ଜ୍ଞାନକୋଷ

ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ାହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।

ଜ୍ଞାନକୋଷର ଜନ୍ମ

ପ୍ରାୟ ୨୦୦୦ ବର୍ଷ ତଳୁ ଜ୍ଞାନକୋଷ ରହିଛି । ସବୁଠାରୁ ପୁରୁଣା ଜ୍ଞାନକୋଷ ହେଉଛି ୭୭ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ "ନାଚୁରାଲିସ ହିଷ୍ଟୋରିଆ' । ପ୍ଲିନୀ ନାମକ ଜଣେ ରୋମୀୟ ବ୍ୟକ୍ତି ଏହାର ନିର୍ମାତା ଥିଲେ । ଏଥିରେ ପ୍ରାକୃତିକ ଇତିହାସ, କଳା ଏବଂ ପୃଥିବୀର ଅନ୍ୟାନ୍ୟ ବିଷୟ ଉପରେ ୩୭ଟି ଅଧ୍ୟାୟ ଥିଲା । ସେ ତାଙ୍କର ମୁଖବନ୍ଧରେ କହିଛନ୍ତି ଯେ ଏଥିରେ ୨୦୦ ଲେଖକଙ୍କର ୨୦୦୦ କାମରୁ ସେ ୮୦,୦୦୦ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିରେ ସେ ତାଙ୍କ ନିଜ ଅନୁଭୂତିରୁ ମଧ୍ୟ କିଛି ଯୋଡ଼ିଛନ୍ତି । ୭୭-୭୯ ଖ୍ରୀଷ୍ଟାବ୍ଦ ଭିତରେ ଏହା ପ୍ରକାଶିତ ହୋଇଥିଲା । ୭୯ ମସିହାରେ ବିସୁଭିୟସ ଆଗ୍ନେୟଗିରି ଉଦ୍ଗିରଣ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବୋଧହୁଏ ସେ ସମୟ ଯାଏ ସେ ତାଙ୍କ କାମର ତ୍ରୁଟି ସଂଶୋଧନ ଶେଷ କରିପାରି ନଥିଲେ ।

ଏହା ଆଗରୁ ମାକେଙଏଛାସ ଟେରେଣ୍ଟିଅସ ଭାରୋ ନାମକ ଜଣେ ବ୍ୟକ୍ତି ଏହିଭଳି ଗୋଟିଏ ପ୍ରଚେଷ୍ଟା କରିଥିଲେ । କିନ୍ତୁ ତାହା ସେତେ ଜଣାଶୁଣା ହୋଇପାରିନଥିଲା । ପ୍ଲିନୀଙ୍କ ଏନସାଇକ୍ଲୋପିଡିଆ ରୋମରେ ବହୁତ ଲୋକପ୍ରିୟ ଥିଲା । ଏହାର ଅନେକଗୁଡ଼ିଏ ନକଲ କରାଯାଇ ପାଶ୍ଚାତ୍ୟ ଦେଶମାନଙ୍କରେ ପ୍ରସାର କରାଯାଇଥିଲା । ୧୪୭୦ ମସିହାରେ ପୁନଃ ପ୍ରକାଶିତ ହୋଇଥିବା ଅନେକଗୁଡ଼ିଏ ମୌଳିକ ପାଣ୍ଡୁଲିପି ଭିତରୁ ଏହା ଗୋଟିଏ । ରୋମର କଳା, କାରିଗରୀ, ଯାନ୍ତ୍ରିକୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଏହା ଅତି ଉପାଦେୟ ପୁସ୍ତକ ଥିଲା । ସେ ସମୟର ଲେଖକମାନଙ୍କଦ୍ୱାରା ଆଲୋଚିତ ହୋଇନଥିବା ଭେଷଜ ବିଜ୍ଞାନ, କଳା, ଖଣିଜ ବିଜ୍ଞାନ, ପ୍ରାଣିବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଭୂବିଜ୍ଞାନ ଭଳି ଅନେକ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା । ସେଭିଲାର ସନ୍ଥ ଇସିଦୋର ମଧ୍ୟଯୁଗର ଜଣେ ପ୍ରସିଦ୍ଧ ଜ୍ଞାନୀ ଥିଲେ । ଏନସାଇକ୍ଲୋପିଡିଆ ଏଟିମାଲୋଜିଆ ବା ଅରିଜିନର ପ୍ରସ୍ତୁତକର୍ତ୍ତା ଭାବରେ ସେ ବେଶ ଜଣାଶୁଣା । ଏହା ପ୍ରାୟ ୬୩୦ ମସିହା ବେଳକୁ ପ୍ରକାଶିତ ହୋଇଥିଲା । ସେ ସମୟରେ ଉପଲବ୍ଧ ଜ୍ଞାନର ଅଧିକାଂଶ ଭାଗକୁ ସେ ଏଥିରେ ଏକାଠି କରିଥିଲେ । ଏହି ଏନସାଇକ୍ଲୋପିଡିଆରେ ୨୦ଟି ଭାଗରେ ୪୪୮ଟି ଅଧ୍ୟାୟ ରହିଛି । ଏହାର ବିଶେଷତ୍ୱ ହେଉଛି ସେଥିରେ ଥିବା ଅନେକ ଲେଖକଙ୍କ ଲେଖା ଏବଂ ଉକ୍ତିର ଉଦ୍ଧୃତି । ଏଥିରେ ସଂଗୃହୀତ ହୋଇ ନ ଥିଲେ ବୋଧହୁଏ ସେଗୁଡ଼ିକ ବିଲୁପ୍ତ ହୋଇଯାଇଥା'ନ୍ତା । ସେହିଭଳି ୯୬୦ ମସିହା ବେଳକୁ ଅନେକ ମୁସଲମାନ ପଣ୍ଡିତ ମଧ୍ୟ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରିଥିଲେ ।

