ସୂର୍ଯ୍ୟ ମନ୍ଦିର, କୋଣାର୍କ* | |
---|---|
ଇଉନେସ୍କୋ ସ୍ଥଳୀ | |
![]() | |
ରାଜ୍ୟ ଦଳ | ![]() |
ପ୍ରକାର | ସାଂସ୍କୃତିକ |
ନିୟମ | i, iii, vi |
ଆଧାର | 246 |
ଅଞ୍ଚଳ** | ଏସିଆ-ପାସିଫିକ |
ଲେଖ ଇତିହାସ | |
ଲେଖ | 1984 (୮ମ ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ଏହା ମନ୍ଦିରଟି ଗଢିଉଠିଥିଲା ପ୍ରାଚୀ ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ । ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା । ଏହାର ନାମଥିଲା କୋଣଗର l ‘‘କୋଣଗର’’ ନାମାନୁସାରେ ମନ୍ଦିରର ନାମ କୋଣାର୍କ ହୋଇଥିବ ବୋଲି ଅନୁମାନ କରାଯାଏ । କୋଣାର୍କ ଶବ୍ଦକୁ ବିଶ୍ଳେଷଣ କଲେ ଜଣାଯାଏ ଏହା ସଂସ୍କୃତ ଶବ୍ଦ କୋଣ ଓ ଅର୍କର ସଂଯୋଗରୁ ତିଆରି ହୋଇଛି । କୋଣରମାନେ ହେଲା ଗୋଟିଏ ପାଖ ଅଥବା ଦୁଇଟି ଦିଗ ବା ରେଖାର ମିଳନ ସ୍ଥାନ ଓ ଅର୍କର ଅର୍ଥ ହେଲା ସୂର୍ଯ୍ୟ । ଏହି ମନ୍ଦିରଟି ସୂର୍ଯ୍ୟ ଦେବଙ୍କ ପାଇଁ ନିର୍ମିତ ହୋଇଥିବାରୁ ଜାଗାର ନାମ ତଦନୁସାରେ କୋଣାର୍କ ହୋଇଛି ବୋଲି ମତ ପୋଷଣ କରାଯାଏ ।
ପାଶ୍ଚାତ୍ୟ ଦେଶର ନାବିକମାନେ ଏହାର କୃଷ୍ଣ ପାଗୋଡ଼ା ଓ ପୁରୀ ଜଗନ୍ନାଥା ମନ୍ଦିରର ଶ୍ୱେତ ପାଗୋଡ଼ା ନାମକରଣ କରିଥିଲେ । ଏହି ମନ୍ଦିରଦ୍ୱୟ ନାବିକଙ୍କ ନିମନ୍ତେ ପଥଚିହ୍ନ ଥିଲା ।
କୋଣାର୍କ ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳା ଶୈଳୀରେ ତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିରଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡ଼ା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି । ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ ।
କୋଣାର୍କ ମନ୍ଦିରରେ ମୁଖ୍ୟତଃ ତିନିପ୍ରକାରର ପଥର ବ୍ୟବହାର କରାଯାଇଥିଲା ।
