ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର

ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର: ଓଡ଼ିଶାର ଭୁବନେଶ୍ଵରରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ ତନ୍ତ୍ରପୀଠ

ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରସ୍ଥିତ ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ମଧ୍ୟ ଜଣା । ତନ୍ତ୍ର ସଂସ୍କୃତିରେ ଯୋଗିନୀମାନଙ୍କ ସମ୍ପର୍କରେ ବିଶେଷ ଭୂମିକା ଅନ୍ତର୍ନିହିତ ଅଛି । ତେଣୁ ହୀରାପୁରର ଚଉଷଠୀ ଯୋଗିନୀ ପୀଠକୁ ତନ୍ତ୍ରପୀଠ କୁହାଯାଏ । ଏହି ମନ୍ଦିର ୧୯୫୩ ମସିହାରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ମୁଖ୍ୟ ଓ ପ୍ରତ୍ନତତ୍ତ୍ୱବିଦ କେଦାରନାଥ ମହାପାତ୍ରଙ୍କଦ୍ୱାରା ଲୋକଲୋଚନକୁ ଆସିଥିଲା । ଏହି ଦେଉଳର ଉପରିଭାଗ ଖୋଲା । ମନ୍ଦିରର କେନ୍ଦ୍ରସ୍ଥଳରେ ଅଷ୍ଟକୋଣୀ ବିଶାଳ ଲିଙ୍ଗ ରହିଛି । ଦେଉଳ ମଧ୍ୟଭାଗରେ ପରବର୍ତ୍ତୀ ସମୟରେ ଏକ ଚଣ୍ଡୀମଣ୍ଡପ ସ୍ଥାପିତ । ଏଥିରେ ଚାରୋଟି ଶିବ ଓ ଯୋଗିନୀଙ୍କ ପ୍ରତିମା ସ୍ଥାପିତ । [୧]

ଚଉଷଠି ଯୋଗିନୀ ମନ୍ଦିର
Yoginis in a circular format around a central square structure.JPG
Religion
ସମ୍ବନ୍ଧତାHinduism
Districtଖୋର୍ଦ୍ଧା
Location
ଅବସ୍ଥିତିହୀରାପୁର, ଭୁବନେଶ୍ୱର
ଦେଶଭାରତ
Architecture
ନିର୍ମାତାରାଣୀ ହୀରାଦେବୀ, ବ୍ରହ୍ମ ରାଜବଂଶ

ଦେବୀ ମହାମାୟା ଏହି ପୀଠ ଓ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା । ଏହି ପୀଠଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୦ କି.ମି ଦୂରରେ ବାଲିଅନ୍ତା ଥାନା ଓ ପଞ୍ଚାୟତ ସମିତି ଅନ୍ତର୍ଗତ ବାଳକାଟିଠାରୁ ୨/୩ କି.ମି ଦୂରରେ ପୁଣ୍ୟତୋୟା ଭାର୍ଗବୀ ନଦୀ ତଟ ଦେଶରେ ହୀରାପୁର ଗ୍ରାମର ଦକ୍ଷିଣ ଓ ପୂର୍ବ ଦିଗରେ ରହିଛି । ଏହି ପୀଠର ସମ୍ମୁଖରେ ଗୋଟିଏ ପୁଷ୍କରିଣୀ ଅବସ୍ଥିତ । ପୁଷ୍କରିଣୀର ମଧ୍ୟଭାଗରେ ଏକ ଦୀପଦାଣ୍ଡି ରହିଛି ।

ଜୈନ, ବୌଦ୍ଧ ଓ ହିନ୍ଦୁ ଧର୍ମ ପରେ ପଞ୍ଚୋପାସନା ପଦ୍ଧତି ପ୍ରସାର ଲାଭ କରିଥିଲା । ଏହି ପଞ୍ଚୋପାସନା ପଦ୍ଧତି ହେଲା ଶୈବ, ବୈଷ୍ଣବ, ଶାକ୍ତ, ସୌର ଓ ଗାଣପତ୍ୟ । ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଶୈବ ଓ ବୈଷ୍ଣବ ଧର୍ମର ମତବାଦରୁ ବହୁଳ ଭାବରେ ଶାକ୍ତ ଉପାସନା ପଦ୍ଧତି ସୃଷ୍ଟି ହୋଇଥିଲା । ସେହି ଶୈବ ମତବାଦର ଏକ ମୁଖ୍ୟ ଶାଖା ରୂପେ ଶାକ୍ତ ଉପାସନା ପ୍ରଭାବିତ ହୋଇ କ୍ରମବିକାଶ ଲାଭ କରିଥିଲା । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ଓ ଯୋଗମାର୍ଗକୁ ପାଥେୟ କରି ଶକ୍ତି ଉପାସନାର ମାତୃକା, ବିଦ୍ୟା ଓ ମହାବିଦ୍ୟାର ମିଶ୍ରଣରେ ଚତୁଃଷଷ୍ଠୀ ଯୋଗିନୀଙ୍କ ଆରମ୍ଭ ହୋଇଥିଲା । କାଳିକା ପୁରାଣକୁ ଆଲୋଚନା କଲେ ଜଣାଯାଏ ଭାରତରେ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ରହିଛି ।

