ନିତ୍ୟାନନ୍ଦ ଶତପଥୀ (୧୫ ଅକ୍ଟୋବର ୧୯୩୭ - ୦୩ ଜୁନ ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ, ସମଲୋଚକ ଓ ଶିକ୍ଷାବିତ ଥିଲେ । ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ତଥା ଭ୍ରମଣ କାହାଣୀ ଆଦି ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ।
ନିତ୍ୟାନନ୍ଦ ଶତପଥୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଗରେଇ ଶାସନ, ତିର୍ତ୍ତୋଲ, ଜଗତସିଂହପୁର | ୨୫ ଅକ୍ଟୋବର ୧୯୩୭
ମୃତ୍ୟୁ | ୩ ଜୁନ ୨୦୨୦ ଭୁବନେଶ୍ୱର | (ବୟସ ୮୨)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ଶୈଳୀ | ସମାଲୋଚନା ସାହିତ୍ୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ପ୍ରତିଭା ଶତପଥୀ |
ସନ୍ତାନ | ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା |
ସମ୍ପର୍କୀୟ | ବିଦ୍ୟାଧର ଶତପଥୀ (ବାପା) ଦୁର୍ଗାବତୀ ଦେବୀ(ମାଆ) |
ନିତ୍ୟାନନ୍ଦ, ୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗରେଇ ଶାସନଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ଓ ୧୯୬୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୬ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ ।
ନିତ୍ୟାନନ୍ଦଙ୍କ ପିତାଙ୍କ ନାମ ଥିଲା ବିଦ୍ୟାଧର ଶତପଥୀ ଓ ମାତାଙ୍କ ନାମ ଦୁର୍ଗାବତୀ ଦେବୀ । କବି ପ୍ରତିଭା ଶତପଥୀ ତାଙ୍କ ଧର୍ମପତ୍ନୀ । ପାରମିତା, ମଧୁବ୍ରତା, ଅସିତା ଓ ଇପ୍ସିତା ନାମରେ ତାଙ୍କର ଚାରି ଝିଅ ଅଛନ୍ତି ।
ଅଧ୍ୟାପନାକୁ ନିଜର ବୃତ୍ତି ଭାବରେ ଆବୋରୀ ଥିଲେ ନିତ୍ୟାନନ୍ଦ । ୧୯୬୨ରୁ ୧୯୬୯ ଯାଏଁ ରେଭେନ୍ସା ମହାବିଦ୍ୟାଳୟରେ ଓ ୧୯୭୬ରୁ ୧୯୯୨ ଯାଏଁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଓ ସତ୍ୟବାଦୀ ଚେୟାରର ପ୍ରଫେସର ଥାଇ ୧୯୯୭ ମସିହାରେ ସେବା ନିବୃତ ହୋଇଥିଲେ ।
୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, ଗୋପବନ୍ଧୁଙ୍କ ଜନ୍ମଦିବସରେ ସେ ସାକ୍ଷୀଗୋପାଳକୁ ଏକ ସଭାକାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ଚାରି ବର୍ଷ ଧରି ଲେଖା ହୋଇଥିବା, ହେ ସାଥୀ ! ହେ ସାରଥୀ ନାମରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ "ଆମ କବିତା" ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ତା ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଥିଲେ । ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ । ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ ।
ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।
୨୦୨୦ ଜୁନ ୩ ତାରିଖରେ ଭୁବନେଶ୍ୱରଠାରେ ନିତ୍ୟାନନ୍ଦଙ୍କର ପରଲୋକ ଘଟିଥିଲା ।
This article uses material from the Wikipedia ଓଡ଼ିଆ article ନିତ୍ୟାନନ୍ଦ ଶତପଥୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.