କୁଞ୍ଜବିହାରୀ ତ୍ରିପାଠୀ (୪ ସେପ୍ଟେମ୍ବର ୧୯୧୧ - ୧୫ ଜୁନ ୨୦୦୧) ଜଣେ ଭାରତୀୟ ଶିକ୍ଷାବିତ, ଅଧ୍ୟାପକ ତଥା ଓଡ଼ିଆ, ସଂସ୍କୃତ ଓ ପାଲି ଭାଷା ଗବେଷକ ଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ । ୧୯୩୮ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରି ସେ ପରେ ୧୯୫୩ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରରୁ ଓଡ଼ିଆ ଭାଷା ଓ ଲିପିରେ ଡକ୍ଟରେଟ କରିଥିଲେ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ମଧ୍ୟ କାର୍ଯ୍ୟକରିଥିଲେ । ତାଙ୍କ ଗବେଷଣା ନିମନ୍ତେ ସେ ୧୯୮୮ ମସିହାରେ ସାରଳା ସମ୍ମାନ ଲାଭକରିଥିଲେ ।
କୁଞ୍ଜବିହାରୀ ତ୍ରିପାଠୀ | |
---|---|
ଜନ୍ମ | ପଥୁରିପଡ଼ା, ବାଙ୍କୀ, କଟକ | ୪ ସେପ୍ଟେମ୍ବର ୧୯୧୧
ମୃତ୍ୟୁ | ୧୫ ଜୁନ ୨୦୦୧ ପ୍ରଫେସରପଡ଼ା, କଟକ | (ବୟସ ୮୯)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ସଂସ୍କୃତ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ଶିକ୍ଷାବିତ ଓ ଗବେଷକ |
ପୁରସ୍କାର | ସାରଳା ସମ୍ମାନ, ୧୯୮୮ |
୨୦୦୧ ଜୁନ ୧୫ରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା ।
କୁଞ୍ଜବିହାରୀ ୧୯୧୧ ମସିହା ସେପ୍ଟେମ୍ବର ୪ ତାରିଖ ଦିନ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିଦ୍ୟାର୍ଥୀ ଜୀବନ ସୁ-ଗ୍ରାମ ନିକଟସ୍ଥ ବରପୁଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ସେ ବାଙ୍କୀ ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ ପଢ଼ିଥିଲେ । ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ । ଛାତ୍ର ଜୀବନରୁ ହିଁ ସେ ଆମିଷ ଭୋଜନ ତ୍ୟାଗ କରିସାରିଥିଲେ । ପାନ ଖାଉଥିଲେ, ଅବଶ୍ୟ ପରେ ପାନଖିଆ ମଧ୍ୟ ଛାଡି ଦେଇଥିଲେ । ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ଆଇନ ମଧ୍ୟ ପଢ଼ିଥିଲେ ।
୧୯୩୮ ମସିହାରେ କୁଞ୍ଜବିହାରୀ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା ପୂର୍ବରୁ ସେ ଓକିଲାତି କରୁଥିଲେ । ସେ ଓଡ଼ିଆ ଅଭିଲେଖ, ଲିପି, ଭାଷା ଆଦିର ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଗବେଷଣାତ୍ମକ ନିବନ୍ଧମାନ ରଚନା କରିଥିଲେ । ୧୯୪୯ ମସିହାରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବାକୁ ଲଣ୍ଡନ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଓରିଏଣ୍ଟାଲ ଏଣ୍ଡ ଆଫ୍ରିକାନ ଷ୍ଟଡିଜରେ ଯୋଗଦେଇଥିଲେ । ୧୯୫୩ ମସିହାରେ ସେଠାରୁ ସେ ଡକ୍ଟରେଟ ହାସଲ କରିଥିଲେ । ତାଙ୍କ ଗବେଷଣାର ସନ୍ଦର୍ଭ ଥିଲା "ଦ ଇଭଲ୍ୟୁସନ ଅଫ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ସ୍କ୍ରିପଟ" । ୧୯୬୮ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଯୋଗଦେଇଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ ।
୨୦୦୧ ମସିହା ଜୁନ ୧୫ତାରିଖରେ କଟକ ପ୍ରଫେସରପଡ଼ାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା ।
This article uses material from the Wikipedia ଓଡ଼ିଆ article କୁଞ୍ଜବିହାରୀ ତ୍ରିପାଠୀ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.