ଆଧୁନିକ ଯୁଗର ଜ୍ଞାନକୋଷ

ଆଧୁନିକ ଯୁଗର ଏନସାଇକ୍ଲୋପିଡ଼ିଆ ଭିତରେ ରହିଛି ୧୭୨୮ ମସିହାରେ ପ୍ରକାଶିତ ଚାମ୍ବର୍ସ ସାଇକ୍ଲୋପିଡ଼ିଆ ଏବଂ ତା'ର ପ୍ରାୟ ୪୦ ବର୍ଷ ପରେ ପ୍ରକାଶ ପାଇଥବା ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା । ଏଥିରେ ବିଷୟଗୁଡ଼ିକ ଅକ୍ଷର କ୍ରମରେ ରହିଛି ଏବଂ କେତେ ଜାଗାରେ ଗଭୀର ଭାବରେ ଆଲୋଚିତ ହୋଇଛି । ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ପ୍ରଥମେ ସ୍କଟଲ୍ୟାଣ୍ଡରୁ ପ୍ରକାଶିତ ହୋଇଥିଲା । ସେତେବେଳେ ଏହା ମାତ୍ର ୨୩୯୧ ପୃଷ୍ଠାର ତିନୋଟି ଭାଗ (A-B,C-L ଏବଂ M-Z)ରେ ରହିଥିଲା । ୧୭୭୭-୮୪ରେ ୧୦ଟି ଭାଗ ଏବଂ ୮୫୯୫ ପୃଷ୍ଠାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଥିଲା । ୧୭୯୭ ମସିହାରେ ଏହାର ତୃତୀୟ ସଂସ୍କରଣ ପ୍ରକାଶିତ ହେଲା ବେଳକୁ ତାହା ବଢ଼ିଯାଇ ୧୮ ଭାଗ ହୋଇଥିଲା । ବିଭିନ୍ନ ପରିବର୍ତ୍ତନ ପରେ ୧୯୭୪ ମସିହାରେ ଏହାର ପଞ୍ଚଦଶ ସଂସ୍କରଣ ପ୍ରକାଶିତ ହୋଇଥିଲା । ଏହି ସଂସ୍କରଣଟି ୩୨ ଖଣ୍ଡରେ ପ୍ରାୟ ୩୨୦୦ ପୃଷ୍ଠାର ହୋଇଥିଲା । ଏହାକୁ ଲେଖିବାରେ ୧୩୧ଟି ଦେଶର ୪୦୦୦ ବିଶେଷଜ୍ଞ ଲାଗିଥିଲେ ।

