଣ୍ଠ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିବା ପିତୃପୁରୁଷଙ୍କ ପଥ ଏହି ଆକାଶଦୀପଦ୍ୱାରା ଆଲୋକିତ ହେବ ବୋଲି ଲୋକେ ବିଶ୍ୱାସ କରୁଥିଲେ । ବର୍ତ୍ତମାନ ସମୟରେ ମଧ୍ୟ କେହି କେହି ଆକାଶଦୀପ ଜାଳିଥାନ୍ତି ।

ବଡ଼ବଡ଼ିଆ ଡାକ

ବଡ଼ବଡ଼ିଆ ଡାକର କେତେକ ସ୍ଥାନୀୟ ରୂପ ନିମ୍ନରେ ପ୍ରଦତ୍ତ ହେଲା ।

  • ବଡ଼ବଡ଼ୁଆ ହୋ !

ଅନ୍ଧାରରେ ଆସି ଆଲୁଅରେ ଯାଅ ।

ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ,

ପୁରୁଷୋତ୍ତମରେ ମହାପ୍ରସାଦ ଖାଇ

ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ ।।

  • ବଡ଼ବଡ଼ିଆ ହୋ !

ଅନ୍ଧାରେ ଆସି ଆଲୁଅରେ ଯାଅ ।

ବାଇଶି ପାହାଚରେ ଗଡ଼ଗଡ଼ୁ ଥାଅ ।।

  • ବଡ଼ବଡ଼ୁଆ ହୋ !

ଅନ୍ଧାରରେ ଆସ, ଆଲୁଅରେ ଯାଅ ।

ବାଇଶି ପହାଚେ ଗଡ଼ଗଡ଼ଉ ଥାଅ ।।

ଏହାର ଅର୍ଥ ହେଲା – ହେ ପିତୃପୁରୁଷ । ତୁମ୍ଭେମାନେ ମହାଳୟା ଅମାବାସ୍ୟାରେ ପିତୃଲୋକରୁ ଏଠାକୁ ଆସିଥିଲ । ବର୍ତ୍ତମାନ ପୁଣି ପିତୃଲୋକକୁ ଫେରିଯିବାର ସମୟ ଆସିଛି । ପ୍ରଭୁ ଜଗନ୍ନାଥଙ୍କ ଆସ୍ଥାନ ସୂଚକ ବାଇଶି ପାହାଚ ପର୍ଯ୍ୟନ୍ତ ତୁମର ବାହୁଡ଼ା ଯାତ୍ରା ମଙ୍ଗଳମୟ ଓ ନିରାପଦମୟ ହେଉ ବୋଲି ଆମେ ଏହି ଆଲୋକ ଦେଖାଉଛୁ । ଅମାବାସ୍ୟାର ଏହି ଅନ୍ଧାର ରାତିରେ ଏହା ତୁମର ପଥ ଆଲୋକିତ କରିବ ଓ ତୁମ ଯାତ୍ରା ନିରାପଦମୟ ହେବ ବୋଲି ଆମେ କାମନା କରୁଛୁ ।

ରୋଷେଇ ଘରେ ବଡ଼ବଡ଼ିଆ

ବଡ଼ବଡ଼ିଆ 
ପୟାଶ୍ରାଦ୍ଧ ପାଇଁ ଆୟୋଜନ
ବଡ଼ବଡ଼ିଆ 
ଆକାଶ-ଦୀପ

ଗାଁ ଗହଳିରେ ଘରର ପୂର୍ବପୁରୁଷ ବା ବଡ଼ବଡ଼ିଆଙ୍କୁ ପୂଜା ମଧ୍ୟ କରାଯାଇଥାଏ । ରୋଷେଇ ଘର ବା ହାଣ୍ଡିଶାଳର ଚୁଲି ପାଖର ଗୋଟିଏ କୋଣରେ ଛୋଟ ମାଟିଗଦାଟିଏ ତିଆରି କରାଯାଏ । ଏହି ମାଟିଗଦାକୁ ବଡ଼ବଡ଼ିଆ ବୋଲି କୁହାଯାଏ ଓ ପ୍ରତିଦିନ ଏହାକୁ ପୂଜା ମଧ୍ୟ କରାଯାଏ ।