ଏହାଛଡ଼ା ଏହି ମନ୍ଦିରଟି ବୈଜ୍ଞାନିକ ପ୍ରଣାଳୀରେ ସଶକ୍ତ କରାଯାଇଥିବା ଅକ୍ସିଡାଇଜଡ ଫେରୁଜିନସ ସ୍ୟାଣ୍ଡଷ୍ଟୋନ (oxidized and weathered ferruginous sandstone)ଦ୍ୱାରା ନିର୍ମିତ।
କୋଣାର୍କ ମନ୍ଦିର କ୍ଷେତ୍ରରେ ଗଠନ କାଳର ସୁନିର୍ଦ୍ଧିଷ୍ଟ ଭୂମିକା ରହିଛି । କାରଣ କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଶେଷ ନିର୍ଯ୍ୟାସ ଏବଂ ଉଚ୍ଚତମ ବିନ୍ଦୁ । ଷ୍ଟାର୍ଲିଂଙ୍କ ମତ ୧୨୪୧ ଖ୍ରୀ.ଅ । ଆବୁଫଜଲ, ଫର୍ଗୁସନ ଓ ରାଜେନ୍ଦ୍ରଲାଲଙ୍କ ମତ ନବମ ଶତାବ୍ଦୀ । ହଣ୍ଟରଙ୍କ ମତ ୧୨୩୬ଠାରୁ ୧୨୮୧ ଖ୍ରୀ.ଅ ।
ସାତଟି ଚପଳ ଚଞ୍ଚଳ ଘୋଡ଼ାଙ୍କଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥାକୃତିରେ ମନ୍ଦିରଟି ନିର୍ମିତ । ଏହାର ସର୍ବାଙ୍ଗରେ କାରୁକାର୍ଯ୍ୟ ଖୋଦେଇ କରା ଯାଇଛି । ଏହି ମନ୍ଦିରର ମୂଳରେ ସୂକ୍ଷ୍କ କାରୁକଳାରେ ଅତି ସୁସଜ୍ଜିତ ୧୨ଟି ଚକ ରହିଛି। ଏହି ଚକଗୁଡ଼ିକ ହେଉଛି ମନ୍ଦିରର କେତୋଟି ପ୍ରମୁଖ ଆକର୍ଷଣମାନଙ୍କ ଭିତରୁ ଅନ୍ୟତମ । ଏହି ଚକମାନଙ୍କର ଅର ସୂର୍ଯ୍ୟଘଡ଼ିର କାମ କରିଥାଏ । ଏହି ଅରମାନଙ୍କ ଛାଇରୁ ସଠିକ ସମୟ ବାରିହୁଏ । ପିରାମିଡ୍ ଆକାରର ଏହି ମନ୍ଦିରର ଛାତ ପାଖାପାଖି ୩୦ ମିଟର ଉଚ୍ଚ। ଖଜୁରହୋ ମନ୍ଦିର ପରି ଏହି ମନ୍ଦିର ଗାତ୍ରରେ ମଧ୍ୟ କାମକଳାର ବହୁଳ ପ୍ରଦର୍ଶନ ହୋଇଛି ।
ଦୁଆରର ଦୁଇପାଖରେ ମନ୍ଦିରକୁ ଜଗି ରହିଛନ୍ତି ଦୁଇଟି ଦନ୍ତାହାତୀଙ୍କୁ ପଦାନତ କରିଥିବା ଦୁଇଟି ଭୀମକାୟ ସିଂହ । ଏହି ହାତୀଦୁଇଟି ଦୁଇଟି ଶାୟିତ ମଣିଷକୁ ମାଡ଼ି ବସିଥିବାର ଦେଖାଯାଏ । ପ୍ରତ୍ୟେକ ପୁରାତନ ମନ୍ଦିର ପରି ଏଠାରେ ମଧ୍ୟ ମୁଖ୍ୟ ମନ୍ଦିର ପୂର୍ବରୁ ନାଟ ମନ୍ଦିରଟି ରହିଛି, ଯେଉଁଠାରେ କଳାକାରମାନେ ଦେବତାଙ୍କ ଉଦ୍ଦେଶ୍ୟରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବିବିଧ ଫୁଲ ଓ ଜ୍ୟାମିତିକ ଢାଞ୍ଚାର ନମୁନା ଦେଖିବାକୁ ମିଳେ ।
