ଅଣସର | |
---|---|
![]() ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ | |
ନାମ | ଅଣସର |
ଅନ୍ୟ ନାମ | ଅନବସର |
ପର୍ବ ପାଳନ | ସାଧାରଣ ଅଣସର, |
ଆରମ୍ଭ | ଆଷାଢ଼ କୃଷ୍ଣ ପ୍ରତିପଦ |
ଶେଷ | ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ |
୨୦୨୩ ତାରିଖ |
ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ ।
ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହୋଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।
ଅଣସର ପଟି ତିନୋଟିକୁ ବଂଶାନୁକ୍ରମେ କେତେକ ଚିତ୍ରକର ଖୁବ ନିଷ୍ଠାରେ ପ୍ରସ୍ତୁତ କରିଥାଆନ୍ତି । ଚିତ୍ର କରିବା ସମୟତକ ସେମାନେ ନିରାମିଷା ଭକ୍ଷଣ କରନ୍ତି । କାମ ଚାଲିଥିବା କୋଠରୀକୁ ସ୍ତ୍ରୀ ଲୋକଙ୍କ ପ୍ରବେଶ ନିଷେଧ ଥାଏ । ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ, କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା, ହିଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ । ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ । ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି । ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି । ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି ।
ଶ୍ରୀଜଗନ୍ନାଥଙ୍କ ଅଣସର ଦୁଇପ୍ରକାର ପାଳିତ ହୁଏ ଯଥା: ୧. ସାଧାରଣ ଅଣସର ଓ ୨. ମହା ଅଣସର ।
ଏହା ୧୫ ଦିନ ପାଇଁ ପ୍ରତିବର୍ଷ ଗୁଣ୍ଡିଚା ପୁର୍ବରୁ ପାଳିତ ହୁଏ।
ଅଣସର ପ୍ରତିବର୍ଷ ଗୁଣ୍ଡିଚା ପୂର୍ବରୁ ୧୫ ଦିନ ପାଇଁ ପାଳିତ ହୁଏ । ତେବେ ମହା ଅଣସର ୪୫ଦିନ ପାଇଁ ପ୍ରତି ନବକଳେବର ପୂର୍ବରୁ ପାଳିତ ହୁଏ ।
ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୁଏ । କୁହାଯାଏ, ପୁଷ୍ପ ଅଳଙ୍କାରରେ ଆଚ୍ଛାଦିତ ହୋଇ ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଅସୁସ୍ଥ ହୋଇପଡନ୍ତି ଏବଂ ଅନବସର ଗୃହରେ ଅବସ୍ଥାନ କରନ୍ତି । ନବକଳେବର ପୂର୍ବରୁ ଏହି ବିଧି ମହା ଅଣସର ନାମରେ ଖ୍ୟାତ ।
ମହା ଅଣସର ଦୁଇ ଭାଗରେ ବିଭକ୍ତ । ପ୍ରଥମେ କୈବଲ୍ୟ ବୈକୁଣ୍ଠରେ ବୈଦିକ ବିଧି ଅନୁସରେ ଯଜ୍ଞ ଚାଲିଥିବା ବେଳେ ସପ୍ତ ମଣ୍ଡପରେ ମହାପ୍ରଭୁଙ୍କ ନୂତନ ବିଗ୍ରହ ଓ ମାଧବଙ୍କ ବିଗ୍ରହ ନିର୍ମାଣ ମଧ୍ୟ ସମ ଭାବରେ ଚାଲିଥାଏ । ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ ।
ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭ ଗୃହର ଅଣସର ପିଣ୍ଡିରେ ଚାଲିଥାଏ । ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦାଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ନୂତନ ବିଗ୍ରହଙ୍କ ସପ୍ତାବରଣ ନୀତି ଆରମ୍ଭ ହୋଇଥାଏ । ଏହି ନୀତି ସହିତ କେବଳ ଦଇତାପତି, ପତି ମହାପାତ୍ର, ଓ ଦତ୍ତ ମହାପାତ୍ର ସେବକ ଅଙ୍ଗାଙ୍ଗୀଭାବେ ଜଡ଼ିତ ଥାଆନ୍ତି । ଏହା ସମ୍ପୁର୍ଣ୍ଣ ଗୁପ୍ତ ଲୀଳା । ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ ।
ନବକଳେବରରେ ମହାପ୍ରଭୁଙ୍କର ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟି ପରିବେଷ୍ଠିତ ଅସ୍ଥାୟୀ ଗୃହକୁ ମହା ଅଣସର ଗୃହ ବା ନିରୋଧନ ଗୃହ କୁହାଯାଏ । ଗୃହରେ ପରିବେଷ୍ଠିତ ତାଟିକୁ ଅଣସର ତାଟି କୁହାଯାଏ । ଅଣସର ଗୃହରେ ସମ୍ପାଦିତ ନୀତିକୁ ଅଣସର ନୀତି କୁହାଯାଏ । ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ ପାଇଁ ଏକ ଛୋଟ ତାଟି ଦ୍ୱାର ଥାଏ ଏହାକୁ ଧୁକୁଡ଼ି ଦ୍ୱାର କୁହାଯାଏ । ଏହି ଦୁଆର ଦେଇ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାନ୍ତି ।
This article uses material from the Wiki ଓଡ଼ିଆ article ଅଣସର, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.