ଚନ୍ଦନ ଯାତ୍ରା

ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।

ଚନ୍ଦନ ଯାତ୍ରା
ଚନ୍ଦନ ଯାତ୍ରା
ନରେନ୍ଦ୍ର ପୁଷ୍କରିଣୀ
ଅନ୍ୟ ନାମଚନ୍ଦନଯାତ, ଗନ୍ଧଲେପନ ଯାତ୍ରା
ପାଳନକାରୀବିଷ୍ଣୁ ମନ୍ଦିର ଓ ମଠ
ବିଶେଷତାଶ୍ରୀମନ୍ଦିରର ଦୀର୍ଘତମ ପର୍ବ
ଆରମ୍ଭଅକ୍ଷୟ ତୃତୀୟା (ବୈଶାଖ ଶୁକ୍ଳ ତୃତୀୟା)
ଶେଷସ୍ନାନପୂର୍ଣ୍ଣିମାର ପୂର୍ବଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ)
୨୦୨୩ ତାରିଖ୨୩ ଅପ୍ରେଲ - ୩ ଜୁନ

ପୁରାଣ ମତ

ପୌରାଣିକ ମତେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ । ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ । ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣେ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ । ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା । ଉପଲବ୍ୟ ଓ ବିଭାସ୍ତୁ ନଗରୀରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା । ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡ଼ା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି ।

ଇତିହାସ

ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ । ଭାରତରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ୱତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ହିଁ ପ୍ରସିଦ୍ଧ । ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ । ଗନ୍ଧଯାତ୍ରା ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି – ଏହିପରି ତିନିଭାଗରେ ବିଭକ୍ତ । ଏହି ଯାତ୍ରା ସମ୍ବନ୍ଧରେ କବିସମ୍ରାଟ, ଦୀନବନ୍ଧୁ ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସୂର୍ଯ୍ୟ, ବନମାଳୀ, ବୀରକିଶୋର ପ୍ରମୁଖ ରସିକ କବିମାନେ ନାନା ଗୀତ ସୁସ୍ୱରରେ ରଚନା କରିଯାଇଛନ୍ତି । ଉଦାହରଣ ସ୍ୱରୂପ ବନମାଳୀ ଦାସଙ୍କ ଏହି ରଚନାଟି ୩୦୦ ବର୍ଷ ତଳର ଚନ୍ଦନ ଯାତ୍ରାର ଜୀବନ୍ତ ବର୍ଣ୍ଣନା ଲାଗି ଓଡ଼ିଶାର ଗ୍ରାମଗୁଡ଼ିକରେ ଅତି ପ୍ରସିଦ୍ଧ ।

ଦେଖ ଗୋ ରାଧାମାଧବ ଚାଲି । ମଣି ବିମାନ ଆସେ ଝୁଲି ଝୁଲି । ପଦ ।
ବିବିଧ ବାଜଣା ବୀର କାହାଳୀ । ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି ।।

ଚନ୍ଦନ ଯାତ୍ରା
ଶ୍ରୀଜଗନ୍ନାଥଙ୍କ ଚନ୍ଦନଲାଗି ବେଶ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଦୀର୍ଘ ୫ଶହ ବର୍ଷ ମଧ୍ୟରେ ଦେବ ବିଗ୍ରହଙ୍କର ସଂପର୍କରେ ଆସି ଅନୁଷ୍ଠିତ ହୁଏ, ଯାହାର ମୂଳ ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦେଇ ପ୍ରମୋଦିତ ରଖାଇବା ଏହାର ଉଦ୍ଦେଶ୍ୟ ବୋଲି ସ୍କନ୍ଧପୁରାଣ, ବାମଦେବ ସଂହିତା, ସୁଶ୍ରୁତସଂହିତା ବି କହନ୍ତି । ମାତ୍ର ‘ଜନମାନନ୍ଦ କାରଣାତ’ ଜନକୁ ଋତୁଗତ ଆନନ୍ଦ ଦେବା ପାଇଁ ଏହାର ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି ।

ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ରାଜା ଦ୍ୱିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳିଥିଲେ । ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ । କୁହାଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା । ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା ।

ବାହାର ଚନ୍ଦନଯାତ୍ରା

ପଞ୍ଚ ମହାଦେବଙ୍କର ଶୁଣ ଏବେ ନାମ ।
ଜମ୍ବେଶ୍ୱର ଲୋକନାଥେ ମାର୍କଣ୍ଡେୟ ଜାଣ ।
ଶୁଣ ବଉଳ ଗୋ!
ନୀଳକଣ୍ଠ କପାଳମୋଚନ ପାଞ୍ଚ ଭାଇ ।
ଏହି ପାଞ୍ଚ ଭାଇ ପଞ୍ଚୁପାଣ୍ଡବ ଅଟଇ ।
ଶୁଣ ବଉଳ ଗୋ!

—ଚନ୍ଦନ ଗୀତ, ପୀତାମ୍ବର

ଦକ୍ଷିଣଘରୁ (ଅଣସର ଘରର ଦକ୍ଷିଣରେ ଥିବା ବେହରଣ ଦ୍ୱାର ମୁହଁରେ ଥିବା ଘର) ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି ।

ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଗୋଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରିଥାନ୍ତି । ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ (ବା ଲକ୍ଷ୍ମୀ) ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)। ବିମାନ ପଛ ପାଲିଙ୍କିଟିରେ ବଳରାମ ଓ କୃଷ୍ଣ ଆରୋହଣ କରିଥାନ୍ତି ପୁଣି ଅନ୍ୟ ପାଞ୍ଚଗୋଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ପଞ୍ଚ ମହାଦେବ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରିଥାନ୍ତି।

ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ । ସେହି ଛାମୁଣ୍ଡିଆ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପଦଧୌତ କରାଯାଏ ।

ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇ ଗୋଟି ଚାପ ପ୍ରସ୍ତୁତ ହୋଇ ଥାଏ । ଚାପ ଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣିଦ୍ୱାରା ସୁଶୋଭିତ କରାଯାଇଥାଏ । ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି । ଅନ୍ୟ ଚାପଟିରେ ବସନ୍ତି ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ । ପ୍ରତିମାମାନଙ୍କ ସହ ଚାପଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି । ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି ।

ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ଏହାର ଅନେକଗୁଡ଼ିଏ ବେଶ କୃଷ୍ଣଲୀଳାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥାଏ । ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । କ୍ରମାନୁଯାୟୀ ବେଶଗୁଡ଼ିକ ହେଲା:

