ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି ।
ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ।
ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ ।
ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା । ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା ।
୭ମ ଶତାବ୍ଦୀ କାଳରେ ଓଡ଼ିଶାର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।
ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।
ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।
ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବଣିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ ।
୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟାକୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
This article uses material from the Wikipedia ଓଡ଼ିଆ article ଓଡ଼ିଶାର ଇତିହାସ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.