୧୯୨୦ ଦଶକ ବେଳକୁ ଅନେକ ଲୋକପ୍ରିୟ ଏବଂ ଶିଶୁ ଏନସାଇକ୍ଲୋପିଡ଼ିଆ ପ୍ରକାଶିତ ହୋଇଥିଲା । ୧୯୫୦-୬୦ ଦଶକ ବେଳକୁ ଆମରେିକାରେ ଅନେକ ଲୋକପ୍ରିୟ ଏନସାଇକ୍ଲୋପିଡିଆ ପ୍ରକାଶିତ ହେଲା ଏବଂ ଏଗୁଡ଼ିକ କିସ୍ତି ଆକାରରେ କିଣିବାର ସୁଯୋଗ ସୃଷ୍ଟି କରାଗଲା । ଏଗୁଡ଼ିକ ଭିତରେ ମୁଖ୍ୟ ଥିଲା ୱାର୍ଲଡ ବୁକ, ଫଙ୍କ ଏବଂ ୱାଗନଲସ ଆଦି ।

ଭାରତରେ ଜ୍ଞାନକୋଷ

ପରାଧୀନ ଭାରତରେ ଇଂରେଜ ସରକାର ଜ୍ଞାନକୋଷ ପ୍ରସ୍ତୁତି ଦିଗରେ କୌଣସି ଆଗ୍ରହ ପ୍ରକାଶ କରି ନ ଥିଲେ । ସେତେବେଳେର ଶିକ୍ଷିତ ଲୋକେ ବି ଭାବୁଥିଲେ ଯେ କୌଣସି ଭାରତୀୟ ଭାଷାରେ ବିଜ୍ଞାନ ସମ୍ବନ୍ଧୀୟ ଲେଖା ଲେଖିବା ସମ୍ଭବ ନୁହେଁ । କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ବେଳକୁ ବଙ୍ଗ ପ୍ରଦେଶର ନଗେନ୍ଦ୍ର ନାଥ ବସୁ ଏ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ନିଜର କଠୋର ପରିଶ୍ରମ ଓ ମନୋବଳକୁ ନେଇ ଏକା ଏକା ବଙ୍ଗଳା ବିଶ୍ୱକୋଷ ଲେଖିବାରେ ଲାଗିପଡ଼ିଥିଲେ । ଏହା ୧୯୧୧ ମସିହାରେ ୨୨ ଖଣ୍ଡରେ ପ୍ରକାଶିତ ହୋଇଥିଲା । ପରେ ଏହାର ହିନ୍ଦୀ ଅନୁବାଦ ବି କରାଯାଇଥିଲା । ଏହାପରେ ମରାଠୀ ଭାଷାରେ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରାଯାଇଥିଲା ।

ଓଡ଼ିଆ ଜ୍ଞାନକୋଷ

ବିଂଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ ଲାଲା ମାଧବ ଲାଲ ଓଡ଼ିଆ ଭାଷାରେ ଏହିଭଳି ଗୋଟିଏ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରସ୍ତୁତ କରିଥିଲେ ଏବଂ ଏହାର ନାଁ ରଖିଥିଲେ ବିବିଧ ସଂଗ୍ରହ । ଏଥିରେ ବିଷୟଗୁଡିକ ଅକ୍ଷରକ୍ରମରେ ନଥିଲା ବା କୌଣସି ନିର୍ଦ୍ଦିଷ୍ଟ କ୍ରମରେ ମଧ୍ୟ ନଥିଲା । ତେଣୁ ପ୍ରକୃତ ଅର୍ଥରେ ଏହାକୁ ଗୋଟିଏ ଜ୍ଞାନକୋଷ କୁହାଯାଇ ପାରିବନାହିଁ । ଏହାପରେ ଭାଗୀରଥି ମହାପାତ୍ର, ଲାଲା ନଗେନ୍ଦ୍ରକୁମାର ରାୟ ଏବଂ ଅକ୍ଷୟକୁମାର ଚକ୍ରବର୍ତ୍ତୀ ଯଥାକ୍ରମେ ରତ୍ନକୋଷ, ବିବିଧରତ୍ନ ସଂଗ୍ରହ ଏବଂ ବିବିଧସାର ସଂଗ୍ରହ ସଙ୍କଳନ କରିଥିଲେ । ଏସବୁ ଗୋଟିଏ ଗୋଟିଏ ଖଣ୍ଡରେ ପ୍ରକାଶିତ ହୋଇଥିଲା । ଏଭିତରୁ ଲାଲା ନଗେନ୍ଦ୍ରକୁମାରଙ୍କ ପୁସ୍ତକଟି ସବୁଠାରୁ ଅଧିକ ବ୍ୟବସ୍ଥିତ ଥିଲା ।

୧୯୩୦ ଦଶକରେ ପ୍ରକାଶିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ବିଶାଳ ଅଭିଧାନ ଥିଲା । ସାତ ଖଣ୍ଡରେ ପ୍ରକାଶିତ ପ୍ରାୟ ୧୦,୦୦୦ ପୃଷ୍ଠାର ଏହି ଭାଷାକୋଷରେ ୧,୮୫,୦୦୦ ଶବ୍ଦ ରହିଛି । ଏଭିତରୁ ଅନେକ ଶବ୍ଦର ବେଶ ଲମ୍ବା ବ୍ୟାଖ୍ୟା ରହିଛି । ତେଣୁ ଏହା କେବଳ ଗୋଟିଏ ସାଧାରଣ ଅଭିଧାନ ବା ଭାଷାକୋଷ ନଥିଲା । ସେଥିରେ କିଛି ସଂକ୍ଷିପ୍ତ ଓ ବିସ୍ତୃତ ରଚନା ରହିଥିଲା ଯାହା ତାକୁ ଏକ ଜ୍ଞାନକୋଷର ମାନ୍ୟତା ଦେଇପାରିବ ।

ବାଳକୃଷ୍ଣ କରଙ୍କ ଶିଶୁସଙ୍ଖ।ଳି ଓଡ଼ିଆ ଭାଷାରେ ପ୍ରଥମ ଯୋଜନାବଦ୍ଧ ଜ୍ଞାନକୋଷ । ୧୯୩୨ ମସିହା ବେଳକୁ ଏହାର ପରିକଳ୍ପନା କରାଯାଇଥିଲା । ଦଶବର୍ଷର କାମ ପରେ ୧୯୪୧ ମସିହାରେ ତାହାର ପ୍ରଥମ ଖଣ୍ଡ - ବିଚିତ୍ର ଜୀବଜଗତ - ପ୍ରକାଶ ପାଇଥିଲା । ବର୍ଷକ ପରେ ଦ୍ୱିତୀୟ ଖଣ୍ଡ - ବିଚିତ୍ର ଇତିହାସ -ପ୍ରକାଶିତ ହେଲା । ତିନି-ଚାରି ବର୍ଷ ଭିତରେ ବିଚିତ୍ର ବିଶ୍ୱ, ବିଚିତ୍ର ବିଜ୍ଞାନ, ବିଚିତ୍ର ଉଦ୍ଭାବନ, ବିଚିତ୍ର ଦେଶ, ବିଚିତ୍ର ଶିଳ୍ପ, ବିଚିତ୍ର ଭାରତ ନାମରେ ଅନ୍ୟ ଖଣ୍ଡମାନ ପ୍ରକାଶ ପାଇବାର ଯୋଜନା ରହିଥିଲା । କିନ୍ତୁ ଅନେକ ଅସୁବିଧା ଯୋଗୁଁ ତାହା ବନ୍ଦ ରହିଲା । ୧୯୫୭ ମସିହାରେ ଶିଶୁସଙ୍ଖ।ଳିର ପୁନରୁଦ୍ଧାର କରି ବିଜ୍ଞାନ ବିଷୟକ ସଂଖ୍ୟାଗୁଡ଼ିକ ପ୍ରଥମେ ବାହାର କରିବାର ଚେଷ୍ଟା କରାଗଲା । ଏହି କ୍ରମରେ ବିଚିତ୍ର ଜୀବଜଗତର ପୁନଃପ୍ରକାଶନ ସହିତ ବିଚିତ୍ର ବିଶ୍ୱ ପ୍ରକାଶିତ ହେଲା । କିନ୍ତୁ ଯୋଜନାଟି ଆଉ ଆଗେଇ ନପାରି ସବୁଦିନ ପାଇଁ ଅପୂର୍ଣ୍ଣ ରହିଗଲା । ଏହା ମୁଖ୍ୟତଃ ଶିଶୁ ଓ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଷୟଭିତ୍ତିକ କରାଯାଇଥିଲା । ସରଳ ଭାଷା, ମନଛୁଆଁ ବର୍ଣ୍ଣନା ଏବଂ ବେଶ କିଛି ସାଦା ଓ ରଙ୍ଗିନ ଚିତ୍ର ଥିଲା ଶିଶୁସଙ୍ଖ।ଳିର ବିଶେଷତା । ଏହାର ଅପ୍ରକାଶିତ ପାଞ୍ଚଖଣ୍ଡଯାକ ପ୍ରକାଶ ପାଇଥିଲେ ଶିଶୁ ଓ କିଶୋର ସାହିତ୍ୟ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇଥା'ନ୍ତା ସେଥିରେ ସନ୍ଦେହ ନାହିଁ ।