ଏହାଛଡ଼ା ଅନେକ ପ୍ରକାରର ଦେବଦେବୀ, ଯକ୍ଷ, ଗନ୍ଧର୍ବ, କିନ୍ନର, ନର ସଙ୍ଗୀତ ଶିଳ୍ପୀ, ନଟ, ନଟୀ, ପ୍ରେମୀ ଯୁଗଳ ଓ ଆନନ୍ଦ ଉତ୍ସବମୟ ଗ୍ରାମୀଣ ଜୀବନ, ଯୁଦ୍ଧ ଓ ଶିକାର ଆଦିର ଅସଂଖ୍ୟ ଚିତ୍ରଣ ଏଠାରେ ଦେଖିବାକୁ ମିଳେ । ତା’ ସହିତ କେତେ ଜାତିର ପଶୁ-ପକ୍ଷୀ, ପାଖାପାଖି ଦୁଇହଜାର ଆକର୍ଷକ ଓ ଜିଅଁନ୍ତା ଦିଶୁଥିବା ହାତୀ, ପୌରାଣିକ ଜୀବ, ନାନା ଜାତିର ଲତା ଓ ଜ୍ୟାମିତିକ ଢାଞ୍ଚାରେ ଭରା ଅଳଂକୃତ ଓ ସମ୍ଭ୍ରାନ୍ତ ଓଡ଼ିଆ ସ୍ଥାପତ୍ୟର ଅନେକ କମକୁଟ ଦର୍ଶକକୁ ବିମୋହିତ କରିବା ସହିତ ଏହାର ସଜୀବ ଚିତ୍ରଣ ଏହି ମନ୍ଦିରକୁ ଅନ୍ୟ ମନ୍ଦିରମାନଙ୍କଠାରୁ ପୃଥକ ଓ ଉତ୍କୃଷ୍ଟ ପ୍ରତିପାଦିତ କରେ।
ମନ୍ଦିରରେ ଖୋଦିତ କାମୋତ୍ତେଜକ ଚିତ୍ରପାଇଁ ମଧ୍ୟ କୋଣାର୍କ ପ୍ରସିଦ୍ଧ। ଜୀବନର ଏହି କୋମଳ ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବରେ ଚିତ୍ରିତ କରିବା ଓଡ଼ିଆ କଳାନୈପୁଣ୍ୟର ଶ୍ରେଷ୍ଠତା ପ୍ରତିପାଦନ କରେ। ମଣିଷ, ମଣିଷୋତ୍ତର, ମଣିଷେତର ସବୁପ୍ରକାର ପ୍ରାଣୀମାନଙ୍କର କାମକ୍ରୀଡ଼ାକୁ ଅତି ସଜୀବ ଭାବରେ ମନ୍ଦିରର କାନ୍ଥରେ ଚିତ୍ରିତ କରାଯାଇଛି।
ଲାଙ୍ଗୁଳା ନରସିଂହ ଦେବ ମାତ୍ର ୧୮ ବର୍ଷ ବୟସରେ ଦକ୍ଷିଣକୁ ଯୁଦ୍ଧ କରିବାକୁ ଯାଇଥିଲେ ଏବଂ ବିପୁଳ ଧନରତ୍ନ ଧରି ତିନିବର୍ଷ ପରେ ଫେରିଲେ । ପିତା ଅନଙ୍ଗଭୀମ ଦେବ ସେ ଯାଏଁ ସିଂହାସନାରୂଢ଼ । ମାତା ଉପଦେଶ ଦେଲେ , ଯେଉଁ ବିପୁଳ ଅର୍ଥ ସେଥିରେ ଗୋଟିଏ ବିଶାଳ ସୂର୍ଯ୍ୟମନ୍ଦିର ଗଢ଼ । କାରଣ ଓଡ଼ିଶାର ଚାରିଟି ବିଶିଷ୍ଟ କ୍ଷେତ୍ର ମଧ୍ୟରୁ ଏକମାତ୍ର ଅର୍କକ୍ଷେତ୍ରରେ ସେ ଯାଏଁ ଉପଯୁକ୍ତ ମନ୍ଦିରଟିଏ ଗଢ଼ା ହେଇନଥିଲା । ଅନ୍ୟ ତିନିଟି କ୍ଷେତ୍ର - ପୁରୀ , ଭୁବନେଶ୍ୱର , ଯାଜପୁର । ଉଦ୍ୟୋଗ ଆରମ୍ଭ ହୋଇଗଲା । ଦୂର ଦୂରାନ୍ତରୁ ପଥର ଆଣିବା ଆରମ୍ଭ ହେଲା । ମନ୍ଦିର ଗଠନ ଆରମ୍ଭ କିନ୍ତୁ ଆଉ ପାଞ୍ଚ ବର୍ଷ ଆଗକୁ । ପ୍ରଥମ ନରସିଂହଦେବ ସେହି ବର୍ଷ ସିଂହାସନ ଆରୋହଣ କଲେ ।
ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବଙ୍କଦ୍ୱାରା ଏହା ନିର୍ମିତ ହୋଇଥିବା ବୋଲି ଜନଶ୍ରୁତି ରହିଛି। ପିତାଙ୍କ ଅଭିଶାପରୁ କୁଷ୍ଠରୋଗାକ୍ରାନ୍ତ ହୋଇ ସାମ୍ବ ଏଠାକୁ ଆସି ୧୨ ବରଷକାଳ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟ ଦେବତା ତାଙ୍କୁ ଏହି ରୋଗରୁ ମୁକ୍ତି ଦେଇଥିବାରୁ ତାଙ୍କ ସମ୍ମାନାର୍ଥେ ସେ ଏହି ବିସ୍ମୟକର ମନ୍ଦିର ନିର୍ମାଣ କରିଥିଲେ।
ମନ୍ଦିର ଧ୍ୱଂସ ହେବାର କାରଣ ସପକ୍ଷରେ ବହୁ କିମ୍ବଦନ୍ତୀ ପ୍ରଚଳିତ । ମାଦଳା ପାଞ୍ଜିର ଅଭିଲେଖ ମତେ କଳାପାହାଡ଼ର ଓଡ଼ିଶା ଆକ୍ରମଣ କରି ବହୁ ମନ୍ଦିର ଧ୍ୱଂସ କରିଥିଲା । କୋଣାର୍କ ମନ୍ଦିର ଭାଙ୍ଗିବା ସହଜ ନଥିଲା । କାରଣ ଦେଉଳର ବେଧ ୨୦ରୁ୨୫ ଫୁଟ ଥିଲା । କଳାପାହାଡ଼ ଏ ମନ୍ଦିରର ଗଠନ ପ୍ରଣାଳୀ ଜାଣିଥିଲା । ସେ କଳସଟି ସ୍ଥାନଚ୍ୟୁତ କରିଦେବାରୁ କାଳକ୍ରମେ ପ୍ରସ୍ତର ସ୍ତର ବିକ୍ଷିପ୍ତ ହେଲା ଏବଂ କୋଣାର୍କ ଧ୍ୱଂସ ହେଲା ।
ଧ୍ୱଂସର ମୂଳକାରଣ କଳାପାହାଡ଼ଦ୍ୱାରା ଆକ୍ରମଣ ବୋଲି ଉଲ୍ଲେଖ ରହିଛି । କଳାପାହାଡ଼ ବଙ୍ଗୀୟ ସୁଲତାନ ସୁଲେମାନ କରାଣୀଙ୍କ ସେନାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କଳା ପାହାଡ଼ ପ୍ରଥମେ ହିନ୍ଦୁ ଓ ପରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଶେଖ କବୀର ବତିନିଙ୍କ ଅଫସାନା-ଈ-ଶାହାନଙ୍କ ଅନୁସାରେ ସେ ଜଣେ ବତିନି (ଆଫଗାନୀ ପଠାଣ) ଲୋକ । ଓଡ଼ିଶା ଇତିହାସରେ ଉଲ୍ଲେଖ ହୋଇଛି ଯେ ୧୫୦୮ ଖ୍ରୀଷ୍ଟାବ୍ଦରେ କଳା ପାହାଡ଼ ଓଡ଼ିଶା ଆକ୍ରମଣ କରି କୋଣାର୍କ ମନ୍ଦିର ସମେତ ଓଡ଼ିଶାର ଅନେକ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲେ । ମାଦଳାପାଞ୍ଜିରେ ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ କେମିତି ଓଡ଼ିଶା ଆକ୍ରମଣ କରିଥିବା