ନାମକରଣ

ହୀରପୁର ଶବ୍ଦକୁ ବାଖ୍ୟା କଲେ ଜଣାଯାଏ ହୀରାରେ ପୂର୍ଣ୍ଣ ତଥା ହୀରାପୁର ।

ଦେବଦେବୀ

ଚଉଷଠି ଯୋଗିନୀ ପୀଠରେ ଦଶଭୁଜା ମହାମାୟାଙ୍କ ପ୍ରତିମା ଇଷ୍ଟଦେବୀ ଭାବେ ପୂଜିତ । ପୀଠର ବୃତ୍ତାକାର ଶକ୍ତିକେନ୍ଦ୍ରରେ ଅଷ୍ଟଭୁଜା ମହାମାୟାଙ୍କ ପ୍ରତିମା ପୂଜା ପାଉଥିବା ବେଳେ ତାଙ୍କ ସହିତ ୬୪ଯୋଗିନୀ ମୂର୍ତ୍ତି ଲାଗି ରହିଛନ୍ତି। ଏହି ଯୋଗିନୀଗଣ ଦେଉଳ କାନ୍ଥରେ ଥିବା ୬୪ଠାଣିରେ ସେମାନଙ୍କ ବାହନ ଉପରେ ବିରାଜମାନ । ସେମାନେ ସୁନ୍ଦର ବେଶଭୂଷା ସହିତ ନାନାଦି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି । ୬୪ ଯୋଗିନୀଙ୍କ କେଶ ବିନ୍ୟାସ ଭିନ୍ନ ଭିନ୍ନ । ଏଠାରେ ପୂଜିତ ୬୪ ଯୋଗିନୀ ମୂର୍ତ୍ତିମାନଙ୍କର ଉଚ୍ଚତା ୨ଫୁଟରୁ ୨.୫ଫୁଟ ଏବଂ ଏଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ଦେଉଳ ପରିସରରେ ସଙ୍କଟେଶ୍ୱର ଶିବ ମନ୍ଦିର ରହିଛି । ଏଠାରେ ପୂଜିତ ହେଉଥିବା ଶିବଲିଙ୍ଗଟି ପାତାଳଫୁଟ । [୧]

ଇତିହାସ

ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ଭୌମ୍ୟ ବଂଶୀୟ ଶାନ୍ତା ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ତାଙ୍କର ହୀରାବତୀ ନାମକ ଜଣେ ପାଟରାଣୀ ଥିଲେ । ରାଣୀଙ୍କ ନାମାନୁସାରେ ଏହି ଗ୍ରାମର ନାମ ହୀରାପୁର ହୋଇଛି ବୋଲି କିମ୍ବଦନ୍ତୀ କୁହେ । ରାଣୀ ହୀରାବତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଉଷଠି ଯୋଗିନୀ ପୀଠ ହୋଇଥିଲା । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମିତ । ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା ।[୧] ମଧ୍ୟପ୍ରଦେଶର ଖଜୁରାହୋ ଓ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।[ଆଧାର ଲୋଡ଼ା] ନିଜ ରାଜତ୍ୱ କାଳରେ କଳାପାହାଡ଼ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ଗ୍ରାମବାସୀ କହନ୍ତି । ଦୀର୍ଘବର୍ଷ ପରେ ମନ୍ଦିରଟି ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା ବୋଲି ସେମାନେ କୁହନ୍ତି । [୧]

ଉପାସନା

ଚଉଷଠି ଯୋଗିନୀ ମନ୍ଦିର ଏକ ବଜ୍ରଯାନ ବା ତନ୍ତ୍ରପୂଜାର ଦେଉଳ। ଏଠାରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀମାନଙ୍କ ମୂର୍ତ୍ତି ସାଧାରଣତଃ ଏକ ଉଲଙ୍ଗ ନାରୀ ମୂର୍ତ୍ତୀ ଯାହା ପଶୁ, ମଣିଷ କିମ୍ବା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଓ ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତିସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି ।