ଏହାପରେ ୧୯୫୦ ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଜ୍ଞାନକୋଷ ପ୍ରସ୍ତୁତି କାମ ଆରମ୍ଭ ହୋଇଥିଲା । ବଡ଼ ଧରଣର ଜ୍ଞାନକୋଷ ସଂକଳନ ଯଦିଓ ଏହାର ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରିଲା ନାହିଁ । ଶେଷରେ ୧୯୬୩ ମସିହା ବେଳକୁ ୪ଟି ଭାଗରେ ୩୨୦୦ ପୃଷ୍ଠାର ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷର ପ୍ରକାଶନ ସହିତ ଯୋଜନାଟି ବନ୍ଦ ହୋଇଗଲା । ସେହି ସମୟରେ, ୧୯୬୨ ମସିହାରେ, ରାମକୃଷ୍ଣ ନନ୍ଦଙ୍କର ଏକକ ଉଦ୍ୟମର ଫଳରେ ୮୪୦ ପୃଷ୍ଠାର ବିଶ୍ୱ ପରିଚୟ ପ୍ରକାଶ ପାଇଲା ।

ଆଧାର

ଅଧିକ ତଥ୍ୟ

  • Hindupedia, encyclopedia of Hindu Dharma
  • CNET's encyclopedia meta-search (includes Wikipedia)
  • Encyclopaedia and Hypertext
  • Internet Accuracy Project – Biographical errors in encyclopedias and almanacs
  • Encyclopedia – Diderot's article on the Encyclopedia from the original Encyclopédie.
  • De expetendis et fugiendis rebus Archived 2008-06-15 at the Wayback Machine. – First Renaissance encyclopedia
  • Science Dictionary Archived 2013-01-05 at the Wayback Machine. – Online Comprehensive Science Encyclopedia
  • Errors and inconsistencies in several printed reference books and encyclopedias Archived 2001-07-18 at the Wayback Machine.
  • Digital encyclopedias put the world at your fingertips – CNET article
  • Encyclopedias online University of Wisconsin – Stout listing by category
  • Chambers' Cyclopaedia, 1728, with the 1753 supplement
  • Encyclopædia Americana, 1851, Francis Lieber ed. (Boston: Mussey & Co.) at the University of Michigan Making of America site
  • Encyclopædia Britannica, articles and illustrations from 9th ed., 1875–89, and 10th ed., 1902–03.
  • Encyclopædia Britannica, 11th ed., 1911, at the LoveToKnow site.
  • Encyclopedia Sites list Archived 2015-11-04 at the Wayback Machine.
  • ଜ୍ଞାନକୋଷ  Texts on Wikisource:
    • "Cyclopædia" . Collier's New Encyclopedia. 1921.
    • "Encyclopædia" . Encyclopedia Americana. 1920.
    • "Encyclopædia" . The New Student's Reference Work . Chicago: F. E. Compton and Co. 1914.
    • "Encyclopaedia". Encyclopædia Britannica Eleventh Edition (11th ed.). 1911.
    • "Encyclopædia" . The Nuttall Encyclopædia. 1907.
    • "Cyclopædia" . The American Cyclopædia. 1879.