  1. ଅକ୍ଷୟ ତୃତୀୟା: ନଟବର ବେଶ (ତ୍ରିଭଙ୍ଗ ନୃତ୍ୟରତ ଶ୍ରୀକୃଷ୍ଣ)
  2. ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ (ବସୁଦେବଙ୍କଦ୍ୱାରା ନଦୀପାରି ବେଶ)
  3. ବୈଶାଖ ଶୁକ୍ଳ ପଞ୍ଚମୀ: ରାଜାଧିରାଜ ବେଶ (ଦ୍ୱାରକାଧୀଶ)
  4. ବୈଶାଖ ଶୁକ୍ଳ ଷଷ୍ଠୀ: ଖଟଦୋଳି ବେଶ (କୁଞ୍ଜରେ ଦୋଳିଖେଳ)
  5. ବୈଶାଖ ଶୁକ୍ଳ ସପ୍ତମୀ: ଗୋମତୀ କୃଷ୍ଣ ବେଶ (ବ୍ରହ୍ମଗୋପାଳ ବେଶ)
  6. ବୈଶାଖ ଶୁକ୍ଳ ଅଷ୍ଟମୀ: ବତ୍ସାଚାରଣ (ଗୋଚାରଣ ଗୋପାଳ)
  7. ବୈଶାଖ ଶୁକ୍ଳ ନବମୀ: ବତ୍ସାହରଣ ବେଶ (ବ୍ରହ୍ମ ବିମୋହନ ଲୀଳା)
  8. ବୈଶାଖ ଶୁକ୍ଳ ଦଶମୀ: ଅଘାସୁର ବଧ ବେଶ (କୃଷ୍ଣଙ୍କଦ୍ୱାରା ଅଘାସୁର ବଧ)
  9. ବୈଶାଖ ଶୁକ୍ଳ ଏକାଦଶୀ: ଚକ୍ର ନାରାୟଣ ବେଶ (ଚକ୍ରଧାରୀ କୃଷ୍ଣ)
  10. ବୈଶାଖ ଶୁକ୍ଳ ଦ୍ୱାଦଶୀ: ନାବକେଳି ବେଶ (ଯମୁନା କେଳି)
  11. ବୈଶାଖ ଶୁକ୍ଳ ତ୍ରୟୋଦଶୀ: ରାହାସମଣ୍ଡଳି ବେଶ (ରାସ କ୍ରୀଡା)
  12. ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ: (ନୃସିଂହ ଜନ୍ମ ତିଥି)ଏହି ଦିନ ବେଶ କରାଯାଏ ନାହିଁ
  13. ବୈଶାଖ ପୂର୍ଣ୍ଣିମା: କନ୍ଦର୍ପ ରଥ ବେଶ (ଗୋପାଙ୍ଗନାଙ୍କଦ୍ୱାରା ରଥାକୃତି ପରିବେଷ୍ଟିତ କୃଷ୍ଣ)
  14. ଜ୍ୟୈଷ୍ଠ କୃଷ୍ଣ ପ୍ରତିପଦା: ଷଡ଼ଭୂଜ ଗୌରାଙ୍ଗ ବେଶ (କଳିଯୁଗ ପ୍ରେମାବତାର)
  15. ଜ୍ୟୈଷ୍ଠ କୃଷ୍ଣ ଦ୍ୱିତୀୟା: ରଘୁନାଥ ବେଶ (କାଣ୍ଡ କୋଦଣ୍ଡଧାରୀ ଶ୍ରୀରାମ)
  16. ଜ୍ୟୈଷ୍ଠ କୃଷ୍ଣ ତୃତୀୟା: ଗିରିପୂଜା ବେଶ (ଗୋବର୍ଦ୍ଧନ ପୂଜା )
  17. ଜ୍ୟୈଷ୍ଠ କୃଷ୍ଣ ଚତୁର୍ଥୀ: ଗିରିଟେକା ବେଶ (ଗୋବର୍ଦ୍ଧନ ଧାରୀ)
  18. ଜ୍ୟୈଷ୍ଠ କୃଷ୍ଣ ପଞ୍ଚମୀ: ବସ୍ତ୍ରହରଣ ବେଶ (କେଳି କଦମ୍ବ ତରୁରେ ଆରୁଢ଼ କୃଷ୍ଣଙ୍କ କର୍ତ୍ତୃକ ସ୍ନାନରତା ଗୋପୀମାନଙ୍କ ବସ୍ତ୍ରହରଣ ଲୀଳା)
  19. ଜ୍ୟୈଷ୍ଠ କୃଷ୍ଣ ଷଷ୍ଠୀ: ଚିନ୍ତାମଣୀ କୃଷ୍ଣ ବେଶ/ ମଦନ ମୋହନ ବେଶ (ମୂରଲୀଧର)
  20. ଜ୍ୟୈଷ୍ଠ କୃଷ୍ଣ ସପ୍ତମୀ: ଗଜ ଉଦ୍ଧାରଣ ବେଶ (ଗଜକୁ କୁମ୍ଭୀର କବଳରୁ ରକ୍ଷା କରିବା)
  21. ଜ୍ୟୈଷ୍ଠ କୃଷ୍ଣ ଅଷ୍ଟମୀ: କୁଞ୍ଜବିହାରୀ ବେଶ (ନିକୁଞ୍ଜରେ ଦୋଳି ଖେଳା)

ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ । ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ । ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି । ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ । ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯିବାର ପରମ୍ପରା ରହିଛି ।