କିମ୍ବଦନ୍ତୀ

ଲୋକକଥା ଅନୁସାରେ ଏହି ଦୀପଦଣ୍ଡିରେ ୨୧/୨ ଦଣ୍ଡ ସୁବର୍ଣ୍ଣ ବୃଷ୍ଟି ହୋଇଥିଲା ।

ଚଣ୍ଡୀ ପୁରାଣ ଓ ଦେବୀ ପୁରାଣରେ ଚଉଷଠି ଯୋଗିନୀମାନଙ୍କର ଆବିର୍ଭାବ ସମ୍ପର୍କରେ ଉଲ୍ଲେଖ ଅଛି । ମହିଷାସୁରର ଅତ୍ୟାଚାରରେ ତ୍ରିଭୁବନ ପ୍ରକମ୍ପିତ ହେବା ସଙ୍ଗେ ସଙ୍ଗେ ଦେବତାମାନଙ୍କର ଆସନ ଟଳମଳ ହୋଇଥିଲା । ସର୍ବଦେବଙ୍କର ଶକ୍ତି ବଳରେ ଦୁର୍ଗା ଆବିର୍ଭୂତା ହୋଇଥିଲେ । ଦୁର୍ଗା ଦେବୀ ମହିଁଷାସୁର ଅସୁର ସହିତ ଯୁଦ୍ଧ କରିବା ଅବସରରେ ରକ୍ତବୀର୍ଯ୍ୟ ନାମକ ଏକ ପ୍ରତାପୀ ଦାନବର ରକ୍ତବିନ୍ଦୁମାନ ତଳେ (ମାଟିରେ) ପଡ଼ି ସେଥିରୁ ସହସ୍ର ସହସ୍ର ଦାନବ ସୃଷ୍ଟି ହୋଇ ଦୁର୍ଗାଙ୍କ ସହିତ ଯୁଦ୍ଧ କରିଥିଲେ । ଏହିସବୁ ଦାନବଙ୍କୁ ନିହତ କରିବା ପାଇଁ ଦୁର୍ଗା ତାଙ୍କ ପ୍ରଖର ବିଶ୍ୱାସରୁ ଯୋଗିନୀମାନ ସୃଷ୍ଟି କରିଥିଲେ । ସେହି ଯୋଗିନୀମାନେ ରକ୍ତବୀର୍ଯ୍ୟ ଅସୁରର ଶରୀରରୁ ନିର୍ଗତ ହେଉଥିବା ରକ୍ତବିନ୍ଦୁକୁ ତଳେ ପକାଇ ନଦେଇ ପିଇଦେଲେ । ଫଳରେ ଆଉ ଦାନବଗଣ ସୃଷ୍ଟି ହେଲେନାହିଁ । ତେଣୁ ଦୁର୍ଗା ରକ୍ତବୀର୍ଯ୍ୟ ସହିତ ସମସ୍ତ ଅସୁରଙ୍କୁ ନିହତ କରିଥିଲେ । ଏହା ଫଳରେ ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା । କାଳକ୍ରମେ ସେହି ଯୋଗିନୀମାନେ ବିଭିନ୍ନ ପୀଠରେ ପୂଜା ପାଉଛନ୍ତି । ସେହି ଯୋଗିନୀମାନଙ୍କ ମଧ୍ୟରୁ ହୀରାପୁରଠାରେ ଚଉଷଠି ଯୋଗିନୀ ରୂପେ ପୂଜା ପାଉଛନ୍ତି, ଯାହାକି ଆଜି ସେହି ଯୋଗିନୀ ପୀଠ ହୀରାପୁର ରୂପେ ବିଦ୍ୟମାନ । ହିନ୍ଦୁ ତନ୍ତ୍ରରେ ଚଉଷଠି ଯୋଗିନୀମାନଙ୍କର ଉତ୍ପତ୍ତି ସମ୍ପର୍କରେ ସ୍କନ୍ଧ ପୁରାଣ ଓ କାଳିକା ପୁରାଣରେ ଉଲ୍ଲେଖ ଅଛି । ସେହି ଆଠଟି ଆଦିଶକ୍ତି ହେଲେ - ଉଗ୍ରଚଣ୍ଡୀ, ଭଦ୍ରକାଳୀ, ଦୁର୍ଗା, ଉଗ୍ରତାରା, କୌଶିକା, କାଳୀ, ଶିବଦୂତୀ ଓ ଚଣ୍ଡିକା । ହୀରାପୁର ଚଉଷଠି ଯୋଗିନୀ ପୀଠର ଅନତି ଦୂରରେ ପୁରାତନ ଉତ୍କଳର ରାଜଧାନୀ ଶିଶୁପାଳଗଡ଼ ଅବସ୍ଥିତ ।

