ପଖାଳ (ପଖାଳ ଭାତ ନାମରେ ମଧ୍ୟ ଜଣା) ଭାତରେ ପାଣି ମିଶାଇ ତିଆରି କରାଯାଉଥିବା ଏକ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ତିଆରି ଛପନ ଭୋଗ ଭିତରୁ ଏକ । ପଖାଳ ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଖିଆଯାଇଥାଏ । ଭାତକୁ ପାଣିରେ ପଖାଳି ତିଆରି କରାଯାଉଥିବାରୁ ଏହାକୁ ପଖାଳ କୁହାଯାଏ । ଏହାର ପାଣିକୁ ତୋରାଣି କୁହାଯାଏ । ସାଧାରଣତଃ ଖରାବେଳେ ବା ଉପରଓଳି ପଖାଳ ଖିଆଯାଏ । ପଖାଳର ଲୋକାଦୃତି ଓ ପ୍ରସାର ଉଦ୍ଦେଶ୍ୟରେ ମାର୍ଚ୍ଚ ମାସ ୨୦ ତାରିଖକୁ ପଖାଳ ଦିବସ ଭାବେ ନାମିତ କରାଯାଇଛି ।
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଗରମ ପଖାଳ, ଜିରା ପଖାଳ, ବାସି ପଖାଳ |
ବାଢ଼ିବାର ତାତି | ଥଣ୍ଡା, ଗରମ |
ମୂଳ ଉପାଦାନ | ଭାତ |
ପଖାଳ ଓଡ଼ିଆ ଶବ୍ଦ "ପଖାଳିବା/ପଖାଳିତ"ରୁ ଆସିଛି ଯାହାର ଅର୍ଥ ଧୋଇବା । ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ଏମିତି ହୋଇଛି । ସଂସ୍କୃତରେ ଧୋଇବାକୁ ପ୍ରକ୍ଷାଳନ କୁହାଯାଇଥାଏ । ଭାତକୁ ଜଳରେ ଧୋଇଦେଲେ ତାହା ପଖାଳ ହୋଇଯାଏ । ଅର୍ଜୁନ ଦାସଙ୍କ କବିତା ସଙ୍କଳନ କଳ୍ପଲତା (୧୫୨୦-୧୫୩୦)ରେ ପଖାଳ ଶବ୍ଦଟି ବହୁବାର ବ୍ୟବହୃତ ହୋଇଛି।
ପଖାଳ ଓଡ଼ିଶା ବ୍ୟତୀତ ଆସାମ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼, ଆନ୍ଧ୍ର ପ୍ରଦେଶରେ ମଧ୍ୟ ପ୍ରଚଳିତ । ଆସାମରେ ଏହାକୁ "ପୋଇତା ଭାତ", ପଶ୍ଚିମ ବଙ୍ଗରେ "ପନ୍ତ ଭାତ", ଝାଡ଼ଖଣ୍ଡ ଓ ବିହାରରେ "ମାରା ଭାତ" ଓ ଛତିଶଗଡ଼ରେ ପଖାଳ ବା "ବୋରେ ଭାତ" କହନ୍ତି । ତାମିଲନାଡୁରେ ଏହା ବକାଳ ବାତ ନାମରେ ଜଣା । ସେଠାରେ ବିବାହ ଆଦି ମାଙ୍ଗଳିକ କାର୍ଯ୍ୟରେ ଏବେ ମଧ୍ୟ ପରଷା ଯାଏ ।
ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ ।
ପଖାଳ ସହ ବଡ଼ିଚୁରା ଓ ଭଜା ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ । ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ । ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ । ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ । ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ ।
ମାଟି ହାଣ୍ଡିରେ ପଖାଳକୁ ବାସି କରି ତା’ର ତୋରାଣିରୁ ପ୍ରସ୍ତୁତ କାଞ୍ଜିକୁ ହାଣ୍ଡି କାଞ୍ଜି ବୋଲି କହିଥାନ୍ତି। ଏହା ଭେଣ୍ଡି, ବୁଢ଼ା ବାଇଗଣ ବା କାକୁଡ଼ି, ଭୃସଙ୍ଗ ପତ୍ର ଓ ପଞ୍ଚୁ ଫୁଟଣ ଦେଇ ଛୁଙ୍କ କରାଯାଏ । ଏହା ଔଷଧୀୟ ଗୁଣ ଯୁକ୍ତ ।
ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ । ଉଷୁନା ପଖାଳ ଓ ଅରୁଆ ପଖାଳ ମଧ୍ୟରୁ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି । ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ । ଅଦା ପକାଯାଇ ଚୁପୁଡ଼ା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲାଦ୍ୱାରା ପ୍ରସୂତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ । ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି । ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।
ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ୭.୦୦ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାଏ ।
ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ ।
୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ । ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, "ଓଡ଼ିଶାର ଲୋକ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର" ।
ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ । ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ । ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ । ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ ।
ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।
ପାହାନ୍ତା ପଖାଳ ସପନ ହେବ ଲୋ ମୋ ମାଆରାଣୀ
ବାଳ ବାନ୍ଧିବାକୁ ତେଲ ନ ଥିବ ଲୋ ମୋ ମାଆରାଣୀ ॥
ଦେଠେଇ ତୋହର ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ଜୀବନ
ହାତକୁ ବନ୍ଧେଇ ଦେଲେ ମୋ ଜୀବନ
ସାଇ ପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ମୋ ଜୀବନ
ଫରୁଆ ପାନିଆ ଦେଲେ ମୋ ଜୀବନ॥
ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
ଚାଖି ନାହିଁ ଯିଏ ଥରେ
ଧିକ ତା’ ଜନମରେ
ମଣିଷ ଯାକରେ ସେତ ଅଣ ପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା॥
ପଖାଳକୁ ନେଇ ବିଭିନ୍ନ ଢଗ ରହିଛି ।
ମଦରଙ୍ଗା ଶାଗ ରାଇ
ପଖାଳ ଭାତକୁ ଚିଲିକା ଶୁଖୁଆ
ମାଣିକ ପାଟଣା ଦହି॥
ଦି ମାଇପର ଘଇତା
ତବତ ଖାଇବୁ କି ପଖାଳ ଖାଇବୁ
ବେଳ ଥାଉ ଥାଉ କହିଥା॥
ପଖାଳ ଭାତରେ ଉଲି ପିଆଜ
ଅକ୍ଷର ମୋହର ବଡ଼ କଦର୍ଯ୍ୟ॥
ଲାଲ ଟହଟହ ପାତଲଘଟାଁ, ଧାନ ମିରଚା ନୁନେ,
ଚିଟକି ଚିଟକି ଖାଏମା ପୁତା, ବାସି ପଖାଳର ସାଙ୍ଗେ ।
This article uses material from the Wikipedia ଓଡ଼ିଆ article ପଖାଳ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.