ଦେବ ବିଗ୍ରହମାନେ ନରେନ୍ଦ୍ର ପୁଷ୍କରିଣିର ଚକଡା ନିକଟରେ ବିଜେ କରିବା ପରେ ଠାକୁରଙ୍କ ଜଳ ଲାଗି, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ, ଚାପ ଶେଷ, ଦିଅଁ ଚନ୍ଦନ କୁଣ୍ଡକୁ ବିଜେ, ଚନ୍ଦନ କୁଣ୍ଡରୁ ବାହାରିବା, ସାଧାବେଶ, ଶୀତଳଭୋଗ, ବେଶ, ମାଣ୍ଡୁଅ ଭୋଗ, ଦିଅଁ ବାହାରକୁ ବିଜେ, ବିଡିଆମଣୋହି, ବନ୍ଦାପନା, ଦିଅଁ ଚାପକୁ ବିଜେ, ଚାପ ଆରମ୍ଭ ଓ ଶେଷ, ବାହୁଡା ବିଜେ ପ୍ରଭୃତି ଦେବନୀତି ସମ୍ପାଦନା କରିବା ନିମନ୍ତେ ଦୈନିକ ପ୍ରାୟ ୪୧ଜଣ ବିଭିନ୍ନ ବର୍ଗର ସେବକଙ୍କର ଆବଶ୍ୟକତା ପଡିଥାଏ ।

ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ । ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।

ଭଉଁରୀ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ । ଭଉଁରୀ ଦିନ କେବଳ ଦିନଚାପ କରାଯାଏ, ରାତ୍ରିଚାପ କରାଯାଏ ନାହିଁ, ଦିନଚାପରେ ନରେନ୍ଦ୍ର ପୋଖରୀର ଦୀପଦାଣ୍ଡି ଚାରିପଟେ ୨୧ ଘେରା ବୁଲାଯାଇଥାଏ । ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରିଥାନ୍ତି ।

ପରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ଯାଇଥାନ୍ତି । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥାନ୍ତି ।

ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ । ଏଥିରେ ଆଜ୍ଞାମାଳ ପାଇବାପରେ ବିମାନ ବିଜେକରି ଠାକୁରମାନେ ନରେନ୍ଦ୍ରପୁଷ୍କରିଣୀରେ ପହଞ୍ଚିବାପରେ କେବଳ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିଥାନ୍ତି ।

ଭିତର ଚନ୍ଦନଯାତ୍ରା

ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଅବସରରେ ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ । ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାଷିତ ଜଳକୁଣ୍ଡରେ ବିହାର କରିଥାନ୍ତି ।

ଚନ୍ଦନପ୍ରିୟ ଜଗନ୍ନାଥ

ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିକଟରେ ୮ଫୁଟ ପ୍ରସ୍ଥ ଓ ୧୨ଫୁଟ ଦୈର୍ଘ୍ୟ ବିଶିଷ୍ଟ ‘ଚନ୍ଦନ ଘର’ ଅଛି । ସେଠାରେ ପ୍ରତ୍ୟେକ ଦିନ ଶ୍ରୀଜୀଉମାନଙ୍କ ଲାଗି ଚନ୍ଦନ ଘୋରାଯାଇଥାଏ । ଚନ୍ଦନ ଘୋରିବା ପାଇଁ ଚନ୍ଦନ ଘରେ ଥିବା ତିନୋଟି ଶିଳକୁ ଘୋଟୁଆରୀ ସେବକମାନେ ବ୍ୟବହାର କରିଥାନ୍ତି । ସମୁଦାୟ ସାତଜଣ ଘୋଟୁଆରୀ ଚନ୍ଦନ ଘୋରିଥାନ୍ତି। ସାଧାରଣ ଦିନମାନଙ୍କରେ ଘୋଟୁଆରୀ ସେବକମାନେ ପ୍ରାୟ ୪୪୨ଗ୍ରାମ ଓଜନର ଚନ୍ଦନକାଠ ଘୋରିଥାନ୍ତି, ତେବେ ଚନ୍ଦନ ଯାତ୍ରା ବେଳେ ପ୍ରାୟ ୧କିଲୋ ଓଜନର ଚନ୍ଦନ କାଠ ଘୋରିଥାନ୍ତି। ସନ୍ଧ୍ୟାଧୂପର ଅନ୍ନଭୋଗ ଅର୍ପଣ ପରେ ଠାକୁରମାନଙ୍କ ବେଶ ଓହ୍ଲାଇ ଦିଆଯାଇ ତିନିଠାକୁରଙ୍କ ବାହୁ ଓ ସନ୍ନିକଟ ଅଙ୍ଗଦେଶରେ ଚନ୍ଦନ ପ୍ରଲେପ କରାଯାଏ । ଜଗତର ତ୍ରିତାପ (ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ) ହରଣ ନିମନ୍ତେ ଠାକୁରଙ୍କୁ ଚନ୍ଦନ ଲେପନ କରାଯାଇଥାଏ । ସିଂହାରୀ ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି ।