ସେହିପରି ମହା ଭାଗବତ ପୁରାଣରେ ଉଲ୍ଲେଖ ଅଛି ଯେ, କାଳୀ ରହୁଥିବା ଏକ ପ୍ରଶସ୍ତ ସ୍ଥାନକୁ ବେଳେବେଳେ ଶିବ ବୁଲି ଆସୁଥିଲେ । ସେହି ପ୍ରଶସ୍ତସ୍ଥଳୀର ୪ଦିଗରେ ୪ଟି ଦ୍ୱାର ଥିଲା ଓ ଏହାକୁ ୬୪ ଯୋଗିନୀ ଓ ଭୈରବୀମାନେ ଜଗୁଥିଲେ । କିମ୍ବଦନ୍ତୀ ଅନୁସାରେ ଦୁର୍ଗା ଦାନବ ସଂହାର ନିମନ୍ତେ ୬୪ଟି ରୂପ ନେଇଥାନ୍ତି । ଯୁଦ୍ଧ ପରେ ଯୋଗିନୀମାନେ ଦୁର୍ଗାଙ୍କୁ ଏହି ମନ୍ଦିର ତିଆରି କରିବା ପାଇଁ ଅନୁରୋଧ କରିଥିଲେ ।[୧]

ମନ୍ଦିର

ମନ୍ଦିରଟିର ଗଠନଶୈଳୀ ବୈଚିତ୍ର୍ୟମୟ, ଯାହାକି ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ଏକ ପୁରାତନ ପଥରରେ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର କିନ୍ତୁ ଛାତ ଶୂନ୍ୟ । ମନ୍ଦିରର ପ୍ରବେଶ ପଥର ଦ୍ୱାରଦେଶଟି ଏକ ତୋରଣ ପରି ପଥରରେ ନିର୍ମିତ । ଏହାର ଦୁଇ ପାଶ୍ୱର୍ରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ସେହି ଦୁଇଟି ମୂର୍ତ୍ତିର ନାମ କାଳ ଓ ବିକାଳ । ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ । ମନ୍ଦିରର ବାହାର କାନ୍ଥରେ ନଅଟି କାତାୟନୀ ମୂର୍ତ୍ତି ବିଦ୍ୟମାନ । ସେମାନେ ହସ୍ତରେ ପାନପତ୍ର ଆୟୁଧ ଧରି ଦଣ୍ଡାୟମାନ । ପୀଠର ମଧ୍ୟଭାଗରେ ଚତୁଃଷ୍କୋଣ ବିଶିଷ୍ଟ କୃତି । ଚାରି କୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ମୂର୍ତ୍ତି ଶୂନ୍ୟ । ବର୍ତ୍ତମାନ ତିନୋଟି ପ୍ରତିମାର ମଧ୍ୟଭାଗରେ ଅଦୈକ ପାଦ ଭୈରବ । କ୍ରୋଟର ଚକ୍ଷୁ, ନୃମୁଣ୍ଡମାଳୀ ଓ ଖଡ଼୍ଗଧାରୀ ଅଟନ୍ତି । ଅଧିଷ୍ଠାତ୍ରୀ ମହାମାୟାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ସମସ୍ତ ମା' ଯୋଗିନୀ ଦେବୀ ସେମାନଙ୍କର ବାହନମାନଙ୍କ ଉପରେ ଆସ୍ଥାନ ବିମଣ୍ଡିତ । ଏହି ପ୍ରତିମାଗୁଡିକ କଳା ମୁଗୁନି ପଥରରେ ନିର୍ମିତ ।

ଏହି ଗୋଲାକାର ମନ୍ଦିରର ପରିଧି ୨୭.୪ମିଟର ଓ ଉଚ୍ଚତା ୨.୪ମିଟର । ଏହିମନ୍ଦିର ସମ୍ମୁଖଭାଗ ଉଦ୍‌ଗତଯୁକ୍ତ, ଯାହାକି ଏକ ଗୌରୀପଟ୍ଟ ସଦୃଶ ପ୍ରତୀୟମାନ । ମନ୍ଦିରର କାନ୍ଥସବୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଲି ପଥରରେ ତିଆରି । ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ୱାରପାଳ ରହିଛନ୍ତି । ଏହାବ୍ୟତୀତ ପୀଠ ଭିତରକୁ ଯିବା ପାଇଁ ଥିବା ପ୍ରବେଶପଥ ପାର୍ଶ୍ୱରେ ଦୁଇଟି ବେତାଳ ରହିଛନ୍ତି । ପ୍ରତିମାଗୁଡିକ କଳାମୁଗୁନି ପଥରରେ ଖୋଦିତ ଓ ବାଲୁକା ପ୍ରସ୍ତରରେ ନିର୍ମିତ । ନବକାତ୍ୟାୟିନୀଙ୍କ ପ୍ରତିମାମାନ ଦେଉଳ ବାହାରେରେ ମଣ୍ଡିତ । [୧] ଦେଉଳ କାନ୍ଥର ଭିତର ଭାଗରେ ଯୋଗିନୀମାନଙ୍କ କଳାମୁଗୁନି ପଥରରେ ତିଆରି ୫୬ ଗୋଟି ମୂର୍ତ୍ତି ରହିଛି । ମନ୍ଦିର ମଝି ଭାଗରେ ଏକ ଛୋଟ ଘରେ ୮ଗୋଟି ମୂର୍ତ୍ତି ଚାରି ଦିଗକୁ ମୁହଁ କରିଛନ୍ତି ।