ଘରର ମାଲିକାଣୀ ପ୍ରତିଦିନ ଗାଧୋଇବା ପରେ ରୋଷେଇ ଘରକୁ ରାନ୍ଧିବାକୁ ଯାଆନ୍ତି । ରାନ୍ଧିବା ପୂର୍ବରୁ ସେ ବଡ଼ବଡ଼ିଆ କୋଣକୁ ଯାଇ ବାସି ଫୁଲ ଇତ୍ୟାଦି ସଫା କରନ୍ତି । ବଡ଼ବଡ଼ିଆ ଉପରେ ଅଳ୍ପ ପାଣି ଢାଳି ସ୍ନାନ କରାନ୍ତି । ତାହା ପରେ ସେଠାରେ ନୂଆ ଫୁଲ ରଖନ୍ତି । ଆଚମନ କରିବା ପାଇଁ ଢାଳରେ କିଛି ପାଣି ବଡ଼ବଡ଼ିଆ ସମ୍ମୁଖରେ ଥୋଇଦେଇଥାନ୍ତି । ରନ୍ଧା ସରିଲେ ବଡ଼ବଡ଼ିଆଙ୍କୁ ପ୍ରଥମେ ଖାଦ୍ୟ ଅର୍ପଣ କରାଯାଏ ଓ ମୁଣ୍ଡିଆ ମରାଯାଏ ।

ପ୍ରାଚୀନ ମିଶର୍ ସଭ୍ୟତାର ଆରମ୍ଭ ବେଳକୁ ସେଠାକାର ଲୋକେ ବିଶ୍ୱାସ କରୁଥିଲେ ଯେ ଭଗବାନ, ମନୁଷ୍ୟ ଓ ପିତୃପୁରୁଷଙ୍କଦ୍ୱାରା ଆମ ଜଗତ ଗଠିତ । ଏହି ସମସ୍ତଙ୍କର ଶାରୀରିକ ଓ ମାନସିକ ଇଚ୍ଛା ପୂରଣ ହେବା ଆବଶ୍ୟକ । ତେଣୁ ଘରେ କାହାର ମୃତ୍ୟୁ ହୋଇଗଲେ ସେମାନଙ୍କୁ ବାହାରେ ସମାଧିପୀଠରେ ପୋତା ନ ଯାଇ ଘର ମଧ୍ୟରେ ବା ରୋଷେଇ ଘରେ ଚୁଲି ନିକଟରେ ପୋତାଯିବାର ପ୍ରଥା ରହିଥଲା । କ୍ରମଶଃ ପ୍ରାଚୀନ ମିଶରୀୟ ସଭ୍ୟତାରେ ଲୋକଙ୍କୁ ସମାଧିପୀଠରେ ପୋତାଗଲା ଓ ପୁରୁଣା ପ୍ରଥାନୁସାରେ ରୋଷେଇ ଘରେ ବଡ଼ବଡ଼ିଆ ପରି କୌଣସି ପ୍ରତୀକ ରଖାଯିବା ସମ୍ଭବପର । ପ୍ରଚୀନ ମିଶର୍ ସଭ୍ୟତର ଲୋକେ ବାଣିଜ୍ୟ ପାଇଁ ସମୁଦ୍ର ଯାତ୍ରା କରି କଳିଙ୍ଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । କଳିଙ୍ଗକୁ ଆସି ଏଠାରେ ବସବାସ କରିଥିବା ମିଶର୍ ଦେଶର କିଛି ଲୋକଙ୍କ ଧାର୍ମିକ ବିଶ୍ୱାସରୁ ଏହି ବଡ଼ବଡ଼ିଆ ପୂଜାର ଉଦ୍ଭବ ହୋଇଥାଇପାରେ ବୋଲି ଆଶୁତୋଷ ପ୍ରସାଦ ପଟ୍ଟନାୟକ ନିଜ ସର୍ବେକ୍ଷଣ ଓ ଗବେଷଣା ପରେ ମତ ରଖିଛନ୍ତି ।

ପୌରାଣିକ କିମ୍ବଦନ୍ତୀ

ଏକ ପୌରାଣିକ କାହାଣୀ ଅନୁସାରେ ଭୟଭୀତ ଦେବଙ୍କୁ ରକ୍ଷା କରିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ ମହାବଳଶାଳୀ ନରକାସୁରର ବଧ କରିଥିଲେ ଓ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହେଲା । ନରକାସୁର ଷୋହଳ ହଜାର ସୁନ୍ଦରୀ ରମଣୀଙ୍କୁ ବନ୍ଦିନୀ କରି ରଖିଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରି ସମ୍ମାନର ସହିତ ଦ୍ୱାରକାକୁ ପଠାଇ ଦେଇଥିଲେ । ନରକାସୁରର ପରାଜୟରେ ଖୁସି ହୋଇ ଲୋକେ କାଉଁରିଆ କାଠିର ମଶାଲରେ ନିଆଁ ଲଗାଇ ଉତ୍ସବ ପାଳନ କରିଥିଲେ ।

ସେବେଠାରୁ ଦୀପାବଳୀ ପାଳନ କରାଯାଏ ଓ ଏହା ନରକୋତ୍ସବ ନାମରେ ମଧ୍ୟ ଜଣାଶୁଣା । ନରକାସୁର ପରେ ତାହାର ପୁତ୍ର ଭଗଦତ୍ତ ସିଂହାସନ ଆରୋହଣ କରିଥିଲା ।

