ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଚୁଡ଼ାରେ ଶୋଭିତ ନୀଳଚକ୍ର ପ୍ରକାରାନ୍ତରେ ଦେବାୟୁଧ ସୁଦର୍ଶନ, ପତିତପାବନ ବାନାର ଧାରକ ।
ନୀଳଚକ୍ରର ଉଚ୍ଚତା ପ୍ରାୟ ୧୧ଫୁଟ ୮ଇଞ୍ଚ । ବ୍ୟାସ ୭ଫୁଟ ୬ଇଞ୍ଚ, ପରିଧି ଫଳକର ବେଧ ୨ଇଞ୍ଚ ଓ ପରିଧିର ଓସାର ୯ଇଞ୍ଚ । ନୀଳଚକ୍ରର କେନ୍ଦ୍ରସ୍ଥଳରେସ୍ଥିତ ବୃତ୍ତାକାର କ୍ଷେତ୍ରର ବ୍ୟାସ ୨ଫୁଟ ୨.୫ ଇଞ୍ଚ ଏବଂ ଏଥିରେ ୮ଟି ଅର ଅଛି । ପ୍ରତ୍ୟେକ ଅରର ଦୈର୍ଘ୍ୟ ୧ଫୁଟ ୧୦ଇଞ୍ଚ । ନୀଳଚକ୍ରର ଅର୍ଦ୍ଧେକ ଲୁହା ହୋଇଥିବା ବେଳେ ବାକି ଅର୍ଦ୍ଧେକ ମଧ୍ୟରେ ପାଏ ତମ୍ବା, ସୁନା ଓ ରୂପା ଏବଂ ରଙ୍ଗ, ଦସ୍ତା, ସୀସା ପ୍ରଭୃତି ରହିଛି ।
ନୀଳଚକ୍ରରେ ଉଡ୍ଡିୟମାନ ଧ୍ୱଜାକୁ ପତିତପାବନ ବାନା କୁହାଯାଏ । ନୀଳଚକ୍ର ଉପରେ ଉଡୁଥିବା ବାନା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ପ୍ରତ୍ୟହ ସନ୍ଧ୍ୟା ସମୟରେ ପୂର୍ବ ବାନା ଓଲାଗି ହୋଇ ନୂତନ ଧ୍ୱଜା ଉଡ଼ାଜାଏ । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।
ନୀଳଚକ୍ରରେ ଧ୍ୱଜା ନଥିଲେ ଜଗନ୍ନାଥଙ୍କୁ କୌଣସି ଭୋଗ ଅର୍ପଣ କରାଯାଏ ନାହିଁ । କୌଣସି କାରଣରୁ ଜୀଉମାନଙ୍କୁ ଭୋଗ ସମର୍ପିତ ହୋଇ ନ ପାରିଲେ ପୂଜାପଣ୍ଡା ନୀଳଚକ୍ରଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି ଓ ତାହାକୁ ଚକ୍ର ମଣୋହି କୁହାଯାଏ । ସର ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାର ମିଠା ବାହାର ବେଢ଼ାରେ ନୀଳଚକ୍ର ଉଦ୍ଦେଶ୍ୟରେ ଅର୍ପିତ ହେଲାପରେ ତାହା ବିକ୍ରୀ ନିମନ୍ତେ ଆନନ୍ଦବଜାରକୁ ଆସେ । ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ଉପରେ ମହାଦୀପ ଉଠେ ।
ନୀଳଚକ୍ରଙ୍କର ସେବକ ହେଉଛନ୍ତି ଗରୁଡ଼ସେବକ (ମହାଦୀପ ଓ ଧ୍ୱଜାବନ୍ଧା ସେବକ) । ଏମାନେ ବଢ଼େଇ ଜାତୀୟ ଶୁଦ୍ର ସେବକ । ଏହି ସେବକମାନଙ୍କ ଇଷ୍ଟଦେବ ହେଉଛନ୍ତି ବିନତାନନ୍ଦନ ଗରୁଡ଼ । ଗରୁଡ଼ଙ୍କୁ ସ୍ମରଣ କରି ନୀଳଚକ୍ରରେ ଧ୍ୱଜା ବାନ୍ଧିବା ଓ ପୂଜାର୍ଚ୍ଚନା କରିବା ନିମିତ୍ତ ସେମାନେ ଶ୍ରୀମନ୍ଦିର ଗାତ୍ର ଉପରେ ଆରୋହଣ କରିଥାନ୍ତି ଧ୍ୱଜା ବାନ୍ଧିସାରି ସେମାନେ ଶ୍ରୀମନ୍ଦିରକୁ ପଛକରି ତଳକୁ ଓହ୍ଲାନ୍ତି ।
This article uses material from the Wikipedia ଓଡ଼ିଆ article ନୀଳଚକ୍ର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.