ଏଠାରେ ଥିବା ସଙ୍କଟେଶ୍ୱର ଶିବ ମନ୍ଦିରରେ ପୂଜିତ ଶିବଲିଙ୍ଗର ଉଚ୍ଚତା ବୃଦ୍ଧିପାଉଥିବା ଗ୍ରାମବାସୀ ମତ ଦିଅନ୍ତି । ୨୦୧୩ ମସିହାରେ ପୂଜକ ସନ୍ତୋଷ ତ୍ରିପାଠୀ ଲିଙ୍ଗର ଉଚ୍ଚତା ୧.୫ ଫୁଟ ବଢ଼ିବା ଉଲ୍ଲେଖ କରିଥିଲେ । [୧]

ପୂଜା ପଦ୍ଧତି ଓ ପର୍ବପର୍ବାଣି

ମନ୍ଦିରର ଦୈନନ୍ଦିନ ପୂଜା ପଦ୍ଧତି ପାଇଁ ଗ୍ରାମର ଦୁଇଟି ବ୍ରାହ୍ମଣପରିବାର ବହୁ କାଳରୁ ସେବାୟତ ରୂପେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ମାଳି, ବାରିକ ଇତ୍ୟାଦି ଗ୍ରାମର ସେବାୟତମାନେ ସେମାନଙ୍କର କାର୍ଯ୍ୟ ଯଥା ସମୟରେ କରିବାର ସୁବନ୍ଦୋବସ୍ତ ହୋଇଛି । କିନ୍ତୁ ବଡ଼ ବଡ଼ ମେଳା ମହୋତ୍ସବ, ହୋମ ଯଜ୍ଞ ଇତ୍ୟାଦି ସମୟରେ ଅନ୍ୟ ପୂଜକଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ ହୋଇଥାଏ । ଅତୀତରେ ପୁଷ୍କରିଣୀର ଜଳ ଠାକୁରାଣୀଙ୍କର ନୀତି କାର୍ଯ୍ୟରେ ବ୍ୟବହାର ହେଉଥିଲା । କିନ୍ତୁ ଜଳ ଦୁଷିତ ହୋଇଯିବାରୁ କୂଅ ଓ ନଳକୂଅର ଜଳ ବ୍ୟବହାର ହେଉଅଛି । ବଡ଼ ବଡ଼ ହୋମ ଓ ମେଳା ମହୋତ୍ସବରେ ଏଠାରେ ରନ୍ଧନ ବ୍ୟବସ୍ଥାମାନ ମଧ୍ୟ ଅଛି । ଏହି ପୀଠରେ ବିବାହ, ବ୍ରତ ଇତ୍ୟାଦି ପବିତ୍ର କାର୍ଯ୍ୟମାନ ମଧ୍ୟ ହୋଇଥାଏ । ମନ୍ଦିରର ପ୍ରାଙ୍ଗଣରେ ଥିବା ଫୁଲ ଠାକୁରାଣୀଙ୍କ ନିକଟରେ ଲାଗି ହୋଇଥାଏ । ବଡ଼ ବଡ଼ ପର୍ବପର୍ବାଣି ତଥା ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଇତ୍ୟାଦି କାର୍ଯ୍ୟଗୁଡିକ ଗ୍ରାମବାସୀମାନଙ୍କ ତତ୍ତ୍ୱାବଧାନରେ ସୁରୁଖୁରୁରେ ସମ୍ପାଦନା ହୋଇଥାଏ । ପ୍ରତିଦିନ ଦେବୀମାନଙ୍କୁ ସ୍ନାନ କରାଯାଇ ଧୂପ, ଦୀପ ସହିତ ନୈବେଦ୍ୟ ଅର୍ପଣ ହୋଇଥାଏ । ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଓ ସନ୍ଧ୍ୟା ସମୟରେ ଆଳତୀ ସହ ଶୁଖିଲା ଭୋଗ ଲାଗି ହୋଇ ପହୁଡ଼ ପଡିଥାଏ । ଏଠାରେ ବର୍ଷକ ବାର ମାସ ଗ୍ରାମବାସୀଙ୍କର ଶୁଭକାର୍ଯ୍ୟଗୁଡିକର ଅନୁକୂଳ ହୋଇଥାଏ । ସନ୍ଧ୍ୟା ସମୟରେ ଏଠାରେ ଭାଗବତ, ଗୀତା, ପୁରାଣ ଇତ୍ୟାଦି ପାଠ ହୋଇଥାଏ । ନିତ୍ୟ ପୂଜା ବ୍ୟତୀତ ଏହି ପୀଠରେ ବଡ଼ ବଡ଼ ପର୍ବ ପର୍ବାଣିରେ ଦେବୀମାନଙ୍କ ଗହଣା, ହାର, ମାଳ, ମୁକୁଟ ସମେତ ନୂତନ ବସ୍ତ୍ର ବା ପାଟ ଇତ୍ୟାଦି ପରିଧାନ କରାଯାଇଥାଏ । ଦଶହରା ପର୍ବରେ ଦୀର୍ଘ ଷୋହଳ ଦିନ ଗ୍ରାମବାସୀଙ୍କ ତରଫରୁ ମାର୍ଜନା ହୋଇଥାଏ । ଦେବୀଙ୍କୁ ବିଭିନ୍ନ ବେଶରେ ଭୂଷିତ କରାଯାଇ ହୋମ, ଯଜ୍ଞ ସହିତ ଚଣ୍ଡୀପାଠ କରାଯାଇଥାଏ ।