ଚନ୍ଦନ ବେଶ

ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ ଛତ୍ର ଭୋଗ ଅର୍ପଣ ପରେ ଜୟ ବିଜୟ ଦ୍ୱାର ବନ୍ଦ କରି ଦିଆଯାଏ । ଦିଅଁମାନଙ୍କ ଆଗରେ ଗୋଟିଏ କାଠ ଘଡ଼ା ପକାଇ, ତା’ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି । କିଛି ସମୟ ପରେ ଚାମର ଆଲଟ ବନ୍ଦ ହୋଇ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୁର, କେଶର, ଚୁଆ ପ୍ରଭୃତିର ମିଶ୍ରଣ ଦିଅଁମାନଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଏ । ପୁଷ୍ପାଳକ ସେବକମାନେ ଏହା ଲାଗି କରନ୍ତି । ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା (ଯଥାକ୍ରମେ କପାଳ, ନାସାଓ ମୁଖତଳର ଆଭୁଷଣ) ସହ ସ୍ୱତନ୍ତ୍ର ପୁଷ୍ପ ଆଭୁଷଣ ଚନ୍ଦନ ବେଶରେ ଉପଯୋଗ କରାଯାଏ । ଅଳକା (କପାଳ ଉପରେ ସଜ୍ଜିତ ହେଉଥିବା ଫୁଲ ମାଳ) ମାଳ ଗୁଡ଼ିକ ମନ୍ଦିରର ଫୁଲଦାସୀମାନେ ଗୁନ୍ଥି ପ୍ରସ୍ତୁତ କରିଥାନ୍ତି । ବିଗ୍ରହ ତ୍ରୟର ଉଭୟ ପଟର ରାହୁରେଖା (ମସ୍ତକର ଦୁଇ ପାର୍ଶ୍ୱ) ବେଷ୍ଟନ କରି ଗୋଟିଏ ଫୁଲମାଳ ସମଗ୍ର କଳେବରର ଉଭୟପଟେ ଲମ୍ବି ଯାଇଥାଏ । ଏହି ଚଉସରି (ଚାରିଗୋଟି ସରୁ ସରୁ ମାଳ ଏକତ୍ର ଗୁନ୍ଥା ଯାଇଥାଏ) ମାଳଗୁଡ଼ିକ ପ୍ରାୟ ୨୦ଫୁଟ ଯାଏଁ ଲମ୍ବା ହୋଇଥାଏ । ଏହି ହାରଗୁଡ଼ିକୁ ରାଘବ ଦାସ ମଠ ଯୋଗାଇଥାନ୍ତି ।

ଅନ୍ୟାନ୍ୟ ମନ୍ଦିରରେ ଚନ୍ଦନ ଯାତ୍ରା

ଚନ୍ଦନ ଯାତ୍ରା ବିଷ୍ଣୁ ମନ୍ଦିର ଛଡ଼ା ଝଙ୍କଡ଼ର ଶାରଳା ଦେବୀଙ୍କ ପୀଠରେ ଓ ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ପାଳନ କରାଯାଏ । ସାଧାରଣତଃ ସମସ୍ତ ପ୍ରାଚୀନ ଦେଉଳଗୁଡ଼ିକରେ ଚନ୍ଦନଯାତ୍ରାର ପ୍ରଚଳନ ଥାଏ ।

ଆଧାର

This article uses material from the Wiki ଓଡ଼ିଆ article ଚନ୍ଦନ ଯାତ୍ରା, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.