ବର୍ଣ୍ଣନା କରାଯାଇଛି । କୌଣସି ଉପାୟରେ ସେ କୋଣାର୍କ ମନ୍ଦିରର ଦଧିନଉତିକୁ ସ୍ଥାନାନ୍ତରିତ କରିବାରେ ସଫଳ ହେବାରୁ ପୂରା ଦେଉଳଟି ଭାଙ୍ଗିପଡ଼ିଲା । ମନ୍ଦିର ମୁଖଶାଳାର ଚୂଡ଼ାରେ ଅନେକ ପଥର ପଡ଼ିବାରୁ ତାହା ମଧ୍ୟ କେତେକାଂଶରେ ଭାଙ୍ଗି ଯାଇଥିଲା । କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିବା ଉଲ୍ଲେଖ ହୋଇଛି ।
୧୫୬୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ମୁସଲମାନ ରାଜୁତି ସମୟରେ କୋଣାର୍କର ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି ସ୍ଥାନାନ୍ତରଣ କରାଯିବା ପରେ ଏଠାରେ ସୂର୍ଯ୍ୟପୂଜା ବନ୍ଦ ହୋଇଯାଇଥିଲା । ଏହା ଫଳରେ ଦେଉଳକୁ ଉଭୟ ତୀର୍ଥଯାତ୍ରୀ ସମାଗମ କମିଥିଲା । ଧିରେ ଧରେ ଜନ ସମାଗମ କମି ଯିବାରୁ ଏହା ଜଙ୍ଗଲାବୃତ ହୋଇ ରହି ଯାଇଥିଲା । ସମୟକ୍ରମେ ଶତ୍ରୁ ଆକ୍ରମଣରୁ କୋଣାର୍କ ବନ୍ଦର ମଧ୍ୟ ବନ୍ଦ ହୋଇଗଲା ।
୧୬୨୬ ଖ୍ରୀଷ୍ଟାବ୍ଦରେ ଖୋର୍ଧାର ତତ୍କାଳୀନ ରାଜା ନରସିଂହଦେବ (ପୁରୁଷୋତ୍ତମ ଦେବଙ୍କର ପୁତ୍ର) ସୂର୍ଯ୍ୟଦେବତାଙ୍କ ମୂର୍ତ୍ତି, ଅନ୍ୟ ଦୁଇଟି ଭ୍ରାମ୍ୟମାଣ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମୂର୍ତ୍ତି ସହିତ ପୁରୀକୁ ନେଇ ଯାଇଥିଲେ । ଏବେ ସେହି ମୂର୍ତ୍ତିମାନେ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି । କୋଣାର୍କ ମନ୍ଦିର ମୁଖଶାଳାରେ ଏକ ବିଶାଳ ଶିଳାଖଣ୍ଡରେ ନିର୍ମିତ ଏକ ନବଗ୍ରହ ମୂର୍ତ୍ତି ରହିଥିଲା । ଖୋର୍ଦ୍ଧାର ତତ୍କାଳୀନ ରାଜା ଏହାକୁ ସ୍ଥାନାନ୍ତରିତ କରିଥିଲେ । ସେ ଏହାକୁ ପୁରୀ ଜଗନ୍ନାଥ ମନ୍ଦିରରରେ ଖଞ୍ଜିଥିଲେ । ମରାଠା ଶାସନ କାଳରେ ପୁରୀ ଶ୍ରୀମନ୍ଦିରର ବେଢ଼ାର କିଛି ଅଂଶ କୋଣାର୍କରୁ ନିଆଯାଇଥିବା ପଥରରେ ତିଆରି କରାଯାଇଥିଲା । ସବୁ ମନ୍ଦିର ଭିତରୁ କୋଣାର୍କ ମନ୍ଦିରର ନାଟ ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଯଥାବତ୍ ତିଷ୍ଠି ରହିଥିଲା । ପରେ ଏହାକୁ ମରାଠା ଶାସକମାନେ ଏକ ଅନାବଶ୍ୟକ ସଂରଚନା ବୋଲି ମନେ କରି ଭାଙ୍ଗିଦେଇଥିଲେ । ୧୭୭୯ରେ ଜଣେ ମରାଠା ସାଧୁ ଏଠାକାର ଅରୁଣ ଖମ୍ବକୁ ନେଇ ପୁରୀ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ସାମନାରେ ସ୍ଥାପନା କରାଇଥିଲେ । ତେଣୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ କୋଣାର୍କ ମନ୍ଦିର ଧୀରେ ଧୀରେ ପରିତ୍ୟକ୍ତ ହୋଇ ଜଙ୍ଗଲ ଓ ବାଲିରେ ଲୁପ୍ତ ହୋଇ ହିଂସ୍ର ଜନ୍ତୁ ଓ ଦସ୍ୟୁମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଥିଲା ।
ସ୍ଥାନୀୟ ଲୋକ ଓ ପଥପ୍ରଦର୍ଶକମାନେ କହିବା ଅନୁସାରେ କୋଣାର୍କ ମନ୍ଦିରର ପ୍ରତି ଦୁଇଟି ପଥର ଭିତରେ ଗୋଟିଏ ଲେଖାଏଁ ଲୁହା ପ୍ଲେଟ ଦିଆ ଯାଇଥିଲା (ଯାହା ଆଜି ବି ଦେଖିବାକୁ ମିଳେ) । ଦେଉଳକୁ ଲୁହା ବିମ୍ ଦେଇ ମଜବୁତ କରା ଯାଇଥିଲା । ଦଧିନଉତି ବା ମନ୍ଦିର ଚୂଡ଼ାରେ ୫୨ ମେଟ୍ରିକ ଟନର ଏକ ବିଶାଳ ଚୁମ୍ବକ ଖଞ୍ଜା ଯାଇଥିଲା ଯାହାକୁ ବାରଶହ ବଢ଼େଇ କରି ପାରି ନଥିଲେ, ତାହା ବାରବର୍ଷର ଶିଳ୍ପୀପୁତ୍ର ଧରମା କରି ଦେଖାଇଥିଲା । ଏହି ଚୁମ୍ବକ କାରଣରୁ ଦେଉଳଟି ସମୁଦ୍ର କୂଳର ପ୍ରତିକୂଳତାରେ ପ୍ରଭାବିତ ନ ହୋଇ ମଜବୁତ ହୋଇ ଠିଆ ହୋଇ ପାରିଥିଲା । ମୁଖ୍ୟ ପ୍ରତିମା କୌଣସି ସିଂହାସନରେ ବସି ନ ଥିଲେ। ଖଞ୍ଜା ଯାଇଥିବା ଅନେକ ଚୁମ୍ବକର ଶକ୍ତି ବଳରେ ଏହା ଶୂନ୍ୟରେ ଭାସମାନ ଥିଲେ । ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା। ଏହା ସକାଳୁ ସକାଳୁ ଅଳ୍ପ କେଇ ମିନିଟ ପାଇଁ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ କାଳରେ କେନ୍ଦ୍ରରେ ଖଞ୍ଜାଯାଇଥିବା ଚୁମ୍ବକକୁ ଇଂରେଜମାନେ ବାହାର କରି ନେଇ ଯାଇଥିଲେ ।