ଦୋଳ ପୂର୍ଣ୍ଣିମାରେ ଦୋଳ ଯାତ୍ରା ହେଲା ଦେବୀଙ୍କର ପ୍ରଧାନ ପର୍ବ । ଶ୍ରୀପଞ୍ଚମୀ ସମୟରେ ଦୀର୍ଘ ୩ଦିନ ଧରି ଏଠାରେ ମହାଯଜ୍ଞ ହୋଇଥାଏ । ଚୈତ୍ରପର୍ବ ଅବସରରେ ଦେବୀଙ୍କ ପାଖରେ ଘୃତ ଅନ୍ନ ସହ ଗୋଟା ମାଛ ପୋଡ଼ା ହୋଇ ଭୋଗ ହେବାର ବ୍ୟବସ୍ଥା ଅଛି । ଏହାକୁ ଅମୁହାଁ ଭୋଗ କୁହାଯାଇଥାଏ । ଏହି ଭୋଗ ତା'ପରଦିନ ଗ୍ରାମର ପ୍ରତ୍ୟେକ ଘରେ ବିତରଣ ହୋଇଥାଏ । ଏହିସବୁ ପ୍ରଧାନ ବାର୍ଷିକ ପର୍ବଗୁଡିକରେ ଗ୍ରାମ ଓ ପଡୋଶୀ ଗ୍ରାମର ଶହ ଶହ ଭକ୍ତ ସମବେତ ହୋଇ ଯେ ଯାହାର କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଶୁଦ୍ଧପୂତ ମନରେ ଦେବୀଙ୍କୁ ଆଶୀର୍ବାଦ ଭିକ୍ଷା ମାଗିଥାନ୍ତି । ଏହିସବୁ ପ୍ରଧାନ ପର୍ବ ବ୍ୟତୀତ ଅନ୍ୟସବୁ ପର୍ବମାନ ମଧ୍ୟ ପାଳନ ହୋଇଥାଏ । ସେଗୁଡିକ ହେଲା ରଜ ପର୍ବ, ସାବିତ୍ରୀ ଅମାବାସ୍ୟା, ଚିତାଲାଗି ଅମାବାସ୍ୟା, ରାକ୍ଷୀ ପୂର୍ଣ୍ଣିମା, ରାଧାଷ୍ଟମୀ, ଜନ୍ମାଷ୍ଟମୀ, ଦୀପାବଳୀ, ଅକ୍ଷୟ ତୃତୀୟା, ମାନସା ପଞ୍ଚମୀ, ସୁଦଶା ବ୍ରତ ଇତ୍ୟାଦି । ଆଉ ମଧ୍ୟ ମା' ଯୋଗିନୀଙ୍କ ମଙ୍ଗଳା, କାଳିକା ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉେଦ୍ଦେଶ୍ୟରେ ବହୁ ପ୍ରକାର ଓଷା, ପର୍ବପର୍ବାଣି ପାଳିତ ହୋଇଥାଏ । ଅତୀତରେ ଏହି ପୀଠର ପରିବେଶ ଭଲ ନଥିଲା । କାରଣ ଗମନାଗମନ, ଯୋଗାଯୋଗ, ପ୍ରସାର ଓ ପ୍ରଚାରର ଓ ପରିଚାଳନା ବ୍ୟବସ୍ଥା ଇତ୍ୟାଦି ଅତ୍ୟନ୍ତ ଅବହେଳିତ ହୋଇଥିଲା । ସର୍ବୋପରି ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଘେରି ରହିଥିବାରୁ ଏହା ଶ୍ରୀହୀନ ଦେଖାଯାଉଥିଲା । ଦେଶ ସ୍ୱାଧୀନତା ପ୍ରାପ୍ତ ପରେ କ୍ରମଶଃ ଏହି ପୀଠର ଅବସ୍ଥା ଉନ୍ନତି ସାଧନ ହୋଇପାରିଛି । ବର୍ତ୍ତମାନ ଏହି ପୀଠକୁ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସରକାରୀ ସ୍ତରରେ ଏହି ପୀଠକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି ।

ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ । ଏହି ସ୍ୱର୍ଣ୍ଣ ତ୍ରିଭୂଜ ମଣ୍ଡଳୀ ପୀଠକୁ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି । ଏହି ପୀଠରେ ଲୁକ୍କାୟିତ ହୋଇ ରହିଥିବା ସୌନ୍ଦର୍ଯ୍ୟ ମାଧୁରୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ଇତ୍ୟାଦିକୁ ଆଧୁନିକ ପ୍ରଣାଳୀର ରୂପ ଦେଲେ ନିଶ୍ଚୟ ଏହି ପୀଠ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହି ପୀଠର ସର୍ବାଙ୍ଗୀନ ଉନ୍ନତି କରିବା ଓ ଏହି ପୀଠର ନାମକୁ ସୁବିସ୍ତୃତ କରିବା ପାଇଁ ୨୦୦୭ ମସିହାରୁ ନୃତ୍ୟ ପ୍ରତିଭା ନାମକ ଭୁବନେଶ୍ୱରର ଏକ ଅନୁଷ୍ଠାନ ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ, ଜିଲ୍ଲାସ୍ତରୀୟ ବାଲିଅନ୍ତା ପଞ୍ଚାୟତ ସମିତି ଓ ସ୍ଥାନୀୟ ଯୁବକମାନଙ୍କ ଉଦ୍ୟମରେ ଚଉଷଠି ଯୋଗିନୀ ମହୋତ୍ସବ ପାଳିତ ହୋଇ ଆସୁଅଛି । ସେହି ବର୍ଷଠାରୁ ପ୍ରତିବର୍ଷ ଡିସେମ୍ବର ମାସରେ ଏହି ମହୋତ୍ସବ ପାଳନ ହୋଇ ଆଜି ସପ୍ତମ ମହୋତ୍ସବରେ ଉପନୀତ ହୋଇ ପାରିଛି । ଏହି ଉତ୍ସବ ମା' ଯୋଗିନୀଙ୍କ ପୀଠରେ ଦୀର୍ଘ ତିନି ଦିନ ଧରି ମହାସମାରୋହରେ ଓ ଆଲୋକ ସଜାସଜି ହୋଇ ନୃତ୍ୟ ଓ ନାଚ ପରିବେଷଣ ହୋଇଥାଏ । ଓଡ଼ିଶାର ସୁନାମଧନ୍ୟ ନୃତ୍ୟଶିଳ୍ପୀମାନଙ୍କର ନିପୁଣ ନୃତ୍ୟ କଳା ପରିବେଷଣ ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିଦିନ ଓଡ଼ିଶାର ମନ୍ତ୍ରୀ, ବିଧାୟକ ଓ ଶିକ୍ଷାବିତ୍ ଓ କଳାଶିଳ୍ପୀରେ ନିପୁଣତା ଥିବା ଭଦ୍ରବ୍ୟକ୍ତିମାନେ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥାନ୍ତି । ଆଉ ମଧ୍ୟ ପ୍ରତିବର୍ଷ ଏକ ସ୍ମରଣିକା ଉନ୍ମୋଚନ ହୋଇଥାଏ । ଏହାଫଳରେ ଦୈନିକ ପତ୍ର ପତ୍ରିକା ଓ ଗଣମାଧ୍ୟମ ମାଧ୍ୟମରେ ଏହି ପୀଠର ପ୍ରସାର ଓ ପ୍ରଚାର ହୋଇ ପାରୁଛି । ସର୍ବୋପରି ଏହି ଉତ୍ସବର ଶେଷ ଦିବସରେ ନିପୁଣ ପାରଦର୍ଶିତା ଲାଭ କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ଚଉଷଠି ଯୋଗିନୀ ନୃତ୍ୟକଳା ମହୋତ୍ସବ ଉପାଧିରେ ସମ୍ମାନିତ କରାଯାଇଥାଏ । ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ନବୀକରଣ କରାଇବା ପାଇଁ ଗମନାଗମନଠାରୁ ନୂତନ ଗୃହ ନିର୍ମାଣ କାମ ଜାରି ରଖିଛନ୍ତି । ଏହି ପୀଠର ପବିତ୍ରତା ଅତୀବ ମହାନ ଓ ଗରିୟସୀ । କାରଣ ଏହି ପୀଠ ସର୍ବଧର୍ମର ଯୋଗ, ତନ୍ତ୍ର ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ରୂପେ ଶାସ୍ତ୍ରାନୁମୋଦିତ । ତେଣୁ ଏହି ପୀଠଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କର୍ମଶାଳା ଅର୍ଥାତ୍ ମୂଳ ସାଧନା ପୀଠ ।