Tags:

ପୁରାଣ ମତ ଚନ୍ଦନ ଯାତ୍ରା

ଇତିହାସ ଚନ୍ଦନ ଯାତ୍ରା

ବାହାର ଚନ୍ଦନଯାତ୍ରା ଚନ୍ଦନ ଯାତ୍ରା

ଅକ୍ଷୟ ତୃତୀୟା

ଚତୁର୍ଦ୍ଦଶୀ

ଜ୍ୟୈଷ୍ଠ

ଦେବ ସ୍ନାନ ପୂର୍ଣ୍ଣିମା

ବୈଶାଖ

ଶ୍ରୀମନ୍ଦିର

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଭୂତାଣୁଆମ୍ପିସିଲିନଆତ୍ମହତ୍ୟାପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମଚାର୍ଲସ ଡାରଉଇନଆୟୋନିକା ପୌଲମୁଣ୍ଡପିଛା ଆୟନୂଆଖାଇଷଠି ଓଷାଗଙ୍ଗାଧର ମେହେରଓଡ଼ିଆ ଭାଷାଅପରେଟିଙ୍ଗ ସିଷ୍ଟମଫକୀର ମୋହନ ସେନାପତିଗଣେଶ ପୂଜାଓଡ଼ିଶାଜାଭା (ପ୍ରୋଗ୍ରାମିଂ ଭାଷା)ସୁରେନ୍ଦ୍ର ମହାନ୍ତିମନୋଜ ଦାସଭାରତମହାତ୍ମା ଗାନ୍ଧୀଗୋପବନ୍ଧୁ ଦାସଓଡ଼ିଆ ସାହିତ୍ୟରାଧାନାଥ ରାୟଜଗନ୍ନାଥ ଦାସଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରକାଳୀଚରଣ ପଟ୍ଟନାୟକନଈ ସେପାରୀ କନକ ଗୋରୀସାରଳା ଦାସପ୍ରୀତି ଅଦାନୀଜନ ଗଣ ମନଓଡ଼ିଶାର ଲୋକନୃତ୍ୟଭାରତର ସଂସ୍କୃତିଜୟୀ ରାଜଗୁରୁଭାରତର ଜାତୀୟ ପତାକାହନୁମାନ ଚାଳିଶାଚନ୍ଦ୍ରଯାନ-୩ସଚ୍ଚିଦାନନ୍ଦ ରାଉତରାୟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରତିଭା ରାୟରାଣୀ ଲକ୍ଷ୍ମୀବାଈକାଳିନ୍ଦୀ ଚରଣ ପାଣିଗ୍ରାହୀଡେଙ୍ଗୁ ଜରଷଷ୍ଠୀ (ଦେବୀ)ଓଡ଼ିଆଲକ୍ଷ୍ମୀକାନ୍ତ ମହାପାତ୍ରଜଗନ୍ନାଥ ମନ୍ଦିରଦଣ୍ଡ ନାଟରାଧାରାଧାଷ୍ଟମୀଉପେନ୍ଦ୍ର ଭଞ୍ଜଭକ୍ତ ଚରଣ ଦାସବୈକୁଣ୍ଠନାଥ ପଟ୍ଟନାୟକଓଡ଼ିଆ କବି ମାନଙ୍କର ତାଲିକାଏ. ପି. ଜେ. ଅବଦୁଲ କଲାମରାଜନୀତି ବିଜ୍ଞାନମହାପାତ୍ର ନୀଳମଣି ସାହୁଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାକୁମୁଦିନୀ ଦେବୀବିଭୂତି ପଟ୍ଟନାୟକଗୋପାଳ ଛୋଟରାୟପ୍ରୀତି ବନ୍ଧନଗଣେଶବିଜୟ ମିଶ୍ର🡆 More