ଆଉ ଏକ ଜନଶ୍ରୁତି ଶୁଣିବାକୁ ମିଳେ ଯେ, ଏହି ଚୁମ୍ବର ଶକ୍ତି ଏତେ ପ୍ରବଳ ଥିଲା ଯେ, ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକରେ ଥିବା କମ୍ପାସ ଏହାଦ୍ୱାରା ପ୍ରଭାବିତ ହେଉଥିଲା। ପର୍ତ୍ତୁଗୀଜମାନେ ନିଜ ଜାହାଜର ସୁରକ୍ଷା ପାଇଁ କେନ୍ଦ୍ରସ୍ଥ ଚୁମ୍ବକ ଯାହା ଦେଉଳର ଅନ୍ୟାନ୍ୟ ଚୁମ୍ବକକୁ ସନ୍ତୁଳିତ କରି ରଖିଥିଲା ତାକୁ ବାହାର କରି ନେଇ ଯିବାଦ୍ୱାରା ଭାରସାମ୍ୟ ହରାଇ ଗର୍ଭଗୃହ ଧ୍ୱଂସପ୍ରାପ୍ତ ହୋଇଯାଇଥିଲା।
ମନ୍ଦିରର କଳାନୈପୁଣ୍ୟକୁ ଦେଖି ଅନେକ କବି ଏହାର ପ୍ରଶଂସା କରି ସାହିତ୍ୟରେ ଏହାକୁ ସ୍ଥାନ ଦେଇଛନ୍ତି । ରବୀନ୍ଦ୍ରନାଥ ଠାକୁର କହିଛନ୍ତି, ‘‘ଏଠାରେ ପଥର ମଣିଷଠାରୁ ଅଧିକ କଥା କହେ।’’
Here the language of stone surpasses the language of man.
ହିନ୍ଦୁସ୍ତାନୀ ଗାୟିକା ସୁନନ୍ଦା ପଟ୍ଟନାୟକ କୋଣାର୍କ ଉପରେ ଏକ ଇଂରାଜୀ କବିତା ଲେଖିଛନ୍ତି । ଏହାର ଓଡ଼ିଆ ଅନୁବାଦ ନିମ୍ନରେ ଦିଆଗଲା।
କୋଣାର୍କ
ସେଇଠି ଠିଆ ହେଇଚି
କୋଣାର୍କ।ରକ୍ତସ୍ନାତ ଗୋଟେ ମନ୍ଦିର
ଧରମାର
ଅଧାଭଙ୍ଗା, ମସ୍ତକହୀନ
ତଥାପି ସୁନ୍ଦର, ତଥାପି ଅନନ୍ୟ।ପ୍ରତ୍ୟେକଟି ଭଙ୍ଗା ପଥର ଭିତରୁ
ଭାସି ଆସେ ମନ୍ତ୍ର
ଜଣେ ସନ୍ନ୍ୟାସୀର । ସେ ବସିଥାଏ
ଆଲୋକିତ ଭଗ୍ନ କାୟା ଉପରେ
ଅବହେଳିତ, ପରାସ୍ତ
ତଥାପି ତ ପୃଥିବୀର ସୁନ୍ଦରତମ ସତ୍ୟ।ଚନ୍ଦ୍ରଭାଗା ନଦୀ
ସାଇତି ରଖେ ଧରମାର ନୀରବ ଲୁହ
ତା’ ଗର୍ଭରେ ଶୋଇଛି
ମଣିଷ ପଣିଆର ଅଧିକାର, ନ୍ୟାୟ ବଞ୍ଚିତ
ଦୁର୍ବଳ, କ୍ଷଣଭଙ୍ଗୁର ସମୟ।କଳିଙ୍ଗର ପ୍ରାଚୀନ ଗୌରବ
ଆଦି କୀଟ-ଦଂଶିତ ପୋଥି
ଅବିଶ୍ୱସ୍ତ ଦାୟାଦଙ୍କ ଦୟାରେ ପଡ଼ିଥିବା
ଅବହେଳିତ ଅବିଶିଷ୍ଟ କିଛିତା’ର ଶିଳ୍ପୀଙ୍କୁ କହୁଚି ତଥାପି -
ଏଇଠି ମୁଁ ଅଛି।
ତମେ ଫେରି ଆସିବା
ଅପେକ୍ଷାରେ।ପୁନର୍ଜନ୍ମ ଯାଏଁ.....
This article uses material from the Wiki ଓଡ଼ିଆ article କୋଣାର୍କ ସୂର୍ଯ୍ୟ ମନ୍ଦିର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.