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ରମାକାନ୍ତ ମହାନନ୍ଦ, ସମାଜ, ୧୮.୬.୨୦୦୯

ଦ୍ରଷ୍ଟବ୍ୟ

This article uses material from the Wikipedia ଓଡ଼ିଆ article ଚଉଷଠି ଯୋଗିନୀ ମନ୍ଦିର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wikimedia Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wikimedia Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଅଂକୋର୍ ୱାଟ୍ମାସଓଡ଼ିଶାର ସଂସ୍କୃତିଓଡ଼ିଶାଜଗନ୍ନାଥ ଦାସଓଡ଼ିଆ ଭାଷାସୁରେନ୍ଦ୍ର ମହାନ୍ତିଓଡ଼ିଆ ସାହିତ୍ୟଉତ୍କଳ ଦିବସରାଧାନାଥ ରାୟଗଙ୍ଗାଧର ମେହେରସାରଳା ଦାସମନ ମ୍ୟୁଜିଅମ୍ଗୋପବନ୍ଧୁ ଦାସରଥଯାତ୍ରାଜଗନ୍ନାଥଜଗନ୍ନାଥ ମନ୍ଦିରଭାରତର ସଂସ୍କୃତିମଧୁସୂଦନ ରାଓଗୋଦାବରୀଶ ମିଶ୍ରପଞ୍ଚସଖାଓଡ଼ିଶାର ଇତିହାସଫକୀର ମୋହନ ସେନାପତିଓଡ଼ିଆ କବି ମାନଙ୍କର ତାଲିକାମଧୁସୂଦନ ଦାସ୧୯୬୨ଗୋପୀନାଥ ମହାନ୍ତିଭାରତବନ୍ଦେ ଉତ୍କଳ ଜନନୀମନୋରଞ୍ଜନ ଦାସସଚ୍ଚିଦାନନ୍ଦ ରାଉତରାୟମହାତ୍ମା ଗାନ୍ଧୀମନୋଜ ଦାସଢେଙ୍କାନାଳ ଜିଲ୍ଲାନୀଳକଣ୍ଠ ଦାସଢେଙ୍କାନାଳମୀମାଂସାହୃଷୀକେଶ ପଣ୍ଡାଗୋଦାବରୀଶ ମହାପାତ୍ରକାଗଜଡଙ୍ଗାଉପେନ୍ଦ୍ର ଭଞ୍ଜନନ୍ଦ କିଶୋର ବଳଓଡ଼ିଆ ସାହିତ୍ୟର ଇତିହାସଦଣ୍ଡ ନାଟଋଷିଆକବିସୂର୍ଯ୍ୟ ବଳଦେବ ରଥଦୁର୍ଗା ପୂଜାକଳାପାହାଡ଼କାଳୀଚରଣ ପଟ୍ଟନାୟକଚନ୍ଦ୍ରଶେଖର ରଥଧନୁଯାତ୍ରାଗ୍ରହଲକ୍ଷ୍ମଣ ନାୟକମାଳତୀ ଚୌଧୁରୀଓଡ଼ିଆ ଭାଷା ଆନ୍ଦୋଳନନବରାତ୍ରୀକରମା ନୃତ୍ୟଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଆ ଖାଦ୍ୟତପସ୍ୱିନୀଗୌତମ ବୁଦ୍ଧଗୋପୀନାଥ ନନ୍ଦ🡆 More
/** SHOW / HIDE SECTION**/function mfTempOpenSection(getID) {var x = document.getElementById("mf-section-"+getID); if (x.style.display === "none") { x.style.display = ""; } else { x.style.display = "none"; }}