ଭାଷାରେ ବ୍ୟାବହାରିକ ପ୍ରୟୋଗ

କଥିତ ଭାଷାରେ ବଡ଼ବଡ଼ିଆ ଶବ୍ଦ ସମାଜର କୌଣସି ପ୍ରଭାବଶାଳୀ, ବିତ୍ତଶାଳୀ, କ୍ଷମତାଶାଳୀ ଲୋକ ବା ତାଙ୍କ ପରିବାରକୁ ସୂଚାଏ । ଯଥା – ବଡ଼ବଡ଼ିଆ ଅଧିକାରୀ, ବଡ଼ବଡ଼ିଆ ନେତା ଇତ୍ୟାଦି ।

ଆହୁରି ଦେଖନ୍ତୁ

ଆଧାର

Tags:

ବଡ଼ବଡ଼ିଆ ଶ୍ରାଦ୍ଧବଡ଼ବଡ଼ିଆ ରୋଷେଇ ଘରେ ବଡ଼ବଡ଼ିଆ ପୌରାଣିକ କିମ୍ବଦନ୍ତୀବଡ଼ବଡ଼ିଆ ଭାଷାରେ ବ୍ୟାବହାରିକ ପ୍ରୟୋଗବଡ଼ବଡ଼ିଆ ଆହୁରି ଦେଖନ୍ତୁବଡ଼ବଡ଼ିଆ ଆଧାରବଡ଼ବଡ଼ିଆଓଡ଼ିଶାଦୀପାବଳୀପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ

🔥 Trending searches on Wiki ଓଡ଼ିଆ:

ହାଡ଼ି ଦାସରାଜନୀତି ବିଜ୍ଞାନଟାଇଫଏଡସମୀର ରଞ୍ଜନ ଦାଶବୈଦେହୀଶ ବିଳାସମହାନଦୀବରଗଡ଼ ଜିଲ୍ଲାଇନ୍‌ଫ୍ଲୁଏଞ୍ଜାବ୍ୟାଙ୍କ୨ (ସଂଖ୍ୟା)ଦିବ୍ୟସିଂହ ଦେବଓଡ଼ିଶାର ଭୂଗୋଳଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାକେବେ ତମେ ନାହଁ କେବେ ମୁଁ ନାହିଁମ୍ୟୁଚୁଆଲ ଫଣ୍ଡମଧୁସୂଦନ ରାଓଶାନ୍ତନୁ କୁମାର ଆଚାର୍ଯ୍ୟସଂଗୀତମୁମ୍ବାଇଚନ୍ଦନ ଯାତ୍ରାକଳାପାହାଡ଼ଭୀମ ଭୋଇରଥଯାତ୍ରାଜୟୀରାମ ସାମଲମକର (ରାଶି)୧୮ ଅପ୍ରେଲସୌରୀନ୍ଦ୍ର ବାରିକଏ. ପି. ଜେ. ଅବଦୁଲ କଲାମଇଣ୍ଡିଆନ ପ୍ରିମିଅର ଲିଗଅବସରଅଇଘରାଚନ୍ଦ୍ରଶେଖର ନନ୍ଦୟୁ ଟ୍ୟୁବଇନୋଟୁଜୁମାବ ଓଜୋଗାମିସିନବେଦଗ୍ରୀକ ଭାଷାକରଣ (ଜାତି)ସୋଫିଆ ଆଲାମବାଜି ରାଉତଯକ୍ଷ୍ମାପୁରୀବାଟମଙ୍ଗଳାଦାଶରଥି ଦାସଜଗଦୀଶ ମହାନ୍ତିବରଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶ୍ରୀତମ ଦାସମୁଣ୍ଡା ଭାଷାସମୂହରେବା ରାୟଭାରତକୁମାର ପୂର୍ଣ୍ଣିମାବ୍ୟଞ୍ଜନ ବର୍ଣ୍ଣଗୋପବନ୍ଧୁ ଦାସମନୋଜ ଦାସଙ୍କ କଥା ଓ କାହାଣୀଓଡ଼ିଆ ଭାଗବତକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱୋର୍ଡ ମାଛକ୍ଷୀରରାମଚନ୍ଦ୍ର ମିଶ୍ରପ୍ଲୁଟୋଭାରତର ଜାତୀୟ ପତାକାହୃଷୀକେଶ ପଣ୍ଡାଓଡ଼ିଶାର ଲୋକନୃତ୍ୟଧନୁଯାତ୍ରାଗରୁଡ଼ସିଦ୍ଧାର୍ଥ ଭରତନ🡆 More