Tags:

ଜ୍ଞାନକୋଷ ର ଜନ୍ମଜ୍ଞାନକୋଷ ଆଧୁନିକ ଯୁଗର ଜ୍ଞାନକୋଷ ଭାରତରେ ଜ୍ଞାନକୋଷ ଆଧାରଜ୍ଞାନକୋଷ ଅଧିକ ତଥ୍ୟଜ୍ଞାନକୋଷମଣିଷ

🔥 Trending searches on Wiki ଓଡ଼ିଆ:

କୁମାର ପୂର୍ଣ୍ଣିମାଭାରତର ଜାତୀୟ ପତାକାହନୁମାନ ଚାଳିଶାବାଘକଣ୍ଟାବାଞ୍ଝି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ପରି ମହଲଓଡ଼ିଶାର ଦଶହରାକୃପାସିନ୍ଧୁ ମିଶ୍ରକ୍ରେଡିଟ କାର୍ଡ଼ବଳରାମ ଦାସଜାଭା (ପ୍ରୋଗ୍ରାମିଂ ଭାଷା)ଜାପାନୀ ଭାଷାରୋହିଦାସ ସିଂ ନାଗସର୍ବପଲ୍ଲୀ ରାଧାକୃଷ୍ଣନଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଜବାହରଲାଲ ନେହେରୁମାଳତୀ ଚୌଧୁରୀଅଭିନେତ୍ରୀ (ନାରୀ କଳାକାର)ଚୈତ୍ରମନୋରଞ୍ଜନ ଦାସମୁମ୍ବାଇଦରମାକଣାଦ (ମୁନି)ମହିମା ଧର୍ମଗୋପାଳ ଛୋଟରାୟବେଦଓଡ଼ିଆ ରାମାୟଣବୁଦ୍ଧ ପୂର୍ଣ୍ଣିମାକରାଚୀକଳାହାଣ୍ଡି ଜିଲ୍ଲାଓଡ଼ିଆସୁଧାକର ନନ୍ଦସାରଳା ଦାସନବଗୁଞ୍ଜରଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟନବମୀମହାପାତ୍ର ନୀଳମଣି ସାହୁତରଳ ଝାଡ଼ାଅବସରବାଲେଶ୍ୱରତାଜମହଲସୌରୀନ୍ଦ୍ର ବାରିକହିନ୍ଦୁ ସମୟ ଗଣନାଓଡ଼ିଶା ଉଚ୍ଚ ନ୍ୟାୟାଳୟଭାରତୀୟ ସମ୍ବିଧାନମୁଣ୍ଡା ଭାଷାସମୂହଶ୍ରୀମନ୍ଦିରର ଷୋଡ଼ଶ ମଣ୍ଡପହାତନୀଳକଣ୍ଠ ଦାସରାମ ନବମୀଆଲାନ ଟ୍ୟୁରିଙ୍ଗମାସକୁଞ୍ଜବିହାରୀ ଦାଶପାଳଙ୍ଗବିଜୟ ମିଶ୍ରକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଖୋର୍ଦ୍ଧାରେବତୀ (କ୍ଷୁଦ୍ରଗଳ୍ପ)ଗୁରୁ ପ୍ରସାଦ ମହାନ୍ତିପିଙ୍କି ପ୍ରଧାନକାହ୍ନୁଚରଣ ମହାନ୍ତିମହାଭାରତଶ୍ରୀନିବାସ ରାମାନୁଜନଶିଶୁ ଅନନ୍ତ ଦାସଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ🡆 More